Unknown

 

 

 

 

 

 

 

 

 

ଶିବାନୀପଲ୍ଲୀର କଳା ଚିତାବାଘ

ମୂଳରଚନା : କେନେଥ୍ ଆଣ୍ଡର୍‍ସନ୍‍

ଅନୁବାଦ : ଅଧ୍ୟାପକ ଶ୍ରୀଧର ଦାସ

 

ଉତ୍ସର୍ଗ

 

ଯେଉଁମାନେ ଏ ପୃଥିବୀର ଶାନ୍ତ ବନଭୂମି, ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟ, ସମୁଚ୍ଚ ପର୍ବତ ଶ୍ରେଣୀ ଓ ମୁକ୍ତ ଆକାଶକୁ ଭଲପାନ୍ତି ଓ ଭଲପାନ୍ତି ଶାନ୍ତ ବିଜନ ପ୍ରକୃତି ଏବଂ ତାର କୋଳରେ ପ୍ରତିପାଳିତ ବନ୍ୟଜନ୍ତୁମାନଙ୍କୁ–ସେମାନଙ୍କୁ ଏ ବହିଟି ଉତ୍ସର୍ଗ କରୁଛି ।

 

ସୂଚୀପତ୍ର

 

୧.

ଚିତାବାଘର ଗତିବିଧି

୨.

ୟେଲାଗିରି ପାହାଡ଼ର ମଣିଷଖିଆ ଚିତାବାଘ

୩.

ବୃଦ୍ଧ ମୁନୁସ୍ଵାମୀ ଓ ମାଗଡ଼ିର ଚିତାବାଘ

୪.

ଶିବାନୀପଲ୍ଲୀର କଳା ଚିତାବାଘ

୫.

ସାପ ଓ ଜଙ୍ଗଲର ଅନ୍ୟାନ୍ୟ ଜୀବ

୬.

ହାଇଦ୍ରାବାଦର ବାଘ

୭.

ଗେଡ଼େସଲ୍‌ର ଗୟଳ

୮.

ଚୋରଦିର କେଶରଥିବା ବାଘ

୯.

ପେଗେପାଲିୟାମର ମଣିଷଖିଆ ବାଘ

Image

 

ଭୂମିକା

 

ଏହି ପୁସ୍ତକର ପ୍ରଥମ ପଞ୍ଚୋଟି ଅଧ୍ୟାୟ ଚିତାବାଘ ବିଷୟରେ ଲିଖିତ । ବୋଧହୁଏ, ଆପଣମାନେ ବିସ୍ମିତ ହେଉଥିବା ଯେ ମୁଁ କାହିଁକି ଜଙ୍ଗଲର ଅନ୍ୟାନ୍ୟ ଜୀବମାନଙ୍କ ବିଷୟରେ ନ ଲେଖି ଚିତାବାଘ ଉପରେ ଏତେ ଗୁରୁତ୍ଵ ଦେଇଅଛି ? ତାହାର ଗୋଟିଏ କାରଣ ହେଉଛି, ଚିତାବାଘ ଏବେ ମଧ୍ୟ ଭାରତରେ ବହୁସଂଖ୍ୟାରେ ଦେଖାଯାଇଥାନ୍ତି । ଦ୍ଵିତୀୟ କାରଣ ହେଉଛି, ସେମାନଙ୍କୁ ଦେଖିବା ଅପେକ୍ଷାକୃତ ସହଜ; ଏବେ ମଧ୍ୟ କେତେକ ବଡ଼ ବଡ଼ ସହରଠାରୁ ଅଳ୍ପ କେତେକ ମାଇଲ ମଧ୍ୟରେ ସେମାନେ ଦେଖିବାକୁ ମିଳିବେ । ତୃତୀୟ କାରଣ ହେଉଛି, ଚିତାବାଘକୁ ଶିକାର କରିବା ସେତେ ବ୍ୟୟସାଧ୍ୟ ବ୍ୟାପାର ନୁହେଁ; ଜଣେ ସାଧାରଣ ଅବସ୍ଥାପନ୍ନ ଲୋକ ସୁଦ୍ଧା ଏହି ବ୍ୟୟ ବହନ କରିପାରିବ । ଗୋଟାଏ କୁକୁର, ଛେଳି କିମ୍ବା ଗଧକୁ ଥୋପ ବସାଇଲେ ଚିତାବାଘ ତାକୁ ଖାଇବାକୁ ଆସିବ; କିନ୍ତୁ କୌଣସି ବାଘକୁ ଆକର୍ଷଣ କରିବାକୁ ହେଲେ ଗୋଟାଏ ମଇଁଷି ବା ବଳଦ ଦରକାର । ମଇଁଷି ବା ବଳଦର ମୂଲ୍ୟ ଯେ ଅଧିକ, ଏଥିରେ ସନ୍ଦେହ ନାହିଁ ।

 

ଗଛ ଉପରେ ବନ୍ଧା ହୋଇଥିବା ମଞ୍ଚାଉପରେ ନିରାପଦ ସ୍ଥାନରେ ବସି ଶିକାର କରିବା ପରିବର୍ତ୍ତେ ଆଦର୍ଶ ଶିକାରୀ ରୀତିରେ ଭୂଇଁ ଉପରେ ବସି ଚିତାବାଘ ଶିକାର କରିବାରେ ଯେତିକି ଆହ୍ଲାଦ ଜାତହୁଏ, ବାଘ ଶିକାରରେ ମଧ୍ୟ ସେତିକି ଆହ୍ଲାଦ ଜାତ ହୋଇଥାଏ ।

 

ବାଘ ଓ ଅନ୍ୟାନ୍ୟ ଜୀବମାନଙ୍କ ବିଷୟରେ ମୁଁ ଗୋଟିଏ ଅଧ୍ୟାୟ ଲେଖିଅଛି । ସାପମାନଙ୍କ ସମ୍ବନ୍ଧରେ ମଧ୍ୟ ମୁଁ ଆଉ କିଛି ଲେଖିଅଛି । ସାପମାନଙ୍କ ବିଷୟ ଏହାର ଅନ୍ତର୍ଭୁକ୍ତ କରିବାର କାରଣ ଏହି ଯେ ବାଘ, ହାତୀ, ସିଂହ ଓ ଅନ୍ୟାନ୍ୟ ବଡ଼ ଜୀବମାନଙ୍କ ବିଷୟରେ ପୃଥିବୀର ନାନା ଅଂଶରେ ଅନେକ କଥା ଲେଖାଯାଇଥିଲେ ହେଁ ସାପମାନଙ୍କ ବିଷୟରେ ବେଶି କିଛି ଲେଖାଯାଇନାହିଁ । ଅଧିକାଂଶ ଲୋକ ସେମାନଙ୍କ ବିଷୟରେ ପ୍ରାୟ କିଛି ଜାଣନ୍ତି ନାହିଁ । ସେମାନେ ଏତିକି ମାତ୍ର ଜାଣନ୍ତି ଯେ ସାପମାନଙ୍କଠାରୁ ଦୂରରେ ରହିବା ଉଚିତ; କିନ୍ତୁ ସାପମାନେ ଖୁବ୍ ଚିତ୍ତାକର୍ଷକ ଜୀବ ଓ ମୁଁ ସେମାନଙ୍କ ବିଷୟରେ କିଛି ଆଲୋକପାତ କରିପାରିଅଛି ବୋଲି ଆଶାକରେ । ପାଠକମାନେ ମୁହୂର୍ତ୍ତକ ପାଇଁ ସୁଦ୍ଧା ମନେକରିବେନାହିଁ ଯେ ଭାରତର ଜଙ୍ଗଲରେ ଯେଉଁ ଜୀବମାନେ ଦେଖାଯାନ୍ତି ସେମାନଙ୍କ ଭିତରେ ବାଘ, ଚିତାବାଘ, ଭାଲୁ ଓ ହାତୀ ହେଉଛନ୍ତି ସବୁଠାରୁ ବିପଜ୍ଜନକ । ବୁଦା ବା ଘାସ ଭିତରେ ଲୁଚି ରହିଥିବା ବିଷଧର ସର୍ପ ହେଉଛି ଏମାନଙ୍କଠାରୁ ଆହୁରି କ୍ଷିପ୍ର, ଆହୁରି ଦୃଷ୍ଟିର ଅଗମ୍ୟ ଏବଂ ଆହୁରି ଶକ୍ତିଶାଳୀ ।

 

ମୁଁ ଗୋଟିଏ ଅତି ସାହସୀ ଅରଣା ମଇଁଷି ଓ ବାଘ ସହିତ ଦୁଇଟି ସଂଘର୍ଷର ବର୍ଣ୍ଣନା ଦେଇଅଛି । ଶେଷୋକ୍ତ ଦୁଇଟି ଘଟନାରୁ ମଣିଷଖିଆ ବାଘକୁ ଶିକାର କରିବାରେ ଯେ କେତେ ବିପଦ, କେତେ କଷ୍ଟ ଓ କେତେ ନୈରାଶ୍ୟ ଅନୁଭବ କରିବାକୁ ହୁଏ, ତାହାର ଏକ ଧାରଣା ମିଳିପାରିବ । ଗୋଟିଏ ଘଟନାରେ ମୁଁ ସମ୍ପୂର୍ଣ୍ଣରୂପେ ବିଫଳ ହୋଇଥିଲି ଓ ଅନ୍ୟଟିରେ କେବଳ ଦୈବବଳରେ ସଫଳ ହୋଇପାରିଥିଲି । ଶେଷ ଅଧ୍ୟାୟରେ ମୁଁ ଗୋଟିଏ ବାଘର ବିବରଣ ଦେଇଅଛି । ସେହି ବାଘଟିର ଆଚରଣ ଅଦ୍ଭୁତ ଥିଲା । ଏହା ଲେଖିଲାବେଳେ ସେ ବଞ୍ଚିରହିଛି ଓ ଏବେ ମଧ୍ୟ ସେ ମୋ ପକ୍ଷରେ ଏକ ରହସ୍ୟ ହୋଇ ରହିଅଛି ।

 

ଏହି ସବୁ ଦୁଃସାହସିକ କାର୍ଯ୍ୟର ବିବରଣ ଲିପିବଦ୍ଧ କଲାବେଳେ ବର୍ତ୍ତମାନର ସମସ୍ତ ଦୃଶ୍ୟ ଓ ଶବ୍ଦ ଉଭେଇଯାଉଅଛି ଏବଂ ଅତୀତର ସ୍ମୃତି ସେସବୁର ସ୍ଥାନ ଅଧିକାର କରୁଅଛି । ଉପରେ ତାରକା ପରିପୂର୍ଣ୍ଣ ଆକାଶ ଓ ତଳେ ମିଟିମିଟି କରୁଥିବା ଆଲୋକ ବିନ୍ଦୁ ପରିପୂର୍ଣ୍ଣ ବନଭୂମିକୁ ଘେନି ବିରାଜିତ ଜଙ୍ଗଲ–ରାତ୍ରିର କୃଷ୍ଣାନ୍ଧକାର । ଅନ୍ଧକାରମୟ ପତ୍ରରାଶି ମଧ୍ୟରେ ଡାଆଣୀ ଆଲୁଅପରି ଚକ୍‌ଚକ୍ ଦିଶୁଥିବା ଲକ୍ଷ ଲକ୍ଷ ଜୁଳୁଜୁଳିଆ ପୋକ ଓ ଏସବୁଠାରୁ ଆହୁରି ଉଜ୍ଜ୍ଵଳ ଜୀବନ୍ତ ଆଲୋକ–ବାଘ, ଚିତାବାଘ ଓ ଅରଣା ମଇଁଷିର ଚକ୍‌ଚକ୍ ଆଖି, ବୁଦା ଭିତରେ ଡେଉଁଥିବା ମନୋହର ହରିଣର ନୀଳବର୍ଣ୍ଣର ଆଖି, ମର୍ମର ଶବ୍ଦ କରୁଥିବା ଗଛତଳେ ଗଲାବେଳେ ସେହିସବୁ ଆଖି ଉପରେ ପଡ଼ୁଥିବା ମୋ ଟର୍ଚ୍ଚର ଆଲୋକରେଖାର ପ୍ରତିବିମ୍ବ–ଏହିସବୁ ସ୍ମୃତି ମୋତେ ଅଧିକାର କରୁଅଛି ।

 

ଏହି ବହିଟି ପଢ଼ିବା ସକାଶେ ଯେଉଁ କେତେ ଘଣ୍ଟା ସମୟ ଆପଣଙ୍କୁ ଲାଗିବ ସେତିକି ସମୟ ପାଇଁ ଯେଉଁ ବିଶାଳ ଉଚ୍ଚଭୂମି ଓ ଆକାଶସ୍ପର୍ଶୀ ବୃକ୍ଷରାଜି ଯାହା ଏକ ବିଚିତ୍ର ସୌଧ ସୃଷ୍ଟି କରିଅଛି, ସେହି ବାଘ, ଚିତାବାଘ ଓ ହାତୀର ରାଜ୍ୟକୁ ମୋ ସଙ୍ଗରେ ବୁଲି ଆସନ୍ତୁ । ତଥାକଥିତ ସଭ୍ୟତାର ମିଥ୍ୟା ମୂଲ୍ୟବୋଧ ଓ ଧାରଣାସମୂହକୁ ଭୁଲିଯାଆନ୍ତୁ । ଜୀବନର ସ୍ଵଚ୍ଛନ୍ଦ ଓ ସରଳ ସତ୍ୟ ଉପରେ ଲଦି ଦିଆଯାଇଥିବା ସମସ୍ତ ଆଇନକାନୁନ୍‌କୁ ଭୁଲିଯାଆନ୍ତୁ । ଏହି ଜଙ୍ଗଲ ଭିତରେ ଆପଣ ଦେଖିବାକୁ ପାଇବେ ସତ୍ୟ, ଦେଖିବାକୁ ପାଇବେ ଶାନ୍ତି ଓ ସୁଖ, ଦେଖିବାକୁ ପାଇବେ ପ୍ରକୃତ ଜୀବନ । ଏଠାରେ ଛଳନା ପାଇଁ ପ୍ରତାରଣା ପାଇଁ ଆଦୌ ସ୍ଥାନ ନାହିଁ; ଯାହା କୃତ୍ରିମ, ଯାହା ମିଥ୍ୟା ତାହା ପାଇଁ ସ୍ଥାନ ନାହିଁ । ଆପଣ ଏଠାରେ ଆଖି ଆଗରେ, ଯାହା ଦେଖିବାକୁ ପାଇବେ, ତାହା ହେଉଛି ଆଦିମ, ବାସ୍ତବ ଓ ସର୍ବାପେକ୍ଷା ଆଶ୍ଚର୍ଯ୍ୟଜନକ–ଏହାହିଁ ଈଶ୍ଵର, ଆପଣ ସେହି ଈଶ୍ଵରଙ୍କର ସାକ୍ଷାତ କରିପାରିବେ ।

 

ଆପଣଙ୍କ ଜୀବନରେ ଯାହା କିଛି ସାଂସାରିକ ସେଥିରୁ ଯଦି କିଛି ସମୟ ପାଇଁ ଆପଣଙ୍କୁ ଭୁଲାଇ ଗ୍ରୀଷ୍ମ ପ୍ରଧାନ ଜଙ୍ଗଲର ବୈଚିତ୍ର୍ୟ ଭିତରକୁ ମୁଁ ନେଇଯାଇପାରେ, ତେବେ ମୋ ଶ୍ରମର ଯଥେଷ୍ଟ ପୁରସ୍କାର ମିଳିଲା ବୋଲି ମନେକରିବି । ଏଠାରେ ଆପଣଙ୍କ ଜୀବନ ଉତ୍ତେଜନାପୂର୍ଣ୍ଣ; ଏଠାରେ ଆପଣଙ୍କ ଜୀବନ ନିର୍ଭର କରିବ ଆପଣଙ୍କ ଇନ୍ଦ୍ରିୟମାନଙ୍କ ଉପରେ, ଆପଣଙ୍କ ବୁଦ୍ଧି ଉପରେ, ଆପଣଙ୍କ କୌଶଳ ଉପରେ । ଆଉ ସର୍ବୋପରି ଯେତେବେଳେ ଗୋଟାଏ ଆଘାତପ୍ରାପ୍ତ ମଣିଷଖିଆ ବାଘର ରକ୍ତଚିହ୍ନ ଅନୁସରଣ କରି ଆପଣ ଗଭୀର ଜଙ୍ଗଲ ବା ବିଶାଳ ପଥର ସ୍ଥୂପ ମଧ୍ୟରେ ଯାଉଥିବେ, ସେତେବେଳେ ଆପଣଙ୍କ ଜୀବନ ନିର୍ଭର କରିଥିବ ଦୈବ ଉପରେ ।

Image

 

Unknown

ପ୍ରଥମ ଅଧ୍ୟାୟ

ଚିତାବାଘର ଗତିବିଧି

 

କୌଣସି ଦୁଇଟି ଚିତାବାଘ ଠିକ୍ ଏକାପରି ନୁହନ୍ତି । ଗୋଟିକଠାରୁ ଅନ୍ୟଟିର ନିଶ୍ଚୟ କିଛି ପାର୍ଥକ୍ୟ ଥାଏ । କେତେକ ଚିତାବାଘ ଭାରି ଦୁଃସାହସୀ, ଅନ୍ୟ କେତେକ ଏକବାରେ ଭୟାଳୁ, କେତେକ ଏଭଳି ଚତୁର ଯେ ସେମାନଙ୍କର କାର୍ଯ୍ୟ ଭୌତିକ ଘଟଣା ପରି ମନେହେବ, ଆଉ କେତେକ ନିତାନ୍ତ ନିର୍ବୋଧ । ମୁଁ ଏପରି କେତେକ ଚିତାବାଘକୁ ଭେଟିଛି ଯେ ସେମାନଙ୍କର ପଞ୍ଚେନ୍ଦ୍ରିୟ ଛଡ଼ା ଗୋଟାଏ ଷଷ୍ଠେନ୍ଦ୍ରିୟ ଥିଲାଭଳି ବୋଧ ହେଉଥିଲା । ସେମାନେ ସତେ ଯେପରିକି ମୋର ଚିନ୍ତା ଓ ଭବିଷ୍ୟତ କର୍ମପନ୍ଥା ସୁଦ୍ଧା ଜାଣିପାରୁଥିଲେ । ଚିତାବାଘ ମନୁଷ୍ୟକୁ ପ୍ରାୟ ଆକ୍ରମଣ କରେନାହିଁ; ମନୁଷ୍ୟକୁ ମାରି ଖାଇବା ତ ଦୂରର କଥା ।

 

କୌଣସି ମାଂସାଶୀ ପ୍ରାଣୀ ମଣିଷଖିଆ ଜନ୍ତୁରେ ପରିଣତ ହେବାର କାରଣ ହେଉଛି କୌଣସି ଅସ୍ୱାଭାବିକ ପରିସ୍ଥିତି । ଆଘାତପ୍ରାପ୍ତ ହୋଇ ତାର ସେ ସ୍ଵାଭାବିକ ଖାଦ୍ୟ ଅନ୍ୟ ପ୍ରାଣୀକୁ ଶିକାର କରିନପାରି ମଣିଷ ଖାଇବାକୁ ବାଧ୍ୟ ହୁଏ; କାରଣ ମନୁଷ୍ୟକୁ ମାରିବା ଖୁବ୍ ସହଜ । ହୁଏତ କୌଣସିଠାରେ ମଲାମଣିଷ ପୋତା ହୋଇଥିଲା; ଗାତଟା ବେଶି ଗଭୀର ନଥିବାରୁ ହୁଏତ ବିଲୁଆ ବା ଗଧିଆ ମଡ଼ାକୁ ବାହାରକୁ ଟାଣିଆଣିଥିଲେ । କୌଣସି ଚିତାବାଘ ତାକୁ ଖାଇ ମଣିଷମାଂସର ସ୍ଵାଦ ଜାଣିପାରିଲା । ତେଣିକି ସେ ଅନ୍ୟ ଜୀବ ଶିକାର ନ କରି ମଣିଷକୁ ମାରି ଖାଇବାପାଇଁ ଚେଷ୍ଟା କରିବ । ଏ ଦୁଇଟି କାରଣ ଛଡ଼ା ଅନ୍ୟ ଏକ କାରଣରୁ ମଧ୍ୟ ଚିତାବାଘ ମଣିଷ ଖାଇପାରେ-। ଯଦି କୌଣସି କାରଣରୁ ମାଆ ମଣିଷଖିଆ ହୋଇଥାଏ, ସେ ମଣିଷମାଂସ ଖୋଜି ଆଣି ତାର ଛୁଆମାନଙ୍କୁ ଖାଇବାକୁ ଦିଏ । ସେମାନେ ବଡ଼ ହୋଇଯିବାପରେ ମଧ୍ୟ ମଣିଷମାଂସ ଖାଇବା ଅଭ୍ୟାସ ଛାଡ଼ିପାରନ୍ତି ନାହିଁ । ମଲା ମଣିଷର ମାଂସ ନ ମିଳିଲେ ଜୀଅନ୍ତା ମଣିଷକୁ ଶିକାର କରି ଖାଆନ୍ତି; କିନ୍ତୁ ଏଭଳି ମଣିଷଖିଆ ଚିତାବାଘ ପ୍ରାୟ ଦେଖାଯାଆନ୍ତି ନାହିଁ ।

 

ସାଧାରଣତଃ ଚିତାବାଘ ଗୋଟିଏ ନିରୀହ ପ୍ରାଣୀ; କାହାରି ଉପରେ ଆକ୍ରମଣ କରେ ନାହିଁ । ମଣିଷକୁ ତାର ବଡ଼ ଭୟ । ମଣିଷକୁ ଦେଖିଲେ ବା ତାର ଶବ୍ଦ ଶୁଣିଲେ ସେ ଚୁପ୍ କରି ପଳାଇ ଯାଇ ବୁଦାଭିତରେ ଲୁଚେ । ଆଘାତପ୍ରାପ୍ତ ହେଲେ କେତେକ ଚିତାବାଘ ଅଦ୍ଭୁତ ଭାବରେ ହିଂସ୍ର ଓ ଦୁଃସାହସୀ ହୋଇଉଠନ୍ତି । ଆଉ କେତେକ ନିତାନ୍ତ ଭୟାଳୁ । ସେମାନଙ୍କ ପଛରେ ମନୁଷ୍ୟ ଦଉଡ଼ି ଯାଇ ସେମାନଙ୍କୁ କୁକୁର ଭଳି ତଡ଼ିଦେଇପାରେ ।

 

ଗୋଟିଏ ମୁଣ୍ଡିଆ ଉପରେ ଚଢ଼ି କୌଣସି ଚିତାବାଘକୁ ତାର ଶିକାର ପଛରେ ଛପି ଛପି ଯାଉଥିବାର ଦୃଶ୍ୟ ଦେଖିଲେ ବଡ଼ କୌତୂହଳ ଜାତ ହେବ । ତୁମେ ଲକ୍ଷ୍ୟ କରି ପାରିବ, ସେ ଯେକୌଣସି ବୁଦା, ଗଛଗଣ୍ଡି ବା ବଡ଼ ପଥରଖଣ୍ଡର ସୁଯୋଗ ନେଇ ଲୁଚିଯାଉଥିବ । ସେପରି କିଛି ନ ମିଳିଲେ ସେ ଲେପେଟେଇ ପଡ଼ି ଭୂମି ଦେହରେ ମିଶିଯିବ । ତାହାର ଦେହର ରଙ୍ଗ ମାଟିର ରଙ୍ଗ ପରି ହୋଇଥିବାରୁ ସେ ବାରିହୋଇପାରିବ ନାହିଁ । ଏପରି ଅବସ୍ଥାରେ ଚିତାବାଘକୁ ଦେଖିବାକୁ ଅତି ତୀକ୍ଷ୍‌ଣ ଦୃଷ୍ଟିଶକ୍ତି ଥିବା ଦରକାର । ଥରେ ମୁଁ ବାଇନାକୁଲାର ଯନ୍ତ୍ର ଧରି ଗୋଟିଏ ଚିତାବାଘକୁ ଶିକାର ପଛରେ ଯାଉଥିବାର ଦେଖିଥିଲି । ବାସ୍ତବରେ ତାର କୌଶଳ ଅତି ଚମତ୍‌କାର । ଏହିପରି ଛପି ଛପି ଯାଇ ଶିକାରର ନିକଟବର୍ତ୍ତୀ ହେଲେ ଗୋଟିଏ ଦୁଇଟି ଖେପାରେ ସେ ଶିକାର ଉପରେ ଝାମ୍ପି ପଡ଼େ ।

 

ତାର ଲକ୍ଷ୍ୟ ହେଉଛି ଅଭ୍ରାନ୍ତ । ଶିକାର ଉପରେ ଡେଇଁପଡ଼ି ସେ ତାର ଗଳାକୁ ଉପରୁ ଓ ତଳୁ ଦୁଇ ଆଡ଼ୁ ନିଜ ତୀକ୍ଷ୍‌ଣ ଦାନ୍ତରେ କାମୁଡ଼ି ଧରେ । ଗଳାର ଉପର ଅଂଶକୁ ଧରିଥିବାରୁ ଶିକାର ତଳେ ପଡ଼ିଗଲାବେଳକୁ ଚିତାବାଘ ତାର ମୁଣ୍ଡଆଡ଼କୁ ରହେ, ଶିକାର ଛଟପଟ ହୋଇ ଗୋଡ଼ ଛାଟିଲେ ତାର ପାଦ ଚିତାବାଘ ଦେହରେ ବାଜିପାରେନାହିଁ । ଶିକାର ତଳେ ପଡ଼ିଗଲା ବେଳେ ମଧ୍ୟ ଚିତାବାଘର ଦୁଇପାଟି ଦାନ୍ତ ତାର ଗଳାକୁ ସେହିପରି ଜୋର୍‌ରେ ଧରିଥାଏ ଓ ତାର ଗଳାର କଣାବାଟେ ରକ୍ତ ପିଉଥାଏ ।

 

ବର୍ତ୍ତମାନ କଳ୍ପନା କର–ଜଙ୍ଗଲ ନୀରବ ଓ ନିସ୍ତବ୍‌ଧ । ଚିତାବାଘଟିଏ ଛପି ଛପି ତାର ଶିକାର ପଛରେ ନିଃଶବ୍ଦରେ ଚାଲିଛି ଅଥବା କେଉଁଠାରେ ଥୋପପାଇଁ ବନ୍ଧା ହୋଇଥିବା ଜନ୍ତୁ ଆଡ଼କୁ ଧୀରେ ଧୀରେ ଆଗେଇ ଯାଉଛି । ଚିତାବାଘକୁ ଶିକାର କରିବାକୁ ହେଲେ ଜଙ୍ଗଲର ପ୍ରତି ବୁଦାକୁ ବା ବଡ଼ ଘାସକୁ ଖୁବ୍ ସାବଧାନରେ ଦେଖିବାକୁ ପଡ଼ିବ; କୌଣସି ମୁଣ୍ଡିଆ ବା ବଡ଼ ପଥର ଥିଲେ ତାକୁ ଦେଖିବାକୁ ହେବ; ଖାଲୁଆ ଜାଗା ବା ସଂକୀର୍ଣ୍ଣ ଗିରିପଥ ପଡ଼ିଲେ ତାକୁ ଉତ୍ତମରୂପେ ପରୀକ୍ଷା କରିବାକୁ ହେବ । ଏପରି ଯେକୌଣସି ସ୍ଥାନରେ ଚିତାବାଘ ଲୁଚିରହିପାରିଥାଏ । ଜଙ୍ଗଲର ହିଂସ୍ରପଶୁମାନଙ୍କ ଭିତରେ ଚିତାବାଘ ସବୁଠାରୁ ଚତୁର ଓ ବିପଜ୍ଜନକ । ତୁମର ସାବଧାନତା ଉପରେ ତୁମ ଶିକାରର ସଫଳତା ଏପରିକି ତୁମର ଜୀବନ ନିର୍ଭର କରେ ।

 

ଚିତାବାଘ ଯେପରି ଚାହେଁ, ତାକୁ ସେହିପରି ଶିକାର କରିବା ହେଉଛି ସବୁଠାରୁ କଠିନ ଓ ସବୁଠାରୁ ଉତ୍ତେଜନାପୂର୍ଣ୍ଣ । ଏ ପ୍ରକାର ଶିକାରକୁ କହନ୍ତି ନିଶ୍ଚଳ ଶିକାର (Still hunting) । ନିଶ୍ଚଳ ଶିକାର କରିବାକୁ ହେଲେ ତୁମର ଜଙ୍ଗଲ ବିଷୟରେ ସୂକ୍ଷ୍ମ ଜ୍ଞାନ ଥିବା ଦରକାର । ତୁମେ ଖୁବ୍ ନିଃଶବ୍ଦରେ ଚାଲିପାରୁଥିବ ଓ ତୁମର ଚିତାବାଘ ଭଳି ମନ ଥିବା ଆବଶ୍ୟକ । ତୁମେ ଚିତାବାଘ ଭଳି ଏକ ଚତୁର ଜୀବକୁ ବୁଦ୍ଧିବଳରେ ତାର ନିଜ ରାଜ୍ୟରେ, ତାରି କୌଶଳରେ ପରାସ୍ତ କରିବାକୁ ଯାଉଛ; ତେଣୁ ତୁମର ଏହି ସବୁ ଶକ୍ତି ଥିବା ଆବଶ୍ୟକ । ମନେରଖିବାକୁ ହେବ, ତୁମେ ଯାହାକୁ ଶିକାର କରିବାକୁ ଯାଉଛ, ସେ ହେଉଛି ସବୁଠାରୁ ବଳି କୌଶଳୀ ଶିକାରୀ ।

 

ପ୍ରଥମେ ଜାଣିବାକୁ ହେବ, ଚିତାବାଘ କେଉଁ ସମୟରେ ଶିକାର ଖୋଜିବାକୁ ବାହାରେ-। ସାଧାରଣତଃ ଚିତାବାଘ ହେଉଛି ରାତ୍ରିଚର ପ୍ରାଣୀ । ରାତିରେ ସେ ଶିକାର ଖୋଜି ବୁଲେ । ଟର୍ଚ୍ଚ ଲାଇଟ ନ ହେଲେ ତୁମେ ରାତିରେ ଦେଖିପାରିବ ନାହିଁ; କିନ୍ତୁ ଟର୍ଚ୍ଚ ଲାଇଟରେ ଶିକାର କରିବା ‘ନିଶ୍ଚଳ ଶିକାର’ ନୁହେଁ । ରାତି ଛଡ଼ା ଚିତାବାଘ ବାହାରିବାର ଏକ ସମୟ ହେଉଛି ଠିକ୍ ସନ୍ଧ୍ୟାପରେ, ଅନ୍ଧାର ହେବା ପୂର୍ବରୁ । ଏହି ସମୟରେ ସହଳ ଶିକାରରେ ବାହାରିଥିବା କୌଣସି କୌଣସି ଚିତାବାଘର ଭେଟ ମିଳିପାରେ । ଦିନବେଳା ଚିତାବାଘ ଶିକାରରେ ବାହାରିବା ବୃଥା; କାରଣ ଦିନବେଳା ହେଉଛି ତାର ବିଶ୍ରାମର ସମୟ । ଆହୁରି ମଧ୍ୟ ଉତ୍ତପ୍ତ ସୂର୍ଯ୍ୟକିରଣ ତା ପକ୍ଷରେ ଅସହ୍ୟ ।

 

ଦ୍ଵିତୀୟତଃ କେଉଁ କେଉଁ ସ୍ଥାନରେ ସାଧାରଣତଃ ଚିତାବାଘର ସନ୍ଧାନ ନେବାକୁ ହେବ-? ଏହାର ଉତ୍ତର ପାଇବାକୁ ହେଲେ ତୁମକୁ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଜାଣିବାକୁ ହେବ–ଚିତାବାଘମାନେ ଜଙ୍ଗଲରେ ସାଧାରଣତଃ କେଉଁ କେଉଁ ଜୀବ ଶିକାର କରନ୍ତି ? ଏହାର ଉତ୍ତର ମଧ୍ୟ ତୁମ ପକ୍ଷରେ ବିଶେଷ ସହାୟକ ହେବନାହିଁ । କାରଣ ଯେକୌଣସି ଜୀବକୁ ଚିତାବାଘ ଖାଇଥାଏ; ଅବଶ୍ୟ ଯେଉଁ ବଡ଼ ଜୀବକୁ ସେ ମାରି ନ ପାରିବ, ତାକୁ ମାରିବାକୁ ସେ ଯାଏନାହିଁ । ଜଙ୍ଗଲର କୁକୁଡ଼ା, ମୟୂର, ଠେକୁଆ, ମାଙ୍କଡ଼, ବାର୍ହା, ହରିଣ ଜାତୀୟ ଜୀବ ଖୁବ୍ ବଡ଼ ହୋଇ ନ ଥିଲେ ହରିଣ, ଶମ୍ବର ପ୍ରଭୃତି ତାର ଶିକାର । ଗ୍ରାମ ନିକଟର ଗୃହପାଳିତ ଜୀବ, ଯଥା–ଘୁଷୁରି, କୁକୁର, ଛେଳି, ମେଣ୍ଢା, ଗଧ ଓ ମଧ୍ୟମ ଆକାରର ଗୋରୁ ମଇଁଷି ହେଉଛନ୍ତି ତାର ପ୍ରଧାନ ଖାଦ୍ୟ । ଏପରିକି ବିରାଡ଼ିଟାଏ ହାବୁଡ଼େ ପଡ଼ିଗଲେ ସେ ତାକୁ ନ ଖାଇ ଛାଡ଼େନାହିଁ ।

 

ମନେକର, ଯେଉଁ ଜଙ୍ଗଲରେ ଚିତାବାଘ ତାର ପ୍ରାକୃତିକ ଆହାର ଶିକାର କରେ, ସେହିଭଳି ଜଙ୍ଗଲରେ ଆମେ ଥାଏଁ । ଚିତାବାଘ କିପରି ଶିକାର କରେ ? ମନେରଖିବାକୁ ହେବ ତାର ଦୃଷ୍ଟି ଶକ୍ତି ଅତି ତୀକ୍ଷ୍‍ଣ । ସେହିପରି ତାର ଶ୍ରବଣଶକ୍ତି ମଧ୍ୟ ଖୁବ୍ ପ୍ରବଳ; କିନ୍ତୁ ତାର ଆଘ୍ରାଣଶକ୍ତିଟା ଖୁବ୍ ଦୁର୍ବଳ । ଭାବି ଦେଖ, ତୁମେ ଯଦି ଚିତାବାଘ ସ୍ଥାନରେ ଥାଆନ୍ତ, ତୁମେ କଅଣ କରନ୍ତ ?

 

ତୁମେ ନିଶ୍ଚୟ ଏହି ଦୁଇଟି କଥାକୁ ଗୋଟିଏ କରନ୍ତ; ହୁଏତ ଯେଉଁ ଅଞ୍ଚଳରେ ତୁମର ଖାଦ୍ୟ ମିଳିବ, ସେହି ଅଞ୍ଚଳରେ ଛପି ଛପି ବୁଲି ଶିକାର ଖୋଜିବ କିମ୍ବା ଯେଉଁଠାକୁ ତୁମର ଖାଦ୍ୟ ଉପଯୋଗୀ ଜୀବ ଆସିବାର ସମ୍ଭାବନା ଅଛି, ସେହିଠାରେ ଲୁଚିରହି ଶିକାରକୁ ଅପେକ୍ଷା କରିବ । ଚିତାବାଘ ଠିକ୍ ସେହି କଥା କରିଥାଏ ।

 

ତାର ପାଦତଳେ ମାଂସପିଣ୍ଡୁଳା ଥିବାରୁ ସେ ଶବ୍ଦ ନ କରି ଯେଉଁଠାକୁ ତାର ଆହାରଯୋଗ୍ୟ ପକ୍ଷୀ ବା ଅନ୍ୟ ଜୀବ ଆସିବାର ଆଶାଥାଏ, ସେହିଠାରେ ଲୁଚିରହେ । ଆହୁରି ମଧ୍ୟ ସେମାନେ କେତେକ ସ୍ଥାନକୁ ପାଣି ପିଇବା ପାଇଁ କିମ୍ବା ଲୁଣିଆ ମାଟି ଚାଟିବା ପାଇଁ ଆସିଥାନ୍ତି । ତେଣୁ ଚିତାବାଘ ସେଭଳି ପାଖରେ ବା ଲୁଣିଆ ମାଟି ପାଖରେ ମଧ୍ୟ ଛପିରହି ଶିକାରକୁ ଅପେକ୍ଷା କରେ ।

 

କୌଣସି ଜୀବର ପିଛା ଧରି ଯିବାବେଳେ ସେ ନିଃଶବ୍ଦରେ ଯିବାକୁ ଚେଷ୍ଟାକରେ । ସବୁବେଳେ ବୁଦା ବା ଶୁଖିଲା ପତ୍ର ଭିତରେ ଯିବା ସମ୍ଭବ ହୁଏନାହିଁ; କାରଣ ତାହାଦ୍ଵାରା ଖଟ୍‌ଖଟ୍, ମସ୍‌ମସ୍ ଶବ୍ଦ ହୋଇପାରେ । ମଣିଷଚଲା ବାଟ, ଆଗରୁ ପଶୁ ଯାଇଥିବା ବାଟରେ, ବଣପୋଡ଼ିରେ ସୃଷ୍ଟି ହୋଇଥିବା ମେଲା ବାଟରେ, କୌଣସି ପାଣି ନାଳ ବା ଝରଣାର ଅତଡ଼ିବାଟେ ସେ ଚୁପ୍‌ଚାପ୍ କରି ଚାଲେ । ତାହା ନ କଲେ ସେ ପାଣିକୁ ବା ଲୁଣିଆ ମାଟି ଜାଗାକୁ ପଡ଼ିଥିବା ବାଟରେ ଛକି ରହେ । କୌଣସି ଜୀବ ସେ ବାଟେ ଗଡ଼ିଲେ ସେ ତା ଉପରକୁ ଡେଇଁପଡ଼ି ଶିକାର କରେ । ତେଣୁ ଚିତାବାଘ ଶିକାର କରିବାକୁ ହେଲେ ତୁମେ ଏହି ସବୁ ସ୍ଥାନ ଉପରେ ନଜର ଦେବ ।

 

ତୁମେ ଚିତାବାଘର ସନ୍ଧାନ ନେଲାବେଳେ ହଲଚଲ ହେଲେ ତାର ଦୃଷ୍ଟି ତୁମ ଉପରେ ପଡ଼ିବ । ତେଣୁ ଦିନବେଳା ଜଙ୍ଗଲ ଭିତରେ ବୁଲି କୌଣସିଠାରେ ଚିତାବାଘର ପାଦଚିହ୍ନ ପଡ଼ିଛିକି ନା ଦେଖି ଆସିବ । କେବଳ ଦୁଇ ଚାରି ଯୋଡ଼ା ପାଦଚିହ୍ନ ଯଥେଷ୍ଟ ନୁହେଁ । ଯେଉଁଠାରେ ଅନେକ ପାଦଚିହ୍ନ ପଡ଼ିଥିବ ଓ ସେଥିର କେତେକ ସଦ୍ୟ ଓ କେତେକ ପୁରୁଣା ହୋଇଥିବ, ସେହିଠାରେ ଚିତାବାଘମାନେ ଯା’ଆସ କରନ୍ତି ବୋଲି ଜାଣିବ । ଯେଉଁଠାରେ ଅନେକ ପାଦଚିହ୍ନର ମିଳନ ହୋଇଥିବ କିମ୍ବା ପାଦଚିହ୍ନ ନାଳର ଏପାରିରୁ ସେପାରିକୁ ଯାଇଥିବ, ସେହି ସ୍ଥାନ ତୁମର ଶିକାର ପାଇଁ ଉପଯୁକ୍ତ ବୋଲି ସ୍ଥିର କରିବ ।

 

ଏହିପରି ସ୍ଥାନଟିଏ ସ୍ଥିର କଲାପରେ ସେହିଦିନ ସନ୍ଧ୍ୟାବେଳକୁ ସେଠାକୁ ଯାଇ ନିକଟବର୍ତ୍ତୀ କୌଣସି ଗଛର ଗଣ୍ଡି ବା ବୁଦାରେ ଲୁଚିରହ । ତତ୍ପରେ ଚୁପ ରହି ସବୁ ଆଡ଼ର ଯା’ଆସ ବାଟକୁ ଭଲରୂପେ ଚାହଁ । ତୁମର ଭାଗ୍ୟ ଭଲ ଥିଲେ କୌଣସି ଗୋଟିଏ ବାଟରେ ଚିତାବାଘଟିଏ ଶିକାରରେ ବାହାରିଥିବାର ଦେଖିପାରିବ । ଗଛରେ କାଳେ ମାଙ୍କଡ଼ କି ମୟୂର ଭଳି ବଡ଼ ପକ୍ଷୀ ଥିବେ ବୋଲି ସେ ମଝିରେ ମଝିରେ ଗଛ ଉପରକୁ ଚାହୁଁଥିବ । ସ୍ମରଣ ରଖିବାକୁ ହେବ, ତୁମେ ଏହିପରି ଚିତାବାଘକୁ ଅପେକ୍ଷା କରିଥିବା ସମୟରେ ସେହି ବାଟେ ମହାବଳ ବାଘ, ହାତୀ, ହରିଣ, ଶମ୍ବର ଭଳି କୌଣସି ଜନ୍ତୁ ଦେଖାଯାଇପାରନ୍ତି ।

 

ବର୍ତ୍ତମାନ ଧରିନିଆଯାଉ, ତୁମେ କେବଳ ଚିତାବାଘ ଶିକାରରେ ଆସିଛ । ବଣଭିତରେ କୌଣସି ଗଡ଼ିଆ ବା ଲୁଣ ଚାଟିବା ସ୍ଥାନ ସ୍ଥିର କରିଥିଲେ ତାହାରି ପାଖେ କିଛି ଘୋଡ଼ିହୋଇ ପଡ଼ିଯିବା କିମ୍ବା କୌଣସି ଉଇହୁଙ୍କା ପଛରେ ଲୁଚିରହିବା ତୁମ ପକ୍ଷରେ ସୁବିଧାଜନକ ହେବ, ବଣର ବିଭିନ୍ନ ପ୍ରକାରର ଜୀବଜନ୍ତୁ ଏଭଳି ଏକ ମିଳନସ୍ଥାନକୁ ଆସୁଥିବାର ଦେଖି ତୁମେ ନିଶ୍ଚୟ ଖୁବ୍ ଆନନ୍ଦ ଅନୁଭବ କରିବ । କିଛି ସମୟ ପରେ ହୁଏତ ଗୋଟାଏ ମହାବଳ ବା ଚିତାବାଘ ଠିକ୍ ତୁମରି ଭଳି ଲୁଚିବାକୁ ଯିବ । ଏଥିରେ ତୁମେ ଚକିତ ବା ବିସ୍ମିତ ହୋଇପଡ଼ିବ ନାହିଁ । ସ୍ମରଣ ରଖିବାକୁ ହେବ, ମହାବଳ ବା ଚିତାବାଘ ଏତେ ନିଃଶବ୍ଦରେ ଲୁଚିପାରେ ଯେ ତୁମେ ତାକୁ ଦେଖିପାରିବା ସହଜ କଥା ନୁହେଁ । ମୁଁ ଆଗରୁ କହିଛି, ମାଂସାଶୀ ପ୍ରାଣୀମାନେ ଏହିଭଳି ସ୍ଥାନରେ ନିଜର ପ୍ରାକୃତିକ ଆହାର ଶିକାର କରିବାପାଇଁ ଛକି ରହିଥାନ୍ତି ।

 

ମୋର ଗୋଟିଏ ଘଟନା ମନେ ପଡ଼ୁଛି । ଗୋଟିଏ ସଂକୀର୍ଣ୍ଣ ରାସ୍ତାର ଏକ କଣରେ ଟିକିଏ ଲୁଣିଆ ମାଟି ଥିଲା । ତା ପାଖରେ ଏକ ଗଛ । ସେହି ଗଛମୂଳେ ଘାସ ବୁଦାଭିତରେ ମୁଁ ଲୁଚିଥିଲି । ସେ ଦିନ ମୁଁ ଦେଖିଯାଇଥିଲି ଯେ ଅନେକ ହରିଣ ଓ ଶମ୍ବର ସେହି ଲୁଣିଆ ଜାଗାକୁ ଆସିଥିଲେ । ଅନ୍ଧାର ହୋଇଆସୁଥିଲା । ମୋ ପଛପଟେ ଗୋଟାଏ କ୍ଷୀଣ ଖସ୍‌ଖସ୍ ଶବ୍ଦ ଶୁଣି ମୁଁ ମୁହଁ ବୁଲାଇ ପଛକୁ ଚାହିଁଲି । ଦେଖେଁ ତ ଗୋଟାଏ ଚିତାବାଘ ବିସ୍ମିତ ଭାବରେ ମୋତେ ଚାହିଁ ରହିଛି । ମୁଁ ତାକୁ ଦେଖିଲିଣି ବୋଲି ଜାଣିପାରି ସେ ପଳାଇଯିବା ପାଇଁ ଟିକିଏ ବୁଲିପଡ଼ିଲା । ଆଉ ଥରେ ମୋ ଆଡ଼କୁ ଚାହିଁ ସେ ଚାଲିଗଲା । ସତେ ଯେପରିକି ସେ କହିଗଲା–ତୁ ଏଠୁ ଯାଇ କେଉଁ ନରକରେ ପଶୁନାହୁଁ କାହିଁକି ? ଶେଷରେ ସେ ଚାଲିଗଲା ।

 

କୌଣସି ମାଈ ଚିତାବାଘ ବା ମାଈ ମହାବଳ ବାଘ ସହିତ ତାର ଛୁଆ ଥିଲେ ତାକୁ ଦେଖିବା ଆନନ୍ଦଜନକ । ମାଆର ଛୁଆ ପାଇଁ ଯେଉଁ ବ୍ୟାକୁଳତା, ତାହା ଲକ୍ଷ୍ୟ କରିବାର କଥା । ମାଆ କୌଣସି ଗୁହାରେ ଛୁଆ ଦେଇଥାଏ । ଛୁଆମାନେ ନିଜେ ଚାଲବୁଲ କରିବାକୁ ସମର୍ଥ ନହେବାଯାଏ ଓ ଶିକାର ବିଷୟରେ ସାମାନ୍ୟ ଜ୍ଞାନ ନ ଅର୍ଜିବାଯାଏ ମାଆ ସେମାନଙ୍କୁ ବାହାରକୁ ଛାଡ଼େନାହିଁ । ସେ ପର୍ଯ୍ୟନ୍ତ ସେମାନଙ୍କୁ ମାଆ ଅତି ଯତ୍ନରେ ଗୁହା ଭିତରେ ରଖିଯାଏ । ଛୋଟ ଶିଶୁ ଅବସ୍ଥାରେ ମାଆ ସେମାନଙ୍କୁ ନିଜର ଦୁଧ ଖୁଆଏ । ଶିଶୁମାନେ ଟିକିଏ ବଢ଼ିଗଲେ, ମାଆ ସେମାନଙ୍କୁ ମାଂସ ଖାଇବା ଶିଖାଏ । ପ୍ରଥମେ ମାଆ ନିଜେ ମାଂସ ଖାଏ; ତାହା ଟିକିଏ ହଜମ ହୋଇଗଲେ ସେ ସେହି ଅଧାହଜମ ମାଂସକୁ ବାନ୍ତିକରି ଛୁଆମାନଙ୍କୁ ଖାଇବାକୁ ଦିଏ । ଆସ୍ତେ ଆସ୍ତେ ଛୁଆମାନେ ନିଜେ ମାଂସ ହଜମ କରିବାକୁ ସମର୍ଥ ହୁଅନ୍ତି । ସେତେବେଳେ ମାଆ ମଲା ଶିକାରକୁ ଗୁହା ଭିତରକୁ ଆଣି ଛୁଆମାନଙ୍କୁ ଖାଇବାକୁ ଦିଏ । ଏ ସମୟରେ ବଣ କୁକୁଡ଼ା ବା ମୟୂର ଭଳି ଛୋଟ ଜୀବ ଛୁଆମାନଙ୍କର ଆହାର ହୋଇଥାଏ । କିଛି ଦିନ ପରେ ଆହୁରି ବଡ଼ ଜୀବ ଅର୍ଥାତ୍ ହରିଣ ବା ଶମ୍ବର ଗୋଟାଏ ଫଡ଼ିଆ ଆଣି ଦିଏ । ବେଳେବେଳେ ଗୋଟାଯାକ ହରିଣ ମଧ୍ୟ ଆଣି ଛୁଆମାନଙ୍କୁ ଦିଏ ।

 

ଛୁଆଗୁଡ଼ାକ ବଡ଼ ପେଟୁ; ଯେତେ ଇଚ୍ଛା ସେତେ ଗିଳିବାକୁ ଚାହାନ୍ତି । ମାଆ ସେମାନଙ୍କ ଖାଇବାରେ କଟକଣା ପ୍ରୟୋଗ ନ କଲେ ସେମାନେ ରୋଗରେ ପଡ଼ନ୍ତି । ମୁଁ କେତେ କେତେଗୁଡ଼ିଏ ବାଘଛୁଆ ଓ ଚିତାବାଘଛୁଆ ରଖିଛି । ସେମାନେ–ବିଶେଷତଃ ଚିତାବାଘଛୁଆମାନେ ସହଜରେ ଉଦର ରୋଗରେ ପଡ଼ିଥାନ୍ତି । ସେମାନେ ପେଟ ପୂରିବାଯାଏ ଖଣ୍ଡ ଖଣ୍ଡ କଞ୍ଚା ମାଂସ ଗିଳିପକାନ୍ତି ଓ ଗିନା ଗିନା ରକ୍ତ ପିଇଯାଆନ୍ତି । ଶେଷକୁ ଚାଲବୁଲ କରିପାରନ୍ତି ନାହିଁ । ବାଘଛୁଆକୁ ଥରେ ଉଦର ରୋଗ ହେଲେ, ତାହା ଭଲହେବା ସହଜ ନୁହେଁ । ତିନି ଚାରିଦିନ ପରେ ବହୁ କଷ୍ଟ ଭୋଗି ସେ ମରିଯାଏ । ମୋର ପୋଷା ଛୁଆମାନଙ୍କ ଭିତରୁ କେତେଗୁଡ଼ିଏ ଏହି ରୋଗରେ ମରିଛନ୍ତି ।

 

ବଣ ଭିତରେ ବାଘଛୁଆର ମାଆ ପ୍ରକୃତିଦତ୍ତ ଗୁଣରେ ଛୁଆମାନଙ୍କର ଏହି ସ୍ଵଭାବ ଜାଣେ । ତେଣୁ ସେ ଛୁଆମାନଙ୍କୁ ଅଳ୍ପ ପରିମାଣର ମାଂସ ଦେଇ କିଛି ଦୁଧ ଖୁଆଏ । ବଡ଼ ହୋଇଗଲେ ସେ ଛୁଆମାନଙ୍କ ଖାଦ୍ୟରେ ମାଂସର ମାତ୍ରା ବଢ଼ାଇଦିଏ ।

 

ଅଣ୍ଡିରା ବାଘ ଛୁଆକୁ ଦେଖିଲେ ଖାଇଯାଏ । ମନୁଷ୍ୟ ବା ଅଣ୍ଡିରା ବାଘଠାରୁ ଛୁଆମାନଙ୍କର ବିପଦ ଘଟିବାର ଜାଣିଲେ ମାଆ ସେମାନଙ୍କ ବେକପାଖ ଚମଡ଼ାକୁ କାମୁଡ଼ି ଗୋଟି ଗୋଟି କରି ନିରାପଦ ସ୍ଥାନକୁ ନେଇଯାଏ ।

 

ଛୁଆମାନେ ବଡ଼ ହୋଇ ଚାଲିବୁଲି ପାରିଲେ ମାଆ ସେମାନଙ୍କୁ ଶିକ୍ଷାଦିଏ–କିପରି ଶିକାରକୁ ଛକିରହିବ, କିପରି ଶିକାରକୁ ମାରିବ ଇତ୍ୟାଦି । ଏହି ଶିକ୍ଷା ଅନେକ ଦିନ ଯାଏ ଦେବାକୁ ପଡ଼ିଥାଏ । ପ୍ରଥମେ ସେ ଛୁଆମାନଙ୍କୁ ବୁଦା ଭିତରେ ରଖି ନିଜେ ଶିକାରକୁ ଧରି ମାରେ । ତତ୍ପରେ ସେ ଗଳାରେ ଏକପ୍ରକାର ଶବ୍ଦକରି ସେମାନଙ୍କୁ ଶିକାର ପାଖକୁ ଡାକେ ଓ ଶିକାର ଉପରେ ନାଚିକୁଦି କାମୁଡ଼ିବାକୁ ଛାଡ଼ିଦିଏ । ଏହିପରି ସେମାନେ ତଟକା ରକ୍ତର ସ୍ଵାଦ ଜାଣିପାରନ୍ତି । ଛୁଆମାନେ ଶିକାରକୁ କାମୁଡ଼ି ତଟକା ରକ୍ତ ପିଉଥିବାବେଳେ ଆନନ୍ଦରେ ଯେଉଁ ଶବ୍ଦ କରନ୍ତି, ତାହା ଶୁଣିବାକୁ ବଡ଼ ଚମତ୍କାର । ସେମାନଙ୍କର ସାହସ ବଢ଼ିଯାଏ । ସେମାନେ ରାଗରେ ଗର୍ଜନ କରି ଆପଣା ଆପଣା ଭିତରେ ଛଡ଼ାଛଡ଼ି ହୁଅନ୍ତି । ବେଳେବେଳ ସେମାନେ ମାଆଠାରୁ ମଧ୍ୟ ଆହାର ଛଡ଼ାଇ ନିଅନ୍ତି ।

 

ଏହା ହେଲା ଶିକ୍ଷାର ପ୍ରଥମ ଅଧ୍ୟାୟ । ଏହାପରେ ଦ୍ଵିତୀୟ ଅଧ୍ୟାୟ ଆରମ୍ଭ ହୁଏ । ମାଆ ଶିକାରକୁ ଦରମଲା କରି ବା ତାର ଅଣ୍ଟା ଓ ଗୋଡ଼ ଭାଙ୍ଗି ଛାଡ଼ିଦିଏ ଓ ତାକୁ ମାରିଖାଇବା ପାଇଁ ଛୁଆମାନଙ୍କୁ ଶିକ୍ଷାଦିଏ । ଛୁଆମାନେ ଶିକାରର ଗଳାକୁ କାମୁଡ଼ି ଶିଖନ୍ତି; ତାର ନାନା ସ୍ଥାନକୁ କାମୁଡ଼ି ତାକୁ ମାରିପକାଇ ଖାଆନ୍ତି ।

 

ଶିକାରକୁ ମାରିବା ବିଦ୍ୟା ଶିଖିବାପାଇଁ ଚିତାବାଘର ଛୁଆକୁ ଯେତେ ଦିନ ଲାଗେ, ମହାବଳ ବାଘର ଛୁଆକୁ ତହିଁରୁ ବେଶି ଦିନ ଲାଗେ । ଚିତାବାଘମାନେ ଶିକାରର ଗଳାକୁ କାମୁଡ଼ି ଧରି ତାକୁ ଶ୍ଵାସରୋଧ କରି ମାରନ୍ତି; କିନ୍ତୁ ମହାବଳ ବାଘମାନେ ଶିକାରର ବେକକୁ ମୋଡ଼ି ବେକହାଡ଼କୁ ଭାଙ୍ଗି ମାରନ୍ତି । ତେଣୁ ସେମାନଙ୍କ ଛୁଆମାନେ ବେଶି ଦିନରେ ଶିକାରକୁ ମାରି ଶିଖନ୍ତି । ଗୋରୁପଲ ଭିତରେ ପଶି ବାଘୁଣୀ ତାର ଛୁଆମାନଙ୍କୁ ଶିକାର ମାରିବା ଶିଖାଇଲାବେଳେ ଚାରିପାଞ୍ଚଟାଗୋରୁ ମାରିଥିବାର ଦେଖାଯାଏ । ଛୁଆମାନେ ମାଆର ବିନା ସାହାଯ୍ୟରେ ହୁଏତ କେତେଟାଙ୍କୁ ଖଣ୍ଡିଆ–ଖାବରା କରିଥାନ୍ତେ; ଅଥଚ ଗୋଟାଏ ସୁଦ୍ଧା ମାରିପାରିନଥାନ୍ତେ ।

 

ବାଘର ଶିକାର ମାରିବା ପଦ୍ଧତି ଖୁବ୍ ବିଜ୍ଞାନସମ୍ମତ । ସାଧାରଣତଃ ସେ ଶିକାରର ପିଠିଉପରକୁ ଡେଇଁପଡ଼ିଥାଏ । ତାହାପରେ ନଇଁପଡ଼ି କାନ୍ଧ ଦୁଇ ପାଖକୁ ଆଗ ଦୁଇପାଦରେ ଦୃଢ଼ ଭାବରେ ଧରି ଶିକାରର ଗଳାକୁ କାମୁଡ଼ିଧରେ । ତତ୍ପରେ ଖୁବ୍ ଜୋର୍‌ରେ ଶିକାରର ଆଗ ଅଂଶକୁ ଆଗକୁ ପଛକୁ ଟାଣେ । ଫଳରେ ଶିକାର ତଳେ ପଡ଼ିଯାଏ । ଶିକାର ତଥା ବାଘର ଓଜନ ଓ ବେକର ଟଣାଓଟରା ହେତୁ ଶିକାରର ବେକ ଭାଙ୍ଗିଯାଏ ।

 

ମାଈ ଚିତାବାଘ ବା ମାଈ ବାଘ ଛୁଆକୁ ଘେନି ଶିକାର ଖୋଜି ବାହାରିଲେ ଛୁଆମାନେ ସମ୍ପୂର୍ଣ୍ଣରୂପେ ମାଆର ଅନୁକରଣ କରନ୍ତି । ମାଆ ଯେପରି ଗଛ ଆଢ଼ୁଆଳରେ ଲୁଚିଯାଏ କିମ୍ବା ଲେପେଟେଇ ଭୂଇଁ ସହିତ ମିଶିଯାଏ, ଛୁଆ ଠିକ୍ ସେହିପରି କରେ । ଏପରି ସମୟରେ ମାଆ ପାଖରେ ରହିବା ମନୁଷ୍ୟ ପକ୍ଷରେ ବିପଜ୍ଜନକ । ଛୁଆକୁ ରକ୍ଷାକରିବା ପାଇଁ ମାଆ ମନୁଷ୍ୟକୁ ଆକ୍ରମଣ କରିବା ଖୁବ୍ ସମ୍ଭବପର । ତେବେ ମାଈ ଚିତାବାଘ ମନୁଷ୍ୟକୁ ଆକ୍ରମଣ କରିବା ସେତେ ସମ୍ଭବପର ନୁହେଁ । ତଥାପି ସେ ନିଶ୍ଚୟ ଭୀଷଣ ଗର୍ଜ୍ଜନ କରିବ; କିନ୍ତୁ ସେ ଆକ୍ରମଣ କରିବ କି ଗର୍ଜ୍ଜନ କରି ଭୟ ଦେଖାଇବ, ତାହା କେହି କହିପାରିବ ନାହିଁ । ତେଣୁ ଛୁଆ ସହିତ ବାଘୁଣୀକୁ ଦେଖିଲେ ରାଇଫଲକୁ ପ୍ରସ୍ତୁତ କରି ରହିଥିବା ଦରକାର ।

 

ତୁମେ ଯାହା କର ପଛକେ ନିତାନ୍ତ ଦରକାର ନ ପଡ଼ିଲେ ବା ଆତ୍ମରକ୍ଷା ପାଇଁ ଆବଶ୍ୟକ ନଥିଲେ, ମାଆକୁ କେବେହେଲେ ମାରିବ ନାହିଁ । କାରଣ ମାଆକୁ ମାରିଦେଲେ, ଛୁଆମାନେ ଜଙ୍ଗଲକୁ ପଳାଇଯିବେ ଓ ସେଠାରେ ଖାଇବାକୁ ନ ପାଇ ଶୁଖି ଶୁଖି ମରିବେ । ଯଦି ସେମାନେ ଟିକିଏ ବଡ଼ ହୋଇଥିବେ ତେବେ ଆପଣା ଜୀବନ ରକ୍ଷାକରିପାରିବେ; କିନ୍ତୁ ସେମାନେ ମଣିଷଖିଆ ବାଘରେ ପରିଣତ ହୋଇଯିବେ । ମନେ ରଖିବାକୁ ହେବ ଯେ ସେମାନେ ନିଜର ସ୍ଵାଭାବିକ ଖାଦ୍ୟ ଅର୍ଥାତ୍ ବଣର ଅନ୍ୟ ଜନ୍ତୁ ମାରି ଶିଖି ନ ଥାନ୍ତି । ମାଆକୁ ମାରିଦେବା ଦ୍ଵାରା ତୁମେ ଛୁଆର ଶିକ୍ଷାକୁ ଅଧାରୁ ବନ୍ଦ କରିଦେଲ । ତେଣୁ ସେ ନିଜର ଉଦର ପୂରଣପାଇଁ ଅବସ୍ଥାଚକ୍ରରେ ପଡ଼ି ମଣିଷ ମାରି ଖାଇବ । ବଣର ବଡ଼ ବଡ଼ ଜନ୍ତୁଙ୍କ ଅପେକ୍ଷା ମନୁଷ୍ୟକୁ ଛକି ମାରିବା ଖୁବ୍ ସହଜ; ଏକଥା ଭୁଲିଗଲେ ଚଳିବ ନାହିଁ ।

 

ବାଘ ବା ଚିତାବାଘ ପଛରେ ଛପି ଛପି ଯିବାର ଇଚ୍ଛାଥିଲେ ସେଥିପାଇଁ ଶୀତଦିନ ଅର୍ଥାତ୍ ନଭେମ୍ବରଠାରୁ ଜାନୁୟାରୀ ମାସ ହେଉଛି ପ୍ରକୃଷ୍ଟ ସମୟ; କାରଣ ଏହି ସମୟରେ ମହାବଳ ବାଘ ତଥା ଚିତାବାଘ ଉଭୟଶ୍ରେଣୀ ବାଘଙ୍କର ସଙ୍ଗମ ଘଟିଥାଏ ।

 

ତୁମର ଅବଶ୍ୟ ସ୍ମରଣ ଥିବ ଯେ ଏମାନେ ହେଉଛନ୍ତି ରାତ୍ରିଚର । ସନ୍ଧ୍ୟା ସମୟରେ ଏମାନଙ୍କୁ ଦେଖିବା ବା ଏମାନଙ୍କ ଗର୍ଜନ ଶୁଣିବାର ସମ୍ଭାବନା ଅଳ୍ପ । କୌଣସି ବାଘୁଣୀ ତାର ସଙ୍ଗୀକୁ ଯେଉଁ ଶବ୍ଦଦ୍ଵାରା ମିଳନର ଆହ୍ଵାନ ଜଣାଏ, ତାହା ଶୁଣିଲେ ତୁମ ଶରୀରରେ ରୋମାଞ୍ଚ ଜାତ ହେବ; ସେହି ଶବ୍ଦରୁ ବାଘୁଣୀର ଅଧୀରତା ଲକ୍ଷ୍ୟ କରିପାରିବ । ମୁଁ ସତର୍କ କରିଦେବାକୁ ଚାହେଁ ଯେ ଏହି ସମୟରେ ବାଘ ସବୁଠାରୁ ହିଂସ୍ର ହୋଇଯାଏ, ବିଶେଷତଃ ବାଘ ଯେତେବେଳେ ବାଘୁଣୀ ସହିତ ପ୍ରେମ–ସମ୍ଭାଷଣ କରୁଥାଏ ବା ରତିକ୍ରିୟାରେ ରତ ଥାଏ, ସେତେବେଳେ ତାର ହିଂସ୍ରତା ଭୀଷଣ ହୋଇଥାଏ । ବାଘ ବାଘୁଣୀଙ୍କର ଯୌନ–କ୍ରିୟା ନିତାନ୍ତ ରୁକ୍ଷ ଧରଣର । ରତିକ୍ରିୟା ସମୟରେ ଉଭୟେ ପରସ୍ପରକୁ ଯଥେଚ୍ଛା ରାମ୍ପି କାମୁଡ଼ି ବିଦାରିପକାଇଥାନ୍ତି ।

 

ଗୃହପାଳିତ ବିରାଡ଼ିର ରତିକ୍ରିୟା ଲକ୍ଷ୍ୟ କରିଥିଲେ ସେମାନଙ୍କର ବିଚିତ୍ର ବ୍ୟବହାର ଦେଖିଥିବ । ସେହି ନିଷ୍ଠୁର ଆଚରଣକୁ ଶତ ଶତ, ସହସ୍ର ସହସ୍ର ଗୁଣ କଲେ ବାଘମାନଙ୍କ ରତିକାଳୀନ ନିର୍ଦ୍ଦୟ ଆଚରଣର କିଛି ଧାରଣା କରି ହେବ । ପ୍ରେମ କଲାବେଳେ ସେମାନେ ଉନ୍ମତ୍ତ ଓ କ୍ରୋଧାନ୍ଧ ହୋଇପଡ଼ନ୍ତି । ସେହି ଅବସ୍ଥାରେ ଯଦି କେହି ସେମାନଙ୍କ ଗୋପନୀୟ ଘରୋଇ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଯାଏ, ତେବେ ତାର ଭାଗ୍ୟ ଖରାପ ବୋଲି ଜାଣିବାକୁ ହେବ । କଥିତ ଅଛି, ବାଘ ଅପେକ୍ଷା ବାଘୁଣୀର କାମ ଉତ୍ତେଜନା ଅଧିକ ଓ ସେହି ହେତୁରୁ ବାଘୁଣୀ ଅଧିକ ବିପଜ୍ଜନକ । ଋତୁକାଳୀନ ବାଘୁଣୀ ବାଘକୁ ଖୋଜି ଡାକୁଥିବାବେଳେ ଏପରି ଅବସ୍ଥା ସୃଷ୍ଟି ହୁଏ ଯେ ଜଙ୍ଗଲରେ କାମ ବନ୍ଦ ହୋଇଯାଏ; ଜଙ୍ଗଲ ଭିତରେ ଗାଡ଼ି ଶଗଡ଼ ଯାଇପାରେ ନାହିଁ ।

 

ଏ ବିଷୟରେ ଚିତାବାଘମାନେ ବାଘର ସମକକ୍ଷ; ଏତିକି ମାତ୍ର ପ୍ରଭେଦ ଯେ ସେମାନେ ଏ ସମୟରେ ମନୁଷ୍ୟକୁ ଆକ୍ରମଣ କରିବାକୁ ସାହସ କରିପାରନ୍ତି ନାହିଁ, କେବଳ ନାନା ପ୍ରକାରେ ସେମାନଙ୍କର କ୍ରୋଧ ଓ ବିରକ୍ତି ପ୍ରଦର୍ଶନ କରିଥାନ୍ତି ।

 

ବାଘ ଅପେକ୍ଷା ଚିତାବାଘର ବିରାଡ଼ି ସହିତ ଅଧିକ ସାମଞ୍ଜସ୍ୟ ଅଛି । ଶିକାର ଯାଇଥିବା ବାଟର ଧାରରେ ମାଟି ବା ଶୁଖିଲା ପତ୍ର ରାମ୍ପୁଡ଼ି ହୋଇ ପଡ଼ିଥିଲେ ବୁଝିବାକୁ ହେବ, ଚିତାବାଘ ସେଠାରେ ମଳତ୍ୟାଗ କରି ଘୋଡ଼ାଇ ଦେଇଛି । ବିରାଡ଼ିମାନେ ଅବିକଳ ତାହାହିଁ କରିଥାନ୍ତି; କିନ୍ତୁ ବାଘ ବୃଥା କଷ୍ଟ ସ୍ଵୀକାର କରି ନିଜର ମଳକୁ ଘୋଡ଼ାଏ ନାହିଁ । କୁକୁର ଭଳି ସେ ମଳତ୍ୟାଗ କରି ଚାଲିଯାଏ । ଉଭୟଙ୍କ ମଳରେ ଜୀର୍ଣ୍ଣ ହୋଇନଥିବା ରୋମ ସାଧାରଣତଃ ଦେଖାଯାଏ ।

 

ହେଟା ବାଘ ମଲା ଜୀବର ମାଂସ ଖାଏ । ଖାଇଲାବେଳେ ସେ ମାଂସ ସହିତ ହାଡ଼କୁ ମଧ୍ୟ ଗିଳିଦିଏ । ଏହି ହେତୁରୁ ହେଟାବାଘର ମଳ ସହଜେ ଚିହ୍ନିହୁଏ । ସେଥିରେ ନିଶ୍ଚୟ ହାଡ଼ ଥିବ-। ହେଟାବାଘ ଯାଇଥିବା ବାଟକୁ ମଧ୍ୟ ସହଜେ ଜାଣିହେବ । ତାର ସବୁ ପାଦର ଆକାର ସମାନ ନୁହେ । ଆଗ ପାଦ ଦୁଇଟି ପଛ ପାଦଠାରୁ ବଡ଼ । ତେଣୁ ପାଦଚିହ୍ନରୁ ତାର ଗତିପଥ ଜାଣିହେବ ।

 

ବାଘଭଳି ଚିତାବାଘ ମଧ୍ୟ ଚାଲିଲାବେଳେ ତାର ନଖକୁ ଭିତରକୁ ଟାଣିନିଏ । ଚିତାବାଘର ପାଦଚିହ୍ନ ଯେତିକି, ବାଘର ପାଦଚିହ୍ନ ମଧ୍ୟ ସେତିକି । ନଖର ଚିହ୍ନ ଆଦୌ ରହିନଥାଏ-। ତେଣୁ ପାଦରେ ଥିବା ମାଂସପିଣ୍ଡୁଳାକୁ ଲକ୍ଷ୍ୟ କରିବାକୁ ହେବ । ଚିତାବାଘର ପାଦର ମାଂସପିଣ୍ଡୁଳା ହେଟା ବାଘର ପାଦର ପିଣ୍ଡୁଳାଠାରୁ ଆକାରରେ ବଡ଼ । ପୁଣି ହେଟାବାଘ ଚାଲିଲାବେଳେ ତାର ନଖକୁ ସଂକୁଚିତ କରିପାରେନାହିଁ । ମାଂସ ପିଣ୍ଡୁଳାର ଚିହ୍ନ ଛୋଟ ହୋଇଥିଲେ ଓ ନଖର ଚିହ୍ନ ଥିଲେ, ତାହା ହେଟାବାଘର ପାଦଚିହ୍ନ ବୋଲି ଜାଣିବ ।

 

ଆଗେ ଶିକାରୀମାନଙ୍କ ମଧ୍ୟରୁ କେତେକ କହୁଥିଲେ ଯେ ଚିତାବାଘ ଓ କଲରାପତରିଆ ବାଘ (Liopard) ଦୁଇଟି ଭିନ୍ନ ଜାତୀୟ ଜୀବ । ଅନ୍ୟ କେତେକ କହୁଥିଲେ ଯେ ଦୁହେଁ ଯାକ ଏକ ଜାତିର; କିନ୍ତୁ ଆଧୁନିକ ଯୁଗରେ ଏହି ବିବାଦର ସମାଧାନ ହୋଇଯାଇଅଛି-। ବର୍ତ୍ତମାନ ସମସ୍ତେ ଏକମତ ଯେ ଦୁହେଁଯାକ ଏକ ଓ ଅଭିନ୍ନ ଜାତିର ଜୀବ; କେବଳ ପରିପାର୍ଶ୍ଵିକ ଅବସ୍ଥା ଓ ଖାଦ୍ୟର ପାର୍ଥକ୍ୟ ହେତୁ ଗୋଟିଏ ଜାତି ଅନ୍ୟ ଜାତିଠାରୁ ବଡ଼ ହୋଇଯାଇଅଛି । ଚିତାବାଘର ଗୋଟିଏ ଶ୍ରେଣୀ ଜଙ୍ଗଲରେ ରହୁଥିବାରୁ ହରିଣ ଶମ୍ବର ପ୍ରଭୃତି ଶିକାର କରି ସେମାନଙ୍କ ମାଂସ ଖାଉଥିବାରୁ ତାର ଆକାର ବଡ଼ ଓ ତା’ ଦେହରେ ଗାଢ଼ ରଙ୍ଗର ଲୋମ ହୋଇଅଛି; କିନ୍ତୁ ଅନ୍ୟ ଶ୍ରେଣୀ ଗ୍ରାମ ନିକଟରେ ରହୁଥିବାରୁ ଛେଳି ମେଣ୍ଢା କୁକୁର ପ୍ରଭୃତି ଖାଇ ସେତେ ବଡ଼ ହୋଇପାରିନାହିଁ; ପୁଣି ତାକୁ ପାହାଡ଼ ବା ମୁଣ୍ଡିଆ ଭିତରେ ବାସକରିବାକୁ ହେଉଥିବାରୁ ତାର ଦେହର ବର୍ଣ୍ଣ ଅଧିକ ଧୂସର ଓ ତାର ଲୋମ ଛୋଟ ହୋଇଯାଇଅଛି; କିନ୍ତୁ ବାସ୍ତବରେ ଦୁହେଁ ଯାକ ଏକ ଶ୍ରେଣୀର ଅନ୍ତର୍ଗତ ।

 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଚିତାବାଘର ଗାଢ଼ ରଙ୍ଗ ଜଙ୍ଗଲର ଗଛପତ୍ର ଭଳି ହୋଇଥିବାରୁ ସେ ସହଜରେ ଜଙ୍ଗଲରେ ଲୁଚିପାରେ । ସେହିପରି କଲରାପତରିଆ ବାଘ (ଗାଆଁ ପାଖରେ ରହୁଥିବା ଚିତାବାଘ)ର ରଙ୍ଗ ଫିକା ହୋଇଥିବାରୁ ସେ ସହଜରେ ଟାଙ୍ଗର ଜାଗାରେ ଲୁଚି ରହିପାରେ ।

 

କ୍ଵଚିତ୍ ଏହି ନିୟମର ମଧ୍ୟ ବ୍ୟତିକ୍ରମ ଘଟିଥାଏ । ପ୍ରକୃତିରାଜ୍ୟରେ ପ୍ରାକୃତିକ ନିୟମର ବ୍ୟତିକ୍ରମ କାହିଁକି ହୁଏ ତାହାର କାରଣ ସ୍ଥିର କରାଯାଇ ନ ପାରେ । ମୁଁ ନିଜେ ଜଙ୍ଗଲଠାରୁ ବହୁଦୂରରେ ଗ୍ରାମ ପାଖରୁ କେତୋଟି ବଡ଼ ଚିତାବାଘ ଶିକାର କରିଛି । ସେମାନଙ୍କର ଦେହରେ ଗାଢ଼ ରଙ୍ଗର ଲୋମ ଥିଲା । ସେହିପରି କେତେକ ଛୋଟ ଚିତାବାଘ (ବା କଲରାପତିରିଆ ବାଘ) ଘୋର ଜଙ୍ଗଲରୁ ଶିକାର କରିଛି; ସେମାନଙ୍କର ରଙ୍ଗ ଫିକା ଓ ଲୋମ ଛୋଟ ଥିଲା । ଏ ପ୍ରକାର ଘଟନାକୁ ପ୍ରାକୃତିକ ନିୟମର ବ୍ୟତିକ୍ରମ ବୋଲି କହିବାକୁ ହେବ ।

 

ବାଘଜାତି ସମ୍ବନ୍ଧରେ ଠିକ୍ ସେହି କଥା କୁହାଯାଇପାରେ । ଯେଉଁମାନେ ଗୋରୁଗାଈ ଖାଇବାରେ ଅଭ୍ୟସ୍ତ, ସେମାନେ ମେଦବହୁଳ ଓ ମୋଟା ହୋଇଯାନ୍ତି; ଯେଉଁମାନେ ହରିଣ ଶମ୍ବର ପ୍ରଭୃତି ଶିକାର କରି ବଞ୍ଚନ୍ତି, ସେମାନେ ଚିକ୍‌କଣ ଦେଖାଯାନ୍ତି ଓ ସେମାନଙ୍କର ଦେହ ପେଶୀବହୁଳ ହୋଇଥାଏ; ସେଥିରେ ଚର୍ବି ବା ମେଦ ପ୍ରାୟ ନଥାଏ । ଏପରି ହେବାର କାରଣ ହେଉଛି ବଣର ଜୀବଜନ୍ତୁଙ୍କୁ ଶିକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ଯେଉଁମାନେ ଗାଈଗୋରୁ ମାରି ଖାଆନ୍ତି ସେମାନଙ୍କୁ କିଛି କଠିନ ପରିଶ୍ରମ କରିବାକୁ ପଡ଼େନାହିଁ । ତେଣୁ ସେମାନେ ମୋଟା ଓ ମେଦବହୁଳ ହୋଇଯାନ୍ତି । ମନୁଷ୍ୟଜାତିରେ ମଧ୍ୟ ଦେଖାଯାଏ, ଯେଉଁମାନେ ପରିଶ୍ରମ ନକରି ଯଥେଷ୍ଟ ଖାଇ ଆରାମ କରୁଥାନ୍ତି, ସେମାନେ ମୋଟା ହୋଇଯାନ୍ତି ଓ ସେମାନଙ୍କ ଦେହ ଚର୍ବିବହୁଳ; କିନ୍ତୁ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ସେମାନଙ୍କର ଶରୀର ମେଦଶୂନ୍ୟ ଓ ବଳିଷ୍ଠ ।

 

ବାଘ ଓ ଚିତାବାଘ ଏହି ଉଭୟ ଶ୍ରେଣୀରେ କେତେକ ମଣିଷଖିଆ ଦେଖାଯାନ୍ତି । ସେମାନେ ପ୍ରାକୃତିକ ନିୟମର ବ୍ୟତିକ୍ରମ ଓ ଅସ୍ଵାଭାବିକ ପରିସ୍ଥିତିର ଫଳ । ବାଘ ବା ଚିତାବାଘ କାହିଁକି ମଣିଷଖିଆ ହୁଏ, ସେଥିର କେତେକ କାରଣ ପୂର୍ବରୁ କୁହାଯାଇଅଛି ।

 

ଚିତାବାଘ ସହଜରେ ଗଛରେ ଚଢ଼ିପାରେ । ସମୟେ ସମୟେ ଚିତାବାଘମାନେ ଗଛରେ ଚଢ଼ି ମାଙ୍କଡ଼ଙ୍କୁ ଗୋଡ଼ାଇଥାନ୍ତି; କେବେ କେବେ ବଣୁଆ କୁକୁରମାନଙ୍କଠାରୁ ରକ୍ଷା ପାଇବାପାଇଁ ମଧ୍ୟ ସେମାନେ ଗଛରେ ଚଢ଼ି ଯାଇଥାନ୍ତି । ବାଘମାନେ ଗଛରେ ଚଢ଼ନ୍ତି ନାହିଁ; କିନ୍ତୁ ମହୀଶୂରର ଚିଡ଼ିଆଖାନାରେ ମୁଁ ଗୋଟିଏ ବାଘ ଦେଖିଥିଲି । ସେ ଚିଡ଼ିଆଖାନା ଭିତରେ ଥିବା ଗୋଟିଏ ଗଛ ଉପରକୁ ଚଢ଼ିବାରେ ଅଭ୍ୟସ୍ତ ଥିଲା । ତାହା ପାଇଁ ଗଛ ଉପରେ ଗୋଟିଏ ଭାଡ଼ି (Platform) ତିଆରି କରାଯାଇଥିଲା ଓ ସେ ତାହାରି ଉପରେ ଶୋଉଥିଲା । ଏହି ଘଟନାରୁ ପ୍ରମାଣିତ ହୁଏ ଯେ ମନୁଷ୍ୟମାନେ ଯେପରି ବ୍ୟକ୍ତିଗତ ଭାବରେ ପରସ୍ପରଠାରୁ ପୃଥକ୍ ହୋଇଥାନ୍ତି, ବାଘମାନେ ମଧ୍ୟ ସେହିପରି ଗୋଟିକଠାରୁ ଅନ୍ୟଟି ପୃଥକ୍ ।

 

ବାଘ ଓ ଚିତାବାଘ ଉଭୟେ ଏକ ବିଚିତ୍ର ଉପାୟରେ ମାଙ୍କଡ଼ ଶିକାର କରନ୍ତି । ଜଙ୍ଗଲର ମାଙ୍କଡ଼ମାନେ ସ୍ଵଭାବତଃ ଖୁବ୍ ସତର୍କ । ସେମାନେ ହିଂସ୍ରଜନ୍ତୁମାନଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଥାନ୍ତି । କାରଣ ଏମାନେ ହେଉଛନ୍ତି ମାଙ୍କଡ଼ର ଆଜନ୍ମ ଶତ୍ରୁ । କୌଣସି ହିଂସ୍ରଜନ୍ତୁ ଦେଖିଲେ ବା ତାର ଶବ୍ଦ ଶୁଣିଲେ ମାଙ୍କଡ଼ ଗଛର ଉଚ୍ଚତମ ଡାଳକୁ ଚଢ଼ିଯାଏ । ସେଠାରେ ସେ ଶତ୍ରୁଠାରୁ ନିରାପଦ; କିନ୍ତୁ ବାଘ ବା ଚିତାବାଘ ମାଙ୍କଡ଼ର ଏହି ସୁବିଧା ଜାଣି ମାଙ୍କଡ଼ ଚଢ଼ିଥିବା ଗଛର ଗଣ୍ଡି ପାଖରେ ଲାଗିଯାଇ ଭୀଷଣ ଗଁ ଗଁ ଶବ୍ଦ କରି ଗର୍ଜ୍ଜିବାକୁ ଲାଗେ । ଏହି ଭୀଷଣ ଗର୍ଜନ ଶୁଣି ମାଙ୍କଡ଼ର ଭୟ ହୋଇଯାଏ । ସେ ଉଚ୍ଚ ଡାଳରେ ବସି ନରହି ପାଖଗଛକୁ ଡେଇଁବାକୁ ଚେଷ୍ଟାକରେ କିମ୍ବା ଅନ୍ୟଗଛ ଦୂରରେ ଥିଲେ ତଳକୁ ଡେଇଁ ପଳାଇବାକୁ ବସେ । ଭୟ ହେତୁରୁ ସେ ଅତି ଉଚ୍ଚ ଡାଳରୁ ତଳକୁ ବା ପାଖରେ ଅନ୍ୟ ଗଛ ଥିଲେ ସେଠାକୁ ଡେଇଁପଡ଼େ; ଫଳରେ ସେ ଅନ୍ୟ ଗଛକୁ ଯିବାପୂର୍ବରୁ ତଳେ ପଡ଼ି ଜଖମ ହୁଏ କିମ୍ବା ଅଚେତା ହୋଇପଡ଼େ । ତେଣିକି ସେ ଅତି ସହଜରେ ବାଘ ବା ଚିତାବାଘର ଆହାର ହୁଏ ।

 

ଭାରତର ଜଙ୍ଗଲମାନଙ୍କରେ ଯେତେ ପ୍ରକାରର ହିଂସ୍ର ଜନ୍ତୁ ଦେଖାଯାନ୍ତି, ସେମାନଙ୍କ ଭିତରେ ସର୍ବାପେକ୍ଷା ବୁଦ୍ଧିମାନ୍ ହେଉଛନ୍ତି ଜଙ୍ଗଲି କୁକୁର । ଅନ୍ତତଃ ବୁଦ୍ଧିମାନ୍ ହିଂସ୍ର ଜନ୍ତୁମାନଙ୍କ ମଧ୍ୟରେ ସେ ଗୋଟିଏ ଉଚ୍ଚ ସ୍ଥାନ ପାଇବାର ଯୋଗ୍ୟ । ପୂର୍ବକାଳର ଶିକାରୀମାନେ ଏ ବିଷୟରେ ଭିନ୍ନ ଭିନ୍ନ ମତ ପୋଷଣ କରୁଥିଲେ । କେହି ହାତୀକୁ, କେହି ବାଘକୁ, କେହି ଚିତାବାଘକୁ ସର୍ବାପେକ୍ଷା ବୁଦ୍ଧିମାନ୍ ପ୍ରାଣୀ ବୋଲି କହିଯାଇଅଛନ୍ତି; କିନ୍ତୁ ତୁମେ ଯଦି ଜଙ୍ଗଲି କୁକୁରମାନଙ୍କର ପ୍ରକୃତିକୁ ଭଲଭାବରେ ଲକ୍ଷ୍ୟକରିବ, ତେବେ ସେହି ପ୍ରାଚୀନ ମତର ବିରୋଧ କରିବାକୁ ବାଧ୍ୟ ହେବ । ହରିଣ ଶିକାର କରିବାକୁ ହେଲେ ଦଳେ କୁକୁର ଦୁଇ ପାଖରୁ ଆଗକୁ ଦଉଡ଼ିଯାଇ ହରିଣକୁ ମାରିବା ପାଇଁ ଲୁଚି ରହନ୍ତି । ଯେଉଁ ଦଳରେ ୩୦/୪୦ କୁକୁର ଥାଆନ୍ତି, ସେ ଦଳ କାହାରିକୁ ଭୟ କରନ୍ତି ନାହିଁ; ଗୋଟାଏ ବାଘ ବା ଚିତାବାଘକୁ ସୁଦ୍ଧା ମାରି ଟିକିଟିକି କରିଦିଅନ୍ତି । ଏପରି ସ୍ଥଳରେ ଦଳର କେତେକ କୁକୁର ମଧ୍ୟ ମୃତାହତ ହୋଇଥାନ୍ତି ।

 

ପୂର୍ବତନ ମାନ୍ଦ୍ରାଜ ପ୍ରଦେଶର ଚିତୁର ଜିଲାର ଜଙ୍ଗଲମାନଙ୍କରେ ଏହି କୁକୁରମାନଙ୍କର ପ୍ରାଧାନ୍ୟ ରହିଥିଲା । ଅନ୍ତତଃ ତିନୋଟି ଘଟନାରେ କୁକୁରମାନେ ବାଘ ସହିତ ଲଢ଼ି ତାକୁ ମାରିଥିବାର ମୁଁ ଜାଣେ; କିନ୍ତୁ ପ୍ରତ୍ୟେକ ଘଟନାରେ ବାଘ ମରିବା ପୂର୍ବରୁ ଛଅ ସାତଟା କୁକୁରଙ୍କୁ ମାରିଥିଲା ଓ ଆହୁରି ଅନେକଙ୍କୁ ଜଖମ କରିଥିଲା । କୌଣସି ଚିତାବାଘ କୁକୁରମାନଙ୍କଦ୍ଵାରା ମରାଯାଇଥିବାର ମୁଁ କେବେ ଜାଣିନାହିଁ । ସେମାନେ ଗଛଉପରେ ଚଢ଼ି ପାରୁଥିବାରୁ କୁକୁରଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିପାରନ୍ତି ।

 

ବାଘ ପାଣିକୁ ଭୟ କରେନାହିଁ ଓ ସହଜରେ ପାଣିରେ ପହଁରି ନଦୀ ଅତିକ୍ରମ କରିପାରେ । ଗ୍ରୀଷ୍ମଋତୁରେ ଦିନ ଦୁଇପହରବେଳେ ବାଘ ନଈକୂଳେ ଥିବା ଗଛମୂଳରେ ବା ପୋଖରୀକୂଳର ଗଛମୂଳରେ ବିଶ୍ରାମ ନେବାକୁ ଭଲପାଏ । ବେଳେବେଳେ ସେ ପାଣିରେ ପଶିରହେ । ବର୍ଷାଦିନେ ସେ ସ୍ଵଚ୍ଛନ୍ଦରେ ଶିକାର କରେ । ରାତିରେ ଭଲ ଅସରାଏ ବର୍ଷା ହୋଇଥିଲେ ସକାଳକୁ ତାର ପାଦଚିହ୍ନ ସଫା ଦେଖିବାକୁ ମିଳିବ । କିନ୍ତୁ ଚିତାବାଘମାନେ ବର୍ଷାଦିନେ ଶିକାର କରିବାକୁ ସେତେ ଭଲପାଆନ୍ତି ନାହିଁ । ବିରାଡ଼ି ସହିତ ସବୁ ଦିଗରେ ତାର ସାଦୃଶ୍ୟ ଅଛି । ବିରାଡ଼ିଭଳି ସେ ପାଣିକୁ ଘୃଣାକରେ । ବର୍ଷାରେ ସେ ପଦାକୁ ବାହାରେ ନାହିଁ; ପାଣିରେ ପହଁରିବାକୁ ମଧ୍ୟ ସେ ଭଲପାଏ ନାହିଁ; କିନ୍ତୁ ଗୋଟାଏ କୁକୁରପଲଠାରୁ ପଳାଇବା ପାଇଁ ବା ଆତ୍ମରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ସେ ପହଁରିପାରେ ।

 

ଆଦିମ ଅବସ୍ଥାରେ ବାଘ ମଙ୍ଗୋଲିଆର ଶୀତପ୍ରଧାନ ଅଞ୍ଚଳରୁ ଭାରତକୁ ଆସିଥିଲା । ସେହି ହେତୁରୁ ନିଜକୁ ଗ୍ରୀଷ୍ମରୁ ରକ୍ଷା କରିବାପାଇଁ ଶୀତଳ ସ୍ଥାନକୁ ଆଶ୍ରୟକରେ; କିନ୍ତୁ (Panther) ଚିତାବାଘ ହେଉଛି ଭାରତର ତଥା ଗ୍ରୀଷ୍ମମଣ୍ଡଳର ଆଦିମ ଅଧିବାସୀ ମଧ୍ୟରୁ ଅନ୍ୟତମ ।

 

କ୍ଵଚିତ୍ ବାଘ ଶମ୍ବରର ରାବକୁ ଅନୁକରଣ କରି ରାବିଥାଏ; ଏହାଦ୍ଵାରା ସେ ଶମ୍ବରମାନଙ୍କୁ ଭୁଲାଇ ନିଜ ପାଖକୁ ଆକର୍ଷଣ କରିଥାଏ । ଯେଉଁ ଜଙ୍ଗଲରେ ବହୁସଂଖ୍ୟକ ହରିଣ ଥାଆନ୍ତି, ସେଠାରେ ବାଘ ଏପରି ଶବ୍ଦର ଅନୁକରଣ କରିବା ପ୍ରାୟ ଦେଖାଯାଏ ନାହିଁ; କିନ୍ତୁ ଚିତାବାଘ କେବେହେଲେ ହରିଣ ବା ଶମ୍ବରର ରାବକୁ ଅନୁକରଣ କରେନାହିଁ । ସେ ନିଃଶବ୍ଦରେ ଶିକାରର ଅନୁସରଣ କରିବା, ଲେପ୍‌ଟେଇ ପଡ଼ି ଭୂମିଉପରେ ଶୋଇପଡ଼ିବା, ସଂକୀର୍ଣ୍ଣ ସ୍ଥାନରେ ଲୁଚିଯିବା ଓ କ୍ଷିପ୍ରବେଗରେ ଶିକାର ଉପରେ ଝାମ୍ପି ପଡ଼ିବା ପ୍ରଭୃତି ଗୁଣ ଉପରେ ନିର୍ଭରକରେ ।

 

ପୂର୍ବକାଳର ଶିକାରୀମାନଙ୍କ ମତରେ ବାଘ ହେଉଛି ‘ଭଦ୍ର’; କିନ୍ତୁ ଚିତାବାଘ ହେଉଛି ‘ଇତର’ ବା ଅଭଦ୍ର । ମୋର ମନେହୁଏ, ପୂର୍ବକାଳର ସାହସୀ ଶିକାରୀମାନେ ପୁରୁଣାକାଳିଆ ବନ୍ଧୁକ ଧରି ଆଘାତପ୍ରାପ୍ତ ବାଘ ବା ଚିତାବାଘ ପଛରେ ଗୋଡ଼ାଇ ଯେଉଁ ଅଭିଜ୍ଞତା ଅର୍ଜିଥିଲେ, ସେଥିରୁ ଏଭଳି ମତର ସୃଷ୍ଟି । ବାସ୍ତବରେ ମୁଁ ସେହି ଶିକାରୀମାନଙ୍କ ନିକଟରେ ନତମସ୍ତକ । ସେକାଳର ରୀତିରେ ପୋଷାକ ପିନ୍ଧି, ପାଦରେ ଓଜନଦାର୍ ବୁଟ୍ ଦେଇ, ମୁଣ୍ଡରେ ସେକାଳର ଟୋପି ପିନ୍ଧି ପୁରୁଣାକାଳିଆ ବନ୍ଧୁକ ଧରି ଆହତ ବାଘ ବା ଚିତାବାଘ ପଛରେ ଗୋଡ଼ାଇବା ସେମାନଙ୍କ ଅତୁଳନୀୟ ସାହସର ପରିଚୟ ଦିଏ । ଆଜିକାଲି ଯେଉଁ ଶିକାରୀମାନେ ମୋଟର ଗାଡ଼ି ଭିତରେ ବସି, ଫ୍ଲାସଲାଇଟରେ ଶିକାରର ଆଖି ଝଲସାଇ ଦେଇ ତାକୁ ଆତ୍ମରକ୍ଷାର ଲବମାତ୍ର ସୁଯୋଗ ନଦେଇ ଗୁଳିକରନ୍ତି, ସେମାନଙ୍କଠାରୁ ସେହି ପୁରାକାଳର ଶିକାରୀମାନେ କେଡ଼େ ଭିନ୍ନ ଥିଲେ ।

 

କୌଣସି ଜଖମ ହୋଇଥିବା ବାଘ ପଛରେ ଯାଇ ଶିକାରୀ ତାର ନିକଟବର୍ତ୍ତୀ ହେଉଥିବାର ଜାଣିଲେ ବାଘଟା ଗର୍ଜନକରେ; ତେଣୁ ତାର ଅବସ୍ଥିତି ଜଣାପଡ଼ିଯାଏ; କିନ୍ତୁ ଜଖମ ହୋଇଥିବା ଚିତାବାଘ ପଛରୁ ଶିକାରୀ ଆସୁଥିବାର ଜାଣିଲାମାତ୍ରେ ଚୁପ୍‌କରି ଲୁଚିଯାଏ ଓ ଶିକାରୀ ତାକୁ ଅତିକ୍ରମ କରିଗଲେ ତାକୁ ପଛପଟୁ ଆକ୍ରମଣ କରେ । ଏହି ଦୃଷ୍ଟିରୁ ଚିତାବାଘକୁ ‘ଇତର’ ବା ଅଭଦ୍ର କହିବାର କିଛି ଯଥାର୍ଥତା ଅଛି । ପ୍ରକୃତପକ୍ଷରେ ବାଘ ସାଧାରଣତଃ ବେଶି ସାହସୀ ଓ ଅଧିକ ଭୀଷଣ । ସେ ତାର ଶିକାରକୁ ମାରିବାବେଳେ କାମଟିକୁ ପୂର୍ଣ୍ଣମାତ୍ରାରେ ସମ୍ପନ୍ନ କରିଦିଏ । କିନ୍ତୁ ଚିତାବାଘ ଯଦି ମଣିଷଖିଆ ହୋଇ ନଥାଏ, ତେବେ ସେ ତା ପଛରୁ ଆସୁଥିବା ଲୋକକୁ ଖଣ୍ଡିଆଖାବରା କରି ପଳାଇଯିବ, ତାକୁ ଏକବାରେ ମାରି ପକାଇବ ନାହିଁ ।

 

ଶିକାରର ମଡ଼ା ପଚିସଢ଼ି ଯାଇଥିଲେ ସୁଦ୍ଧା ଚିତାବାଘ ତାର ହାଡ଼କୁ ଚୋବାଉଥିବ । କିନ୍ତୁ ବାଘ ଦୁଇଦିନ ପରେ ତା ଶିକାରର ମଡ଼ା ପାଖକୁ ଆଉ ଆସେନାହିଁ । କଥା ହେଉଛି, ବାଘ ବେଶି ପରିମାଣରେ ଖାଏ । ଶିକାର ଦେହରେ ଯାହା କିଛି ଖାଇବାଯୋଗ୍ୟ ମାଂସ ପ୍ରଭୃତି ଥାଏ, ତାହାକୁ ସେ ଦୁଇତିନି ଥରରେ ଶେଷ କରିଦିଏ । ଆହୁରି ମଧ୍ୟ ବାଘ ଖାଇବା ବିଷୟରେ ପରିଷ୍କାର ପରିଚ୍ଛନ୍ନ । ବାଘର ତଥା ଚିତାବାଘର ପଞ୍ଝାରେ ପଚାମାଂସ ଲାଖିଯାଏ । ଏଥିରେ ବିପଜ୍ଜନକ ଜୀବାଣୁ ଜାତ ହୁଅନ୍ତି । ବାଘ ବା ଚିତାବାଘର ରାମ୍ପୁଡ଼ାକାମୁଡ଼ାରେ ଅନେକ କ୍ଷେତ୍ରରେ ରକ୍ତ ବିସିର୍ପିଯାଏ । କିନ୍ତୁ କାମୁଡ଼ା ଏହି ବିସିର୍ପିଯିବାର କାରଣ ନୁହେ; ରାମ୍ପୁଡ଼ିବାବେଳେ ପଞ୍ଝାରେ ଲାଖିରହିଥିବା ପଚାମାଂସର ଜୀବାଣୁ ହେଉଛି ତାର କାରଣ । ପଞ୍ଝାରେ ଏପ୍ରକାର ପଚାମାଂସ ଲାଗିରହିବା ବିଷୟରେ ବାଘମାନେ ଖୁବ୍ ସାବଧାନ; ସେମାନେ କେତେକ ଗଛର କୋମଳ ଛେଲିକୁ ପଞ୍ଝାରେ ରାମ୍ପୁଡ଼ି ଏହି ମଇଳାକୁ ସଫା କରନ୍ତି; ଫଳରେ ପଞ୍ଝାରୁ ମଇଳା ବାହାରିଯିବା ସଙ୍ଗେ ନଖ ମଧ୍ୟ ତୀକ୍ଷ୍‌ଣ ହୁଏ । ମାତ୍ର ଚିତାବାଘମାନେ କ୍ଵଚିତ୍ ସେପରି କରନ୍ତି; ତେଣୁ ଅନେକ ସମୟରେ ସେମାନଙ୍କର ପଞ୍ଝାରେ ବିଷାକ୍ତ ଜୀବାଣୁ ହୋଇଥାନ୍ତି । ଗଛମୂଳରୁ ଛଅ ସାତଫୁଟ ଉଚ୍ଚରେ ଯେଉଁ ପର୍ଯ୍ୟନ୍ତ ବାଘର ଆଗ ଦୁଇପାଦ ପାଏ, ସେଠାରେ ଏହି ନଖ ଚିହ୍ନ ଦେଖିଲେ ଶିକାରୀ ଜାଣିପାରେ ଯେ ଏହାରି ନିକଟରେ ବାଘ ଥାଇପାରେ ।

 

ଅନ୍ୟ କେତେକ ବିଷୟରେ ମଧ୍ୟ ଚିତାବାଘଠାରୁ ବାଘ ବେଶି ପରିଷ୍କାର । ଚିତାବାଘ ଶିକାରର ପାକସ୍ଥଳୀ ତଳ ପାଖରୁ କଣାକରି ଖାଇବା ଆରମ୍ଭକରେ । ତାହା ଫଳରେ ପାକସ୍ଥଳୀ, ଅନ୍ତନାଳୀ ଓ ଅନ୍ୟାନ୍ୟ ଖାଦ୍ୟ ଜିନିଷ ମାଂସ ସଙ୍ଗେ ମିଶିଯାଏ; କିନ୍ତୁ ବାଘ ଶିକାରର ମଳଦ୍ଵାର ପାଖରେ ଗୋଟାଏ କଣାକରି ସେଥିରେ ପଞ୍ଝାକୁ ପୂରାଇ ପେଟଭିତରୁ ନାଡ଼ି ପ୍ରଭୃତି ସହିତ ପାକସ୍ଥଳୀକୁ ଟାଣିଆଣି ଆଠ ଦଶଫୁଟ ଦୂରରେ ଫିଙ୍ଗିଦିଏ ଓ ତାହାପରେ ଖାଇବାକୁ ଆରମ୍ଭକରେ-। ସୁବିଧାରେ ମଳଦ୍ଵାରପାଖେ କଣା କରିବାପାଇଁ ବାଘ ଅନେକ ସମୟରେ ଶିକାରର ଲାଞ୍ଜକୁ କାମୁଡ଼ି ଛିଣ୍ଡାଇଦିଏ । ଖୁବ୍ ବଡ଼ଶ୍ରେଣୀର କୌଣସି କୌଣସି ଚିତାବାଘ ସେହିପରି କରିବାର ଦେଖାଯାଏ; କିନ୍ତୁ ଛୋଟଜାତିର ସାଧାରଣ ଚିତାବାଘ ସେପରି ନକରି ମାଂସ ସହିତ ନାଡ଼ୀ ମଳ ପ୍ରଭୃତି ମିଶାଇ ଖାଇବା ଆରମ୍ଭକରି ଦିଅନ୍ତି ।

 

ଚିତାବାଘ ଓ ବାଘର ଗୁହାକୁ ତୁଳନାକଲେ ଦେଖାଯାଏ ଯେ, ବାଘୁଣୀ ତାର ଛୁଆମାନଙ୍କୁ ନେଇ ଯେଉଁ ଗୁହାରେ ରହେ, ତାହା ଅଧିକ ସଫାସୁତୁରା ଓ ସେଥିରେ ହାଡ଼ ପ୍ରଭୃତି ମଇଳା ଜିନିଷ ଦେଖିବାକୁ ମିଳେନାହିଁ । କିନ୍ତୁ ଚିତାବାଘର ଗୁହାରେ ଏସବୁ ଦେଖାଯିବା ଏକ ସାଧାରଣ କଥା ।

 

ଯୌନମିଳନ ସମୟ ଛଡ଼ା ଅନ୍ୟ ସମୟରେ ବାଘ ବଣରେ ତାର ଅବସ୍ଥାନକୁ ସହଜେ ଜଣାଇଦିଏ; କିନ୍ତୁ ଚିତାବାଘର ଅବସ୍ଥାନ ଜାଣିବା ସେତେ ସହଜ ନୁହେଁ । ଭାରତର ଜଙ୍ଗଲରେ ବାସକରୁଥିବା ଆଦିବାସୀ ଶ୍ରେଣୀର ଲୋକେ ଏହି ମତକୁ ସମର୍ଥନ କରନ୍ତି । ବାଘ ସାଧାରଣତଃ କେଉଁବାଟେ ଶିକାରପାଇଁ ଯିବାଆସିବା କରେ, ତାହାର ଗୋଟାଏ ମୋଟାମୋଟି ଧାରଣା ସେମାନେ ଦେଇପାରିବେ । ବାଘମାନଙ୍କର ଦୀର୍ଘସମୟବ୍ୟାପୀ ଗମ୍ଭୀର ଗର୍ଜନ ଶେଷଆଡ଼କୁ ଉ–ଉ–ଉଁ ରାବ ବଣଭିତରେ ପ୍ରତିଧ୍ଵନିତ ହେଲାବେଳେ ମଧୁର ଜଣାଯାଏ । ବୃହତ୍ ବୃକ୍ଷପୂର୍ଣ୍ଣ ଅରଣ୍ୟଭୂମିରେ, ଚନ୍ଦ୍ର କିରଣରେ ଏହି ଗୀତଧ୍ୱନି ଥରେ ଶୁଣିଲେ ଭୁଲି ହେବନାହିଁ; କିନ୍ତୁ ଚିତାବାଘର ରାବରେ ସେଭଳି ମାଧୁରୀ ନାହିଁ । ଏହା ଅପେକ୍ଷାକୃତ ଅଳ୍ପ ଦୂରକୁ ଶୁଣାଯାଏ । କାଠ ଚିରିବା ସମୟରେ ଯେପରି ଶବ୍ଦ ହୁଏ, ଏହା ପ୍ରାୟ ସେହିପରି ଶୁଭେ ।

 

ବାଘର ଆଉ ଗୋଟିଏ ବିଶେଷତ୍ଵ ହେଉଛି, ଶିକାରକୁ ଗଲାବେଳେ ସେ ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଅନୁସରଣ କରିଥାଏ । ଏହି ସୀମା ବହୁମାଇଲ ଏପରିକି ଶହେମାଇଲ ପର୍ଯ୍ୟନ୍ତ ହୋଇପାରେ; କିନ୍ତୁ ସେ ସର୍ବଦା ଗୋଟିଏ ବାଟରେ ଯିବାଆସିବା କରେ; ହୁଏତ ତାର ଗତିପଥ କୌଣସି ଶୁଖିଲା ଗିରିନଦୀ ବା ନଦୀକୂଳ ଦେଇ ହୋଇପାରେ ଅଥବା କୌଣସି ବୃକ୍ଷପୂର୍ଣ୍ଣ ଉପତ୍ୟକା କିମ୍ବା ପାହାଡ଼ର କଟିଦେଶ ହୋଇପାରେ । ତାର ପ୍ରିୟ ଗତିପଥରେ ବାଲି ଉପରେ ପାଦଚିହ୍ନ ଦେଖିବାକୁ ମିଳିବ । ଥରେ ଏହି ପାଦଚିହ୍ନ ଦେଖିଲେ ସେହିଠାରେ ପୁଣି ତାର ପାଦଚିହ୍ନ ନିଶ୍ଚୟ ଦେଖିବାକୁ ପାଇବ । ମଝିରେ କେତୋଟି ଦିନ ଏପରିକି କେତେକ ସପ୍ତାହ ଅତିକ୍ରାନ୍ତ ହୋଇପାରେ । ଏହି ସମୟର ପରିମାଣ ବାଘର ଶିକାର ସୀମା ଉପରେ ନିର୍ଭରକରେ । କିନ୍ତୁ ସେ ଯେ ପୁନରାୟ ସେହି ସ୍ଥାନକୁ ଆସିବ; ଏଥିରେ ସନ୍ଦେହ ନାହିଁ । ଯେଉଁବାଟେ ସେ ଯାଇଥାଏ, ଠିକ୍ ସେହିବାଟରେ ଯେ ଫେରିବ, ସେପରି କିଛି ନିୟମ ନାହିଁ; କିନ୍ତୁ ସେ ଗୋଟାଏ ବଡ଼ ପରିଧି ଭିତରେ ବୁଲି ଶିକାର କରେ ଓ ଯେଉଁଠାରୁ ବାହାରିଥାଏ, ସେହି ସ୍ଥାନକୁ ଫେରିଆସେ ।

 

ନିଜର ପରିଧି ଭିତରେ ଯଦି ସେ କୌଣସିଠାରେ ଗୋଟାଏ ଜନ୍ତୁ ମାରେ, ତେବେ ସେ ମଡ଼ାର ଖୁବ୍ ନିକଟରେ ଦୁଇ ତିନିଦିନ ରହି ତାକୁ ଖାଏ । ତାହାପରେ ପୁଣି ଶିକାର ଖୋଜି ସେହି ପରିଧି ଭିତରେ ବୁଲେ ।

 

ମଣିଷଖିଆ ବାଘର ସନ୍ଧାନ ପାଇବାକୁ ହେଲେ ତାହାର ଏହିସବୁ ବିଶେଷ ଗୁଣ ଜାଣିବା ଦରକାର । ସେ ଯେଉଁଠାରୁ ବାହାରିଥାଏ, କିଛିଦିନ ପରେ ସେହିଠାକୁ ସେ ଅବଶ୍ୟ ଫେରିଆସିବ । କେତେଦିନ ପରେ ସେ ଆସିବ ତାହାର ଗୋଟାଏ ମୋଟାମୋଟି ହିସାବ କରାଯାଇପାରେ । ଏହି ସମୟର ପରିମାଣ ତାର ପରିଧିର ବିସ୍ତାର ଉପରେ ନିର୍ଭରକରେ । ଗୋଟିଏ ମାନଚିତ୍ର ଉପରେ ଯେଉଁ ଯେଉଁଠାରେ ବାଘ ମଣିଷ ମାରିଛି, ସେହି ସେହି ସ୍ଥାନରେ ଗୋଟିଏ ଲେଖାଏଁ ଛକ ଓ ମଣିଷ ମାରିବା ତାରିଖ ଲେଖିରଖ । ସେଥିରୁ ବାଘ କେଉଁଠାକୁ କେଉଁଦିନ ପୁଣି ଆସିବ, ତାହାର ଏକ ସ୍ଥୂଳ ଧାରଣା ମିଳିପାରିବ ।

 

ଚିତାବାଘର ଯିବାଆସିବା ବାଟ ବା ଶିକାରସ୍ଥାନ ବିଷୟରେ କୌଣସି ଧରାବନ୍ଧା ନିୟମ ନଥାଏ । ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଚିତାବାଘର ଆବିର୍ଭାବ ଘଟିପାରେ । ତାର ଆବିର୍ଭାବ ଭଳି ତିରୋଭାବ ମଧ୍ୟ ଆକସ୍ମିକ । ଏହି ହେତୁରୁ ମଣିଷଖିଅ ଚିତାବାଘର ଗତିବିଧି ବା ତା’ର ଆବିର୍ଭାବ ତିରୋଭାବର ସମୟ ବିଷୟରେ କିଛି ମାତ୍ର ସୂଚନା ପାଇବା ଶିକାରୀ ପକ୍ଷରେ ଅସମ୍ଭବ ହୋଇପଡ଼ିଥାଏ । ବେଳେବେଳେ ଦେଖାଯାଇଅଛି, ଅତି ଅଭିଜ୍ଞ ବୁଦ୍ଧିମାନ୍ ଶିକାରୀ ଯେଉଁଠାରେ ଯେଉଁଦିନ ଚିତାବାଘକୁ ଦେଖିବାର ସମ୍ଭାବନା କରିଥାନ୍ତି, ସେଠାରୁ ବହୁଦୂରରେ ଓ ଅନ୍ୟ ସମୟରେ ସେ ମଣିଷ ମାରିଅଛି ।

 

‘ନିଶ୍ଚଳ ଶିକାର’ ବିଷୟରେ ଏହି ଅଧ୍ୟାୟରେ କିଛି ସୂଚନାଦେବାର ଯତ୍ନ କରାଯାଇଅଛି-। ତାହା ସଙ୍ଗେ ବାଘର ଗତିବିଧି ଓ ଅଭ୍ୟାସର ବିଶେଷତ୍ଵ ସମ୍ବନ୍ଧରେ କେତେକ କଥା କୁହାଯାଇଅଛି । ମୁଁ କେଉଁ କେଉଁଠାରେ କିପରି ବାଘ ଶିକାର କରିଛି, ସେସବୁର ବର୍ଣ୍ଣନା ମୁଁ ଇଚ୍ଛାପୂର୍ବକ ଦେଇନାହିଁ; କାରଣ ତାହା ପାଠକକୁ ସେତେ ରୁଚିକର ହୋଇନପାରେ । ମୋଟଉପରେ ଅସଲକଥା ହେଉଛି, ବାଘ ବା ଚିତାବାଘ ଶିକାର କରିବାକୁ ହେଲେ, ତାକୁ ତା’ରି କୌଶଳଦ୍ଵାରା ଜବତ କରିବାକୁ ହେବ । ଯେକୌଣସିମତେ ବାଘ ବା ଚିତାବାଘକୁ ମାରିଦେବାରେ ବାହାଦୁରି ନାହିଁ । ମୁଁ ବରଂ ପରାମର୍ଶ ଦେବି–ତୁମେ ସେହି ସୁନ୍ଦର ଜୀବମାନଙ୍କୁ ବନ୍ଧୁକରେ ମାରିବା ପରିବର୍ତ୍ତେ ଗୋଟିଏ କାମେରା ନେଇ ସେମାନଙ୍କର ଫଟୋ ଉଠାଅ । ଅବଶ୍ୟ ଆପଦବିପଦ ପାଇଁ ସଙ୍ଗରେ ବନ୍ଧୁକ ନେବାକୁ ମୁଁ ମନା କରୁନାହିଁ; କିନ୍ତୁ ଅଯଥା ସେମାନଙ୍କୁ ମାରିବାର ଲୋଭକୁ ଯଥାସମ୍ଭବ ଦମନକର ।

 

କେହି କେହି ନିଜ ଶିକାରର କୃତିତ୍ଵ ଓ ପ୍ରଶଂସାର ସଙ୍କେତ ସ୍ୱରୂପ ବାଘର ଚମଡ଼ା ଭିତରେ ତୁଳା ପ୍ରଭୃତି ପୂରାଇ ତାକୁ ଜୀବନ୍ତ ରୂପଦେଇ ଘରକାନ୍ଥରେ ଝୁଲାଇଥାନ୍ତି କିମ୍ବା ତାର ଚମଡ଼ାକୁ ବୈଠକଖାନା ମେଜିଆରେ ବିଛାଇଥାଆନ୍ତି । କିନ୍ତୁ ମନେରଖିବାକୁ ହେବ, ଏପରି କରିବା ଅପେକ୍ଷା କୌଶଳ ସହକାରେ ବାଘର ବିଭିନ୍ନ ପ୍ରକାର ଫଟୋ ଉଠାଇବାରେ ଅଧିକ ବାହାଦୁରି ଅଛି-। ଏଭଳି ଫଟୋରେ ଯେତେବେଳେ, ଯେତେ ଥର ଇଚ୍ଛା, ତୁମେ ତାର ଜୀବନ୍ତ ସୌନ୍ଦର୍ଯ୍ୟ, ତାର ଶକ୍ତି ଦେଖିପାରିବ; କିନ୍ତୁ ବୈଠକଖାନାର କାନ୍ଥରେ ଝୁଲୁଥିବା କୃତ୍ରିମ ବାଘ ବା ମେଜିଆରେ ପଡ଼ିଥିବା ଚମଡ଼ା ହେଉଛି ଅଣ୍ଡାର ଖୋଳପା ପରି । ଦିନେ ନା ଦିନେ ସମୟ ତାକୁ ନଷ୍ଟ କରିଦେବ ବା କୀଟମାନେ ତାକୁ ଧ୍ଵଂସ କରିଦେବେ । ତା’ର ସୌନ୍ଦର୍ଯ୍ୟ ରହିପାରିବ ନାହିଁ; କିନ୍ତୁ ଫଟୋରୁ ଯେକୌଣସି ସମୟରେ ତାର ଜୀବନ୍ତ ସୌନ୍ଦର୍ଯ୍ୟ ଉପଲବଧି କରିହେବ ।

Image

 

ଦ୍ଵିତୀୟ ଅଧ୍ୟାୟ

ୟେଲାଗିରି ପାହାଡ଼ର ମଣିଷଖିଆ ଚିତାବାଘ

 

ଦି’ପହର ସମୟ । ଗୋଟାଏ ପ୍ରକାଣ୍ଡ ନିଆଁପିଣ୍ଡୁଳାପରି ସୂର୍ଯ୍ୟ ମୁଣ୍ଡ ଉପରେ ଉତ୍ତାପ ଅଜାଡ଼ି ଦେଉଅଛନ୍ତି । ଏହି ଉତ୍ତାପରେ ଜଙ୍ଗଲ ନୀରବ ନିସ୍ତବ୍ଧ ହୋଇପଡ଼ିଛି । ଏପରିକି ଯେଉଁ ପକ୍ଷୀ ଓ ମର୍କଟମାନେ ସକାଳେ ଚିଁ ଚାଁ କିଚିର–ମିଚିର ରାବ କରୁଥିଲେ, ସେମାନେ ଗଛଡ଼ାଳରେ ନୀରବ ବସି ଶୋଇପଡ଼ିଛନ୍ତି ।

 

ଜଙ୍ଗଲି ଗଛମାନଙ୍କ ମୂଳର ଛାଇରେ ସୂର୍ଯ୍ୟଙ୍କ ଭୀଷଣ ଉତ୍ତାପରୁ ସାମାନ୍ୟ ରକ୍ଷା ମିଳୁଥିଲା; ତଥାପି ସେହି ଉତ୍ତାପରେ ଗଛର ଛାୟା ହଲଚଲ ହେଲାପରି ବୋଧ ହେଉଥିଲା । ପବନର ସଞ୍ଚାର ନ ଥିବାରୁ ବନ ମଧ୍ୟରେ ପଡ଼ିଥିବା ପତ୍ରରାଶି ହଲଚଲ ହେଉନଥିଲା । ଏହି ପତ୍ରରାଶି ବନଭୂମିରେ ପଡ଼ି ପୀତ ଧୂସର ବର୍ଣ୍ଣର ଏକ ଶଯ୍ୟା ପ୍ରସ୍ତୁତ କରିଥିଲା । ମୌସୁମୀ ଋତୁ ଆସିଲେ ଏହି ପତ୍ରସବୁ ପଚି ସାରରେ ପରିଣତ ହେବ । ବନର ବିରାଟ ବୃକ୍ଷମାନେ ଶୁଖି ମରିବା ପର୍ଯ୍ୟନ୍ତ ସେମାନଙ୍କ ଦେହରୁ ଝଡ଼ିପଡ଼ିଥିବା ଏହି ପତ୍ରସବୁ ସାରରୂପେ ତାକୁ ଆହାର ଯୋଗାଉଥିବେ ।

 

ଜଙ୍ଗଲକୁ କେତେ ପଲ ଗୋମହିଷାଦି ପଶୁ ଘାସ ଚରିବାକୁ ଆସିଥିଲେ । ସେମାନଙ୍କ ଗଳାରେ ବନ୍ଧା ହୋଇଥିବା ଟିପାରୁ ବେଳେବେଳେ ଶବ୍ଦ ବାହାରି ଜଙ୍ଗଲର ନିସ୍ତବ୍‌ଧତାକୁ ଭଙ୍ଗ କରୁଥିଲା । ଏହି ଟିପାଦ୍ଵାରା ଦୁଇଟି ଉଦ୍ଦେଶ୍ୟ ସାଧିତ ହେଉଥିଲା । ପ୍ରଥମତଃ ସେମାନଙ୍କର ଜଗୁଆଳମାନେ ଟିପାଧ୍ୱନି ଶୁଣି ବଣବୁଦା ମଧ୍ୟରେ ସେମାନଙ୍କ ଅବସ୍ଥିତି ଜାଣିପାରୁଥିଲେ । ଦ୍ଵିତୀୟତଃ ହିଂସ୍ର ଜନ୍ତୁମାନେ ଏହି ଶବ୍ଦ ଶୁଣି ଭୟରେ ସେମାନଙ୍କୁ ଆକ୍ରମଣ କରିବାକୁ ଆସୁନଥିଲେ-। ବାଘ ଓ ଚିତାବାଘମାନେ ସାମାନ୍ୟ ଶବ୍ଦକୁ ସୁଦ୍ଧା ସନ୍ଦେହ କରିଥାନ୍ତି; ଯେଉଁ ଜୀବମାନଙ୍କ ଗଳାରୁ ଗୋଟାଏ କଅଣ ଓହଳି ଏକ ବିଚିତ୍ର ଶବ୍ଦ କରୁଛି, ତାକୁ ସେମାନେ ସହଜେ ଆକ୍ରମଣ କରିବାକୁ ଯାଆନ୍ତି ନାହିଁ । ତେଣୁ ଗୋଠଜଗୁଆଳିମାନଙ୍କର ଦ୍ଵିତୀୟ ଉଦ୍ଦେଶ୍ୟ ଭଲରୂପେ ସାଧିତ ହୋଇଥାଏ-। ତଥାପି ସମୟ ସମୟରେ କୌଣସି କୌଣସି ହିଂସ୍ର ଜନ୍ତୁ ଜଗୁଆଳିମାନଙ୍କର ଏହି କୌଶଳ ପଣ୍ଡକରି ଦେଇଥାନ୍ତି । କ୍ଷୁଧାର ତାଡ଼ନାରେ କୌଣସି କୌଣସି ବାଘ ବା ଚିତାବାଘ ଦୁଃସାହସ କରି ଟିପାବନ୍ଧା ହୋଇଥିବା ଜୀବକୁ ମାରି ଖାଇଥାଏ; କିନ୍ତୁ ଏପରି ଘଟିବା ଅସାଧାରଣ-

 

ମୁଁ ଯେଉଁ ଦିନର କଥା କହୁଥିଲି, ସେଦିନ ଏପରି ଗୋଟିଏ ଅସାଧାରଣ ଘଟନା ଘଟିଥିଲା ।

 

ଗୋରୁପଲର ଏକ ପ୍ରାନ୍ତରେ ଗୋଟିଏ ହୃଷ୍ଟପୁଷ୍ଟ ବଳଦ ଗୋଟିଏ ଓସ୍ତ ଗଛର ଛାଇରେ ଘାସ ଚରୁଥିଲା । ଭୂଇଁରୁ ତୁଣ୍ଡରେ ପୁଳାଏ ଘାସ ନେଇ ସେ ଅଳ୍ପ ସମୟ ପାଇଁ ମୁଣ୍ଡକୁ ଟିକିଏ ଟେକି ଜଙ୍ଗଲର ଚାରିଆଡ଼କୁ ଚାହୁଁଥିଲା । ଘାସପୁଳାଏ ଗିଳିସାରି ସେ ପୁଣି ନଇଁପଡ଼ି ତୁଣ୍ଡରେ ଘାସ ନେଉଥିଲା । ଏହିପରି ସେ ନିଶ୍ଚିନ୍ତରେ ଘାସ ଚୋବାଉଥିଲା ।

 

ଯଦି ବଳଦଟି ଟିକିଏ ପଛକୁ ଚାହିଁଥା’ନ୍ତା, ତେବେ ସେ ଏଡ଼େ ନିଶ୍ଚିନ୍ତ ହୋଇ ଘାସ ଚରୁନଥାନ୍ତା । ତାର ପଛପଟେ ଘାସ ବୁଦାଭିତରେ ଟିକିଏ ଫାଙ୍କ ହୋଇଗଲା; କିନ୍ତୁ ଲବ ମାତ୍ର ଶବ୍ଦ ହେଲାନାହିଁ । ସେହି ଫାଙ୍କବାଟେ ଦୁଇଟି ହିଂସ୍ର ସବୁଜ ଆଖି ସେହି ହୃଷ୍ଟପୁଷ୍ଟ ବଳଦ ଆଡ଼କୁ ଏକ ଦୃଷ୍ଟିରେ ଚାହିଁରହିଲା । ଏହି ଆଖି ଯୋଡ଼ିକ ହେଉଛି ଏକ ପ୍ରକାଣ୍ଡ ଅଣ୍ଡିରା ଚିତାବାଘର । ଚିତାବାଘଟିର ଦେହତି ବେଶ୍ ମୋଟା; ଆକାରରେ ସେ ଗୋଟିଏ ମାଈ ମହାବଳବାଘଠାରୁ ଛୋଟ ହେବନାହିଁ । ତାର ଦେହର ଈଷତ୍ ସବୁଜ ରଙ୍ଗ; ଘାସର ସବୁଜ ରଙ୍ଗ ସଙ୍ଗେ ମିଶିଯାଉଥିଲା ।

 

ଚିତାବାଘ ଧୀରେ ନିଃଶବ୍ଦରେ ନଇଁ ନଇଁ ପଛ ଗୋଡ଼ ଦୁଇଟିକୁ ଟିକିଏ ଆଗକୁ ନେଇ ଭୂଇଁରେ ଲେପଟାଇ ପଡ଼ିଲା । ତାର ଶିରାପ୍ରଶିରା ଟାଣିହୋଇ ଆସିଲା; ମାଂସପେଶି ସବୁ ସ୍ଫୁରି ଆସିଲା । ବଳଦ ଉପରକୁ ଲମ୍ଫ ଦେବାପାଇଁ ସେ ପ୍ରସ୍ତୁତ ହୋଇଗଲା ।

 

ଆକାଶରୁ ବଜ୍ର ପଡ଼ିଲା ପରି ସେ ବଳଦ ଉପରକୁ ଡେଇଁପଡ଼ିଲା । ହଳଦିଆ ଓ କଳା ରଙ୍ଗର ଗୋଟାଏ କିରଣ ରେଖା ପରି ତାର ପ୍ରକାଣ୍ଡ ଶରୀର ଶୂନ୍ୟମାର୍ଗରେ ଆସି ବଳଦ ଉପରେ ପଡ଼ିଗଲା । ଘଟନାଟା କଅଣ ଭାବିବା ଆଗରୁ ବଳଦର ଗଳାକୁ ଚିତାବାଘ ଦାନ୍ତରେ କାମୁଡ଼ି ଧରିଥିଲା । ମୁହୂର୍ତ୍ତକ ପାଇଁ ବଳଦ ତାର ଆଗ ଗୋଡ଼ ଦୁଇଟି ମେଲାଇ ନିଜକୁ ସମ୍ଭାଳିରଖି ପଲଭିତରକୁ ଯିବାପାଇଁ କ୍ଷୀଣ ଉଦ୍ୟମ କଲା । କିନ୍ତୁ ଗଳାରେ ଚିତାବାଘର ଦାନ୍ତ ତାର ଶ୍ଵାସରୋଧକଲା ଓ ରକ୍ତସ୍ରାବ ଫଳରେ ସେ କିଛି ମାତ୍ର ପ୍ରତିରୋଧ କରିପାରିଲା ନାହିଁ । ସେ ତଳେ ପଡ଼ିଯାଇ ଗୋଡ଼ଗୁଡ଼ିକୁ ଛାଟିବାରେ ଲାଗିଲା; କିନ୍ତୁ ଚିତାବାଘ ଏପରି ଏକ ସ୍ଥଳରେ ଥିଲା ଯେ ବଳଦର ଗୋଡ଼ ତାକୁ ସ୍ପର୍ଶ ସୁଦ୍ଧା କଲାନାହିଁ । ଏଣେ ତାର ଦାନ୍ତ ବଳଦର ଗଳାକୁ ଦୃଢ଼ଭାବରେ ଧରିଥାଏ । କ୍ରମେ ବଳଦର ପାଟିବାଟେ ସଁ ସଁ ଶବ୍ଦ କ୍ଷୀଣ ହୋଇ ଆସିଲା; ଗୋଡ଼ ଛାଟିବା ମଧ୍ୟ ଦୁର୍ବଳ ହୋଇଗଲା । ଅଳ୍ପ କେତେକ ମିନିଟ ଭିତରେ ବଳଦର ଆଖିର ତେଜ ଉଭେଇଗଲା ଓ ତାର ପ୍ରାଣବାୟୁ ବାହାରିଗଲା ।

 

ଗୋରୁପଲର ମାଲିକ ନାଥନ ଏହିପରି ତାର ଉତ୍କୃଷ୍ଟ ବଳଦଟିକୁ ହରାଇଲା । ଚିତାବାଘ ଗୋଟିଏ ବଳଦକୁ ଏହିପରି ବଧ କରୁଥିବାର ଦେଖି ପଲର ଅନ୍ୟସବୁ ଗୋରୁଗାଈ ଆତ୍ମରକ୍ଷା ପାଇଁ ବଣ ଭିତରୁ ଇତସ୍ତତଃ ପଳାଇଗଲେ ଓ ପରିଶେଷରେ ଗୋଟିଏ ବଣୁଆ ରାସ୍ତାରେ ଯାଇ ପ୍ରାୟ ଦୁଇ ମାଇଲ ଦୂରବର୍ତ୍ତୀ ଗ୍ରାମରେ ପହଞ୍ଚିଲେ ।

 

ଏଇ ଗୋଟିକ ବଳଦ ହରାଇଥିଲେ ନାଥନର ଅବସ୍ଥା ସେତେ ଶୋଚନୀୟ ହୋଇ ନ ଥାନ୍ତା । ଏହାପରେ ତିନି ମାସ ମଧ୍ୟରେ ତାର ଆଉ ଚାରୋଟି ଗୋରୁ ଚିତାବାଘ ହାତରେ ମଲେ । ସେହି ଗ୍ରାମର ଆଉ ଦୁଇ ଜଣ ଗଉଡ଼ ମଧ୍ୟ ସେହି ତିନି ମାସ ଭିତରେ ଯୋଡ଼ିଏ ଲେଖାଏଁ ଗୋରୁ ହରାଇଥିଲେ; ତେଣେ ଚିତାବାଘ ସ୍ଥିରକଲା ଯେ ସେହି ଅଞ୍ଚଳରେ ସେ ଅତି ସହଜରେ ଓ ସୁବିଧାରେ ଉତ୍ତମ ଶିକାର ପାଇପାରିବ । ତେଣୁ ସେ ପୂର୍ବଭଳି ଦୂରବର୍ତ୍ତୀ ବଣକୁ ଶିକାର କରିବାକୁ ନ ଯାଇ ସେହି ସ୍ଥାନର ଆଖପାଖ ଜଙ୍ଗଲରେ ରହିଲା । ସହଜଲଭ୍ୟ ଆହାର ଛାଡ଼ି ବିପଜ୍ଜନକ କଠିନ ଶ୍ରମକରିବାକୁ ସେ କାହିଁକି ଯାଆନ୍ତା ?

 

ଏଥି ମଧ୍ୟରେ ବର୍ଷା ଋତୁ ଆସିଗଲା । ବର୍ଷାଜଳ ଯୋଗୁ ସବୁ ଆଡ଼େ ପ୍ରଚୁର ଘାସ ଜନ୍ମିଲା । ଗ୍ରାମ ପାଖରେ, ବିଲ ଓ ହୁଡ଼ାମାନଙ୍କରେ ଯଥେଷ୍ଟ ଘାସ ମିଳିବାରୁ ଗଉଡ଼ମାନଙ୍କର ଜଙ୍ଗଲ ଭିତରକୁ ଗୋରୁପଲ ନେଇ ଯିବା ଆଉ ଦରକାର ପଡ଼ିଲାନାହିଁ । ଗୋରୁମାନେ ଗ୍ରାମ ନିକଟରେ ଚରିବାର ସୁବିଧା ପାଇବାରୁ ସେମାନଙ୍କୁ ଜଗିବାର ଆବଶ୍ୟକତା ବେଶି ରହିଲା ନାହିଁ । ଏହି ପରିବର୍ତ୍ତନ ଚିତାବାଘ ପକ୍ଷରେ ଅସନ୍ତୋଷର କାରଣ ହେଲା । ସେ ବାଧ୍ୟ ହୋଇ ଦୁଃସାହସ କରିବାକୁ ଲାଗିଲା । ଶିକାର ପାଇଁ ସେ ଗ୍ରାମର ନିକଟକୁ ଆସିବାର ପ୍ରୟୋଜନ ଅନୁଭବ କଲା ।

 

ଗ୍ରାମ ପାଖକୁ ଜଙ୍ଗଲ ଖୁବ୍ ପତଳା ହୋଇ ଆସିଥାଏ ଓ କ୍ଷେତ୍ରମାନଙ୍କରେ କୌଣସି ବଡ଼ ଗଛ ଆଦୌ ନ ଥାଏ । ତେଣୁ ଗ୍ରାମ ପାଖରେ ଚରୁଥିବା ଗୋରୁମାନଙ୍କ ପାଖକୁ ଆସିବା ଚିତାବାଘ ପକ୍ଷରେ କଷ୍ଟକର ହେଲା ଓ ଅନେକ ସମୟରେ ସେ ଗୋରୁଆଡ଼କୁ ଛପି ଛପି ଆସିଲାବେଳେ ଲୋକେ ତାକୁ ଦେଖିପାରିଲେ । ସେପରି ସମୟରେ ଲୋକେ ପାଟିତୁଣ୍ଡ କରି ତା ଉପରକୁ ଟେକାପଥର ଫିଙ୍ଗୁଥିଲେ କିମ୍ବା ଠେଙ୍ଗାଧରି ଗୋଡ଼ାଉଥିଲେ । ଚିତାବାଘ ଭୟରେ ଜଙ୍ଗଲକୁ ପଳାଉଥିଲା ।

 

ଚିତାବାଘର ଖାଦ୍ୟାଭାବ ଘଟିଲା । ସେ ଦେଖିଲା ହୁଏ ତ ଗାଁ ଛାଡ଼ି ସେ ନିବିଡ଼ ଜଙ୍ଗଲକୁ ଫେରିଯିବ ଓ ସେଠାରେ ହରିଣ ପ୍ରଭୃତି ବନ୍ୟ ପଶୁ ଶିକାର କରିବ କିମ୍ବା ଗ୍ରାମ ଗଉଡ଼ମାନଙ୍କ ବିରୁଦ୍ଧରେ ଆକ୍ରମଣମୂଳକ ନୀତି ଅନୁସରଣ କରିବ । ସେ ନିଜର ଉଦରପୋଷଣ ପାଇଁ ଦ୍ଵିତୀୟ ପନ୍ଥାଟିକୁ ବାଛିନେଲା ।

 

ଦିନେ ସନ୍ଧ୍ୟାବେଳେ ଯଥାଶକ୍ତି ଲୁଚି ଲୁଚି ସେ ଗୋରୁପଲ ପାଖକୁ ଆସି ହଠାତ୍ ଗୋଟାଏ ଗାଈକୁ ମାଡ଼ିବସିଲା । ଦୁଇ ଜଣ ଗଉଡ଼ ଖୁବ୍ ନିକଟରେ ଥିଲେ । ସେମାନେ ଠେଙ୍ଗା ହଲାଇ ପାଟିତୁଣ୍ଡ କରି ଚିତାବାଘକୁ ଘଉଡ଼ାଇବାକୁ ଚେଷ୍ଟାକଲେ; କିନ୍ତୁ ସେତେବେଳକୁ ସେ ଗାଈର ବେକରେ ଦାନ୍ତ ବସାଇଦେଇସାରିଥିଲା । ସାମାନ୍ୟ କେତୋଟି ମିନିଟଭିତରେ ସେ ଗାଈଟା ମରିଗଲା । ଗଉଡ଼ମାନେ ଚିତାବାଘ ଉପରକୁ ଟେକାପଥର ଫିଙ୍ଗିଲେ; କିନ୍ତୁ ସେ ଗାଈକୁ ଛାଡ଼ି ପଳାଇଲାନାହିଁ । ମରୁଥିବା ଗାଈର ଦେହଟା ଟିକିଏ ଟିକିଏ ଛଟପଟ ହେଉଥାଏ; ବାଘ ତାକୁ ମାଡ଼ି ବସିଥାଏ ।

 

ଅନେକ ଟେକାପଥର ପଡ଼ିବା ପରେ ଚିତାବାଘ ଗାଈର ଗଳାରୁ ମୁହଁଉଠାଇ ରକ୍ତାକ୍ତ ମୁହଁରେ ଲୋକମାନଙ୍କ ଆଡ଼କୁ ଚାହିଁ ଗୋଟାଏ ଲମ୍ବା ଗର୍ଜନ ଛାଡ଼ିଲା । ତାର ଭୀଷଣ ଚେହେରା ଦେଖି ଓ ତାର ଭୟାନକ ଗର୍ଜନ ଶୁଣି ଗଉଡ଼ମାନଙ୍କର ଭୟ ଜାତହେଲା । ସେମାନେ ସେ ସ୍ଥାନରୁ ପଳାଇଗଲେ ।

 

ଏହି ପରିସ୍ଥିତିରେ ପଡ଼ି ଗ୍ରାମବାସୀମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ସାହାଯ୍ୟ ଦେବାପାଇଁ ଅନୁରୋଧ କଲେ । ସେ ନିଜେ ସାହାଯ୍ୟକରି ନ ପାରିଲେ ଅନ୍ୟ କୌଣସିଠାରୁ ସାହାଯ୍ୟ କରାଇଦିଅନ୍ତୁ । ଏହି ଫରେଷ୍ଟରଙ୍କ ନାମଥିଲା ରାମୁ । ସେ ବନ୍ଧୁକ ବ୍ୟବହାର ଜାଣିଥିଲା ଓ ତାର ଗୋଟିଏ ଏକନଳିଆ ବନ୍ଧୁକ ଥିଲା । ସେ ଥିଲା ଜଙ୍ଗଲବିଭାଗର ସରକାରୀ କର୍ମଚାରୀ । ବେଆଇନ ଭାବରେ କେହି ଜଙ୍ଗଲରେ ଶିକାର କରୁଥିଲେ, ତାକୁ ଧରି ଦଣ୍ଡ ଦିଆଇବା ତାର କର୍ତ୍ତବ୍ୟର ଗୋଟିଏ ଅଙ୍ଗଥିଲା; କିନ୍ତୁ ସେ ନିଜେ ଆଇନଭଙ୍ଗ କରିବାକୁ କୁଣ୍ଠିତ ନଥିଲା । ସମୟେ ସମୟେ ସେ ଜଙ୍ଗଲର ଗଡ଼ିଆ ପାଖରେ ବା ଲୁଣିଆମାଟି ପାଖରେ ଛକିରହି ସେଠାକୁ ଆସୁଥିବା ହରିଣମାନଙ୍କୁ ଶିକାର କରୁଥିଲା । ତା’ ଅଧୀନରେ ତାକୁ ସାହାଯ୍ୟ କରିବାପାଇଁ ଯେଉଁ ଗାର୍ଡ଼ମାନେ ଥିଲେ, ସେମାନଙ୍କୁ ସେ ନିଜେ ଶିକାର କରୁଥିବା କଥା ଜାଣିବାକୁ ଦେଉନଥିଲା । ଦୈବାତ୍ କୌଣସି ଗାର୍ଡ଼ ତାର ଶିକାର କରୁଥିବା ଦେଖିଲେ ସେ ତାକୁ ଶିକାରର ଫଡ଼ିଆଟାଏ ଦେଇ ତାର ତୁଣ୍ଡ ବନ୍ଦ କରିଦେଉଥିଲା । ତାହା ସଙ୍ଗେସଙ୍ଗେ ସାବଧାନ କରି ଦେଉଥିଲା, “ଦେଖ, ଏକଥା ଯେବେ ରେଞ୍ଜ ଅଫିସରଙ୍କ କାନକୁ ଯାଏ, ତେବେ ତୋକଥା ସାରିଦେବି ।”

 

ଏତେ ସତର୍କତା ସତ୍ତ୍ୱେ ରେଞ୍ଜ ଅଫିସର ଜାଣିବାକୁ ପାଇଲେ ଯେ ରାମୁ ବେଆଇନ ଭାବରେ ହରିଣ ବାର୍‌ହା ପ୍ରଭୃତି ଶିକାରକରି ଖାଉଛି । ରେଞ୍ଜ ଅଫିସର ଜଣେ କର୍ତ୍ତବ୍ୟନିଷ୍ଠ ଯୁବକ-। ସେ ସରକାରଙ୍କ ବନ୍ୟଜନ୍ତୁ ସଂରକ୍ଷଣ ନୀତି ଅନୁସରଣ କରୁଥିଲେ । ତାଙ୍କ ଅଧୀନରେ ଥିବା ଫରେଷ୍ଟର ଓ ଗାର୍ଡ଼ମାନେ ଏଭଳି ବେଆଇନ ଶିକାର କରୁଥିବାର ଜାଣିଲେ, ସେ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ; କିନ୍ତୁ ରାମୁ ଏଡ଼େ ଚାଲାକ ଥିଲା ଓ ଗାର୍ଡ଼ମାନଙ୍କୁ ଏପରି ଭୟ ଦେଖାଉଥିଲା ଯେ ଅନେକ ଦିନଯାଏ ରେଞ୍ଜଅଫିସର ତା’ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ କରିପାରି ନଥିଲେ ।

 

ଏପର୍ଯ୍ୟନ୍ତ ରାମୁ ବାଘ ଭାଲୁ ପ୍ରଭୃତି କୌଣସି ମାଂସଭୋଜୀ ଜୀବ ମାରିବାକୁ ଚେଷ୍ଟାକରି ନଥିଲା । ତେଣୁ ଯେତେବେଳେ ଗ୍ରାମବାସୀମାନେ ତାକୁ ଚିତାବାଘଟାକୁ ମାରିବାକୁ ଅନୁରୋଧ କଲେ, ସେତେବେଳେ ସେ ବେଶି ଆଗ୍ରହ ଦେଖାଇ ନଥିଲା । ସେ ନାନା ଆଳ ଦେଖାଇ ଡେରି କରିବାରେ ଲାଗିଲା । କେବେ କହିଲା–ମୁଁ ସରକାରୀ କାମରେ ବ୍ୟସ୍ତ ଅଛି, ବେଳ ହେଉନାହିଁ; କେବେ କହିଲା–ମୋ ପାଖରୁ ଗୁଳି ସରିଯାଇଛି । କିନ୍ତୁ ସେ କେତେ ଦିନଯାଏ ଲୋକଙ୍କୁ ଏଭଳି ମିଛ ବାହାନାରେ ଠକିପାରିବ ? ଅଗତ୍ୟା ଦିନେ ସକାଳେ ବନ୍ଧୁକ ସହିତ ଗ୍ରାମରେ ଉପସ୍ଥିତ ହେଲା ।

 

ଗ୍ରାମବାସୀମାନେ ଖୁବ୍ ଆନନ୍ଦରେ ତାକୁ ଅଭ୍ୟର୍ଥନା କଲେ । ତା’ପାଇଁ ଉତ୍ତମ ଭୋଜନର ବ୍ୟବସ୍ଥା କରିଦେଲେ । ନ କରନ୍ତେ କିପରି ? ସେ ଯେ ଗ୍ରାମବାସୀଙ୍କର ରକ୍ଷାକର୍ତ୍ତା ଓ ଏକମାତ୍ର ଆଶ୍ରୟସ୍ଥଳ ! ଭୋଜନ ପରେ ଢାଳେ କଫି ପିଇ ସନ୍ତୋଷରେ ଗୋଟାକେତେ ହାକୁଟି ମାରି ରାମୁ ଶୋଇବାକୁ ଗଲା । ଘଣ୍ଟାଏ ଖଣ୍ଡେ ବିଶ୍ରାମ ନେଲା ପରେ ସେ ନିଜର ଉପସ୍ଥିତ କର୍ତ୍ତବ୍ୟରେ ଲାଗିପଡ଼ିଲା ।

 

ପ୍ରଥମେ ସେ ଗ୍ରାମର ମୁଖିଆକୁ କହିଲା–ଯାଆ, ଗୋଟାଏ ଛେଳି ଆଣ; ତାକୁ ଥୋପ କରାଯିବ । ଛେଳି ପହଞ୍ଚିଯିବା ପରେ ସେ ପାଞ୍ଚ ଛଅଜଣ ଗ୍ରାମବାସୀଙ୍କୁ ସଙ୍ଗରେ ଘେନି ବଣଆଡ଼କୁ ବାହାରିଲା ।

 

ସେ ଅଞ୍ଚଳର ଫରେଷ୍ଟର ହୋଇଥିବାରୁ ରାମୁ ବଣର ସବୁ ଅଂଶ ଜାଣିଥିଲା । କେଉଁ ଗଛରେ ମଞ୍ଚା ବାନ୍ଧିବାକୁ ହେବ ତାହା ସେ ମନେମନେ ସ୍ଥିରକରି ସାରିଥିଲା । ଗ୍ରାମରୁ ଯାଇଥିବା ରାସ୍ତା ସହିତ ଜଙ୍ଗଲରାସ୍ତା ଯେଉଁଠାରେ ମିଳିଥିଲା, ସେଠାରେ ଗୋଟିଏ ବଡ଼ ବରଗଛ ଥିଲା । ସେହି ଗଛଟି ତାର ଲକ୍ଷ୍ୟ ଥିଲା । ଏ ସ୍ଥାନରେ ଆହୁରି ଏକ ସୁବିଧା ଥିଲା । ଜଙ୍ଗଲରାସ୍ତାକୁ ଏହାରି ପାଖରେ ଗୋଟିଏ ପାଣିନାଳ ଅତିକ୍ରମ କରିଥିଲା । ପାଦଚିହ୍ନରୁ ଜଣାପଡ଼ୁଥିଲା ଯେ ଚିତାବାଘଟା ଏହି ତିନିଦିଗରୁ ଯିବାଆସିବା କରୁଥିଲା । ବରଗଛ ପାଖରେ ଛେଳିକୁ ବାନ୍ଧିଲେ ଚିତାବାଘ ଯେକୌଣସି ଆଡ଼ୁ ଆସିଲେ ସୁଦ୍ଧା ତାକୁ ଅବଶ୍ୟ ଦେଖିପାରିବ । ରାମୁ ନିଜେ ବରଗଛର ମଞ୍ଚାଉପରୁ ଚାରିଆଡ଼ ଉପରେ ନଜର ଦେଇପାରିବ ।

 

ଏହି ବରଗଛର ଏକ ସ୍ଥାନରେ ଭୂମିଠାରୁ ପ୍ରାୟ କୋଡ଼ିଏଫୁଟ ଉଚ୍ଚରେ ମଞ୍ଚା ତିଆରି କରିବାପାଇଁ ସେ ଲୋକମାନଙ୍କୁ ଆଦେଶ ଦେଲା । ଡାଳପତ୍ରଦ୍ଵାରା କିପରି ମଞ୍ଚାକୁ ଲୁଚାଇ ହେବ, ତାହା ରାମୁକୁ ଉତ୍ତମରୂପେ ଜଣାଥିଲା । ମଞ୍ଚା ତିଆରିହେବା ପରେ ସେ ଡାଳପତ୍ରରେ ତାକୁ ଏପରି ଘୋଡ଼ାଇଦେଲା ଯେ ସେଠାରେ ମଞ୍ଚା ଅଛି ବୋଲି କେହି ଜାଣିପାରିବେ ନାହିଁ । ଏସବୁ କାମ ଶେଷହେଲା ବେଳକୁ ଦିନଚାରିଟା ବାଜିଯାଇଥିଲା । ତଳେ ଗୋଟାଏ ଖୁଣ୍ଟରେ ଛେଳିକୁ ବାନ୍ଧି ଦିଆଗଲା । ରାମୁ ଗଛଉପରକୁ ଚଢ଼ି ମଞ୍ଚାରେ ବସିଲା । ତା’ ସଙ୍ଗରେ ଯାଇଥିବା ଗ୍ରାମବାସୀମାନେ ଗ୍ରାମକୁ ଫେରିଗଲେ ।

 

ଛେଳିଟା ଦେଖିଲା, ସେ ବଣ ଭିତରେ ଏକୁଟିଆ ବନ୍ଧା ହୋଇଥିବାରୁ ପଳାଇବାର ଉପାୟ ନାହିଁ । ସେ କାତର ହୋଇ ଗ୍ରାମ ରାସ୍ତାଆଡ଼କୁ ଚାହିଁ ମେଁ ମେଁ ରଡ଼ି ଛାଡ଼ିଲା । ଶିକାର କରିବାପାଇଁ ଯାହା କିଛି ଦରକାର, ସବୁ ପ୍ରସ୍ତୁତ । ପରିସ୍ଥିତି ଶିକାରୀପକ୍ଷରେ ଅନୁକୂଳ । ପ୍ରାୟ ସନ୍ଧ୍ୟା ଛଅଟା ବେଳକୁ ଚିତାବାଘ ଛେଳିର ରଡ଼ି ଶୁଣି ବଣରୁ ଆସି ତା’ ଉପରକୁ ଝାମ୍ପି ପଡ଼ିଲା । ସେତେବେଳକୁ ବେଶ୍ ଆଲୁଅ ଥିଲା । ରାମୁ ମଞ୍ଚାଉପରୁ ସହଜରେ ସବୁ ଦେଖିପାରୁଥିଲା । ସେ ବନ୍ଧୁକରେ ଆଇ. ଜି. କାଟ୍ରିଜ ଭର୍ତ୍ତିକରି ନେଇଥିଲା । ଚିତାବାଘ ଛେଳିର ଗଳାକୁ କାମୁଡ଼ିଧରି ତଳେ ପକାଇଥିବା ଅବସ୍ଥାରେ ରାମୁ ତାକୁ ଗୁଳିମାରିଲା । ଗୁଳିବାଜିବା ମାତ୍ରେ ଚିତାବାଘଟା କାଶିଲାପରି ଗୋଟାଏ ଶବ୍ଦକରି ଓଲଟିପଡ଼ିଲା ଓ ସଙ୍ଗେ ସଙ୍ଗେ ବଣବୁଦା ଆଡ଼କୁ ପଳାଇଲା । ଛେଳିଟା ତଳେ ପଡ଼ିଯାଇଥିଲା । ବାଘ ତା ଗଳାରେ କଣାକରି ଦେଇଥିବାରୁ ସେଥିରୁ ରକ୍ତ ବହିଯାଉଥିଲା ଓ ତାର ଶ୍ଵାସରୋଧ ହେଉଥିଲା । ତାକୁ ବେଶି ସମୟ ଯନ୍ତ୍ରଣା ଭୋଗିବାକୁ ନଦେଇ ରାମୁ ଗୋଟିଏ ଚୋଟ ଗୁଳିରେ ତାର ଜୀବନଦୀପ ଲିଭାଇଦେଲା ।

 

କିଛି ସମୟ ମଞ୍ଚାରେ ଅପେକ୍ଷାକରିବା ପରେ ରାମୁ ତଳକୁ ଓହ୍ଲାଇଆସି ସିଧା ଗ୍ରାମକୁ ଚାଲିଲା । ଗ୍ରାମବାସୀମାନେ ତାକୁ ବେଢ଼ିବାରୁ ସେ କହିଲା–ମୋ ଗୁଳି ଯେ ଚିତାବାଘ ଦେହରେ ବାଜିଛି ସେଥିରେ ସନ୍ଦେହ ନାହିଁ । କାଲି ସକାଳକୁ ଦେଖିବ, ସେ ଏଇ ଆଖପାଖରେ କେଉଁଠି ମରିପଡ଼ିଥିବ ।

 

ରାତିପାହି ସକାଳ ହେଲା । ଗ୍ରାମର ଅନେକ ଲୋକ ଦଳବାନ୍ଧି ବରଗଛ ଆଡ଼କୁ ଚାଲିଲେ । ସମସ୍ତଙ୍କ ଆଗରେ ଚାଲିଛି ରାମୁ ।

 

ସେମାନେ ଦେଖିଲେ ରାତି ଭିତରେ ଗୋଟାଏ ଗଧିଆ କାହୁଁ ଆସି ଛେଳିକୁ ଏକବାରେ ଖାଇଦେଇଛି । ଚିତାବାଘ ଯେଉଁଆଡ଼କୁ ପଳାଇଯାଇଥିଲା, ତାହା ରାମୁ ଦେଖାଇଦେଲା । ଲୋକେ ଦଳବାନ୍ଧି ଖୋଜି ପକାଇଲେ । ବୁଦାର ପତ୍ରମାନଙ୍କରେ ରକ୍ତ ଲାଗିଥିବାର ଦେଖି ଜଣାଗଲା ଯେ ଚିତାବାଘ ଦେହରେ ଗୁଳିବାଜିଛି ଓ ସେ ସେହିବାଟେ ଯାଇଛି; କିନ୍ତୁ ଚିତାବାଘର ଚିହ୍ନବର୍ଣ୍ଣ ମିଳିଲାନାହିଁ । ଲୋକେ ରକ୍ତର ଚିହ୍ନ ଦେଖି ଦେଖି ପ୍ରାୟ ଏକମାଇଲ ପର୍ଯ୍ୟନ୍ତ ଗଲେ, ତେଣିକି ଆଉ ରକ୍ତଚିହ୍ନ ଦିଶିଲାନାହିଁ । ଚିତାବାଘ କୁଆଡ଼େ ଗଲା ?

 

ଏହାପରେ ଦୁଇମାସ ଚାଲିଗଲା । ଏଥିମଧ୍ୟରେ କୌଣସିଠାରେ ଚିତାବାଘ ଗୋରୁଗାଈ ବା ଛେଳିମେଣ୍ଢା ମାରିଥିବାର ଶୁଣାଗଲା ନାହିଁ । ଖଲି ରାମୁ କାହିଁକି, ଗ୍ରାମବାସୀମାନେ ମଧ୍ୟ ଏଥିରୁ ଧରିନେଲେ ଯେ ଚିତାବାଘ ଗଭୀର ଜଙ୍ଗଲ ଭିତରକୁ ପଳାଇଯାଇଥିଲା ଓ ସେହିଠାରେ ସେ ମୃତ୍ୟୁମୁଖରେ ପଡ଼ିଛି ।

 

କିନ୍ତୁ ଏହି ସମୟରେ ଗୋଟିଏ ଘଟନା ଘଟିଲା । ଦିନେ ସନ୍ଧ୍ୟାବେଳେ ଷୋଳବର୍ଷର ଗୋଟିଏ ଟୋକା ଜଙ୍ଗଲବାଟେ ଗାଆଁ ଆଡ଼କୁ ଆସୁଥିଲା । ତା’ ସାଥିରେ କେହି ନଥିଲେ । ରାସ୍ତାର ଗୋଟାଏ ବାଙ୍କପାଖରେ ହେଲାବେଳକୁ ସେ ଦେଖିଲା, ରାସ୍ତାଠାରୁ ପ୍ରାୟ କୋଡ଼ିଏ ଗଜ ଦୂରରେ ଗୋଟାଏ ଚିତାବାଘ ପିଚାରେ ଭରାଦେଇ ବସି ତା’ ଆଡ଼କୁ ଚାହିଁରହିଛି । ସେ ଭାବିଲା, ଚିତାବାଘ ତାକୁ ଦେଖି ପଳାଇଯିବ । ସାଧାରଣତଃ ଚିତାବାଘମାନେ ମଣିଷକୁ ଦେଖିଲେ ପଳାଇଥାନ୍ତି; କିନ୍ତୁ ଏ ଚିତାବାଘଟା ପଳାଇ ନଯାଇ ଲେପଟାଇପଡ଼ି ଗର୍ଜନକଲା ।

 

ଟୋକାଟି ବୁଲିପଡ଼ି ଯେଉଁଆଡ଼ୁ ଆସୁଥିଲା ପୁଣି ସେହିଆଡ଼େ ଦୌଡ଼ିବାକୁ ଲାଗିଲା । ଚିତାବାଘ ତାହା ପଛେପଛେ ଚାଲିଲା । ଠିକ୍ ଯେଉଁଠାରେ ସେ ଟୋକାକୁ ଧରିବାକୁ ଗଲା ସେହିଠାରେ ଜଙ୍ଗଲ ରାସ୍ତାଉପରେ ଗୋଟାଏ ଶୁଖିଲା କାଠଗଡ଼ ପଡ଼ିଥିଲା । ଚିତାବାଘ ଟୋକା ଉପରକୁ ଡେଇଁପଡ଼ି ଗଳାପାଖର ଗୋଟାଏ କାନ୍ଧକୁ କାମୁଡ଼ି ଧରିଲା । ଟୋକା ତଳେ ପଡ଼ିଗଲାବେଳକୁ କାଠଗଡ଼ଟାକୁ ଦେଖିଲା । ଭୟ ଓ ନୈରାଶ୍ୟ ତାକୁ ସାହସ ଦେଲା; ହାତ ଗୋଡ଼କୁ ବଳଦେଲା । ମୁହୂର୍ତ୍ତକ ଭିତରେ ତାକୁ ଗୋଟାଏ ବୁଦ୍ଧି ଦେଖାଗଲା । ସେ ଜୋର୍‌ରେ କାଠଗଡ଼କୁ ଦୁଇହାତରେ ଧରି ଗଡ଼େଇ ଗଡ଼େଇ ତାର ଗୋଟାଏ ମୁଣ୍ଡକୁ ବାଘର ମୁହଁରେ ଭର୍ତ୍ତି କରିଦେଲା । ଏହା ଫଳରେ ବାଘ ତାର କାନ୍ଧରୁ ଦାନ୍ତ ବାହାର କରିନେଲା । କିନ୍ତୁ ଏଥିମଧ୍ୟରେ ଚିତାବାଘର ନଖରେ ତାର ବାହୁ ଜଙ୍ଘ ପ୍ରଭୃତି ଚିରି ହୋଇଯାଇଥିଲା । ଟୋକା ଉଠିପଡ଼ି ସେହି କାଠରେ ତାକୁ ମାରିବାକୁ ଗୋଡ଼ାଇଲା । ଏହା ଦେଖି ଚିତାବାଘ ସାହସ ହରାଇ ଡରିଗଲା ଓ ସେ ଡେଇଁ ଡେଇଁ ବୁଦା ଭିତରକୁ ପଳାଇଲା । କାଠଖଣ୍ଡକ ଟୋକାର ଜୀବନ ରକ୍ଷାକଲା । ତାର ହାତ ଗୋଡ଼ ଛାତି ସବୁ ଅଙ୍ଗରୁ ରକ୍ତରଧାର ବହୁଥାଏ । ହାତରେ ସେହି କାଠଖଣ୍ଡକ ଧରି ସେ କୌଣସିମତେ ଦଉଡ଼ି ଦଉଡ଼ି ଗାଆଁରେ ପହଞ୍ଚିଲା ।

 

ଏହା ହିଁ ହେଲା ସେ ଚିତାବାଘର ମଣିଷ ଉପରେ ପ୍ରଥମ ଆକ୍ରମଣ । ତାର ମଣିଷ ଉପରେ ଦ୍ଵିତୀୟ ଆକ୍ରମଣ ହେଲା ଏହି ଘଟନାର ତିନିସପ୍ତାହ ପରେ; କିନ୍ତୁ ଏଥର ସେ ମନୁଷ୍ୟକୁ ଭୟକରି ପଳାଇଯାଇ ନଥିଲା ।

 

ଜଣେ ଛେଳି ଜଗାଳି ତାର ଛେଳିପଲ ଘେନି ଗାଆଁକୁ ଫେରୁଥିଲା । ଏହି ସମୟରେ ଗୋଟାଏ ଚିତାବାଘ ସେମାନଙ୍କୁ ଆକ୍ରମଣକରି ଗୋଟାଏ ଛେଳି ନେଇଗଲା । ଛେଳିଜଗାଳି ନିତାନ୍ତ ଗରିବଲୋକ ଓ ଏହି ଛେଳିପଲଟି ଛଡ଼ା ତାର ଆଉ କିଛି ନଥିଲା । ସେଥିରୁ ଗୋଟିଏ ଛେଳି ହରାଇବା ତା ପକ୍ଷରେ କମ୍‍ କଥା ନୁହେଁ । ସେ ତାର ଛେଳିଟିକୁ ରକ୍ଷା କରିବାପାଇଁ ଖଣ୍ଡିଏ ତଡ଼ା ଧରି ଚିତାବାଘ ଆଡ଼କୁ ଧାଇଁଲା । ଏହା ତାହାର ସାହସର ପରିଚାୟକ ହୋଇପାରେ; କିନ୍ତୁ ନିର୍ବୋଧତାର ପରିଚାୟକ ମଧ୍ୟ । ସେ ଜାଣିଥିଲା ଯେ ନିକଟରେ ଗୋଟାଏ ଚିତାବାଘ ମାତିଛି । ସେ ଚିତାବାଘ ବିନା ଉତ୍ତେଜନାରେ ଜଣେ ମଣିଷକୁ ଆକ୍ରମଣ କରିଥିଲା । ଏପରି ସ୍ଥଳେ ଗୋଟାଏ ଠେଙ୍ଗା ଧରି ତାର ସମ୍ମୁଖୀନହେବା ଯେ ନିତାନ୍ତ ନିର୍ବୋଧତା, ଏଥିରେ ସନ୍ଦେହ ନାହିଁ । ଏହି ନିର୍ବୋଧତାର ମୂଲ୍ୟସ୍ୱରୂପ ତାକୁ ନିଜର ଜୀବନ ଦେବାକୁ ହୋଇଥିଲା । ସେ ଚିତାବାଘ ପାଖରେ ପହଞ୍ଚିଲାକ୍ଷଣି ଚିତାବାଘ ଛେଳିକୁ ଛାଡ଼ିଦେଇ ତା ଉପରକୁ ଝାମ୍ପି ପଡ଼ିଲା ଓ ତାର ଗଳାରେ ଦାନ୍ତବସାଇ ତାକୁ ମାରିପକାଇଲା ।

 

ଛେଳିମାନେ ଗାଆଁକୁ ପଳାଇଲେ । ଗ୍ରାମବାସୀମାନେ ଦେଖିଲେ ଛେଳି ଜଗୁଆଳି ଆସିନାହିଁ । କେତେକ ଏଥିରେ ବିସ୍ମିତ ହେଲେ । ଛେଳି ଜଗୁଆଳି ଏକୁଟିଆ ଲୋକ । ତାର ଭାରିଯା କି ପୁଅଝିଅ କେହି ନଥିଲେ । କିଛି ସମୟଯାଏ କେହି ତାର ନ ଆସିବା ଉପରେ ଗୁରୁତ୍ଵ ଦେଇ ନଥିଲେ । କିନ୍ତୁ ସନ୍ଧ୍ୟା ପରେ ଘଣ୍ଟାଏ ଦୁଇଘଣ୍ଟା ଭିତରେ ସେ ଘରକୁ ନ ଫେରିବାରୁ ସ୍ପଷ୍ଟ ଜଣାଗଲା ଯେ ତା’ଉପରେ କିଛି ଗୋଟାଏ ବିପଦ ପଡ଼ିଥିବ । କିନ୍ତୁ ଅନ୍ଧାର ମାଡ଼ି ଆସିଲାଣି । ସେତେବେଳେ କିଏ କଅଣ କରିପାରିବ ?

 

ପରଦିନ ସକାଳେ ତିରିଶ ଚାଳିଶଜଣ ଗ୍ରାମବାସୀ ଠେଙ୍ଗା ବାଡ଼ି ପ୍ରଭୃତି ଧରି ତାକୁ ଖୋଜିବାକୁ ବାହାରିଲେ । ଗାଆଁଠାରୁ ଜଙ୍ଗଲକୁ ଯେଉଁ ରାସ୍ତା ଯାଇଛି, ସେମାନେ ସେହି ରାସ୍ତାରେ ଚାଲିଲେ । ରାସ୍ତା ଉପରେ ଛେଳିମାନଙ୍କର ଗ୍ରାମକୁ ଯିବାର ଖୁରାଚିହ୍ନ ସ୍ପଷ୍ଟ ଦେଖାଯାଉଥିଲା । ସେହି ଖୁରାଚିହ୍ନ ଧରି କିଛି ଦୂର ଯିବାପରେ ସେମାନେ ଚିତାବାଘ ଲୋକଟିକୁ ଆକ୍ରମଣ କରିଥିବା ସ୍ଥାନରେ ପହଞ୍ଚିଲେ । ସେଠାରେ ଗୋଟାଏ ବଡ଼ ଚିତାବାଘର ସ୍ପଷ୍ଟ ପାଦଚିହ୍ନ ଦେଖିବାକୁ ମିଳିଲା । ପୁଣି ସେଠାରୁ ଚିତାବାଘ ମଣିଷକୁ ଯେଉଁବାଟେ ଟାଣିଟାଣି ନେଇଥିଲା, ସେଠାରେ ଘୋଷରା ଚିହ୍ନ ମଧ୍ୟ ମିଳିଲା । ସେହି ବାଟରେ କିଛି କିଛି ଦୂର ଛଡ଼ାରେ ମଣିଷଗଳାରୁ ରକ୍ତ ପଡ଼ିଥିଲା । ରାସ୍ତାଠାରୁ ଦୂରରେ କେବଳ ଘୋଷରା ଦାଗ ଦେଖାଯାଉଥିଲା, ରକ୍ତ ଦେଖାଯାଉ ନଥିଲା । କାରଣ ସେଠାର ମାଟି ଖୁବ୍ ଶୁଖିଲା ହୋଇଥିବାରୁ ରକ୍ତକୁ ଶୋଷି ନେଇଥିଲା ।

 

ଲୋକଟି ଯେଉଁ ରାସ୍ତାରେ ଛେଳିପଲକୁ ଆଣିଥିଲା ଚିତାବାଘ ସେହିବାଟେ ତାର ଦେହକୁ କିଛି ଦୂର ଘୋଷାରି ନେଇଥିଲା । ତାହାପରେ ତାକୁ ଟେକି ଜଙ୍ଗଲ ଭିତରକୁ ଯାଇଥିଲା । ଚିତାବାଘ ଯେଉଁଠାରେ ଲୋକଟିକୁ ମାରିଥିଲା, ସେଠାରୁ ତାକୁ ବେଶି ଦୂରକୁ ନେଇ ନଥିଲା । ଦଳେ ଗ୍ରାମବାସୀ ସେହି ସ୍ଥାନଠାରୁ ପ୍ରାୟ ଶହେ ଗଜ ଦୂରରେ ଲୋକଟିର ଶବକୁ ଦେଖିବାକୁ ପାଇଲେ । ଚିତାବାଘ ତାର ଛାତି ଓ ଜଙ୍ଘର କେତେକ ମାଂସ ଖାଇଯାଇଥିଲା । ଏହି ଘଟନାରୁ ୟେଲାଗିରିର ମଣିଷଖିଆ ଚିତାବାଘର ଉତ୍ପତ୍ତି ।

 

ୟେଲାଗିରି ଗୋଟିଏ ପାହାଡ଼ ନୁହେଁ । ଦ୍ଵିତୀୟା ତିଥିର ଚନ୍ଦ୍ରର ଆକାରରେ ଅବସ୍ଥିତ ଅନେକଗୁଡ଼ିଏ ପାହାଡ଼ର ସମଷ୍ଟି ହେଉଛି ୟେଲାଗିରି । ଦକ୍ଷିଣ ରେଳବାଇର ଜଲାରପେଟ ଜଙ୍କ୍‌ସନର ଠିକ୍ ଦକ୍ଷିଣରେ ଏହି ପାହାଡ଼ମାଳା ଅବସ୍ଥିତ । ଏହାର ସମ୍ମୁଖ ମେଲାଭାଗଟି ଜଙ୍କ୍‌ସନଠାରୁ ଦୂରରେ; ବକ୍ର ଅଂଶର ଶୀର୍ଷଦେଶଟି ସମୁଦ୍ରପତ୍ତନଠାରୁ ପ୍ରାୟ ତିନିହଜାର ଫୁଟ ଉଚ୍ଚକୁ ଉଠିଛି । ଏହି ଶୀର୍ଷଭାଗଟି ଷ୍ଟେସନପାଖରୁ ଦୁଇମାଇଲ ଦୂର । ଗୋଟାଏ ଆବଡ଼ା ଖାବଡ଼ା ବାଟ ବଙ୍କେଇ ବଙ୍କେଇ ଏହି ଉଚ୍ଚ ସ୍ଥାନକୁ ଯାଇଛି । ସେହିବାଟେ ଗଲାବେଳେ ସମୟେ ସମୟେ ପଥର ମୁଣ୍ଡିଆକୁ ଧରି ଉଠିବାକୁ ହୋଇଥାଏ ।

 

ଅନେକବର୍ଷତଳେ, ଠିକ୍ କହିବାକୁ ଗଲେ, ୧୯୪୧ ମସିହାରେ ମୁଁ ଏହି ପାହାଡ଼ମାଳାର ଶୀର୍ଷଦେଶରେ କେତେକ ଜମି କିଣିଥିଲି । ଏହି ସ୍ଥାନଟି ବାଙ୍ଗାଲୋରଠାରୁ ୯୫ ମାଇଲ ଦୂର । ଏହିଠାରେ ସାପ୍ତାହିକ ଛୁଟି କଟାଇବା ମୋର ଉଦ୍ଦେଶ୍ୟ ଥିଲା । କିନ୍ତୁ ସମୟର ଅଭାବରୁ ମୁଁ ନିୟମିତ ଭାବରେ ଏଠାକୁ ଆସିପାରୁନଥିଲି; ଫଳରେ ବୁଦାଲଟା ମାଡ଼ିଆସୁଥିଲା ।

 

ତିନି ଚାରିଦିନ ରହି ମୋ ଜାଗାର ଲଟାବୁଦା ସଫା କରାଇବା ଉଦ୍ଦେଶ୍ୟରେ ସେଠାକୁ ଆସିବାକୁ ସ୍ଥିରକଲି । ସେଠାରେ ପହଞ୍ଚିବା ମାତ୍ରେ ଶୁଣିଲି ଯେ ଅଳ୍ପ କେତେଦିନ ପୂର୍ବରୁ ଚିତାବାଘ ଜଣେ ଛେଳି ଜଗୁଆଳକୁ ମାରିଦେଇଛି । ଏଭଳି ଖବର କୌଣସି ଖବରକାଗଜରେ ବାହାରିନଥିଲା-। ଯେଉଁ କୁଲିମାନେ ମୋର ଅରମା ସଫା କରୁଥିଲେ ସେମାନଙ୍କଠାରୁ ଏହି ଚିତାବାଘ କଥା ପ୍ରଥମେ ଶୁଣିଲି । ସେମାନେ କହିଲେ ଯେ ସେ ଚିତାବାଘ ଆଖପାଖରେ ରହି ଶିକାର କରୁଛି; ଗଲାକାଲି ସେମାନେ ତାର ପାଦଚିହ୍ନ ଦେଖିଥିଲେ ।

 

ଚିତାବାଘ ବିଷୟରେ ମୋର କୌତୂହଳ ଜନ୍ମିଲା । ଭାବିଲି, ଏତିକିବେଳେ ଚିତାବାଘଟାକୁ ଶିକାର କରିବାର ଉଦ୍ୟମ କଲେ ହେବ । ମୁଁ ସାଥିରେ ମୋର କୌଣସି ରାଇଫେଲ ଆଣିନଥିଲି । ଆଣିଥିଲି କେବଳ (12 bore shotgune) ବାରଛିଦ୍ର ବିଶିଷ୍ଟ ବନ୍ଧୁକଟି । ଏଥିରେ ଭଲ ପକ୍ଷୀ ଶିକାର କରି ହୁଏ । ୟେଲାଗିରିରେ ବହୁ ସଂଖ୍ୟାରେ ଜଙ୍ଗଲିପକ୍ଷୀ ଦେଖାଯାନ୍ତି; ମୁଁ ଯେତେବେଳେ ସେଠାକୁ ଆସେ ଦୁଇଚାରିଟା ପକ୍ଷୀ ମାରିଥାଏଁ । ସେମାନଙ୍କ ମାଂସରେ ଆମର ତରକାରି ହୁଏ । ପୁଣି ଏହି ପକ୍ଷୀଶିକାର ଉଦ୍ଦେଶ୍ୟରେ ମୁଁ ଛଅ ନମ୍ବର ଛରରା ଆଣି ଆସିଥିଲି । ଦୈବାତ୍ ଦରକାର ହୋଇପାରେ ବୋଲି ମାତ୍ର ଦୁଇଟି ଏଲ୍. ଜି. କାଟ୍ରିଜ୍ ଆଣିଥିଲି । ଚିତାବାଘ ଶିକାର କରିବାକୁ ହେଲେ ମାତ୍ର ଏହି ଦୁଇଟି କାଟ୍ରିଜ ଉପରେ ପୂର୍ଣ୍ଣମାତ୍ରାରେ ନିର୍ଭର କରିବାକୁ ପଡ଼ିବ ।

 

ଦିନ ଦି’ପହର ବେଳକୁ ମୁଁ ଅରମା ସଫେଇ କାମ ବନ୍ଦ କରାଇ କୁଲିମାନଙ୍କୁ ସଙ୍ଗରେ ଘେନି ସେ ଅଞ୍ଚଳଟା ବୁଲି ଦେଖି ଆସିବାକୁ ବାହାରିଲି । ମୁଁ ଯାହା ଦେଖିବି ବୋଲି ଆଶା କରିଥିଲି ଠିକ୍ ତାହାହିଁ ଦେଖିବାକୁ ମିଳିଲା । ଜଙ୍ଗଲ କ୍ରମେ ପାତଳା ହୋଇ ଗାଁକୁ ଲାଗି ରହିଥିବା କେତୋଟି କ୍ଷେତ କିଆରି ପାଖେ ଶେଷ ହୋଇଥିଲା । ଗୋଟିଏ କିଆରି ମୁଣ୍ଡରେ ଚଲାରାସ୍ତା ଉପରେ ଗୋଟାଏ ଚିତାବାଘର ପାଦଚିହ୍ନ ସ୍ପଷ୍ଟଭାବରେ ଦେଖିପାରିଲି । ସେହି ପାଦଚିହ୍ନରୁ ଜଣାଗଲା ଯେ ଚିତାବାଘଟି ଗୋଟିଏ ଖୁବ୍ ବଡ଼ ଅଣ୍ଡିରା ବାଘ । ଗତ ରାତିରେ ସେ ସେହିବାଟେ ଯାଇଥିବା ବିଷୟରେ ମୋର ସନ୍ଦେହ ରହିଲାନାହିଁ ।

 

ମୁଁ ଗାଁ ଭିତରକୁ ଯାଇ ଗାଆଁର ପଟେଲ (ସରଦାର)କୁ ମୋର ପରିଚୟ ଦେଲି । ତା’ ସହିତ ମୋର ଏଥିପୂର୍ବରୁ କେବେ ସାକ୍ଷାତ ଘଟିନଥିଲା । ମୁଁ କାହିଁକି ସେଠାକୁ ଆସିଛି ତାକୁ ଜଣାଇଲି । ମୋର ଆଗମନରେ ସେ ଖୁବ୍ ଆନନ୍ଦ ପ୍ରକାଶ କରି ମୋତେ ଯତ୍ପରୋନାସ୍ତି ସାହାଯ୍ୟ କରିବାକୁ ସ୍ୱୀକୃତି ଦେଲା । ଆମ ଦୁହିଁଙ୍କ ଭିତରେ ଆଲୋଚନା ଚାଲିଲା । ମୁଁ କହିଲି–ଚିତାବାଘକୁ ମାରିବା ପାଇଁ ଚେଷ୍ଟା କରିବାକୁ ହେଲେ ଥୋପ ବସାଇବା ପାଇଁ ମୋତେ ଗୋଟାଏ ଛେଳି କିଣିଦିଅ ।

 

ସେ ଗାଆଁରେ କାହାରି ଛେଳି ନଥିଲେ । ତେଣୁ ଛେଳି କିଣିବାରେ ପଟେଲର ସାହାଯ୍ୟ ନିତାନ୍ତ ଦରକାର ଥିଲା । ସେ ଅନେକ କଷ୍ଟ ସ୍ଵୀକାର କରି ପାଖ ଗାଆଁରୁ ଗୋଟିଏ ଛେଳି କିଣିଆଣିଲା । ଛେଳିଟି ନିତାନ୍ତ ଛୋଟ; ତାର ବୋବାଳି ବେଶି ଦୂରକୁ ଶୁଣାଯିବାର ଆଶା ନଥିଲା । ତାକୁ ସଂଗ୍ରହ କରିବାରେ ଅନେକ ବେଳ ଲାଗିଗଲା । ପଟେଲ ଓ ମୁଁ ଚାରିଜଣ ଲୋକ ଘେନି ବାହାରିଲୁ । ଜଣେ ଛେଳିକୁ ବାନ୍ଧି ନେଉଥାଏ ଓ ଅନ୍ୟମାନେ ଟାଙ୍ଗିଆ ଧରିଥାନ୍ତି । ମଞ୍ଚା ତିଆରି କରିବାପାଇଁ ଏହି ଲୋକମାନଙ୍କର ସାହାଯ୍ୟ ଦରକାର ଥିଲା ।

 

ଯେଉଁଠାରେ ଚିତାବାଘ ଛେଳିଜଗାଳିକୁ ଆକ୍ରମଣ କରିଥିଲା, ଆମେ ପ୍ରଥମେ ସେଇଠାକୁ ଗଲୁ । ସେଠାରୁ ଚାଲିଲୁ ଯେଉଁଠାରେ ତାର ଶବର ଅବଶେଷ ମିଳିଥିଲା । ଏହି ସ୍ଥାନଟି ମାନ୍ଦ୍ରାଜୀ କଣ୍ଟାବୁଦାରେ ପୂର୍ଣ୍ଣ ଥିଲା । ସ୍ଥାନୀୟ ଲୋକେ ଏହି କଣ୍ଟା ଗଛକୁ କହୁଥିଲେ କୋର୍କାପୁଲି କଣ୍ଟା । ସେଠାରେ ତଳେ ବସିବାର ସମ୍ଭାବନା ନଥିଲା; କାରଣ କଣ୍ଟାବୁଦା ଗୁଡ଼ିକ ଖୁବ୍ ଲଗାଲଗି ଥିଲା । ସେଠାରେ ଛେଳିକୁ ବାନ୍ଧିଲେ ତାହା ତିନି ଚାରି ହାତ ଦୂରରୁ ସୁଦ୍ଧା ଦେଖାଯିବାର ଆଶାନଥିଲା । ତେଣୁ ଆମେମାନେ ବାଧ୍ୟ ହୋଇ ସେଇବାଟେ ପ୍ରାୟ ପାଏବାଟ ପଛକୁ ଫେରିଆସିଲୁ ।

 

ଗୋଟିଏ ବଡ଼ ପଣସଗଛ ଆମ ଦୃଷ୍ଟିରେ ପଡ଼ିଲା । ଏଥିରେ ଖୁବ୍ ଗହଳିଆ ପତ୍ର ଥିଲା-। ଆମେ ଦେଖିଲୁ, ଏଇ ଗଛରେ ମଞ୍ଚାବାନ୍ଧିବା ସବୁଠାରୁ ସୁବିଧାଜନକ ହେବ । ଗଛର ମୂଳରୁ ପ୍ରାୟ ଆଠଫୁଟ ଉଚ୍ଚରେ ଗଣ୍ଡିରୁ ଗୋଟିଏ ମୋଟ ଡାଳ ବାହାରିଯାଇଥିଲା । ଏଇଟି ହେଲା ନିମ୍ନତମ ଡାଳ । ତୃତୀୟ ଡାଳଟି ରାସ୍ତା ଉପରକୁ ଲମ୍ବିଯାଇଥିଲା ଓ ଏହା ଦୁଇ ଶାଖାରେ ବିଭକ୍ତ ହୋଇଥିଲା । ଭୂମିରୁ ଏହାର ଉଚ୍ଚତା ଥିଲା ପ୍ରାୟ ପନ୍ଦରଫୁଟ ।

 

ଯେଉଁଠାରେ ଡାଳଟି ଦୁଇଭାଗରେ ବିଭକ୍ତ ହୋଇଥିଲା, ସେହିଠାରେ ମଞ୍ଚା ତିଆରି କରିବାପାଇଁ ମୁଁ ଲୋକମାନଙ୍କୁ ଆଦେଶ ଦେଲି । ସେମାନେ ପ୍ରଥମେ ପାଖ ଗଛରୁ କେତେକ ସରୁ ଡାଳ କାଟି, ସେଥିରୁ ପତ୍ରସବୁ ଦୂରରେ ଫିଙ୍ଗିଦେଲେ । ଜଙ୍ଗଲରୁ ଲଟା କାଟିଆଣି ତାହା ସାହାଯ୍ୟରେ ସେହି ଡାଳଗୁଡ଼ିକୁ ଦୁଇ ଶାଖାରେ ବାନ୍ଧିଦେଲେ । ଏହିପରି ଚାରିଫୁଟ ଲମ୍ବ ଓ ତିନିଫୁଟ ଓସାରର ଗୋଟିଏ ଭାଡ଼ି ହୋଇଗଲା । ମୋର ବସିବାପାଇଁ ଏହାହିଁ ଯଥେଷ୍ଟ ହେବ ବୋଲି ମନେକଲି । ଏହାର ଚାରିପାଖକୁ ଛୋଟ ଡାଳପତ୍ରରେ ଏପରି ଘୋଡ଼ାଇ ଦିଆଗଲା, ଯେପରି ଏହା ବାରିହେବନାହିଁ । ଚାରିପାଖ ପରି ଭାଡ଼ିର ତଳପାଖ ମଧ୍ୟ ଲତାପତ୍ରରେ ଘୋଡ଼ାଇ ଦିଆଗଲା; ଯେପରିକି ଚିତାବାଘ ଆଖପାଖରେ ଯେକୌଣସି ସ୍ଥାନରୁ ଚାହିଁଲେ ମଞ୍ଚାରେ ବସିଥିବା ଲୋକକୁ ଦେଖିପାରିବ ନାହିଁ କିମ୍ବା ସ୍ଥାନ ବିଷୟରେ ତାର କୌଣସି ପ୍ରକାର ସନ୍ଦେହ ଉପୁଜିବନାହିଁ-

 

ଏସବୁ ବ୍ୟବସ୍ଥା ହେଲାପରେ ମୁଁ ଜଣେ ଲୋକକୁ ଗୋଟିଏ ଖୁଣ୍ଟ ତିଆରି କରିବାକୁ କହିଲି । ମଞ୍ଚାତଳୁ ପ୍ରାୟ କୋଡ଼ିଏ ଫୁଟ ଦୂରରେ ସେହି ଖୁଣ୍ଟ ପୋତାଗଲା । ଏପରି କରିବାର କାରଣ ଥିଲା । ମୋ ବନ୍ଧୁକରେ ବେଶିଦୂରକୁ ଗୁଳିଯିବାର ଆଶା ନଥିଲା ।

 

ଏହାପରେ ମୁଁ ମଞ୍ଚାକୁ ଚଢ଼ିଲି ଓ ଖୁଣ୍ଟ ଦେଖାଯିବା ଭଳି ଗୋଟିଏ ସ୍ଥାନରେ ସାମାନ୍ୟ ମେଲା କରିଦେଲି । ସେହିବାଟେ ଖୁଣ୍ଟ ଓ ତା’ରି ଚାରିପାଖର କେତେକ ସ୍ଥାନ ଦେଖାଯାଉଥିଲା । ଏହିପରି ଆମେମାନେ ପ୍ରସ୍ତୁତହେଲା ବେଳକୁ ଦିନ ପ୍ରାୟ ପାଞ୍ଚଟା ହୋଇ ଯାଇଥିଲା ।

 

ଆଗରୁ ମୁଁ କହିଛି, କୌଣସି ବଡ଼ଜନ୍ତୁ ଶିକାରକରିବା ଉଦ୍ଦେଶ୍ୟରେ ମୁଁ ୟେଲାଗିରିକୁ ଆସି ନଥିଲି । ତେଣୁ ମୁଁ ସାଥିରେ ରାତି ଶିକାରର ଉପକରଣ ଆଣି ନଥିଲି । ରାତିରେ ବଡ଼ଜନ୍ତୁ ଶିକାରପାଇଁ ମୋର ରାଇଫେଲରେ ଗୋଟିଏ ବଡ଼ ଟର୍ଚ୍ଚ ଖଞ୍ଜାହୋଇଥାଏ । କିନ୍ତୁ ଏଥର ମୁଁ ସେ ଟର୍ଚ୍ଚ ନଆଣି ତମ୍ବୁରେ ବ୍ୟବହାର କରିବାପାଇଁ ଗୋଟିଏ ଦୁଇଟି ବ୍ୟାଟେରି ବିଶିଷ୍ଟ ଛୋଟ ଟର୍ଚ୍ଚ ଆଣିଥିଲି । ଶିକାର କରିବାପାଇଁ ଏହା ଏକବାରେ ବ୍ୟବହାରର ଅନୁପଯୁକ୍ତ ଥିଲା । ପୁଣି ଏ ଛୋଟ ଟର୍ଚ୍ଚକୁ ବନ୍ଧୁକରେ ଖଞ୍ଜିବାର କୌଣସି ବ୍ୟବସ୍ଥା ନଥିଲା । ତେଣୁ ଏହାକୁ ବ୍ୟବହାର କଲେ ମୋତେ ବାଁ ହାତରେ ବନ୍ଧୁକନଳୀର ଖୁବ୍ ନିକଟରେ ଧରିବାକୁ ହେବ । ଏକେ ଅନ୍ଧାର ପକ୍ଷ; ରାଇଫେଲ ନାହିଁ; ବଡ଼ ଟର୍ଚ୍ଚ ନାହିଁ । ଏସବୁ ଦୃଷ୍ଟିରୁ ସଫଳତାର ଆଶା କ୍ଷୀଣ ମନେହେଲା । ଶବ୍ଦ ଓ ମୋର ନିଜ ଇନ୍ଦ୍ରିୟର ଅନୁଭୂତି ଉପରେ ନିର୍ଭରକରି ଚିତାବାଘର ଅବସ୍ଥାନ ନିର୍ଣ୍ଣୟ କରିବାକୁ ହେବ । ସେଥିରେ ପୁଣି ଚିତାବାଘ ଯେ ସେ ରାତିରେ ସେଠାକୁ ଆସିବ ତାର ସ୍ଥିରତା ବା କଅଣ ?

 

ଯାହାହେଉ, ଏହିସବୁ କଥା ଚିନ୍ତା କରି କରି ମୁଁ ମଞ୍ଚା ଉପରେ ବସିଲି । ଛେଳିକୁ ଖୁଣ୍ଟରେ ବାନ୍ଧିଦେଇ ଗାଆଁକୁ ଚାଲିଯିବା ପାଇଁ ମୁଁ ଲୋକମାନଙ୍କୁ ଆଦେଶ ଦେଲି । ଫେରିଗଲାବେଳେ ସେମାନେ ଖୁବ୍ ବଡ଼ ପାଟିରେ ଶବ୍ଦ କରିକରି ଯିବାକୁ କହିଲି । ଏପରି କଲେ ଛେଳି ଏକୁଟିଆ ରହିଯାଉଛି ଭାବି ଆକୁଳରେ ବୋବାଇବ । ଯଦି ଚିତାବାଘ ଆଖପାଖରେ କେଉଁଠି ଥାଏ, ତେବେ ସେ ଲୋକଙ୍କର ଗାଆଁକୁ ଯିବାର ଶବ୍ଦ ଓ ଛେଳିର ବୋବାଳି ଶୁଣି ଶୀଘ୍ର ଛେଳିକୁ ଖାଇବାପାଇଁ ଆସିଯିବ ।

 

ଲୋକେ ଛେଳିକୁ ଖୁଣ୍ଟରେ ବାନ୍ଧି ପାଟିତୁଣ୍ଡ କରି ଗାଆଁ ଆଡ଼କୁ ଚାଲିଲେ । ସଙ୍ଗେ ସଙ୍ଗେ ଛେଳି ଓଟାରିହୋଇ ରାବିବାକୁ ଲାଗିଲା । ମୁଁ ମନେମନେ ପଟେଲକୁ ଧନ୍ୟବାଦ ଦେଲି । ଭାବିଲି, ସେଠାରୁ ମାଇଲକ ଭିତରେ ଯଦି ଚିତାବାଘ କୌଣସିଠାରେ ଥାଏ, ତେବେ ନିଶ୍ଚୟ ସେ ଛେଳିର ରାବ ଶୁଣି ତାକୁ ଖାଇବାପାଇଁ ଧାଇଁଆସିବ ।

 

କିନ୍ତୁ ମୋର ଏହି ଚିନ୍ତା କାର୍ଯ୍ୟରେ ପରିଣତ ହେଲାନାହିଁ । ବେଳ ଗଡ଼ିଗଲା, ସୂର୍ଯ୍ୟ ଅସ୍ତ ହେବାକୁ ବସିଲେ । ଛେଳିଟା ରାବିରାବି ତାର ତଣ୍ଟି ପଡ଼ିଆସିଲା । ତଥାପି ଚିତାବାଘର ଦର୍ଶନ ମିଳିଲାନାହିଁ । ଶେଷକୁ ଛେଳି କ୍ଳାନ୍ତହୋଇ ଭାଗ୍ୟକୁ ଆଦରି ବଣବୁଦା ଭିତରେ ରାତି କଟାଇବ ଭାବି ଚୁପ୍ ହୋଇଗଲା । ଆଗଗୋଡ଼ ଦୁଇଟାକୁ ବଙ୍କାଇ ସେ ଶୋଇବାର ଉଦ୍ୟମକଲା । ଅନ୍ଧାର ହୋଇଆସିଲା । ଚିତାବାଘ ଠିକ୍ ସେଇବାଟେ ଆସି ଛେଳିକୁ ନ ଝୁଣ୍ଟିଲେ ସେ ତାକୁ ଦେଖିବାର ଆଶା ରହିଲାନାହିଁ । ମୁଁ ନିରାଶହୋଇ ପଡ଼ିଲି । ତଥାପି ରାତି ନଅଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସ୍ଥିରକଲି । ଭାଗ୍ୟରେ ଯାହା ଥିବ ହେବ ।

 

ଏପରି ଅପେକ୍ଷା କରିବା ମୋ ଜୀବନରେ ନୂଆକଥା ନୁହେଁ । ଅଢ଼େଇ ଘଣ୍ଟା ଚାଲିଗଲା-। ବଣର ପକ୍ଷୀମାନଙ୍କର ରାବ ବନ୍ଦ ହୋଇଗଲା । କେବଳ ଗୋଟାଏ ଜାତିର ପକ୍ଷୀର ରାବ ମଝିରେ ମଝିରେ ଶୁଣାଯାଉଥାଏ । ଏ ପକ୍ଷୀକୁ କହନ୍ତି ‘ଜଗୁଆଳି’ ପକ୍ଷୀ; କାରଣ ଗୋରୁଜଗାଳିମାନେ ଗୋରୁଙ୍କୁ ଚରିବାପାଇଁ ଛାଡ଼ିଦେଇ ସେମାନଙ୍କୁ ଦୂରକୁ ନ ଯିବାପାଇଁ ଯେପରି ଶବ୍ଦ କରନ୍ତି, ଏମାନଙ୍କର ରାବ ପ୍ରାୟ ସେହିପରି–ଧୀର ଓ ଶ୍ରୁତିକଟୁ । ତାମିଲ ଭାଷାରେ ଏହାର ନାମ ହେଉଛି ‘ମାତପୟା କୁର୍‌ବେ’ । ଏହି ନାମଟି ଦକ୍ଷିଣ ଭାରତରେ ସୁପରିଚିତ । ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ପକ୍ଷୀ କେବଳ ବଣଜଙ୍ଗଲରେ ଦେଖାଯାନ୍ତି; ଚାଷକ୍ଷେତ ନିକଟରେ ଏ ପକ୍ଷୀ ମୁଁ କେବେହେଲେ ଦେଖିନାହିଁ ।

 

ନଅଟା ବାଜି ପନ୍ଦର ମିନିଟହେଲା । ଆଉ ଜଗିବସିବା ନିରର୍ଥକ ମନେକରି ଫେରିଯିବାକୁ ସ୍ଥିରକଲି । ମୁଁ ପ୍ରଥମେ ଛେଳିଆଡ଼କୁ ଟର୍ଚ୍ଚର ଆଲୁଅ ପକାଇଲି । ଆଲୁଅ ବିକ୍ଷିପ୍ତହୋଇ ପଡ଼ୁଥିବାରୁ ସଫା ଦେଖାଯାଉ ନଥିଲା । କିନ୍ତୁ ଛେଳି ଖୁରାରେ ମାଟି ରାମ୍ପୁଥିବାର ଶବ୍ଦ ଶୁଣାଗଲା । ଚିତାବାଘ ଛେଳିକୁ ଆକ୍ରମଣ କରିଥିଲେ ସୁଦ୍ଧା ମୁଁ ତାକୁ ଭଲରୂପେ ଦେଖିପାରିନଥାନ୍ତି । ତେଣୁ ମୁଁ ନିଜକୁ ସାନ୍ତ୍ଵନାଦେଇ ଧରିନେଲି ଯେ ଚିତାବାଘ ଆସିଲାନାହିଁ ।

 

ମଞ୍ଚାରୁ ଓହ୍ଲାଇଆସି ମୁଁ ଛେଳିକୁ ଖୁଣ୍ଟରୁ ଫିଟାଇ ଗାଆଁକୁ ନେଇଗଲି । ସେଠାରେ ମଞ୍ଚା ବାନ୍ଧିଥିବା ଜଣେ ଲୋକ ଜିମାରେ ଛେଳିକୁ ଛାଡ଼ିଦେଇ ମୁଁ ଚାଲିଗଲି ।

 

ଆରଦିନ ସକାଳେ ମୁଁ ଗାଆଁର ଲୋକଙ୍କ ପାଖରୁ ଏହି ଚିତାବାଘ ସମ୍ବନ୍ଧରେ ବିଶଦ ବିବରଣ ସଂଗ୍ରହ କରିବାରେ ଲାଗିଲି; କିନ୍ତୁ ପୂର୍ବରୁ ଯାହା ଶୁଣିଥିଲି, ତାହା ଅପେକ୍ଷା ଅଧିକା କିଛି ଜାଣିପାରିଲି ନାହିଁ । ଠିକ୍ କେଉଁଠାରୁ ଏ ଚିତାବାଘ ଆସିଥିଲା କି ଠିକ୍ କେଉଁ ଅଞ୍ଚଳରେ ସେ ରହିଥିବ ସେ ବିଷୟରେ କାହାରିଠାରୁ କିଛି ଖବର ମିଳିଲାନାହିଁ ।

 

ଏହାପରେ ତିନିଦିନଯାଏ ମୋର ଜମି ସଫେଇ କାମ ଚାଲିଲା । ପ୍ରତିଦିନ ସଞ୍ଜବେଳେ ମୁଁ ଗୋଟାଏ ଲେଖାଏ ଛେଳି ଖୁଣ୍ଟରେ ବାନ୍ଧି ମଞ୍ଚାଉପରେ ବସିରହେ । ରାତି ଅଧବେଳକୁ ହତାଶହୋଇ ଫେରିଆସେ । ଏ ତିନି ରାତିଯାକ ଚିତାବାଘର ସ୍ଵର ଶୁଣିବାକୁ ପାଇଲିନାହିଁ । ଚିତାବାଘର ପାଦଚିହ୍ନ ଦେଖିବା ଆଶାରେ ତିନି ଦିନଯାକ ସକାଳେ ମୁଁ ମଞ୍ଚାପାଖ, ଜଙ୍ଗଲ ରାସ୍ତା, ନଦୀଶଯ୍ୟା ପ୍ରଭୃତି ପରୀକ୍ଷା କରୁଥିଲି; କିନ୍ତୁ କୌଣସିଠାରେ ଚିତାବାଘ ଯାଇଥିବାର ସଙ୍କେତ ପାଇଲିନାହିଁ । ଭାବିଲି, ଚିତାବାଘଟା ୟେଲାଗିରି ପାହାଡ଼ର କୌଣସି ଦୂରବର୍ତ୍ତୀ ଅଞ୍ଚଳକୁ ଚାଲିଗଲାଣି ।

 

ଚତୁର୍ଥଦିନ ସକାଳେ ମୁଁ ବାଙ୍ଗାଲୋର ଯିବାକୁ ବାହାରିଲି । ଯିବାପୂର୍ବରୁ ମୁଁ ଗାଆଁର ପଟେଲକୁ କିଛି ଟଙ୍କା ଓ ମୋର ଠିକଣା ସହ ନାମଦେଇ କହିଲି–ଚିତାବାଘର ଖବର ମିଳିଲେ ମୋ ପାଖକୁ ଟେଲିଗ୍ରାମ କରିବ । ତୁମେ ଜଣେଲୋକ ହାତରେ ଜଲାରପେଟ ଷ୍ଟେସନକୁ ଟେଲିଗ୍ରାମ ଦେଇ ପଠାଇଲେ ଷ୍ଟେସନମାଷ୍ଟର ମୋ ପାଖକୁ ଟେଲିଗ୍ରାମ କରିଦେବେ ।

 

ମାସକରୁ ବେଶିଦିନ ଚାଲିଗଲା । ମୋ ପାଖରେ କୌଣସି ଟେଲିଗ୍ରାମ ପହଞ୍ଚିଲାନାହିଁ । ମୁଁ ସ୍ଥିରକଲି ନେଲି ଯେ ସେ ଚିତାବାଘର ମଣିଷଖାଇବା ଅଭ୍ୟାସ ନାହିଁ ଅଥବା ସେ ୟେଲାଗିରି ପାହାଡ଼ ଛାଡ଼ି ମଝିର ଚାଷ କ୍ଷେତସବୁ ପାରହୋଇ ଯାବାଡ଼ି ପାହାଡ଼ର ଜଙ୍ଗଲକୁ ପଳାଇଯାଇଛି । ଏହି ଯାବାଡ଼ି ପାହାଡ଼ମାଳା ଖୁବ୍ ପ୍ରଶସ୍ତ ଓ ଦକ୍ଷିଣ ପୂର୍ବଦିଗରେ ୟେଲାଗିରି ଅତିକ୍ରମ କରି ତିରୁବନମଲାଇ ପର୍ଯ୍ୟନ୍ତ ବିସ୍ତୃତ । ତିରୁବନମଲାଇ ପାହାଡ଼ରେ ଜଣେ ସାଧୁ ବାସକରନ୍ତି; ତାଙ୍କର ଅଦ୍ଭୁତ ଶକ୍ତି ଥିବାର ଶୁଣାଯାଏ । ତେଣୁ ଲୋକେ ଏହି ପାହାଡ଼କୁ ଅତି ପବିତ୍ର ମନେକରନ୍ତି ।

 

ମୋର ସବୁ କଳ୍ପନା ମିଥ୍ୟା ବୋଲି ପରେ ପ୍ରମାଣିତ ହୋଇଗଲା ।

 

ଟେଲିଗ୍ରାମ ପାଇବାର ଆଶା ଛାଡ଼ି ଦେଇଥିଲି । କିନ୍ତୁ ବାଙ୍ଗାଲୋରରେ ପହଞ୍ଚିବାର ସାତ ସପ୍ତାହ ପରେ ଖଣ୍ଡିଏ ଟେଲିଗ୍ରାମ ପାଇଲି । ସେଥିରୁ ଜାଣିଲି–ଯେଉଁ ଡାକହରକରା ଜଲାରପେଟରୁ ଡାକ ନେଇ ପାହାଡ଼ ଉପରେ ଥିବା ଗ୍ରାମମାନଙ୍କରେ ଚିଠି ପ୍ରଭୃତି ବାଣ୍ଟେ ତାକୁ ଚିତାବାଘ ମାରିପକାଇଛି ।

 

ଟେଲିଗ୍ରାମ ପାଇଲାବେଳକୁ ଅପରାହଣ ତିନିଟା ହୋଇଯାଇଥାଏ; ତଥାପି ମୁଁ ଦଉଡ଼ି ଦଉଡ଼ି ବାଙ୍ଗାଲୋର ଷ୍ଟେସନରେ ପହଞ୍ଚି ତ୍ରିଚିନାପଲି ଏକ୍‌ସପ୍ରେସ ଗାଡ଼ି ଧରିଲି । ଏହି ଗାଡ଼ି ସନ୍ଧ୍ୟା ୭ଟାରେ ବାଙ୍ଗାଲୋର ଛାଡ଼ି ରାତି ସାଢ଼େ ଦଶଟାରେ ଜଲାରପେଟରେ ପହଞ୍ଚେ । ମୁଁ ସାଥିରେ ଗୋଟିଏ ଛୋଟ ପେଟ୍ରୋମାକ୍‌ସ ଲାଇଟ ନେଇଥିଲି । ଜଲାରପେଟ ଷ୍ଟେସନଠାରୁ ଗ୍ରାମର ଦୂରତା ଆଠମାଇଲ । ପେଟ୍ରୋମାକ୍‌ସ ଲାଇଟ ଧରି ମୁଁ ରାତି ସାଢ଼େ ଦଶଟାବେଳେ ଜଲାରପେଟ ଷ୍ଟେସନରୁ ଚାଲିଲି । ରାତିଦୁଇଟା ଭିତରେ ଗାଆଁରେ ପହଞ୍ଚିବା ମୋର ଲକ୍ଷ୍ୟ ଥାଏ । ଅବଶ୍ୟ ରାସ୍ତାଟା ଉଠାଣିଆ, ବାଟଯାକ ବଡ଼ ବଡ଼ ପଥରମୁଣ୍ଡିଆ; ସେଥିରେ ପୁଣି ମଣିଷଖିଆ ଚିତାବାଘର ଉପଦ୍ରବ । ଏପରିସ୍ଥଳେ ଏକୁଟିଆ ରାତିରେ ଆଠମାଇଲ ଚାଲିବାକୁ ମୁଁ କଦାପି ସାହସ କରିନଥାନ୍ତି; କିନ୍ତୁ ହାତରେ ପେଟ୍ରୋମାକ୍‌ସ ଆଲୁଅ ଥିବାରୁ ମୁଁ ନିଜକୁ ସମ୍ପୂର୍ଣ୍ଣ ନିରାପଦ ମନେକରିଥିଲି । ବାଁ ହାତରେ ଲଣ୍ଠନ, ପିଠିରେ .୪୦୫ ନମ୍ବର ରାଇଫେଲ ସହିତ ମୋର ଦରକାରୀ ଜିନିଷପତ୍ରର ମୁଣି ଏହି ବୋଝ ଘେନି ଉଠାଣି ବାଟରେ ଗଲାବେଳେ ବଡ଼ ଅସୁବିଧା ଭୋଗିବାକୁ ପଡ଼ିଥିଲା । ମୋର ଦେହ ଝାଳରେ ବୁଡ଼ିଗଲା । କୌଣସିମତେ ପାହାଡ଼ ଅଗରେ ପହଞ୍ଚିଲି । ଗାଆଁଟା ସେଠାରୁ ମାଇଲିଏ ବାଟ । ଏହି ସମୟରେ ଟିକିଏ ଥଣ୍ଡା ପବନ ବହିବାରୁ ମୋର ପୋଷାକପତ୍ର ଶୁଖିଗଲା ।

 

ଗାଆଁରେ ପହଞ୍ଚି ମୁଁ ପଟେଲକୁ ନିଦରୁ ଉଠାଇଲି । ସେ ଉଠିଲାକ୍ଷଣି ଗାଆଁର ଲୋକମାନଙ୍କୁ ଡାକିଆଣିଲା । ଚାହୁଁ ଚାହୁଁ ଶହେଖଣ୍ଡେ ଲୋକ ମୋତେ ବେଢ଼ିଗଲେ ।

 

ପଟେଲ ମୋ ପାଇଁ କିଛି ଭୋଜନ ବ୍ୟବସ୍ଥା କରିବ ବୋଲି କହିଲା । କିନ୍ତୁ ମୁଁ ଖାଇବାକୁ ମନା କରିଦେଇ କହିଲି, “ଏତେବେଳେ ମୋର କିଛି ଖାଇବା ଦରକାର ନାହିଁ । ଖାଲି ଟିକିଏ ଚାହା କରିଦେଲେ ଯଥେଷ୍ଟ ହେବ ।” ଅଳ୍ପ ସମୟ ଭିତରେ ପଟେଲ ଗୋଟିଏ ପିତ୍ତଳ ବାସନରେ ଚାହା ଅଣାଇଦେଲା । ମୁଁ ଚାହା ଖାଉଥାଏ; ପଟେଲ ଚିତାବାଘ ସମ୍ବନ୍ଧରେ ଯାହା ଜାଣିଥିଲା, କହିବାକୁ ଲାଗିଲା ।

 

ବାସ୍ତବରେ ତାର ବେଶି କିଛି କହିବାର ନଥିଲା । ତା’ କହିବାର ସାରମର୍ମ ହେଲା–ମୁଁ ସେ ସ୍ଥାନ ଛାଡ଼ିଯିବାପରେ ଲୋକେ ଖୁବ୍ ସାବଧାନ ହୋଇ ଚଳପ୍ରଚଳ ହେଉଥିଲେ । ବିଶେଷତଃ ଜଙ୍ଗଲପାଖେ ଯିବାଆସିବା ବେଳେ ସେମାନେ ଖୁବ୍ ସତର୍କ ରହୁଥିଲେ; ରାତିରେ ଆଦୌ ବାହାରକୁ ଯାଉ ନଥିଲେ । କେତେ ସପ୍ତାହ ଏହିପରି ଚଳିଲା ପରେ ସେମାନେ ଦେଖିଲେ ଯେ ଆଉ ଚିତାବାଘର ନାମଗନ୍ଧ ନାହିଁ । ଏପରି ସ୍ଥଳରେ ସେମାନେ ଅସାବଧାନ ହୋଇଯିବା ସ୍ଵାଭାବିକ-

 

ଡାକହରକରା ସକାଳ ଛଅଟାବେଳେ ଜଲାରପେଟର ଡାକଘରୁ ବାହାରେ । ଡାକଘର ହେଉଛି ରେଳଷ୍ଟେସନର ଲଗାଲଗି । ବାଙ୍ଗାଲୋର, ମାନ୍ଦ୍ରାଜ ଓ କାଲିକଟରୁ ଆସୁଥିବା ଡାକଗାଡ଼ି ରାତିରେ ଜଲାରପେଟ ବାଟେ ଯାଆନ୍ତି । ୟେଲାଗିରିକୁ ଅଳ୍ପ ଚିଠିପତ୍ର ଓ ପାର୍ଶଲ ଆସିଥାଏ । ବିଭିନ୍ନ ଡାକଗାଡ଼ିରେ ୟେଲାଗିରିର ଡାକ ଗୋଟିଏ ଗୋଟିଏ ଛୋଟ ବ୍ୟାଗ୍‌ରେ ଆସିଥାଏ । ଜଲାରପେଟ ଷ୍ଟେସନରେ ସେହି ବ୍ୟାଗଗୁଡ଼ିକୁ ଓହ୍ଲାଇ ଦିଆଯାଏ । ଡାକହରକରା ସବୁ ଛୋଟବ୍ୟାଗରୁ ଚିଠିପାର୍ଶଲ ପ୍ରଭୃତି ବାହାରକରି ଗୋଟିଏ ବ୍ୟାଗ୍‌ରେ ପୂରାଇ ପାହାଡ଼ ଉପରକୁ ଉଠେ । ସେ ସେହି ବ୍ୟାଗ୍‌ଟିକୁ ଗୋଟିଏ ବାଡ଼ିରେ ବାନ୍ଧି କାନ୍ଧରେ ଓହଳାଇ ନିଏ ମୁଣ୍ଡାଇକରି ନିଏ-

 

ସେ ଗଲାବେଳେ ଗୋଟିଏ ମୋଟ ବାଡ଼ି ଧରିଥାଏ, ସେହି ବାଡ଼ିର ଗୋଟିଏ ମୁଣ୍ଡରେ କେତେଗୁଡ଼ିଏ ଲୁହା ଝୁମୁକାଥାଏ । ମାଟି ଉପରେ ବାଡ଼ି ବାଜିଲେ ଏଥିରୁ ଝୁମୁରୁଝୁମୁରୁ ଶବ୍ଦ ହୁଏ । ଏଇଟି ତାର ଏକମାତ୍ର ଆତ୍ମରକ୍ଷାର ଅସ୍ତ୍ର । ପ୍ରକୃତରେ ଏହାଦ୍ଵାରା ଆତ୍ମରକ୍ଷା କରିବା ଅସମ୍ଭବ; ବରଂ ଏହା ଡାକହରକରାର ସଙ୍କେତ ମାତ୍ର ଥିଲା । ତେବେ ଏହାର ଶବ୍ଦରେ ସାପ ପ୍ରଭୃତି ଜନ୍ତୁ ପଳାଇଯାଉଥିବା ସମ୍ଭବ । ପ୍ରାୟ ଶହେ ବର୍ଷହେଲା ଡାକହରକରାମାନେ ଏହା ବ୍ୟବହାର କରୁଥିବାର ଜଣାଯାଏ ।

 

ଅନ୍ୟାନ୍ୟ ଦିନପରି ସେଦିନ ମଧ୍ୟ ଡାକହରକରା ଭୋର ଛଅଟାରୁ ଡାକମୁଣି ଧରି ଜଲାରପେଟ ଡାକଘରୁ ବାହାରିଲା । ପାହାଡ଼ ଉପରର ଗାଆଁ ଲୋକେ ଡାକହରକରା ସହିତ ସୁପରିଚିତ । ସକାଳବେଳା ସେ ତାର ବାଡ଼ି ଝମରଝମର କରି ଗାଆଁକୁ ଆସିବାର କଥା । କିନ୍ତୁ ସେଦିନ ସେ ଗାଆଁ ଦାଣ୍ଡରେ ଦେଖାଗଲା ନାହିଁ । ଲୋକେ ଏହି ଅନୁପସ୍ଥିତି ପ୍ରତି ଧ୍ୟାନ ଦେଲେ ନାହିଁ । ସାଧାରଣତଃ ଗ୍ରାମର ଲୋକେ ଅନ୍ୟମାନଙ୍କ ବିଷୟରେ ଉଦାସୀନ ।

 

ଦି’ପହରବେଳକୁ ଗ୍ରାମର କେତେଜଣ ଲୋକ ଜଲାରପେଟ ଯିବେ ବୋଲି ପାହାଡ଼ରୁ ତଳକୁ ଗଡ଼ିଲେ । ଚାରିପଣ ରାସ୍ତା ଆସିବା ପରେ ସେମାନେ ପଥର ଦେହରେ ରକ୍ତ ଲାଗି ଶୁଖିଯାଇଥିବାର ଦେଖିଲେ । ସେମାନେ ରହିଯାଇ ବିସ୍ମୟରେ ନାନା କଳ୍ପନାଜଳ୍ପନା କରୁଛନ୍ତି, ଏହି ସମୟରେ ଜଣେ ଲୋକ ବାଟଠାରୁ ଅଳ୍ପ ଦୂରରେ ଗୋଟାଏ ବୁଦାମୂଳେ ଡାକହରକରାର ଝୁମୁକାବାଡ଼ି ପଡ଼ିଥିବାର ଦେଖିଲା । ଲୋକେ ଅନୁମାନ କଲେ ଯେ ଡାକହରକରାକୁ ବାଘ କି ଚିତାବାଘ ନେଇଯାଇଛି । ସେମାନେ ଆଉ ଆଗକୁ ନ ଆସି ପୁଣି ଗାଆଁକୁ ପଳାଇଲେ । ଗାଆଁରେ ଏ ଖବର ପହଞ୍ଚିବାରୁ ପଟେଲ ସହିତ ଅନେକ ଲୋକ ଏକାଠି ହୋଇ ଘଟନାସ୍ଥଳକୁ ଆସିଲେ । ଦେଖାଗଲା, ଡାକହରକରା ମରି ପଡ଼ିଛି ଓ ତା’ଦେହର ଅଧେ ଅଂଶ ବାଘ ଖାଇଯାଇଛି ।

 

ପଟେଲ ଏହି ଲୋକମାନଙ୍କ ଭିତରୁ କେତେ ଜଣଙ୍କ ଦ୍ଵାରା ଜଲାରପେଟକୁ ଟେଲିଗ୍ରାମ ପଠାଇଥିଲା । ଜଲାରପେଟଠାରୁ ବାଙ୍ଗାଲୋର ହେଉଚି ମାତ୍ର ୮୯ ମାଇଲ; କିନ୍ତୁ ମୁଁ ସେ ଟେଲିଗ୍ରାମ ୨୪ ଘଣ୍ଟା ପରେ ପର ଦିନ ତିନିଟା ବେଳେ ପାଇଲି । ମୋତେ ଖବର ମିଳିଥିଲା ଯେ ଜଲାରପେଟର ପୋଲିସ କର୍ତ୍ତୃପକ୍ଷ ମଡ଼ାକୁ ପରୀକ୍ଷା କରାଇ ପୋଡ଼ିବା ପାଇଁ ନେଇଯାଇଥିଲେ ।

 

ଲୋକମାନଙ୍କ ସହିତ କଥାବାର୍ତ୍ତାରୁ ମୁଁ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିନେଲି-। ପ୍ରକୃତରେ କହିବାକୁ ଗଲେ ପଟେଲ ଓ ଗ୍ରାମବାସୀଙ୍କଠାରୁ ଯେ କି ଖବର ମିଳିଲା, ସେତିକି ସଂଗ୍ରହ କଲି । ସେତେବେଳକୁ ରାତିପାହାନ୍ତା, ଚାରିଟା ସମୟ । ପଟେଲ ମୋ ପାଇଁ ଖଣ୍ଡିଏ ଦଉଡ଼ିଆ ଖଟ ଯୋଗାଡ଼ କରିଦେଲେ । ମୁଁ ତାହାକୁ ଗାଆଁ ମୁଣ୍ଡରେ ପକାଇ ସେଥିରେ ଶୋଇପଡ଼ିଲି । ଦୁଇଟା କୁକୁରଙ୍କର ରାବରେ ମୋର ନିଦ ଭାଙ୍ଗିଗଲା । ବୋଧହୁଏ ସେ ଦୁହେଁ ମୋର ଏପରି ଶୋଇଥିବା ଦେଖି ମୋତେ ସନ୍ଦେହ କରିଥିଲେ । ସକାଳ ଛଅଟା ।

 

ୟେଲାଗିରି ପାହାଡ଼ ନିୟମିତ ଘନ ଜଙ୍ଗଲ ନାହିଁ । ତେଣୁ ସେଠାରେ ଜଙ୍ଗଲି ଆଦିବାସୀ ବାସ କରୁନଥିଲେ । ତେଣୁ ଚିତାବାଘର ସନ୍ଧାନ ନେବାପାଇଁ ମୋତେ ସମ୍ପୂର୍ଣ୍ଣରୂପେ ନିଜ ଉପରେ ଓ ଗ୍ରାମବାସୀଙ୍କ ଉପରେ ନିର୍ଭର କରିବାକୁ ହୋଇଥିଲା ।

 

ସକାଳେ ମୁଁ ଅନେକ ଲୋକଙ୍କୁ ପଚାରିଲି–ଚିତାବାଘ କେଉଁଠାରେ ଲୁଚିଥିବା ସମ୍ଭବ । ଏହାର କୌଣସି ନିଦ୍ଦଷ୍ଟ ଉତ୍ତର ମିଳିଲାନାହିଁ; କେବଳ ଦୁଇଜଣ ଗୋରୁଜଗାଳି କହିଲେ–ଗଲା କେତେ ହପ୍ତା ଭିତରେ ଆମେ ତିନି ଚାରିଥର ଦେଖିଛୁ ଗୋଟାଏ ଚିତାବାଘ ପେରିଆମଲେଇ ମୁଣ୍ଡିଆ ଉପରେ ଉପରବେଳିଆ ଖରା ପୁହାଉଁଥାଏ । ପେରିଆମଲେଇ ଶବ୍ଦର ଅର୍ଥ ହେଉଛି ବଡ଼ପାହାଡ଼ । ୟେଲାଗିରି ହେଉଛି ସେହି ପାହାଡ଼ର ଊର୍ଦ୍ଧ୍ଵରେ ଅବସ୍ଥିତ ଏକ ମାଳଭୂମି । ଏହା ହେଉଛି ଏକମାତ୍ର ପାହାଡ଼ ଯାହାକି ମାଳଭୂମି ପର୍ଯ୍ୟନ୍ତ ଉଠିଯାଇ ଦ୍ଵିତୀୟା ଚନ୍ଦ୍ର ଆକାରର ୟେଲାଗରି ପାହାଡ଼ମାଳାର ଉଚ୍ଚତମ ଶୃଙ୍ଗରେ ପରିଣତ ହୋଇଅଛି । ସମୁଦ୍ର ଜଳପତ୍ତନଠାରୁ ଏହାର ଉଚ୍ଚତା ଚାରିହଜାର ପାଞ୍ଚଶହ ଫୁଟ ।

 

ମୁଁ ପଟେଲ ଘରକୁ ଯାଇ ଦେଖିଲି, ସେ ଶୋଇରହିଛି । ମୋର ଯିବା ଖବର ପାଇ ସେ ଉଠିପଡ଼ି ଗୋଟିଏ ପିତ୍ତଳ ପାତ୍ରରେ କିଛି ଗରମ ଦୁଧ ଅଣାଇ ମୋତେ ପିଇବାକୁ ଦେଲା । ଯେଉଁ ଗୋରୁଜଗାଳିମାନେ ପେରି ଆମଲେଇରେ ଚିତାବାଘକୁ ଦେଖିଥିଲେ ସେମାନଙ୍କୁ ଡକାଇ ମୋ ସଙ୍ଗରେ ସେହି ମୁଣ୍ଡିଆପାଖକୁ ଯିବାକୁ କହିଲି ।

 

ସେ ଦୁହିଁଙ୍କୁ ମୋ ସଙ୍ଗେ ଯିବାପାଇଁ ରାଜି କରାଇବାରେ ଅନେକ ବେଳ ଲାଗିଲା । ପ୍ରଥମେ ସେମାନେ ଏକବାରେ ଅମଙ୍ଗ ହେଲେ । ମୁଁ ଦେଖିଲି, ସେ ଦୁହେଁ ଭୟ କରିଯାଇଅଛନ୍ତି । ପଟେଲର ସାହାଯ୍ୟ ନେଲି । ପଟେଲ ତାର ବୁଦ୍ଧି ପ୍ରୟୋଗକଲା । ଯେତେ ବୁଝାଇଲେ ସୁଦ୍ଧା ସେମାନେ ରାଜି ନ ହେବାରୁ ସେ ଧମକ ଦେଲା; କହିଲା–ତୁମେ ସାହେବ ସଙ୍ଗରେ ନଗଲେ ତୁମର ସର୍ବନାଶ କରିବି ।

 

ଶେଷରେ ସେମାନଙ୍କୁ ନେଇ ମୁଁ ବାହାରିଲି ।

 

ପେରିଆମଲେଇ ହେଉଛି ଗାଆଁର ପୂର୍ବଦିଗକୁ, ପ୍ରାୟ ତିନିମାଇଲ ଦୂରରେ । ଗାଆଁର ପଶ୍ଚିମ ଦିଗରେ ଜଲାରପେଟକୁ ଯିବାର ରାସ୍ତା । ତେଣୁ ଏହି ମୁଣ୍ଡିଆଠାରୁ ଡାକହରକରା ମରିଥିବା ସ୍ଥାନର ଦୂରତା ଅନ୍ତତଃ ପାଞ୍ଚ ମାଇଲ ଥିଲା । ଏହାଛଡ଼ା ପ୍ରାୟ ସବୁ ଜମି ଚାଷ ହୋଇଥିଲା । ପେରିଆମଲେଇର ଜଙ୍ଗଲ ୟେଲାଗିରି ପାହାଡ଼ଶ୍ରେଣୀ ଆଡ଼କୁ ପଛେଇ ଯାଇ ଉତ୍ତର ଆଡ଼କୁ ମୁହଁ କରିଥିବା ଦ୍ଵିତୀୟା ଚନ୍ଦ୍ରାକାର ଅଂଶ ଆଡ଼କୁ ଯାଇଛି । ମୋର ଧାରଣା ହେଲା, ଗୋରୁଜଗାଳିମାନେ ଯେଉଁ ଚିତାବାଘ ଦେଖିଥିଲେ ସେ ହୁଏତ ଅନ୍ୟ ଗୋଟାଏ ହୋଇଥିବ, ଡାକହରକରାକୁ ମାରିଥିବା ଚିତାବାଘ ହୋଇ ନଥିବ ।

 

ଯାହାହେଉ ପେରିଆମଲେଇ ପାହାଡ଼ର ପାଦ ଦେଶରେ ପହଞ୍ଚିଲୁ । ଗୋରୁ ଜଗାଳି ଦୁହେଁ ପ୍ରାୟ ୩୦୦ ଫୁଟ ଉଚ୍ଚରେ, ବାହାରିପଡ଼ିଥିବା ଗୋଟିଏ ମୁଣ୍ଡିଆ ଆଡ଼କୁ ହାତ ଦେଖାଇ କହିଲେ–ସେଇଠି ଆମେ ଚିତାବାଘ ଶୋଇ ଖରାଖାଉଥିବାର ଅନେକ ଥର ଦେଖିଛୁ । ପାହାଡ଼ର ପାଦ ଦେଶରୁ ସେ ମୁଣ୍ଡିଆର ଆରମ୍ଭ ଯାଏ ଓ ସେଠାରୁ ଶହେ ଦେଢ଼ଶ ଫୁଟ ଉଚ୍ଚ ପର୍ଯ୍ୟନ୍ତ କେବଳ ଲତା ପୂର୍ଣ୍ଣ ହୋଇଥିଲା; ବାହାରି ମୁଣ୍ଡିଆର ମଝିରୁ ପ୍ରକୃତ ଜଙ୍ଗଲ ଆରମ୍ଭ ହୋଇଥିଲା । ମୁଁ ଦେଖିଲି, ଏହି ଲତା କ୍ରମେ କ୍ରମେ ପ୍ରକୃତ ଜଙ୍ଗଲକୁ ମାଡ଼ି ଯାଇ ବଡ଼ ବଡ଼ ଗଛକୁ ଚିପି ଦେଉଅଛି । ଦକ୍ଷିଣ ଭାରତର ଅନେକ ସ୍ଥାନରେ ଏହି ଲତାଦ୍ଵାରା ଛୋଟ ଛୋଟ ଜଙ୍ଗଲରାସ୍ତା ଲୋପ ପାଉଥିବା ଘଟଣା ମୁଁ ଜାଣିଥିଲି । ୟେଲାଗିରି ପାହାଡ଼ ଶ୍ରେଣୀ ଭଳି ପେରିଆମଲେଇ ମୁଣ୍ଡିଆ ଅନେକଗୁଡିଏ ବଡ଼ ବଡ଼ ପଥରର ସମଷ୍ଟି । ଏଇ ବିଶାଳ ପଥରଖଣ୍ଡମାନ ଲତା ଭିତରେ ଗୋଟାଏ ଚିତାବାଘକୁ ଖୋଜି ବାହାର କରିବା ଏକ ଅସମ୍ଭବ ବ୍ୟାପାର । ଏଭଳି ଲତାଗହଳି ଭିତରେ ଯିବା କି ସମ୍ଭବ ?

 

ପାହାଡ଼ର ପାଦଦେଶରେ ଗୋଟିଏ ସ୍ଥାନରେ ଚିହ୍ନ ଦେଇ ମୁଁ ଲୋକଙ୍କୁ କହିଲି; “ଚାଲ, ଆମେ ଗାଆଁକୁ ଫେରିଯିବା । ଗାଆଁରୁ ଗୋଟିଏ ଗଧ କି ଛେଳି ଆଣି ଏଇ ଛକ ଜାଗାରେ ବାନ୍ଧିଦେବା ।”

 

ଆମେ ସମସ୍ତେ ଗାଆଁକୁ ଫେରିଆସିଲୁ । ମୋର କଥା ଅନୁସାରେ ପଟେଲ ଗୋଟାଏ ଗଧ କିଣିଆଣିଲା । ଛେଳି ଦ୍ଵାରା ଆମର ଉଦ୍ଦେଶ୍ୟ ସାଧିତ ହୋଇ ନଥାନ୍ତା । ଛେଳି ବାନ୍ଧିଥିଲେ ମୋତେ ରାତିଟିଯାକ ଜଗି ପାଖରେ ରହିବାକୁ ପଡ଼ିଥାନ୍ତା । କାରଣ ଚିତାବାଘ ଅଳ୍ପସମୟ ଭିତରେ ଛେଳିଟିକୁ ଖାଇ ଚାଲିଯାନ୍ତା; ସକାଳକୁ କିଛି ନଥାନ୍ତା । ତାହା ପରଦିନ ରାତିରେ ଚିତାବାଘ ଆଉ ସେଠାକୁ ଆସନ୍ତାନାହିଁ । କିନ୍ତୁ ଚିତାବାଘ ଏକାଥରକେ ଗଧକୁ ଖାଇପାରିବ ନାହିଁ । ପ୍ରଥମଦିନ ଖାଇ ଯାହା ଛାଡ଼ିଯାଇଥିବ, ତାକୁ ଖାଇବାପାଇଁ ପରଦିନ ରାତିରେ ଆସିବ । ଗଧକୁ ଥୋପକରି ବାନ୍ଧିବାରେ ଏତକ ସୁବିଧା ଥିଲେହେଁ ଗୋଟିଏ ଅସୁବିଧା ଥିଲା । ଛେଳି ଏକୁଟିଆ ବନ୍ଧାହେବାର ଦେଖିଲେ ବଡ଼ପାଟିରେ ବୋବାଇବା ଓ ଚିତାବାଘ ତାହା ଶୁଣି ଶୀଘ୍ର ସେଠାକୁ ଆସିବ; କିନ୍ତୁ ଗଧ ବନ୍ଧାହୋଇ ରହିଲେ ସୁଦ୍ଧା ରାବିବ ନାହିଁ । ତେଣୁ ଚିତାବାଘ ତା ପାଖକୁ ଆଦୌ ଆସି ନ ପାରେ ।

 

ତଥାପି ମୁଁ ଭାବିଲି, ଯଦି ଚିତାବାଘଟା ସେହି ପାହାଡ଼ର କୌଣସି ସ୍ଥାନରେ ଥାଏ ତେବେ ସେ ଉଚ୍ଚ ଜାଗାରୁ ତଳେ ବନ୍ଧା ହୋଇଥିବା ଗଧକୁ ଅବଶ୍ୟ ଦେଖିପାରିବ । ମୁଁ ଲୋକମାନଙ୍କୁ ଗୋଟିଏ ସ୍ଥାନ ଦେଖାଇଦେଇ କହିଲି–ଗଧକୁ ନେଇ ସେଇଠି ଗୋଟିଏ ଖୁଣ୍ଟରେ ବାନ୍ଧିଦିଅ ।

 

ଗଧ ବନ୍ଧାହେବା ପରେ ମୁଁ, ପଟେଲ ଓ ଆଉ ତିନି ଚାରିଜଣ ଲୋକଙ୍କୁ ନେଇ ଯେଉଁଠାରେ ଡାକହରକରାକୁ ଚିତାବାଘ ମାରିଥିଲା ସେ ସ୍ଥାନଟି ଦେଖାଇବାକୁ କହିଲି । ଦେଖିଲି, ସେ ସ୍ଥାନଟି ହେଉଛି ଗ୍ରାମଠାରୁ ପ୍ରାୟ ଦେଢ଼ମାଇଲ ଦୂରରେ, ଯେଉଁଠାରେ ଜଲାରପେଟକୁ ଯାଇଥିବା ରାସ୍ତାର ଲତା ଓ ପଥରମୁଣ୍ଡି ଆପୂର୍ଣ୍ଣ ଏକ ଅଂଶରେ । ପୂର୍ବଦିନ ରାତିରେ ମୁଁ ପେଟ୍ରୋମାକ୍ସ ଲଣ୍ଠନ ଧରି ଠିକ୍ ସେଇବାଟେ ଆସିଥିଲି; କିନ୍ତୁ ସେତେବେଳେ କ୍ଷୀଣ ଆଲୁଅରେ ରକ୍ତକୁ ଲକ୍ଷ୍ୟକରି ପାରିନଥିଲି । ଏହାଦ୍ଵାରା ମୋର ଗୋଟାଏ ଉପକାର ହୋଇଥିଲା । ରକ୍ତକୁ ଦେଖିଥିଲେ ମୋ ମନର ସ୍ଥିରତା ରହିପାରି ନଥାନ୍ତା ।

 

ବାଟରେ ଆମେ କେତେକ ଜାଗାରେ ଶୁଖିଲା ରକ୍ତର ଦାଗ ଦେଖିଲୁ । ଯେଉଁଠାକୁ ଚିତାବାଘ ଡାକହରକରାକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଓ କିଛି ଖାଇଥିଲା, ସେ ସ୍ଥାନଟି ଲୋକେ ଦେଖାଇଲେ । ଆଗରୁ କହିଛି, ଜଲାରପେଟର ପୋଲିସ ଅଫିସର ମଡ଼ାର ଅବଶିଷ୍ଟ ଅଂଶ ପୋଡ଼ାଇବା ପାଇଁ ନେଇଯାଇଥିଲେ; ତେଣୁ ସେଠାରେ ଆଉ ରହିବାର ଦରକାର ନଥିଲା ।

 

ସେହି ରାସ୍ତାଧାରରେ ପ୍ରାୟ ୩୦୦ ଗଜ ଦୂରରେ ଗୋଟିଏ କାଜୁବାଦାମ ଗଛ ଥିଲା । ମୁଁ ପଟେଲକୁ କହିଲି–ଏଇ ଗଛମୂଳେ ଆଉ ଗୋଟିଏ ଗଧ ବାନ୍ଧିଦିଅ ।

 

ଏହାପରେ ଆମେ ସମସ୍ତେ ଗାଆଁକୁ ଚାଲିଆସିଲୁ । ମୁଁ ପଟେଲକୁ କହିଲି–ଗାଆଁ ପାଖକୁ ଲାଗି ଯେଉଁ ବୁଦୁବୁଦୁକିଆ ଜଙ୍ଗଲ ଅଛି, ସେଥିରେ ମଧ୍ୟ ଗୋଟିଏ ଗଧ ଆଣି ବାନ୍ଧିଦିଅ । ପଟେଲ ନିଜର ବୁଦ୍ଧି ଓ କ୍ଷମତାବଳରେ ଆଉ ଦୁଇଟି ଗଧ ଯୋଗାଡ଼କରି ମୋର ନିର୍ଦ୍ଦେଶମତେ ଯଥାସ୍ଥାନରେ ବନ୍ଧାଇଦେଲା ।

 

ଏସବୁ କାମ ଶେଷହେଲା ବେଳକୁ ଦି’ପହର ଗଡ଼ି ବେଳା ଗୋଟାଏ । ଏଣିକି ଅପେକ୍ଷା କରିବା ଛଡ଼ା ମୋର ଅନ୍ୟ କିଛି କାମ ନଥିଲା । ମୁଁ ଭାବୁଥାଏଁ, ଚିତାବାଘ ଏ ତିନିଟା ଭିତରୁ ଯେକୌଣସି ଗୋଟାଏ ହେଲେ ଗଧକୁ ଦେଖି ମାରନ୍ତା କି ? ସେପର୍ଯ୍ୟନ୍ତ ଚିତାବାଘଟି ଅଳ୍ପ କେତେଜଣ ମଣିଷଙ୍କୁ ମାରିଥିଲା; ତେଣୁ ଜଣାଯାଉଥିଲା ଯେ ସେ କେବଳ ମଣିଷମାଂସ ଖାଉ ନଥିଲା । ପ୍ରାଣଧାରଣ ପାଇଁ ସେ ମୁଖ୍ୟତଃ ଅନ୍ୟ ଜନ୍ତୁମାନଙ୍କ ଉପରେ ନିର୍ଭର କରୁଥିଲା, ଏଥିରେ ମୋର ସନ୍ଦେହ ନଥିଲା ।

 

ପଟେଲ ଭାତ, ଡାଲି ଓ ନିଜ ଜମିର ବାଇଗଣ, ପିଆଜ ଓ ଲଙ୍କାରେ ପ୍ରସ୍ତୁତ ତରକାରି ଆଣି ମୋତେ ଖାଇବାକୁ ଦେଲା । ତରକାରିରେ ଲଙ୍କାର ଆଧିକ୍ୟ ହେତୁ ମୋର ଆଖି ଓ ମୁହଁରୁ ପାଣି ବୋହିଗଲେ ସୁଦ୍ଧା ମୁଁ ଖୁବ୍ ତୃପ୍ତିରେ ଭୋଜନ କଲି । ମୋର ଏ ଅବସ୍ଥା ଦେଖି ପଟେଲ ଦୁଃଖ ପ୍ରକାଶକରି କ୍ଷମା ମାଗୁଥିଲା; କିନ୍ତୁ ମୁଁ ତାକୁ ବ୍ୟସ୍ତହେବାକୁ ମନାକରି କହିଲି–ମୋ ଆଖିରୁ ପାଣି ବୋହୁଛି ସତ; କିନ୍ତୁ ଏଭଳି ଭୋଜନରେ ମୋର ଖୁବ୍ ସନ୍ତୋଷ । ଭାତଖିଆପରେ ପ୍ରଚୁର କଫି ପିଇ ଉଠିଲି । ବାସ୍ତବର ମୁଁ ଏହି ଭୋଜନପରେ ଖୁବ୍ ସନ୍ତୁଷ୍ଟ ହୋଇଥିଲି ।

 

ସମୟ କଟାଇବା ଉଦ୍ଦେଶ୍ୟରେ ମୁଁ ମୋର ଛୋଟ ବଗିଚାକୁ ଯାଇ ଉପରବେଳାଯାକ ଏଣେତେଣେ ବୁଲିଲି । ପାଠକମାନେ ଏହି ବଗିଚାଟି ବିଷୟରେ କିଛି ଜାଣିବାକୁ ଇଚ୍ଛାକରି ପାରନ୍ତି-। ଏହାର କ୍ଷେତ୍ରଫଳ ମୋଟେ ଦେଢ଼ଏକର । ଏଥିରେ ଗୋଟିଏ ଭାଲିଆଗଛ ଅଛି । ଏହାର ଫଳରୁ ଏକପ୍ରକାର କଳାରସ ବାହାରେ । ଧୋବାମାନେ ଏହି ରସରେ ଲୁଗା ଜାମା ପ୍ରଭୃତିର କଣରେ ମାଲିକମାନଙ୍କ ନାମର ପ୍ରଥମ ଅକ୍ଷର ଲେଖିଦିଅନ୍ତି । ଏହି ଲେଖା ଲୁଗାପଟା ସିଝି ଧୂଆ ହେଲାପରେ ମଧ୍ୟ ଛାଡ଼େନାହିଁ । ଏହାଛଡ଼ା ଏଥିରେ ତିନୋଟି କଲମୀ ପଣସଗଛ ଥିଲା-। ଏହି ଗଛମାନଙ୍କରୁ ଯଥେଷ୍ଟ ପଣସ ମିଳୁଥିଲା । ଗୋଟିଏ ଗୋଟିଏ ପଣସ ଓଜନରେ ଦୁଇପାଉଣ୍ଡ ଠାରୁ ବାରପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ । କେତୋଟି ପିଜୁଳିଗଛ, କେତୋଟି ପିଚ୍‌ପଛ ମଧ୍ୟ ଫଳ ଦେଉଥିଲା ।

 

ସେହି ଜମିରେ ଦୁଇଟି କୋଟେଇ ଅର୍ଥାତ୍ ମାଟିକାନ୍ଥ ଓ ଚାଳଛପର ଘରଅଛି । ଜଙ୍ଗଲି ଘାସ ଓ ନଡ଼ାରେ ଚାଳଛପର ହୋଇଥାଏ । ଘର ଆଗକୁ କେତୋଟି ଗୋଲାପ ଓ କ୍ରୋଟନ ଗଛର ଛୋଟ ବଗିଚାଟିଏ । ସେତେବେଳେ ସେଠାରେ ମୋର ପ୍ରାୟ ତିନିଡ଼ଜନ କୁକ୍‌କୁଡ଼ା ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଲେଗହର୍ଣ୍ଣ ଓ କେତେକ ରୋଡ଼ସ୍‌ଜାତୀୟ । ଏହାଛଡ଼ା କେତୋଟି ପାତିହଂସ ମଧ୍ୟ ଥିଲେ । ପିଇବାପାଣି ପାଇବାପାଇଁ ଗୋଟିଏ କୂଅ ଥିଲା । ମୁଁ ବାଙ୍ଗାଲୋରରୁ କେତୋଟି ମାଛନେଇ ସେହି କୂଅରେ ଛାଡ଼ି ଦେଇଥିଲି । ଏହି ମାଛମାନଙ୍କ ଯୋଗୁ କୂଅର ପାଣି ନିର୍ମଳ ରହୁଥିଲା । ସାମନାପାଖେ ମୋର ବଗିଚାର ଶେଷ ସୀମାରେ ଗୋଟିଏ ଝରଣା ବହି ଯାଉଥିଲା; ଅନ୍ୟ ତିନି ପାଖରେ ବାଉଁଶ ବୁଦାମାନ ଥିଲା । ବଗିଚାଟି ଛୋଟ ହେଲେହେଁ ବାଙ୍ଗାଲୋରରୁ ଆସି ଏଠାରେ ରବିବାର ଛୁଟି ଶାନ୍ତିରେ କଟାଇବାର ସମସ୍ତ ସୁବିଧାଥିଲା ।

 

ବଗିଚାର ପ୍ରାୟ ଅଧେଅଂଶ ଖାଲୁଆ । ସେ ଅଂଶଟି ଝରଣାକୁ ଲାଗିଥିଲା । ଏହି ଝରଣାରୁ ପାଣିନେଇ ମୁଁ କିଛି ‘ପେଗୁ’ ଧାନଚାଷ କରିଥିଲି । ଏହି ଧାନ ଦେଖିବାକୁ କଳା । ଏହି ଧାନ ପ୍ରଥମେ ବ୍ରହ୍ମଦେଶରୁ ଆମ ଦେଶକୁ ଆସିଥିଲା । ସେ ସମୟରେ ଦକ୍ଷିଣଭାରତର ଅତି ଅଳ୍ପ ସ୍ଥାନରେ ଏହି କଳାଧାନର ଚାଷ ହେଉଥିଲା । ଅନେକ ସ୍ଥାନରେ ଏହାର ଚାଷ ଆରମ୍ଭ କରାଯାଇଥିଲେହେଁ କୌଣସି ନା କୌଣସି କାରଣରୁ ସେ ଚାଷ ସଫଳ ହୋଇ ପାରିନଥିଲା ।

 

ମୋର ଏହି ଘରର ଗୋଟିଏ ବିଚିତ୍ର ଇତିହାସ ଅଛି । ୧୯୪୧ ମସିହାରେ ମୁଁ ଘର ସହିତ ଏହି ଜମିକୁ ଜଣେ ଆଙ୍ଗ୍ଲୋ–ଇଣ୍ଡିଆନ ମହିଳାଙ୍କଠାରୁ କିଣିଥିଲି । ତାଙ୍କର ଚଳନ୍ତି ଜିନିଷ ମଧ୍ୟ ଏହାର ଅନ୍ତର୍ଗତ ଥିଲା । ଏଥିପାଇଁ ମୋତେ ପାଞ୍ଚଶହ ଟଙ୍କା ଦେବାକୁ ପଡ଼ିଥିଲା । ଶୁଣାଯାଏ ଯେ ଏହି ମହିଳାଙ୍କ ମୃତ ଭାଇର ଭୂତ ସେହି ଦୁଇ କୋଠରି ମଧ୍ୟରୁ ଗୋଟିକରେ ରହି ଉତ୍ପାତ୍ କରୁଥିଲା । ଲୋକଙ୍କଠାରୁ ଶୁଣାଯାଏ, ସେହି ଆଙ୍ଗଲୋ ଇଣ୍ଡିଆନ ଭଦ୍ରଲୋକ ଏକ ଅଦ୍ଭୁତ ରୋଗରେ ପ୍ରାଣ ହରାଇଥିଲେ । ହଠାତ୍ ତାଙ୍କ ବାଆଁ ହାତ ଓ ଛାତିରେ ଭୟାନକ ଯନ୍ତ୍ରଣା ହେଉଥିଲା । ମୋର ମନେହୁଏ, ଏହା ହେଉଚି ଗୋଟିଏ ସ୍ନାୟବିକ ରୋଗ । ଶେଷରେ ସେ ଏହି ରୋଗରେ ମରିଥିଲେ । ଏହି ଜମି ପଡ଼ିଆ ପଡ଼ିଥିଲା ବେଳେ ସେ ଏହାକୁ ଖରିଦ କରିଥିଲେ । ସେ ଏଥିରେ ଘରକରି ଏକୋଇଶ ବର୍ଷ ରହିଥିଲେ । ଏହି ଘର ପ୍ରତି ତାଙ୍କର ଅସାଧାରଣ ମମତା ଥିଲା-। ତାଙ୍କର ସ୍ତ୍ରୀ ବା ପୁତ୍ରକନ୍ୟା ନ ଥିବାରୁ ସେ ଏହାକୁ ତାଙ୍କ ଭଉଣୀଙ୍କୁ ଦେଇଥିଲେ । ମୁଁ ତାଙ୍କଠାରୁ ଏହାକୁ କିଣିଥିଲି । ଲୋକେ କହନ୍ତି, ଏବେ ସେହି ଭଦ୍ରଲୋକ ଭୂତ ହୋଇ ସେ ଘରେ ରହିଛନ୍ତି-। ଗ୍ରାମର ଅନେକ ଲୋକ ସନ୍ଧ୍ୟାବେଳେ ସେଠାରେ ଭୂତକୁ ଛିଡ଼ାହୋଇଥିବାର ଦେଖିଅଛନ୍ତି ବୋଲି ପ୍ରକାଶ କରନ୍ତି । ପରେ ଗ୍ରାମବାସୀମାନେ ଭୟରେ ସେଠାକୁ ଯିବା ବନ୍ଦ କରିଦେଇଥିଲେ; ସେକଥା କହିବା ଅନାବଶ୍ୟକ ।

 

ଭଉଣୀ ଜମି ବିକିବା ପୂର୍ବରୁ ଏ ବିଷୟରେ ମୋତେ କିଛି ମାତ୍ର କହିନଥିଲେ । ଦରଦାମ ସ୍ଥିର ହେଲା, ଜମି ରେଜିଷ୍ଟରି ହେଲାବେଳେ ସବ୍‌ରେଜିଷ୍ଟରଙ୍କ ସାମନାରେ ମୁଁ ଟଙ୍କା ଗଣିଦେଲି, ତାହାପରେ ସେ ଭଦ୍ରମହିଳା ମୋତେ କହିଲେ–ମୋର ଭାଇର ଭୂତ ଅନେକ ସମୟରେ ଏହି ଘରକୁ ଆସେ । ମୁଁ ସ୍ପଷ୍ଟଭାବରେ ଦେଖିଛି, ଶୁକ୍ଳପକ୍ଷ ରାତିରେ ବଗିଚାରେ ବୁଲି ସେ ତାର ପ୍ରିୟ ଗୋଲାପ ଗଛଗୁଡ଼ିକର ଯତ୍ନ ନେଉଥାଏ । ବଞ୍ଚିଥିଲାବେଳେ ସେ ଏହି ଗୋଲାପ ଗଛଗୁଡ଼ିକୁ ଖୁବ୍ ଆଦର କରୁଥିଲା । କିନ୍ତୁ ଆପଣ ମୋତେ ବିଶ୍ଵାସ କରନ୍ତୁ, ସେ ଭୂତ ଆଦୌ କାହାରି ଅନିଷ୍ଟ କରେ ନାହିଁ; କି ଗୋଳମାଳ କରେ ନାହିଁ । ତା ପାଖକୁ ଗଲେ ସେ ସେହିଠାରେ ଉଭେଇଯାଏ ।

 

ଗୋଟାଏ କଥା କହିବାକୁ ମୁଁ ଭୁଲିଯାଇଛି । ଜମି ସଙ୍ଗେ ମୁଁ ଉକ୍ତ ମହିଳାଙ୍କଠାରୁ ଘର ଭିତରେ ଥିବା ଅତି ପୁରୁଣା ଆସବାବପତ୍ର ମଧ୍ୟ କିଣିଥିଲି । ସେଥିଭିତରେ ଥିଲା ପ୍ରତି ଘରେ ଗୋଟିଏ ଖଟ, ଗୋଟିଏ ଭଙ୍ଗା ଡ୍ରେସିଂଟେବୁଲ, ଦୁଇଟି ଆଲମାରି ଓ ତିନିଚାରିଟା ଲେଖାଏଁ ଟଳଟଳିଆ ପୁରୁଣା ଚଉକି । ଖଟଗୁଡ଼ିକ ପୁରୁଣା ଧରଣର, ଉପରେ କେତେ ଖଣ୍ଡ ବେଟନ ଧାରଣା ପଡ଼ିଥିଲା ।

 

ଗୋଟିଏ ଘର ଭିତରେ ମୁଁ ଯେଉଁ ପ୍ରଥମ ରାତିଟି କଟାଇଥିଲି, ସେ ରାତିର ଘଟନା ମୋର ସ୍ପଷ୍ଟ ମନେ ଅଛି । ଦୈବକ୍ରମେ ସେ ଘରଟିରେ ହିଁ ଉକ୍ତ ଭଦ୍ରଲୋକଙ୍କର ମୃତ୍ୟୁ ହୋଇଥିଲା-। ସେଦିନ ରାତିରେ ବର୍ଷା ହେଉଥିଲା । ଅନ୍ୟ ଘରଟିର ଛାତରୁ ବର୍ଷାପାଣି ଗଳୁଥିବାରୁ ମୋତେ ଏହି ଘରେ ଶୋଇବାକୁ ହୋଇଥିଲା । ଗଦିର ଅଭାବରୁ ମୁଁ କେବଳ ବିଛଣାଟିକୁ ଖଟଉପରେ ପକାଇ ଶୋଇବାକୁ ଗଲି । କିନ୍ତୁ କାଠର ବେଟନରେ ମୋର ପିଠି ଓ କାନ୍ଧକୁ ବଡ଼ କଷ୍ଟ ହେଲା । ଶୋଇପଡ଼ିବାକୁ ଚେଷ୍ଟା କଲି; କିନ୍ତୁ କୌଣସି ମତେ ନିଦ ଆସିଲା ନାହିଁ । ମୁଁ ଭାବିଲି–ଏଭଳି ଖଟରେ ଶୋଇବା ଅପେକ୍ଷା ମେଜିଆ ଉପରେ ଶୋଇବା ସହସ୍ରଗୁଣେ ଭଲ । ସେକାଳରେ ବିଜୁଳି ଆଲୁଅ ନ ଥିଲା । ମୁଁ ଗୋଟିଏ ମହମବତି ଜାଳି ବିଛଣାକୁ ଖଟଉପରୁ ଆଣି ମେଜିଆରେ ପକାଇଲି । ବତିକୁ ଲିଭାଇ ଦେଇ ମୁଁ ମେଜିଆରେ ଶୋଇ ପଡ଼ିଲି । ଅଳ୍ପ ସମୟଭିତରେ ନିଦ ହୋଇଗଲା ।

 

କେତେବେଳେ ମୋର ନିଦ ଭାଙ୍ଗିଲା କହି ପାରିବି ନାହିଁ । ସେତେବେଳକୁ ଘୋର କିଟିକିଟି ଅନ୍ଧାର ମୋତେ ଜଣାଗଲା, ଯେପରିକି ଗୋଟାଏ କିଛି ଥଣ୍ଡା ଓଜନିଆ ଜିନିଷ ମୋ ଗଳାକୁ ମାଡ଼ି ବସିଛି ଓ ବରଫଭଳିଆ ଦୁଇଟା ଶୀତଳ ହାତ ମୋ ବେକର ଦୁଇ ପାଖକୁ ଧରିଛି ।

 

ମୁଁ କଳ୍ପନାପ୍ରବଣ ନୁହେଁ । ଅନ୍ଧାରକୁ ମୋର ଭୟ ନଥାଏ । ମୋର କୌଣସି ଅନ୍ଧବିଶ୍ଵାସ ନଥିଲା । କିନ୍ତୁ କେଜାଣି କାହିଁକି ହଠାତ୍ ମୋର ମନକୁ ମୃତ ଭଦ୍ରବ୍ୟକ୍ତି ଓ ତାଙ୍କ ଭୂତ ଅଧିକାର କରି ବସିଲା । କିଛି ଦୂରରେ ଗୋଟାଏ ଝରକା ଧାରରେ ମୋର ଟର୍ଚ୍ଚଲାଇଟ ରଖିଦେଇ ଆସିଥିଲି-। ଡିଆସିଲି ପେଡ଼ିଟା କେଉଁଠି ରଖିଥିଲି ଆଦୌ ମନେ ପଡ଼ିଲା ନାହିଁ । ଏହି ପରିସ୍ଥିତିରେ ପୁଣି ଗୋଟାଏ ଥଣ୍ଡା ଚିମୁଟାପରି ପଦାର୍ଥ ମୋ ତଣ୍ଟି ଉପରେ ବସି ଗଳାର ଦୁଇପାଖୁ ଚିପିବାଭଳି ସ୍ପଷ୍ଟ ଜଣାଯାଉଥିଲା । ମୋର ଦେହ ଶୀତେଇ ଉଠିଲା, ଲୋମ ଟାଙ୍କୁରିଗଲା । ଆଉ ଶୋଇରହିବା ଅସମ୍ଭବ ବୋଧହେଲା । ଗୋଟାଏ ଅତିମାନୁଷ ଶକ୍ତି ପ୍ରୟୋଗକରି ମୁଁ ଛିଡ଼ା ହୋଇଗଲି ଓ ଯେଉଁ ଝରକାପାଖେ ଟର୍ଚ୍ଚଲାଇଟ ରଖିଥିଲି ସେହି ଆଡ଼କୁ ଧାଇଁଲି । ଗଲାବେଳକୁ ଗୋଟାଏ ଚଉକିକୁ ଝୁଣ୍ଟିବାରୁ ସେଇଟା ତଳେପଡ଼ି ଗୁଣ୍ଡା ହୋଇଗଲା । ଯାହା ହେଉ, ଅନ୍ଧାରରେ ଅଣ୍ଡାଳୁ ଅଣ୍ଡାଳୁ ଟର୍ଚ୍ଚଟା ହାତରେ ପଡ଼ିଗଲା । ସଙ୍ଗେ ସଙ୍ଗେ ଟର୍ଚ୍ଚର ବୋତାମ ଟିପିଲି । ଭାବିଥିଲି ଆଲୁଅରେ ଭୂତ ଓ ତାର ଚିମୁଟାଭଳିଆ ଶୀତଳ ହାତ ଦେଖିବି; କିନ୍ତୁ ଦେଖିଲି କଅଣ ? ମେଜିଆ ଉପରେ ବସିଛି ଏକ ପ୍ରକାଣ୍ଡ ବାହ୍ମୁଣିଆ ବେଙ୍ଗ । ଏତେ ବଡ଼ ବେଙ୍ଗ ଏଥିପୂର୍ବରୁ ମୁଁ ଜୀବନରେ କେବେ ଦେଖି ନଥିଲି । ଏକ ବିରାଟ କାଳିଆ ଜୀବ, ପ୍ରାୟ ଫୁଟେ ଜାଗା ମାଡ଼ିବସିଛି । ସେ ଯେ ବାହାରର ବର୍ଷାମାଡ଼ରୁ ରକ୍ଷାପାଇବା ପାଇଁ ଘରଭିତରକୁ ପଶିଆସିଥିଲା ଏଥିରେ ସଂଶୟ ନାହିଁ ।

 

ଏହି ଘଟନାଟିରୁ ଜଣାଯିବ, ମନୁଷ୍ୟର ସ୍ନାୟୁର କି ଅଦ୍ଭୁତ କରାମତି । ମାତ୍ର କେତେ ସେକେଣ୍ଡ ପୂର୍ବରୁ ମୁଁ ଗୋଟାଏ ଭୌତିକ ଓ ଅଜ୍ଞାତ ବସ୍ତୁର କଳ୍ପନାରେ ଭୀତତ୍ରସ୍ତ ହୋଇ କାଠ ପାଲଟିଯାଇଥିଲି; କିନ୍ତୁ ଏବେ ପ୍ରକୃତକଥା ଜାଣିପାରି ମନକୁ ମନ ହସିଉଠିଲି । ପାଦରେ ଥିବା ଚଟିଜୋତାର ଅଗରେ ବେଙ୍ଗଟାକୁ ପେଲିପେଲି ଦୁଆରମୁହଁକୁ ନେଇ ବାହାରକୁ ଫିଙ୍ଗି ଦେଲି । ବର୍ଷାପାଣିରେ ସେ ନଥ୍‌କରି ପଡ଼ିଲା ।

 

ସକାଳୁ ଦେଖାଗଲା, ବନ୍ଧା ହୋଇଥିବା ତିନୋଟି ଯାକ ଗଧ ବଞ୍ଚିଛନ୍ତି । ତେଣୁ ମୁଁ ଦିନ ବେଳାଟି ମୋ ବଗିଚାରେ କଟାଇଲି । କାହାରିଠାରୁ ଚିତାବାଘ ବିଷୟରେ କିଛି ଖବର ମିଳିଲାନାହିଁ-। ପୁଣି ଗୋଟିଏ ଦିନ ଗଲା; କୌଣସି ଗଧ ମରିଥିବାର ଶୁଣାଗଲା ନାହିଁ । ସେଦିନ ଯାହାହେଉ ଗୋଟିଏ ସାମାନ୍ୟ ସମ୍ବାଦ ମିଳିଲା ।

 

ଡାକହରକରା ମଲାପରେ ଡାକନେଇ ଆସିବାପାଇଁ ଜଣକ ସ୍ଥାନରେ ତିନିଜଣଙ୍କୁ ନିଯୁକ୍ତ କରଯାଇଥିଲା । ତିନିଙ୍କ ଭିତରୁ ଜଣେ ଥିଲା ନୂତନ ଡାକହରକରା; ତାକୁ ମୃତ ବ୍ୟକ୍ତି ସ୍ଥାନରେ ନିଯୁକ୍ତ କରାଯାଇଥିଲା । ଅନ୍ୟ ଦୁଇଜଣ ଥିଲେ ଚଉକିଦାର ବା ଜଗୁଆଳି । ଡାକହରକରାର ଶରୀରରକ୍ଷୀ ଭାବରେ ସେ ଦୁହିଁଙ୍କୁ ନିଯୁକ୍ତ କରାଯାଇଥିଲା । ନୂଆ ଡାକହରକରା ମୃତ ହରକରାର ଝୁମୁକା ବାଡ଼ିଧରି ଯାଉଥିଲା, ଅନ୍ୟ ଦୁଇଜଣଙ୍କ ହାତରେ ଗୋଟାଏ ଲେଖାଏଁ କୁନ୍ତ ଥିଲା ।

 

ଏଇ ତିନିଜଣ ଲୋକ ଗାଆଁରେ ପହଞ୍ଚି ଖବର ଦେଲେ ଯେ ସେମାନେ ଗୋଟାଏ ଚିତାବାଘକୁ ମୁଣ୍ଡିଆ ଉପରେ ଖରା ପୁହାଉଥିବାର ଦେଖିଛନ୍ତି । ଯେଉଁଠାରେ ଚିତାବାଘ ଡାକହରକରାକୁ ମାରିଥିଲା ସେଠାରୁ ଏ ସ୍ଥାନଟି ପାଏ (ଦୁଇଫଲଙ୍ଗ) ବାଟ ହେବ । ଏ ଖବର ପହଞ୍ଚିଲାକ୍ଷଣି ପଟେଲ ଜଣେ ଲୋକକୁ ଦଉଡ଼ାଇ ତା ହାତରେ ମୋତେ ସେହି ଖବର ଦେଲା । ମୋର ରାଇଫେଲଟା ଧରି ମୁଁ ସଙ୍ଗେସଙ୍ଗେ ସେହି ଲୋକ ସାଥିରେ ଗାଆଁକୁ ଚାଲିଲି । ଚଉକିଦାର ଦୁହେଁ କହିଲେ–ଆପଣ ଆମ ସଙ୍ଗେ ଆସନ୍ତୁ; ଆମେ ଚିତାବାଘ ଶୋଇଥିବା ଜାଗାଟା ଦେଖାଇ ଦେବୁ । ଆମେ ବାହାରିପଡ଼ିଲୁ ଓ ପ୍ରାୟ ଦୁଇ ମାଇଲ ବାଟ ଚାଲିଲୁ-। ଚଉକିଦାର ଦୁହେଁ ଜାଗାଟା ଦେଖାଇ ଦେଲେ ସତ; କିନ୍ତୁ ପଥରମୁଣ୍ଡିଆ ଛଡ଼ା ଆଉ କିଛି ଦେଖିବାକୁ ମିଳିଲାନାହିଁ । ଯେଉଁ ଚିତାବାଘକୁ ଶୋଇଥିବା ଅବସ୍ଥାରେ ସେମାନେ ଦେଖିଯାଇଥିଲେ ସେ ମଣିଷଖିଆ ଚିତାବାଘ ହୋଇଥାଉ ବା ଅନ୍ୟ ଗୋଟାଏ ଚିତାବାଘ ହୋଇଥାଉ–ତାର ଦେଖାଦର୍ଶନ ମିଳିଲାନାହିଁ । ଏକେ ଖୁବ୍ ଗରମ, ପଥୁରିଆ ଜାଗା; ପଥରମୁଣ୍ଡିଆ ଭିତରେ ସେ ଚିତାବାଘକୁ ଖୋଜି ବୁଲିବାରେ କିଛି ଲାଭ ନଥିଲା । ତଥାପି ଏହି ଖବରରୁ ଅନ୍ତତଃ ଏତିକି ଜଣାଗଲା ଯେ ଚିତାବାଘଟା ଆଖପାଖ ଅଞ୍ଚଳ ଭିତରେ ଅଛି । ଗାଆଁକୁ ଓ ମୋ ବଗିଚା ଘରକୁ ଫେରିବା ପୂର୍ବରୁ କାଜୁବାଦାମ ଗଛମୂଳେ ବନ୍ଧା ହୋଇଥିବା ଗଧଟାକୁ ଥରେ ଦେଖିନେଲି-। ଦରକାର ପଡ଼ିଲେ ଗଛର କେଉଁ ଡାଳରେ ମଞ୍ଚା ବାନ୍ଧିବି ତାହା ମନେମନେ ସ୍ଥିରକରି ନେଲି-

 

ସେଇ ଦିନ ରାତିରେ ଗୋଟାଏ ସୌଭାଗ୍ୟର ସଙ୍କେତ ମିଳିଲା; ଅବଶ୍ୟ ଗଧ ପକ୍ଷରେ ଦୁର୍ଭାଗ୍ୟ କହିବାକୁ ହେବ । ସେଇ ରାତିରେ ଚିତାବାଘ ଆସି କାଜୁବାଦାମ ଗଛମୂଳେ ବନ୍ଧା ହୋଇଥିବା ଗଧକୁ ମାରି ତା ମଡ଼ାରୁ ପ୍ରାୟ ଅଧେହେବ ଖାଇଯାଇଥିଲା ।

 

ପରଦିନ ବଡ଼ିସକାଳୁ ମୁଁ କେତେଜଣ ଲୋକଙ୍କୁ ପଠାଇ ତିନୋଟିଯାକ ଗଧକୁ ଦେଖିବା ଓ ସେମାନଙ୍କୁ ଆହାର ଓ ପାଣିଦେଇ ଆସିବାକୁ କହିଥିଲି । ସେମାନେ କାଜୁବାଦାମ ଗଛମୂଳର ଗଧର ଅବସ୍ଥା ଦେଖି ମଡ଼ାର ଅବଶିଷ୍ଟ ଅଂଶକୁ ଡାଳପତ୍ରରେ ଘୋଡ଼ାଇ ଦେଇ ମୋ ବଗିଚାକୁ ଆସି ମୋତେ ଏହି ଖବର ଦେଲେ । ମଡ଼ାକୁ ଘୋଡ଼ାଇ ନଥିଲେ ଶାଗୁଣାମାନେ ତାକୁ ଏକବାରେ ଶେଷକରି ଦେଇଥାନ୍ତେ ଓ ଆମର ଉଦ୍ଦେଶ୍ୟ ପଣ୍ଡ ହୋଇ ଯାଇଥାନ୍ତା ।

 

ମୁଁ ଶୀଘ୍ର କିଛି ଖାଇଦେଲି । ମୋର ବଡ଼ କୁରୁତା, ଟର୍ଚ୍ଚଲାଇଟ, ଚାହା ଫ୍ଲାସ୍କ ଓ କିଛି ବିସ୍କୁଟଧରି ମୁଁ ଗାଆଁକୁ ଗଲି । ସେଠାରୁ ପଟେଲ ଘରୁ ଅକ୍ଳେଶରେ ଗୋଟିଏ ଚାରପାୟୀ ଓ କିଛି ଦଉଡ଼ି ମିଳିଲା । ଚାରିଜଣ ଗ୍ରାମବାସୀ ଏହାକୁ ଟେକି କାଜୁବାଦାମ ଗଛ ପାଖକୁ ନେଇଗଲେ । ଏହାକୁ ଦଉଡ଼ି ସାହାଯ୍ୟରେ ଗଛଉପରେ ବାନ୍ଧି ଦିଆଗଲା । ଡାଳପତ୍ର ଦ୍ଵାରା କିପରି ଚାରପାୟୀକୁ ଲୁଚାଇ ରଖାଯିବ ତାହା ମୁଁ ନିଜେ ବତେଇଦେଲି । ଦେଖିଲି ଯେ କୌଣସି ଦିଗରୁ ବା ତଳୁ କେହି ଚାରପାୟୀକୁ ଦେଖିପାରିବେ ନାହିଁ । ଅଭିଜ୍ଞତାରୁ ମୁଁ ଜାଣିଛି ଏହି ଲୁଚାଇବା ଉପରେ ମଣିଷଖିଆ ଜନ୍ତୁ ଶିକାରର ସଫଳତା ବା ବିଫଳତା ମୁଖ୍ୟତଃ ନିର୍ଭରକରେ । ଗୋଟାଏ ପତ୍ର ଓଲଟି ପଡ଼ିଥିଲା କି ଚାରପାୟୀର ଟିକିଏ ହେଲେ କୌଣସି ଆଡ଼ ଦେଖାଗଲେ କିମ୍ବା ଗଛମୂଳେ କେତେଟା ପତ୍ର ପଡ଼ିଥିଲେ ମଣିଷଖିଆ ଜନ୍ତୁର ସନ୍ଦେହ ଜନ୍ମିବ । ମଡ଼ାପାଖକୁ ପୁଣି ଆସିବା ପୂର୍ବରୁ ସେ ଏସବୁ ବିଷୟରେ ଖୁବ୍ ସତର୍କ ଥାଏ ।

 

ସନ୍ତୋଷଜନକ ଭାବରେ ମୋର ପରାମର୍ଶ ଅନୁଯାୟୀ ସବୁ ବ୍ୟବସ୍ଥା ହେଲା । ଏଥିରେ କେବଳ ଗୋଟିଏ ଦୋଷ ରହିଗଲା । ମଞ୍ଚାଟି ଭୂଇଁଉପରୁ ଦଶଫୁଟରୁ ବେଶି ଉଚ୍ଚରେ ନଥିଲା । ପୁଣି କାଜୁବାଦାମ ଗଛରେ ଚିତାବାଘ ଚଢ଼ିବା ସହଜ ।

 

ଦିନ ଅଢ଼େଇଟା ବେଳକୁ ମୁଁ ସାଥୀ ଲୋକମାନଙ୍କୁ କହିଲି–ଏବେ ତୁମେମାନେ ଗାଆଁକୁ ଚାଲିଯାଅ । ରାତି ଭିତରେ ମୁଁ ଗାଆଁକୁ ଫେରି ନଗଲେ ତୁମେମାନେ ସକାଳୁ ଏଠାରେ ଆସି ପହଞ୍ଚିବ ।

 

ଲୋକେ ଚାଲିଗଲେ । ମୁଁ ମଞ୍ଚା ଉପରେ ବସିଲି ।

 

ଚାରିଆଡ଼େ ପଥରମୁଣ୍ଡିଆ । ତା ଉପରେ ସୂର୍ଯ୍ୟକିରଣ ପଡ଼ୁଥିଲା; ତେଣୁ ପ୍ରଚଣ୍ଡ ଗରମ ହେଉଥିଲା । ଉପରୁ ମୋ ଉପରେ ସୂର୍ଯ୍ୟକିରଣ ପଡ଼ୁଥିଲା । ମୋତେ ସେଥିରୁ ରକ୍ଷା କରିବାପାଇଁ ଗଛରେ ଯଥେଷ୍ଟ ଡାଳପତ୍ର ନଥିଲା । ସୂର୍ଯ୍ୟ ପଶ୍ଚିମଦିଗରେ ମହୀଶୂର ଉପତ୍ୟକା ଆଡ଼େ ଅଦୃଶ୍ୟ ହୋଇ ଆସିଲେ । ସନ୍ଧ୍ୟା ହୋଇଆସିବାରୁ ମୁଁ ଟିକିଏ ଆଶ୍ଵସ୍ତ ହେଲି । ତଳେ ଦୂରରୁ ଜଲାରପେଟ ରେଲଷ୍ଟେସନ ଦିଶୁଥାଏ । ବେଳେବେଳେ ଇଞ୍ଜିନର ଧୂଆଁ ଦେଖାଯାଉଥାଏ । ମଝିରେ ମଝିରେ ଗୋଟାଏ ଗୋଟାଏ ରେଳଗାଡ଼ି ଷ୍ଟେସନକୁ ଆସୁଥାଏ ଓ ଛାଡ଼ୁଥାଏ । ମୁଁ ମଞ୍ଚା ଉପରେ ବସି ସେହି ଗାଡ଼ିର ଦୁଇସିଲ ଶବ୍ଦ ଶୁଣିପାରୁଥାଏ । ଏହାକୁ ଛାଡ଼ିଦେଲେ ଅନ୍ୟ କୌଣସି ଶବ୍ଦ ଶୁଣାଯାଉ ନଥିଲା ।

 

ଅନ୍ଧାର ହୋଇଆସିଲା ବେଳକୁ ଗୋଟାଏ ମୟୂର ରାବିଲା । ଆଉ ଦୁଇଟା ପକ୍ଷୀ ଗଛ ଉପରେ ଚକ୍ରଦେଇ ଉଡ଼ିଗଲେ । ଏହାଛଡ଼ା ଅନ୍ୟ କୌଣସି ପଶୁ ବା ପକ୍ଷୀର ଚିହ୍ନ ଦେଖାଗଲା ନାହିଁ ।

 

ରାତିର ଅନ୍ଧାର ଘନ ହୋଇଆସିଲା । ପାହାଡ଼ର ଗଡ଼ାଣିରେ ଗଛ ଉପରେ ବସି ଦେଖିଲି ସମତଳ ଅଞ୍ଚଳରେ ଅନ୍ଧାର ମାଡ଼ିଗଲାଣି–ସତେ ଅବା ଭୂମିଦେବତା ଗୋଟାଏ କଳାଶାଢ଼ୀ ପିନ୍ଧିଛନ୍ତି । ମୋ’ଠାରୁ ଦୂରରେ ଉଚ୍ଚ ପାହାଡ଼ ଉପରେ ସୂର୍ଯ୍ୟଙ୍କର ଶେଷ କିରଣରେଖା ଟିକିଏ ଟିକିଏ ଦେଖାଯାଉଥାଏ । ଜଲାରପେଟରେ ଗୋଟିଏ ଗୋଟିଏ ଆଲୁଅ ମିଟିମିଟି କରି ଜଳିଉଠିଲା-। ସେହି ଆଲୁଅ ଭିତରେ ରେଳଷ୍ଟେସନ ପ୍ଲାଟଫର୍ମର ଉଜ୍ଜ୍ଵଳ ଆଲୁଅ ସଫା ବାରିହେଉଥାଏ-। ବେଳେବେଳେ ରେଳଗାଡ଼ିର ଲାଲ ଓ ନୀଳ ଆଲୁଅର ସଙ୍କେତ ଦେଖାଯାଉଥାଏ । ଉତ୍ତର ଦିଗରୁ ଗୋଟାଏ ଗାଡ଼ି ଆସି ଜଲାଇଥେଟ ଷ୍ଟେସନରେ ପହଞ୍ଚିଲା । ତାର ଇଞ୍ଜିନ୍‌ର ଆଲୁଅ ଆଗକୁ ଅନେକ ଦୂରଯାଏ ପଡ଼ିଥାଏ । ଗାଡ଼ି ଷ୍ଟେସନ ଛାଡ଼ିଲା । ଏଣିକି ଉଠାଣି ରାସ୍ତା । ଇଞ୍ଜିନ ଯେପରି ଗର୍ଜିଉଠଲା–ମୁଁ କଅଣ ଏତେ ଉଚ୍ଚକୁ ଉଠିପାରିବି ? ଭସ୍‍ ଭସ୍ ଶବ୍ଦ କରି ଇଞ୍ଜିନ ଉପରକୁ ଉଠିଲାବେଳେ ମୁଁ କଳ୍ପନା କରୁଥିଲି–ଇଞ୍ଜିନ କହୁଛି “ମୁଁ କଅଣ ଉଠିପାରିବି ?” ଏହି ଶବ୍ଦ ଏତେ ଦୂରରେ ହେଉଥିଲେ ସୁଦ୍ଧା ମୋ କାନ ପାଖରେ ହେଲାପରି ଜଣାଯାଉଥିଲା । ପ୍ରକୃତରେ ରେଳଗାଡ଼ି ଓ ତାର ଇଞ୍ଜିନ ମୋ ପାଖରୁ ଅନ୍ତତଃ ପାଞ୍ଚମାଇଲ ଦୂରରେ ଥିଲା ।

 

କୃଷ୍ଣପକ୍ଷର ରାତି । ମୋର ଚାରିପାଖ ଅନ୍ଧାରରେ ଲୁଚିଗଲା । ଆକାଶରେ କେତେ ଖଣ୍ଡ ମେଘ ଭାସିଗଲେ । ସେଥିଭିତରୁ କେତୋଟି ୟେଲାଗିରି ପାହାଡ଼ମାଳାର ଶିଖରରେ ଲୁଚିଗଲେ । ଆକାଶରେ ତାରାର ଦେଖାନଥିଲା; ଚାରିପାଖେ କେବଳ ଅନ୍ଧକାର, ଗାଢ଼ ଅନ୍ଧକାର । ଏଣିକି ମୋତେ ଆଖି ଉପରେ ନିର୍ଭର ନ କରି କେବଳ କାନ ଉପରେ ନିର୍ଭର କରିବାକୁ ପଡ଼ିଲା ।

 

ଭାଗ୍ୟର କଥା, ସେଠାରେ କୀଟ–ପତଙ୍ଗମାନଙ୍କର ଉପଦ୍ରବ ନ ଥିଲା, ଏପରିକି ଝିଙ୍କାରୀମାନଙ୍କର ମଧୁର ସ୍ଵର ମଧ୍ୟ ନ ଥିଲା । ମୁଁ ଚାରପାୟୀ ଉପରେ ହଲଚଲ ନ ହୋଇ ବସିଥାଏ । ବେଳେବେଳେ ଗୋଟାଏ ମଶା ମୋ ମୁଣ୍ଡ ଉପରେ ଗୁଣୁଗୁଣୁ ହୋଇ ମୁହଁ ଉପରେ ବା ହାତ ଉପରେ ବସିଯାଉଥିଲା । ସେ ତାର ସୂଚୀମୂନ ଭଳି ସୂକ୍ଷ୍ମ ଶୁଣ୍ଢରେ ମୋର ଚମଡ଼ାତଳୁ ରକ୍ତ ଶୋଷିଲାବେଳେ ମୁଁ ନିଃଶବ୍ଦରେ ତାକୁ ହାତରୁ ବା ମୁହଁରୁ ପୋଛିଦେଉଥିଲି କିମ୍ବା ଧୀରେ ଫୁଙ୍କି ଉଡ଼ାଇ ଦେଉଥିଲି । ଏହା ଫଳରେ ସେ ହୁଏତ ଏକବାରେ ଦୂରକୁ ଚାଲିଯାଉଥିଲା, କିମ୍ବା ପୁଣି ଆସି ଆଉ ଗୋଟାଏ ସ୍ଥାନରୁ ମୋର ରକ୍ତ ଶୋଷିବାର ଚେଷ୍ଟା କରୁଥିଲା ।

 

ଜଙ୍ଗଲ ଭିତରେ ମଞ୍ଚା ଉପରେ କିମ୍ବା କୋରଡ଼ ଭିତରେ ବସିରହିବା ମୋର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ତେଣୁ ସମୟର ହିସାବ ରଖିବା ମୋର ଇଚ୍ଛା ନ ଥିଲା । ହାତଘଣ୍ଟାକୁ ଚାହିଁରହି କେତେ ସମୟ ଗତ ହେଲାଣି ଜାଣିବାରେ କି ଲାଭ ? ସମୟକୁ ମୁଁ କଅଣ ଶୀଘ୍ର ଚଳାଇପାରିବି ? ସେ ତାର ନିର୍ଦ୍ଧାରିତ ଗତିରେ ହିଁ ଚାଲିବ ।

 

ଏଭଳି ପରିସ୍ଥିତିରେ ମନୁଷ୍ୟର ମନରେ ନାନା ପ୍ରକାର ଚିନ୍ତା ପ୍ରବେଶ କରେ । ସେଥିମଧ୍ୟରୁ କେତେକ ଆନନ୍ଦଦାୟକ, ଆଉ କେତେକ ଦୁଃଖଦାୟକ; ପୁଣି ଆଉ କେତେକ ପୂର୍ବ ଘଟନାର ସ୍ମୃତି ମାତ୍ର । ମୋର ମନେପଡ଼ୁଛି, ସେଦିନ ସନ୍ଧ୍ୟାରେ ମଞ୍ଚାରେ ବସିଥିଲାବେଳେ କେଜାଣି କାହିଁକି ମୋର ମନ ହେଲା–ଗୋଟାଏ ନୂଆ ଧରଣର ବାଇ–ସାଇକେଲ ଉଦ୍‌ଭାବନ କରନ୍ତି, ଯାହାକି ସାମାନ୍ୟ ପରିଶ୍ରମରେ ଖୁବ୍ ଶୀଘ୍ର ବହୁଦୂରକୁ ଯାଇପାରନ୍ତା । ମନୁଷ୍ୟର ମନ ବାସ୍ତବରେ ଅଦ୍ଭୁତ । କିଛି କାମ ନଥିବାବେଳେ ନାନା ଅଦ୍ଭୁତ ଚିନ୍ତା ମନକୁ ଅଧିକାର କରିବସେ ।

 

କ୍ଷୀଣ ଶ୍ଵାସ ଭଳି ଗୋଟାଏ ଶବ୍ଦରେ ମୋର ନୂଆ ସାଇକେଲ ଉଦ୍‌ଭାବନ ଚିନ୍ତାରେ ବାଧା ପଡ଼ିଲା । ମୁଁ ଜାଣିପାରିଲି, ଚିତାବାଘ ଆସି ଗଧର ମଡ଼ା ଉପରକୁ ଗଲାଣି । ମୁଁ ଯେଉଁ କ୍ଷୀଣ ଶବ୍ଦଟି ଶୁଣିଥିଲି ତାହା ଚିତାବାଘ ନିଶ୍ଵାସ ଛାଡ଼ିଲାବେଳର ଶବ୍ଦ ।

 

ମୁଁ ଭାବିଲି–ବର୍ତ୍ତମାନ ଟର୍ଚ୍ଚ ବତି ଟିପି ଚିତାବାଘକୁ ଗୁଳି କରିବାର ଉପଯୁକ୍ତ ସମୟ ନୁହେ; ବରଂ ସେ ନିଶ୍ଚିନ୍ତ ହୋଇ ଭୋଜନରେ ବସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଭଲ । ମୁଁ ଅପେକ୍ଷା କରି ରହିଲି । କିନ୍ତୁ ଏହିଠାରେ ମୋର ଭୁଲ ହେଲା । ସେତିକିବେଳେ ଗୁଳି କରିଥିଲେ ଚିତାବାଘଟା ମରିଥାନ୍ତା; ଆଉ ଜଣେ ମଣିଷର ଜୀବନ ମଧ୍ୟ ରକ୍ଷା ହୋଇଥାନ୍ତା ।

 

ମୁଁ ଅପେକ୍ଷା କରିଥାଏ; କେତେବେଳେ ଚିତାବାଘ ମଲା ଗଧର ମାଂସ ଓ ହାଡ଼ ଚୋବାଇବାର ମଡ଼ମଡ଼ ଶବ୍ଦ ଶୁଣାଯିବ । କିନ୍ତୁ କୌଣସି ଶବ୍ଦ ଶୁଣାଗଲା ନାହିଁ । ଏଣେ ସେକେଣ୍ଡକୁ ସେକେଣ୍ଡ ସମୟ ଚାଲିଯାଉଛି । ମୋର ସନ୍ଦେହ ହେଲା–ମୋର ହିସାବରେ ଗୋଟାଏ କିଛି ଭୁଲ ହୋଇଯାଇଛି ।

 

ମାଂସାଶୀ ଜୀବମାନେ ଦରକାର ପଡ଼ିଲେ କିପରି ନିଃଶବ୍ଦରେ କାମ କରିପାରନ୍ତି ତାହା ମୋତେ ଅଜଣା ନଥିଲା । ପୁଣି ଚିତାବାଘ ଏ ବିଷୟରେ ଧୁରନ୍ଧର । ସେ ଯେ କେବଳ ନିଃଶବ୍ଦରେ ଯିବା ଆସିବା କରିପାରେ ତାହା ନୁହେଁ; ଦିନ ଦି’ପହରେ ସୁଦ୍ଧା ତାର ଦେଖାପାଇବା ମଧ୍ୟ ଅସମ୍ଭବ-। ଆଉ ଉପସ୍ଥିତ କ୍ଷେତ୍ରରେ ଘନ ଅନ୍ଧକାର ଭିତରେ ଚିତାବାଘଟା ହାତେ ଦୁଇ ହାତ ଦୂରରେ ଥାଇପାରେ କିମ୍ବା ମାଇଲିଏ ଦୁଇମାଇଲ ଦୂରରେ ଥାଇପାରେ । ଘୋର ଅନ୍ଧକାର ଭିତରେ ତାର କଳନା କରାଯାଇନପାରେ ।

 

ମୁଁ ଘଣ୍ଟାର ରେଡ଼ିୟମଦିଆ କଣ୍ଟାକୁ ଚାହିଁ ଦେଖିଲି, ନଅଟା ବାଜିବାକୁ ଆଉ କୋଡ଼ିଏ ମିନିଟ ଅଛି । ମୁଁ ଚୁପ୍‌କରି ଅପେକ୍ଷାକରି ବସିଲି । ନଅଟା ବାଜିଲା । ଏହି ସମୟରେ ମୋର ଡାହାଣ ପାଖ ପଥର ମୁଣ୍ଡିଆର ଗୋଟିଏ ଅଂଶରୁ ଏକ ଗମ୍ଭୀର ଗର୍ଜ୍ଜନ ଶୁଣାଗଲା; କେତେ ସେକେଣ୍ଡ ପରେ ଆଉ ଥରେ ସେହିପରି ଗର୍ଜ୍ଜନ ଶୁଣାଗଲା ।

 

ତେବେ ଚିତାବାଘଟା କୌଣସି ପ୍ରକାରେ ମୁଁ ସେଠାରେ ଅଛି ବୋଲି ଜାଣିପାରିଛି । ଚିତାବାଘମାନଙ୍କର ଘ୍ରାଣଶକ୍ତି ଅତି କ୍ଷୀଣ; ନାହିଁ କହିଲେ ଚଳେ । ତେଣୁ ସେ ମୋର ଗନ୍ଧ ବାରି ପାରିନଥିବ । ମୋର ଶବ୍ଦରୁ ମଧ୍ୟ ମୋତେ ଜାଣିବାର ଉପାୟ ନ ଥିଲା; କାରଣ ମୁଁ ଆଦୌ ଶବ୍ଦ କରି ନ ଥିଲି । ତେଣୁ ମୁଁ ଭାବିଲି–ଚିତାବାଘ ଅଜ୍ଞାତସାରରେ ଉପରକୁ ଚାହିଁ ଦେଇ ମଞ୍ଚାକୁ ଦେଖି ପାରିଛି କିମ୍ବା ପ୍ରକୃତିଦତ୍ତ ଶକ୍ତିବଳରେ ସେ ମୋର ଅବସ୍ଥାନ ଜାଣିପାରିଛି । ଯେକୌଣସି କାରଣରୁ ହେଉ, ଏବେ ସେ ଜାଣିଲାଣି ଯେ ଏଠାରେ ଜଣେ ମନୁଷ୍ୟ ଅଛି । ତାହା ହେଲେ ସେ ଗଛରେ ଚଢ଼ି ମୋତେ ତଳେ ପକାଇ ଦେବାକୁ ଚେଷ୍ଟା କରିଥାନ୍ତା । କିନ୍ତୁ ହୁଏତ ତାର ଆତ୍ମରକ୍ଷା ଜ୍ଞାନରୁ ସେ ବୁଝିଛି ଯେ ଏ ଲୋକଟା ସାଧାରଣ ଲୋକ ନୁହେ; ତାକୁ ଅନ୍ୟମାନଙ୍କ ଭଳି ମାରିବା ସମ୍ଭବ ନୁହେ । ଏ ହେଉଛି ତାର ଗୋଟାଏ ବିପଜ୍ଜନକ ଶତ୍ରୁ ।

 

ଅବଶ୍ୟ ଏ ଚିତାବାଘଟା ଆଦୌ ମଣିଷଖିଆ ହୋଇ ନଥାଇପାରେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେ ଯେପରି କାରବାର କଲା, ସେଥିରେ ତାକୁ ମଣିଷଖିଆ ବୋଲି ସନ୍ଦେହ କରିବାର ଯଥେଷ୍ଟ କାରଣ ଥିଲା ।

 

ପ୍ରଥମ କେତୋଟି ଗର୍ଜନ ସତର୍କତାସୂଚକ ଥିଲା; ଏହାପରେ ଗର୍ଜନର ସଂଖ୍ୟା ବଢ଼ିଲା । ସେଗୁଡ଼ିକ ଯେ ତାର ସାହସ ବୃଦ୍ଧି ପାଇଁ ଅଭିପ୍ରେତ ଥିଲା, ଏହା ନିଃସନ୍ଦେହ । ବୋଧହୁଏ ଏହିଭଳି ଆଉ କେତେ ଥର ଗର୍ଜନ କଲାପରେ ସେ ଆସି ମୁଁ ବସିଥିବା ଗଛକୁ ଆକ୍ରମଣ କରିବ ବା ଗଛ ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରିବ । ଏଥିପୂର୍ବରୁ ମୁଁ ଉଲ୍ଲେଖ କରିଛି ଯେ ଚିତାବାଘମାନେ ଗଛମୂଳେ ଭୀଷଣ ଗର୍ଜନ କରି ମାଙ୍କଡ଼ମାନଙ୍କୁ ଭୀତଚକିତ କରି ଦେଇଥାନ୍ତି । ଫଳରେ ସେମାନେ ଭୟରେ ତଳେ ପଡ଼ିଯାନ୍ତି କିମ୍ବା ଲକ୍ଷ୍ୟହୀନ ଭାବରେ ଅନ୍ୟଗଛକୁ ଡେଇଁବାକୁ ଯାଇ ମରନ୍ତି । ବୋଧହୁଏ ଚିତାବାଘଟା ଆଗେ ମୋର ନୈତିକ ବଳ ଭାଙ୍ଗି ଦେବା ପାଇଁ ଏପରି ଗର୍ଜନ କରୁଥିଲା-

 

କ୍ରମେ ଗର୍ଜନର ସ୍ଵର ଓ ଗାମ୍ଭୀର୍ଯ୍ୟ ବଢ଼ିବାକୁ ଲାଗିଲା । ସେ ଭୀଷଣ ଶବ୍ଦ କରୁଥିଲା । ସେ ହୁଏତ ଭୟ ଦେଖାଇ ମୋତେ ତଳକୁ ପକାଇବାର ଚେଷ୍ଟା କରୁଥିଲା ଅଥବା ଗଛ ଉପରକୁ ଆକ୍ରମଣ କରିବା ପାଇଁ ନିଜର ବଳ ସଂଗ୍ରହ କରୁଥିଲା । ଭୟରେ ପଡ଼ିଯିବାର ଆଶଙ୍କା ମୋର ନଥିଲା । ତେଣୁ ଦ୍ଵିତୀୟ ସମ୍ଭାବନା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିନେଲି ।

 

ଆହୁରି କେତେ ମିନିଟ ପର୍ଯ୍ୟନ୍ତ ଏହିପରି ଗର୍ଜନ କରିବାପରେ ସେ କାଶିଲାଭଳି ଏକ ପ୍ରକାର ଶବ୍ଦ କଲା । ସବୁ ଚିତାବାଘ ଶିକାର ଉପରେ ଝାମ୍ପି ପଡ଼ିବା ପୂର୍ବରୁ ଏହିପରି ଶବ୍ଦ କରିଥାନ୍ତି-। ଚିତାବାଘ କାଜୁବାଦାମ ଗଛମୂଳରେ ପହଞ୍ଚିଲାବେଳକୁ ମୁଁ ଚାରପାୟୀଧାରକୁ ନଇଁପଡ଼ି ଡାଳପତ୍ରକୁ ଟିକିଏ ଆଡ଼େଇ ଦେଇ ସେଇବାଟେ ବନ୍ଧୁକର ଅଗ ପୂରାଇ ଦେଲି ଓ ଟର୍ଚ୍ଚର ବୋତାମ ଟିପିଦେଲି । ମୋତେ ଅତି ଶୀଘ୍ର ମୋର କାମ କରିବାକୁ ହେବ । ଏହାର କାରଣ ହେଲା–ମଞ୍ଚାଟା ତଳୁ ମାତ୍ର ଦଶଫୁଟ ଉଚ୍ଚରେ ଓ କାଜୁବାଦାମ ଗଛରେ ଚଢ଼ିବା ତା ପକ୍ଷରେ ଅତି ସହଜ । ତେଣୁ ତାକୁ ସମୟ ଦେବାର ପ୍ରଶ୍ନ ନଥିଲା ।

 

ମୋର ଦୁର୍ଭାଗ୍ୟକୁ ମଞ୍ଚାକୁ ଘୋଡ଼ାଇ ରଖିଥିବା ଖଣ୍ଡିଏ ଅଗ ଡାଳ ଖସିପଡ଼ିଗଲା ଠିକ୍ ଚିତାବାଘ ଉପରେ । ଏହାଫଳରେ ଯେ ତାର ଗଛ ଉପରକୁ ଉଠିବା ଉଦ୍ୟମ ବନ୍ଦ ହୋଇଗଲା ତାହା ନୁହେଁ; ତେବେ ଟିକିଏ ବିଳମ୍ବ ହୋଇଗଲା । ଏହା ଦ୍ଵାରା ଆଉ ଗୋଟିଏ ଲାଭ ହେଲା–ଟର୍ଚ୍ଚର ଆଲୁଅ ସେ ଦେଖିପାରିଲା ନାହିଁ । ମୁଁ ତଳକୁ ଚାହିଁ ଦେଖିଲି, ଡାଳଟା ଭୀଷଣଭାବରେ କମ୍ପୁଛି । ସେଥିରୁ ମୁଁ ଅନୁମାନ କଲି ତାରି ତଳେ ଚିତାବାଘ ରହିଛି ।

 

ଏତିକିବେଳେ ମୁଁ ଗୋଟାଏ ଭୀଷଣ ଭୁଲ କରିଦେଲି । ଚିତାବାଘ ଡାଳତଳୁ ଏକବାରେ ବାହାରିଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ମୋର ଉଚିତ ଥିଲା । କିନ୍ତୁ ମୁଁ ଡାଳପତ୍ର ଥରୁଥିବା ସ୍ଥାନକୁ ଦେଖି ଚିତାବାଘ ଯେଉଁଠାରେ ଥିବାର ଅନୁମାନ ହେଲା ସେହିଠାକୁ ଲକ୍ଷ୍ୟକରି ଗୁଳି ମାରିଲି । ଗୁଳିର ଶବ୍ଦ ପରେ ପରେ ଚିତାବାଘଟା ପଛେଇ ଯାଇ ତଳେ ପଡ଼ିଯିବାର ଶବ୍ଦ ଶୁଣାଗଲା । ହଠାତ୍ ମୋର ଧାରଣା ହେଲା ଏଇ ଗୋଟାକ ଗୁଳିରେ ଚିତାବାଘ ମରିଛି; କିନ୍ତୁ ମୁହୂର୍ତ୍ତକ ପରେ ମୋତେ ସେହି ଧାରଣା ବଦଳାଇବାକୁ ହେଲା । ଦେଖିଲି, ଚିତାବାଘଟା–ଭୂଇଁରେ ପଡ଼ୁ ନ ପଡ଼ୁଣୁ ଡେଇଁପଡ଼ି ତାକୁ ଛନ୍ଦିଥିବା ଡାଳରୁ ମୁକ୍ତ ହୋଇଗଲା । ମୁଁ ବନ୍ଧୁକରେ ପୁଣି ଗୁଳି ଭର୍ତ୍ତି କରିବା ପୂର୍ବରୁ ସେ ଡେଇଁ ଡେଇଁ ବୁଦା ଭିତରେ ପଶିଯିବାର ଦେଖିଲି ।

 

ସେ ଯେଉଁଠାରେ ବୁଦାରେ ଉଭେଇଯାଇଥିଲା ସେହି ସ୍ଥାନକୁ ଲକ୍ଷ୍ୟ କରି ମୁଁ ଟର୍ଚ୍ଚ ଆଲୁଅ ପକାଇଲି; କିନ୍ତୁ ତାକୁ ଦେଖିପାରିଲି ନାହିଁ କି ତାର କୌଣସି ଶବ୍ଦ ଶୁଣିପାରିଲି ନାହିଁ । ସେଠାରୁ ସେ କୁଆଡ଼େ ଗଲା, ତାହା ମଧ୍ୟ ଅନୁମାନ କରିପାରିଲି ନାହିଁ । ଚାରିଆଡ଼େ ନୀରବତାର ରାଜତ୍ଵ । ହୁଏତ ସେ ବୁଦା ଭିତରେ କେଉଁଠି ମରି ପଡ଼ିଥିବ ବା ଆଘାତ ପାଇଥିବ ବା ସେଠାରୁ ବହୁ ଦୂରକୁ ପଳାଇ ଯାଇଥିବ । ପ୍ରକୃତ କଥା ଜାଣିବାର ଉପାୟ ନ ଥିଲା ।

 

କିଛି ବେଳଯାଏ ମୁଁ ମଞ୍ଚାର ଚତୁର୍ଦ୍ଦିଗକୁ ଟର୍ଚ୍ଚ ଆଲୁଅ ପକାଇଲି । ସ୍ଥିରକଲି, ଅନ୍ଧାରରେ ଆହୁରି କିଛି ସମୟ ବସି ଅପେକ୍ଷା କରିବି । କାଳେ କିଛି ଶବ୍ଦ ଶୁଣାଯିବ । କିନ୍ତୁ ଘଣ୍ଟାଏ ଅପେକ୍ଷା କଲେ ସୁଦ୍ଧା କୌଣସି ସୂଚନା ମିଳିଲା ନାହିଁ । ଭାବିଲି, ଚିତାବାଘ ଯେଉଁଠାରେ ବୁଦାଭିତରକୁ ପଶି ଉଭେଇଗଲା, ସେଠାକୁ ଗୁଳି ମାରିବି । ତାହାହେଲେ ଚିତାବାଘ ଯଦି ଯଖମ ହୋଇ ଆଖପାଖରେ ଥାଏ, ତେବେ ସେ କିଛି ନା କିଛି ପ୍ରତିକ୍ରିୟା ପ୍ରକାଶ କରିବ । ତେଣୁ ଟର୍ଚ୍ଚ ପକାଇ ଚିତାବାଘ ଉଭେଇଯାଇଥିବା ସ୍ଥାନକୁ ଅନୁମାନରେ ଲକ୍ଷ୍ୟ କରି ଗୋଟିଏ ଗୁଳି ମାରିଲି । ଗୁଳିର ଶବ୍ଦ ପଥୁରିଆ ପାହାଡ଼ରେ ପ୍ରତିଧ୍ଵନି ସୃଷ୍ଟି କଲା; କିନ୍ତୁ ଚିତାବାଘର କୌଣସି ପ୍ରତିକ୍ରିୟା ଦେଖାଗଲା ନାହିଁ ।

 

ଜଲାରପେଟ ଷ୍ଟେସନରୁ ଗୋଟିଏ ମାଲଗାଡ଼ି ବାଙ୍ଗାଲୋର ଅଭିମୁଖେ ବାହାରିଲା । ପୂର୍ବଘାଟ ଅଞ୍ଚଳ ମଧ୍ୟରେ ତାକୁ ମୁଲାନୁର ପର୍ଯ୍ୟନ୍ତ ଏକ ଉଚ୍ଚ ଉଠାଣି ଅତିକ୍ରମ କରିବାକୁ ହେବ । ଏହି ଉଠାଣି ଅତିକ୍ରମ କରିବା ପାଇଁ ଗାଡ଼ିର ଆଗ ଇଞ୍ଜିନ ଛଡ଼ା ପଛରେ ମଧ୍ୟ ଗୋଟିଏ ଇଞ୍ଜିନ ଲାଗିଥିଲା । ପଛ ଇଞ୍ଜିନର କାମ ହେଲା ଗାଡ଼ିକୁ ଉପରକୁ ଟାଣିବାରେ ଆଗ ଇଞ୍ଜିନ୍‌କୁ ସାହାଯ୍ୟ କରିବା । ପଛ ଇଞ୍ଜିନ ଖୁବ୍ ଜୋର୍‌ରେ ଭସ୍ ଭସ୍ ଶବ୍ଦ କରି ଗାଡ଼ିକୁ ଆଗକୁ ଠେଲୁଥାଏ । ତାର ଶବ୍ଦରେ ଆଗ ଇଞ୍ଜିନର ଶବ୍ଦ ବୁଡ଼ିଯାଉଥାଏ । ବୋଧହୁଏ ଆଗ ଇଞ୍ଜିନର ଡ୍ରାଇଭର ପଛ ଇଞ୍ଜିନ ଉପରେ ନିର୍ଭର କରି ନିଶ୍ଚିନ୍ତ ।

 

ମୁଁ ରାତି ସାଢ଼େ ଏଗାରଟା ଯାକେ ଅପେକ୍ଷା କରି ବସିଲି । ମାନ୍ଦ୍ରାଜ–କୋଚିନ ଏକ୍‌ପ୍ରେସ ଗାଡ଼ିର ହୁଇସିଲ ଶବ୍ଦ ଶୁଣି ମୁଁ ମୋର କର୍ମପନ୍ଥା ସ୍ଥିର କରିନେଲି । ଗଛରୁ ଓହ୍ଲାଇ ସିଧା ମୋ ବଗିଚା ଘରକୁ ଯାଇ ନିଶ୍ଚିନ୍ତରେ ଶୋଇବାକୁ ସ୍ଥିର କଲି । ଏଥିରେ କୌଣସି ବିପଦର ଆଶଙ୍କା ନ ଥିଲା । ଯଦି ଚିତାବାଘ ଆହତ ହୋଇ ଆଖପାଖରେ କୌଣସିଠାରେ ଥାଆନ୍ତା, ତେବେ ସେ ନିଶ୍ଚୟ ମୋର ଶେଷ ଗୁଳିର ଶବ୍ଦରେ କିଛି ନା କିଛି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତା । ତେଣୁ ସେ ନିଶ୍ଚୟ ମୋର ପ୍ରଥମ ଗୁଳିରେ ମରିଛି କିମ୍ବା ବହୁତ ଦୂରକୁ ପଳାଇଛି । ଯଦି ଧରିନିଆଯାଏ ଯେ ସେ ପାଖରେ ଛକି ବସିଥିଲା, ତେବେ ସେ ଦ୍ଵିତୀୟ ଗୁଳିର ଶବ୍ଦ ଶୁଣି ପଳାଇଯାଇଥିବ ।

 

ମୁଁ କାଜୁବାଦାମ ଗଛରୁ ଓହ୍ଲାଇ ପଡ଼ିଲି । ଟର୍ଚ୍ଚର ଆଲୁଅ ପକାଇ ପକାଇ ଗାଁରେ ପହଞ୍ଚିଲି । ଲୋକେ ମୋତେ ଚାହିଁ ରହିଥିଲେ । ନିଜ ବଗିଚା ଘରକୁ ଯିବା ପୂର୍ବରୁ ମୁଁ ସେମାନଙ୍କୁ ସେ ରାତିର ସମସ୍ତ ଘଟନା ଶୁଣାଇଦେଲି ।

 

ରାତିର ଅବଶିଷ୍ଟ ଅଂଶ ବଗିଚାଘରେ କଟାଇ ସକାଳୁ ମୁଁ ପୁଣି ଗାଁକୁ ଆସିଲି । କୋଡ଼ିଏ ପଚିଶ ଜଣ ଲୋକ ମୋତେ ସବୁ ପ୍ରକାରେ ସାହାଯ୍ୟ କରିବାପାଇଁ ବାହାରିପଡ଼ିଲେ । ମୋର ପରାମର୍ଶ ଅନୁସାରେ ସେମାନେ ଛଅସାତଟା ବୁଲା କୁକୁର ସଂଗ୍ରହ କରି ଆଣିଲେ । ଆମେ ସମସ୍ତେ କୁକୁରମାନଙ୍କୁ ଘେନି ଦଳବଳ ହୋଇ ସେହି କାଜୁବାଦାମ ଗଛ ପାଖକୁ ଗଲୁ ।

 

ଗଧର ଅବଶିଷ୍ଟ ଅଂଶକୁ କେହି ଛୁଇଁ ନଥିଲେ । ଗଛର ଠିକ୍ ମୂଳରେ ଯେଉଁଠାରେ ମୋର ଗୁଳି ମାଟିକୁ ଭେଦି ଯାଇଥିଲା, ସେଠାରେ ଗୋଟିଏ ଗାତ ହୋଇଥିଲା । ଆଖପାଖରେ କୌଣସିଠାରେ ଟୋପାଏ ହେଲେ ରକ୍ତ ପଡ଼ିନଥିଲା । ଯେଉଁ ବୁଦାରେ ଚିତାବାଘ ପଶିଯାଇଥିଲା ଓ ଯେଉଁଠାକୁ ମୁଁ ଦ୍ଵିତୀୟ ଗୁଳି ମାରିଥିଲି, ସେହି ସବୁ ବୁଦାକୁ ଆମେ ତନ୍ନତନ୍ନ କରି ଖୋଜିଲୁ । ଆଖପାଖର ପଥରମୁଣ୍ଡିଆ ଓ ବୁଦା ମଧ୍ୟ ଖୋଜାଗଲା; କିନ୍ତୁ ଚିତାବାଘର କୌଣସି ସଙ୍କେତ ମିଳିଲା ନାହିଁ । ଏବେ ସ୍ପଷ୍ଟ ଜଣାପଡ଼ିଲା ଯେ ରାତିରେ ମୁଁ ଯେଉଁ ଗୁଳି ମାରିଥିଲି ତାହା ଏକବାର ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା । ଚିତାବାଘ ଅକ୍ଷତ ଦେହରେ ଖସିଯାଇଛି ।

 

ମୋର ମିଜାସ ଖରାପ ହୋଇଗଲା । ମୋତେ କିଛି ଭଲ ଲାଗିଲାନାହିଁ । ନିରାଶ ହୃଦୟରେ ଲୋକମାନଙ୍କ ସହିତ ମୁଁ ଗାଁକୁ ଫେରିଆସିଲି । ପଟେଲକୁ କହିଲି, “ମୋର ବର୍ତ୍ତମାନ ଆଉ ସମୟ ନାହିଁ । ମୋତେ ବାଙ୍ଗାଲୋରକୁ ଯିବାକୁ ହେବ । ଯଦି ସେପରି କିଛି ଘଟନା ଘଟେ, ତୁମେ ମୋ ପାଖକୁ ଟେଲିଗ୍ରାମଦ୍ଵାରା ଜଣାଇବ ।”

 

ଏହି ବନ୍ଦୋବସ୍ତ କରି ମୁଁ ମୋ ବଗିଚା ଘରକୁ ଯାଇ ଜିନିଷପତ୍ର ବାନ୍ଧି ବ୍ୟାଗରେ ପୂରାଇଲି ଓ ଜଲାରପେଟ ଷ୍ଟେସନ ଅଭିମୁଖେ ଚାଲିଲି । ଗଲାବେଳେ ମୋତେ ସେହି କାଜୁବାଦାମ ଗଛ ଦେଇ ଯିବାକୁ ହେଲା । ଜଲାରପେଟରେ ମାନ୍ଦ୍ରାଜ ଏକ୍‌ପ୍ରେସ ଗାଡ଼ିରେ ବସି ସେହିଦିନ ରାତି ଆଠଟା ପନ୍ଦର ମିନିଟବେଳେ ବାଙ୍ଗାଲୋରରେ ମୋ ଘରେ ପହଞ୍ଚିଲି ।

 

ୟେଲାଗିରି ପାହାଡ଼ର ଚିତାବାଘ ବିରୁଦ୍ଧରେ ମୋର ଏହି ପ୍ରଥମ ଅଭିଯାନ ଏହିପରି ଶେଷ ହେଲା ।

 

ମୁଁ ଆଶା କରିଥିଲି, ପଟେଲଠାରୁ କିଛି ସମ୍ବାଦ ଶୀଘ୍ର ପାଇବି; କିନ୍ତୁ କୌଣସି ସମ୍ବାଦ ପାଇଲିନାହିଁ । ଦୁଇଚାରି ଦିନ ନୁହେଁ, ଦୁଇମାସ ଚାଲିଗଲା । ଶେଷରେ ମୁଁ ପଟେଲ ପାଖକୁ ଖଣ୍ଡେ ଚିଠି ଲେଖିଲି । ଅଳ୍ପ କେଇଟା ଦିନ ପରେ ଉତ୍ତର ପାଇଲି–ଚିତାବାଘର କୌଣସି ଖବର ନାହିଁ । ଏଥିରୁ ମୁଁ ମନେକଲି, ହୁଏତ ସେ ଚିତାବାଘ ମଣିଷ ଖାଇବା ଅଭ୍ୟାସ ଛାଡ଼ି ଦେଇଛି କିମ୍ବା ୟେଲାଗିରି ପାହାଡ଼ଶ୍ରେଣୀର ଦକ୍ଷିଣରେ ପ୍ରାୟ ପନ୍ଦର ମାଇଲ ଦୂରରେ ଥିବା ଯାବାଦି ପାହାଡ଼ମାଳାକୁ ଚାଲିଯାଇଛି । ଯଦି ସେ ଯାବାଦି ଅଞ୍ଚଳକୁ ଚାଲିଯାଇଥିବା ଧରିନିଆଯାଏ, ତେବେ ସେ ଅଞ୍ଚଳରେ କୌଣସି ଲୋକକୁ ମାରିଥାନ୍ତା ଓ ସେ କଥା ଖବରକାଗଜରେ ବା ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଥାନ୍ତା । କିନ୍ତୁ ସେପରି କିଛି ଖବର ମିଳି ନଥିଲା । ତେଣୁ ମୁଁ ସିଦ୍ଧାନ୍ତ କଲି ଯେ ଚିତାବାଘଟା ମଣିଷ ଖାଇବା ଅଭ୍ୟାସ ଛାଡ଼ିଦେଇଛି । ଏହା ଛଡ଼ା ଆଉ ଗୋଟାଏ ସମ୍ଭାବନା ଥିଲା । ମୋ ଗୁଳିରେ ଆହତ ହୋଇ ସେ କୌଣସି ଜଙ୍ଗଲ ମଧ୍ୟରେ ମରିଥିବ; କିନ୍ତୁ ଏଭଳି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ କୌଣସି ବିଶ୍ଵାସଯୋଗ୍ୟ ପ୍ରମାଣ ନ ଥିଲା ।

 

ପଟେଲର ଚିଠି ପାଇବାର ଦୀର୍ଘ ନଅ ସପ୍ତାହ ପରେ ତାହାଠାରୁ ଗୋଟିଏ ଟେଲିଗ୍ରାମ ପାଇଲି । ଟେଲିଗ୍ରାମଟି ଜଲାରପେଟ ରେଳଷ୍ଟେସନରୁ ଆସିଥିଲା । ସେଥିର ମର୍ମ ହେଲା–

 

ସେ ଚିତାବାଘ ପୁଣି ଦେଖାଦେଲାଣି । ସେ ପୁଣି ଗୋଟାଏ ମଣିଷ ମାରିଛି । ଆପଣ ଅବିଳମ୍ବେ ଆସନ୍ତୁ ।

 

ଗାଡ଼ି ଧରିବାକୁ ମାତ୍ର ଦୁଇ ଘଣ୍ଟା ସମୟ ଥିଲା । ସେହି ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇ ଷ୍ଟେସନକୁ ଯାଇ ଗାଡ଼ି ଧରିଲି ।

 

ଏ ଗାଡ଼ିଟି ଗୋଟିଏ ମନ୍ଥରଗାମୀ ଯାତ୍ରୀଗାଡ଼ି । ରାତି ସାଢ଼େ ଆଠଟା ବେଳକୁ ଗାଡ଼ି ଜଲାରପେଟ ଷ୍ଟେସନରେ ପହଞ୍ଚିଲା । ସଙ୍ଗେ ସଙ୍ଗେ ପାହାଡ଼ ଉପରକୁ ଉଠିଯିବାର କୌଣସି ଆବଶ୍ୟକତା ନ ଥିଲା । ଗଲେ କିଛି କରିପାରିବାର ସମ୍ଭାବନା ନ ଥିଲା; ତେଣୁ ଷ୍ଟେସନର ଓୟେଟିଙ୍ଗ୍ ରୁମ୍‌ରେ ରାତିଟି ଶୋଇ ସକାଳୁ ଯିବାର ସ୍ଥିର କଲି; କିନ୍ତୁ ମୋର ଏହି କାର୍ଯ୍ୟକ୍ରମଟା ସଫଳ ହୋଇ ପାରି ନ ଥିଲା । ମୋର ନିଦ ପତଳା । ଟିକିଏ ନିଦ ଲାଗିଆସିଲାବେଳକୁ ଷ୍ଟେସନବାଟେ ଯିବାଆସିବା କରୁଥିବା ରେଳଗାଡ଼ିର ଘର୍ଘର ଶବ୍ଦରେ ନିଦ ଭାଙ୍ଗି ଯାଉଥାଏ । ଦ୍ଵିତୀୟତଃ ମଶା ଓ ଓଡ଼ଶମାନଙ୍କ ଦୌରାତ୍ମ୍ୟ । ଚଉକିରେ ଓଡ଼ଶଙ୍କ ଉତ୍ପାତରେ ବସିହେଲାନାହିଁ । ବାଧ୍ୟ ହୋଇ ମୁଁ ପ୍ଲାଟଫର୍ମ ଉପରେ ଟହଲିବାକୁ ଲାଗିଲି । ଏହିପରି ଭୋର ପାଞ୍ଚଟାଯାଏ ବୁଲିବା ସାର ହେଲା । ଜଲାରପେଟ ଷ୍ଟେସନଠାରୁ ୟେଲାଗିରିପାହାଡ଼ମାଳାର ପାଦଦେଶ ହେଉଛି ଦୁଇ ମାଇଲ ଦୂର, ପୁଣି ଉଠାଣି ରାସ୍ତା । ମୁ ଭୋର ପାଞ୍ଚଟାରେ ବାହାରି ପଟେଲର ଗାଁରେ ପହଞ୍ଚିଲାବେଳକୁ ସମୟ ସକାଳ ସାତଟା ବାଜି ପନ୍ଦର ମିନିଟ ।

 

ପଟେଲ ତାର ସ୍ଵଭାବସିଦ୍ଧ ଆତିଥ୍ୟ ଦେଖାଇ ମୋତେ ଏକ ପିତଳ ପାତ୍ରରେ ଗରମ ଦୁଧରେ କଫି ତିଆରି କରି ଖାଇବାକୁ ଦେଲା । ଚିତାବାଘ କଥା ପଡ଼ିଲା । ସେ କହିଲା, ଦୁଇ ଦିନ ଆଗେ ପେରିଆମଲାଇ ପାହାଡ଼ତଳେ ବୋହିଯାଉଥିବା ଝରଣାରୁ ପାଣି ଆଣିବା ପାଇଁ ଜଣେ ସ୍ତ୍ରୀଲୋକ ଯାଇଥିଲା । ଚିତାବାଘ ତାକୁ ମାରି ପକାଇଛି । ଅଳ୍ପ ସମୟ ପରେ ତାର ଗାଆଁ ଲୋକେ ପହଞ୍ଚି ଦେଖିଲେ ଯେ ଚିତାବାଘ ସ୍ତ୍ରୀଲୋକର ଦେହର ଅଧାଅଧି ଖାଇଯାଇଛି । ବାକୀ ଯାହା ଥିଲା ତାକୁ ଗ୍ରାମବାସୀମାନେ ନେଇଗଲେ । ଖୁବ୍ ସମ୍ଭବ, ଚିତାବାଘ ମଡ଼ା ଖାଇବାବେଳକୁ ଗାଆଁର ଲୋକମାନଙ୍କ ଆସିବା ଶବ୍ଦ ଶୁଣି ପଳାଇ ଯାଇଥିଲା ।

 

ମୁଁ ଚାରିଦିନ ଛୁଟି ନେଇ ଆସିଥିଲି । ୟେଲାଗିରିରେ ଚାରିଦିନରୁ ଅଧିକ ରହିବା ମୋ ପକ୍ଷରେ ସମ୍ଭବ ନ ଥିଲା । ତେଣୁ ମୁଁ ଗୋଟାଏ ଜୀଅନ୍ତା ଛେଳି ବାନ୍ଧି ଜଗି ବସିବାକୁ ସ୍ଥିରକଲି । ପଟେଲ ପାଖ ଗାଆଁରୁ ମୋ ପାଇଁ ଗୋଟାଏ ଛେଳି କିଣିଆଣିଲା; କିନ୍ତୁ ଏଥର ଦାମଟା ଖୁବ୍ ବେଶି ପଡ଼ିଲା । ଏଥିର କାରଣ ହେଲା ଛେଳିମାଲିକମାନେ ହେଲେ ଅନ୍ୟ ଏକ ଗାଆଁର ଲୋକ । ସେ ଗାଆଁଟା ପ୍ରାୟ ତିନିମାଇଲ ଦୂରରେ । ଏକେ ବେଶି ସଂଖ୍ୟାର ଛେଳି ନ ଥିଲେ; ସେଥିରେ ପୁଣି ଛେଳି କିଣିବା ପାଇଁ ବେଶି ଲୋକ ଆସୁଥିବାରୁ ସେମାନେ ଦର ବଢ଼ାଇ ଦେଇଥିଲେ । କୋଡ଼ିଏ ଟଙ୍କା ଦର ତୁଟିଲା । ପଟେଲକୁ ଛେଳି ଆଣିବାପାଇଁ ଟଙ୍କା ଦେଇ ମୁଁ ମୋର ନିଜ ବଗିଚାର ହାଲ ବୁଝିବାକୁ ଚାଲିଗଲି ।

 

ମୁଁ ବାଙ୍ଗାଲୋରରୁ ମୋର ଖାଇବା ଜିନିଷ ଆଣି ଆସିଥିଲି । ଦ୍ଵିପହରବେଳକୁ ସେତକ ଖାଇ ଦେଇ ପଟେଲର ଗ୍ରାମକୁ ଗଲି । କିନ୍ତୁ ସେତେବେଳଯାଏ ଛେଳି ଅଣାହୋଇନଥିଲା ।

 

ପଟେଲ ଟଙ୍କା ଦେଇ ଲୋକ ପଠାଇଥିଲା । ଦିନ ଦୁଇଟା ବେଳକୁ ଲୋକଟି ଗୋଟିଏ କଳା ଛେଳି ଘେନି ପହଞ୍ଚିଲା । ମୁଁ ଦେଖିଲି, ଛେଳିଟି ବୁଢ଼ା, ଦୁର୍ବଳ; ତେଣୁ ଜୋର୍‌ରେ ବେଶି ବେଳଯାଏ ବୋବେଇ ପାରିବନାହିଁ । ଛେଳି ରାବିଲେ ସିନା ଚିତାବାଘ ତାକୁ ଖାଇବା ପାଇଁ ଆସିବ-। ଆଉ ଗୋଟାଏ କଥା; ଏକବାରେ କଳା ବା ଏକବାର ଧଳା ଛେଳି ଦେଖିଲେ କୌଣସି କୌଣସି ଚିତାବାଘ ସନ୍ଦେହ କରି ତା ପାଖକୁ ଆସନ୍ତି ନାହିଁ । ଧୂସର ରଙ୍ଗର ଜନ୍ତୁ–ସେ ଛେଳି ହେଉ, କୁକୁର ହେଉ ବା ଦାମୁଡ଼ି ହେଉ–ବାନ୍ଧିବା ସବୁଠାରୁ ଭଲ; କାରଣ ଚିତାବାଘ ବଣରେ ସାଧାରଣତଃ ଯେଉଁ ବଣୁଆ ଜନ୍ତୁକୁ ମାରି ଖାଏ, ତାର ରଙ୍ଗ ସହିତ ଏ ଜନ୍ତୁର ରଙ୍ଗ ମିଳିଯାଏ । ଅନ୍ୟରଙ୍ଗର ଛେଳି ହୋଇଥିଲେ ଭଲ ହୋଇଥାନ୍ତା; କିନ୍ତୁ ଏ ଛେଳିକୁ ଫେରାଇ ଆଉ ଗୋଟାଏ ଛେଳି ଆଣିବା ପାଇଁ ସମୟ ନଥିଲା । ତେଣୁ ସେହି କଳା ଛେଳିଦ୍ଵାରା କାମ ଚଳାଇବାକୁ ସ୍ଥିର କଲି-

 

ମୋ ସହିତ ପଟେଲ ଓ ଆଉ ଚାରି ପାଞ୍ଚ ଜଣ ଲୋକ ଚାଲିଲେ । ସେମାନେ ସେହି ପୂର୍ବ ଥରର ଚାରପାୟୀ ଓ ଟାଙ୍ଗିଆ ଧରିଥିଲେ । ଯେଉଁ ଗାଆଁର ସ୍ତ୍ରୀଲୋକକୁ ଚିତାବାଘ ମାରିଥିଲା, ଆମେ ପ୍ରଥମେ ସେହି ଗାଆଁକୁ ଗଲୁ । ଯିବାକୁ ଘଣ୍ଟାକରୁ ଟିକିଏ କମ୍ ସମୟ ଲାଗିଲା-। ସେ ଗାଆଁରୁ ଦୁଇ ଜଣ ଲୋକ ଆମ ସଙ୍ଗରେ ଯାଇ ସ୍ତ୍ରୀଲୋକ ଠିକ୍ ଯେଉଁ ସ୍ଥାନରେ ମରିପଡ଼ିଥିଲା, ସେ ସ୍ଥାନଟି ଦେଖାଇଦେବାକୁ ବାହାରିଲେ ।

 

ସ୍ଥାନଟି ହେଉଛି ସେ ଗାଆଁଠାରୁ ମାଇଲକର ତିନିପାଆ ଦୂରରେ । ପଶ୍ଚିମରୁ ପୂର୍ବକୁ ଝରଣାଟିଏ; ସେଥିରେ ଅତି ସାମାନ୍ୟ ପାଣି ଅଛି । ପ୍ରାୟ ଅଧମାଇଲ ଦୂରରୁ ପେରିଆମଲାଇ ପାହାଡ଼ର ପାଦଦେଶରେ ଏହା ବହିବହି ଆସିଛି । ଏହି ଝରଣା ଶଯ୍ୟା ବାଲୁକାମୟ; କିନ୍ତୁ ଏହାର ଦୁଇ ଧାରରେ ଗୁଡ଼ିଏ ଲତା ଓ କଣ୍ଟାବୁଦା ରହିଛି । ଯେଉଁଠାରେ ଚିତାବାଘ ସ୍ତ୍ରୀଲୋକଟିକୁ ଧରିଥିଲା, ତାହା ନିକଟରେ ଗ୍ରାମବାସୀମାନେ ଖୋଳି ଗୋଟିଏ ବଡ଼ ଗାତ କରିଥିଲେ । ସେଥିରେ ପାଣି ଜମୁଥିଲା, ଖରାଦିନେ ଝରଣା ଶୁଖିଯାଉଥିଲା ଓ ଗ୍ରାମବାସୀମାନେ ସେହି ଗାତରୁ ପାଣି ନେଇ ଗୋରୁଗାଈଙ୍କୁ ପିଇବାକୁ ଦେଉଥିଲେ ଓ ନିଜେ ବ୍ୟବହାର କରୁଥିଲେ । ସେଦିନ ସ୍ତ୍ରୀଲୋକଟି ପାଣି ନେବାକୁ ସେଠାକୁ ଆସିଥିଲା ଓ ଚିତାବାଘର ହାବୁଡ଼ରେ ପଡ଼ିଥିଲା । ଲତାଗୁଡ଼ିକ ଗାତର ଖୁବ୍ ନିକଟକୁ ମାଡ଼ିଆସିଥିଲା । ମଣିଷଖିଆ ଚିତାବାଘଟି ଏହି ଲତାଭିତରେ ଲୁଚି ଲୁଚି ପାଖକୁ ଆସି ସ୍ତ୍ରୀଲୋକ ଉପରକୁ ଝାମ୍ପି ପଡ଼ିଥିଲା, ଏଥିରେ ସନ୍ଦେହ ନାହିଁ ।

 

ଏହିସବୁ ପରିସ୍ଥିତିକୁ ବିଶ୍ଳେଷଣ କଲେ ଜଣାଯିବ ଯେ ଏହି ମଣିଷଖିଆ ଚିତାବାଘର କେତେକ ଅସାଧାରଣ ଲକ୍ଷଣ ଥିଲା । ସେ ପ୍ରତ୍ୟେକ ଥର ଦିବାଲୋକରେ ମନୁଷ୍ୟକୁ ଆକ୍ରମଣ କରିଥିଲା । କେବଳ ବାଘମାନେ ଦିନରେ ମଣିଷ ମାରିଥାନ୍ତି; କିନ୍ତୁ ଚିତାବାଘମାନେ ସ୍ଵଭାବତଃ ଭୟାଳୁ ହୋଇଥିବାରୁ ଦିନବେଳା ମନୁଷ୍ୟକୁ ଆକ୍ରମଣ ନକରି ସାଧାରଣତଃ ସନ୍ଧ୍ୟାପରେ ଅନ୍ଧାରରେ ଆକ୍ରମଣ କରିଥାନ୍ତି । ମୋର ଧାରଣାହେଲା, ବୋଧହୁଏ ସ୍ତ୍ରୀଲୋକଟି ଗାତପାଖକୁ ଆସିବା ଆଗରୁ ଚିତାବାଘ ଲତାବୁଦା ଭିତରେ ଶୋଇଥିଲା; ସ୍ତ୍ରୀଲୋକଟିକୁ ଦେଖି ସହଜରେ ଗୋଟାଏ ଉତ୍ତମ ଭୋଜନର ଲୋଭ ସମ୍ଭରଣ କରି ନପାରି ତାକୁ ଆକ୍ରମଣକରି ମାରିଥିଲା ।

 

ମନଭିତରେ ଏହି ଧାରଣା ଘେନି ମୁଁ ଆଣ୍ଠୁ ଓ ହାତରେ ଭରାଦେଇ ନଇଁନଇଁ ଲତାବୁଦା ଭିତର ଓ ତା ଆଖପାଖ ଜାଗା ପରୀକ୍ଷାକରି ଦେଖିଲି । ଗୋଟିଏ ବୁଦାମୂଳେ ଲୁଚିରହିବାର ଏଭଳି ଗୋଟିଏ ଜାଗା ଦେଖି ମୋର ଧାରଣା ଦୃଢ଼ୀଭୂତ ହେଲା । ଉପରୁ ଶୁଖିଲା ଲତାପତ୍ର ପଡ଼ିଥିବାରୁ ସେଠାରେ ଚିତାବାଘ ବରାବର ଆଶ୍ରୟ ନେଉଥିବାର କୌଣସି ସଙ୍କେତ ଦେଖାଯାଉ ନଥିଲା; କିନ୍ତୁ ହିଂସ୍ରଜନ୍ତୁର ସାମାନ୍ୟ ଗନ୍ଧ ଥିବାରୁ ମୋର ଅନୁମାନ ଆହୁରି ଦୃଢ଼ୀଭୂତ ହେଲା । ଏଠାରେ ଲୁଚିରହି ଶିକାର କରିବାର ସବୁ ସୁବିଧା ଥିବାରୁ ସେ ଏହାକୁ ତାର ବାସସ୍ଥାନ ରୂପେ ସ୍ଥିର କରିଥିଲା ଓ ପାଣି ପିଇବାପାଇଁ ଆସୁଥିବା ଜୀବମାନଙ୍କୁ ଶିକାର କରୁଥିଲା ।

 

ମୁଁ ବେଶ୍ ଉତ୍ସାହିତ ହୋଇପଡ଼ିଲି । ଚିତାବାଘ ଯେତେବେଳେ ଏହି ସ୍ଥାନଟିକୁ ଆସି ଆଗରୁ ସାମୟିକ ଭାବରେ ରହିଥିଲା, ତାହାହେଲେ ପୁଣି ସେହିଠାକୁ ଆସିବ । ମୁଁ ଆଗରୁ କହିଛି, ପେରିଆମଲାଇ ପାହାଡ଼ ସେଠାରୁ ଅଧମାଇଲ ଦୂର । ବୋଧହୁଏ ଚିତାବାଘର ସ୍ଥାୟୀ ବାସସ୍ଥାନ ସେହି ପାହାଡ଼ ଉପରେ କୌଣସି ପଥରଖୋଲରେ ଥିବ ଓ ଏହି ଲତା ବୁଦାରେ ଆଚ୍ଛାଦିତ ସ୍ଥାନଟିକୁ ସେ ଅସାବଧାନ ଜୀବଜନ୍ତୁଙ୍କୁ ଶିକାର କରିବାପାଇଁ ସୁବିଧାଜନକ ମନେ କରିଥିବ ।

 

ଏହିସବୁ ପରିସ୍ଥିତିକୁ ଚିନ୍ତା କରୁ କରୁ ହଠାତ୍ ମୋ ମନରେ ଗୋଟାଏ ଭାବ ଜାତହେଲା-। ଚିତାବାଘ ସେଠାକୁ ଆସି ଯେଭଳି ଅବସ୍ଥା ଦେଖିବ ବୋଲି ଆଶା କରିଥିବ; ମୁଁ ଯଥାସମ୍ଭବ ସେହିଭଳି ଅବସ୍ଥା ସୃଷ୍ଟି କରି ରଖିବାକୁ ସ୍ଥିରକଲି । ଛେଳିଟାକୁ ଗୋଟାଏ ଖୁଣ୍ଟିରେ ଗାତ ପାଖରେ ବାନ୍ଧିଦେବି । ତାକୁ ଦେଖି ଚିତାବାଘ ମନେକରିବ, ଏ ଜନ୍ତୁଟା ପାଣି ପିଇବାକୁ ଆସିଛି । ମୁଁ ଯାଇ ଲତାବୁଦାତଳେ–ଚିତାବାଘ ଯେଉଁଠାରେ ସାମୟିକ ରହେ, ସେହିଠାରେ–ଲୁଚି ରହିବି । ଚିତାବାଘ ହୁଏତ ଛେଳିର ମେଁ ମେଁ ଶବ୍ଦ ଶୁଣି ପାହାଡ଼ ଉପରୁ ତାକୁ ଦେଖିପାରି ତଳକୁ ଗଡ଼ିବ । ସେ ସିଧାସିଧା ଛେଳିକୁ ଆକ୍ରମଣ କରିବାକୁ ଯିବ । ଏତିକିବେଳେ ମୁଁ ତାକୁ ତା’ରି ରହିବା ଜାଗାରୁ ଗୁଳି କରିବି ।

 

ପଟେଲ ଓ ମୋର ସଙ୍ଗୀମାନଙ୍କୁ ମୋର ଏହି ପ୍ରସ୍ତାବ ଜଣାଇଲି । ଅନ୍ୟ ସମସ୍ତେ ମୋ ପ୍ରସ୍ତାବକୁ ଖୁବ୍ ପସନ୍ଦ କଲେ; କିନ୍ତୁ ପଟେଲ କହିଲା–ଏଥିରେ ଭୟଙ୍କର ବିପଦର ସମ୍ଭାବନା ଅଛି । ମୁଁ ପ୍ରତିବାଦ କରି କହିଲି–ମୁଁ ସେପରି କିଛି ବିପଦ ଦେଖିପାରୁନାହିଁ । ଚାରିପାଖେ ଏତେ ଲତାମାଡ଼ିଛି ଓ ବୁଦା ଏତେ ଗହଳିଆ ଯେ ଚିତାବାଘ ପଛପଟୁ ବା ଅନ୍ୟ କୌଣସିଆଡ଼ୁ ମୋ ଯାଏ ଆସିବା ସହଜକଥା ନୁହେଁ । ଲତାତଳର ଏହି ଆଶ୍ରୟସ୍ଥଳକୁ ଗୋଟିଏ ମାତ୍ର ଗଳିବାଟ ଅଛି । ମୁ ବନ୍ଧୁକ ଧରି ଆଗରୁ ପ୍ରସ୍ତୁତ ହୋଇ ରହିଥିବି । ଆଉ ଗୋଟିଏ କଥା–ତାର ମନ ଲାଖିଥିବ ଛେଳିଠାରେ । ତାର ରହିବା ସ୍ଥାନରେ ଶତ୍ରୁ ଆଗରୁ ଆସି ଲୁଚିରହିଛି ବୋଲି ସେ ଆଦୌ ସନ୍ଦେହ କରିବନାହିଁ ।

 

ଆମେ ଗୋଟାଏ ଖୁଣ୍ଟି ନେଇଥିଲୁ । ଖଣ୍ଡେ ପଥର ଗୋଟେଇ ଆଣି ସେଥିରେ ଖୁଣ୍ଟକୁ ଗାତ ପାଖରେ ପିଟିପିଟି ପୋତାଗଲା । ମୁଁ ଗଳି ଗଳି ବୁଦାତଳକୁ ଗଲି ଓ ସେଠାରେ ରାତିଟି କଟାଇବା ପାଇଁ ନିଜକୁ ପ୍ରସ୍ତୁତ କରିନେଲି । ମୋର ରାଇଫଲର ନଳୀ ସାଥିରେ ଟର୍ଚ୍ଚ ଲାଇଟକୁ ଖଞ୍ଜିଦେଲି । ପରୀକ୍ଷାକରି ଦେଖିଲି ଯେ ଟର୍ଚ୍ଚ ଠିକ୍ କାମ ଦେଉଛି । ଏହି ଟର୍ଚ୍ଚ ଲାଇଟିଟି ମୁଁ ନିକଟରେ କିଣିଥିଲି । ଏଥିରେ ତିନୋଟି ବାଟେରି ଲାଗୁଥିଲା । ଏହାର ଆଲୁଅ ବିକ୍ଷିପ୍ତ ନହୋଇ ଏକ କେନ୍ଦ୍ର ସ୍ଥଳରେ ପଡ଼ୁଥିଲା । ଏସବୁ କାମ ସାରି ମୁଁ ବୋତଲରୁ ଚାହା ବାହାର କରି ଖାଇଲି । ଶେଷରେ ଲୋକମାନଙ୍କୁ କହିଲି–ଛେଳିର ପଛଗୋଡ଼ ଦୁଇଟିକୁ ଖୁଣ୍ଟରେ ବାନ୍ଧିଦିଅ ।

 

ଆମେମାନେ ଏହିସବୁ ପ୍ରାରମ୍ଭିକ ବ୍ୟବସ୍ଥା କରୁଥିବାବେଳେ ଛେଳିକୁ ଦୂରରେ ରଖାଯାଇଥିଲା । ଏଥିର ଗୋଟିଏ କାରଣଥିଲା । ନିକଟରେ ବୁଦାଭିତରେ ଜଣେ ମନୁଷ୍ୟ ରହିଛି ବୋଲି ଛେଳିକୁ ଜଣାଇ ନଦେବା ଆମର ଉଦ୍ଦେଶ୍ୟ ଥିଲା । ଛେଳି ଯଦି ଜାଣେ ଯେ ପାଖରେ ମଣିଷ ଅଛି, ତେବେ ସେ ବୋବାଇବାର ସମ୍ଭାବନା କମ୍ । ଏକୁଟିଆ ରହିଥିବାର ଜାଣିଲେ ସାଧାରଣତଃ ଛେଳିମାନେ ବୋବାଇଥାନ୍ତି ।

 

ଖୁଣ୍ଟରେ ଛେଳି ବନ୍ଧାହେଲାବେଳେ ମୁଁ ଏକବାରେ ଚୁପ୍‌କରି ରହିଲି । ଛେଳିବନ୍ଧା ସଙ୍ଗେ ପଟେଲ ଓ ତାଙ୍କ ଲୋକମାନଙ୍କର କାମ ଶେଷହେଲା । ସେମାନେ ଗାଆଁକୁ ଫେରିଗଲେ । ମୁଁ ଏକୁଟିଆ ଲୁଚି ବସିରହିଲି । ଦେଖାଯାଉ, କଅଣ ହେଉଛି ।

 

ଖୁବ୍ ଗରମ ପଡ଼ିଥାଏ; ଲତାତଳ ଏକବାରେ ନିସ୍ତବ୍‌ଧ । ସୂର୍ଯ୍ୟ ଅସ୍ତ ନ ହେଉଣୁ ମୁଁ ବସିଥିବା ଜାଗା ଅନ୍ଧାର ହୋଇଗଲା । ଛେଳିଟା କେତେଥର ମେଁ ମେଁ ରାବି ଚୁପ୍ ହୋଇଗଲା । ଅନ୍ଧାର ହେଲାପରେ ମୁଁ ଭାବୁଥାଏଁ–ଛେଳି ଖୁବ୍ ରାବନ୍ତା କି ? କିନ୍ତୁ ଛେଳି ମୋର ସେହି ଆଶା ପୂରଣ କଲାନାହିଁ । ଥରେ ଦୁଇଥର ଛେଳି ଗୋଡ଼ଛାଟି ଟାଣି ହେଉଥିବାର ଶବ୍ଦ ଶୁଣିଲି; କିଛି ସମୟପରେ ସେତକ ସୁଦ୍ଧା ବନ୍ଦ ହୋଇଗଲା । ସେଥିରୁ ମୁଁ ଅନୁମାନ କଲି–ସଇତାନ ଛେଳି ଶୋଇପଡ଼ିଲାଣି ।

 

ପରିସ୍ଥିତି ଦୃଷ୍ଟିରୁ ମୋତେ ରାତିଟି ଯାକ ସତର୍କହୋଇ ଚେଇଁ ରହିବାକୁ ପଡ଼ିଲା । ଛେଳି ଭାଗ୍ୟରେ ଶୋଇବାକୁ ଥିଲା; କିନ୍ତୁ ମୁଁ ସେଥିରୁ ବଞ୍ଚିତ । ମୁଁ ମନେମନେ ସେ ହତଭାଗ୍ୟ ଛେଳିକୁ ହିଂସାକଲି ।

 

ମଶାମାନେ ମୋତେ ବ୍ୟତିବ୍ୟସ୍ତ କରି ପକାଉଥିଲେ; ପୋକ ମାକଡ଼ସା ଦେହ ଉପରେ ଯିବାଆସିବା କରୁଥିଲେ । ଛୋଟଛୋଟ ବଣୁଆମୂଷା ପତ୍ର ଖସ୍ ଖସ୍ କରି ଲଟା ଉପରେ ଚାଲୁଥିଲେ । ଥରେ ଗୋଟାଏ ଲମ୍ବା କଅଁଳିଆ ଜୀବ ଶୁଖିଲାପତ୍ର ବାଟେ ବୁଦାପାଖକୁ ଚାଲିଗଲା । ନିଶ୍ଚୟ ସେ ଗୋଟାଏ ସାପ । ସାପଟା ବିଷଧର କି ନା ଜାଣିପାରିଲି ନାହିଁ । ଏସବୁ ଉପଦ୍ରବ ସତ୍ତ୍ୱେ ମୁଁ ହଲଚଲ ନହୋଇ ବସି ରହିଥାଏଁ ।

 

ଚିତାବାଘ ଆସିଲାନାହିଁ । ବୁଦାତଳେ ମୁଁ ବସିଥିବା ସ୍ଥାନକୁ କିଛି ଶବ୍ଦ ଶୁଣାଯାଉ ନଥାଏ-। ରାତ୍ରିରେ କୌଣସି ପକ୍ଷୀର ରାବ ସୁଦ୍ଧା ଶୁଣିବାକୁ ମିଳିଲାନାହିଁ । ମୋର ଘଣ୍ଟା ଟିକ୍‌ଟିକ୍ ଶବ୍ଦକରି ସମୟର ଗତି ଜଣାଇ ଦେଉଥାଏ । ମୋତେ ଘୁମ ମାଡ଼ିଆସିଲା; କିନ୍ତୁ ମୁହୂର୍ତ୍ତକପାଇଁ ସୁଦ୍ଧା ଆଖି ବୁଜିବାକୁ ସାହସ କରି ପାରିଲିନାହିଁ । ଚିତାବାଘ କଥା ଭୁଲିଯିବା ପାଇଁ ମୁଁ ଅନ୍ୟାନ୍ୟ ଘଟନାର ଚିନ୍ତା କରିବାକୁ ଚେଷ୍ଟାକଲି । କେବଳ ଛେଳିଟାର ଚିନ୍ତା ଛଡ଼ା ଅନ୍ୟ କୌଣସି ଚିନ୍ତା ମୋର ମୁଣ୍ଡକୁ ଆସିଲାନାହିଁ ।

 

ପାହାନ୍ତିଆ ବେଳର ଧୂସର ଆଲୁଅ ଧୀରେ ଧୀରେ ଆସିଲା । କିନ୍ତୁ ତାର ଶୁଭାଗମନ କୌଣସି ବନ୍ୟକୁକୁଡ଼ା ବା ମୟୂର ବା ଅନ୍ୟ ପକ୍ଷୀ ଜଣାଇଦେଇ ନଥିଲେ । ମୁଁ ବୁଦାଭିତରୁ ବାହାରିଆସିଲି । ଭାବିଲି, ସମଗ୍ର ଭାରତବର୍ଷରେ ମୋ’ଭଳି ହତଭାଗ୍ୟ ଲୋକ ନଥିବେ । ଛେଳିଟା ଖୁଣ୍ଟପାଖରେ କୁଜିକାଜି ହୋଇ ଶୋଇଥିଲା । ସେ ଧୀରେ ଛିଡ଼ାହୋଇ ଭିଡ଼ିମୋଡ଼ି ହେଲା ଓ ତାର ଟିକି ଲାଞ୍ଜକୁ ହଲାଇଲା । ସେ ମୋ ଆଡ଼କୁ ପ୍ରଶ୍ନବାଚକ ଦୃଷ୍ଟି ପକାଇଲା; ସତେ ଅବା ସେ ମୋତେ ପଚାରୁଥିଲା–କିଏ ପ୍ରକୃତ ଛେଳି ? ତୁମେ ନା ମୁଁ ! ମୁଁ ଉତ୍ତରଟା ଜାଣିଥିଲି; କିନ୍ତୁ ତାହା ଭାଷାରେ ପ୍ରକାଶକରିବା ଦରକାର ମନେକରି ନଥିଲି ।

 

ମୁଁ ଛେଳିଟାକୁ ଖୁଣ୍ଟରୁ ଫିଟାଇଦେଲି । ସେ ମୋ ପଛେ ପଛେ ଚାଲିଲା । ଆମେ ପଟେଲର ଗାଆଁରେ ପହଞ୍ଚିଲୁ । ସେତେବେଳକୁ ସେ ଓ ପୂର୍ବଦିନର ଆମ ସାଥୀମାନେ ଘଟନାସ୍ଥଳକୁ ଯାଇ ମୁଁ କଅଣ କଲି ବୁଝିବାକୁ ଯିବାପାଇଁ ବାହାରିଥିଲେ । ପଟେଲକୁ କହିଲି, “ଏ କାଳିଆ ଛେଳିଟା ଫେରାଇଦିଅ ମୁଁ ଯାଉଛି ଟିକିଏ ଶୋଇପଡ଼ିବି । ତାହାପରେ ନିଜେ ଯାଇ ଗୋଟାଏ ଛେଳିଆଣିବି ।”

 

ଏହା କହି ମୁଁ ମୋ ବଗିଚାଘରକୁ ଯାଇ ଦିପହର ଯାଏ ଶୋଇରହିଲି ।

 

ଉଠିଲାବେଳକୁ ମୋତେ ଭାରି ଭୋକ ହେଉଥାଏ । ମୁଁ ବାଙ୍ଗାଲୋରରୁ ରୁଟି ଓ ଅନ୍ୟ କିଛି ଖାଦ୍ୟଦ୍ରବ୍ୟ ଆଣିଥିଲି । ରୁଟି ଶୁଖିଯାଇଥିଲା । ଟିଣଡବାରେ ସାମନ୍ ମାଛ ଥିଲା । ପ୍ରାଇମସ୍ ଷ୍ଟୋଭ ଲଗାଇ କେଟିଲରେ ଚାହାପାଇଁ ପାଣି ବସାଇଦେଲି । ରୁଟି ଓ ମାଛ ଖାଇ ସାରିଲାବେଳକୁ ଚାହା ହୋଇଯାଇଥିଲା । ତାକୁ ପିଇସାରି ବୋତଲରେ ନେବାପାଇଁ ଆଉଥରେ ଚାହାପାଣି ଗରମକଲି । ଆଉ ଗୋଟାଏ ରାତି ଅନିଦ୍ରାହୋଇ ଜଗିରହିବା ପାଇଁ ଯାହା ଯାହା ଦରକାର ସବୁ ସଜାଡ଼ିଦେଲି । ତାହାପରେ ପଟେଲର ଗାଆଁ ଆସିଲି । ଭାଗ୍ୟକୁ ପୂର୍ବରାତି ଭଳି ପାଗ ଉଷୁମ ଥିଲା; ତେଣୁ ଓଭରକୋଟ୍ ନେବା ଦରକାର ପଡ଼ି ନଥିଲା ।

 

କାଳେ ମୋର ଯୁକ୍ତିରେ କାର୍ଯ୍ୟସିଦ୍ଧି ନ ହେବ ଏହି ଆଶଙ୍କା ମୁଁ ପଟେଲକୁ ସଙ୍ଗରେ ନେଇ ଗ୍ରାମ ଭିତରକୁ ଗଲି । ଉଦ୍ଦେଶ୍ୟ ହେଲା, ଆବଶ୍ୟକ ପଡ଼ିଲେ ପଟେଲ ତାର କ୍ଷମତା ପ୍ରୟୋଗ କରିପାରିବ । ମୁଁ ଏଠିସେଠି କେତୋଟି ଛେଳି ବାଛିଲି । ଦରଦାମ ବିଷୟରେ ନାନା ଯୁକ୍ତିତର୍କ ଚାଲିଲା । ଶେଷରେ ଗୋଟିଏ ଅଧାଡ଼ୁଆ ଛେଳି ମିଳିଲା । ଏଇଟି ଖୁବ୍ ବୋବେଇ ପାରିବ ବୋଲି ମନେହେଲା । ସେତେବେଳକୁ ଅପରାହଣ ସାଢ଼େତିନିଟା । ଆମେ ଛେଳିକୁ ଘେନି ଗତ ରାତିର ବୁଦାପାଖକୁ ଗଲୁ । ଏତେ ଆଗରୁ ତରତର ହୋଇ ଯିବାର କିଛି ଦରକାର ନଥିଲା । ମଞ୍ଚା ବାନ୍ଧିବାର ପ୍ରଶ୍ନ ନଥିଲା । ପୂର୍ବଦିନଠାରୁ ବସିବାସ୍ଥାନ ନିର୍ଦ୍ଦିଷ୍ଟ ହୋଇ ରହିଥିଲା ।

 

ପାଞ୍ଚଟା ବାଜିବାର କିଛି ସମୟ ପୂର୍ବରୁ ମୁଁ ଗୁରୁଣ୍ଡି ଗୁରୁଣ୍ଡି ବୁଦାତଳେ ବସିଲି । ଏ ନୂଆ ଛେଳିଟି ଖୁଣ୍ଟରେ ବନ୍ଧାହେଲା ଓ ଲୋକମାନେ ଗାଆଁକୁ ଚାଲିଗଲେ ।

 

ଛେଳି ମୋତେ ଦେଖିପାରୁ ନଥିଲା । ଲୋକମାନେ ତାକୁ ଛାଡ଼ିଦେଇ ଯିବାର ଦେଖି ସେ ବଡ଼ପାଟିରେ ବୋବାଇବାକୁ ଆରମ୍ଭକଲା । ମେଁ ମେଁ ଶବ୍ଦ ଲାଗିରହିଲା । ମୁଁ ଯେ ଉତ୍ତମ ଛେଳିଟିଏ ବାଛି ଆଣିଛି ସେଥିପାଇଁ ନିଜକୁ ଧନ୍ୟବାଦ ଦେଲି ।

 

ସନ୍ଧ୍ୟାହୋଇ ଆସିବାରୁ ଲତାତଳଟା ଏକବାରେ ଅନ୍ଧାର ହୋଇଗଲା; ଛେଳି ଆହୁରି ଜୋର୍‌ରେ ରାବିବାକୁ ଲାଗିଲା । ମୁଁ ଚାହିଁ ରହିଥାଏଁ, କେତେବେଳେ ଚିତାବାଘ ଆସିବ ।

 

ଘଣ୍ଟାଏ ବେଳ ଚାଲିଗଲା । ତାହାପରେ ଗୋଟିଏ ଅତି କ୍ଷୀଣ ଶବ୍ଦ ଶୁଣିପାରିଲି । ଶୁଖିଲାପତ୍ର ଉପରେ କେହି ଚାଲିବାର ଶବ୍ଦ । ମୁଁ ଜାଣିପାରିଲି, ଚିତାବାଘ ଆସୁଛି । ବର୍ତ୍ତମାନ ସଙ୍କଟଜନକ ମୁହୂର୍ତ୍ତ ଉପସ୍ଥିତ । ଚିତାବାଘ ପୂରା ମୋଆଗକୁ ନଆସିବା ପର୍ଯ୍ୟନ୍ତ ଟର୍ଚ୍ଚ ଯେପରି ନ ଜଳେ ସେଥିପ୍ରତି ମୁଁ ସାବଧାନ ଥିଲି । ଯଦି ଟର୍ଚ୍ଚ ଜଳିଉଠିଥାନ୍ତା, ତେବେ ଚିତାବାଘ କୁଆଡ଼େ ଉଭେଇ ଯାଇଥାଆନ୍ତା । ଏଣେ ପୁଣି ଗୁଳିକରିବାରେ ବେଶି ଡେରି ହେଲେ ସେ ଆଗ ମୋତେ ଦେଖିପାରି ଆକ୍ରମଣ କରିବ ଅଥବା ପଳାଇଯିବ ।

 

ସମସ୍ତ ଇନ୍ଦ୍ରିୟକୁ ସକ୍ରିୟ ରଖି ମୁଁ ଅପେକ୍ଷାକଲି । ଆଉ ଖସ୍‌ଖସ୍ ବା ଅନ୍ୟ କୌଣସି ଶବ୍ଦ ଶୁଣାଯାଉ ନଥିଲା । ଏହି ସମୟରେ ଧୀର ସୁ ସୁ–ଶବ୍ଦ ଶୁଣାଗଲା । ମୁଁ ଜାଣିପାରିଲି ଚିତାବାଘ ମୋତେ ଦେଖିଲାଣି କିମ୍ବା ମୁଁ ଥିବାର ସୁରାକ ପାଇଲାଣି । ସେ ଏବେ ଓଠ ଦୁଇଟିକୁ ଚିପି ଏପରି ଶବ୍ଦ କରୁଛି; ଏହାପରେ ହୁଏତ ଗୋଟାଏ ଗର୍ଜନ କରିବ । ତାର ଓଠ ଚିପିବା ଫଳରେ ଏହି ସୁ ସୁ–ଶବ୍ଦ ହୋଇଛି; ଠିକ୍ ଏତିକିବେଳେ ଗୁଳି କରିବାକୁ ହେବ, ନଚେତ୍ ଆଉ ସୁଯୋଗ ମିଳିବନାହିଁ । ମୋର ହାତର ବୁଢ଼ାଆଙ୍ଗୁଠି ଟର୍ଚ୍ଚର ବୋତାମ ଉପରକୁ ଚାଲିଗଲା । ଏହାର ଆଲୁଅ ପଡ଼ିଲା ଚିତାବାଘର ଈଷତ୍ ରକ୍ତିମ ଆଖିଦୁଇଟା ଉପରେ । ମୋପାଖରୁ ମାତ୍ର ଦଶଫୁଟ ଦୂରରେ ତାର ମୁହଁ ଓ ଛାତି ସ୍ପଷ୍ଟଭାବରେ ଦେଖି ପାରିଲି । ତାର ଗଳାକୁ ଲକ୍ଷ୍ୟକରି ମୁଁ ତତ୍‌କ୍ଷଣାତ୍ ଗୁଳିମାରିଲି । ଚିତାବାଘଟା ପାହୁଣ୍ଡେ ଆଗେଇ ଆସିଲାପରି ମନେହେଲା । ସେ ପଛଗୋଡ଼ ଦୁଇଟା ଟେକିବା ପୂର୍ବରୁ ମୋର ଦ୍ଵିତୀୟ ଗୁଳିଟା ଠିକ୍ ତାର ଛାତିକୁ ଭେଦକଲା । ସେ ପଛକୁ ଓଲଟିପଡ଼ିଲା ଓ ମୋତେ ଦେଖାଗଲା ନାହିଁ; କିନ୍ତୁ କେତେକ ସେକେଣ୍ଡ ପର୍ଯ୍ୟନ୍ତ ବୁଦାକୁ ରାମ୍ପୁଡ଼ିହେଲା । ତାହାପରେ ଶୁଣାଗଲା ତାର ମରଣସୂଚକ ଧ୍ୱନି । ତତ୍ପରେ ପୁଣି ନୀରବତା ।

 

ଆହୁରି ଅଧ ଘଣ୍ଟାଯାଏ ଅପେକ୍ଷା କରିବା ପରେ ମୁଁ ବୁଦାଭିତରୁ ବାହାରିବାକୁ ସ୍ଥିରକଲି-। ମୁଁ ନିଶ୍ଚିତ ରୂପେ ଅନୁମାନ କରିଥିଲି ଯେ ଚିତାବାଘଟା ମରିଛି; ତେଣୁ ବୁଦାରୁ ବାହାରିବା ନିରାପଦ । ରାଇଫେଲର ମୁହଁ ଆଗକୁ ରଖି ମୁଁ ବୁଦାଭିତରୁ ବାହାରି ଆସି ଛେଳି ପାଖରେ ପହଞ୍ଚିଲି । ପ୍ରଥମେ ମନେକଲି ଯେ ଛେଳିଟାକୁ ଫିଟାଇ ସାଥିରେ ଗ୍ରାମକୁ ନେଇଯିବି । କିନ୍ତୁ ପୁଣି ଭାବିଲି–ଏ ଯେଉଁ ଚିତାବାଘ ମଲା, ହୁଏତ ସେ ସେହି ମଣିଷଖିଆ ଚିତାବାଘ ହୋଇନଥାଇ ପାରେ; ଅନ୍ୟ ଗୋଟାଏ ହୋଇଥିବ । ଯଦି ତାହାହିଁ ହୋଇଥାଏ ତେବେ ଅନ୍ଧାରରେ ପଟେଲର ଗାଆଁକୁ ଗଲାବେଳେ ମୋତେ ଖୁବ୍ ସାବଧାନରେ ଯିବାକୁ ହେବ । ସେଥିରେ ଯେବେ ଛେଳିଟାକୁ ସାଥିରେ ନିଏଁ ତେବେ ତା ସକାଶେ ମୋତେ ଅସୁବିଧାରେ ପଡ଼ିବାକୁ ହେବ । ଏହିପରି ବିଚାରି ଛେଳିକୁ ଖୁଣ୍ଟ ପାଖରେ ଛାଡ଼ି ଦେଇ ଏକାକୀ ଧୀର ପଦରେ ସାବଧାନରେ ପଟେଲ ଘରକୁ ଗଲି । ସେଠାରେ ଲୋକେ ଚାହିଁ ରହିଥିଲେ । ମୁଁ ସେମାନଙ୍କୁ ସେ ରାତିର ସମସ୍ତ ଘଟନା ଜଣାଇଲି-। କିଛି ସମୟପରେ ସେଠାରୁ ନିଜ ବଗିଚା ଘରକୁ ଯାଇ ନିଶ୍ଚିନ୍ତରେ ଶୋଇପଡ଼ିଲି-

 

ଆର ଦିନ ସକାଳୁ ଆମେ ଯାଇ ଦେଖିଲୁ ଚିତାବାଘଟା ମରି ପଡ଼ିଛି । ସେଇଟା ଗୋଟାଏ ଖୁବ୍ ବୁଢ଼ା ଅଣ୍ଡିରା ଚିତାବାଘ; ତାର ଦେହର ରଙ୍ଗ ଧୂସର । ତାର ଶ୍ଵାଦନ୍ତଗୁଡ଼ିକ ଘୋରି ହୋଇଯାଇଥିଲା । ତାର ପାଦ ନଖର ଅଗ ମଧ୍ୟ ଘୋରି ହୋଇଯାଇଥିଲା । ଏହି ସବୁ ଲକ୍ଷଣରୁ ଜଣାଗଲା, ଏଇ ଚିତାବାଘ ନିଶ୍ଚୟ ମଣିଷଖିଆ ହୋଇଥିବ ।

 

କିନ୍ତୁ ଏଇ ଚିତାବାଘ ଯେ ଲୋକମାନଙ୍କୁ ମାରି ଖାଇଥିଲା, ତାହା କେବଳ ସମୟକ୍ରମେ ପ୍ରମାଣିତ ହୋଇପାରିବ ।

 

ଦିନ ଦି’ପହର ବେଳକୁ ମୁଁ ତାର ଚମଡ଼ା ଘେନି ଚାଲିଆସିଲି ।

 

ଏହି ଘଟନା ଘଟିବା ପରେ ଅନେକ ବର୍ଷ ଗତ ହେଲାଣି । ୟେଲାଗିରି କିମ୍ବା ଯବାଦି ପାହାଡ଼ଶ୍ରେଣୀ ଅଞ୍ଚଳରେ କୌଣସିଠାରେ ବାଘ ବା ଚିତାବାଘ ମଣିଷ ମାରିଥିବାର ଶୁଣାଯାଇନାହିଁ-। ତେଣୁ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଅଛି ଯେ ସେଦିନ ରାତିରେ ମୁଁ ଯେଉଁ ଚିତାବାଘକୁ ମାରିଥିଲି, ତାହା ହେଉଛି ସେହି ମଣିଷଖିଆ ଚିତାବାଘ ।

Image

 

Unknown

ତୃତୀୟ ଅଧ୍ୟାୟ

ବୃଦ୍ଧ ମୁନୁସ୍ଵାମୀ ଓ ମାଗଡ଼ିର ଚିତାବାଘ

 

ବଙ୍ଗୋପସାଗରକୁ ଲାଗିଥିବା ଭାରତ ପୂର୍ବଉପକୂଳରେ ଅବସ୍ଥିତ ମାନ୍ଦ୍ରାଜ ସହରଠାରୁ ଆରବ ସାଗରର ସମୀପବର୍ତ୍ତୀ ପଶ୍ଚିମ ଉପକୂଳସ୍ଥିତ ମାଙ୍ଗାଲୋର ପର୍ଯ୍ୟନ୍ତ ଗୋଟିଏ ସରଳରେଖା ଟାଣିଲେ, ତାହାର ଠିକ୍ ମଧ୍ୟସ୍ଥଳରେ ବାଙ୍ଗାଲୋର ଅବସ୍ଥିତ । ମୁଁ ସେହି ବାଙ୍ଗାଲୋରର ଅଧିବାସୀ-। ସମୁଦ୍ରପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚ ଏକ ମାଳଭୂମି ଉପରେ ଏହି ସହର । ଯେ କେହି ଏହି ସହରରେ ବାସ କରିଥିଲେ, ଏହାର ଅପୂର୍ବ ଜଳବାୟୁକୁ ଭୁଲିପାରିବ ନାହିଁ । ଏହା ଅତିମାତ୍ରାରେ ଗରମ ନୁହେଁ କି ଅତିମାତ୍ରାରେ ଥଣ୍ଡା ନୁହେଁ । ଏଠାରେ ଅତ୍ୟଧିକ ବର୍ଷା ହୁଏନାହିଁ, ଅତ୍ୟଧିକ ଶୁଷ୍କତା ମଧ୍ୟ ନ ଥାଏ । ନଭେମ୍ବରଠାରୁ ଫେବୃୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଶୀତଋତୁରେ କୁଜ୍‌ଝଟିକାଦ୍ଵାରା ଆଚ୍ଛାଦିତ ପ୍ରଭାତକାଳ ରମଣୀୟ ମନେହୁଏ । ବାଙ୍ଗାଲୋର ନାମଟି ଦୁଇଟି କାନାରିକ ଶବ୍ଦ–‘ବେଙ୍ଗଲ’ ଓ ‘ଉରୁ’ର ମିଶ୍ରଣରେ ଗଠିତ ଶବ୍ଦର ବିକୃତ ଇଂରେଜୀ ରୂପ । କାନାରିକ ଭାଷାରେ ଏହି ଦୁଇ ଶବ୍ଦର ଅର୍ଥ ହେଉଛି ‘ଶିମ୍ବ ସହର’ । ଯଦି କେହି ବାଙ୍ଗାଲୋରର ରସାଳ ଫଳ ଓ ଇଉରୋପୀୟ ତଥା ଗ୍ରୀଷ୍ମମଣ୍ଡଳୀୟ ପନିପରିବା ଥରେ ଖାଇଥିବ, ତେବେ ସେ ଜୀବନରେ ତାହା ଭୁଲି ପାରିବନାହିଁ ।

 

ଦ୍ଵିତୀୟ ବିଶ୍ଵଯୁଦ୍ଧର ଶେଷ ପର୍ଯ୍ୟନ୍ତ ବାଙ୍ଗାଲୋର ଗୋଟିଏ ନଗର ରୂପେ ଗଣ୍ୟ ହେବାର କାରଣ ନଥିଲା । ସେହି ସମୟରୁ ସାମରିକ ଦୃଷ୍ଟିରୁ ଏହାର ଗୁରୁତ୍ଵପୂର୍ଣ୍ଣ ଅବସ୍ଥାନ, ଗୋଟିଏ ଶିଳ୍ପପ୍ରଧାନ ସହରରୂପେ ଉନ୍ନତି କରିବାର ସମ୍ଭାବନା ଓ ଏହାର ଅନ୍ୟାନ୍ୟ ବିଭବର ସମାବେଶ ଦୃଷ୍ଟିରୁ ଏହା ଭାରତର ଗୋଟିଏ ଜନବହୁଳ ନଗରରେ ପରିଣତ ହୋଇଅଛି । ଯୁଦ୍ଧ ଚାଲିଥିବା ସମୟରେ ଓ ତାହା ପରେ ମଧ୍ୟ ବହୁସଂଖ୍ୟକ ଶରଣାର୍ଥଙ୍କ ଆଗମନ ଫଳରେ ଏହାର ଲୋକସଂଖ୍ୟା ତିନିଗୁଣ ହୋଇ ଯାଇଅଛି; ଏହା ଏକ ଉନ୍ନତ ଶିଳ୍ପ ପ୍ରଧାନ ସହରରେ ପରିଣତ ହୋଇଅଛି । ଏବେ ସୁଦ୍ଧା ଏହି ସହର ବୃଦ୍ଧି ପାଇବାରେ ଲାଗିଅଛି ।

 

କିନ୍ତୁ ଏଠାରେ ବାଙ୍ଗାଲୋରର ଗୁଣ ବର୍ଣ୍ଣନା କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଏତିକି ମାତ୍ର କହିବାକୁ ଚାହେଁ ଯେ ମୁଁ ଗୋଟିଏ ସୁନ୍ଦର ସହରରେ ବାସକରେ । ବାଙ୍ଗାଲୋର ସହର କେତେଗୁଡ଼ିଏ ପାହାଡ଼ ଉପରେ ଅବସ୍ଥିତ । ସେଥିମଧ୍ୟରୁ ଯେ କୌଣସି ଗୋଟିଏ ପାହାଡ଼ ଉପରେ ଛିଡ଼ାହୋଇ ଚାରିଆଡ଼କୁ ଚାହିଁଲେ ଦିଗ୍‌ବଳୟ ନିକଟରେ ତିନୋଟି ଅତ୍ୟୁଚ୍ଚ ପାହାଡ଼ ଦୃଷ୍ଟିଗୋଚର ହେବ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ଉତ୍ତର ଦିଗରେ, ଗୋଟିଏ ଉତ୍ତର–ପଶ୍ଚିମ ଦିଗରେ ଓ ଅନ୍ୟଟି ପଶ୍ଚିମ ଦିଗରେ ଅବସ୍ଥିତ । ଏହି ପାହାଡ଼ ତିନୋଟି ବାଙ୍ଗାଲୋରଠାରୁ ୩୫ ମାଇଲ୍ ଦୂର ଓ ପ୍ରତ୍ୟେକ ପାହାଡ଼ର ଉଚ୍ଚତା ୪୦୦୦ ଫୁଟରୁ ଅଧିକ । ଉତ୍ତର ଦିଗରେ ଥିବା ପାହାଡ଼ଟି ହେଉଛି ଉଚ୍ଚତମ । ପ୍ରକୃତ ପକ୍ଷରେ ଏହା ଗୋଟିଏ ପାହାଡ଼ ନୁହେଁ; ତିନୋଟି ପାହାଡ଼ର ସମଷ୍ଟି । ତିନୋଟି ପାହାଡ଼ଶୃଙ୍ଗ ମିଶି ନନ୍ଦଦୁର୍ଗ ପାହାଡ଼ମାଳାର ସୃଷ୍ଟି । ‘ଦୁର୍ଗ’ ଶବ୍ଦର ଅର୍ଥ ହେଉଛି ‘ପାହାଡ଼ିଆ ଗଡ଼’ ଓ ଏହି ତିନିଶୃଙ୍ଗ ମଧ୍ୟରୁ ପୂର୍ବଦିଗସ୍ଥିତ ଶୃଙ୍ଗର ଶିଖରଦେଶରେ ଗୋଟିଏ ପ୍ରାଚୀନ ଦୁର୍ଗର ଭଗ୍ନାବଶେଷ ବିଦ୍ୟମାନ । ଏବେ ସୁଦ୍ଧା ଏହା ମରାମତି ହୋଇ ରହିଅଛି । ‘ମହୀଶୂରର ଶାର୍ଦ୍ଦୂଳ’ ବୋଲି ପରିଚିତ ବିଖ୍ୟାତ ମୁସଲମାନ ବୀର ଟିପୁ ସୁଲତାନ ଏହି ଦୁର୍ଗକୁ ନିର୍ମାଣ କରାଇଥିଲେ ।

 

ଦୁର୍ଗର ଅଗ୍ରଭାଗଠାରୁ ପାହାଡ଼ ପର୍ଯ୍ୟନ୍ତ ଗଡ଼ାଣିର ଦୂରତା ପ୍ରାୟ ଛଅଶହ ଫୁଟ । ଏହି ଗଡ଼ାଣିକୁ ‘ଟିପୁ ଗଡ଼ାଣି’ କହନ୍ତି । ଏପରି ନାମକରଣର କାରଣ ଏହି ଯେ ସେହି ପ୍ରାଚୀନ ବୀର ଟିପୁ ନିଜର ବିରୋଧୀମାନଙ୍କୁ ଏହିଠାରୁ ନିର୍ମୂଳ କରିଦେଉଥିଲେ । ଅପରାଧୀମାନଙ୍କର ଆଖିରେ ଅନ୍ଧପୁଟୁଳି ବାନ୍ଧିଦିଆଯାଉଥିଲା । ପଟାର ଶେଷପର୍ଯ୍ୟନ୍ତ ଚାଲିଯାଇ ଫେରିଆସିଲେ ସେମାନଙ୍କର ଜୀବନରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ମିଳୁଥିଲା । କିନ୍ତୁ କେହି ଜଣେହେଲେ ଏହି ଅଦ୍ଭୁତ କାର୍ଯ୍ୟ ସାଧନ କରିଥିବାର ପ୍ରମାଣ ମିଳେନାହିଁ; ହୁଏତ ପଟା ଟଳମଳ କରାଯାଉଥିବାରୁ ଲୋକଟି ପଡ଼ିଯାଇ ପ୍ରାଣହରାଉଥିଲା । ଐତିହାସିକମାନେ ଏ ବିଷୟରେ କିଛି ଲେଖିନାହାନ୍ତି । ତେଣୁ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଆମମାନଙ୍କ ପକ୍ଷରେ ଅଜ୍ଞାତ ।

 

ବାଙ୍ଗାଲୋରର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ ପାହାଡ଼ର ନାମ ଶିବାନାଗଙ୍ଗା । ଏହାର ଶୀର୍ଷଦେଶରେ ଗୋଟିଏ ମନ୍ଦିର ଅଛି; ତେଣୁ ଏହା ହିନ୍ଦୁମାନଙ୍କର ଏକ ତୀର୍ଥସ୍ଥାନ । ଏହି ଶୀର୍ଷଭାଗରେ ଗୋଟିଏ ବାମ୍ଫୀ ମଧ୍ୟ ଅଛି । ଲୋକେ କହନ୍ତି, ଏହାର ଗଭୀରତା କଳି ହେବନାହିଁ । ଏହା ହେଉଛି ପାତାଳଭେଦୀ । ଅନ୍ୟ କେହି କେହି କହନ୍ତି, ଏହି ବାମ୍ଫୀର ପାଣିର ଧାର ଭୂଇଁ ତଳେ ତଳେ ୩୫ ମାଇଲ ଅତିକ୍ରମ କରି ବାଙ୍ଗାଲୋର ପର୍ଯ୍ୟନ୍ତଯାଇଅଛି ।

 

ପଶ୍ଚିମ ଦିଗରେ ଥିବା ପାହାଡ଼ଟିର ନାମ ମାଗଡ଼ିପାହାଡ଼ । ବାଙ୍ଗାଲୋରର କୌଣସି ଉଚ୍ଚ ସ୍ଥାନରେ ଛିଡ଼ାହୋଇ ଚାହିଁଲେ ଏହା ଆକାରରେ ଗୋଟିଏ ଚିନିଗଦା ପରି ଦେଖାଯାଏ; କିନ୍ତୁ ଏହାର ନିକଟକୁ ଗଲେ ଏଠାରେ ଓଟର କୁଜଭଳି ଦୁଇଟି କୁଦ ଦେଖିପାରିବ । ଏହି ଦୁଇ କୁଦ ମଧ୍ୟରେ ଯେଉଁ ସମତଳ ଭୂମି ଅଛି, ସେଠାକୁ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟ; କାରଣ ଏଠାକୁ ଉଠିବାକୁ ହେଲେ ଖସଡ଼ି ପଡ଼ିଯିବାର ଭୟ ଅଛି । ସେଭଳି ଉଦ୍ୟମକଲେ ତୁମକୁ ନନ୍ଦୀ ଦୁର୍ଗରେ ଟିପୁଙ୍କ ବିରୋଧୀମାନଙ୍କ ଅବସ୍ଥା ଭୋଗିବାକୁ ପଡ଼ିବ ।

 

ମୁଁ ଯେଉଁ ଗଳ୍ପଟି କହିବାକୁ ଯାଉଅଛି, ତାହାର ଏହି ସମତଳ ଭୂମି ସହିତ ସମ୍ବନ୍ଧ ଅଛି । ମାଗଡ଼ିରେ ଉପଦ୍ରବ କରୁଥିବା ଚିତାବାଘଟି ଏହି ସମଭୂମିର ଏକ ଗୁହା ଭିତରେ ବାସକରୁଥିଲା ।

 

ମାଗଡ଼ି ପାହାଡ଼ଟି ବିରାଟ ବୃକ୍ଷ ବିଶିଷ୍ଟ ପଥୁରିଆ ଅଞ୍ଚଳରେ ଅବସ୍ଥିତ । ଏହାର ଦକ୍ଷିଣରେ କେତେକ ରକ୍ଷିତ ଜଙ୍ଗଲ । କେତେକ ପାହାଡ଼ ଏହାର ଅନ୍ତର୍ଗତ । ସେଗୁଡ଼ିକ ଦକ୍ଷିଣଦିଗରେ ପ୍ରାୟ ୭୦ ମାଇଲ ଯାଏ କାବେରୀ ନଦୀ ତୀରବର୍ତ୍ତୀ ସଙ୍ଗମ ନାମକ ଏକ ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ । ଏହି ସମଗ୍ର ଅଞ୍ଚଳ ରକ୍ଷିତ ଜଙ୍ଗଲ ନୁହେଁ; କେବଳ ଗୋଟିଏ ବିସ୍ତୃତ ଅଂଶ ରକ୍ଷିତ ଜଙ୍ଗଲ; ଅବଶିଷ୍ଟ ଅଂଶ ଘନ ବୁଦାରେ ଆଚ୍ଛାଦିତ । ଏହି ପାହାଡ଼ଶ୍ରେଣୀର ପ୍ରାୟ ମଧ୍ୟଭାଗରେ ଏବଂ କ୍ଳୋଜେପେଟ ଓ କଙ୍କନହାଲି ଦୁଇଟିର ମଝିରେ ପାହାଡ଼ର ଅଗ୍ରଭାଗଗୁଡ଼ିକ ଲଗାଲଗି ହୋଇ ଉଚ୍ଚକୁ ଉଠିଯାଇଛନ୍ତି । ଏହି ଅଞ୍ଚଳରେ ବହୁସଂଖ୍ୟକ ଚିତାବାଘଙ୍କର ବାସସ୍ଥାନ । ମୋର ପୁଅ ଡୋନାଲଡ଼ ମନେକରେ ଏହା ହେଉଛି, ଶିକାରୀ ପକ୍ଷରେ ସ୍ଵର୍ଗରାଜ୍ୟ । ଏହି ଅଞ୍ଚଳରୁ ସେ ଚାଳିଶଟି ଚିତାବାଘ ଶିକାର କରିଅଛି । ତାହା ସଙ୍ଗେ ଦଶବାରଟା ଭାଲୁ ମଧ୍ୟ ଶିକାର କରିଅଛି । ତାର ବୟସ ତେଇଶି ବର୍ଷରୁ ସାମାନ୍ୟ ବେଶି ହେବ ।

 

ମାଗଡ଼ି ପାହାଡ଼ର ପଶ୍ଚିମରେ ଥିବା ସମଭୂମି ଅଳ୍ପୋଚ୍ଚ ବୁଦାରେ ପରିପୂର୍ଣ୍ଣ । କଳାବାହୁଟିଆ ହରିଣ, ଠେକୁଆ, ମୟୂର, ତିତ୍ତିରି ପ୍ରଭୃତି ଜୀବ ଏଠାରେ ବହୁ ସଂଖ୍ୟାରେ ଦେଖାଯାନ୍ତି । ପାହାଡ଼ଗୁଡ଼ିକ ଉତ୍ତର ଦିଗକୁ ବିସ୍ତୃତ; କିନ୍ତୁ ସେଗୁଡ଼ିକ ଖୁବ୍ ନୀଚ । ପୂର୍ବ ଦିଗରେ ଆହୁରି ପାହାଡ଼ିଆ ଅଞ୍ଚଳ ଅଛି । ଏଠାରୁ ବାଙ୍ଗାଲୋରର ଦୂରତା ପ୍ରାୟ ୩୫ମାଇଲ । ବାଙ୍ଗାଲୋରକୁ ଯାଇଥିବା ରାସ୍ତାର ୨୩ମାଇଲ ଖୁଣ୍ଟ ପାଖରେ ଅର୍କବର୍ତ୍ତୀ ନାମକ ଏକ କ୍ଷୂଦ୍ର ନଦୀ ସେହି ରାସ୍ତାକୁ ଅତିକ୍ରମ କରିଅଛି ଓ ଠିକ୍ ସେହିସ୍ଥାନରେ ନଦୀ ଉପରେ ଏକ ପଥରବନ୍ଧ (Dam) ନିର୍ମାଣ କରାଯାଇଅଛି । ଏହାଦ୍ଵାରା ସଞ୍ଚିତ ଜଳରାଶି ବାଙ୍ଗାଲୋରରୁ ବୃଷ୍ଟିହୀନ ବର୍ଷରେ ସୁଦ୍ଧା ଯଥେଷ୍ଟ ଜଳ ଯୋଗାଇଥାଏ । ଏହି ପଥରବନ୍ଧର ନାମ ଟିପଗଣ୍ଡାହାଲି ଓ ଏଠାରେ ବସିଥିବା ପ୍ରକାଣ୍ଡ ପମ୍ପମାନଙ୍କ ସାହାଯ୍ୟରେ ଅବଶିଷ୍ଟ ୨୩ ମାଇଲ ଦୂରବାଟେ ଜଳ ବାଙ୍ଗାଲୋରକୁ ପ୍ରେରିତ ହୁଏ ।

 

ଯେଉଁଠାରେ ସେହି କଲରାପତ୍ରିଆ ବାଘଟି (Leopard) ପ୍ରଥମେ ଦେଖାଯାଇଥିଲା, ତାହାର ପ୍ରାକୃତିକ ଅବସ୍ଥାନ ବିଷୟରେ କୁହାଗଲା । ଏଠାରେ ମୁଁ କଲରାପତ୍ରିଆ (Leopard) ଶବ୍ଦ ବ୍ୟବହାର କଲି ବୋଲି ଏହି ଜନ୍ତୁଟିର କିଛି ବିଶେଷତ୍ଵ ଥିଲା ବୋଲି ମନେ କରିବା ଅନୁଚିତ ହେବ । ଚିତାବାଘ ଓ କଲରାପତ୍ରିଆ ବାଘ ଉଭୟେ ଏକ ଜାତିର ଜୀବ । ଭାରତରେ ଆମେ ବେଶି ସମୟରେ ଯେ କାହିଁକି ‘ଚିତାବାଘ’ ବୋଲି କହୁଁ, ତାହାର କାରଣ ମୁଁ ବୁଝିପାରେ ନାହିଁ ।

 

ଏଠାରେ ମୁଁ ଯେଉଁ ଘଟଣାର ବର୍ଣ୍ଣନା କରିବାକୁ ଯାଉଅଛି, ତାହା ବିଗତ ଯୁଦ୍ଧ ପୂର୍ବରୁ ଘଟିଥିଲା ।

 

ମାଗଡ଼ି ପାହାଡ଼ର ପାଦଦେଶରେ କେତୋଟି ଛୋଟ ଛୋଟ ଗାଆଁ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଅଛି । ଉକ୍ତ ଚିତାବାଘ ଏହି ସବୁ ଗ୍ରାମମାନଙ୍କରେ କେତେଗୁଡ଼ିଏ ଛେଳି ଓ ଗୋଟିଏ ଯୋଡ଼ିଏ ବୁଲା କୁକ୍କୁର ମାରିଲା । କାଳେ କାଳେ ଚିତାବାଘମାନେ ସେ ଅଞ୍ଚଳରେ ଏହିପରି ଜୀବ ମାରି ଖାଉଥିଲେ ଓ ଲୋକେ ସେଥିରେ ଅଭ୍ୟସ୍ତ ହୋଇଯାଇଥିଲେ । ତେଣୁ ପ୍ରଥମେ ପ୍ରଥମେ କେହି ଚିତାବାଘର ଏପ୍ରକାର କାର୍ଯ୍ୟପ୍ରତି ବିଶେଷ ଦୃଷ୍ଟି ଦେଲେନାହିଁ ।

 

ସମୟ ଗଡ଼ି ଚାଲିଲା । କ୍ରମେ ଚିତାବାଘର ସାହସ ବୃଦ୍ଧି ପାଇଲା । ସେ କେତେକ ଦାମୁଡ଼ି ଓ ଗାଈ ମାରି ଖାଇଲା ।

 

ଭାରତରେ ଗୋରୁ ହେଉଛନ୍ତି ପବିତ୍ର ଜୀବ । କୌଣସି ହିନ୍ଦୁ କେବେହେଲେ ତାର ମାଂସ ସ୍ପର୍ଶ କରିବନାହିଁ; ମାତ୍ର ବଳଦ ମନୁଷ୍ୟ ପାଇଁ ସବୁପ୍ରକାର କଠିନ ପରିଶ୍ରମ କରିଥାଏ । ସେ ଜମି ଚାଷକରେ, ଶଗଡ଼ ଟାଣେ । ଏପରି କି ସେ ପ୍ରକାଣ୍ଡ ପଥରଚକକୁ ଟାଣି ପଥରଚୂନକୁ ଗୁଣ୍ଡ କରେ । ତାର ଏତେ ଉପକାର ଓ ମୂଲ୍ୟ ସତ୍ତ୍ୱେ ଚିତାବାଘ କେବେକେବେ ଗୋଟାଏ ବଳଦ ଖାଇଗଲେ କେହି ଚିନ୍ତା କରନ୍ତିନାହିଁ । କେବଳ ଅତିରିକ୍ତ ମାତ୍ରାରେ ନ ଖାଇଲେ ହେଲା; କିନ୍ତୁ ଯେତେବେଳେ ସେ ଗାଈମାରି ଖାଇବାକୁ ବସେ, ସେତେବେଳେ ଲୋକଙ୍କର ମନୋଭାବ ଭିନ୍ନ ଆକାର ଧାରଣ କରେ । ସେମାନେ ଚିତାବାଘର ଏହି ଅପରାଧକୁ ଅକ୍ଷମଣୀୟ ମନେ କରି ପ୍ରତିକାରର ପନ୍ଥା ଖୋଜନ୍ତି; କାରଣ ଗାଈଠାରୁ ଦୁଧ, ଦହି, ଘିଅ ଇତ୍ୟାଦି ମିଳେ । ଘିଅ ହେଉଛି ସମଗ୍ର ଭାରତରେ ରନ୍ଧନର ଏକ ମୁଖ୍ୟ ଉପାଦାନ, ଏହାର ମୂଲ୍ୟ ମଧ୍ୟ ଅଧିକ ।

 

ବାଙ୍ଗାଲୋରରେ ମୁନୁସ୍ଵାମୀ ବୋଲି ଜଣେ ଲୋକ ବାସ କରୁଥିଲା; ଏବେ ମଧ୍ୟ ସେ ଜୀବିତ । ସେ ନିଜକୁ ‘ଭଦ୍ରଲୋକମାନଙ୍କ ଶିକାରରେ ଜଣେ ନିର୍ଦ୍ଦେଶକ’ ବୋଲି ପରିଚିତ କରାଇଥାଏ । ଶିକାରରେ ସାହାଯ୍ୟ କରିବା ତାର ବ୍ୟବସାୟ ବୋଲି ସେ କହେ; କିନ୍ତୁ ସେ ଜଣେ ଅସଲ ଠକ । ସେ ସହରକୁ ଆସି ଶିକାର ଖବର ପ୍ରଚାର କରେ । ନୂଆ ନୂଆ ଶିକାରୀ, ଶିକାରଶିଖାଳି ତା କଥାରେ ଆକୃଷ୍ଟ ହୁଅନ୍ତି । ସେ କହେ, “ଆଜ୍ଞା, ହ୍ଵାଇଟ୍ ଫିଲଡ଼୍ ପାଖରେ ଦଳେ ବାର୍‌ହା ଅଛନ୍ତି; ଚାଳିଶ ପଚାଶଯାଏ ହେବେ । ଏଠିକି ମୋଟେ ବାର ମାଇଲ ବାଟ ହେବ ।” କିମ୍ବା “ଆଜ୍ଞା, ମାଗଡ଼ି ରାସ୍ତାର ଦଶ ମାଇଲ ଓ ମହୀଶୂର ରାସ୍ତାର ଅଠର ମାଇଲ ପାଖରେ ପଲ ପଲ କଳାବାହୁଟିଆ ଅଛନ୍ତି; ଗୋଟାଏ ଗୋଟାଏ ପଲରେ ପଚାଶଯାଏ ହେବେ । ଆଜ୍ଞା, ଆପଣ ସହଜରେ ସେମାନଙ୍କୁ ଶିକାର କରିପାରିବେ ।” ଏହିଭଳି ଖବରଟିଏ ଦେଇ ନୂତନ ଶିକାରୀଙ୍କୁ ସଙ୍ଗରେ ନେବାକୁ ଗୋଟାଏ ଦିନ ଧାର୍ଯ୍ୟ କରି ସେ କିଛି ବହିନା ଟଙ୍କା ନେଇଯାଏ । ଯଦି ସେ ନିର୍ଦ୍ଦିଷ୍ଟ ଦିନ ଆସେ ଓ ଶିକାର ଶିଖାଳିଙ୍କୁ ସଙ୍ଗରେ ନେଇଯାଏ, ତେବେ ସେ ଭଦ୍ରଲୋକ ବିସ୍ମୟରେ ଦେଖିବେ, ସେ ଯେଉଁ ବାର୍‌ହା ଓ ହରିଣ ପଲ ପଲ ଥିବାର କହୁଥିଲା, ସେ ସବୁ କୁଆଡ଼େ ଗଲେଣି; କିନ୍ତୁ ମନୁସ୍ଵାମୀକୁ ସାମାନ୍ୟ ଲୋକ ବୋଲି ଭାବିବା ଠିକ୍ ନୁହେଁ । ସେ ଭାରି ଚତୁର ଓ ମିଥ୍ୟା କହିବାରେ ଧୂରନ୍ଧର । ସେ କହିବ “ଆଜ୍ଞା, ମୁଁ କହିଥିଲି ପରା ଶୀଘ୍ର ଆସିବେ, ଆପଣ ଡେରି କରିଦେଲେ । କାଲି ଦଳେ ସାହେବ ମୋଟର ଗାଡ଼ିରେ ବସି ଆସିଥିଲେ । ସେମାନେ ହେଉଛନ୍ତି ଯୁଦ୍ଧ ବିଭାଗର ବଡ଼ ବଡ଼ ଅଫିସର । ସେମାନେ ଦୁଇଟା ବାର୍‌ହା ମାରିନେଲେ । ଏବେ ସବୁ ବାର୍‌ହା ପଳେଇ ଗଲେଣି । ଆପଣ ଆଉଦିନେ ଆସନ୍ତୁ ।”

 

ମୁନୁସ୍ଵାମୀ ଦୃଷ୍ଟିରେ ବାର୍‌ହା, କଳାବାହୁଟିଆ ହେଉଛନ୍ତି ନଗଣ୍ୟ ଜୀବ । କୌଣସି ହତଭାଗ୍ୟ ନୂଆ ଶିଖାଳି ସେ ଗୋଟାଏ ଚିତାବାଘର ସମ୍ବାଦ ଦେଲାବେଳେ ତାର ବାହାଦୂରୀ ଲକ୍ଷ୍ୟ କରିବାର ଜିନିଷ । ସେ ଆସି ବଙ୍ଗଳା ଫାଟକ ପାଖେ ପହଞ୍ଚି ଯିବ କିମ୍ବା ରାସ୍ତାରେ ସାହେବଙ୍କୁ ଦେଖିଲାକ୍ଷଣି ଆରମ୍ଭ କରିବ, “ସାର୍, ମୁଁ ହେଉଛି ବଡ଼ ବଡ଼ ଭଦ୍ରଲୋକଙ୍କ ଶିକାର ନିର୍ଦ୍ଦେଶକ । ମୁଁ ହଜୁରଙ୍କୁ କଳାବାହୁଟିଆ, ବାରହା, ମୟୂର, ଠେକୁଆ, ତିତ୍ତିର, ହରଡ଼ ଚଢ଼େଇ ଦେଖାଇ ଦେଇପାରିବ । ହଜୁର ବଡ଼ ବଗ ଆଉ ହଂସରାଳି ଚାହିଁବେ ତ ଡିସେମ୍ବର ମାସ ବେଳକୁ ପଣ ପଣ ମିଳିବେ । ବଡ଼ଦିନ ଛୁଟି ବେଳକୁ ଆସନ୍ତୁ, ଦେଖିବେ ହଜୁର, ବଡ଼ ଚିତାବାଘ ଶିକାର କରିବେ କି ? ଖୁବ୍ ବଡ଼ ଚିତାବାଘଟାଏ ଠାବ କରିଛି । ଏଠିକି ମୋଟେ ପନ୍ଦର ମାଇଲ ବାଟ । କଙ୍କନହାଲି ରାସ୍ତାରେ । ମତେ ପନ୍ଦରଟା ଟଙ୍କା ବହିନା ଦିଅନ୍ତୁ; ମୁଁ ଗୋଟେ ଗଧ ଆଣି ବାନ୍ଧିଦେବି । ଚିତାବାଘ ଗଧକୁ ମାରିଲାକ୍ଷଣି ମୁଁ ଆସି ହଜୁରଙ୍କୁ ଖବର ଦେବି । ମୁଁ ବି ଗୋଟାଏ ସୁନ୍ଦର ମଞ୍ଚା ବାନ୍ଧିଦେବି । ଦେଖିବେ, ମଞ୍ଚାରେ ବସି ଚିତାବାଘ ଶିକାର କରିବା କେଡ଼େ ସହଜ ।”

 

ନୂଆ ଶିଖାଳି ଏ ସବୁ ଶୁଣି ସ୍ତବ୍‌ଧ ହୋଇଯିବ । ଗୋଟାଏ ଜୀଅନ୍ତା ଗଧକୁ ଥୋପ ବସାଇବା ପାଇଁ ମୋଟେ ପନ୍ଦରଟା ଟଙ୍କା ଖରଚ ! ପନ୍ଦର ମାଇଲ ଦୂରରେ ଗୋଟାଏ ଚିତାବାଘ ! ଶିକାର କରିବାରେ ବହୁତ ଖରଚ, ବହୁତ କଷ୍ଟବୋଲି ଯାହା କହନ୍ତି ତାହା ପୂରା ମିଛ !

 

ବାବୁ ତା ହାତକୁ ପନ୍ଦରଟି ଟଙ୍କା ବଢ଼ାଇ ଦେଲାପରେ ମୁନୁସ୍ଵାମୀର ଆଉ କେତେ କଥା ମନେ ପଡ଼ିଯାଏ । ସେ କହିବ, “ହଜୁର, ମୋ ଖାଇବା ଖରଚ ପାଇଁ ଯୋଡ଼ାଏ ଟଙ୍କା ଦିଅନ୍ତୁ ତ । ହଁ, ଚିତାବାଘ ଗଧକୁ ମାରିଲାକ୍ଷଣି ଖବର ଦେବାକୁ ଆସିବି । ବସଭଡ଼ା ତିନିଟି ଟଙ୍କା ମଧ୍ୟ ଦେଇଥାନ୍ତୁ ।”

 

ନୂତନ ଶିକାରୀ ବାବୁ ମନେ କରିବେ ମନୁସ୍ଵାମୀର ଦାବୀରେ କିଛି ଅନ୍ୟାୟ ନାହିଁ । ସେ ଚୁପ୍ କରି ପୁଣି ପାଞ୍ଚଟି ଟଙ୍କା ତା ହାତକୁ ବଢ଼ାଇଦେବେ । ସେ ସନ୍ତୋଷରେ ଚାଲିଯିବ ।

 

ସେ ଯାଇ ପ୍ରଥମେ ପହଞ୍ଚିଯିବ ସ୍ଥାନୀୟ ତାଡ଼ି ଦୋକାନରେ । ସେ କେବଳ ତାଡ଼ିପିଏ ଓ ରନ୍ଧା ମଦକୁ ଅରଖ ବୋଲି କହି ଘୃଣା କରେ । ତା ମତରେ ଅରଖ ପିଇଲେ ମଣିଷ ମାତାଲ ହୋଇଯିବ । ସେ ଥରକେ ତିନି ବୋତଲ ତାଡ଼ି ପିଇଦିଏ । ଖଜୁରି ଗଛର ରସକୁ ସଢ଼ାଇଲେ ତାଡ଼ି ପ୍ରସ୍ତୁତ ହୁଏ । ତାଡ଼ି ପିଇସାରି ମୁନୁସ୍ଵାମୀ ନିଶ୍ଚିନ୍ତରେ ଶୋଇପଡ଼େ ।

 

ପରଦିନ ସକାଳୁ ଉଠି ସେ ଚିତାବାଘ ପାଇଁ ଥୋପ ବସାଇବାରେ ଲାଗିଯାଏ ।

 

ବାଙ୍ଗାଲୋରରେ ବୁଲା ଗୋରୁ, କୁକୁର ଓ ଗଧଙ୍କ ପାଇଁ ଦୁଇଟି ପାଉଣ୍ଡ ବା କାଞ୍ଜି ଆହୋଦା ଅଛି । ତୁମର ଯଦି ଏଭଳି ଜନ୍ତୁ ପାଉଣ୍ଡରେ ପଡ଼ନ୍ତି, ତେବେ ତାକୁ ଖଲାସକରି ଆଣିବାପାଇଁ ତୁମକୁ ଗୋଟିଏ ଟଙ୍କା ଦେବାକୁ ପଡ଼ିବ । ଏହା ହେଉଛି ସରକାରଙ୍କଦ୍ଵାରା ନିର୍ଦ୍ଧାରିତ ଜରିମାନା । କୌଣସି ଜନ୍ତୁ ଦଶଦିନ ପର୍ଯ୍ୟନ୍ତ ପାଉଣ୍ଡରେ ଅଟକ ରହିଲେ ଓ ମାଲିକ ଜରିମାନା ଦେଇ ତାକୁ ଖଲାସ ନକଲେ ତାକୁ ସର୍ବସାଧାରଣରେ ନିଲାମ କରାଯାଏ । ଏହାଦ୍ଵାରା ସେହି ଦଶଦିନରେ ତାର ଖାଇବା ଖରଚ ଆଂଶିକ ଭାବରେ ଆଦାୟ ହୋଇଯାଏ । ସାଧାରଣତଃ ସପ୍ତାହରେ ଦୁଇଥର ଏହି ନିଲାମ ହୁଏ । ମୁନୁସ୍ଵାମୀ ନିଲାମବେଳେ ଉପସ୍ଥିତ ହୋଇ ଦୁଇଟା ଟଙ୍କାରେ ଗୋଟାଏ ଗଧ ନିଲାମ ଧରିବା ଆଦୌ କଠିନ ବ୍ୟାପାର ନୁହେଁ । ନଚେତ୍ ସେ ପାଉଣ୍ଡଦାରକୁ ଗୋଟିଏ ଟଙ୍କା ଦେଇ ଅଟକଥିବା ଗୋଟିଏ ଗଧକୁ ଖଲାସକରି ନେଇଆସେ । ଗଧ ଗୁଡ଼ାକ ଦେଖିବାକୁ ପ୍ରାୟ ଏକାପରି । ପାଉଣ୍ଡଦାର ମୁନୁସ୍ଵାମୀ ଦାବିକୁ ମିଥ୍ୟାବୋଲି ଜାଣିବାର ଉପାୟ ନଥାଏ । ବିଶେଷତଃ ମୁନୁସ୍ଵାମୀ ନିଜେ ପାଉଣ୍ଡକୁ ନ ଯାଇ ତାର କୌଣସି ବନ୍ଧୁ ବା ଦଲାଲକୁ ପଠାଇ ଏହି ଉପାୟରେ ଗଧ ଯୋଗାଡ଼ କରିଥାଏ ।

 

ଏହିପରି ସାହେବଙ୍କ ପନ୍ଦରଟଙ୍କାରୁ ମାତ୍ର ଯୋଡ଼ିଏ ଟଙ୍କା ଖରଚକରି ମୁନୁସ୍ଵାମୀ ଗଧ ଆଣେ; ବାକୀ ତେରୋଟି ଟଙ୍କା ତାର ଲାଭ–ଅର୍ଥାତ୍ ମୂଳ ଜମା ଉପରେ ଶତକଡ଼ା ୬୫୦ ଲାଭ । ଆରମ୍ଭଟା ଯେ ତା ପକ୍ଷରେ ଶୁଭସୂଚକ ଏଥିରେ ସନ୍ଦେହ ନାହିଁ ।

 

ତାହାପରେ ଯେଉଁଠାରେ ଚିତାବାଘ ଅଛି ବୋଲି କହିଥାଏ, ସେଠାକୁ ଚାଲି ଚାଲି ଯାଏ ଓ ଦୁଇଦିନ ପର୍ଯ୍ୟନ୍ତ ସେଠାରେ ଗଧକୁ ବାନ୍ଧିରଖେ । ତୃତୀୟ ବା ଚତୁର୍ଥଦିନ ସକାଳେ ସେ ନିଜେ ଗଧକୁ ମାରିପକାଏ । ଗଧକୁ ମାରିବାପାଇଁ ତାର ନିଜସ୍ୱ କୌଶଳ ଅଛି । ତାର ଗୋଟିଏ ପ୍ରକାଣ୍ଡ ଛୁରୀ ଅଛି; ସେଥିରେ ଦଶବାରଟା ଭିନ୍ନ ଭିନ୍ନ ଧରଣର ଛୁରା ଥାଏ । ସେଥିରୁ ଗୋଟିଏ ହେଉଛି ଖୁବ୍ ଗୋଜିଆ । ମୋର ବିଶ୍ଵାସ, ଏହା ପ୍ରଥମେ ଘୋଡ଼ାର କ୍ଷୂରାରେ ପଥର ଲାଖିଗଲେ ତାହା ବାହାର କରିବାରେ ବ୍ୟବହୃତ ହେଉଥିଲା । ଅନ୍ତତଃ ମୁଁ ଏହା ଶୁଣିଛି; କିନ୍ତୁ ଏହାର ସତ୍ୟତା ବିଷୟରେ ନିଃସନ୍ଦେହ ନୁହେଁ । ଏହି କଦାକାର ହତିଆର ସାହାଯ୍ୟରେ ମୁନୁସ୍ଵାମୀ ହତଭାଗ୍ୟ ଗଧର କଣ୍ଠନାଳୀ ସଂଲଗ୍ନ ଶିରା ଉପରେ ଆଘାତକରେ । ଗଧଟା ତଳେ ପଡ଼ିଗଲା ପରେ ସେ ପୁଣି କେତେଥର ଆଘାତ କରେ । ସେ ତାର ଗଳାର ଦୁଇପାଖରେ ଦୁଇଟି ଲେଖାଏଁ ମୋଟ ଚାରିଟି କଣାକରେ । ସେହି ଛୁରାର ଧାରଦ୍ଵାରା ସେ ତାର ପେଟକୁ ଚିରି ଅନ୍ତଗୁଡ଼ାକ ଆଖପାଖରେ ଫିଙ୍ଗି ଦିଏ ଓ ଚମଡ଼ା ପାଖରୁ କିଛି ମାଂସ କାଢ଼ିନିଏ । ତତ୍ପରେ ସେ ଗଧର ମଡ଼ାକୁ ଡାଳପତ୍ରରେ ଘୋଡ଼ାଇଦିଏ । ଶେଷରେ ସେ ତାର ମଇଳା ମୁଣି ଭିତରୁ ଗୋଟିଏ ବିଚିତ୍ର ଜିନିଷ ବାହାରକରେ । ଏହି ଜିନିଷଟି କଅଣ ଅନୁମାନ କରିପାରୁଛ ? ଏଇଟି ହେଉଛି ମୁନୁସ୍ଵାମୀର ଅସଲ କୌଶଳ । ଏହା ଗୋଟିଏ ଚିତାବାଘର ପାଦଛଡ଼ା ଆଉ କିଛି ନୁହେଁ । ପାଦର ଚମଡ଼ା ଭିତରେ କୁଟା ବା ତୁଳା ଭର୍ତ୍ତିକରି ରଖାହୋଇଥାଏ । ଏହାରି ସାହାଯ୍ୟରେ ସେ ମଡ଼ା ପାଖରେ ଏଣେତେଣେ କେତେଗୁଡ଼ିଏ ଚିତାବାଘର ପାଦଚିହ୍ନ ତିଆରି କରିଦିଏ ।

 

ଏହିପରି ଦୃଶ୍ୟ ସୃଷ୍ଟି କରି ସନ୍ତୁଷ୍ଟ ହେଲାପରେ ମୁନୁସ୍ଵାମୀ ସାମାନ୍ୟ କେତେ ଅଣା ପଇସା ଖରଚରେ କୌଣସି ଲରିରେ ବସି ସହରରେ ପହଞ୍ଚିଯାଏ ଓ ଅଥୟ ହୋଇ ସାହେବଙ୍କୁ ଡାକେ । ତାର ଡାକ ଶୁଣି ନୂଆ ଶିକାରି ସାହେବ ଅଥୟ ହୋଇ ଉଠନ୍ତି । ସାହେବ ମେମ୍ ସାହେବଙ୍କୁ କିଛି ପିଠା ଓ ଫ୍ଲାସ୍କରେ ନେବାପାଇଁ ଚାହା ତିଆରି କରିବାକୁ ହୁକୁମ ଦେଇ ନିଜେ ରାଇଫେଲ ସଫାକରିବାରେ ଲାଗିଯାଆନ୍ତି । ଗୁଳି ସଂଗ୍ରହ କରାଯାଏ; ଟର୍ଚ୍ଚ ଲାଇଟ୍, ବାଟେରି ଓ ଏହିପରି ଅନେକ ଛୋଟ ଛୋଟ ଜିନିଷ ଯୋଗାଡ଼ ହୁଏ । ଏଥି ମଧ୍ୟରୁ କେତେକ ହୁଏତ ବ୍ୟବହାର ନହୋଇ ବହୁଦିନରୁ ପଡ଼ିରହିଥିଲା ଓ ଆଉ କେତେକ ମୋଟେ ବ୍ୟବହାର ଲାଗିବନାହିଁ । ଏହିପରି ପ୍ରସ୍ତୁତ ହୋଇ ସାହେବ ମୁନୁସ୍ଵାମୀକୁ ଗାଡ଼ିରେ ବସାଇ ‘ଚିତାବାଘ ଗଧକୁ ମାରିଥିବା’ ସ୍ଥାନରେ ପହଞ୍ଚିଯାଆନ୍ତି ।

 

ମୁନୁସ୍ଵାମୀ ମାଟିଉପରେ ଚିତାବାଘର ପାଦ ଚିହ୍ନ ଓ ଗଧର ଗଳାରେ ଚିତାବାଘର ଦାନ୍ତ ଚିହ୍ନ ଦେଖାଇ ଦିଏ । ସାହେବଙ୍କର ବିଶ୍ଵାସ ଜନ୍ମିଯାଏ ଯେ ଚିତାବାଘ ଗଧକୁ ମାରିଚି । ଏଥି ମଧ୍ୟରେ ମୁନୁସ୍ଵାମୀ ଦୁଇ ଜଣ କୁଲି ଡାକିଆଣି ମଞ୍ଚା ବନ୍ଧାଇଦିଏ । ପ୍ରତି କୁଲି ପାଇଁ ସାହେବଙ୍କଠାରୁ ଦୁଇଟଙ୍କା ଲେଖାଏଁ ଆଣି ସେମାନଙ୍କୁ ମାତ୍ର ବାରଅଣା ଦିଏ । ଶେଷରେ ସାହେବ ମଞ୍ଚା ଉପରକୁ ଉଠିଲାବେଳକୁ ସେ ଗୋଟାଏ ଚୁକ୍ତି କରାଇ ନିଏ; “ହଜୁର, ଏ ଚିତାବାଘକୁ ଯେବେ ମାରିବେ ମତେ କୋଡ଼ିଏ ଟଙ୍କା ବକସିସ୍ ମିଳିବ । ଆଉ ଯେବେ ହଜୁର ନିଜ ଦୋଷରୁ ଚିତାବାଘକୁ ମାରି ନ ପାରନ୍ତି, ତେବେ ଏ ନୌକରକୁ ଦଶଟି ଟଙ୍କା ଦେବେ । ପୁଣି ହୁଏତ ଚିତାବାଘଟା ମୋଟେ ନଆସିପାରେ । ସାର୍, ମନେରଖିଥିବେ ଚିତାବାଘ ହେଉଛି ଭାରି ଚାଲାଖ । ଅନେକ ସମୟରେ ମଡ଼ାପାଖକୁ ଆଉ ଆସନ୍ତିନାହିଁ । ଦୈବାତ୍ ସେପରି ଘଟିଲେ ଗରିବ ଖରାରେ ହଜୁରଙ୍କ ପାଇଁ ଯେଉଁ କାମ କରିଛି, ସେଥିପାଇଁ ବେଶି ନ ହେଲେ ବି ପାଞ୍ଚୋଟି ଟଙ୍କା ଦେବେ ।” ସାହେବ ଏହି ଚୁକ୍ତିରେ ରାଜି ହୋଇଯାଆନ୍ତି ।

 

ଆଶ୍ଚର୍ଯ୍ୟର କଥା, ସାହେବ ମୁନୁସ୍ଵାମୀର କଥାକୁ ଯେତିକି ସତ ବୋଲି ମନେ କରିବାର ସେ ଆଶା କରିଥାଏ, ସାହେବ ଠକ୍ ସେତିକି ସତ ମନେକରନ୍ତି । ତାର କଥାରେ ସାହେବଙ୍କର ପୂରା ବିଶ୍ଵାସ ଜନ୍ମିଯାଏ ।

 

ସେ କଥା ଥାଉ । ଚିତାବାଘ ମଡ଼ାପାଖକୁ ଆସେନାହିଁ । ପାଠକ ଏଥିର କାରଣ ଜାଣନ୍ତି; ଚିତାବାଘ ତ ମୋଟେ ନଥିଲା; ଆସନ୍ତା କାହୁଁ ? ମୁନୁସ୍ଵାମୀ ଟଙ୍କା ପାଞ୍ଚୋଟି ପକେଟରେ ପୂରାଇ ସାହେବଙ୍କୁ ଆଶ୍ଵାସନା ଦେଇ କହିବ ଯେ “ସାହେବ, ଚିତାବାଘଙ୍କ ଗତିବିଧି ବିଚିତ୍ର । ଏଥର ସିନା ମଡ଼ାପାଖକୁ ଆସିଲାନାହିଁ । ଆସନ୍ତା ଥରକୁ ନିଶ୍ଚୟ ଆସିବ । ମୁଁ ଆଉ ଗୋଟାଏ ଗଧ ଆଣି ବାନ୍ଧିବି ।” ମୁନୁସ୍ଵାମୀ ଏହିପରି କେତେଥର ସାହେବଙ୍କୁ ଶିକାର ଲୋଭ ଦେଖାଇ ଟଙ୍କା ନେବାପରେ ସାହେବ ଚିତାବାଘ ଶିକାର କଥା ଏକବାରେ ତ୍ୟାଗକରି ହଂସରାଡ଼ି, ତିତ୍ତିର ପ୍ରଭୃତି ଶିକାର କରିବାରେ ସନ୍ତୁଷ୍ଟ ରହନ୍ତି; କିନ୍ତୁ ସେଥିରେ ସୁଦ୍ଧା ମୁନୁସ୍ଵାମୀର ସାହାଯ୍ୟ ଦରକାର ପଡ଼େ ।

 

ପାଠକ ମହାଶୟ ମୋତେ ପଚାରିପାରନ୍ତି, ମୁନୁସ୍ଵାମୀ ବିଷୟରେ ତୁମେ ଏତେ କଥା ଜାଣିଲ କିପରି ? ଏହାର ଉତ୍ତର ହେଉଛି–ମୁଁ ଦିନେ ନୂଆ ଶିଖାଳି ଥିଲି; ସେତେବେଳେ ଏଇ ମନୁସ୍ଵାମୀ ନିତାନ୍ତ ପକ୍ଷେ ଚାରିଥର ମୋତେ ତାର କବଳରେ ପକାଇଥିଲା । ଦିନେ ଗୋଟାଏ ଦୁର୍ଘଟଣା ଘଟିଥିଲା; ଅବଶ୍ୟ ଦୁର୍ଘଟଣାଟା ମୁନୁସ୍ଵାମୀ ପକ୍ଷରେ; ମୋ ପକ୍ଷରେ ନୁହେଁ । ସେ ମୋତେ ସେହି ଜାଲ୍ ପାଦଚିହ୍ନ ଦେଖାଉଥିଲା । ଗୋଟାଏ ବୁଲା କୁକୁର ଆମ ପାଖେ ବୁଲୁଥିଲା । ହଠାତ୍ ସେ ବୁଦାଆଡ଼କୁ ଦୌଡ଼ିଯାଇ ମୁହଁରେ ଗୋଟାଏ କନାଥଳି ଧରି ଆସିଲା । ମୁନୁସ୍ଵାମୀ ବିଚଳିତ ହୋଇ ତାହା ପଛେ ପଛେ ଗୋଡ଼େଇଲା । କୁକୁର ଥଳିକୁ ଧରି ଦଉଡ଼ୁ ଦଉଡ଼ୁ ସେଥିରୁ କଳା କଳା ଦାଗଥିବା ଗୋଟାଏ ଜିନିଷ ତଳେ ପଡ଼ିଗଲା । ମୁନୁସ୍ଵାମୀ ତାକୁ ନେଇ ଆସିବାକୁ ଦୌଡ଼ିଲା, ମୁଁ ମଧ୍ୟ ଦୌଡ଼ିଲି । ଦେଖେଁ ତ ସେଇଟା ଗୋଟାଏ ଚିତାବାଘର ଥାବା, ଚମଡ଼ା ଭିତରେ ତୁଳା ଦିଆଯାଇଛି । ମୁଁ ତାକୁ ମାରିଦେବାର ଭୟ ଦେଖାଇଲି; କହିଲି–ସତ କଥା ମାନି ଯାଅ, ନୋହିଲେ ତୋର ପ୍ରାଣ ନେବି । ତହୁଁ ସେ ତାର ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ କୌଶଳ ପ୍ରକାଶ କରିଦେଲା । ମୁଁ ସେଇକଥା ପାଠକମାନଙ୍କୁ କହିଛି ।

 

ମୁଁ ଜୀବନରେ ବହୁ ଦୁଃଖ ଭୋଗିଛି । ‘ନିଜେ ବଞ୍ଚିରହ ଓ ଅନ୍ୟକୁ ବଞ୍ଚିରହିବାକୁ ଦିଅ’ ଏହି ନୀତିରେ ମୁଁ ବିଶ୍ଵାସୀ । ସେତେବେଳେ ମୁଁ ଯେପରି ନିର୍ବୋଧ ନୂଆ ଶିକାରୀ ଥିଲି, ସେହିପରି ଶିକାରୀ ଅନେକ ଅଛନ୍ତି ଓ ଠକେଇରେ ପଡ଼ିବାକୁ ଚାହାନ୍ତି । ତେଣୁ ମୁନୁସ୍ଵାମୀ ସେମାନଙ୍କୁ ଠକିବ ନାହିଁ କାହିଁକି ? ମୁଁ ତାର ଠକ ବ୍ୟବସାୟରେ ବାଧା ଦେଇନାହିଁ ଓ ମୁନୁସ୍ଵାମୀ ମୋତେ ଏକରକମ ଭଲପାଏ ।

 

ବର୍ତ୍ତମାନ ମୁଁ ମୁନୁସ୍ଵାମୀର ରହସ୍ୟ ପ୍ରକାଶ କରିଦେଇ ତାର କ୍ଷତି କରୁଛି ବୋଲି ଭାବନ୍ତୁ ନାହିଁ । ବାଙ୍ଗାଲୋରରେ ଅନେକ ଶିକାର ଶିଖାଳି ଅଛନ୍ତି । ଏବେ ମୁନୁସ୍ଵାମୀ ଯାହାକୁ ନୂଆ ଶିକାରୀ ଦଳଭୁକ୍ତ କରିବାପାଇଁ ଯାଏ, ତାକୁ ନିଜର ଗୋଟିଏ ନୂଆ ନାମ କହେ । କେତେବେଳେ ନିଜକୁ ରାମେୟା, କେତେବେଳେ ପୁଇୟା କି ପୁନିଆ ବୋଲି ପରିଚୟ ଦିଏ । ଏହିପରି ତାର ଶହ ଶହ ଓରଫେ ନାମଅଛି; କିନ୍ତୁ ପାଠକ ମହାଶୟ, ଯଦି ଆପଣ କେବେ ବାଙ୍ଗାଲୋରକୁ ଆସନ୍ତି ଓ ଆମ ଶିକାରୀ ଦଳରେ ଯୋଗ ଦିଅନ୍ତି, ତେବେ ମୁଁ ଆପଣଙ୍କୁ ତା ବିଷୟରେ ଗୋଟାଏ ସୂଚନା ଦେଉଛି–ତାର ସଂକ୍ଷିପ୍ତ ବର୍ଣ୍ଣନା । ଯଦି କୌଣସି ଇଂରେଜି କହୁଥିବା ‘ଭଦ୍ରଲୋକଙ୍କ ଶିକାର ଗାଇଡ଼୍’ ଆସି ଆପଣଙ୍କୁ ଦେଖାଦିଏ, ଆପଣ ଲକ୍ଷ୍ୟ କରିବେ, ସେ ଯଦି ଡେଙ୍ଗା, ସରୁ, ବୁଢ଼ାଳିଆ, ଖୁବ୍ କଳା ହୋଇଥିବ, ମୁଣ୍ଡବାଳ ପଛକୁ ଲମ୍ବି ଗଣ୍ଠି ପଡ଼ିଥିବ, ଆଖି ଢିମା ଢିମା ହୋଇଥିବ, ପଗଡ଼ି ବା ଟୋପି ପିନ୍ଧିଥିବ, ଦେହରେ ଧୋତି ବା ଲେଙ୍ଗୁଟି ବା ହାଲୁକା ପାଇଜାମା ବା ହାଫ୍ ପ୍ୟାଣ୍ଟ ପିନ୍ଧିଥିବ ଓ ତାର ନାମ ଜାକ୍ କି ଜନସନ ବୋଲି କହୁଥିବ, ତେବେ ମୁଁ ଆପଣଙ୍କୁ ସାବଧାନ କରିଦେଉଛି, ତା ପାଲରେ ପଡ଼ନ୍ତୁନାହିଁ; ନିଜର ପଇସାପତ୍ର ବାକ୍‌ସରେ ବନ୍ଦକରି ରଖନ୍ତୁ । ଖୁବ୍ ସମ୍ଭବ ଏହି ଗାଇଡ଼୍ ହେଉଛି ମୋର ସେହି ବନ୍ଧୁ ମୁନୁସ୍ଵାମୀ, କୌଶଳୀ ଠକ ଗାଇଡ଼୍ ।

 

ଏହି ଲୋକଟି ସମ୍ବନ୍ଧରେ ଏତେ କଥା କହିବାଦ୍ଵାରା ମୁଁ ମୋର ପ୍ରକୃତ ବିଷୟଠାରୁ ବହୁଦୂରକୁ ଚାଲି ଯାଇଛି ବୋଲି ଆପଣ ମନେ କରୁଥିବେ । ମୁଁ ସେ କଥା ଜାଣେ; କିନ୍ତୁ ପ୍ରକୃତରେ ମୁଁ ଉଦ୍ଦିଷ୍ଟ ବିଷୟବସ୍ତୁଠାରୁ ଦୂରେଇ ଯାଇନାହିଁ; କାରଣ ଏହାର ଆରମ୍ଭରେ ଓ ଶେଷରେ ସେହି ଲୋକଟି ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଅଛି । ମୋର ଦୃଢ଼ବିଶ୍ଵାସ, ଆପଣ ଏହି ଅସାଧାରଣ ଓ ଅଦ୍ଭୁତ ବ୍ୟକ୍ତିଟିର ପରିଚୟ ପାଇ ଆନନ୍ଦ ଉପଭୋଗ କରିଥିବେ ।

 

ମାଗଡ଼ି ପାହାଡ଼ ଅଞ୍ଚଳରେ ଯେଉଁ ଚିତାବାଘଟି ଗାଈବଳଦ ପ୍ରଭୃତି ମାରିବା ଆରମ୍ଭ କରିଥିଲା, ତାହା ବିଷୟ ମୁନୁସ୍ଵାମୀ ଶୁଣି ପାରିଥିଲା । ଆପଣ ମନେକରନ୍ତୁ ନାହିଁ ଯେ ମୁନୁସ୍ଵାମୀ କେବଳ ମନରୁ ଚିତାବାଘ ସୃଷ୍ଟି କରେ ଓ ପ୍ରକୃତ ଚିତାବାଘ ବିଷୟରେ କିଛିହେଲେ ଜାଣେ ନାହିଁ । ଅନେକ ଦିନ ପୂର୍ବେ ତାର ଯୌବନ କାଳରେ ଯେତେବେଳେ ସମୟ ଏତେ ଖରାପ ନଥିଲା, ସେତେବେଳେ ସେ ଜଣେ ପ୍ରକୃତ ଶିକାରୀ ଥିଲା ଓ ବାଘ, ଚିତାବାଘ ପ୍ରଭୃତି ବିଷୟରେ ଅନେକ କଥା ଜାଣିଥିଲା । ତେଣୁ ଏହି ଚିତାବାଘର ଖବର ପାଇ ସେ ନିଜେ ବସରେ ବସି ମାଗଡ଼ିକୁ ଆସିଲା ଓ ନିଜେ ପ୍ରତ୍ୟକ୍ଷ ଅନୁସନ୍ଧାନ ଚଳାଇଲା । ଏଥିରୁ ସେ ଜାଣିଲା ଯେ ଚିତାବାଘଟା ବାରମ୍ବାର ଗୋରୁଗାଈ ଓ ଛେଳି ମାରିବାରେ ଲାଗିଛି ।

 

ଆପଣମାନେ ବୁଝିପାରୁଥିବେ ଯେ ମୁନୁସ୍ଵାମୀର କୌଶଳ ଅଦ୍ଭୁତ ଥିଲା; ତାକୁ ସଙ୍ଗରେ ନେଇ ଯିଏ ଶିକାରକୁ ଯାଉଥିଲା, ସେ ଚିତାବାଘ ତ ଦୂରର କଥା, ଅନ୍ୟ କୌଣସି ଜନ୍ତୁ ସୁଦ୍ଧା ଦେଖିବାକୁ ପାଉନଥିଲା । ଏହା ଫଳରେ ଗାଇଡ଼୍ ଭାବରେ ତାର ସୁନାମ ଉପରେ ଘୋର ବାଧା ପହଞ୍ଚିଥିଲା । କି ଭାରତୀୟ, କି ଇଉରୋପୀୟ, କି ଅଭିଜ୍ଞ କି ଅନଭିଜ୍ଞ ସବୁ ପ୍ରକାର ଭଦ୍ର ଶିକାରୀମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକ ତାକୁ ପାଖେ ପୂରାଉ ନଥିଲେ । ମୁନୁସ୍ଵାମୀର ଦୁର୍ଦ୍ଦିନ ଉପସ୍ଥିତ ହୋଇଥିଲା । ଆୟରେ ବାଧା ପଡ଼ିବାରୁ ତାର ଉଦର ଚିନ୍ତା ଉପସ୍ଥିତ ହେଲା । ବର୍ତ୍ତମାନ ସେ ଅବସ୍ଥା ସୁଧାରି ନିଜର ସୁନାମ ଫେରାଇ ନ ଆଣିଲେ ତାର ରକ୍ଷା ନଥିଲା ।

 

ଚିତାବାଘଟା ଦୁଃସାହସ କରି ବାରମ୍ବାର ଜନ୍ତୁ ମାରୁଥିବାରୁ ତାକୁ ଶିକାର କରିବା ସହଜ ହେବ; ଏହି ଧାରଣା ମୁନୁସ୍ଵାମୀର ସୁପ୍ତ ଶିକାର ପ୍ରବୃତ୍ତିକୁ ଜାଗ୍ରତ କଲା । ଚିତାବାଘକୁ ମାରି ଏକ ଶୋଭାଯାତ୍ରାରେ ତାକୁ ନେଇ ସେ ସହରରେ ପ୍ରଚାର ଚଳାଇବ, ଚିତାବାଘକୁ ବଳଦଗାଡ଼ିରେ ବାଙ୍ଗାଲୋର ସହରର ବଜାରରେ ବାଦ୍ୟ ବଜାଇ ବୁଲାଇବା ବୋଲି ସ୍ଥିର କଲା । ଏପରିକି ସେ ଭାବିଲା ଯେ ମଲା ଚିତାବାଘ ସଙ୍ଗେ ସେ ନିଜର ଫଟୋ ନେବ ଓ ତାର ଯେଉଁ କେତେ ଜଣ ଗ୍ରାହକ ଏବେ ସୁଦ୍ଧା ତା ସହିତ କଥାବାର୍ତ୍ତା ବନ୍ଦ କରିନାହାନ୍ତି, ସେମାନଙ୍କୁ ସେହି ଫଟୋରୁ ଖଣ୍ଡେ ଲେଖାଏଁ ଉପହାର ଦେବ । ଯେଉଁମାନେ ତା ସଙ୍ଗେ କଥାବାର୍ତ୍ତା ବନ୍ଦ କରିଦେଇଅଛନ୍ତି, ସେମାନଙ୍କ ପାଖକୁ ଖଣ୍ଡେ ଲେଖାଏଁ ଫଟୋ ଡାକରେ ପଠାଇଦେବ । ସେହିସବୁ ଫଟୋର ପଛପଟେ ଲେଖା ରହିବ–ଅମୁକ ଦିନ ଅମୁକ ସ୍ଥାନରେ ପ୍ରସିଦ୍ଧ ଶିକାରୀ ମୁନୁସ୍ଵାମୀ ଏହି ଚିତାବାଘକୁ ମାରିଅଛି । ଯେଉଁ ସାହେବମାନେ ମୁନୁସ୍ଵାମୀ ସହିତ ଆସିଥିଲେ, ସେମାନେ ତାର ସାହାଯ୍ୟ ସତ୍ତ୍ୱେ ଏହି ଚିତାବାଘକୁ ମାରିବାରେ ବିଫଳ ହୋଇଥିଲେ ।

 

ଏହିପରି ଭାବୁ ଭାବୁ ବୃଦ୍ଧ ମୁନୁସ୍ଵାମୀ ପୁଲକିତ ହୋଇଉଠିଲା । ଏଭଳି ପ୍ରଚାର ହେଲେ ଲୋକେ ଟିକିଏ ହେଲେ ତା ବିଷୟରେ ଚିନ୍ତା କରିବେ ଓ ତାର ଲୁପ୍ତପ୍ରାୟ ଖ୍ୟାତି ସେ ଫେରିପାଇବ-। ସେ ତାର ନିଜ ବନ୍ଧୁକଟି ବିକିଦେଇସାରିଥିଲା । କୌଣସିମତେ ସେ ଜଣକପାଖରୁ ଗୋଟିଏ ପୁରୁଣା ୧୨ ବୋର ବିଶିଷ୍ଟ ହାର୍ମର ମଡ଼େଲ ବନ୍ଧୁକ ମାଗି ଆଣିଲା । ତତ୍ପରେ ସେ ଘଟଣାସ୍ଥଳକୁ ପୁଣି ଥରେ ଯାଇ ଗ୍ରାମବାସୀମାନଙ୍କୁ କହିଲା, “ଭାଇମାନେ, ମୁଁ ହେଉଚି ସେହି ପୁରୁଣା ଶିକାରୀ ମୁନୁସ୍ଵାମୀ; କେତେ ଜନରଲ, କେତେ ଭାଇସିରାଏଙ୍କ ସାଥିରେ ମୁଁ କାମ କରିଛି । ଏ ଯେଉଁ ଜନ୍ତୁଟା ତୁମମାନଙ୍କର ଏତେ ଅନିଷ୍ଟ କରୁଛି, ତାକୁ ମାରିବାପାଇଁ ମୁଁ ଆସିଛି । ମୁଁ ଏହି ମାଗଡ଼ି ଗ୍ରାମରେ କିଛିଦିନ ରହିବି । ଯଦି ଚିତାବାଘ କାହାରି ଗୋରୁଗାଈ ବା ଅନ୍ୟଜନ୍ତୁ ମାରେ, ସଙ୍ଗେ ସଙ୍ଗେ ମୋତେ ସେ ଖବର ଦେବ ।”

 

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ମାଗଡ଼ି ଗ୍ରାମଟି ପାହାଡ଼ଠାରୁ ପ୍ରାୟ ଚାରି ମାଇଲ ଦୂରରେ ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ ଓ ପାହାଡ଼ର ନାମ ଅନୁସାରେ ଗ୍ରାମର ନାମକରଣ କରାଯାଇଅଛି ।

 

ଦୁଇଦିନ ପରେ ଖବର ମିଳିଲା ଯେ ଚିତାବାଘ ଗୋଟାଏ ଗାଈ ମାରିଛି । ମୁନୁସ୍ଵାମୀ ବନ୍ଧୁକ ସହିତ ଗୋଟିଏ ବଲ୍ କାଟ୍ରିଜ ଓ ତିନୋଟି ଏଲ. ଜି. କାଟ୍ରିଜ ମାଗି ଆଣିଥିଲା । ତାହାକୁ ନେଇ ସେ ଘଟଣା ସ୍ଥଳକୁ ଯାଇ ମଞ୍ଚା ବାନ୍ଧିଲା । ଯଥା ସମୟରେ ଚିତାବାଘ ଆସିବାରୁ ସେ ତାର କାନ୍ଧ ପାଖକୁ ଲକ୍ଷ୍ୟକରି ବଲ କାଟ୍ରିଜରେ ଗୁଳିକଲା । ନିଃସନ୍ଦେହ ହେବା ନିମନ୍ତେ ସେ ତାହା ସଙ୍ଗେ ସଙ୍ଗେ ଏଲ. ଜି କାଟ୍ରିଜଟିଏ ମଧ୍ୟ ମାରିଥିଲା । ଦୁଇଟା ଯାକ ଚିତାବାଘ ଦେହରେ ବାଜିଲା । ତଥାପି ସେ ପଳାଇଗଲା । ଅବସ୍ଥାକୁ ଭାବି ଚିନ୍ତି ସେ ସ୍ଥିରକଲା ଯେ ଗୋଟାଏ ଆହତ ଚିତାବାଘ ପଛରେ ଯିବାର ବୟସ ତାର ଆଉ ନାହିଁ । ସେ ଯେଉଁ ପ୍ରଚାର ଚଳାଇବ ବୋଲି କଳ୍ପନା କରିଥିଲା, ତାହାପାଇଁ ଗୋଟାଏ ଆଘାତପ୍ରାପ୍ତ ଚିତାବାଘର ରକ୍ତ ଚିହ୍ନକୁ ଅନୁସରଣ କରିବାକୁ ସାହସ କରିପାରିଲା ନାହିଁ । ତେଣୁ ସେ ବାଙ୍ଗାଲୋର ଫେରିଗଲା ।

 

କେତେକ ସପ୍ତାହ ଗତହେଲା । ପୁଣି ପୂର୍ବ ଘଟଣାର ପୁନରାବୃତ୍ତି ହେଉଥିବାର ଶୁଣାଗଲା । ମାଗଡ଼ିଠାରୁ କ୍ଳୋଜପେଟ ଯାଏ ଯେଉଁ ବାଇଶି ମାଇଲ ରାସ୍ତା ଯାଇଛି, ତାହାର ଦୁଇପଟେ ଥିବା ଗ୍ରାମମାନଙ୍କରୁ ଚିତାବାଘ କୁକୁର ଛେଳି ପ୍ରଭୃତି ମାରି ଖାଉଥିଲା । ଦୁଇଟି ଘଟଣାରେ ଛେଳି ଜଗାଳିମାନେ ଚିତାବାଘକୁ ତଡ଼ିଦେବା ପାଇଁ ଚେଷ୍ଟା କରିବାରୁ ସେ ସେମାନଙ୍କୁ ଆକ୍ରମଣ କରିଥିଲା । ଏହା ଫଳରେ ଜଣେ ବୟସ୍କ ଲୋକ ଓ ଗୋଟିଏ ବାଳକ ଖଣ୍ଡିଆ ଖାବରା ହୋଇଯାଇଥିଲେ ।

 

ଏହାପରେ ଜଣେ ଝଟକାବାଲା ଓ ତାର ଘୋଡ଼ା ଚିତାବାଘଦ୍ଵାରା ଆକ୍ରାନ୍ତ ହୋଇଥିଲେ-। ଦିନେ ରାତିରେ ତିନିଜଣ ଯାତ୍ରୀ ମହୀଶୂରରୁ ଆସୁଥିବା ରେଳଗାଡ଼ିରୁ କ୍ଳୋଜପେଟ ଷ୍ଟେସନରେ ଓହ୍ଲାଇଥିଲେ । ସେତେବେଳକୁ ବସ୍ ମିଳିଲାନାହିଁ । ତେଣୁ ସେ ତିନିହେଁ ଝଟକାରେ ବସି ଦଶମାଇଲ୍ ଦୂରବର୍ତ୍ତୀ ସେମାନଙ୍କ ଉଦ୍ଦିଷ୍ଟ ଗ୍ରାମକୁ ଯିବେ ବୋଲି ସ୍ଥିରକଲେ । ଯେଉଁମାନେ ଝଟକା ସହିତ ପରିଚିତ ନୁହନ୍ତି, ସେମାନଙ୍କୁ ଏହି ଶବ୍ଦଟିର ଅର୍ଥ ବୁଝାଇ ଦେବା ଦରକାର । ଝଟକା ହେଉଛି ଏକ ପ୍ରକାର ଗାଡ଼ି; ଏଥିରେ ଦୁଇଟି ଚକ ଥାଏ । ଏହା ଉପରେ ବାଉଁଶ ବତାର ଏକ ଛାତ ଓ ତା’ଉପରେ ମଶିଣା ବା କେରପାଲ ପଡ଼ିଥାଏ । ଏହି ଝଟକାକୁ ଗୋଟିଏ ଘୋଡ଼ା ଟାଣେ । ଘୋଡ଼ାଟି ସାଧାରଣତଃ ଛୋଟ ଓ ଗାଡ଼ି ଟାଣିବାରେ ଅଭ୍ୟସ୍ତ । ସାଧାରଣତଃ ଗ୍ରାମମାନଙ୍କରେ ଯେଉଁ ବୁଲା ଘୋଡ଼ା ଦେଖାଯାନ୍ତି, ଏମାନେ ପ୍ରାୟ ସେହିପରି କିନ୍ତୁ ଏମାନଙ୍କଏ କେଶର ଓ ଲାଞ୍ଜର ବାଳ ଛୋଟ ।

 

ନିର୍ଦ୍ଦିଷ୍ଟ ଗ୍ରାମରେ ପହଞ୍ଚି ଝଟକାବାଲା ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲା । ରାତିଟି ସେହି ଗ୍ରାମରେ ଶୋଇ ପଡ଼ି ଆର ଦିନ ସକାଳକୁ କ୍ଳୋଜପେଟକୁ ଫେରିଯିବ ବୋଲି ସେ ସ୍ଥିରକଲା-। ଗୋଟିଏ ଅଖାରେ କିଛି କୁଟା ସେ ଗାଡ଼ିରେ ଆଣିଥିଲା । ଘୋଡ଼ାକୁ ଗାଡ଼ିରୁ ଫିଟାଇ ଦେଇ ସେ ତାକୁ କିଛି କୁଟା ଖାଇବାକୁ ଦେଲା । ତାହାପରେ ସେ ଶୋଇପଡ଼ିଲା ।

 

ଏଣେ ଘୋଡ଼ା ସେ କୁଟାତକଖାଇ ଦେଇ ଆଉ କିଛି କଞ୍ଚାଘାସ ଚରିବା ଆଶାରେ ଗାଆଁ ଦାଣ୍ଡରେ ବୁଲିଲା । ଏହିପରି ବୁଲୁବୁଲୁ ସେ ଗାଆଁ ମୁଣ୍ଡକୁ ଚାଲିଗଲା ।

 

ଗାଆଁ ମୁଣ୍ଡରେ ଥିବା କୁଡ଼ିଆଘରର ପଛପଟୁ ହଠାତ୍ ଗୋଟାଏ କିଏ ତା ଉପରକୁ କୁଦିପଡ଼ି ତା ଗଳାକୁ କାମୁଡ଼ି ଧରିଲା । ସେ ବିଚରା ବିକଳରେ ରାବି ରାବି ଗାଆଁ ଭିତରକୁ ଦଉଡ଼ିଲା । ସେଇ କିଏ ଗୋଟାକ ତାର ଗଳାକୁ କାମୁଡ଼ି ଧରି ରହିବା ପାଇଁ ଚେଷ୍ଟା କରିଥିଲା; କିନ୍ତୁ ତାର ଦାନ୍ତ ଗଳାରୁ ଖସିଯିବାରୁ ସେ ତଳେ ପଡ଼ିଗଲା ମାତ୍ର ଘୋଡ଼ାର ଗଳାରେ ଗୋଟାଏ କଣା ହୋଇଯାଇଥିଲା । ଏହି ‘କିଏ ଗୋଟିକ’ ହେଉଛି ସେହି ଚିତାବାଘ ।

 

ଭୟଗ୍ରସ୍ତ ଘୋଡ଼ାର ବିକଳ ରାବ ଓ ଚିତାବାଘର ବିକଟ ଗର୍ଜନର ଶବ୍ଦରେ ଝଟକାବାଲା ଉଠିପଡ଼ିଲା । ଘୋଡ଼ାଟି ଦଉଡ଼ି ଆସି ତା ପାଖରେ ଛିଡ଼ାହେଲା । ସେ ଭୟରେ ଥରୁଥାଏ ଓ ତାର ଗଳାରୁ ଧାରଧାର ରକ୍ତ ବୋହୁଥାଏ । ଝଟକାବାଲା ଗ୍ରାମବାସୀଙ୍କୁ ଡାକ ପକାଇଲା ।

 

ଘୋଡ଼ାଟି ଗାଡ଼ିଟାଣିବା ଅବସ୍ଥାରେ ନଥିଲା । ତେଣୁ ଝଟକାବାଲା ନିଜେ ଗାଡ଼ିକୁ ଟାଣି ଟାଣି କ୍ଳୋଜପେଟରେ ପହଞ୍ଚିଲା ଓ ସେଠାରେ ପୁଲିସକୁ ସମସ୍ତ ଘଟଣା ଜଣାଇଲା । ଏଇ ଖବର ଚାରିଆଡ଼େ ବ୍ୟାପିଗଲା ଓ ଲୋକେ କୁହାକୁହି ହେଲେ ଯେ ସେ ଅଞ୍ଚଳରେ ଗୋଟାଏ ଚିତାବାଘ ମାତିଲାଣି; ଯେ କୌଣସି ସମୟରେ ସେ ମଣିଷ ମାରିପାରେ ।

 

ଏହାର ଅଳ୍ପଦିନ ପରେ ମାଗଡ଼ି ଗ୍ରାମଠାରୁ ଦୁଇମାଇଲ ଭିତରେ ଚିତାବାଘ ଜଣେ ଲୋକ ଉପରକୁ ଡେଇଁପଡ଼ି ତାକୁ ଖଣ୍ଡିଆଖାବରା କରିଦେଲା । ଗ୍ରାମବାସୀମାନେ କିଛିଦୂରରେ କ୍ଷେତରେ କାମ କରୁଥିଲେ, ସେମାନେ ସାହାଯ୍ୟ କରିବାକୁ ଦଉଡ଼ି ଆସି ଦେଖିଲେ ଲୋକଟି ତଳେ ପଡ଼ିଛି; ଚିତାବାଘ ତାକୁ ଅନେକ ଜାଗାରେ କାମୁଡ଼ିଛି ଓ ନଖରେ ଚିରିଦେଇଛି । ସେମାନେ ତାକୁ ଟେକି ନେଇ ଗ୍ରାମକୁ ଗଲେ ଓ ଚିକିତ୍ସା ସକାଶେ ଲୋକାଲ ଫଣ୍ଡ ଡାକ୍ତରଖାନାରେ ଭର୍ତ୍ତି କଲେ । ପୁଲିସକୁ ମଧ୍ୟ ଏତଲା ଦିଆଗଲା । ସ୍ଥାନୀୟ ପୁଲିସ ଦଫାଦାର ସରଜମିନ ତଦନ୍ତ ପାଇଁ ବାହାରିଲେ । ଦଫାଦାର ପଦ ସର୍ଜେଣ୍ଟ ପଦ ସହିତ ପ୍ରାୟ ସମାନ । ସେ ହେଉଛନ୍ତି ଗ୍ରାମର ସର୍ବୋଚ୍ଚ ପୁଲିସ କର୍ମଚାରୀ ଓ ସେ ହେଉଛନ୍ତି ସ୍ଥାନୀୟ ପୁଲିସ ଥାନାର ଅଧିକାରୀ । ସାଇକେଲ ସହିତ ଜଣେ କନେଷ୍ଟବଳକୁ ସଙ୍ଗରେ ଘେନି ସେ ତଦନ୍ତରେ ବାହାରିଲେ ।

 

ଯେଉଁଠାରେ ଲୋକଟି ଆହତ ହୋଇ ପଡ଼ିଥିଲା, ସେଠାକୁ ଗ୍ରାମବାସୀମାନେ ଦଫାଦାରଙ୍କୁ ନେଇଗଲେ । ସେ ରକ୍ତର ଦାଗ ଓ ପାଦଚିହ୍ନକୁ ଦେଖି କଅଣ ସବୁ ଟିପାଟିପି କରୁଥିଲେ । ଏତିକିବେଳେ କେହି ଜଣେ ଉପରଆଡ଼କୁ ଅନାଇ କହିଲା, “ଏଠୁ ପାଏ ବାଟ ହେବ, ଯେଉଁ ଛୋଟ ମୁଣ୍ଡିଆ, ତାରି ଉପରେ ଚିତାବାଘଟା ଶୋଇରହିଛି ।” ଦଫାଦାର ଚିତାବାଘକୁ ଦେଖିଲା ମାତ୍ରେ କନେଷ୍ଟବଳଠାରୁ ସାଇକେଲ ନେଇ ଗୋଟାଏ ରାଇଫେଲ ନେଇ ଆସିବାକୁ ଚାଲିଗଲେ । ଗାଆଁର ଥାନାରେ ତିନୋଟି ମାତ୍ର ରାଇଫେଲ ଥାଏ ଓ ସେତିକି ହେଉଛି ଥାନାର ଅସ୍ତ୍ରାଗାର ।

 

ଦଫାଦାର ଖୁବ୍ ବେଗରେ ଗଲେ ଓ ରାଇଫେଲ୍ ଘେନି ଫେରିଲେ ସତ; କିନ୍ତୁ ସେ ପହଞ୍ଚିଲାବେଳକୁ କନେଷ୍ଟବଳ ଓ ସେଠାରେ ଥିବା ଜଣେ ଗ୍ରାମବାସୀଙ୍କଠାରୁ ଶୁଣିଲେ ଯେ ଚିତାବାଘଟା ମୁଣ୍ଡିଆ ଉପରେ କୁଆଡ଼େ ଅଦୃଶ୍ୟ ହୋଇଯାଇଅଛି । ଗ୍ରାମବାସୀମାନେ କହିଲେ, “ହଜୁର, ମୁଣ୍ଡିଆଟା ଏଠାରୁ ବେଶି ଦୂର ନୁହେଁ । ଆମେ ଯେବେ ମୁଣ୍ଡିଆକୁ ବେଢ଼ିଯିବା, ତେବେ ମୁଣ୍ଡିଆ ଆରପାଖେ ସେ ଚିତାବାଘକୁ ନିଶ୍ଚେ ଦେଖିପାରିବା ।”

 

ଦଫାଦାର ଖୁବ୍ ସାହସୀ ଓ ଉତ୍ସାହୀ ଲୋକ । ବାଟ ଦେଖାଇବାପାଇଁ ଜଣେ ଲୋକକୁ ସଙ୍ଗରେ ନେଇ, ରାଇଫେଲରେ .୩୦୩ ନମ୍ବର ଗୁଳିଭରି ସେ ମୁଣ୍ଡିଆ ଆଡ଼କୁ ଚାଲିଲେ । ସାମରିକ ବାହିନୀକୁ ଯେଉଁଭଳି ରାଇଫେଲ ଦିଆଯାଇଥାଏ । ଏତିକି ମାତ୍ର ତଫାତ୍ ଯେ କନେଷ୍ଟବଳଙ୍କ ରାଇଫେଲରୁ ମାଗାଜିନ (କାଟ୍ରିଜର ଖୋପ) କୁ କାଢ଼ି ଦିଆଯାଇଥାଏ; ତେଣୁ ଥରକେ ଗୋଟିଏ ମାତ୍ର ଗୁଳି ମାରିହେବ । କୌଣସି ସ୍ଥାନରେ ଗଣ୍ଡଗୋଳ ବେଳେ କାଳେ କେହି କନେଷ୍ଟବଳ ଉତ୍ତେଜିତ ହୋଇ ରାଇଫେଲ୍ ଓ ଗୁଳିର ଅପବ୍ୟବହାର କରିବ, ଏହି ଆଶଙ୍କାରେ ଏଭଳି ବ୍ୟବସ୍ଥା କରାଯାଇଅଛି । ତେଣୁ ଦଫାଦାର ରାଇଫେଲ୍‌ରେ ଗୋଟିଏ ମାତ୍ର ଗୁଳି ଭର୍ତ୍ତି କରିଥିଲେ ଓ ଦୁଇ ତିନୋଟି ଗୁଳି ପକେଟରେ ରଖିଥିଲେ ।

 

ଦଫାଦାର ଓ ତାଙ୍କ ସାଥୀଲୋକେ ମୁଣ୍ଡିଆ ଆରପାଖକୁ ଗଲେ; କିନ୍ତୁ ସେଠାରେ ଚିତାବାଘର ଚିହ୍ନ ସୁଦ୍ଧା ମିଳିଲାନାହିଁ । ଏଣେ ତେଣେ ବହୁତ ବଡ଼ ବଡ଼ ପଥରଖଣ୍ଡମାନ ଥିଲା । ତାକୁ ଦେଖି ଜଣେ ଗ୍ରାମବାସୀ କହିଲା, “ଚାଲନ୍ତୁ, ଆମେ ଟିକେ ମୁଣ୍ଡିଆ ଉପରକୁ ଉଠିବା, ହୁଏତ ଚିତାବାଘଟା ଏଇ ପଥରମାନଙ୍କ ଭିତରେ କେଉଁଠି ଅଛି ।” ଦୁହେଁଯାକ ଉପରକୁ ଉଠିଲେ । ଦୁଇଟା ପଥର ମଝିରୁ କି ଗୋଟାଏ ପଥର ପଛରୁ ହଠାତ୍ ଚିତାବାଘଟା ବାହାରି ପଡ଼ିଲା । ଦଫାଦାର ବାବୁ ବିଚଳିତ ହୋଇ ପଡ଼ି ଅଣ୍ଟା ସିଧାରେ ଗୁଳିକଲେ । ଗୁଳିଟା ଏକବାରେ ଲକ୍ଷ୍ୟଭ୍ରଷ୍ଟ ହୋଇଗଲା । ପର ମୁହୂର୍ତ୍ତରେ ଦେଖାଗଲା, ଦଫାଦାର ତଳେ ପଡ଼ିଛନ୍ତି, ଆଉ ଚିତାବାଘଟା ତାଙ୍କୁ ମାଡ଼ିବସି ତାଙ୍କ ହାତ ଓ ଛାତିକୁ କାମୁଡ଼ି ନଖରେ ବିଦାରିବାରେ ଲାଗିଛି । ତାଙ୍କ ସଙ୍ଗୀ ଜଣକ ଏହି ଦୃଶ୍ୟ ଦେଖି ଦଉଡ଼ି ଦଉଡ଼ି ପଳାଇଗଲା ।

 

ଏ ଚିତାବାଘଟା ଏ ପର୍ଯ୍ୟନ୍ତ ମଣିଷଖିଆ ହୋଇନଥିଲା । ତେଣୁ ଅଳ୍ପ ସମୟ ଭିତରେ ତାର କ୍ରୋଧ ଶାନ୍ତ ପଡ଼ିଆସିଲା ଓ ସେ ଆହତ ପୁଲିସ କର୍ମଚାରୀଙ୍କୁ ଛାଡ଼ି ମୁଣ୍ଡିଆର ଯେଉଁ ଆଶ୍ରୟ ସ୍ଥଳରୁ ଆସିଥିଲା, ସେହିଠାକୁ ଚାଲିଗଲା । ଦଫାଦାର ବାବୁ ସେହିଠାରେ ପଡ଼ି ରହିଲେ ।

 

ଏଣେ ଗ୍ରାମବାସୀଟି ଦଉଡ଼ିଯାଇ କନେଷ୍ଟବଳ ଓ ଆଉ ଜଣେ ଗ୍ରାମବାସୀକୁ ସମସ୍ତ ଘଟଣା କହିଲା । କନେଷ୍ଟବଳ ଜଣଙ୍କ ତତକ୍ଷଣାତ୍ ସାଇକେଲରେ ବସି ଗ୍ରାମର ଥାନାରେ ପହଞ୍ଚିଲା; ସେଠାରେ ଥିବା ଅନ୍ୟ ତିନିଜଣ କନେଷ୍ଟବଳଙ୍କୁ ଡାକି କହିଲା–ଆମ ଦଫାଦାରଙ୍କୁ ଚିତାବାଘ କାମୁଡ଼ିଛି । ହୁଏତ ତାଙ୍କର ପ୍ରାଣ ବାହାରି ଯିବଣି ।

 

ଥାନାରେ ଥିବା ଅବଶିଷ୍ଟ ଦୁଇଟି ରାଇଫେଲ ଓ ଦୁଇଟି ଲାଠି ଘେନି ଆଇନରକ୍ଷକ ଚାରିଜଣଯାକ ମୁଣ୍ଡିଆ ପାଖକୁ ଦଉଡ଼ିଲେ । ବାଟରେ ଅନେକ ଗ୍ରାମବାସୀ ସେମାନଙ୍କ ସଙ୍ଗେ ମିଶିଲେ । ଦଫାଦାରଙ୍କ ଅବସ୍ଥା ଅତି ଖରାପ ଥିଲା । ପ୍ରାୟ ଦଶଜଣ ଲୋକ ମିଳି ତାଙ୍କୁ ଟେକି ଟେକି ଲୋକାଲ୍ ଫଣ୍ଡ ଡାକ୍ତରଖାନାକୁ ନେଇଗଲେ । ଏହାର ପରଦିନ ବାଙ୍ଗାଲୋରରୁ ଆମ୍ବୁଲାନ୍‌ସ ମଗାଗଲା ଓ ସେଥିରେ ତାଙ୍କୁ ବାଙ୍ଗାଲୋରର ଭିକ୍ଟୋରିଆ ହାସ୍‌ପାତାଳକୁ ଚିକିତ୍ସା ପାଇଁ ପଠାଇ ଦିଆଗଲା ।

 

ଏଥିପୂର୍ବରୁ ଚିତାବାଘ ଯେତେ ଯେତେ ଆକ୍ରମଣ କରିଥିଲା, ସେସବୁର ଚିବରଣୀ ପୁଲିସ ରେଜିଷ୍ଟରରେ ଦରଜ ହୋଇ ରହିଥିଲା; କିନ୍ତୁ କିଛି ପ୍ରତିକାର କରାଯାଇ ନଥିଲା । ବର୍ତ୍ତମାନ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଲା; ପୁଣି ସେ କର୍ମଚାରୀ ଜଣକ ସାମାନ୍ୟ ନୁହନ୍ତି, ଜଣେ ଦଫାଦାର । ପୁଲିସ ବିଭାଗ ତତ୍ପର ହୋଇଉଠିଲା । ଏହି ଅଶାନ୍ତିର ମୂଳ କାରଣ ଖୋଜିବାକୁ ପୁଲିସକୁ ବେଶି ସମୟ ଲାଗିଲା ନାହିଁ । ଏହିଠାରେ ଶଇତାନ ଶିକାରୀ ଗାଇଡ଼ ମୁନୁସ୍ଵାମୀର ପୁଣି ଆବିର୍ଭାବ ଘଟିଲା ।

 

ପୁଲିସ ତାକୁ ଧରିଆଣିଲେ । କେତେଜଣ ସାକ୍ଷୀ କହିଲେ ଯେ ମୁନୁସ୍ଵାମୀ ଗୋଟାଏ ମଞ୍ଚା ବାନ୍ଧି ଚିତାବାଘକୁ ମାରିବ ବୋଲି ମଞ୍ଚାରେ ବସିଥିଲା ଓ ସେଇ ମୁନୁସ୍ଵାମୀ ଚିତାବାଘକୁ ଘାଉଆ (ଆହତ) କରିଥିଲା । ଚିତାବାଘକୁ ଗୁଳି କରିବାପାଇଁ ସେ ନିଶ୍ଚୟ ବନ୍ଧୁକ ବ୍ୟବହାର କରିଥିବ । ତାର ବନ୍ଧୁକ ଥିଲା କି ? ଥିଲେ ତାର ଲାଇସେନସ ଥିଲା କି ? ଲାଇସେନସ ନଥିବା ବନ୍ଧୁକ ଆଣିଥିଲା ? କାହିଁକି ଆଣିଥିଲା ? କେତେବେଳେ ଆଣିଥିଲା ? କେଉଁ ସ୍ଥାନରୁ ଆଣିଥିଲା-? ବନ୍ଧୁକର ମାଲିକ ଲାଇସେନ୍‌ସ କରିଥିଲା କି ? ସେ କେତେଟା କାଟ୍ରିଜ ଆଣିଥିଲା ?

 

ଏହିପରି ଶହ ଶହ ପ୍ରଶ୍ନ ଉଠିଲା ଓ ସେ ସବୁର ଉତ୍ତର ଆବଶ୍ୟକ ହେଲା । ମୋଟ ଉପରେ ମୁନୁସ୍ଵାମୀ ବିଚରା ଦେଖିଲା, ତାର କପାଳ ଫାଟିଲା । ତା ବିରୁଦ୍ଧରେ ଏତେ ସଂଖ୍ୟାରେ ଅଭିଯୋଗ ହେଲା ଯେ ତାକୁ ଜଣାଇ ଦିଆଗଲା–ଯଦି ଆହତ ଦଫାଦାରଙ୍କ ମୃତ୍ୟୁ ଘଟେ, ତେବେ ତାକୁ ସମ୍ଭାବ୍ୟ ନରହତ୍ୟା ଅପରାଧ (Potential man–slaughter)ରେ ଅଭିଯୁକ୍ତ କରାଯିବ ଓ କେତେ ବର୍ଷ ସକାଶେ ତାକୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

 

ଏହି ସମୟରେ ମୁନୁସ୍ଵାମୀ ସହଜାତ ଉଦ୍ଭାବନୀ ଶକ୍ତି ତାକୁ ରକ୍ଷାକଲା । ସେ ଗୋଟାଏ ପ୍ରସ୍ତାବ ଦେଲା । ସେ କହିଲା, “ମୋତେ ଚାରିଦିନ ସମୟ ଦିଅନ୍ତୁ, ଏହି ଚାରିଦିନ ଭିତରେ ମୁଁ ସେ ଚିତାବାଘକୁ ମାରି ଖୋଦ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସାହେବଙ୍କ ପାଦତଳେ ହାଜର କରିବି । ଯଦି ମୁଁ ଏକା କରି ନପାରେ, ତେବେ ପୁଲିସ ମୋତେ ଯାହ ଇଚ୍ଛା ଦଣ୍ଡ ଦେବେ । କରିପାରିଲେ ମୋ ବିରୁଦ୍ଧରେ କୌଣସି ଅଭିଯୋଗ ଅଣାଯିବ ନାହିଁ ।

 

ଜିଲାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସାହେବ ଥିଲେ କାମର ଲୋକ । ମୁନୁସ୍ଵାମୀକୁ ଦଣ୍ଡ ଦିଆଇବା ପାଇଁ ସେ ଯେତେ ଆଗ୍ରହୀ ନଥିଲେ, ତହିଁରୁ ଅଧିକ ଆଗ୍ରହୀ ଥିଲେ ଚିତାବାଘକୁ ମରାଇବା ପାଇଁ । ଏତେବେଳକୁ ସ୍ପଷ୍ଟ ଜଣାପଡ଼ିଯାଇଥିଲା ଯେ ଏ ଚିତାବାଘଟା ମଣିଷଖିଆ ହେବାକୁ ଗଲାଣି, କେତେ ମଣିଷଙ୍କୁ ମାରିବ କିନ୍ତୁ ମୁନୁସ୍ଵାମୀ ତାର ସବୁ ବଦମାସି ସତ୍ତ୍ୱେ ଚିତାବାଘ ଭଳି ଦୁର୍ନାମ ଅର୍ଜି ପାରିବନାହିଁ । ଏହି ଦୃଷ୍ଟିରୁ ଜିଲା ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ ସାହେବ ତାକୁ ଚାରୋଟି ଦିନ ସମୟ ଦେଇ ହାଜତରୁ ଖଲାସ କରିଦେଲେ ।

 

ସେହି ଦିନ ଉପର ବେଳା ମୋର ଦୁଆର ଆଗରୁ ମୁଁ ବାରମ୍ବାର ଶୁଣିବାକୁ ପାଇଲି ସାର୍ ସାର୍ । ଦେଖେଁ ତ ଲୋକଟି ହେଉଛି ମୁନୁସ୍ଵାମୀ । ତାର ଆଖିରୁ ଲୁହ ଧାର ଧାର ହୋଇ ଗାଲ ଉପରକୁ ବୋହି ଯାଉଥିଲା । କି କୌଶଳରେ ସେ ମୁହୂର୍ତ୍ତକ ଭିତରେ ଆଖିରୁ ଏତେ ଲୁହ ବାହାର କରିପାରିଥିଲା, ସେ କଥା ସେ ଆଜିଯାଏ ମୋ ଆଗରେ ପ୍ରକାଶ କରିନାହିଁ । ସେ ତାର ସମଗ୍ର ଦୁଃଖର କାହାଣୀ ଆମୂଳଚୂଳ ବର୍ଣ୍ଣନା କରିଗଲା ଓ ସେହି ଚିତାବାଘ ବିଷୟରେ ସେ ଯାହା କିଛି ଜାଣିଥିଲା ବା ଶୁଣିଥିଲା ସେ ସବୁ ମୋତେ ଜଣାଇଲା । ମୁଁ ସେ ସବୁ କହି ସାରିଛି ।

 

ସେ ମୋତେ କହିଲା ଯେ ଚିତାବାଘଟାକୁ ମାରିବା ପାଇଁ ତାକୁ ଚାରିଦିନ ପାଇଁ ଛୁଟିମିଳିଛି, ମାରି ନ ପାରିଲେ ତାକୁ ବଡ଼ ଜେଲଖାନାକୁ ଯିବାକୁ ପଡ଼ିବ । ମୁଁ ହସି ହସି କହିଲି, “ତାହାହେଲେ ତୁ କୁଆଡ଼େ ପଳାଇ ଯାଉନାହୁଁ କାହିଁକି ? ସେ ଉତ୍ତର କଲା, ସେ କଥା ମୋ ମନକୁ ଆସିଥିଲା କିନ୍ତୁ ଏ ବିଶାଳ ଭାରତ ବର୍ଷ ଭିତରେ ଏହି ଅଞ୍ଚଳଟିକୁ ଛାଡ଼ିଦେଲେ ଆଉ କେଉଁଠି ଏତେ ଶିକାରୀ ସାହେବ ମିଳିବେ ? ସେଇମାନେ ମୋତେ ଟଙ୍କା ଅଜାଡ଼ି ଦେଇଛନ୍ତି । ଆଉ କେଉଁଠାରେ ନିଲାମରେ ସାମାନ୍ୟ ଦୁଇଟା ଟଙ୍କାରେ ଗୋଟାଏ ଗଧ ମିଳିପାରିବ ? ବାଙ୍ଗାଲୋରରେ ରହିବାରେ ଯେତେ ସୁବିଧା, ତାହା ସାରା ଦୁନିଆରେ ଆଉ କେଉଁଠି ମିଳିବନାହିଁ-।” ଏହି ସବୁ କଥା କହିଲାବେଳେ ବୃଦ୍ଧ ମୁନୁସ୍ଵାମୀର ଘୋର ଦୁଃଖ ପ୍ରକାଶ ପାଉଥିଲା ଓ ତାର ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ସେହି ଲୁହଧାର ଭିତରୁ କେତୋଟି ପ୍ରକୃତ ଲୁହଧାର ହୋଇଥିଲେ ମୁଁ ବିସ୍ମିତ ହୋଇ ନଥାନ୍ତି ।

 

ଚିତାବାଘଟାକୁ ମାରିବାରେ ମୁଁ ମୁନୁସ୍ଵାମୀକୁ ସାହାଯ୍ୟ କରିବି କି ? ଏହାଦ୍ଵାରା ମୁଁ କେବଳ ତାକୁ ଏକ ବିପଦରୁ ରକ୍ଷା କରିବିନାହିଁ; ଭବିଷ୍ୟତରେ ସେ ଯେଉଁ ମନୁଷ୍ୟମାନଙ୍କୁ ମାରନ୍ତା, ସେମାନଙ୍କୁ ମଧ୍ୟ ରକ୍ଷା କରିବି ।

 

ମୁଁ ମୁନୁସ୍ଵାମୀକୁ ସ୍ପଷ୍ଟ କହିଦେଲି–ତୁ ରକ୍ଷା ପାଇବୁ କି ନା ସେଥିକି ମୋର ଚିନ୍ତାନାହିଁ; କିନ୍ତୁ ଏ ଚିତାବାଘ ନମଲେ ଅନେକ ଲୋକଙ୍କୁ ମାରି ଖାଇବ; ତେଣୁ ତୋତେ ସାହାଯ୍ୟ କରିବି । ତାହା ପୁଣି ଗୋଟିଏ ସର୍ତ୍ତରେ । ତୁ ହେଉଛୁ ଏସବୁ କାଣ୍ଡର ମୂଳକାରଣ । ତେଣୁ ତୋତେ ବରାବର ମୋ ପାଖେ ପାଖେ ରହିବାକୁ ହେବ; ଚିତାବାଘକୁ ମାରିଲାବେଳେ ତୁ ଯେପରି ପଳାଇ ନଯାଉ ।”

 

ମୋ କଥାରେ ମୁନୁସ୍ଵାମୀ ଅପମାନ ବୋଧ ନକରି ମୋ ପ୍ରସ୍ତାବରେ ରାଜି ହୋଇଗଲା; ତା ମୁହଁରେ ହସ ଦେଖାଗଲା । ମୁହୂର୍ତ୍ତକ ଭିତରେ ତା ଆଖିର ଲୁହଧାର ମଧ୍ୟ ଉଭେଇଗଲା ।

 

ସେହିଦିନ ସନ୍ଧ୍ୟାବେଳେ ମୁଁ ତାକୁ ସଙ୍ଗରେ ନେଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସାହେବଙ୍କ କୋଠିକି ଗଲି ଓ ହସି ହସି ମୁନୁସ୍ଵାମୀ କିପରି ଅବସ୍ଥାରେ ପଡ଼ି ଆସିଛି, ତାହା ବର୍ଣ୍ଣନା କରିଗଲି । ମୁଁ କହିଲି, “ଚିତାବାଘକୁ ମାରିବା ପାଇଁ ଆପଣ ମୁନୁସ୍ଵାମୀକୁ ପ୍ରକୃତରେ ଚାରିଦିନ ସକାଶେ ହାଜତରୁ ଛୁଟି ଦେଇଛନ୍ତି କି ନା, ମୁଁ ଜାଣେନା; ଯଦି ପ୍ରକୃତରେ ତାହା ହୋଇଥାଏ, ତେବେ ଏପରି ସମୟର ଏକ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରିବାଦ୍ଵାରା ଭୟଙ୍କର ଅସୁବିଧା ହେବ । ଚିତାବାଘକୁ ଶିକାର କରିବାରେ ମୁଁ ସେଇ ସଇତାନ ମୁନୁସ୍ଵାମୀ ସାହାଯ୍ୟ ଦରକାର କରୁଅଛି । ଯଦି ଚାରିଦିନ ପରେ ଠିକ୍ ପଞ୍ଚମ ଦିନ ଆପଣଙ୍କ କର୍ମଚାରୀମାନେ ତାକୁ ଖୋଜି ଧରିନିଅନ୍ତ, ତେବେ ମୋର କଳ୍ପନା ପଣ୍ଡ ହୋଇଯିବ ।”

 

ସାହେବ ଉତ୍ତର କଲେ, “ସେ ଚାରିଦିନ ଭିତରେ ଚିତାବାଘକୁ ମାରି ହାଜର କରିବ ବୋଲି ଜବାବ ଦେବାରୁ ମୁଁ ବାସ୍ତବରେ ତାକୁ ଚାରିଦିନର ଛୁଟି ଦେଇଛି; କିନ୍ତୁ ଆପଣଙ୍କ ଅନୁରୋଧ ଯୁକ୍ତିଯୁକ୍ତ, ତେଣୁ ଯେତେଦିନ ଯାଏ ଆପଣ ଚିତାବାଘକୁ ମାରିବାକୁ ଉଦ୍ୟମ କରୁଥିବେ, ସେତେଦିନ ଯାଏ କୌଣସି ପୁଲିସ୍ କର୍ମଚାରୀ ମୁନୁସ୍ଵାମୀକୁ ଧରିନେବେ ନାହିଁ ।” ଏହା କହି ସେ ଖଣ୍ଡିଏ ଆଦେଶ ପତ୍ର ଲେଖିଦେଲେ ଯେ ମୁଁ ଏହାକୁ ଦର୍ଶାଇବା ମାତ୍ରେ ଯେ କୌଣସି ପୁଲିସ କର୍ମଚାରୀ ମୋତେ ସବୁପ୍ରକାର ସାହାଯ୍ୟ ଦେବେ ।

 

ପୁଲିସ ସାହେବ ଓ ମୋ ମଧ୍ୟରେ ଯାହା ବ୍ୟବସ୍ଥା ହେଲା, ସେ ବିଷୟ ମୁଁ ମୁନୁସ୍ଵାମୀକୁ ଆଦୌ କହିଲିନାହିଁ । ସେ କଥା ଜାଣି ପାରିଥିଲେ ମୁନୁସ୍ଵାମୀ ତାର କଥାରେ ଶିଥିଳ ହୋଇ ପଡ଼ିଥାନ୍ତା । ମନ କଥା ମନରେ ରଖି ମୁଁ ତାକୁ କହିଲି, “ସାହେବ ତୋତେ ଚାରିଦିନ ସମୟ ଦେଇ ଭୁଲ କରିଛନ୍ତି, ତାକୁ ତିନିଦିନ କରିଦେବେ ବୋଲି କହୁଥିଲେ । କିନ୍ତୁ ମୁଁ ତୋ ପକ୍ଷରୁ ବହୁତ ଅନୁରୋଧ କରିବାରୁ ସେହି ଚାରିଦିନ କାଏମ୍ ରହିଲା ।”

 

ମୁଁ ଏହି ଉପକାର କରିଥିବାର ଶୁଣି ମୁନୁସ୍ଵାମୀ ମୋ ପ୍ରତି କୃତଜ୍ଞତା ଜଣାଇଲା ଓ ବାହାରି ପଡ଼ିବା ପାଇଁ ଅଧୀର ହୋଇ ଉଠିଲା । ତା’ ଆରଦିନ ସକାଳେ ମୁଁ ମୋର ଷ୍ଟୁଡ଼ିବେକର ମୋଟରଗାଡ଼ିରେ ମୁନୁସ୍ଵାମୀକୁ ନେଇ ମାଗଡ଼ି ପାହାଡ଼ ପାଖରେ ପହଞ୍ଚିଲି ଓ ପାହାଡ଼ ତଳି ଗାଆଁମାନଙ୍କରେ ଅନୁସନ୍ଧାନ ଚଳାଇଲି । ମୁନୁସ୍ଵାମୀ ଯେଉଁଠାରେ ଚିତାବାଘକୁ ଘାଉଆ କରିଥିଲା, ସେ ଜାଗାଟା ମଧ୍ୟ ପରୀକ୍ଷା କରି ଦେଖିଲି । ଏହିପରି ସନ୍ଧାନ ନେଇ ନେଇ ଆମେ ମାଗଡ଼ି ଗାଆଁରେ ପହଞ୍ଚିଲୁ । ଯେଉଁ କନେଷ୍ଟବଳମାନେ ଦଫାଦାର ବାବୁଙ୍କୁ ଟେକି ଆଣିଥିଲେ, ସେମାନଙ୍କ ସଙ୍ଗେ କଥାବାର୍ତ୍ତା ହେଲି । ସେଠାରୁ ଆମେ ସଡ଼କରେ କ୍ଳୋଜପେଟକୁ ମୋଟର ଚଳାଇଲୁ । ବାଟ ଧାରରେ ଯେଉଁସବୁ ଗାଆଁ ପଡ଼ିଲା, ସେଠାରେ ଅଟକି ଲୋକଙ୍କୁ ପଚରାପଚରି କଲୁ । ଏହିପରି ଯାଉ ଯାଉ ଯେଉଁ ଗ୍ରାମରେ ଚିତାବାଘ ଝଟକାର ଘୋଡ଼ାକୁ ଆକ୍ରମଣ କରିଥିଲା, ସେଠାରେ ପହଞ୍ଚିଲୁ । ସେଠାରୁ ବିଦାୟ ନେଇ ଶେଷରେ ଆମେ ପହଞ୍ଚିଲୁ କ୍ଳୋଜପେଟ ସହରରେ । ସ୍ଥାନୀୟ ପୁଲିସ୍ ସବଇନସପେକଟରଙ୍କୁ ମୁଁ ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଦେଶପତ୍ର ଦେଖାଇବାରୁ ସେ ସଙ୍ଗେ ସଙ୍ଗେ ଝଟକାବାଲାକୁ ଡକାଇ ଆଣିଲେ । ମୋ ପ୍ରଶ୍ନର ଉତ୍ତରରେ ଝଟକାବାଲା ତାର ଘୋଡ଼ାର ଯାହା ଯାହା ଘଟିଥିଲା, ତାହା କହିଗଲା ।

 

ଏହିସବୁ ପ୍ରଶ୍ନ ପଚାରି ସମ୍ବାଦ ସଂଗ୍ରହ କରୁକରୁ ସନ୍ଧ୍ୟା ହୋଇଗଲା; କିନ୍ତୁ ଚିତାବାଘଟା କେଉଁଠାରେ ରହୁଛି ବା ରହୁଥିବାର ସମ୍ଭାବନା, ତାର ଗତିବିଧି କିପରି, ସେ ବିଷୟରେ କାହାରିଠାରୁ କିଛି ଖବର ମିଳିଲାନାହିଁ । ଏଭଳି କାର୍ଯ୍ୟରେ ତରତର ହେବାର କାରଣ ନାହିଁ ବୋଲି ମୁଁ ଜାଣିଥିଲି; କିନ୍ତୁ ମୁନୁସ୍ଵାମୀ ଦେଖିଲା ଯେ ତାର ଚାରିଦିନର ଛୁଟିରୁ ଗୋଟିଏ ଦିନ ମିଛେ ମିଛେ କଟିଗଲା; ତେଣୁ ତାର ମୁହଁ କଳାପଡ଼ିଗଲା ।

 

ଆମେ ମାଗଡ଼ିକୁ ଫେରିଆସି ରାତିରେ ଧର୍ମଶାଳା ଘରେ ଶୋଇପଡ଼ିଲୁ ।

 

ପରଦିନ ବଡ଼ି ସକାଳୁ ଜଣେ ଜୀର୍ଣ୍ଣଶୀର୍ଣ୍ଣ ଲୋକ ଆସି ଉପସ୍ଥିତ । ସେ କହିଲା, “ହଜୁର, ପାହାଡ଼ ଚାରିପାଖେ ନାନା ସ୍ଥାନରେ ମହୁମାଛିମାନେ ବସାବାନ୍ଧିଥାନ୍ତି । ସେହି ମହୁଫେଣାମାନଙ୍କରୁ ମହୁ ଓ ନାନାଦି ଔଷଧ ଚେରମୂଳି ସଂଗ୍ରହକରି ମୁଁ ପେଟ ପୋଷେ । ସୁବିଧା ମିଳିଲେ ଜାଲରେ ଠେକୁଆ, ତିତ୍ତିର ପ୍ରଭୃତି ଜୀବ ମଧ୍ୟ ଧରିଥାଏ । କାଲି ରାତିରେ ମୁଁ ଶୁଣିଲି ଯେ ହଜୁର ମୁନୁସ୍ଵାମୀକୁ ସଙ୍ଗରେ ଧରି ଚିତାବାଘ ବିଷୟରେ ସଂବାଦ ସଂଗ୍ରହ କରିବାକୁ ଏଠାକୁ ଆସିଅଛନ୍ତି । ମୁଁ ସେ ବିଷୟରେ ହଜୁରଙ୍କୁ କିଛି କହିବାକୁ ଆସିଛି । ମୁଁ ନିଶ୍ଚୟ କରି କହିପାରେଁ ଯେ ମାଗଡ଼ି ପାହାଡ଼ରେ ଥିବା ଦୁଇ କୁଦ ମଝି ଫାଙ୍କରେ ଗୋଟିଏ ଗୁହାରେ ସେ ଚିତାବାଘ ରହୁଛି ।

 

ମୁଁ ପଚାରିଲି, “ଚିତାବାଘ ଯେ ସେଇ ଗୁହାରେ ରହୁଛି, ଏକଥା ତୁମେ ନିଶ୍ଚିତ ଭାବରେ ଜାଣିଲ କିପରି ?” ସେ ଉତ୍ତର କଲା, “କେତେ ହପ୍ତା ଆଗେ ମୁଁ ସେଠାକୁ ଚେରମୂଳି ଆଣିବାପାଇଁ ଯାଇଥିଲି । ସେହି ସମୟରେ ମୁଁ ଦେଖିଥିଲି ଯେ ଗୋଟାଏ ଜନ୍ତୁ ଦେହର ରକ୍ତ ମୁଣ୍ଡିଆ ଉପରେ ପଡ଼ି ପଡ଼ି ଯାଇଛି । ଖୁବ୍ ସାବଧାନରେ ମୁଁ ସେହି ରକ୍ତ ଚିହ୍ନକୁ ଧରି ଯାଉଯାଉ ଗୋଟାଏ ଚିତାବାଘର ପାଦଚିହ୍ନ ଦେଖିଲି । ସେହିଠାରୁ ଚିତାବାଘ ମୁଣ୍ଡିଆରୁ ଚାଲିଯାଇଥିଲା । ମୁଁ ଆଉ ଦୂରକୁ ଗଲିନାହିଁ । ପରଦିନ ମୁଁ ଶୁଣିବାକୁ ପାଇଲି ଯେ କେହି ଜଣେ ଗୋଟାଏ ଚିତାବାଘକୁ ସେହି ସ୍ଥାନର ନିକଟରେ ଘାଉଆ କରିଥିଲା ।”

 

ସେ ଲୋକଟି ମୁନୁସ୍ଵାମୀ ଛଡ଼ା ଆଉ କେହି ନୁହେଁ ।

 

ଲୋକଟି ସେହି ଗୁହା ନିକଟରୁ ଅନେକଥର ମହୁଫେଣାରୁ ମହୁ ମାରିଥିଲା; ତେଣୁ ସେ ସେହି ଗୁହାଟିକୁ ଭଲଭାବରେ ଚିହ୍ନିଥିଲା । ଦଫାଦାର ଚିତାବାଘଦ୍ଵାରା ଆକ୍ରାନ୍ତ ହେବାର ଦୁଇଦିନ ପରେ ଓ ଏହି ଖବର ପାଇବା ପୂର୍ବରୁ ବର୍ତ୍ତମାନ ସମ୍ବାଦ ଦେଉଥିବା ଲୋକଙ୍କ ପ୍ରାୟ ହପ୍ତାଏ କାଳ କ୍ଳୋଜପେଟରେ ଥିଲା । ଏଥି ମଧ୍ୟରୁ ମହୁମାଛିମାନେ ପୁଣି ଫେଣାରେ ବସିଲେଣି କି ନା ଦେଖିବା ପାଇଁ ସେ ଆଉଥରେ ସେହି ଗୁହାପାଖକୁ ଯାଇଥିଲା । ଗୁହାଠାରୁ ଅଳ୍ପଦୂରରେ ହେଲାବେଳକୁ ଗୋଟାଏ ଜନ୍ତୁ ତାକୁ ଦେଖି ଗର୍ଜନ କରୁଥିଲା । କିଛି ଦିନ ଆଗେ ସେଠାରେ ରକ୍ତର ଦାଗ ଦେଖିଥିବା ମନେ ପଡ଼ିବାରୁ ସେ ମୁଣ୍ଡିଆରୁ ପଳାଇ ଆସିଥିଲା ।

 

ଏହା ମୋ ପକ୍ଷରେ ଯେ ଗୋଟିଏ ସୁସମ୍ବାଦ ଥିଲା, ଏଥିରେ ସନ୍ଦେହ ନାହିଁ ।

 

ମୁଁ ତାକୁ ଅନେକ ପ୍ରଶ୍ନ ପଚାରିଲି । ମୋତେ ସେ ସେହି ଗୁହା ପାଖକୁ ବାଟ ଦେଖେଇ ନେଇଯିବ ବୋଲି କହିଲା; କିନ୍ତୁ ସାବଧାନ କରିଦେଲା ଯେ ସେଠାକୁ ଯିବାକୁ ହେଲେ ମୋତେ ଲତାଜଙ୍ଗଲ ଭିତରେ ହାତ ଓ ଆଣ୍ଠୁରେ ଭରାଦେଇ ପ୍ରାୟ ପାଏ (ଏକ ଫର୍ଲଙ୍ଗ) ବାଟ ଯିବାକୁ ପଡ଼ିବ ।

 

ମୁଁ ତାର ପ୍ରସ୍ତାବରେ ରାଜି ହୋଇ ମୁନୁସ୍ଵାମୀକୁ କହିଲି, “ଏବେ ତୁ ଯାହା କହିଥିଲୁ ତାହା କରିବାକୁ ହେବ । ତୁ ମୋ ସଙ୍ଗେ ସଙ୍ଗେ ରହିବୁ ଓ ଚିତାବାଘକୁ ମାରିବାରେ ସାହାଯ୍ୟ କରିବୁ-। ତୁ ତାକୁ ଘାଉଆ କରି ଯେଉଁ ଦୋଷ କରିଛୁ, ଏହାଦ୍ଵାରା ତାର ପ୍ରାୟଶ୍ଚିତ୍ତ ହେବ ।”

 

ମୋର ଆଶଙ୍କା ଥିଲା ମୁନୁସ୍ଵାମୀ ଭୟକରିଯିବ; କିନ୍ତୁ ମୋର ଆଶଙ୍କା ଅମୂଳକ ଥିଲା । କାଳେ ତିନି ଦିନ ଭିତରେ ଚିତାବାଘ ନମରିବ ବୋଲି ସେ ଯେତେ ଭୟ କରୁଥିଲା, ଚିତାବାଘର ସମ୍ମୁଖୀନ ହେବାକୁ ସେ ସେତେ ଭୟ କରୁନଥିଲା । ଧନ୍ୟ ପୁଲିସର ଧମକ ।

 

ଖୁବ୍ ଖରା ହେବାଯାଏ ମୁଁ ଅପେକ୍ଷା କଲି । ଏଥି ମଧ୍ୟରେ ମୋର ‘ଛୋଟ ହଜାରି’ ଅର୍ଥାତ୍ ଜଳଖିଆ ଖାଇବା କାମଟା ଧୀରେ ସୁସ୍ଥେ ସାରିଦେଲି । ଏହି ବିଳମ୍ବର ଉଦ୍ଦେଶ୍ୟ ହେଲା–ଖରା ପ୍ରଖର ହେଲେ ଚିତାବାଘ ଗୁହା ଭିତରକୁ ଯାଇ ଶୋଇପଡ଼ିବ । ବେଶି ଆଗରୁ ଗଲେ ସେ ମୋର ଆସିବା ଶବ୍ଦ ଶୁଣିପାରି ପଳାଇଯିବ ।

 

ଦିନ ଠିକ୍ ଦଶଟାବେଳକୁ ଆମେ ମୋଟରରେ ବସି ଡାକବଙ୍ଗଳାରୁ ବାହାରିଲୁ । ପନ୍ଦର ମିନିଟ୍ ଭିତରେ ଆମେ ରାସ୍ତାର ଏପରି ଏକ ସ୍ଥାନରେ ପହଞ୍ଚିଲୁ ଯେ ତାହା ପାହାଡ଼ର ଦୁଇକୁଦ ମଝିରେ ଥିବା ସମଭୂମିର ଠିକ୍ ବିପରୀତ ପାର୍ଶ୍ଵରେ ଅବସ୍ଥିତ । ଆଲିମୁଥୁ ବୋଲି ଯେଉଁ ଜୀର୍ଣ୍ଣଶୀର୍ଣ୍ଣ ଲୋକଟି ସମ୍ବାଦ ଦେଇଥିଲା ଓ ଆମ ସାଥିରେ ଯାଇଥିଲା, ସେ ସେହିଠାରେ ଗାଡ଼ିରୁ ଓହ୍ଲାଇବାକୁ ଆମକୁ କହିଲା । ରାସ୍ତା କଡ଼ର ଗୋଟିଏ ଗଛର ଛାଇରେ ମୁଁ ଗାଡ଼ିକୁ ରଖିଲି ।

 

ମୁଁ, ମୁନୁସ୍ଵାମୀ ଓ ଆଲିମୁଥୁ–ତିନିହେଁଯାକ ଗାଡ଼ିରୁ ଓହ୍ଲାଇଲୁ । ରାଇଫେଲଟା ଭଲ ଭାବରେ କାମ କରୁଛି କି ନା ପରୀକ୍ଷାକରି ଦେଖିନେଲି । ଏହାପରେ ତିନିଜଣଯାକ ଗୁହା ଅଭିମୁଖରେ ଚାଲିଲୁ ।

 

ପାହାଡ଼ଟି ହେଉଛି ରାସ୍ତାଠାରୁ ପ୍ରାୟ ଦୁଇମାଇଲ ଦୂର । ପାହାଡ଼ତଳେ ପହଞ୍ଚିଲାପରେ ଆମେ ପାହାଡ଼ ଉପରର ସମତଳ ଭୂମିକୁ ଲକ୍ଷ୍ୟରଖି ଉପରକୁ ଚଢ଼ିଲୁ; କିନ୍ତୁ ସେ ସମତଳ ଭୂମି ତଳୁ ଦେଖା ଯାଉନଥିଲା; କାରଣ ଆମ ଚାରିପାଖେ ଉଚ୍ଚ ବୃକ୍ଷମାନ ଥିଲା । ଗଛଉପରକୁ କେବଳ ପାହାଡ଼ଉପରର କୁଦ ଦୁଇଟିର ଉପରିଭାଗ ଦେଖାଯାଉଥିଲା । ସେଥିରୁ ଗୋଟିଏ ଥିଲା ଆମର ଡାହାଣ ପାଖେ ଓ ଅନ୍ୟଟି ଆମର ବାମ ପାଖେ ।

 

ଆମେ ଘଣ୍ଟାଏ ପର୍ଯ୍ୟନ୍ତ ଉପରକୁ ଉଠିଲୁ । ବାଟଟା ତିଖ । ଏହାପରେ ପଡ଼ିଲା ଘନ ଲତାଜଙ୍ଗଲ । ଏହି ଲତାସବୁ ଗଛ ଓ ଛୋଟ ଜଙ୍ଗଲକୁ ଏକବାରେ ଆଚ୍ଛାଦନ କରିଥିଲା । ଆଲିମୁଥୁ କହିଲା, “ଏଇଠାରୁ ଆମକୁ ଘନଲତା ତଳେତଳେ ଘୁଷୁରି ଘୁଷୁରି କିଛି ଦୂର ଯିବାକୁ ହେବ ।

 

ଏହିଠାରୁ ପ୍ରାୟ ଏକ ଫର୍ଲଙ୍ଗ ବାଟ ଯିବାରେ ଆମକୁ ଖୁବ୍ କଷ୍ଟ ସହିବାକୁ ପଡ଼ିଥିଲା । କଣ୍ଟାରେ ଦେହ ଚିରି ହୋଇଯାଇଥିଲା ଓ ସେଥିରେ ପୁଣି ଦେହରୁ ଝାଳ ବୋହୁଥିଲା । ଆଲିମୁଥୁ ଘୁଷୁଡ଼ି ଘୁଷୁଡ଼ି ସବା ଆଗରେ ଯାଉଥାଏ; ତା ପଛରେ ଥାଏ ମୁଁ ଓ ମୋ ପଛକୁ ଲାଗିରହି ଯାଉଥାଏ ମୁନୁସ୍ଵାମୀ । ଏହି ଲତା ଆଚ୍ଛାଦିତ ଅଂଶଟି ପାର ହେଲା ବେଳକୁ ଆମ ଦେହରୁ ଧାର ଧାର ହୋଇ ଝାଳ ବୋହି ଯାଉଥିଲା । ମୋର ଖାକି କମିଜି ଓ ପ୍ୟାଣ୍ଟ ଅନେକ ଜାଗାରେ ଚିରି ଯାଇଥିଲା । ଲତାମାନଙ୍କରେ ଥିବା କଣ୍ଟାମାନଙ୍କରେ ମୋର ମୁହଁ, ବେକ ଓ ହାତର କିଛି କିଛି ଅଂଶ ଯେ ଲାଖି ରହିଯାଇଥିଲା, ସେ ବିଷୟରେ ମୋର ସନ୍ଦେହ ନାହିଁ ।

 

ପରିଶେଷରେ ଆମେ ଏହି ଲତାଚ୍ଛାଦିତ ଅଞ୍ଚଳରୁ ମୁକ୍ତ ହୋଇ ଦୁଇ କୁଦାରେ ମଧ୍ୟସ୍ଥିତ ସମଭୂମିରେ ପହଞ୍ଚିଲୁ । ଏହାର ଚାରିଆଡ଼େ ବଡ଼ ବଡ଼ ପଥର ମୁଣ୍ଡା ପଡ଼ିଥିଲା ଓ ବେଣାଘାସ ସେହି ମୁଣ୍ଡାମାନଙ୍କର ଅଧାଯାଏ ଉଠିଥିଲା । ଆଲିମୁଥୁ ମୋ କାନ ପାଖରେ କହିଲା–ଗୁହାଟା ହେଉଛି ଆମର ବାମ ପାଖରେ ଓ ସମଭୂମିର ବାରପଣ ଦୂରରେ । ଏହା ଏପରି ଗୋଟିଏ ସ୍ଥାନ ଯେ ଅଳ୍ପ ଦୂରରୁ ସୁଦ୍ଧା ଗୋଟାଏ ଚିତାବାଘକୁ ଦେଖି ପାରିବା ଅସମ୍ଭବ । ଦଶ ବାରଟା ବାଘ ମଧ୍ୟ ଏଠାରେ ସ୍ଵଚ୍ଛନ୍ଦରେ ଲୁଚି ରହିପାରନ୍ତି ।

 

ଏଣିକି ମୁଁ ଆଗରେ ଚାଲିଲି; ମୋ ପଛରେ ଆଲିମୁଥୁ ଓ ସବା ପଛରେ ମୁନୁସ୍ଵାମୀ । ମୁଁ ଡାହାଣ ପାଖଧରି ଚାଲିଲି । କାରଣ ଚିତାବାଘ ଯଦି ବାମପାଖ ଗୁହାରୁ ବା କୌଣସି ବୁଦା ଭିତରୁ ବାହାରି ପଡ଼ି ଆକ୍ରମଣ କରେ ତେବେ ମୁଁ ତାକୁ ଦେଖିପାରିବି । ଆମେ ସମସ୍ତେ ଗୁହାର ପଛପଟେ ଛିଡ଼ାହେଲୁ । ଗୁହାର ମୁହଁଆଡ଼କୁ ଗୋଟାଏ ପଥରର ବଡ଼ ଫାଟ ଦିଶୁଥିଲା । ମୁଁ ଲକ୍ଷ୍ୟ କଲି ଯେ ପାହାଡ଼ ଦେହରେ ଅନେକ ଜାଗାରେ ମହଣ ଲାଗିଛି । ସେଗୁଡ଼ିକ ପୁରୁଣା ମହୁଫେଣାର ସଙ୍କେତ; କିନ୍ତୁ କୌଣସି ନୂଆ ମହୁଫେଣା ଦେଖାଗଲା ନାହିଁ । ଲମ୍ବାଲମ୍ବା ଘାସ ଓ ବାହାରେ ପଡ଼ିଥିବା ବଡ଼ ବଡ଼ ପଥର ଯୋଗୁଁ ଗୁହାର ଭିତରଟା ଦେଖାଯାଉ ନଥିଲା । ଏହି ପଥର ସବୁ ପାହାଡ଼ ଉପରୁ ତଳକୁ ଗଡ଼ିଆସିଥିବାର ଅନୁମାନ ।

 

ଏହି ସମୟରେ ଗୋଟିଏ ଗମ୍ଭୀର ଗର୍ଜନ ଶୁଣାଗଲା । ଆଲିମୁଥୁ ମୋ କାନ୍ଧକୁ ହାତ ବଢ଼ାଇ ମୋତେ ବନ୍ଦ କରିବାକୁ ଯାଉଥିଲା କିନ୍ତୁ ମୁଁ ସେତେବେଳକୁ ଗର୍ଜନର ଶବ୍ଦ ଶୁଣି ପାରିଥିଲି ।

 

ଏ ଗର୍ଜନ କାହାର ? ଗୋଟାଏ ଚିତାବାଘର ହୋଇ ପାରିଥାଏ; କିମ୍ବା ଗୋଟାଏ ଭାଲୁର ବି ହୋଇ ପାରିଥାଏ ।

 

ମୁଁ ଚିନ୍ତା କରିବାକୁ ଲାଗିଲି । ମୋ ଆଗରେ ଦୁଇଟି ପନ୍ଥା ଉନ୍ମୁକ୍ତ ଥିଲା । ଶବ୍ଦଟା ଯେ ଗୁହାର ମୁହଁ ପାଖରୁ ବା ତାର ଖୁବ୍ ନିକଟ କୌଣସି ସ୍ଥାନରୁ ଆସୁଥିଲା, ଏଥିରେ ସନ୍ଦେହ ନାହିଁ । ଟେକା ଫିଙ୍ଗି ପାରିଥାନ୍ତି କିମ୍ବା ଗୁହାର ଆଉ ଟିକିଏ ନିକଟକୁ ଆସି ପାରିଥାନ୍ତି; କିନ୍ତୁ ଗୁହାର ଆଉ ନିକଟକୁ ଆସିବାପାଇଁ ମୋର ଭୟହେଲା । ଜନ୍ତୁଟା ଚିତାବାଘ ହେଉ ବା ଭାଲୁ ହେଉ ସେ ଉଚ୍ଚ ଜାଗାରେ ଥିବାରୁ ଅକ୍ଳେଶରେ ମୋତେ ମାଡ଼ିବସିବ । ସେ ଆସିଲାବେଳେ ଯେବେ ମୁଁ ଘାସ ଓ ପଥର ଯୋଗୁ ଦେଖି ନପାରେଁ କିମ୍ବା ମୋର ପ୍ରଥମ ଗୁଳିଟି ତା ଦେହରେ ନବାଜେ ତାହାହେଲେ ମୋର ବିପଦ ନିଶ୍ଚିତ ।

 

ଦୁଃସାହସ ନକରି ମୁଁ ଭାବିଚିନ୍ତି କାମକଲି । ଆଲିମୁଥୁ ଓ ମୁନୁସ୍ଵାମୀ ଦୁହିଁଙ୍କୁ ମୁଁ ଚୁପ୍ ଚୁପ୍ କରି କହିଲି–ଗୁହା ଆଡ଼କୁ ପଥର ଢେଲା ପକାଅ ।

 

ସେମାନେ ଢେଲା ଫିଙ୍ଗିଲେ; କିନ୍ତୁ କିଛି ଫଳ ହେଲାନାହିଁ ।

 

ମୁଁ ରାଇଫେଲରେ ଗୁଳିଭରି ପ୍ରସ୍ତୁତ ହେଲି ଓ କିଛି ହଲଚଲ ହେଉଛି କି ନା ଲକ୍ଷ୍ୟ କରିବାକୁ ଲାଗିଲି ।

 

ସେ ଦୁହେଁ ଆହୁରି ଗୋଟା କେତେ ଢେଲା ଫିଙ୍ଗିଲେ, ତଥାପି କିଛି ଘଟିଲାନାହିଁ ।

 

ଏହାପରେ ମୋର ଡାହାଣ ପାଖେ ଥିବା ଲମ୍ବଘାସ ଟିକିଏ ହଲିଗଲା । ଏହି ଘାସ ପାହାଡ଼ ଉପରକୁ ଯାଇ ଗୁହାର ଆରପାଖେ ଥିବା ଗଡ଼ାଣି ସହିତ ମିଶିଯାଇଥିଲା ।

 

ପବନ ଯୋଗେ ଘାସ ହଲିଥିବ କିମ୍ବା କୌଣସି ଜୀବ ଘାସ ଭିତରେ ଚାଲିଯିବାରୁ ହଲିଥିବ; କିନ୍ତୁ ଗୋଟିଏ ବିଷୟରେ ମୁଁ ନିଃସନ୍ଦେହ ଥିଲି । ଏହା ଭାଲୁର ଶବ୍ଦନୁହେଁ । ଦକ୍ଷିଣ ଭାରତର ଭାଲୁମାନଙ୍କର ରଙ୍ଗ କଳା; ଧୂସର ଘାସ ଭିତରେ କୌଣସି କଳା ଜିନିଷଥିଲେ, ତାହା ନିଶ୍ଚୟ ମୋ ଆଖିରେ ଧରା ପଡ଼ିଥାନ୍ତା । ଆଉ ଗୋଟିଏ କଥା; ଭାଲୁ ଏପରି ଲୁଚି ଲୁଚି ଖସି ପଳାଏ ନାହିଁ । ଚେଷ୍ଟା କଲେ ମଧ୍ୟ ସେ ସେପରି ଯାଇପାରିବ ନାହିଁ । ସେ ହୁଏତ ହଠାତ୍ ଆଗକୁ ବାହାରି ପଡ଼ିବ ବା ହଠାତ୍ ପଳାଇବ ।

 

ମୁଁ ଖୁବ୍ ନିରେଖି ଚାହିଁଲି । ଜନ୍ତୁଟା ପାହାଡ଼ର ଓହଳି ପଡ଼ିଥିବା ଅଂଶର ସମାନ ଉଚ୍ଚତାକୁ ଆସିବାରୁ ମୁଁ ତା ଦେହରେ ଛଉଛଉକା ଅଂଶ ଦେଖିପାରିଲି ।

 

ଜନ୍ତଟା ରହିଯାଇ ଆମ ଆଡ଼କୁ ଚାହୁ ଥିଲା କିନ୍ତୁ ଘାସ ଭିତରେ ଥିବାରୁ ମୁଁ ତାର ମୁଣ୍ଡ ବା ମୁହଁ ଦେଖି ପାରି ନଥିଲି । ଆଉ ଗୋଟାଏ ଦୁଇଟା ସେକେଣ୍ଡ ଭିତରେ ସେ କୁଆଡ଼େ ଖସିଯିବ-

 

ମୁଁ ସେହି ଛଉଛଉକା ଅଂଶକୁ ଲକ୍ଷ୍ୟ କରି ଗୁଳି ମାରିଲି ।

 

ଚିତାବାଘଟା ଡେଇଁପଡ଼ି ଘାସଭିତରୁ ବାହାରି ପଡ଼ିଲା ଓ ଚିଙ୍ଗୁଡ଼ିମାଛ ପରି କୁଜି ହୋଇ ଗଡ଼ାଣି ତଳକୁ ଖସି ପଡ଼ିଲା । ଘାସ ଭିତରେ ସେ କେଉଁଠାରେ ପଡ଼ିଲା, ଆମେ ଜାଣି ପାରିଲୁ ନାହିଁ-। ବହୁ କଷ୍ଟରେ ଗୋଟାଏ ବଡ଼ ପଥର ଉପରେ ଚଢ଼ି ତାକୁ ଦେଖିବାପାଇଁ ମୁଁ ଚେଷ୍ଟା କଲି; କିନ୍ତୁ ତାକୁ ଦେଖି ପାରିଲି ନାହିଁ ।

 

ଦଶ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କଲାପରେ ମୁଁ ଆଲିମୁଥୁ ଓ ମୁନୁସ୍ଵାମୀଙ୍କୁ ଲୁଚିଯିବା ପାଇଁ ଇସାରା ଦେଲି ଓ ମୁଁ ନିଜେ କିଛିଦୂର ଆଗକୁ ଗଲି । ଅନେକ ଥର ଗୋଟାଏ ଗୋଟାଏ ବଡ଼ ପଥର ଉପରେ ଚଢ଼ି ଦେଖିବାକୁ ଜନ୍ତୁଟାକୁ ଚେଷ୍ଟାକଲି; କିନ୍ତୁ ତାକୁ ଦେଖିବାକୁ ପାଇଲିନାହିଁ ।

 

ପରିଶେଷରେ ତାର ଦେଖା ମିଳିଲା । ମୁଁ ଯେ ଏତେ ସାବଧାନତା ଅବଲମ୍ବନ କରିଥିଲି, ସେ ସବୁ ଅନାବଶ୍ୟକ ଥିଲା । କାରଣ ମୁଁ ଯେଉଁ .୪୦୫ ନମ୍ବର ଗୁଳିଟି ମାରିଥିଲି, ତାହା ଚିତାବାଘର ବେକ ପାଖେ ପ୍ରବେଶ କରି ମଥାକୁ ଭେଦି ଯାଇଥିଲା ।

 

ଚିତାବାଘକୁ ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ ମୁନୁସ୍ଵାମୀର ଗୁଳିଟା ତାର ପିଠି ବାଟେ ଛାତିପାଖ କାନ୍ଧ ହାଡ଼କୁ ଭେଦି ବାହାରି ଯାଇଥିଲା । ଏହି ଗୁଳି ଯୋଗେ ତା ଦେହରେ ପୋକ ଜନ୍ମିଥିଲେ । ଦୁଇଟି ଏଲ୍.ଜି.ଛର୍ରା ତା ଚମତଳେ ରହିଥିଲା, କିନ୍ତୁ ତାହାଦ୍ଵାରା ହୋଇଥିବା ଘାଆ ଶୁଖିଆସୁଥିଲା । ମାତ୍ର ଗୁଳି ଯୋଗେ ତାର ଯେଉଁ ବଡ଼ ଘାଆ ହୋଇଥିଲା, ସେହି ଘାଆ ହେତୁ ସେ ଶେଷରେ ମରିଥାନ୍ତା । ମରିବା ପୂର୍ବରୁ ସେ ହୁଏତ ମଣିଷଖିଆ ହୋଇପାରିଥାନ୍ତା । ଏହିଟି ଗୋଟିଏ ଅଧା ବୟସିଆ ଅଣ୍ଡିରା ଚିତାବାଘ; ଲମ୍ବରେ ପ୍ରାୟ ସାତଫୁଟ ।

 

ଚିତାବାଘଟାକୁ ସେହି ଘନ ଲତାପୂର୍ଣ୍ଣ ଜଙ୍ଗଲ ଭିତରୁ ଟାଣି ଟାଣି ଆଣିବାରେ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା; କିନ୍ତୁ ଯଥେଷ୍ଟ ଶ୍ରମକରି ଓ ଦେହରୁ ଝାଳ ବୁହାଇ ଆମେ ତାକୁ ଆଣିଥିଲୁ ।

 

ସେଦିନ ସନ୍ଧ୍ୟାବେଳେ ଆମେ ସେଇ ମଲା ଚିତାବାଘକୁ ଆଣି ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ ସାହେବଙ୍କ ଆଗରେ ରଖିଦେଲୁ । ମୁନୁସ୍ଵାମୀର ଛୁଟି ସମୟ ବଢ଼ାଇବା ପାଇଁ ମୁଁ ଅନୁରୋଧ କରିବାର ଠିକ୍ ୪୮ ଘଣ୍ଟା ପରେ ସାହେବ ମଲା ଚିତାବାଘ ଦେଖିପାରିଲେ । ସେ ଯେଉଁ କାମପାଇଁ ଚାରିଦିନ ସମୟ ଦେଇଥିଲେ, ମୁଁ ଓ ମୁନୁସ୍ଵାମୀ ତାର ଠିକ୍ ଅଧାସମୟରେ କରି ଦେଇଥିଲୁ । ସାହେବଙ୍କ ମୁହଁରେ ହସ ଦେଖାଗଲା ।

Image

 

Unknown

ଚତୁର୍ଥ ଅଧ୍ୟାୟ

ଶିବାନୀପଲ୍ଲୀର କଳା ଚିତାବାଘ

 

ଶିବାନୀପଲ୍ଲୀ ହେଉଛି ମୋର ଗୋଟିଏ ପ୍ରିୟ ଭ୍ରମଣସ୍ଥଳୀ ; କାରଣ ଏହା ବାଙ୍ଗାଲୋରର ନିକଟବର୍ତ୍ତୀ; ସାପ୍ତାହିକ ଛୁଟିଦିନ କଟାଇବା ଏଠାରେ ଖୁବ୍ ସୁବିଧାଜନକ; ଏପରିକି ଜହ୍ନ ରାତିରେ ଏଠାରେ କେତେ ଘଣ୍ଟା ବୁଲିଆସିବା ଆନନ୍ଦଦାୟକ । ଏଥିପାଇଁ ବେଶି କଷ୍ଟ ସ୍ଵୀକାର କରିବାକୁ ପଡ଼େନାହିଁ । ବାଙ୍ଗାଲୋରଠାରୁ ମୋଟରରେ ୪୧ ମାଇଲ ଗଲେ ଢେଙ୍କୋନିକୋଟା ପଡ଼ିବ; ସେଠାରୁ ଚାରିମାଇଲ ମୋଟର ଗାଡ଼ିରେ ଯିବ । ସେଠାରେ ମୋଟରଗାଡ଼ି ରଖିଦେଇ ଗୋଟିଏ ଚଲାବାଟରେ ପାଞ୍ଚମାଇଲ ଗଲେ ତୁମେ ଶିବାନୀପଲ୍ଲୀରେ ପହଞ୍ଚିବ । ଏହି ଛୋଟ ଗାଁଆଟି ରିଜର୍ଭ (ରକ୍ଷିତ) ଜଙ୍ଗଲର ପ୍ରାନ୍ତଭାଗରେ ଅବସ୍ଥିତ ।

 

ଏହି ଛୋଟ ଗାଁଆର ପଶ୍ଚିମକୁ ପ୍ରାୟ ତିନିମାଇଲ ଦୂର ପର୍ଯ୍ୟନ୍ତ ଭୂମି ଗଡ଼ାଣିଆ ଓ ଏହାର ପ୍ରାନ୍ତଭାଗ ଗ୍ରାମଠାରୁ ପ୍ରାୟ ତିନିଶହ ଫୁଟ ନୀଚ । ଏହିଠାରେ ଗୋଟିଏ ଛୋଟ ନଦୀ ବହି ଯାଉଅଛି । ଗ୍ରାମଟିର ଦକ୍ଷିଣ ଦିଗରେ ଆଉ ଗୋଟିଏ ଛୋଟ ନଦୀ ପୂର୍ବରୁ ପଶ୍ଚିମଦିଗକୁ ପ୍ରବାହିତ-। ଏହା ଅନେକ ଗୁଡ଼ିଏ ଜଳପ୍ରପାତ ସୃଷ୍ଟି କରି ବେଗରେ ବହିଯାଇ ପୂର୍ବୋକ୍ତ ଛୋଟ ନଦୀ ସହିତ ମିଶିଅଛି । ସେହି ଛୋଟ ନଦୀଟି ପଶ୍ଚିମ ସମଭୂମିର ପାଦ ଦେଶରେ ବହିଯାଉଅଛି । ଶିକାନୀପଲ୍ଲୀ ଗ୍ରାମର ପୂର୍ବ ଦିଗରେ ଗୁଲହାଟି ଡାକବଙ୍ଗଳା ପର୍ଯ୍ୟନ୍ତ ଜଙ୍ଗଲ ବିସ୍ତୃତ । ଏହି ଡାକ ବଙ୍ଗଳାଟି ଗୋଟିଏ ପାହାଡ଼ପାର୍ଶ୍ଵରେ ପାଞ୍ଚଶହ ଫୁଟ ଉଚ୍ଚରେ ଅବସ୍ଥିତ । ଗୁଲହାଟ୍ଟିର ପୂର୍ବକୁ ସିଧା ସାଢ଼େ ଚାରିମାଇଲ ଦୂରରେ ଆଇୟୂରଠାରେ ଜଙ୍ଗଲ ବିଭାଗର ଆଉ ଗୋଟିଏ ଡାକବଙ୍ଗଳା ଅଛି-। ପୁଣି ଉତ୍ତର–ପୂର୍ବ ଦିଗରେ ଚାରିମାଇଲ ଦୂରରେ କୁଚୁବାଡ଼ି ନାମକ ଏକ ପାହାଡ଼ ପାଖରେ ଜଙ୍ଗଲ ବିଭାଗର ଗୋଟିଏ ବିଶ୍ରାମାଗାର (Shed) ଅଛି । ଏହି ଅଞ୍ଚଳରେ ଚନ୍ଦନକାଠର କାରବାର ହୁଏ-। ବିଶ୍ରାମାଗାର ଭିତରେ ଗୋଟିଏ ପ୍ରକାଣ୍ଡ ପୁରୁଣା ତରାଜୁ ଅଛି । ଏହାର ପଲ୍ଲା ଦୁଇଟି ଖୁବ୍ ବଡ଼ବଡ଼ । ଚନ୍ଦନକାଠ ଜଙ୍ଗଲରୁ ଅଣାଯାଇ ଗଡ଼ଗଡ଼ ହୋଇ କଟାଯାଏ ଓ ଏହି ତରାଜୁରେ ଓଜନ କରାଯାଏ । ତାହାପରେ ସେଗୁଡ଼ିକ ଢେଙ୍କୋନିକୋଟାସ୍ଥିତ ଜଙ୍ଗଲ ବିଭାଗର ସଦର କାର୍ଯ୍ୟାଳୟକୁ ପଠାଯାଏ ।

 

ଶିବାନୀପଲ୍ଲୀର ଉତ୍ତରରେ ଗହଳିଆ ଛୋଟବୁଦା ଜଙ୍ଗଲ ରାସ୍ତା ପର୍ଯ୍ୟନ୍ତ ଓ ତାକୁ ଅତିକ୍ରମ କରି ଆହୁରି ପାଞ୍ଚ ମାଇଲ ଯାଇଅଛି । ସେହିଠାରେ ମୋଟରଗାଡ଼ି ରଖି ଶିବାନୀପଲ୍ଲୀ ଗାଁ ପର୍ଯ୍ୟନ୍ତ ଚାଲିଚାଲି ଆସିବାକୁ ହେବ ।

 

ଖୋଦ୍ ଶିବାନୀପଲ୍ଲୀ ଗାଁଆରେ ମୋଟେ ପାଞ୍ଚ ଛଅଟି କୁଡ଼ିଆ ଘର ଅଛି । ଏହା ଏତେ ଛୋଟ ଯେ ଏହାକୁ ଗୋଟିଏ ଗାଁଆ କହିବାକୁ କୁଣ୍ଠାବୋଧ ହୁଏ । ଏହାର ଉତ୍ତରକୁ ତିନି ମାଇଲ ଦୂରରେ ପ୍ରଧାନ ରାସ୍ତାକୁ ପଡ଼ିଥିବା ଚଲାରାସ୍ତାର ପ୍ରାୟ ମଝିରେ ଆଉ ଗୋଟିଏ ଗ୍ରାମଅଛି । ଏହା ଶିବାନୀ ପଲ୍ଲୀଠାରୁ ବେଶ ବଡ଼ । ଏହାର ନାମ ସାଲିଭେରମ୍ ।

 

ଚାରିଦିଗରେ ଜଙ୍ଗଲ ବିଭାଗର ଫାୟାର ଲାଇନ (fire line) ଶିବାନୀପଲ୍ଲୀକୁ ବେଢ଼ି ରହିଅଛି । ଏହି ଲାଇନଗୁଡ଼ିକ ଗ୍ରାମଠାରୁ ଅଧମାଇଲରୁ ଏକମାଇଲ ପର୍ଯ୍ୟନ୍ତ ଦୂରରେ ଅବସ୍ଥିତ ରହି ରକ୍ଷିତ ଜଙ୍ଗଲର ସୀମା ନିର୍ଦ୍ଦେଶ କରୁଅଛନ୍ତି । ଦକ୍ଷିଣ–ପଶ୍ଚିମ କୋଣରେ ଯେଉଁଠାରେ ଦୁଇଟି ଫାୟାର୍ ଲାଇନ ମିଳିତ ହୋଇଅଛନ୍ତି, ସେଠାରେ ଗୋଟିଏ ଗାଡ଼ିଆ ଅଛି । ତିନିଶହ ଫୁଟ ତଳେ ଥିବା ଗାଁଆର ପଶ୍ଚିମକୁ ଯେଉଁ ଦୁଇଟି ଛୋଟନଦୀ ମିଳିତ ହୋଇଅଛନ୍ତି, ସେ ଦୁହେଁ ଘନ ଜଙ୍ଗଲ ଭିତରେ ଅନ୍ୟ ଏକ ବଡ଼ ଗ୍ରାମଆଡ଼କୁ ପ୍ରବାହିତ ହେଉଅଛନ୍ତି । ସେହି ଗ୍ରାମଟିର ନାମ ଆଞ୍ଚେଟି ଓ ଏହା ଶିବାନୀପଲ୍ଲୀଠାରୁ ଦକ୍ଷିଣ–ପଶ୍ଚିମ ଦିଗରେ ପ୍ରାୟଆଠ ମାଇଲ ଦୂରରେ ଅବସ୍ଥିତ ।

 

ଶିବାନୀପଲ୍ଲୀର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଏହି ବିସ୍ତୃତ ବିବରଣ ଦେବାର ଉଦ୍ଦେଶ୍ୟ ଏହି ଯେ ଯେଉଁ ଅଞ୍ଚଳରେ ମୁଁ ବର୍ଣ୍ଣନା କରିବାକୁ ଯାଉଥିବା ଘଟଣା ଘଟିଥିଲା, ସେ ଅଞ୍ଚଳର ଗୋଟିଏ ସ୍ପଷ୍ଟ ଚିତ୍ର ପାଇବାକୁ ଆପଣ ସମର୍ଥ ହେବେ ।

 

ଏହି ଅଞ୍ଚଳର ସବୁଆଡ଼େ ଛୋଟ ଛୋଟ ମୁଣ୍ଡିଆ ପାହାଡ଼, ଛୋଟ ବୁଦୁବୁଦିକିଆ ଜଙ୍ଗଲ, ଘନ ଜଙ୍ଗଲ, ଦୁଇଟି ଛୋଟ ନଦୀ ଅଛି; ତେଣୁ ଚିତାବାଘର କାର୍ଯ୍ୟକଳାପ ପାଇଁ ଏହା ଏକ ଆଦର୍ଶ ଅଞ୍ଚଳ । ଗାଡ଼ିଆକୁ ଛାଡ଼ିଦେଲେ ମଧ୍ୟ କେବଳ ଚିତାବାଘ ପାଇଁ ନୁହେଁ, ଯେଉଁମାନଙ୍କୁ ଶିକାର କରି ସେ ଜୀବନ ଧାରଣ କରେ, ସେମାନଙ୍କପାଇଁ ମଧ୍ୟ ସବୁ ସମୟ ପାଇଁ ପାଣିର ସୁବିଧା ଅଛି । ନିୟମିତ ପାଣି ମିଳିବାର ସୁବିଧା ଥିବାରୁ ଶିବାନୀପଲ୍ଲୀରେ କେତେ ପଲ ଗୋରୁଅଛନ୍ତି । ଗୋଜାତି ପାଳନ ପକ୍ଷରେ ଜଳ ଯୋଗାଣ ସୁବିଧା ଗୋଟିଏ ବିଶେଷ ଆକର୍ଷଣ ଅଟେ ।

 

ଏହିସବୁ ସୁବିଧା ଦୃଷ୍ଟିରୁ ଗୁଡ଼ିଏ ଚିତାବାଘ ଏ ଅଞ୍ଚଳରେ ଊଣାଅଧିକେ ସ୍ଥାୟୀଭାବରେ ବାସକରନ୍ତି । ୧୯୨୯ ମସିହାରେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଶିବାନୀପଲ୍ଲୀ ପରିଦର୍ଶନ କଲି, ସେତେବେଳେ ମୁଁ ଏହି ହେତୁରୁ ଏହାପ୍ରତି ଆକୃଷ୍ଟ ହୋଇପଡ଼ିଲି ।

 

ଜଙ୍ଗଲ ଆକାର ପ୍ରକାର ଦୃଷ୍ଟିରୁ ନାନା ଶ୍ରେଣୀର । ଗାଡ଼ିଆ ପାଖରେ ବାଉଁଶ ଝାଡ଼ରୁ ଆରମ୍ଭ କରି ଦକ୍ଷିଣ ଦିଗର ଘନ ବନରାଜି ଏହାର ଅନ୍ତର୍ଗତ । ଏହା ଭିତରେ ଠାଏ ଠାଏ ଖୁବ୍ ପତଳା ଜଙ୍ଗଲ ଓ ବୁଦାଅଛି । ଏଥିରେ ପୂର୍ବ ଓ ଉତ୍ତର ଦିଗଆଡ଼କୁ ମଝିରେ ମଝିରେ ଚନ୍ଦନ କାଠର ଗଛ ରହିଅଛି ।

 

ଏଠା ମଫସଲର ଦୃଶ୍ୟ ଅତି ଚମତ୍କାର । ପାହାଡ଼ ସବୁ ଲମ୍ବିଯାଇ ପଶ୍ଚିମ ଦିଗବଳୟରେ ଏକ ଅସ୍ପଷ୍ଟ ଦନ୍ତୁର ନୀଳରେଖାରେ ମିଶିଯାଇଅଛନ୍ତି । ପ୍ରାତଃକାଳରେ କୁଜ୍‌ଝଟିକା ଖଣ୍ଡମାନ ଜଙ୍ଗଲରୁ ଭାସିଭାସି ଯାଇ ସେହି ପାହାଡ଼ମାନଙ୍କର ପାଦଦେଶକୁ ଏକବାରେ ଲୁଚାଇ ଦିଅନ୍ତି । ସେତେବେଳେ ପାହାଡ଼ଗୁଡ଼ିକର ଅଗ୍ରଭାଗ ମେଷଲୋମର ସମୁଦ୍ର ମଧ୍ୟରେ ଭାସମାନ ବନ୍ଧୁର ଦୀପମାଳାପରି ପ୍ରତୀୟମାନ ହୁଏ । ମେଘୁଆ ପାଗରେ ଏହାର ଏକ ବିପରୀତ ଦୃଶ୍ୟ ଦୃଷ୍ଟି ଗୋଚର ହୁଏ । ଯେତେବେଳେ ବର୍ଷୁକ ମେଘମାଳା ପାହାଡ଼ର ଅଗ୍ରଭାଗକୁ ଆଚ୍ଛାଦିତ କରି ଦୃଷ୍ଟିପଟରୁ ସେଗୁଡ଼ିକୁ ଲୁଚାଇ ଦିଏ, ସେତେବେଳେ ପାହାଡ଼ର କଟିଦେଶର କେବଳ ନିମ୍ନଭାଗ ଦେଖାଯିବାରୁ ତାହା ଏକ ସମଭୂମି ବୋଲି ଭ୍ରମ ହୁଏ ।

 

କ୍ଷୁଦ୍ର ଶିବାନୀପଲ୍ଲୀ ଗ୍ରାମର ନିକଟସ୍ଥ ଜଙ୍ଗଲରେ ଘୁମି ଘୁମି (ଉର୍ଦ୍ଦୁ ଘୁମ୍‌ଧାତୁରୁ ଉତ୍ପନ୍ନ; ଘୁମ୍‌ଧାତୁର ଅର୍ଥ ବୁଲିବା) ମୁଁ ଅନେକ ଜହ୍ନରାତି କଟାଇ ଦେଇଛି । ଏହି ଜଙ୍ଗଲମାନଙ୍କରେ ଶିକାର ଯୋଗ୍ୟ ସବୁ ପ୍ରକାରର ଜୀବ ଊଣାଅଧିକେ ଅଛନ୍ତି; କେବଳ ଅରଣା ମଇଁଷି ନାହାନ୍ତି । ଜହ୍ନ ରାତିରେ ଜଙ୍ଗଲରେ ବୁଲିଲାବେଳେ ଯେ କୌଣସି ସମୟରେ ଗୋଟାଏ ହାତୀର ବା ବାଘର ବା ଚିତାବାଘର ଗର୍ଜନ ଶୁଣିବାର ସମ୍ଭାବନା ଅଛି । ଅଥବା ତୁମ୍ଭେ ଜଙ୍ଗଲର ଚନ୍ଦ୍ର କିରଣରେ ଭ୍ରମଣ କରୁଥିବାବେଳେ ଗୋଟାଏ ସମ୍ବର ତୁମ୍ଭଙ୍କୁ ଦେଖି ଭୟରେ ପଳାଇବାର ଶବ୍ଦ ଶୁଣିପାର । ବୋଧହୁଏ ହାତୀକୁ ଛାଡ଼ିଦେଲେ ଅନ୍ୟ ଜୀବମାନଙ୍କୁ ତୁମ୍ଭେ ଦେଖିପାରିବ ନାହିଁ କାରଣ ମାଂସାଶୀ ଜନ୍ତୁ ଓ ସମ୍ବର ଉଭୟେ ଏତେ ଚତୁର ଯେ ସେମାନଙ୍କୁ ତୁମ୍ଭେ ଦେଖିବା ବା ସେମାନଙ୍କ ଶବ୍ଦ ଶୁଣିବା ପୂର୍ବରୁ ସେମାନେ ତୁମ୍ଭର ଆଗମନ ଜାଣି ସାରିଥାନ୍ତି ।

 

ହୁଏତ ଉଇ ଖାଇବା ପାଇଁ କିମ୍ବା ବଣଆଳୁ ଖାଇବା ପାଇଁ ମାଟି ଖୋଳୁଥିବା କିମ୍ବା ଉଚ୍ଚ ସ୍ଵରରେ ଶୁଙ୍ଘି ଶୁଙ୍ଘି ଯାଉଥିବା ଭାଲୁକୁ ତୁମ୍ଭେ ଭେଟିପାର । ଅସ୍ପଷ୍ଟ ଇତସ୍ତତଃ ବଣ ବୁଦା ଭିତରେ ତାର କଳା ରୂପକୁ ଜହ୍ନ ଆଲୁଅରେ ଦେଖିବା ଆଗରୁ ତୁମେ ନିଶ୍ଚୟ ତାର ଶବ୍ଦ ଶୁଣିପାରିବ ।

 

ଅନେକ ଦିନ ପୂର୍ବେ ୧୯୩୪ ମସିହାରେ ଶିବାନୀପଲ୍ଲୀରେ ଏକ ବିସ୍ମୟକର ଘଟଣା ଘଟିଥିଲା । ଦିନେ ଜଣେ ଗୋରୁଜଗାଳି ତାର ଗୋରୁପଲକୁ ଚରାଇବା ପାଇଁ ଜଙ୍ଗଲକୁ ନେଇଥିଲା-। ଗୋରୁପଲ ଘେନି ଗାଁଆକୁ ଫେରିଲାବେଳକୁ ସେ ଗୋଟାଏ ଚିତାବାଘ ଦେଖିଲା । ଚିତାବାଘ ଗାଡ଼ିଆରୁ ପାଣି ପିଉଥିଲା । ସେତେବେଳକୁ ଦିନ ପାଞ୍ଚଟା ବାଜି ଯାଇଥିଲା । ପ୍ରାୟ ସନ୍ଧ୍ୟା ସମୟ-। ଏହି ସମୟରେ ଗୋରୁପଲ ଗାଁଆକୁ ଫେରିବାର କଥା । ଲୋକେ ସକାଳବେଳା ପ୍ରାୟ ନଅଟା ବେଳକୁ ସେମାନଙ୍କ ଗୋରୁପଲ ନେଇ ଚରାଇବା ପାଇଁ ବଣକୁ ଯାଆନ୍ତି ଓ ବେଳବୁଡ଼ ନ ହେଉଣୁ ଗୋରୁପଲ ଘେନି ଫେରିଆସନ୍ତି । ତେଣୁ ସକାଳେ ଓ ସନ୍ଧ୍ୟାରେ ଗାଈମାନଙ୍କୁ ଦୁହିଁବାରେ କିଛି ଅସୁବିଧା ହୁଏନାହିଁ ।

 

ସେଦିନ ଗୋରୁ ଜଗାଳି ଠିକ୍ ତା ସମୟରେ ଆସୁଥିଲା । ଦିନର ଆଲୁଅ ଯାଇନଥିଲା । ଏତିକିବେଳେ ସେ ଚିତାବାଘକୁ ଦେଖିଲା । ଚିତାବାଘ ଗାଡ଼ିଆ କୂଳରେ ଗୋଟାଏ ବୁଦା ପାଖରେ ଛିଡ଼ାହୋଇ ଗାଡ଼ିଆରୁ ପାଣି ପିଉଥିଲା । ସେ କହିଲା ଯେ ଚିତାବାଘଟାର ରଙ୍ଗ ଏକବାରେ ହାଣ୍ଡି କଳାପରି । ତାକୁ ଅବିଶ୍ଵାସ କରିବାର କାରଣ ନଥିଲା । ଜାଣି ଶୁଣି ସେ ମିଛ କହିବାରେ କିଛି ଲାଭନଥିଲା । ଗୋରୁପଲ ପାଖେଇ ଆସିବାରୁ ଚିତାବାଘ ମୁଣ୍ଡ ଟେକି ସେଆଡ଼କୁ ଚାହିଁଲା; କିନ୍ତୁ ଗୋରୁ ଜଗୁଆଳିକୁ ଦେଖିଲାକ୍ଷଣି ଲଟାବୁଦା ଭିତରେ କୁଆଡ଼େ ଉଭେଇଗଲା ।

 

କଳା ଚିତାବାଘ ଗୋଟାଏ ସ୍ଵତନ୍ତ୍ର ଶ୍ରେଣୀର ଚିତାବାଘ ନୁହନ୍ତି । ଏହା ଚର୍ମର ରଙ୍ଗ ପରିବର୍ତ୍ତନ ଏକ ଉଦାହରଣ । ଚିତାବାଘର ଥରକେ ଯେତେ ଛୁଆ ଛୁଅନ୍ତି, ସେମାନଙ୍କ ମଧ୍ୟରେ କ୍ଵଚିତ୍ ଗୋଟାଏ କଳାରଙ୍ଗର ହୋଇଥାଏ; ଅନ୍ୟମାନେ ସାଧାରଣ ଆକାରର ଓ ସାଧାରଣ ରଙ୍ଗର ହୋଇଥାନ୍ତି । ଶୁଣାଯାଏ ଯେ ମାଳୟ, ବର୍ମା, ଆସାମରେ ଏ ଜିଲ୍ଲା ଅପେକ୍ଷା ଅଧିକ ସଂଖ୍ୟାରେ କଳା ଚିତାବାଘ ଦେଖାଯାନ୍ତି । ଭାରତର ପଶ୍ଚିମଘାଟ ଅଞ୍ଚଳରେ ଗୋଟାଏ ଗୋଟାଏ କଳା ଚିତାବାଘ ଦେଖାଯାଇ ଅଛନ୍ତି ଓ ଶିକାର ହୋଇଅଛନ୍ତି । ଚିର ସବୁଜ ରଙ୍ଗର ଜଙ୍ଗଲ ମଧ୍ୟରେ ଲୁଚିବା ପାଇଁ ସୁବିଧା ହେବ ବୋଲି ଏମାନଙ୍କର ଏପରି କଳା ରଙ୍ଗ ହୋଇଥାଏ । ମୁଁ ଏହି ମତରେ ଖୁବ୍ ବିଶ୍ଵାସ କରେଁ । ଏହା ସଙ୍ଗେ ସଙ୍ଗେ ମୋର ଧାରଣା ହେଉଛି, କେବଳ ଦେହର ରଙ୍ଗରେ ପରିବର୍ତ୍ତନ ଘଟୁଥିବାରୁ, ଜଙ୍ଗଲର ରଙ୍ଗ ଯାହା ହେଉ ନା କାହିଁକି, ଯେଉଁଠାରେ ଚିତାବାଘ ରହନ୍ତି, ସେଠାରେ କଳା ଚିତାବାଘ ଦେଖାଯିବା ଅସମ୍ଭବ ନୁହେଁ । କିନ୍ତୁ ସେପରି ଚିତାବାଘ ଦେଖିବା ମୋର ଅନୁଭବରେ ଘଟିନାହିଁ । ମୋ ଜୀବନ କାଳରେ ମୁଁ ଆଉ ଗୋଟିଏ ମାତ୍ର କଳା ଚିତାବାଘକୁ ବନ୍ୟ ଅବସ୍ଥାରେ ଦେଖିଛି । ସେତେବେଳେ ସେ ଘାଟ ଅଞ୍ଚଳର ଫେନିଗ୍ରାମ ଓ ମୁଟୁର ମଧ୍ୟରେ କାବେରୀ ନଦୀ ପାଖରେ ଥିବା ରାସ୍ତାର ଗୋଟିଏ ପାଖରୁ ଆର ପାଖକୁ ଡେଇଁ ପଡ଼ୁଥିଲା । ସେତେବେଳକୁ ସମୟ ପ୍ରାୟ ସନ୍ଧ୍ୟା ଛଅଟା । କଳା ଚିତାବାଘ ହେଉଛି ପ୍ରକୃତିର–ଅଥବା ଜଙ୍ଗଲର–ଏକ ରହସ୍ୟ; ଏବେ ସୁଦ୍ଧା ଏହାର ସନ୍ତୋଷଜନକ କାରଣ ପ୍ରକାଶ ପାଇନାହିଁ ।

 

ଚିଡ଼ିଆଖାନାରେ ଥିବା କୌଣସି କଳା ଚିତାବାଘକୁ ଉତ୍ତମରୂପେ ନିରୀକ୍ଷଣ କଲେ ଦେଖିପାରିବ ଯେ ତାହାର କଳା ଲୋମ ତଳକୁ ସାଧାରଣ ଚିତାବାଘଙ୍କର ଯେପରି ଗୋଲାପ ଫୁଲ ଆକାରର ଚିହ୍ନଥାଏ, ସେହିପରି ଚିହ୍ନ ଥିବ; କିନ୍ତୁ ସେହି ଚିହ୍ନଗୁଡ଼ିକ ସ୍ପଷ୍ଟଭାବରେ ଦେଖି ହୁଏନାହିଁ ।

 

ଗୋରୁଜଗାଳି ସେହି କଳାଚିତାବାଘକୁ ଦେଖି ଗାଆଁକୁ ଆସି ଲୋକଙ୍କୁ ସେ କଥା କହିଲା । ସେ ଅଞ୍ଚଳର ଲୋକେ କେବେ କଳାଚିତାବାଘ ଦେଖି ନଥିଲେ କି ଏପରି ଚିତାବାଘ ଅଛନ୍ତି ବୋଲି ଶୁଣିନଥିଲେ । ତେଣୁ ଅଧିକାଂଶ ଲୋକ ତା କଥାକୁ ବିଶ୍ଵାସ କଲେନାହିଁ । କିନ୍ତୁ ଲୋକଟି ଚିତାବାଘକୁ ସ୍ଵଚକ୍ଷୁରେ ଦେଖିଥିବାରୁ ତାହାର ରଙ୍ଗ ବିଷୟରେ କୌଣସି ସନ୍ଦେହ ନଥିଲା-। ତେଣୁ ତାର ଧାରଣା ହେଲା ଯେ ସେ ଯାହାକୁ ଦେଖିଥିଲା ସେଇଟା ଗୋଟାଏ ସାଧାରଣ ଜୀଅନ୍ତା ଜୀବ ହୋଇ ନଥିବ । ସଇତାନ ତାଭଳି ଗାଉଁଲିଲୋକଙ୍କୁ ଭୟ ଦେଖାଇବା ପାଇଁ ଜଙ୍ଗଲରେ ନାନା ରୂପ ଧରିଥାଏ । ଏ କଳା ଚିତାବାଘ ସେଇ ସଇତାନର କାଣ୍ଡ ହୋଇଥିବ ।

 

କେତେ ସପ୍ତାହ ଚାଲିଗଲା । ସେହି ସମୟ ଭିତରେ କେହି କଳା ଚିତାବାଘକୁ ଦେଖିଲେ ନାହିଁ କି ତା ବିଷୟରେ କିଛି ଶୁଣାଗଲା ନାହିଁ । କ୍ରମେ ଲୋକେ ସେ ବିଷୟ ଭୁଲିଗଲେ ।

 

କେତେକ ମାସ ପରେ ଦିନେ ଦୁଇପହର ବେଳେ ଖୁବ୍ ଖରା ହୋଇଥାଏ । ପଲେଗୋରୁ ଆଖପାଖ ଗଛମୂଳେ ଶୋଇ ରହିଥିଲେ ବା କେହି କେହି ଘାସ ପାକୁଳି କରୁଥିଲେ । ଗୋଟିଏ ଗୋଟିଏ ଜାଗାରେ ଦୁଇଟାଠାରୁ ଛଅଟା ପର୍ଯ୍ୟନ୍ତ ଗୋରୁ ପାଖକୁ ପାଖ ଲାଗି ଶୋଇଥିଲେ । ଜଗାଳି ଦୁଇଜଣ ଘରୁ କିଛି ମାଣ୍ଡିଆ ପିଠା (Ragi) ଓ ତରକାରୀ ଗାମୁଛାରେ ବାନ୍ଧି ଆଣିଥିଲେ । ତାହାକୁ ଖାଇ ସେ ଦୁହେଁ ଆଉ ଗୋଟାଏ ଗଛମୂଳ ଛାଇରେ ପାଖକୁ ପାଖ ଲାଗି ଶୋଇ ପଡ଼ିଥିଲେ ।

 

ଈଷତ୍ ନୀଳବର୍ଣ୍ଣ ଆକାଶରୁ ସୂର୍ଯ୍ୟ ଅଗ୍ନିକଣାତୁଲ୍ୟ କିରଣ ବିଞ୍ଚି ଦେଉଥିଲେ ଓ ତାହା ପୃଥିବୀ ବକ୍ଷରେ ପ୍ରତିଫଳିତ ହୋଇ ଉତ୍ତାପର ମୃଦୁ କମ୍ପନ ସୃଷ୍ଟି କରୁଥିଲା । ଏହି ଶାନ୍ତିମୟ ପରିବେଶ ମଧ୍ୟରେ ଗୋରୁ ପଲଟି ଘୁମେଇ ଘୁମେଇ ବିଶ୍ରାମ ନେଉଥିଲେ । ସେମାନେ ଏହିପରି ଅସାବଧାନ ଥିଲାବେଳେ ଶିବାନୀ ପଲ୍ଲୀର କଳାଚିତାବାଘ ସେମାନଙ୍କ ଭିତରୁ ତାହାର ପ୍ରଥମ ଶିକାରଟିକୁ ନେଇଗଲା ।

 

ସେ ହଠାତ୍ ବାହାରିପଡ଼ି ଗୋଟିଏ କାଞ୍ଚିରଙ୍ଗର ଛଡ଼ାର ବେକରେ ଦାନ୍ତ ଲଗାଇଦେଲା-। ଛଡ଼ାଟି ସଙ୍ଗେ ସଙ୍ଗେ ଆକୁଳରେ ରଡ଼ି ଛାଡ଼ିଲା ଓ ଡିଆଁ ମାରିଲା । ଚିତାବାଘର ଦାନ୍ତ ତାର ବେକକୁ ଧରିଥିବାରୁ ସେ ଡେଇଁ ପଡ଼ିଲା ବେଳେ ଚିତାବାଘ ମଧ୍ୟ ଉପରକୁ ଉଠି ଯାଉଥାଏ ।

 

ଛଡ଼ାର ବିକଳ ରଡ଼ିରେ ଜଣେ ଗୋରୁ ଜଗାଳିର ନିଦ ଭାଙ୍ଗିଗଲା । ସେ ଯାହା ଦେଖିଲା ସେଥିରେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲା । ସେ ତାର ସଙ୍ଗୀକୁ ନିଦରୁ ଉଠାଇ କହିଲା–ଦେଖିଲୁ ସଇତାନ୍ କିପରି ଗୋଟାଏ ଅଦ୍ଭୁତ କାଳିଆ ରୂପ ଧରି ଗାଈର ରକ୍ତ ପିଇବାକୁ ଆସିଛି । ସେମାନେ ଚାହୁଁ ଚାହୁଁ ଛଡ଼ାଟା ତଳେ ପଡ଼ି ଗୋଡ଼ ଛାଟି ଛାଟି ମରିଗଲା । ସେତେବେଳେ ଯାଏ କଳାଚିତାବାଘ ତାର ତଣ୍ଟିକୁ ଦାନ୍ତରେ ଧରିଥାଏ । ଏହିପରି ଛଡ଼ାଟିର ପ୍ରାଣଗଲା; ଲୋକ ଦୁଇଜଣ ଛିଡ଼ା ହୋଇ ରହିଲେ ।

 

ସାଧାରଣତଃ ଦେଖାଯାଏ ଯେ ଚିତାବାଘ ଗୋରୁପଲ ଭିତରୁ ଗୋଟାକୁ ଆକ୍ରମଣ କଲେ ଜଗାଳିମାନେ ବଡ଼ ପାଟିକରି ଠେଙ୍ଗା ଉଠେଇ ଗାଈକୁ ରକ୍ଷା କରିବାକୁ ଧାଇଁ ଯାଆନ୍ତି । ଏହାଦ୍ଵାରା ସେମାନେ ପ୍ରକୃତରେ ଗୋରୁଟିର ଜୀବନ ରକ୍ଷା କରି ନ ପାରିଲେ ସୁଦ୍ଧା ଅନ୍ତତଃ ଚିତାବାଘ ମଲା ଗୋରୁକୁ ନେଇ ପଳାଇ ଯାଇପାରେ ନାହିଁ ।

 

କିନ୍ତୁ ଏହି ଘଟଣାରେ ଲୋକ ଦୁଇ ଜଣଙ୍କର ପାଟି କରିବାକୁ କିମ୍ବା ଠେଙ୍ଗାଧରି ଗୋଡ଼ାଇବାକୁ ସାହାସ ହେଲାନାହିଁ । ସେମାନେ କାଠଭଳି ଛିଡ଼ାହୋଇ ଚାହିଁରହିଲେ । ଏହି ସମୟରେ ଚିତାବାଘ ଗାଈର ବେକରୁ ମୁହଁ କାଢ଼ିନେଇ ସେମାନଙ୍କ ଆଡ଼କୁ ଅନାଇଲା । ଚିତାବାଘ ପାଖରୁ ପ୍ରାୟ ୫୦ ଗଜ ଦୂରରେ ଥିଲେ ହେଁ ସେମାନେ ସ୍ପଷ୍ଟଭାବରେ ଦେଖି ପାରିଲେ ଯେ ଗାଈର ବେକରୁ ଧାରଧାର ହୋଇ ରକ୍ତ ବୋହି ଆସି ଚିତାବାଘର କଳା ଲୋମ ଭିତରୁ ବାରି ହୋଇ ପଡ଼ୁଥିବା ତାର ତୁଣ୍ଡ ଚାରିପାଖକୁ ଗାଢ଼ ଲାଲରଙ୍ଗ କରି ଦେଇଅଛି ।

 

ସେ ଦୁହେଁ ଭୟକରି ଗାଁଆକୁ ପଳାଇଲେ ।

 

ଶିବାନୀପଲ୍ଲୀର ଯେଉଁ କେତେ ଜଣ ଏହି ଘଟଣା ଶୁଣିଲେ, ସେମାନେ ବଣକୁ ଯାଇ ମଲା ଛଡ଼ାକୁ ଆଣିବାପାଇଁ ଘୋର ଅନିଚ୍ଛା ପ୍ରକାଶ କଲେ । ସାଧାରଣ ଚିତାବାଘ ଗୋଟାଏ ଗୋରୁ ମାରିଥିଲେ ସେମାନେ ନିଶ୍ଚୟ ବଣକୁ ଯାଇ ମଡ଼ାକୁ ଗାଁଆକୁ ଆଣିଥାନ୍ତେ; କିନ୍ତୁ ଗୋଟାଏ ଅଦ୍ଭୁତ ଆକାରର କଳା ଚିତାବାଘ ପରି ଜୀବର କଥା ଶୁଣି ସେମାନଙ୍କର ଭୟ ହୋଇଗଲା । ଏଥି ପୂର୍ବରୁ ଜଣେ ଗୋରୁଜଗାଳିଠାରୁ ସେମାନେ ଶୁଣିଥିଲେ ଯେ ସେ ବଣ ଭିତରେ ଗାଡ଼ିଆ ପାଖରେ ଗୋଟାଏ ହାଣ୍ଡିକଳା ରଙ୍ଗର କଳା ଚିତାବାଘ ଦେଖିଥିଲା । ସହଜେ ସେମାନେ ଗାଉଁଲି ଲୋକ । ସେମାନେ ଭାବିଥିଲେ, ଲୋକଟା କଅଣ ଦେଖି ଅତି ରଞ୍ଜନ କରି କହୁଛି । କିନ୍ତୁ ଉପସ୍ଥିତ ଘଟଣାରେ ଦୁଇଜଣ ଲୋକ, ଦୁହେଁ ଏକା କଥା କହୁଛନ୍ତି । ଏଥିରେ କିଛି ସତ୍ୟ ଥାଇପାରେ ପରା !

 

ସେହିଦିନଠାରୁ କଳା ଚିତାବାଘ ନିୟମିତ ଭାବରେ ଗାଁଆର ଜନ୍ତୁମାନଙ୍କ ଭିତରୁ ତାର ଭାଗ ଆଦାୟ କରିବାକୁ ଲାଗିଲା । ଅନେକ ଲୋକ ଅନେକ ଥର ତାକୁ ଦେଖିବାକୁ ପାଇଲେ । ତେଣୁ ଗ୍ରାମର ଲୋକଙ୍କ ମନରେ ତାର ଅସ୍ତିତ୍ଵ ଓ ତାର କଳା ରଙ୍ଗ ବିଷୟରେ ଆଉ କୌଣସି ସନ୍ଦେହ ରହିଲାନାହିଁ ।

 

ଗୋରୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଫଳରେ ଗ୍ରାମବାସୀମାନେ ଭଲଭାବରେ ଜାଣିଗଲେ ଯେ ଜଙ୍ଗଲରେ ଗୋଟାଏ ଚିତାବାଘ ରହି ଉପଦ୍ରବ କରୁଛି । ଏଣିକି ସେମାନେ ପୂର୍ବଭଳି ଆଳସ୍ୟପରାୟଣ ଓ ଅନାସକ୍ତ ହୋଇ ରହିପାରିଲେ ନାହିଁ । ସେମାନେ ଖୁବ୍ ସାବଧାନ ହୋଇ ଚଳିବାକୁ ଲାଗିଲେ । ଶେଷରେ ଏପରି ଏକ ଅବସ୍ଥା ପହଞ୍ଚିଲା ଯେ ଗାଈ ଗୋରୁମାନଙ୍କୁ ଚରିବାପାଇଁ ଗାଁପାଖରୁ ପାଏ (ଦୁଇ ଫର୍ଲଙ୍ଗ) ଠାରୁ ଅଧିକ ଦୂରକୁ ଛାଡ଼ିବା ସମ୍ଭବ ହେଲାନାହିଁ ।

 

ଏଣେ କଳା ଚିତାବାଘ ଦେଖିଲା ଯେ ଶିବାନୀପଲ୍ଲୀଆଡ଼ୁ ତାର ଖାଦ୍ୟ ମିଳିବାର ରାସ୍ତା ବନ୍ଦ । ତେଣୁ ସେ ତାର ଚରିବାର ସୀମା ବିସ୍ତୃତ କରିବାକୁ ଲାଗିଲା । ଆଞ୍ଚେଟିରୁ ଦକ୍ଷିଣ ପଶ୍ଚିମକୁ ଏବଂ ଗୁଲହାଟି ଓ ଆୟୁରରୁ ପୂର୍ବକୁ ଗୋରୁପଲମାନେ ଚରିବାକୁ ଆସୁଥିଲେ । ଚିତାବାଘ ଏବେ ଏହି ପଲମାନଙ୍କରୁ ଗୋଟିଏ ଗୋଟିଏ କରି ମାରି ଖାଇଲା । ଶାଲିଭରମ୍ ଗାଁଆଟି ହେଉଛି ଶିବାନୀପଲ୍ଲୀର ଉତ୍ତରରେ ଓ ରକ୍ଷିତ ଜଙ୍ଗଲର ବାହାରେ । ଦିନେ ସେ ଚିତାବାଘ ସେହି ଗ୍ରାମରୁ ଗୋଟାଏ ବଡ଼ ଗଧ ନେଇଗଲା । ଦିନକୁ ଦିନ ତାର ସାହସ ବଢ଼ିଲା ।

 

ଠିକ୍ ଏହି ସମୟରେ ମୁଁ ମୋର ଜଣେ ବନ୍ଧୁଙ୍କୁ ସଙ୍ଗରେ ଘେନି ଶିବାନୀପଲ୍ଲୀକୁ ବୁଲି ଯାଇଥିଲି । ସେଦିନ ରବିବାର ହୋଇଥାଏ । ଆମେ ଦିନର ଖିଆପିଆ ସାରିଗଲୁ । ସନ୍ଧ୍ୟାବେଳେ ଜଙ୍ଗଲରେ ବୁଲିବା ଓ ସୁବିଧା ମିଳିଲେ ରାତିର ତରକାରି ପାଇଁ ଗୋଟାଏ ଦୁଇଟା ବଣ କୁକୁଡ଼ା ବା ହରଡ଼ ଚଢ଼େଇ ମାରି ଆଣିବା ଆମର ଉଦ୍ଦେଶ୍ୟ ଥିଲା । କଳା ଚିତାବାଘର ଆବିର୍ଭାବ ଓ ତାର କାର୍ଯ୍ୟକଳାପ ବିଷୟ ଶୁଣି ମୋର ଖୁବ୍ ଆଗ୍ରହ ଜାତହେଲା । ଏ ପର୍ଯ୍ୟନ୍ତ ମୁଁ ଗୋଟିଏ ମାତ୍ର କଳା ଚିତାବାଘ ଚିଡ଼ିଆଖାନା ବାହାରେ ଦେଖିଥିଲି । ସମ୍ଭବପର ହେଲେ ଏହି ଚିତାବାଘକୁ ମାରିବାପାଇଁ ମୁଁ ମନେମନେ ପ୍ରତିଜ୍ଞା କଲି ।

 

ମୁଁ ଗ୍ରାମବାସୀମାନଙ୍କୁ ଜଣାଇ ଦେଲି ଯେ ଏଥର ଚିତାବାଘ ଯେଉଁ ଜନ୍ତୁକୁ ମାରିବ, ତାକୁ ଠିକ୍ ସେହିପରି ରଖାଇ ମୋତେ ଖବର ଦେଲେ ମୁଁ ସେ ଜନ୍ତୁର ପୂରା ଦାମ୍ ଦେବି । ଚିତାବାଘ କୌଣସି ଜନ୍ତୁକୁ ମାରିଲେ ହୋସୁର କାଟୁଲ ଫାର୍ମକୁ ବସ୍‍ରେ ଯାଇ ତାହା ନିକଟରେ ଥିବା ଟେଲିଗ୍ରାଫ୍ ଅଫିସରୁ ମୋ ପାଖକୁ ବାଙ୍ଗାଲୋର ଠିକଣା ତାର ଖବର ପଠାଇବାକୁ ହେବ । ଯେଉଁ ଯେଉଁ ଜାଗାରେ ଚିତାବାଘ ଶିକାର କରିଥିଲା, ସେ ସବୁ ଜାଗାରେ ମଧ୍ୟ ଏହା ପ୍ରଚାର କରିବାକୁ ମୁଁ ସେଠା ଗ୍ରାମବାସୀଙ୍କୁ ଜଣାଇଦେଲି । ପରିଶେଷରେ ଲୋକଙ୍କ ମନରେ ବିଶେଷ ଉତ୍ସାହ ସୃଷ୍ଟି କରିବା ନିମନ୍ତେ ମୁଁ ସେମାନଙ୍କୁ ଗୋଟାଏ ଲୋଭ ଦେଖାଇ କହିଲି–ଖାଲି ଏତିକି ନୁହେଁ, ମୁଁ ତ ସେ ମଲା ଜନ୍ତୁର ଦାମ ଦେବି, ତା ଛଡ଼ା ଯିଏ ମୋର ଉପଦେଶକୁ ଅକ୍ଷରେ ଅକ୍ଷରେ ମାନି କାମ କରିଥିବ ତାକୁ ପଚାଶ ଟଙ୍କା ନଗଦ ବକ୍‌ସିସ ଦେବି ।

 

ଦୁଇତିନି ଦିନ ଭିତରେ ଖବର ପାଇବି ବୋଲି ମୋର ଆଶା ଥିଲା । ତେଣୁ ବାଙ୍ଗାଲୋରରେ ପହଞ୍ଚିଲା ମାତ୍ରେ ମୁଁ ମୋର ଚାରପାୟୀ–ମଞ୍ଚା ଓ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ କରି ରଖିଲି ଯେପରିକି ଟେଲିଗ୍ରାମ ପାଇବାର ଅଳ୍ପ କେତେ ମିନିଟ୍ ଭିତରେ ବାହାରିପାରିବି । କିନ୍ତୁ ଖବର ପାଇବା ବେଳକୁ ପନ୍ଦର ଦିନ ଯାଇଥିଲା । ସେଥିରେ ପୁଣି ଖବର ପହଞ୍ଚିବାରେ ଡେରି ହୋଇଗଲା । ତାର ଅର୍ଥ, ଠିକ୍ ଚାରିଟା ପୂର୍ବରୁ ମୁଁ ଟେଲିଗ୍ରାମ ପାଇଲି ଚାରିଟା ପନ୍ଦର ମିନିଟରେ ଗାଡ଼ି ବସି ଶିବାନୀପଲ୍ଲୀରେ ପହଞ୍ଚିଲା ବେଳକୁ ରାତି ସାତଟା ବାଜି ପନ୍ଦର ମିନିଟ୍ । ଅନ୍ଧାର ମାଡ଼ି ଆସିଥିଲା ।

 

ମୁଁ ଦେଖିଲି, ଟେଲିଗ୍ରାମଟି ସେହିଦିନ ଉପର ବେଳା ଦେଢ଼ଟା ବେଳେ ହୋସୁଲ କାଟଲ ଫାର୍ମ ଅଫିସରେ ଦିଆଯାଇଥିଲା । ସହଜେ ଏ ଏକ ଡେରି; ସେଥିରେ ପୁଣି ଏହା ସାଧାରଣ ଟେଲିଗ୍ରାମ ଭାବରେ ପଠା ଯାଇଥିବାରୁ ବାଙ୍ଗାଲୋରରେ ଏହା ମୋତେ ମିଳିବାରେ ବି କିଛି ବିଳମ୍ବ ହୋଇଯାଇଥିଲା । ଶିବାନିପଲ୍ଲୀ ଲୋକଙ୍କୁ ମୁଁ କହି ଯାଇଥିଲି–ଏକ୍‌ସପ୍ରେସ୍ ଟେଲିଗ୍ରାମ କରିବ, ସାଧାରଣ ଟେଲିଗ୍ରାମ କରିବନାହିଁ । କିନ୍ତୁ ସେମାନେ ସାଧାରଣ ଟେଲିଗ୍ରାମରେ ଖବର ପଠାଇଥିଲେ ।

 

ଶିବାନୀପଲ୍ଲୀର ରଙ୍ଗସ୍ଵାମୀ ନାମରେ ଜଣେ ଭଦ୍ରଲୋକ ବାସ କରୁଥିଲେ । ଏଥି ପୂର୍ବରୁ ସେ ଦୁଇ ତିନିଥର ମୋତେ ଶିକାରରେ ସାହାଯ୍ୟ କରିଥିଲେ । ଏଥର ସେହି ଭଦ୍ରଲୋକ ମୋ ପାଖକୁ ଟେଲିଗ୍ରାମ ପଠାଇଥିଲେ । ତାଙ୍କ ଟେଲିଗ୍ରାମର ମର୍ମ ଥିଲା–ଗୋରୁମାନେ ଚରିବା ପାଇଁ ଗ୍ରାମରୁ ଯିବାପରେ ଆଜି ଦଶଟାବେଳେ ଚିତାବାଘ ଗୋଟାକୁ ମାରିଚି । ଗୋରୁ ଜଗାଳିକୁ ଗୋରୁର ଦାମ୍ ଛଡ଼ା ବକସିସ୍ ମିଳିବ ବୋଲି ଜଣାଥିବାରୁ ସେ ମଡ଼ାକୁ ଇତସ୍ତତଃ ନକରି ଗାଁଆରେ ଖବର ଦେଲା । ମୁଁ ସେ ଖବର ଶୁଣି ସଙ୍ଗେ ସଙ୍ଗେ ଢେଙ୍କନିକୋଟାଯାଏ ଯାଇ ସେଠାରେ ବାରଟା ପନ୍ଦର ମିନିଟରେ ବସ୍ ପାଇ ହୋସୁର କାଟଲ ଫାର୍ମରେ ଦିନ ଗୋଟାଏ ବେଳେ ପହଞ୍ଚି ଟେଲିଗ୍ରାମ କଲି ।

 

ଯଥାସମ୍ଭବ ଶୀଘ୍ର ସମ୍ବାଦ ପଠାଇ ଥିବାରୁ ମୁଁ ରଙ୍ଗସ୍ଵାମୀ ଓ ଗୋରୁଜଗାଳି ଦୁହିଁଙ୍କୁ ପ୍ରଶଂସା କଲି । ଏବେ ମୋତେ ଦୁଇଟି ମଧ୍ୟରୁ ଗୋଟିଏ ପନ୍ଥା ଅନୁସରଣ କରିବାକୁ ହେବ । ହୁଏତ ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ମଡ଼ାପାଖକୁ ଯିବି । ଚିତାବାଘ ମଡ଼ାପାଖରେ ବା ନିକଟ ଜଙ୍ଗଲରେ ଥିବ । ତାକୁ ମାରିବି କିମ୍ବା ତା ଆରଦିନ ସନ୍ଧ୍ୟାବେଳେ ମଞ୍ଚାରେ ବସି ଚିତାବାଘକୁ ଅପେକ୍ଷା କରିବି-। ପ୍ରଥମ ପନ୍ଥାଟି ନିତାନ୍ତ ଅନିଶ୍ଚିତ କାରଣ ଚିତାବାଘ ମଡ଼ାପାଖରେ ଯେ ଥିବ ତାର କି ସ୍ଥିରତା ଅଛି-? ଅନ୍ୟ ପକ୍ଷରେ ପୂରା ଚବିଶ ଘଣ୍ଟା କାଳ କିଛି କାମନକରି ହାତଗୋଡ଼ ବାନ୍ଧି ବସିରହିବାର ଯୁକ୍ତିଯୁକ୍ତ କାରଣ ମଧ୍ୟ ଦେଖି ପାରିଲି ନାହିଁ ।

 

କେଉଁଠାରେ ଚିତାବାଘ ଶିକାର କରିଛି, ତାର ସନ୍ଧାନ ନେଇ ବୁଝିଲି ଯେ ସେ ସ୍ଥାନଟା ହେଉଛି ଗାଁଆର ପଶ୍ଚିମ ଦିଗରେ, ଅଧମାଇଲରୁ କମ୍ ଦୂରରେ । ସେଠାରୁ ଭୂମି ଖୁବ୍ ଗଡ଼ାଣିଆ ହୋଇ ପ୍ରାୟ ତିନିମାଇଲ ଦୂରରେ ଥିବା ଏକ ଛୋଟ ନଈ ପର୍ଯ୍ୟନ୍ତ ଯାଇଅଛି । ଦୂରତା ଖୁବ୍ କମ୍ ଜଣାଗଲା । ତେଣୁ ମୁଁ ରଙ୍ଗସ୍ଵାମୀ ଓ ସେହି ଗୋରୁଜଗାଳିଙ୍କୁ କହିଲି–ତୁମେ ଦୁହେଁ ମଡ଼ା ପଡ଼ିଥିବା ଜାଗାକୁ ଯିବାପାଇଁ ପାଏ ବାଟ ସଙ୍ଗରେ ନେଇ ସେଣିକି ସେ ଜାଗାକୁ ଯିବାର ବାଟ ଖାଲି ଦେଖାଇ ଦିଅ । ତାହାହେଲେ ଚିତାବାଘ ଆଜି ରାତିରେ ମଡ଼ାକୁ ଖାଇବା ପାଇଁ ଆସିଲେ ମୁଁ ତାକୁ ମାରିପାରିବି ।” ଅଧବାଟ ଯାଏ ଗଲେ ତେଣିକି ମୁ ମୋ ନିଜ ଶ୍ରବଣ ଶକ୍ତି ଓ ବିଚାର ବୁଦ୍ଧିରେ ମଡ଼ାପାଖକୁ ଯାଇ ପାରିବି ବୋଲି ମୋର ବିଶ୍ଵାସ ଥିଲା । ସେ ଦୁହେଁ ମୋ ପ୍ରସ୍ତାବରେ ରାଜି ନହୋଇ ଆରଦିନ ସନ୍ଧ୍ୟାଯାଏ ଅପେକ୍ଷା କରିବାକୁ ଦୃଢ଼ ଯୁକ୍ତି ପ୍ରକାଶ କଲେ କିନ୍ତୁ ମୁଁ ଯେ କୌଣସି ମତେ ସେହି ରାତିରେ ଚିତାବାଘକୁ ମାରିବାର ଚେଷ୍ଟା କରିବି ବୋଲି ଜିଦ୍ ଧରିଲି ।

 

ଆମ ଭିତରେ ଏହି ସବୁ କଥାବାର୍ତ୍ତା ସରିଲା ବେଳକୁ ଆଠଟା ବାଜିବାକୁ ମୋଟେ ଦଶ ମିନିଟ୍ ବାକି ଥାଏ । ସେତେବେଳକୁ ହୁଏତ ଚିତାବାଘ ଆସି ମଡ଼ାକୁ ଖାଉଥିବ । ନଷ୍ଟ କରିବାପାଇଁ ଆଉ ବେଳ ନଥିଲା । ମୋର ଟର୍ଚ୍ଚ ଲାଇଟରେ ତିନୋଟି ବାଟେରୀ ପକାଇ ଏହାର ଆଲୁଅ ଠିକ୍ ଏକ ଜାଗାରେ ପଡ଼ୁଛି କି ନା ପରୀକ୍ଷା କରିନେଲି ଓ ତାକୁ ମୋ ରାଇଫଲରେ ଖଞ୍ଜି ଦେଲି । ରାତିରେ ଅନ୍ଧାରରେ ଜଣା ନ ପଡ଼ିବ ବୋଲି ଏହି ଟର୍ଚ୍ଚଲାଇଟ୍ ଉପରେ କଳାରଙ୍ଗ ଦିଆଯାଇଥିଲା । ପକେଟରେ ତିନୋଟି ସେଲ୍ ଓ ଚାରୋଟି ଅଧିକ ଗୁଳି ପୂରାଇଲି । ରାଇଫେଲରେ ତିନୋଟି ଗୁଳି ଭର୍ତ୍ତିକଲି ଓ ଗୋଟିଏ ମୋର ବ୍ରିଚ୍ (breech) ପୋଷାକ ପକେଟରେ ପୂରାଇଲି । ମୋର .୪୦୫ ନମ୍ବର ଉଇଞ୍ଚେଷ୍ଟର ରାଇଫେଲରେ ଚାରିଟି ଗୁଳି ରହିବାର ବ୍ୟବସ୍ଥା ଥିଲେହେଁ ମୁଁ ସବୁବେଳେ ଗୋଟିଏ କମ୍‍କରି ତିନୋଟି ଗୁଳି ଭର୍ତ୍ତି କରିଥାଏଁ । ଏପରି କରିବାର କାରଣ ହେଉଛି, ରାଇଫେଲରେ ପୁଣି ଗୁଳି ଭର୍ତ୍ତି କଲାବେଳକୁ ଯଦି under leverକୁ ଖୁବ୍ ଶୀଘ୍ର ଚଳାଯାଏ ତେବେ ଗୁଳି ପଶିବାକୁ ସ୍ଥାନ ଅଣ୍ଟିବ ନାହିଁ । ଶେଷରେ ମୁଁ ପାଦରୁ ବୁଟ୍ ଖୋଲି ବାହାର କରିଦେଲି ଓ ରବର ଦିଆ ମାଟିଆ ଜୋତା ପିନ୍ଧିଲି । ଏହାଦ୍ଵାରା ମୁଁ ନିଃଶବ୍ଦରେ ଯାଇପାରିବି । ମୁଁ ଖାକି ପ୍ୟାଣ୍ଟ ଓ ଖାକି କମିଜ ପିନ୍ଧିଥିଲି । ତାକୁ ବଦଳାଇ ମୁଁ କଳାରଙ୍ଗର ପ୍ୟାଣ୍ଟ ଓ କମିଜ ପିନ୍ଧିଲି । ସାଧାରଣତଃ ମଞ୍ଚାରେ ବସିଲାବେଳେ ମୁଁ ଏହି କଳା ରଙ୍ଗର ପ୍ୟାଣ୍ଟ ଓ କମିଜ ବ୍ୟବହାର କରିଥାଏଁ ।

 

ରଙ୍ଗସ୍ଵାମୀ ଓ ଗୋରୁ ଜଗାଳି ମୋ ସଙ୍ଗରେ ଗୋଟିଏ ଶୁଖିଲା ଛୋଟ ନଈଯାକେ ଗଲେ । ସେହିଠାରୁ ଗୋରୁ ଜଗାଳି ମୋତେ କହିଲା–ଏ ନଈ ଠିକ୍ ପଶ୍ଚିମ ଦିଗକୁ ସିଧା ଯାଇଛି; ବାଟରେ ଦୁଇଟି ଯାଗାରେ ଟିକିଏ ବାଙ୍କ ପଡ଼ିବ । ଏଇବାଟେ ଗଲେ ଚିତାବାଘ ଶିକାର କରିଥିବା ଜାଗା ଦେଖାଯିବ । ସେ ଆହୁରି କହିଲା ଯେ ନଈର ଦ୍ଵିତୀୟ ବାଙ୍କର ଉତ୍ତରକୁ ପ୍ରାୟ ଦୁଇଶହ ଗଜ ଜଙ୍ଗଲ ଭିତରକୁ ଚିତାବାଘ ମଡ଼ାକୁ ଟାଣିନେଇଛି ।

 

ସେମାନେ ବର୍ଣ୍ଣନା ଦେଲେ ସେଥିରୁ ମୁଁ ବାଟର ଏକ ସ୍ପଷ୍ଟ ଧାରଣା ପାଇଲି । ନଈର ବାଙ୍କ ଜାଗା ଦୁଇଟି ଯୋଗୁଁ ସେମାନେ ମୋତେ ଏଭଳି ସ୍ପଷ୍ଟ ନିର୍ଦ୍ଦେଶ ଦେଇପାରିଥିଲେ । ସେହିଠାରୁ ମୁଁ ସେ ଦୁହିଁଙ୍କୁ ବିଦାୟ ଦେଇ କହିଲି–ମୁଁ ଏକୁଟିଆ ଶିବାନୀପଲ୍ଲୀକୁ ଫେରି ଆସି ପାରିବି ।

 

ଏଣିକି ମୁଁ ନିଜ ଉଦ୍ୟମରେ ଲାଗି ପଡ଼ିଲି ।

 

ଏହି ଶୁଖିଲା ନଈର କୌଣସି କୂଳରେ ନଯାଇ ନଈଭିତରେ ଯିବା ବିଜ୍ଞତାର କାର୍ଯ୍ୟହେବ ବୋଲି ମୁଁ ମନେକଲି । ନଈଭିତରେ ନିଃଶବ୍ଦରେ ଯାଇହେବ । ଦୈବାତ୍ ମୁଁ କୌଣସି ଶବ୍ଦ କଲେ ସୁଦ୍ଧା ତାହା ଉଚ୍ଚକୁ ଉଠି ଚିତାବାଘକୁ ଶୁଣାଯିବ ନାହିଁ । ଦ୍ଵିତୀୟତଃ, ନଈ ଭିତର ବାଲିରେ ଚାଲିଲେ ବାଟ ଦେଖିବା ପାଇଁ ଟର୍ଚ୍ଚ ଜାଳିବାର ଆବଶ୍ୟକତା ପଡ଼ିବ ନାହିଁ । ନଈବନ୍ଧ ଉପରେ ଗଲେ ବୁଦାଗହଳିରେ ଅନ୍ଧାରରେ ଯିବାକୁ ପଡ଼ିବ; ସେଥିରେ ପୁଣି ଆକାଶରେ ମେଘ ଢାଙ୍କିଛି; ଗୋଟିଏ ସୁଦ୍ଧା ତାରା ଦେଖାଯାଉ ନାହିଁ । ତେଣୁ ସେହି ବାଟେ ଗଲେ ମୋତେ ଅଗତ୍ୟା ଟର୍ଚ୍ଚ ଜାଳିବାକୁ ପଡ଼ନ୍ତା ।

 

ଏହିସବୁ କାରଣରୁ ମୁଁ ନଈବାଲି ଉପରେ ଚାଲିଲି । ଅଳ୍ପ ସମୟପରେ ନଈର ପ୍ରଥମ ବାଙ୍କ ପଡ଼ିଲା । ଏହି ବାଙ୍କଟି ସାମାନ୍ୟ ଦକ୍ଷିଣ–ପଶ୍ଚିମ ଦିଗକୁ । ଏହାପରେ ନଈ ପୁଣି ଉତ୍ତର ଦିଗକୁ ଯାଇଛି । ଆଉ ଟିକିଏ ଦୂର ଯିବାପରେ ନଈଟି ସିଧା ପୂର୍ବଦିଗକୁ ଗତିକରିଛି । ଗୋରୁ ଜଗାଳି ଯେଉଁ ଦୁଇଟି ବାଙ୍କ କଥା କହିଥିଲା, ସେଥିରୁ ପ୍ରଥମଟି ପାର ହୋଇଗଲି ।

 

ଅଳ୍ପ ସମୟପରେ ଦ୍ଵିତୀୟ ବାଙ୍କଟି ପଡ଼ିଲା; କିନ୍ତୁ ଏଠାରେ ଏହା ଉତ୍ତର ଦିଗକୁ ବଙ୍କେଇ ଥିଲା । କାଳେ କୌଣସି ପଥର ବା ମୁଣ୍ଡିଆରେ ଝୁଣ୍ଟି ପଡ଼ିବି ଓ ତାହା ଫଳରେ ଶବ୍ଦ ହେବ ଏହି ଭୟରେ ମୁଁ ଅତି ସାବଧାନରେ ଚାଲୁଥାଏଁ । ଗୋରୁଜଗାଳି କଥାରୁ ମୁଁ ଜାଣିଥିଲି ଯେ ମଡ଼ାଟା ସେଠାରୁ ପ୍ରାୟ ତିନିଶହ ଗଜ ଦୂରରେ ଥିବ, କିନ୍ତୁ ଯଦି ଚିତାବାଘଟା ମଡ଼ାକୁ ଖାଉନଥାଏ, ତେବେ ତାର ଆଖପାଖରେ ଥିବ । ମୋର ସାମାନ୍ୟ ଶବ୍ଦ ଶୁଣିଲା ମାତ୍ରେ ସେ ପଳାଇ ଯିବା ଖୁବ୍ ସମ୍ଭବ । ତେଣୁ ମୁଁ ଖୁବ୍ ସାବଧାନରେ ଯାଇଥିଲି ।

 

ମୋର ଭାଗ୍ୟକୁ ନଈର ଶଯ୍ୟାରେ କୌଣସି ପଥର ବା ବୁଦାନଥିଲା; ତେଣୁ ମୁଁ ନିଃଶବ୍ଦରେ ଯାଇ ପାରୁଥିଲି । କିଛି ଦୂର ଯିବାପରେ ଦେଖିଲି ନଈ ଆଉ ଉତ୍ତରଦିଗକୁ ନଯାଇ ଦକ୍ଷିଣ ଦିଗକୁ ବଙ୍କେଇ ଯାଇଛି । କେତେଗଜ ଦୂରଯାଏ ଦକ୍ଷିଣକୁ ଯାଇ ଏହାପୁଣି ତାର ପଶ୍ଚିମ ଦିଗରେ ଯାଇଛି ।

 

ଏହିଠାରୁ ମୁଁ ଛିଡ଼ାହୋଇ ରହିଲି । ମୁଁ ଶୁଣିଥିଲି ଯେ ଚିତାବାଘ ଏହିଠାରେ ଗାଈଟିକୁ ମାରି ଉତ୍ତରଦିଗକୁ ପ୍ରାୟ ଦୁଇଶହ ଗଜ ଘୋଷାଡ଼ି ବଣ ଭିତରକୁ ନେଇ ଯାଇଥିଲା । ବର୍ତ୍ତମାନ ନଦୀ ଶଯ୍ୟାରୁ ବାହାରି ବୁଦାଗହଳିରେ ପଶି ମଡ଼ା କେଉଁଠାରେ ପଡ଼ିଛି ଓ ଚିତାବାଘ କେଉଁଠି ଅଛି ମୋତେ ତାହା ସ୍ଥିର କରିବାକୁ ହେବ । ମୋର ଆଶା ଥିଲା ଯେ ଚିତାବାଘ ମଡ଼ା ଖାଉଥିବାବେଳେ ମୁଁ ହଠାତ୍ ତାକୁ ଶିକାର କରିବି । ସେହି ଘୋର ଅନ୍ଧାର ଭିତରେ ମୁଁ କେବଳ ମୋର ଶ୍ରବଣଶକ୍ତି ଉପରେ ନିର୍ଭରକରି କାର୍ଯ୍ୟ କରୁଥିଲି ।

 

ମୁଁ ପାଦ ଅଗରେ ଭରାଦେଇ ନଈର ଉତ୍ତରପାଖ ବନ୍ଧକୁ ଉଠିବାକୁ ଚେଷ୍ଟାକଲି । ଏଠାରେ ନଈକୂଳଟା ଛାତିଏ ଉଚ୍ଚ ହେବ । ମୁଁ ଆଗେ ମୋ ରାଇଫଲକୁ କୂଳ ଉପରେ ରଖିଲି । ଛାତି ଉପରେ ଦୁଇହାତକୁ ରଖି ମନଦେଇ ଶୁଣିବାକୁ ଲାଗିଲି ।

 

ପାଞ୍ଚ ମିନିଟଯାଏ କୌଣସି ପ୍ରକାର ଶବ୍ଦ ଶୁଣାଗଲା ନାହିଁ । ହୁଏତ ସେତେବେଳକୁ ଚିତାବାଘ ମଡ଼ାକୁ ଖାଉଥିଲା; କିନ୍ତୁ ବେଶି ଦୂରରେ ଥିବାରୁ ମୁଁ ତାର ଶବ୍ଦ ଶୁଣି ପାରୁନଥିଲି; କିନ୍ତୁ ଏସବୁ ମୋର କଳ୍ପନା ମାତ୍ର ।

 

ହାତ ଉପରେ ସମସ୍ତ ଭାରା ରଖି ମୁଁ ଧୀରେ ନଈକୂଳ ଉପରକୁ ଉଠିଗଲି । ସେତେବେଳେ ମୁଁ କୌଣସି ଶବ୍ଦ କରିନଥିଲି । ତାହାପରେ ରାଇଫେଲକୁ ଧରି ମୁଁ ଧୀରେ ଧୀରେ ଅଗ୍ରସର ହେବାକୁ ଲାଗିଲି । ଘନ ଅନ୍ଧକାର ହୋଇଥିଲେ ହେଁ ମୋର ଭୟ ହୋଇ ନଥିଲା । କାରଣ ଚିତାବାଘଟା ମଣିଷଖିଆ ନୁହେଁ; କେବେ କୌଣସି ମନୁଷ୍ୟକୁ ଆକ୍ରମଣ କରିଥିବାର ଶୁଣାଯାଇନାହିଁ । ତେଣୁ ସେ ମୋତେ ଦେଖିଲେ ସୁଦ୍ଧା ତାକୁ ଭୟକରିବାର କାରଣ ନଥିଲା । ତଥାପି ଏ ସାଧାରଣ ଚିତାବାଘ ନୁହେଁ; କଳା ଚିତାବାଘ । ଏପରି କଳା ଚିତାବାଘ ସମ୍ବନ୍ଧରେ ଏହା ମୋର ପ୍ରଥମ ଅନୁଭୂତି । ମୁଁ ଶୁଣିଥିଲି ଯେ କଳା ଚିତାବାଘ ଭାରି ବିପଜ୍ଜନକ ଓ ଆକ୍ରମଣ କରିବାକୁ ଆଗଭର । ସତକଥା କହିବାକୁ ଗଲେ ସ୍ଵୀକାର କରିବି ଯେ ମୁଁ ସାହସ ହରାଇ ଦେଇଥିଲି ।

 

ଧୀରେ ଧୀରେ ପାଦପକାଇ କେତେ ଗଜ ଯିବାପରେ ଛିଡ଼ା ହୋଇ କାଳେ ଚିତାବାଘ ମଡ଼ା ଖାଉଥିବାର ଶବ୍ଦ ଶୁଣାଯିବ ବୋଲି ମୁଁ କାନ ଡେରି ରହୁଥିଲି । ଏହିପରି ରହି ରହି ପ୍ରାୟ ୭୫ ଗଜ ଯିବାପରେ ମୁଁ ଛିଡ଼ାହୋଇଯାଇ ଶୁଣିବାକୁ ଚେଷ୍ଟାକଲି । ମୋତେ ଜଣାଗଲା, ସାମନାଆଡ଼ୁ ଟିକିଏ ଡାହାଣ ପାଖରୁ ଗୋଟାଏ ଅତି କ୍ଷୀଣ ଶବ୍ଦ ଶୁଣାଯାଉଛି । ମୁଁ ପୁଣି ଶୁଣିବାକୁ ଚେଷ୍ଟାକଲି କିନ୍ତୁ ସେ ଶବ୍ଦ ଆଉ ଶୁଣାଗଲା ନାହିଁ ।

 

ମୋ ଚାରିପାଖେ ଗଛ ବୁଦା ପୂର୍ଣ୍ଣ ହୋଇଥିଲା । ଲଟାବୁଦା ଭିତରେ ଗଲାବେଳକୁ ମୁଁ ଯେତେ ଚେଷ୍ଟା କଲେ ସୁଦ୍ଧା ସାମାନ୍ୟ ଶବ୍ଦ ହେଉଥିଲା । ପାଦ ପକାଇଲା ବେଳକୁ ମଧ୍ୟ ସେହିପରି ସାମାନ୍ୟ ଶବ୍ଦ ହେଉଥିଲା । ଶବ୍ଦ ନ ହେବ ବୋଲି ମୁଁ ପାଦକୁ ସାମାନ୍ୟ ଉଠାଇ ଘୋଷାଡ଼ି ନେଉଥିଲି; ତଥାପି ଯେ ଆଦୌ ଶବ୍ଦ ହେଉନଥିଲା, ତାହା କହି ହେବବାହିଁ । ଏପରି କରିବାର ଦୁଇଟି ଉଦ୍ଦେଶ୍ୟ ଥିଲା । ପ୍ରଥମତଃ ଏହା ଦ୍ଵାରା ଶବ୍ଦ ପ୍ରାୟ ହେବନାହିଁ, ଦ୍ଵିତୀୟତଃ ଚିତାବାଘ ପାଖରେ ଥିଲେ ମୋ ପାଦର କ୍ଷୀଣ ଶବ୍ଦକୁ ମନୁଷ୍ୟର ପାଦଶବ୍ଦ ବୋଲି ଜାଣିପାରିବନାହିଁ । ସେ କେବେ ହେଲେ ଘୋଷଡ଼ା ଖସଖସିଆ ଶବ୍ଦକୁ ମନୁଷ୍ୟର ଶବ୍ଦ ବୋଲି ଭାବିବ ନାହିଁ । ସେ ଭାବିବ, କୌଣସି ଛୋଟ ଜୀବ ରାତ୍ରିରେ ଘାସ ଓ ବୁଦା ଭିତରେ ଯାଉଛି; କିନ୍ତୁ ସାଧାରଣତଃ ମନୁଷ୍ୟ ଯେପରି ପାଦ ପକାଇ ଚାଲେ ସେପରି ଯାଇଥିଲେ ଚିତାବାଘ ତତ୍‍କ୍ଷଣାତ୍ ଜାଣିପାରନ୍ତା ଯେ ଆଖପାଖରେ କୌଣସିଠାରେ ମଣିଷଟାଏ ଅଛି । ମୋ ମୁଣ୍ଡରେ ଗୋଟାଏ ଦୁଶ୍ଚିନ୍ତା ହେଉଥିଲା, କାଳେ ଅନ୍ଧାରରେ କେଉଁଠି ଗୋଟାଏ ବିଷଧର ସାପ ଉପରେ ଗୋଡ଼ ପଡ଼ିଯିବ । ମୁଁ ଯେଉଁ ରବର ଜୋତା ପିନ୍ଧିଥିଲି, ସେଥିରେ ବଳାଗଣ୍ଠି ଢାଙ୍କି ହେଉନଥିଲା । ମୁଁ ଏହି ଦୁଶ୍ଚିନ୍ତାକୁ ଦୂରକରି ଆଗରେ ପଡ଼ୁଥିବା ଲଟାବୁଦା ଭିତରେ ଚାଲିବାକୁ ଚେଷ୍ଟା କରୁଥିଲି । ଏହା ଫଳରେ ମୋତେ ସିଧା ଉତ୍ତର ଦିଗର ରାସ୍ତାଠାରୁ ଟିକିଏ ଦୂରେଇ ଯିବାକୁ ହୋଇଥିଲା । ମୁଁ ଶୁଣିଥିଲି ଯେ ଠିକ୍ ଉତ୍ତର ଦିଗକୁ ଗଲେ ମଡ଼ା ପାଖରେ ପହଞ୍ଚି ହେବ ।

 

ମୁଁ ବାରମ୍ବାର ଛିଡ଼ାହୋଇ ଶୁଣିବାକୁ ଚେଷ୍ଟା କରୁଥିଲି, କିନ୍ତୁ ଶେଷଥର ମୁଁ ଯେଉଁ ଶବ୍ଦ ଶୁଣିଥିଲି ତାହା ଆଉ ଶୁଣିବାକୁ ପାଇଲି ନାହିଁ । କିଛି ସମୟ ପରେ ମୋର ଧାରଣା ହେଲା ଯେ ମୁଁ ନଦୀଠାରୁ ଦୁଇଶହ ଗଜରୁ ଅଧିକ ବାଟ ଆସିଗଲିଣି; ଯେଉଁଠାରେ ମଡ଼ାଅଛି, ସେଠାରୁ ଅନେକ ଆଗରେ ପହଞ୍ଚିଲିଣି । ଆହୁରି ମଧ୍ୟ ମୋର ମନେ ହେଲା, ଚାରିଆଡ଼ର ଗଛବୁଦା ଓ ମେଘାଚ୍ଛାଦିତ ଆକାଶ ହେତୁ ମୁଁ ଏକବାରେ ଦିଗ ଭୁଲିଯାଇଛି ।

 

ଏହାପରେ ମୁଁ ଯେଉଁ ଶବ୍ଦ ଶୁଣିବି ବୋଲି ଏତେବେଳଯାଏ ଆଶା କରି ରହିଥିଲି, ହଠାତ୍ ସେହି ଶବ୍ଦ ଶୁଣାଗଲା । ଏହି ଶବ୍ଦ ଯେ ମଡ଼ାଦେହରୁ ମାଂସ କାମୁଡ଼ି ଚୋବାଇବା ଶବ୍ଦ, ସେ ବିଷୟରେ ମୋର ସନ୍ଦେହ ରହିଲାନାହିଁ ।

 

ବାସ୍ତବରେ ମୋର ଭାଗ୍ୟ ଭଲ, ସେତେବେଳକୁ ଚିତାବାଘ ମଡ଼ା ଖାଇବାରେ ଲାଗିଥିଲା । ବର୍ତ୍ତମାନ ମୋର କାମ ହେଲା, ଯଥାସମ୍ଭବ ଚିତାବାଘ ପାଖକୁ ଯାଇ ଟର୍ଚ୍ଚର ବତି ଟିପି ତାକୁ ଗୁଳି କରିବା । ଏହା କହି ଦେବା ଖୁବ୍ ସହଜ, କିନ୍ତୁ କାର୍ଯ୍ୟରେ ପରିଣତ କରିବା ସେତେ ସହଜ ନୁହେଁ ।

 

ପ୍ରଥମ କଥା ହେଲା, ମୁଁ ଯେଉଁ ଦିଗରେ ଆଗୋଉଥିଲି ଶବ୍ଦଟା ସେ ଦିଗରୁ ଆସୁନଥିଲା, ମୋର ବାଁ ପାଖରୁ ଟିକିଏ ପଛରୁ ଆସୁଥିଲା । ଏଥିରୁ ଜଣାଗଲା ଯେ ଅନ୍ଧାରରେ ମୁଁ ସିଧା ବାଟରେ ଆସି ପାରିନଥିଲି । ମୁଁ ଡାହାଣକୁ ମାଡ଼ିଯାଇଥିଲି; ଫଳରେ ମଡ଼ାଟା ମୋର ପଛକୁ ରହିଯାଇଥିଲା । ମୁଁ ଯେ ମଡ଼ାଖାଇବାର ଶବ୍ଦ ଏତେବେଳ ଯାଏ ଶୁଣିପାରି ନଥିଲି, ସମ୍ଭବତଃ ତାର କାରଣ ହେଉଛି ଚିତାବାଘ ବର୍ତ୍ତମାନ ଆସି ପହଞ୍ଚିଲା । ଅଥବା ଅନ୍ୟ ଏକ କାରଣ ହୋଇପାରେ । ହୁଏତ ଚିତବାଘ ଅନ୍ଧାରରେ ମୋର ଆସିବା ଶବ୍ଦ ଶୁଣିଛି ଓ ଜାଣିଶୁଣି ଚୁପ୍ ହୋଇ ରହିଯାଇଛି । ଏହି କଥା ଚିନ୍ତା କଲା ବେଳକୁ ମୋର ଅଶାନ୍ତି ଜାତ ହେଲା ।

 

ଠିକ୍ କେଉଁ ଦିଗରୁ ଶବ୍ଦଟା ଆସୁଛି ଜାଣିବା ପାଇଁ ମୁଁ କେତେକ ମୁହୂର୍ତ୍ତ ଚୂପ୍ ରହି ଶୁଣିଲି । ଅନ୍ଧାରରେ ମୁଁ ଅନୁମାନ କଲି ଯେ ଚିତାବାଘଟା ମୋ ପାଖରୁ ପଚାଶଠାରୁ ଶହେ ଗଜ ଦୂରରେ ଅଛି ।

 

ବର୍ତ୍ତମାନ ମୁଁ ଖୁବ୍ ଧୀରେ ଧୀରେ ପାଦ ଦୁଇଟିକୁ ଘୁଞ୍ଚାଇ ଘୁଞ୍ଚାଇ ଯେଉଁଆଡ଼ୁ ଶବ୍ଦ ଆସୁଥିଲା ସେହିଆଡ଼କୁ ଆଗେଇଲି ।

 

ଯଦି ଚିତାବାଘ ମଡ଼ାଟାକୁ କୌଣସି ବୁଦା ଭିତରକୁ ବା ବୁଦାପଛକୁ ନେଇଯାଇଥାଏ, ତେବେ ତାକୁ ଗୁଳିକରି ମାରିବା ଅସମ୍ଭବ ହେବ, ବରଂ ଗୁଳିକରି ତାକୁ ଘାଉଆ କରିବାରେ ତାରି ସୁବିଧା । ଆଉ ଯଦି ସେ ମୋତେ ଆକ୍ରମଣ କରିବସେ ତେବେ ଅବସ୍ଥା ନିତାନ୍ତ ଶୋଚନୀୟ ହେବ-

 

ଏହି ଚିନ୍ତା ସଙ୍ଗେ ସଙ୍ଗେ ମୁଁ ସ୍ମରଣ କଲି–ଏ ଚିତାବାଘ କେବେହେଲେ ମଣିଷକୁ ଆକ୍ରମଣ କରିନାହିଁ । ମୁଁ ଶେଷରେ ଯେତେବେଳେ ଟର୍ଚ୍ଚ ଆଲୁଅ ପକାଇବି ସେତେବେଳେ ସେ ଭୟରେ ସ୍ତବଧ ହୋଇଯିବ ଓ ଯଦି ସେ ପଳାଇ ନଯାଏ, ତେବେ ଅନ୍ତତଃ ମୋତେ ଆକ୍ରମଣ କରିବ ନାହିଁ । ଏହିଭଳି ଚିନ୍ତାକରି ମୁଁ ନିଜକୁ ଉତ୍ସାହିତ କରିବାକୁ ଲାଗିଲି ।

 

ଏହାର ପରବର୍ତ୍ତୀ କେତୋଟି ମିନିଟରେ କଅଣ ଘଟିଥିଲା ବା ମୁଁ କଅଣ କରିଥିଲି ତାହା ସଠିକ୍ ଭାବରେ ବର୍ଣ୍ଣନା କରିବା ନିତାନ୍ତ କଷ୍ଟକର ବ୍ୟାପାର । ମୋର ପଞ୍ଚେନ୍ଦ୍ରିୟ ଓ ମନ ଏତେ ଜାଗ୍ରତ ଓ ତୀକ୍ଷ୍‍ଣ ହୋଇଯାଇଥିଲା ଯେ ଗଛ ଓ ଲଟାବୁଦା ମଧ୍ୟରେ ଯେତେ ପ୍ରତିବନ୍ଧକ ଥିଲା ସେସବୁକୁ ମୁଁ ସ୍ଵତଃ ଅତିକ୍ରମ କରିଯାଇଥିଲି । ମୁଁ ନିଶ୍ଚିତ ଭାବରେ ଜାଣିଥିଲି ଯେ ଯେତେବେଳଯାଏ ଚିତାବାଘର ମଡ଼ାଖାଇବା ଶବ୍ଦ ଶୁଣାଯାଉଥିବ ସେତେବେଳଯାଏ ସେ ଭୋଜନ କାର୍ଯ୍ୟରେ ରତ ଅଛି ଓ ମୋର ଅଗ୍ରଗତିକୁ ଲକ୍ଷ୍ୟ କରିନାହିଁ ବୋଲି ବୁଝିବାକୁ ହେବ । ଯେତେବେଳେ ଶବ୍ଦ ବନ୍ଦ ହେବ, ସେତେବେଳେ ଜଣାଯିବ ଯେ ଚିତାବାଘ ମୋର ଆସିବା ଶବ୍ଦ ଶୁଣିଛି ଓ ଭୋଜନ ବନ୍ଦକରି କାନ ଡେରି ଶୁଣୁଛି ।

 

ପୂର୍ବପରି ଶବ୍ଦ ହେଉଥାଏ ଓ ମୁଁ ଧୀରେ ଧୀରେ ଅଗ୍ରସର ହେଉଥାଏ । ପ୍ରତ୍ୟେକ ପାଦ ଉଠାଇବା ଓ ପକାଇବାରେ ଖୁବ୍ ସାବଧାନ ଥାଏଁ । ଏପରିକି ଗୋଟାଏ ପତ୍ର ପଡ଼ିବାର ଖସ୍ ଖସ୍ ଶବ୍ଦହେଲେ ମୁଁ ପାଦ ଆଙ୍ଗୁଳି ସାହାଯ୍ୟରେ ତାକୁ ଏଡ଼ାଇ ଦେଇ ଯାଉଥାଏ । ମୋର ଆଖି ଅନ୍ଧକାର ଉପରେ ଓ କାନ ଖାଇବା ଶବ୍ଦ ଉପରେ ଆବଦ୍ଧ ଥାଏ ।

 

ଏହି ସମୟରେ ହଠାତ୍ ଚିତାବାଘର ଖାଇବା ଶବ୍ଦ ବନ୍ଦ ହୋଇଗଲା ଓ ଏକ ପୂର୍ଣ୍ଣ ଭୀଷଣ ନିରବତା ମୋତେ ଆଚ୍ଛନ୍ନ କରିଦେଲା ।

 

ଚିତାବାଘ ନିଜ ଇଚ୍ଛାରେ (କୌଣସି କାରଣ ନଥାଇ) କିଛି ସମୟ ପାଇଁ ଖାଇବା ବନ୍ଦ କରିଦେଲା କି ? ସେ ଭୋଜନ ଶେଷ କରି ଚାଲିଗଲା କି ? ସେ ବର୍ତ୍ତମାନ ଯାଉଛି କି ? ଅଥବା ସେ ମୋର ଆସୁଥିବା ଶବ୍ଦ ଶୁଣି ମୋତେ ଆକ୍ରମଣ କରିବାକୁ ଉଦ୍ୟତ ହେଉଅଛି ? ଏହି ସବୁ ସମ୍ଭାବନା ମୁହୂର୍ତ୍ତକ ଭିତରେ ମୋର ମସ୍ତିଷ୍କରେ ପ୍ରବେଶ କଲା । ମୁଁ ମଧ୍ୟ ଆଗେଇବା ବନ୍ଦକରି ରହିଗଲି ।

 

କିଛି ସମୟ ଯାଏ ମୁଁ ସେହିପରି ନିଶଃବ୍ଦ ଓ ନିଷ୍ପନ୍ଦ ଭାବରେ ରହିଲି । ଠିକ୍ କେତେ ସମୟ ସେପରି ଥିଲି କହିପାରିବି ନାହିଁ । କିନ୍ତୁ ମୋର ସ୍ମରଣ ହେଉଛି–ଏହାପରେ କଅଣ କରିବି ବୋଲି ମୁଁ ଭାବୁଥିଲି । ସେ ତ ଖାଇବା ବନ୍ଦ କଲାଣି । ଆଗକୁ ଗଲେ ସେ ମୋର ଆସିବାଟା ପୂର୍ବରୁ ଜାଣି ନଥିଲେ ସୁଦ୍ଧା ଏବେ ଜାଣିପାରିବ । ମୁଁ ଯେତେ ସାବଧାନରେ ଗଲେ ମଧ୍ୟ ଜଣେ ମନୁଷ୍ୟ ପକ୍ଷରେ ଚିତାବାଘ ଜାଣି ନପାରିଲା ଭଳି ନିଃଶବ୍ଦରେ ଆଗକୁ ଯିବା ଅସମ୍ଭବ । ଅପର ପକ୍ଷରେ ମୁଁ ଯଦି ଚୁପ୍ କରି ରହିଯାଏଁ ତାହାହେଲେ ସେ ଯେବେ ମୋ ଆଡ଼କୁ ଆସେ ତେବେ ମୁଁ ତାର ଶବ୍ଦ ଶୁଣିପାରିବାର ସମ୍ଭାବନା ଅଛି । ଅବଶ୍ୟ ଚିତାବାଘ ଖୁବ୍ ନିଃଶବ୍ଦରେ ଚାଲିପାରେ ବୋଲି ସମସ୍ତେ ଜାଣନ୍ତି ।

 

ଏହି ଦୁଇଟି ପନ୍ଥା ମଧ୍ୟରୁ ଶେଷୋକ୍ତ ପନ୍ଥାଟିକୁ ଅନୁସରଣ କରିବାକୁ ସ୍ଥିରକଲି । ମୁଁ ଚୁପ୍ କରି ଛିଡ଼ାହୋଇ ରହିଲି ।

 

ପରବର୍ତ୍ତୀ ଘଟଣାରୁ ପ୍ରମାଣିତ ହେଲା ଯେ ମୋର ଏପରି ରହିବା ଦ୍ଵାରା ଶୁଭ ଫଳ ଘଟିଥିଲା ।

 

ମୁଁ କାନ ଡେରି ରହିଥିଲି । ଅଳ୍ପ ସମୟ ପରେ ଏକା ଅସ୍ପଷ୍ଟ ଖସ୍ ଖସ୍ ଶବ୍ଦ ଶୁଣାଗଲା-। ଏହା ବନ୍ଦ ହୋଇଗଲା; ଟିକିଏ ପରେ ପୁଣି ଶୁଣାଗଲା । ଗୋଟାଏ କିଛି ମୋ ଆଗରେ ଅନ୍ଧାରରେ ଯାଉଥିଲା । କିନ୍ତୁ ସେ ଜିନିଷଟା ଯେ କୌଣସି ଜୀବ ହୋଇପାରେ । ଶବ୍ଦଟି ଏକାଦିକ୍ରମେ ଲାଗିରହିଥିଲା । ସାପଟାଏ ଘାସ ଓ ବୁଦା ଭିତରେ ଗଲାବେଳେ ସେଭଳି ଶବ୍ଦ ହୋଇଥାଏ । ଚିତାବାଘ ମଧ୍ୟ ଘୁସୁଡ଼ି ଘୁସୁଡ଼ି ମୋ ଆଡ଼କୁ ଆସିବା ଦ୍ଵାରା ଠିକ୍ ସେହିପରି ଶବ୍ଦ କରିପାରେ । ଏକଥା ଭାବିଲା ବେଳକୁ ମୋର ଭାରି ଭୟ ହୋଇଗଲା ।

 

କିନ୍ତୁ ଗୋଟିଏ ବିଷୟରେ ସନ୍ଦେହ ନଥିଲା । ଏହା ମୂଷା କିମ୍ବା ବେଙ୍ଗ କିମ୍ବା ଜଙ୍ଗଲର କୌଣସି ଛୋଟ ଜୀବର କିମ୍ବା ରାତ୍ରିଚର ପକ୍ଷୀର ଶବ୍ଦ ନଥିଲା । ସେଭଳି ଜୀବର ଶବ୍ଦ ହୋଇଥିଲେ ତାର ଗତିସଙ୍ଗେ ଏହା ରହି ରହି ଶୁଣାଯାଉଥାନ୍ତା । କିନ୍ତୁ ଏ ଶବ୍ଦ ଲାଗି ରହିଥିଲା । ସେଥିରୁ ଜଣାଯାଉଥିଲା ଯେ ଜୀବଟି କ୍ରମାଗତ ଚାଲିଛି । ଏଥିରୁ ମୁଁ ନିଃସନ୍ଦେହ ହେଲି ଯେ ଏହା ହୁଏତ ଗୋଟାଏ ସାପର ଶବ୍ଦ କିମ୍ବା ଚିତାବାଘର ଶବ୍ଦ ।

 

ଏଠାରେ ମୋ ଅନ୍ତରତମ ଭାବନାର ଏକ ବର୍ଣ୍ଣନା ଦେବାକୁ ମୁଁ ଚେଷ୍ଟା କରିଅଛି । ଏହି ଚିନ୍ତାଗୁଡ଼ିକ ମୋ ମନରେ ବିଦ୍ୟୁତ୍‍ପରି ବେଗରେ ଗତି କରି ଯାଇଥିଲା । ସେଗୁଡ଼ିକ ଏତେ ଶୀଘ୍ର ମୋ ମସ୍ତିଷ୍କରେ ପ୍ରବେଶ କରିଥିଲେ ଯେ ସେହି ଅଶୁଭ ଘୋଷରା ଶବ୍ଦ ଶୁଣିବାର ମାତ୍ର କେତେ ସେକେଣ୍ଡ ଭିତରେ ମୁଁ ମୋର ସିଦ୍ଧାନ୍ତରେ ପହଞ୍ଚି ଯାଇଥିଲି ।

 

ଆହୁରି କେତୋଟି ସେକେଣ୍ଡ ପରେ ମୁଁ ସ୍ଥିର କରିନେଲି ଯେ ଚିତାବାଘଟା ମୋ ଆଡ଼କୁ ଧୀରେ ଧୀରେ ଆସୁଥିବା ନିଶ୍ଚିତ । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ମୁଁ ତାର ଶବ୍ଦ ଶୁଣୁଥିବି, ସେତେବେଳ ପର୍ଯ୍ୟନ୍ତ ମୋ ଉପରେ ଆକ୍ରମଣ ହେବନାହିଁ ବୋଲି ମୋତେ ଜଣାଗଲା । ଏହି ସମୟରେ ହଠାତ୍ ଶବ୍ଦ ବନ୍ଦ ହୋଇଗଲା ।

 

ଏହାପରେ ମୋର ପରିଚିତ ସୁ ସୁ ଶବ୍ଦ ଶୁଣାଗଲା । ଗୋଟାଏ କ୍ରୂଦ୍ଧ ଗୋଖର ସାପ ଦେହର ବାୟୁ ପ୍ରଶ୍ଵାସରେ ତ୍ୟାଗ କଲାବେଳେ ଯେପରି ଶବ୍ଦ କରେ ତାହା ସହିତ ଏହାର ତୁଳନା ହୋଇପାରେ । ଚିତାବାଘ ଗାଉଁ ଗାଉଁ ହୋଇ ଆସୁଥିଲା । ଅଳ୍ପ ସମୟ ପରେ ତାର ଗାଉଁ ଗାଉଁ ଶବ୍ଦ ଆହୁରି ଜୋର୍‍ରେ ଶୁଣାଯିବ, ହୁଏତ ସେ ଗର୍ଜନ କରିବ ଓ ତାହା ପରେ ଝାମ୍ପି ପଡ଼ିବ । ଏଥି ପୂର୍ବରୁ ମୁଁ ଅନେକ ଥର ଏହି କ୍ରମରେ ଚିତାବାଘର ଗର୍ଜନ ଶୁଣିଥିଲି ଓ ଏ ଶବ୍ଦପରେ କଅଣ ଆଶା କରାଯାଏ, ତାହା ଜାଣିଥିଲି । ଅତିଶୀଘ୍ର ମୁଁ ରାଇଫେଲକୁ କାନ୍ଧ ସିଧାକୁ ନେଇ ଟର୍ଚ୍ଚର ବତି ଟିପିଦେଲି ।

 

ଦୁଇଟି ରକ୍ତାଭ ଧଳା ଆଖି ମୋତେ ଦେଖାଗଲା; କିନ୍ତୁ ଜନ୍ତୁଟାର କୌଣସି ଅଂଶ ଦେଖି ପାରିଲି ନାହିଁ । ହଠାତ୍ ମୋର ମନେ ପଡ଼ିଗଲା ଯେ ମୁଁ ଗୋଟାଏ କଳା ଚିତାବାଘ ସଙ୍ଗେ କାରବାର କରୁଛି । କଳା ଚିତାବାଘ ରାତିରେ ଅଦୃଶ୍ୟ ରହିବା ସ୍ଵାଭାବିକ ।

 

ବୋଧହୁଏ ମୋ ଆଡ଼କୁ ଅଗ୍ରସର ହେଲାବେଳେ ତାର ମୋ ପ୍ରତି କୌଣସି ହିଂସ୍ରଭାବ ନଥିଲା । କେବଳ ତାର ଆହାର ପାଖରେ କିଏ ଚାଲବୁଲ କରୁଥିବାର ଶବ୍ଦ ଶୁଣି ତାହା ଅନୁସନ୍ଧାନ କରିବା ତାର ଉଦ୍ଦେଶ୍ୟ ଥିଲା । କିନ୍ତୁ ଏପରି ଶବ୍ଦ ଜଣେ ଘୃଣ୍ୟ ମନୁଷ୍ୟର ବୋଲି ଜାଣିଲା ପରେ ସୁ ସୁ ଓ ଗାଉଁ ଗାଉଁ ଶବ୍ଦ କରିବା ହେତୁ ଜଣାଗଲା ଯେ ସେ ନିଶ୍ଚୟ ଆକ୍ରମଣ କରିବାକୁ ସ୍ଥିର କରିଅଛି । ସେ ମୋର ସ୍ଥିର ଟର୍ଚ୍ଚ ଆଲୁଅକୁ ଏକ ଦୃଷ୍ଟିରେ ଚାହିଁ ରହିଲା ।

 

ଲକ୍ଷ୍ୟ ସ୍ଥିର କରିବା ପାଇଁ ମୋତେ ଯଥେଷ୍ଟ ସମୟ ମିଳିଗଲା । ମୁଁ ଗୁଳି ଚଳାଇ ଦେଲି-

 

ମୁଁ ଆଶା କରିଥିଲି ଗୁଳିମାଡ଼ରେ ଚିତାବାଘଟା ମରି ତଳେ ପଡ଼ିଯିବ, ନହେଲେ ଅନ୍ତତଃ ମରଣ ଯନ୍ତ୍ରଣାରେ ଛଟପଟ ହୋଇ ରାମ୍ପୁଡ଼ି ହେବ । କିନ୍ତୁ ସେ ସେପରି କିଛି ନକରି ଗୁଡ଼ାଏ ଗାଉଁ ଗାଉଁ ଶବ୍ଦ କରି ପଳାଇଲା । କଅଣ ହେଲା ? ମୋ ଗୁଳି କଅଣ ଏକାବେଳେ ଲକ୍ଷ୍ୟଭ୍ରଷ୍ଟ ହେଲା ? ନା ମୋ ଗୁଳିରେ ସେ ଘାଉଆ ହୋଇ ପଳାଇଲା ?

 

ମୋର ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ନଥିବ, ଏ ବିଷୟରେ ମୁଁ ନିଶ୍ଚିତ ଥିଲି । କିନ୍ତୁ ତାହାର ପ୍ରମାଣ କେବଳ ଦିନବେଳା ମିଳିବାର କଥା । ମୁଁ ଫେରି ଆସିବାକୁ ଲାଗିଲି ।

 

ଏଣିକି ମୁଁ ସ୍ଵଚ୍ଛନ୍ଦରେ ଟର୍ଚ୍ଚ ବ୍ୟବହାର କରିପାରିଲି । ଟର୍ଚ୍ଚର ଆଲୁଅ ସାହାଯ୍ୟରେ ମୁଁ ଯେଉଁ ଦିଗରୁ ଆସିଥିଲି, ପ୍ରାୟ ସେହି ଦିଗରେ ଚାଲିଲି ।

 

କିନ୍ତୁ ମୋର ଟିକିଏ ଭୁଲ ହୋଇଗଲା । ପ୍ରାୟ ଅଧ ଘଣ୍ଟାଯାଏ ଏପାଖ ସେପାଖ ହୋଇ ଚାଲିବା ପରେ ସୁଦ୍ଧା ମୁଁ ଯେଉଁ ନଈବାଟେ ଆସିଥିଲି ସେ ନଈକୁ ଦେଖି ପାରିଲି ନାହିଁ ।

 

ଆକାଶକୁ ଚାହିଁଲି । ପୂର୍ବପରି ମେଘ ଢାଙ୍କିଥିଲା । ଶିବାନୀପଲ୍ଲୀକୁ ଯିବାର ଦିଗ ସ୍ଥିର କରିବା ପାଇଁ ସାହାଯ୍ୟ କରିବାକୁ ଗୋଟିଏ ହେଲେ ତାରା ଦେଖାଗଲା ନାହିଁ । ଏହି ସମୟରେ ମୋର ମନେ ପଡ଼ିଲା ଯେ ପଶ୍ଚିମ ଦିଗର ଦୁଇ ନଦୀ ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ପଥ ଆଡ଼କୁ ଭୂମି ଗ୍ରାମଠାରୁ ପଶ୍ଚିମ ଦିଗରେ କ୍ରମନିମ୍ନ ହୋଇ ଆସିଅଛି । ତେଣୁ ମୁଁ ସ୍ଥିର କଲି ଯେ ଯଦି ମୁଁ ସାମାନ୍ୟ ଉଠାଣି ଜାଗା ଦେଖି ଚାଲିବି ତେବେ ବେଶି ଭୁଲ ହେବନାହିଁ ଓ ଗ୍ରାମ ନିକଟରେ କୌଣସି ସ୍ଥାନରେ ପହଞ୍ଚିଯିବି ।

 

ମୁଁ ଉଠାଣି ଜାଗା ଦେଖି ଚାଲିଲି ।

 

କିନ୍ତୁ ମୁଁ ଶିବାନୀପଲ୍ଲୀରେ କିମ୍ବା ତାର ଆଖପାଖ କୌଣସି ସ୍ଥାନରେ ପହଞ୍ଚି ପାରିଲିନାହିଁ । ବିଶେଷ ବର୍ଣ୍ଣନା କରିବା ଦରକାର ନାହିଁ । ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହେବ ଯେ ରାତି ସାଢ଼େ ଏଗାରଟା ବେଳକୁ ମୁଁ ଯେଉଁଠାରେ ପହଞ୍ଚିଲି ସେଇଟା ଶିବାନୀପଲ୍ଲୀ ନୁହେଁ କି ତାର ଆଖପାଖ କୌଣସି ସ୍ଥାନ ନୁହେଁ । ତାହା ହେଉଛି, ଉତ୍ତର ଦିଗରେ ସାଲିବରମ୍‌କୁ ଯାଉଥିବା ରାସ୍ତାର ଅଧକରୁ ବେଶୀ ଦୂରରେ ଥିବା ଏକ ସ୍ଥାନ । ଅବଶ୍ୟ ଏବେ ମୁଁ ମୋର ଅବସ୍ଥାନ ଜାଣିପାରିଲି ଓ ଅଧ ଘଣ୍ଟାକ ଭିତରେ ଶିବାନୀପଲ୍ଲୀ ଗାଆଁରେ ପହଞ୍ଚିଲି ।

 

ମୁଁ ରଙ୍ଗସ୍ଵାମୀକୁ ଡାକି ତା ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲି । ତାହାପରେ ଆଉକିଛି କରିବାର ନଥିଲା । ମୁଁ ଶୋଇପଡ଼ି ରାତିର ଅବଶିଷ୍ଟ ଅଂଶ କଟାଇ ଦେଲି ।

 

ଆଗରୁ ମୁଁ କହିଛି ଯେ ଶିବାନୀପଲ୍ଲୀ ଗୋଟିଏ ପଡ଼ାଗାଆଁ ଓ ଏଥିରେ ମାତ୍ର ପାଞ୍ଚଛଅଟି କୁଡ଼ିଆ ଘର ଅଛି । ରଙ୍ଗସ୍ଵାମୀ ଅନେକ ସ୍ତ୍ରୀ ବିବାହ କରିଥିଲା ଓ ତା ଘର ବହୁ ସଂଖ୍ୟକ ସ୍ତ୍ରୀ ଓ ପିଲାଝିଲାରେ ପୂର୍ଣ୍ଣ । ଏଥିରେ ସେ ମୋତେ ତା ଘରକୁ ଡାକି ନେବାର ଆଶା ନଥିଲା । ତେଣୁ ରାସ୍ତା ପାଖରୁ ଟିକିଏ ଦୂରରେ ଥିବା ଗୋଟିଏ କୁଟାଗଦାରେ ମୁଁ ଶୋଇପଡ଼ିଲି । ଦେହକୁ ଗରମ ରଖିବା ପାଇଁ ସେହି କୁଟାରୁ କିଛି ଘୋଡ଼ାଇ ହୋଇ ପଡ଼ିଲି । ସେ କୁଟା ମଧ୍ୟ କାକରରେ ଓଦାଳିଆ ହୋଇଥିଲା ।

 

ପାଠକ ମହାଶୟ, ଦକ୍ଷିଣ ଭାରତର ଜଙ୍ଗଲ ଅଞ୍ଚଳରେ ଟିକି ମୂଷା ପ୍ରଚୁର ପରିମାଣରେ ଦେଖାଯାନ୍ତି । ସେମାନେ କିପରି ଜୀଅନ୍ତା ମଣିଷ ଦେହରୁ ଅଧାଅଧି ଖାଇଯାଆନ୍ତି, ସେ ଅନୁଭବ ଲାଭ କରିବାପାଇଁ ଆପଣଙ୍କର ଇଚ୍ଛାଥିଲେ ମୁଁ ଆପଣଙ୍କୁ ପରାମର୍ଶ ଦେବି ଯେ ଆପଣ ଶିବାନୀପଲ୍ଲୀର କୌଣସି କୁଟାଗଦାରେ ରାତିଟିଏ କଟାଇ ଦିଅନ୍ତୁ । ମୁଁ ଦୃଢ଼ ଜବାବ ଦେଇପାରେ, ଆପଣଙ୍କର ଆଶା ପୂରଣ ହେବ । ଟିକିମଶା ହେଉଛି ଗୋଟିଏ ଅତି ଛୋଟ ଜୀବ । ଏହା ଆକାରରେ ଗୋଟିଏ ପିନ୍ କଣ୍ଟାର ମୁଣ୍ଡଠାରୁ ବଡ଼ ହେବ ନାହିଁ । କିନ୍ତୁ ତୁମର ରକ୍ତ ପିଇଲା ପରେ ଏହା ଟିକିଏ ବଢ଼ିଯାଏ । କିନ୍ତୁ ଏହାଭଳି କୃତଘ୍ନ ଜୀବ ଦେଖା ନାହିଁ । ସେ ତୁମର ରକ୍ତ ପିଇ ଚାଲିଯିବ; କିନ୍ତୁ ତୁମ ଦେହରେ ଗୋଟିଏ ଛୋଟ ଘାଆ କରିଦେଇ ଯିବ । ସେହି ଘାଆଟି ଅତି ଶୀଘ୍ର ବଢ଼ି ପୂଜ ହେବ । ଘାଆରୁ ଗଲୁ ମାରିବା ପାଇଁ ତୁମେ ତାକୁ ଯେତିକି କୁଣ୍ଡାଉ ଥିବ ସେତିକି ଘାଆ ବଢ଼ୁଥିବ । ଶେଷରେ, ଏହା ଗୋଟିଏ ବଡ଼ କାଛୁରେ ପରିଣତ ହେବ ଓ ଏହା ଭିତରେ ପୂଜ ରହିଥିବ । ଯଦି ଅନେକ ଗୁଡ଼ିଏ ଟିକି ମଶାଙ୍କର ସୁଦୃଷ୍ଟି ଏକ ସଙ୍ଗେ ତୁମ ଉପରେ ପଡ଼େ, ତେବେ ତୁମକୁ ଘାଆ ଛଡ଼ା ଜର ମଧ୍ୟ ଭୋଗିବାକୁ ପଡ଼ିବ ।

 

ସେହି ଅଭିଶପ୍ତ ରାତିରେ ମୁଁ ନିଦ କଅଣ ଆଦୌ ଜାଣିନଥିଲି । ଅନ୍ଧାର ରାତିର ଅବଶିଷ୍ଟ ଅଂଶତକ କେବଳ କୁଣ୍ଡାଇ ହେବାରେ କଟି ଯାଇଥିଲା । ସକାଳକୁ ମୁଁ ଏକବାରେ କ୍ଳାନ୍ତ ଓ ବିରକ୍ତ ହୋଇଯାଇଥିଲି । ରାତିଯାକ ଶତ୍ରୁ ସହିତ ଯୁଦ୍ଧରେ ମୁଁ ପରାସ୍ତ ହୋଇଥିଲି ଏଥିରେ ସନ୍ଦେହ ନାହିଁ । ଏହି ଶତ୍ରୁ ହେଉଛି ଅଦୃଶ୍ୟପ୍ରାୟ ଟିକି ମଶା ।

 

ମୋର ମନର ଦମ୍ଭ ଖୁବ୍ ଦବି ଯାଇଥିଲା । ତାହାକୁ ଜାଗ୍ରତ କରିବା ପାଇଁ ଦରକାର ଥିଲା କିଛି ଗରମ ଚାହା । ଏହା ପାଇବା ଆଶାରେ ମୁଁ ରଙ୍ଗସ୍ଵାମୀର ଘରକୁ ଗଲି କିନ୍ତୁ ଦେଖିଲି ତାର କବାଟ ବନ୍ଦ । ଘରର ଲୋକେ ଡେରିରେ ଉଠିବେ ବୋଲି ଜଣାଗଲା । ମୋର ଇଚ୍ଛା ସଙ୍ଗେ ସେମାନଙ୍କ ଇଚ୍ଛା ଖାପ ଖାଉ ନଥିବାର ଦେଖି ମୁଁ କାଠ କବାଟ ଉପରେ ବାରମ୍ବାର ଧକ୍‌କା ମାରି ଡାକ ପକାଇଲି । କିଛି ସମୟ ପରେ ଘର ଭିତରୁ ଲୋକେ ଉଠିବାର ଶବ୍ଦ ଶୁଣାଗଲା । ଶେଷରେ କେହି ଜଣେ କବାଟ ପଛରେ ଦିଆ ହୋଇଥିବା କାଠ କିଳିଣୀକୁ ଫିଟାଇ ଦେଲା । ରଙ୍ଗସ୍ଵାମୀ ବାହାରି ଆସିଲା; ତାର ମୁଣ୍ଡବାଳ ଅଲରା ଓ ନିଦ ପୂରା ଭାଙ୍ଗି ନ ଥାଏ ।

 

ମୁଁ ଚୂଲି ଲଗାଇବାକୁ କହିବାରୁ ରଙ୍ଗସ୍ଵାମୀ ଗାଆଁ ଦାଣ୍ଡର ଆରପାଖେ ତ୍ରିଭୁଜ ଆକାରରେ ତିନି ଖଣ୍ଡ ପଥର ରଖିଦେଲା । ତାହା ମଝିରେ କିଛି ଓଦାଳିଆ କୁଟା ଓ ଡାଙ୍ଗ ରଖି ନିଆଁ ଲଗାଇଲା । ନିଆଁ ସାଥିରେ ଧୂଆଁ ବାହାରୁଥାଏ । ପାଣି ଗରମ କରିବା ପାଇଁ ମୋ ପାଖରେ କୌଣସି ପାତ୍ର ନଥିଲା । ମୁଁ ଯାଇ ତା ଘରୁ ଗୋଟିଏ ମାଟି ପାତ୍ର ନେଇଆସିଲି । ରଙ୍ଗସ୍ଵାମୀ କହିଲା ଯେ ପାତ୍ରଟି ଏକବାରେ ସଫା କିନ୍ତୁ ସେଇଟିକୁ ଦେଖି ତାର କଥାକୁ ବିଶ୍ଵାସ କରିବା ପାଇଁ ମୋର ମନ ହେଲା ନାହିଁ ।

 

ଯାହାହେଉ, ଚୁଲାରେ ପାଣି ଫୁଟିଲା । ମୋର ପାଣି ବୋତଲରେ ମୁଁ କିଛି ଚାହାଗୁଣ୍ଡ ପକାଇ ଥିଲି । ପାଣି ଢାଳିଦେଇ ଚାହା ଗୁଣ୍ଡତକ ସେହି ଫୁଟନ୍ତା ପାଣିରେ ପକାଇଦେଲି । ଏବେ ସେହି ପାଣିକୁ ବୋତଲରେ ଭର୍ତ୍ତି କରି ଠିପି ବନ୍ଦକରି ହଲାଇଲି । ଏଥି ମଧ୍ୟରେ ଅନ୍ୟ କେତେକ ଘରୁ ଲୋକେ ଉଠି ସାରିଥିଲେ । ସେମାନେ ଆସି ମୋର ଚାହା ତିଆରି ଦେଖୁଥିଲେ । କେହି ଜଣେ ଟିକିଏ ଦୁଧ ଓ ଆଉ ଜଣେ କିଛି ଖଣ୍ଡସାରି ଆଣି ଦେଲା । ଏଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେଲି । ଚିନି ଆଣିବାକୁ ମୁଁ ଭୁଲି ଯାଇଥିଲି । ସେ ଅଭାବ କୌଣସି ମତେ ପୂରଣ ହୋଇଗଲା । ଦୁଧ ଗରମ ହେଲା । ମୋ ମଗରେ ସିଝା ଦୁଧ, ଖଣ୍ଡସାରି ଓ ଗରମ ଚାହାପାଣି ଏକତ୍ର ମିଶାହେଲା । ତୁମେ ବିଶ୍ଵାସ କର ବା ନକର, ଏହି ମିଶ୍ରଣ ଫଳରେ ଯାହା ହେଲା, ତାହାର ନିଶ୍ଚୟ ଚାହା ସହିତ କିଛି ସାମଞ୍ଜସ୍ୟ ଥିଲା ।

 

ସକାଳ ଜଳଖିଆ ପାଇଁ ମୁଁ କେତୋଟି ଅଣ୍ଡା କିଣି ଆଣି ସେହି ଚୁଲାର ନିଆଁରେ ସିଝାଇଲି ।

 

ଚାହା ଜଳଖିଆ ପରେ ପ୍ରାୟ ସାତଟା ବେଳକୁ ମୁଁ ନିଜ ବିଷୟ ଓ କର୍ତ୍ତବ୍ୟ ବିଷୟ ଚିନ୍ତା କରିବାକୁ ଅବସର ପାଇଲି । ଗତ ରାତ୍ରିର ଟିକିମଶାଙ୍କ ସହ ଯୁଦ୍ଧ ପରେ ଏବେ ଚିତାବାଘ ବିଷୟରେ କିଛି କରିବାକୁ ମନ କଲି ।

 

ରଙ୍ଗସ୍ଵାମୀକୁ ମୁଁ କହିଲି, “ରାତିରେ ଯେଉଁ ଗୋରୁ ଜଗାଳି ଆମ ସାଥିରେ ଯାଇଥିଲା, କିନ୍ତୁ ସକାଳୁ ଦେଖାଦେଇ ନଥିଲା, ତାକୁ କିମ୍ବା ତାର କୌଣସି ସଙ୍ଗୀକୁ କହ ଯେ ଗାଆଁରେ ମଇଁଷି ଥିଲେ, ସେମାନେ ପଲେ ମଇଁଷି ନେଇ ସେହି ଗହଳିଆ ଲଟାବୁଦା ଭିତରକୁ ନେଇଯାଆନ୍ତୁ ।”

 

ମୋର ଦୃଢ଼ ବିଶ୍ଵାସ ଥିଲା ଯେ ମୋର ଗୁଳି ଏକବାରେ ଲକ୍ଷ୍ୟଭ୍ରଷ୍ଟ ହୋଇ ନଥିବ । ମଇଁଷିମାନଙ୍କୁ ଦେଖିଲେ ସେ ବାହାରି ପଡ଼ିବ ।

 

ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ କହିଲେ ଯେ ଗାଆଁରେ ଆଦୌ ମଇଁଷି ନାହାନ୍ତି । ଗୋରୁଗାଈ ବଣଭିତରକୁ ନେବାପାଇଁ କେହି ରାଜି ହେଲେନାହିଁ । ସେମାନଙ୍କର ଆଶଙ୍କା ଥିଲା, ହୁଏତ ଚିତାବାଘ ପାଖକୁ ନେଲେ ଗୋରୁମାନଙ୍କ ଭିତରୁ କେତେଟା ଜଖମ ହେବେ । ଠିକ୍ ଏହି ସମୟରେ ଗତ ରାତିର ମୋର ସେହି ସଙ୍ଗୀ ଗୋରୁ ଜଗାଳି ଉପସ୍ଥିତ ହେଲା । ସେ କହିଲା ଯେ ସାଲିବରମ୍‌ରେ ତାର ଜଣେ ବନ୍ଧୁ ଅଛି । ତାର ଗୋଟିଏ ମଜଲଲୋଡ଼ିଙ୍ଗ (muzzle loading) ବନ୍ଧୁକ ଅଛି । ତାହାଠାରୁ ବନ୍ଧୁକ ମାଗିଆଣି ମୋତେ ସାହାଯ୍ୟ କରିବ ବୋଲି ସେ ବଡ଼ିଅନ୍ଧାରରୁ ସାଲିବରମ୍ ଯାଇଥିଲା । ଦୁର୍ଭାଗ୍ୟବଶତଃ ତାର ବନ୍ଧୁ ବନ୍ଧୁକ ଘେନି କୁଆଡ଼େ ଯାଇଥିବାରୁ ସେ ଖାଲି ହାତରେ ଫେରି ଆସିବାକୁ ବାଧ୍ୟ ହୋଇଥିଲା ।

 

ମୋତେ ସାହାଯ୍ୟ କରିବାପାଇଁ ଏତେ ଉଦ୍ୟମ କରିଥିବା ହେତୁ ମୁଁ ତାକୁ ଧନ୍ୟବାଦ ଦେଲି ସତ; କିନ୍ତୁ ସେ ମଜଲ ଲୋଡ଼ିଙ୍ଗ୍ ବନ୍ଧୁକ ଆଣିବାରେ ବିଫଳ ହୋଇଥିବାରୁ ମନେ ମନେ ଖୁବ୍ ଆନନ୍ଦିତ ହେଲି । ଏଭଳି ବନ୍ଧୁକ ବ୍ୟବହାର କରିବାରେ ଯାହାର ଅଭିଜ୍ଞତା ଅଛି, ସେ ଲୋକ ପକ୍ଷରେ ଏହା ଗୋଟିଏ ଶକ୍ତିଶାଳୀ ମାରାତ୍ମକ ଅସ୍ତ୍ର ସତ; କିନ୍ତୁ ଏହି ଲୋକଟି ବନ୍ଧୁକ ଧରି ମୋ ପଛରେ ଯାଇଥିଲେ ମୁଁ ନିଜକୁ ନିଶ୍ଚୟ ନିତାନ୍ତ ଦୁର୍ବଳ ମନେ କରିଥାନ୍ତି ।

 

ମଇଁଷି ନ ମିଳିବାରୁ ଯେଉଁମାନଙ୍କର ଶିବାନୀପଲ୍ଲୀରେ ଦେଶୀ କୁକୁର ଥିଲା, ସେମାନଙ୍କର ସହଯୋଗ ପାଇବାପାଇଁ ଚେଷ୍ଟାକଲି । ଅନେକ ଯୁକ୍ତି ଓ ଖୋସାମତି ପରେ ଗୋଟିଏ ମାତ୍ର ବୁଲା କୁତ୍ତୀ ମିଳିଲା । ତାହାର ଦେହ ଜୀର୍ଣ୍ଣଶୀର୍ଣ୍ଣ ଓ ତାର କାନ ଯୋଡ଼ିକ ମୂଳରୁ କଟା ହୋଇଥିଲା । ତାର ରଙ୍ଗ ଧୂସର; ଲାଞ୍ଜଟା ଅସ୍ଵାଭାବିକ ଭାବରେ ଲମ୍ବ । ଗାଆଁମାନଙ୍କରେ ଏଭଳି କାନକଟା କୁକୁରକୁ କହନ୍ତି ପାରିଆ କୁକୁର । ବଡ଼ ହେଲେ କୁକୁରର କାନ ଉପରେ ଓ ଭିତରେ ଟିଙ୍କ ବସିବେ; ସେତେବେଳେ ଟିଙ୍କ କାମୁଡ଼ାରେ ଘା ହେବ । ତେଣୁ ମଝିରେ ମଝିରେ ଗୋଟି ଗୋଟିକରି ଟିଙ୍କ ବାହାର କରିବାକୁ ହେବ । ଗାଉଁଲି ଲୋକେ ବିଚାରନ୍ତି ଏତେ କଷ୍ଟ ସ୍ଵୀକାର କରିବା ଅପେକ୍ଷା ଛୁଆବେଳୁ କୁକୁରର କାନ ଦୁଇଟା କାଟି ଦେବାରେ କମ୍ କଷ୍ଟ ଓ କମ୍ ସମୟ ଦରକାର ହେବ ।

 

ଆଶ୍ଚର୍ଯ୍ୟ କଥା ଏହି କୁତ୍ତୀର ନାଆଁ ଥିଲା ‘କୁସ୍’ । ବଇରା ପୁଜାରୀ ବୋଲି ମୋର ଜଣେ ପୁରୁଣା ବନ୍ଧୁଙ୍କର ଗୋଟିଏ କୁକୁର ଥିଲା; ତାର ନାଆଁ ‘କୁସ୍‌କୁସ୍ କାରିଆ’ । ସ୍ଵତଃ ସେହି କୁକୁର ମୋର ମନେ ପଡ଼ିଲା ।

 

ସାଲେମ୍ ଜିଲାରେ କୁକୁର ପାଳୁଥିବା ଲୋକଙ୍କ ଭିତରେ ଏ ଗୋଟିଏ ପ୍ରିୟନାମ କି କୌଣସି କୁକୁରକୁ ଡାକିଲାବେଳେ ‘କୁସ୍‌କୁସ୍’ ଶବ୍ଦ ସାଧାରଣତଃ ଉଚ୍ଚାରଣ କରାଯାଏ ବୋଲି ଏପରି ନାମକରଣ ହୋଇଥାଏ, ତାହା ମୁଁ କହିପାରିବି ନାହିଁ । ବ୍ୟକ୍ତିଗତ ଭାବରେ ମୁଁ ଶେଷ ମତର ସମର୍ଥନ କରେ । ସେ ଯାହାହେଉ, ସେତେବେଳେ ମୁଁ କଳ୍ପନା କରିପାରିନଥିଲି ଯେ ଏହି କୁତ୍ତୀ ‘କୁସ୍’, ବଇରାର ସେହି ନାମଧାରୀ ‘କୁସ୍‌କୁସ୍’ ପରି ସୁନ୍ଦର କାମ ଦେଇପାରିବ ।

 

ଶେଷରେ ରଙ୍ଗସ୍ଵାମୀ, ଗୋରୁ ଜଗାଳି, କୁସ୍ ଓ ତାର ମାଲିକ–ଏମାନଙ୍କୁ ସଙ୍ଗରେ ନେଇ ଚିତାବାଘର କଅଣ ହେଲା ଜାଣିବା ପାଇଁ ବାହାରିପଡ଼ିଲି ।

 

ଗତ ରାତିରେ ମୋର ସାଥିମାନେ ମୋତେ ଯେଉଁଠାରେ ଛାଡ଼ି ଆସିଥିଲେ ଆମେ ପ୍ରଥମେ ସେହି ସ୍ଥାନକୁ ଗଲୁ । ସେଠାରୁ ମୋର ପାଦଚିହ୍ନ ଧରି ନଈର ଦୁଇଟି ଯାକ ବାଙ୍କ ପାରହେଲୁ; ତତ୍ପରେ ଗତ ରାତିରେ ମୁଁ ଯେଉଁଠାରେ ନଈର ଉତ୍ତର ପାଖ ବନ୍ଧକୁ ଉଠିଥିଲି, ସେଠାରେ ପହଞ୍ଚିଲୁ ।

 

ଏହାପରେ ମୁଁ ବନ୍ଧୁକ ଟେକି ଧରି ଆଗେ ଆଗେ ଚାଲିଲି । କୁସ୍ ମୋ ପଛରେ ଦଉଡ଼ୁଥାଏ; ସଭିଙ୍କ ପଛରେ ଥାଏ ତାର ମାଲିକ । ଆମ ମଝିରେ ଥାନ୍ତି ରଙ୍ଗସ୍ଵାମୀ ଓ ତା ପଛକୁ ଗୋରୁ ଜଗାଳି ।

 

ଗତ ରାତିରୁ ମୁଁ ଦେଖି ସାରିଥିଲି ଯେ ଏଠାରେ ଲତାବୁଦା ଖୁବ୍ ଗହଳିଆ; ତେଣୁ ମାତ୍ର ବାର ଘଣ୍ଟା ଆଗରୁ ମୁଁ ଯେଉଁବାଟେ ଯାଇଥିଲି ତାହା ବାହାର କରିବାର ଉପାୟ ନଥିଲା । ପୁଣି ରାତି ଅନ୍ଧାରରେ କେଉଁ ଗଛ ବା ବୁଦାବାଟେ ଯାଇଥିଲି ତାହାକୁ ଦିନ ଆଲୁଅରେ ଖୋଜି ବାହାର କରିବା ମୋ ପକ୍ଷରେ ସମ୍ଭବ ନଥିଲା । କେବଳ ମୁଁ କେଉଁ ଦିଗରେ ଯାଇଥିଲି, ତାର ଗୋଟାଏ ମୋଟାମୋଟି ଧାରଣା ମୋର ଥିଲା ।

 

ଅବଶ୍ୟ କେଉଁଠାରେ ମଡ଼ା ପଡ଼ିଥିଲା, ତାହା ଗୋରୁ ଜଗାଳିକୁ ଜଣାଥିଲା । କିନ୍ତୁ ସିଧାସିଧା ସେଠାକୁ ଯିବା ମୋର ଅଭିପ୍ରାୟ ନଥିଲା । ମୋର ଇଚ୍ଛା ଥିଲା, ସମ୍ଭବପର ହେଲେ ମୁଁ ଚିତାବାଘକୁ ଗୁଳିକରିଥିବା ସ୍ଥାନକୁ ଯିବି । କିନ୍ତୁ ମୁଁ ସେ ସ୍ଥାନକୁ ପାଇଲି ନାହିଁ । ଯେଉଁମାନେ ଜଙ୍ଗଲ ଭିତର ଦେଖିଛନ୍ତି ସେମାନେ ବୁଝିପାରିବେ ଯେ ଗୋଟାଏ ବୁଦା ଆକାରରେ, ଗଠନରେ ଓ ଅବସ୍ଥାନରେ ରାତିରେ ଯେପରି ଦେଖାଯାଏ, ଦିନବେଳା ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଏ । ରାତିର ଅନ୍ଧକାର ଜଙ୍ଗଲର ପଦାର୍ଥମାନଙ୍କ ଆକାରକୁ ବଡ଼କରି ଦେଖାଏ; ସେମାନଙ୍କର ଗଠନକୁ ବିକୃତ କରି ଦେଖାଏ ଏବଂ ଦିଗର ଭ୍ରମ ଜନ୍ମାଏ ।

 

ମୋର ଉଦ୍ଦିଷ୍ଟ ସ୍ଥାନ ଜାଣିବା ସକାଶେ ଆମକୁ ଗାଈର ମଡ଼ା ପାଖକୁ ନେଇ ଯିବାପାଇଁ ମୁଁ ଗୋରୁ ଜଗାଳିକୁ କହିଲି । ସହଜରେ ସେ ଆମକୁ ସେଠାକୁ ନେଇଗଲା । ମଡ଼ାର ଅଧେହେବ କେହି ଖାଇଥିଲା । କିନ୍ତୁ ମୁଁ ଚିତାବାଘକୁ ଦେଖିବା ପୂର୍ବରୁ ସେ ଏତକ ଖାଇଥିଲା କି ମୋର ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବାରୁ, ମୁଁ ଚାଲିଆସିବାପରେ ସେ ଫେରିଆସି ଖାଇଥିଲା, ତାହା ଜାଣିବାର କୌଣସି ଉପାୟ ନଥିଲା । ଗୁଳିମାଡ଼ରୁ ଖସିଗଲେ ଚିତାବାଘମାନେ କେବେ କେବେ ମଡ଼ା ପାଖକୁ ପୁଣି ଆସି ଖାଇଥାନ୍ତି କିନ୍ତୁ ସେଭଳି ଘଟନା ମୋ ଜୀବନରେ ଖୁବ୍ କମ୍‍ ଥର ଘଟିଥିବ ।

 

ମଡ଼ା ପାଖରେ ପହଞ୍ଚିବାପରେ ମନେ ପକାଇବାକୁ ଲାଗିଲି ଓ କେଉଁ ଦିଗରୁ ଆସିଥିଲି ତାହା ସ୍ଥିର କଲି । ସେହିଠାରୁ ମୋର ପୂର୍ବ ପାଦଚିହ୍ନ ଅନୁସରଣ କରି ଗୁଳିମାରିଥିବା ସ୍ଥାନକୁ ଆସିବା ମୋର ଉଦ୍ଦେଶ୍ୟ ଥିଲା । ଦୁର୍ଭାଗ୍ୟ ବଶତଃ ଚିତାବାଘ କେତେ ଦୂରଯାଏ ମୋ ଆଡ଼କୁ ଅଗ୍ରସର ହୋଇଥିଲା ତାହା ଜାଣିବାର ଉପାୟ ନଥିଲା । ସେ ମଡ଼ା ଖାଉଥିବା ଶବ୍ଦ ମୁଁ ପ୍ରଥମେ ଶୁଣିଲା ବେଳେ ସେ ମୋ ପାଖରୁ କେତେ ଦୂରରେ ଥିଲା ତାହା ମୁଁ କେବଳ ବିଚାର ବୁଦ୍ଧିରେ ଅନୁମାନ କରିଥିଲି । ରାତିରେ ଜଙ୍ଗଲରେ ଶବ୍ଦ ହେଲେ ଏହାର ଶ୍ରୋତା ଓ କର୍ତ୍ତା ଉଭୟେ ଘନ ବୁଦା ଭିତରେ ଥିବାରୁ ତାହା ଭ୍ରମରେ ପକାଇ ଥାଏ । ଶବ୍ଦ କେତେ ଦୂରରୁ ଆସୁଛି ତାହା ଅନୁମାନ କରିବା କଷ୍ଟକର ହୋଇଥାଏ । ଏ ବିଷୟରେ ମୋର ଯଥେଷ୍ଟ ଜ୍ଞାନଥିଲା । ମୁଁ ସେତେବେଳେ ମଡ଼ାଠାରୁ ହୁଏତ ପନ୍ଦରଗଜ ଦୂରରେ ଥିଲି କିମ୍ବା ହୁଏତ ପଚାଶଗଜ ଦୂରରେ ଥିଲି ।

 

ମୁଁ ଯେଉଁଠାରେ ଛିଡ଼ା ହୋଇଥିଲି ବୋଲି ଅନୁମାନ ହେଲା ସେଠାରୁ ଦୂରତାର ଗୋଟାଏ ମୋଟାମୋଟି ଧାରଣା ନେଇ ମୁଁ ପନ୍ଦରଗଜ ଦୂରକୁ ଚାଲିଗଲି ଓ ସେଠାରେ ଗୋଟିଏ ଛୋଟଡାଳ ଭାଙ୍ଗି ଚିହ୍ନ ରଖିବା ପାଇଁ ଜଣକୁ କହିଲି । ମୋର ଅନୁମାନ ହୋଇଥିଲା ଯେ ମଡ଼ାଖାଉଥିବା ଚିତାବାଘଠାରୁ ମୋର ଦୂରତା, ଖୁବ୍ ବେଶି ହେଲେ ପଚାଶଗଜ ହୋଇଥିବ । ତେଣୁ ସେଠାରୁ ମୁଁ ଆହୁରି ୩୫ ଗଜ ଆଗକୁ ଗଲି । ସେଠାରୁ ମଧ୍ୟ ଗୋଟିଏ ଡାଳ ଭାଙ୍ଗି ଚିହ୍ନ ଦେଲୁ ।

 

ମୁଁ ସ୍ଥିରକଲି ଯେ ଯେଉଁ ଦିଗରୁ ମୁଁ ଯାଇଥିଲି ପ୍ରାୟ ସେହି ଦିଗରେ ଏହି ଦୁଇ ଚିହ୍ନର ମଧ୍ୟବର୍ତ୍ତୀ କୌଣସି ସ୍ଥାନରେ କିଛି ସଙ୍କେତ ମିଳିପାରିବ ଯହିଁରୁ ଜଣାଯିବ, ମୋର ଗୁଳି ଚିତାବାଘଠାରେ ବାଜିଥିଲା କି ନା । ଯଦି ସେପରି କିଛି ସଙ୍କେତ ନ ମିଳେ ତେବେ ବୁଝିବାକୁ ହେବ ମୋର ଗୁଳି ଏକବାରେ ଲକ୍ଷ୍ୟଭ୍ରଷ୍ଟ ହୋଇଅଛି ।

 

ଏଥି ମଧ୍ୟରେ ମୋର ଦୃଢ଼ ବିଶ୍ଵାସ ହୋଇ ଯାଇଥିଲାଯେ ଯଦି ଚିତାବାଘ ଘାଉଆ ହୋଇଥିବ, ତେବେ ସେ ଆମର ଖୁବ୍ ନିକଟରେ କୌଣସି ସ୍ଥାନରେ ଲୁଚି ରହିନାହିଁ । ତାହା ହୋଇଥିଲେ ସେ ଏହି ସମୟ ଭିତରେ ଆମର ଯିବା ଆସିବା ଶବ୍ଦ ଓ କଥାବାର୍ତ୍ତା ଶୁଣି କୌଣସି ନା କୌଣସି ସୂଚନା ଦେଇଥାନ୍ତା । ସେହି ସୂଚନା ଗମ୍ଭୀର ଗର୍ଜନ ଆକାରରେ କିମ୍ବା ହଠାତ୍ ଆକ୍ରମଣ ଆକାରରେ ପ୍ରକାଶ ପାଇଥାନ୍ତା । ଏଭଳି କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବାରୁ ଓ ପୂର୍ଣ୍ଣ ନିସ୍ତବ୍‌ଧତାରୁ ମୋର ଏହି ସିଦ୍ଧାନ୍ତ ହୋଇଥିଲା ଯେ ମୋର ଗୁଳି ତା ଦେହରେ ଯଦି ବାଜିଥାଏ, ତେବେ ଆଘାତଟା କଦାପି ତାକୁ ସେଠାରୁ ପଳାଇବାରୁ ରହିତ କରିବା ଭଳି ସେତେ ଗୁରୁତର ହୋଇ ନଥିବ ।

 

ମୋର ତିନି ସଙ୍ଗୀକୁ ମୁଁ କହିଲି–ତୁମ୍ଭେମାନେ ବୃତ୍ତାକାରରେ ବିଛେଇ ହୋଇଯାଇ କୌଣସିଠାରେ ରକ୍ତର ଚିହ୍ନ ପଡ଼ିଛି କି ନା ସନ୍ଧାନ ନିଅ । ମୁଁ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗଦେଲି-। ଅଳ୍ପ ସମୟ ପରେ ‘କୁସ୍’ର ମାଲିକ ଲକ୍ଷ୍ୟକଲା, ‘କୁସ୍’ କୌଣସି ଗୋଟାଏ ପଦାର୍ଥକୁ ଶୁଙ୍ଘିବାରେ ଲାଗିଛି । ସେ କହିଲା–‘‘ଆମେ ଯାହା ଖୋଜୁଥିଲେ ତାହା ମିଳି ଗଲାଣି ।” ଆମେମାନେ ତା ପାଖକୁ ଦଉଡ଼ିଗଲୁ । ଦେଖିଲୁ, ଗୋଟାଏ ବେଣାଗଛର ଲମ୍ବ ପତ୍ର ଦେହରେ ଶୁଖିଲା ରକ୍ତ ଲମ୍ବ ହୋଇ ଲାଗିଛି ।

 

ମୋର ଉତ୍ସାହ ଖୁବ୍ ବଢ଼ିଗଲା । ମୋର ଗୁଳି ଯେ ଲକ୍ଷ୍ୟଭ୍ରଷ୍ଟ ହୋଇନଥିଲା ତାହାର ପ୍ରମାଣ ମିଳିଗଲା । ଭୂମିଠାରୁ ରକ୍ତ ଚିହ୍ନର ଉଚ୍ଚତାରୁ ଜଣାଗଲା ଯେ ମୋର ଗୁଳି ଚିତାବାଘର ଉପର ଅଂଶର କୌଣସି ସ୍ଥାନରେ ବାଜିଥିଲା । ଟର୍ଚ୍ଚ ଲାଇଟର ଆଲୁଅରେ ତାର ଆଖି ଯୋଡ଼ାକ ଜକଜକ ଦିଶୁଥିଲା ଓ ସେହି ଦୁଇଆଖିର ମଝିକୁ ମୁଁ ଲକ୍ଷ୍ୟକରି ଗୁଳି ମାରିଥିଲି । ତାହା ହେଲେ ମୋର ଗୁଳି ତାର ମୁଣ୍ଡରେ ଘସି ହୋଇ ଯାଇଥିବ । କିମ୍ବା ଯେବେ ସେତେବେଳକୁ ଚିତାବାଘ ପଛଗୋଡ଼ ଦୁଇଟା ଟେକି ରଖି ନଇଁ ପଡ଼ିଥିଲା ତେବେ ମୋର ଗୁଳି ତାର ପିଠିର ନିମ୍ନ ଭାଗରେ କୌଣସିଠାରେ ବାଜିଥିବ । କିନ୍ତୁ ଚିତାବାଘ ନଇଁ ନଇଁ ଗଲାବେଳେ ପଛଗୋଡ଼ ଟେକିଥିବା ସମ୍ଭବ ନୁହେଁ ।

 

ଏହିଠାରେ ‘କୁସ୍’ର ଯୋଗ୍ୟତାର ପରିଚୟ ମିଳିଲା । ତାକୁ କିଛିହେଲେ ଶିକ୍ଷା ଦିଆଯାଇ ନଥିଲା; କିନ୍ତୁ ସହଜାତ ଜ୍ଞାନ ବଳରେ ସେ ତାର କର୍ତ୍ତବ୍ୟ ବୁଝି ପାରିଥିଲା । କିଛି ସମୟ ଯାଏ ସେ ଏଣେତେଣେ ଶୁଙ୍ଘିଲା । ତାର ପରେ ସେ କୁଉଁ କୁଉଁ ରାବି ଆମ ଆଗକୁ ଦୌଡ଼ିଲା ।

 

ତା ପଛେ ପଛେ ଯାଇ ଆମେ ଗଛର ପତ୍ରରେ ଓ ଘାସରେ ରକ୍ତ ଲାଗିଥିବାର ଦେଖିଲୁ-। ଚିତାବାଘ ନିଶ୍ଚୟ ସେହିବାଟେ ଯାଇଥିଲା । ଲମ୍ବାଘାସ ବୁଦା ମଝିରେ ଠାଏ ମଧ୍ୟ ମାଟି ଉପରେ ରକ୍ତ ଜମିଥିଲା । ଏହା ଖୁବ୍ ଉତ୍ସାହଜନକ ଥିଲା । କାରଣ ଏଥିରୁ ପ୍ରମାଣ ମିଳିଥିଲା ଯେ ଚିତାବାଘ ଦେହରୁ ଖୁବ୍ ରକ୍ତ ବହିଛି ଓ ତାର ଗୁଳିର ଆଘାତ ସାମାନ୍ୟ ନୁହେଁ । କେବଳ ଦେହରେ ଘଷି ହୋଇ ଯାଇନାହିଁ ।

 

କେତୋଟି ଛାୟାଯୁକ୍ତ ସ୍ଥାନ ଛାଡ଼ିଦେଲେ ଅନ୍ୟ ସ୍ଥାନମାନଙ୍କରେ ରକ୍ତ ଶୁଖିଯାଇଥିଲା । ସେଠାରେ ଏହା ଏତେ ଓଦାଳିଆ ଥିଲା ଯେ ଆଙ୍ଗୁଠିରେ ଘଷି ଉଠାଇ ଦେଇ ହେଉଥିଲା । ତଥାପି ଏହା ଖୁବ୍ ବହଳିଆ ଓ କଳା ନଥିଲା । ଏଥିରୁ ଏତିକି ସୂଚନା ମିଳୁଥିଲା ଯେ ମୋର ଗୁଳି ତାର ଫୁସ୍‌ଫୁସ୍ ଭଳି କୌଣସି ମର୍ମ ସ୍ଥଳରେ ବାଜି ନଥିଲା ।

 

‘କୁସ୍’ ଖୁବ୍ ବେଗରେ ପଶ୍ଚିମ ଦିଗକୁ ଚାଲିଲା । ଏଥିରୁ ସ୍ପଷ୍ଟ ଜଣାଗଲା ସେ କୌଣସି ଗନ୍ଧ ବା ପଦଚିହ୍ନ ବାରି ଚାଲିଛି; ଶେଷରେ ଆମେ ଭୂମିର ତୀଖ ଗଡ଼ାଣିପାଖେ ପହଞ୍ଚିବା; ତାହା ପରେ ନଦୀଶଯ୍ୟାକୁ ଯିବା । ଏହି ନଦୀ ଅନ୍ୟ ଏକ ନଦୀ ସହିତ ମିଳିତ ହୋଇ ପଶ୍ଚିମକୁ ଯିବା ପୂର୍ବରୁ ଉତ୍ତରରୁ ଦକ୍ଷିଣ ଦିଗକୁ ଯାଇଅଛି । ଅନ୍ୟ ନଦୀ ସହିତ ଏହାର ମିଳନ ସ୍ଥାନ ଆଗରୁ ଏହାର ନାମ ହେଉଛି ଆନେକାଲ ବାଙ୍କା । ନଦୀ ଦୁଇଟି ମିଳିତ ହେଲାପରେ ଏହା ଡୋଡ଼ାହାଲା ନାମ ଧାରଣ କରିଅଛି । କାନାରିଜ୍ ଭାଷାରେ ଏହି ଶବ୍ଦର ଅର୍ଥ ହେଉଛି ‘ବୃହତ୍ ଗିରିସଙ୍କଟ’ । ଏହାର ଏପରି ନାମ ହେବାର କାରଣ ହେଉଛି, ଅନେକ ଜଳସ୍ରୋତ ଗିରିପଥ ବା ଗିରିସଙ୍କଟ ବାଟେ ବଙ୍କେଇ ବଙ୍କେଇ ବହିଆସି ଆଞ୍ଚେଟି ଗ୍ରାମପାଖେ ବହି ଯାଇଅଛନ୍ତି । ଏହି ଗ୍ରାମ ନିକଟରେ ନଦୀଟି ହଠାତ୍ ଗତିପଥ ପରିବର୍ତ୍ତନ କରି ଦକ୍ଷିଣ ଦିଗକୁ ଯାଇଅଛି । ତାହାପରେ ଗୁଣ୍ଡାଲମ ପାଖ ଦେଇ ଶେଷରେ କାବେରୀ ନଦୀରେ ମିଶିଛି । ଏହି ଡୋଡ଼ାହାଲାର ପାଖ ଅଞ୍ଚଳରେ ଏକ ସମୟରେ ଜ୍ଵାଲା ଗିରିର (୧) ମଣିଷଖିଆ ବାଘ ବାରମ୍ବାର ଉପଦ୍ରବ କରୁଥିଲା । କିନ୍ତୁ ସେ ବାଘ ସହିତ ଆମ ଏ ଚିତାବାଘ ଘଟନାର ସମ୍ପର୍କ ନାହିଁ । ଏହି ନଦୀ କାବେରୀରେ ପଡ଼ିବା ପର୍ଯ୍ୟନ୍ତ ଏହାର ସବୁ ଅଂଶ ଅନୁସନ୍ଧାନ କରି ଦେଖିଛି । ମୁଁ ଏହାର ନାମ ଦେଇଛି ‘ଗୁପ୍ତ ନଦୀ’; କାରଣ ଏହାର ଗତିପଥ ଅନୁସରଣ କରିବାକୁ ହେଲେ ଅନେକ ମାଇଲ କଦର୍ଯ୍ୟ ବାଟରେ ଚାଲି ଚାଲି ଯିବାକୁ ପଡ଼େ; ତେଣୁ ଖୁବ୍ କମ୍ ଲୋକ ସେବାଟେ ଯାଆନ୍ତି । ପୁଣି ଏହାର ନିର୍ଜନତା ଆନନ୍ଦଦାୟକ ଓ ଏଠାରେ ମନୁଷ୍ୟ ଦେଖିବା ବା ତାର ସ୍ଵର ଶୁଣିବା କ୍ଵଚିତ୍ ଘଟେ । ଅନ୍ୟ ଏକ କାରଣ ହେଉଛି, ଏହାର କୂଳରେ ମୁଁ କେତେକ ଭୂତାତ୍ତ୍ୱିକ ରହସ୍ୟ ଆବିଷ୍କାର କରିଅଛି । କିନ୍ତୁ ସେହି ରହସ୍ୟ ପ୍ରକାଶ କରିବାକୁ ମୁଁ କୁଣ୍ଠିତ-। ଥରେ ସେହି ରହସ୍ୟ ପ୍ରକାଶ ପାଇଗଲେ ତାର ପରବର୍ତ୍ତୀ କୁଫଳ ସ୍ଵତଃ ଘଟିବ । ସାଲେମ ଜିଲାର ଏକ ଆନନ୍ଦଦାୟକ ବିଚ୍ଛିନ୍ନ ଜଙ୍ଗଲ ଅଞ୍ଚଳର ପବିତ୍ରତା ନଷ୍ଟ ହୋଇଯିବ ।

 

ସେଦିନ ସକାଳର ଘଟଣାକୁ ଫେରିଆସେଁ । ଲତାବୁଦା ଅତି ନିବିଡ଼ ହୋଇଥିଲେହେଁ, ‘କୁସ୍’ର ଅଭ୍ରାନ୍ତ ସହଜାତ ପ୍ରବୃତ୍ତିକୁ ତାହା ବାଧା ଦେଇ ପାରିଲା ନାହିଁ । ବାସ୍ତବ ପକ୍ଷରେ ତା ସହିତ ଚାଲିବା ଆମ ପକ୍ଷରେ କଷ୍ଟକର ହୋଇଥିଲା । ବୁଦା ଓ କଣ୍ଟା ଭିତରେ ତାର କ୍ଷୁଦ୍ର ଧୂସର ବର୍ଣ୍ଣର ଦେହଟି କେତେବେଳେ ଦେଖାଯାଉଥାଏ ତ କେତେବେଳେ ଲୁଚି ଯାଉଥାଏ । ଆମର ଗୋଡ଼, ହାତ ଏହି କଣ୍ଟାରେ ଚିରି ହୋଇଯାଇଥିଲା, କାରଣ ତାକୁ ଆଖି ଆଗରେ ରଖି ଆମକୁ ଦୌଡ଼ିବାକୁ ହେଉଥିଲା; ଏପରିକି ଆମର ଆଗରେ ନିକଟରେ କୌଣସିଠାରେ ଚିତାବାଘ ଲୁଚି ରହି ହଠାତ୍ ଆକ୍ରମଣ କରିବାର ଆଶଙ୍କା ଥିଲେହେଁ ଆମେ ତାର ପ୍ରତିକାର ପାଇଁ କୌଣସି ସାବଧାନତା ଅବଲମ୍ବନ କରିପାରି ନଥିଲୁ । ମଝିରେ ମଝିରେ କଣ୍ଟାଝଣ୍ଟାରେ ଆମର ଗତି ମନ୍ଥର ହୋଇ ପଡ଼ୁ ଥିଲା । ସେତେବେଳେ କୁସ୍ ଆମର ଖୁବ୍ ଆଗରେ ଲୁଚି ଯାଉଥିଲା । ଆମେ ହୁଇସିଲ ଶବ୍ଦ କରି ତାକୁ ପଛକୁ ଡାକୁଥିଲୁ । କେତେକ ମିନିଟପରେ ସେ ଫେରି ଆସୁଥିଲା ସତ; କିନ୍ତୁ ଗନ୍ଧ ବାରି ପୁଣି ବାଟ ସ୍ଥିର କରିବାରେ କଷ୍ଟ ଅନୁଭବ କରୁଥିଲା ।

 

(୧) ଦେଖ : ନଅଟି ମଣିଷଖିଆ ବାଘ ଓ ଗୋଟିଏ ପାଗଲା ହାତୀ (ଆଲେନ ଓ ଅନ ଉଇନ, ଲଣ୍ଡନ ଦ୍ଵାରା ପ୍ରକାଶିତ ।)

 

ମୁଁ ସାଥିରେ ଦଉଡ଼ି ନେଇ ନଥିଲି । ତେଣୁ ମୁଁ ଗୋରୁ ଜଗାଳିର ଠେକାକୁ ମାଗିଆଣି ତାହାର ଗୋଟିଏ ମୁଣ୍ଡ କୁସ୍‌ର ବେକରେ ବାନ୍ଧି ଦେଇ ଆର ମୁଣ୍ଡଟି ତାର ମାଲିକ ହାତରେ ଧରାଇ ଦେଲି । କିନ୍ତୁ ଠେକାଟି ଛୋଟ ଓ ଏଥିରେ ଥିବା ଲୁଗାର ଲମ୍ବ କମ୍ । ତେଣୁ ଲୋକଟିକୁ ନଇଁ ନଇଁ ଯିବାକୁ ପଡ଼ୁଥିଲା । ଏଣେ କୁସ୍ ଆଗକୁ ପଳାଇବା ପାଇଁ ଟାଣି ହେଉଥିଲା ଓ କାଶି କାଶି ତାର ଆଗ୍ରହ ପ୍ରକାଶ କରୁଥିଲା ।

 

ଏହିପରି ଯାଇ ଯାଇ ଆମେ ଏକ ଉଚ୍ଚ ମାଳଭୂମି (plateau)ରେ ପହଞ୍ଚିଲୁ । ଏହିଠାରେ ଭୂମି ହଠାତ୍ ଆନେକଲ ବାଙ୍କା ନଦୀ ଗର୍ଭକୁ ଗଡ଼ି ଆସିଅଛି । ଆମେ ଗଛ ଅଗର ଫାଙ୍କ ବାଟେ ସେହି ନଦୀ ଶଯ୍ୟାକୁ ଦେଖି ପାରିଲୁ । ନଦୀଟି ବଙ୍କେଇ ବଙ୍କେଇ ଯାଇଥିଲା ଓ ସୂର୍ଯ୍ୟ କିରଣରେ ତାର ବାଲୁକା ଶଯ୍ୟା ଉପରେ ବହୁଥିବା ଶୁଭ୍ର ଜଳସ୍ତର ଦେଖାଯାଉଥିଲା । ବର୍ଷର ସେହି ସମୟରେ ନଦୀଜଳର ପ୍ରାୟ ତିନି ଚତୁର୍ଥାଂଶ ଶୁଖିଯାଇଥିଲା ।

 

ଆଉ ଅଳ୍ପ ସମୟ ପରେ ସ୍ପଷ୍ଟ ପ୍ରମାଣ ମିଳିଲା ଯେ ଚିତାବାଘ ତାର ଆଘାତର ପରିଣାମ ଭୋଗିବାକୁ ଲାଗିଲାଣି । ଗୋଟିଏ ବାବୁଲ ଗଛମୂଳେ ଘାସଭିତରେ ସେ ଶୋଇଥିଲା ଓ ଯନ୍ତ୍ରଣାରେ ଗଡ଼ୁଥିଲା । ସେ ଯେଉଁଠାରେ ଶୋଇଥିଲା ସେଠାରେ ରକ୍ତ ଜମିଥିଲା ଓ ଯେଉଁଠାରେ ଗଡ଼ିଥିଲା ସେଠାରେ ଠାଆ ଠାଆ ହୋଇ ରକ୍ତ ଲାଗିଥିଲା । କୁସ୍ ଅନେକ ବେଳଯାଏ ଏହିଠାରେ ରହି ଏକ ବିଚିତ୍ର ଗୁଣ ପ୍ରକାଶ କଲା । ସେ ସେହି ରକ୍ତକୁ ଚାଟିଲା । ସାଧାରଣତଃ ଗାଉଁଲି କୁକୁରମାନେ ଚିତାବାଘକୁ ଭୟ କରନ୍ତି; କିନ୍ତୁ ମୁଁ ଆଗରୁ କହିଛି, କୁସ୍ ସେପରି ସଧାରଣ ଜୀବ ନଥିଲା । ତାର ମାଲିକ ଯେ ତାକୁ ସଙ୍ଗରେ ଘେନି ଆମ ସାଥିରେ ଆସିବାକୁ ରାଜି ହୋଇଥିଲା, ତାହା ମୋ ପକ୍ଷରେ ଭାଗ୍ୟର କଥା । ସାଧାରଣତଃ ଗାଉଁଲି ଲୋକେ ଗୋଟାଏ କୁକୁର ଛୁଆର କାନ ଦୁଇଟା ମୂଳରୁ କାଟିଦେବାକୁ କୁଣ୍ଠାବୋଧ କରିବେ ନାହିଁ, କିନ୍ତୁ ଗୋଟାଏ କୁକୁରକୁ ନେଇ ଏକ ଘାଉଆ ଚିତାବାଘକୁ ଖୋଜିବାରେ ଲଗାଇବା ନିତାନ୍ତ ନିର୍ଦ୍ଦୟ କାର୍ଯ୍ୟ ବୋଲି ମତ ଦେବେ ଓ ଏଭଳି ପାପକାର୍ଯ୍ୟରେ ଭାଗୀ ହେବାକୁ ମନା କରିଦେବେ । କିନ୍ତୁ ଏହି କୁତ୍ତୀର ବିନା ସାହାଯ୍ୟରେ ସେଦିନ କେବେହେଲେ ଚିତାବାଘର ରକ୍ତଚିହ୍ନ ଦେଖିପାରିନଥାନ୍ତୁ । ଘନ ବୁଦାଜଙ୍ଗଲ ଭିତରେ ଏହି ରକ୍ତର ଚିହ୍ନ ସାଧାରଣ ମନୁଷ୍ୟର ଆଖିକୁ କଦାପି ଦେଖାଯାଇ ନଥାନ୍ତା ।

 

ଏହି ଗଡ଼ାଣିରେ ଆମେ ଓହ୍ଲାଇଲୁ । କ୍ରମେ ଗଛଲତା କମ୍ ଦେଖାଗଲା; ଭୂମି ଉଦ୍ଭିଦ ଶୂନ୍ୟ ଓ ପଥୁରିଆ । ଚାରିଆଡ଼େ ବଡ଼ ବଡ଼ ପଥରଖଣ୍ଡମାନ ପଡ଼ିଥିଲା । ତା ଭିତରେ ଠାଏ ଠାଏ ଲମ୍ବ ବେଣାବୁଦା ଦେଖାଯାଉଥିଲା ।

 

ଏହାପରେ ଆମେ ଯେଉଁଠାରେ ପହଞ୍ଚିଲୁ ସେଠାରେ ଛୋଟ ବଡ଼ ପଥର ଛଡ଼ା ଆଉ କିଛି ନଥିଲା । ଆମେ ଗଡ଼ାଣି ପ୍ରାୟ ପାରହୋଇ ଆସିଥିଲୁ । ବର୍ଷାଦିନେ ବଢ଼ିବେଳେ ନଦୀର ଜଳ ଅତି ବେଶି ହେଲେ ଏଇ ପର୍ଯ୍ୟନ୍ତ ଆସେ ।

 

ଗଛଲତା ଆଉ ନଥିବାରୁ ରକ୍ତ ଚିହ୍ନ ଅନୁସରଣ କରିବା ଏଣିକି ସହଜ ହେଲା । ଯେଉଁଠାରେ ଘାଉଆ ଚିତାବାଘର କ୍ଷତରୁ ରକ୍ତ ପଡ଼ିଥିଲା ବା ପଥର ଦେହରେ ଘଷିହେବାରୁ ଲାଗିଥିଲା ତାହା ସାମାନ୍ୟ ଧୂସର ଦେଖାଯାଉଥିଲା । ଏହି ରକ୍ତ ଚିହ୍ନରୁ ଚିତାବାଘ କେଉଁବାଟେ ଯାଉଥିଲା ଜଣାପଡ଼ୁଥିଲା । ଆମେ ଯେତେଦୂର ଯାଇଥିଲୁ ଓ ଚିତାବାଘ ଦେହରୁ ଯେତେ ରକ୍ତ ପଡ଼ିଥିଲା, ସେଥିରୁ ଜଣାଗଲା ଯେ ଚିତାବାଘ ଯେତେଦୂର ଆଘାତ ପାଇଥିବ ବୋଲି ଭାବିଥିଲି ସେ ତହିଁରୁ ଅଧିକ ଆଘାତ ପାଇଥିଲା । କ୍ଷତଟା ଖୁବ୍ ଗଭୀର ହୋଇଥିବ ଓ ସମ୍ଭବତଃ ଗୁଳିଟା ତାର କୌଣସି ଧମନୀରେ ବାଜିଥିବ । ଅନ୍ୟ ସ୍ଥାନରେ ବିଶେଷତଃ କୌଣସି ମାଂସ ବହୁଳ ସ୍ଥାନରେ ବାଜିଥିଲେ ରକ୍ତ ବୋହିବା କ୍ରମଶଃ କମି ଆସିଥାନ୍ତା । ସମ୍ପୂର୍ଣ୍ଣ ବନ୍ଦ ନ ହେଲେ ସୁଦ୍ଧା ଚମ ତଳର ମାଂସ ସ୍ଵତଃ ସଙ୍କୁଚିତ ହୋଇ ଗୁଳିରେ ହୋଇଥିବା କଣାକୁ ବନ୍ଦ କରିଦେଇଥାନ୍ତା; ତେଣୁ ରକ୍ତସ୍ରାବ କମିଥାନ୍ତା ।

 

ଆମେ ନଦୀଶଯ୍ୟାର ଏକ ସଂକୀର୍ଣ୍ଣ ଅଂଶରେ ପହଞ୍ଚିଲୁ । ସେଠାରେ ସାମାନ୍ୟ ପାଣି ବୋହି ଯାଉଥିଲା । ଏହିଠାରେ ଚିତାବାଘଟା ପାଣି ପିଇବାକୁ ନଇଁପଡ଼ିଥିଲା । ଏଠାରେ ଦୁଇଟି ରକ୍ତ ଚିହ୍ନ ଦେଖାଗଲା । ଗୋଟିଏ ଥିଲା ପାଣି ଧାରର ପାଖରେ, ଅନ୍ୟଟି ଟିକିଏ ଦୂରରେ । ଦୂରରେ ଥିବା ଚିହ୍ନରେ ବେଶି ରକ୍ତ ଥିଲା ଓ ପାଦ ଚିହ୍ନରେ କମ୍ ଥିଲା । ଗତ ରାତିରେ ମୁଁ ଗୋଟିଏ ମାତ୍ର ଗୁଳି ମାରିଥିଲି । ଏବେ ଦୁଇ ଜାଗାରୁ ରକ୍ତ ବହିଥିବାର ଦେଖି ମୁଁ ବିସ୍ମିତ ହୋଇ ସନ୍ଦେହରେ ପଡ଼ିଲି । ଏହି ସମସ୍ୟାର ସମାଧାନ ଆହୁରି ବିସ୍ମୟଜନକ ।

 

ଗୋଟିଏ ଜାଗାରେ ଚିତାବାଘ ନିଜ ରକ୍ତ ଉପରେ ପାଦ ପକାଇ ଦେଇଥିଲା ଓ ନଈ ଭିତରେ ପଶିବା ପୂର୍ବରୁ ସେହି ପାଦର ଚିହ୍ନ ଗୋଟିଏ ପଥର ଉପରେ ରଖି ଦେଇ ଯାଇଥିଲା । ଏହା ତାର ଗୋଟିଏ ଆଗ ପାଦର ଚିହ୍ନ । ଏହାର ଆକାରରୁ ଜଣାଯାଉଥିଲା ଯେ ତାହାର ଆକାର ସାଧାରଣ ହୋଇଥିବ ଓ ଖୁବ୍ ସମ୍ଭବ ଏହା ଗୋଟିଏ ଅଣ୍ଡିରା ଚିତାବାଘ । ନଈର ଆରପାଖେ ପହଞ୍ଚିଲା ବେଳକୁ ତାର ପାଦରୁ ରକ୍ତ ଧୋଇ ହୋଇ ଯାଇଥିଲା; କିନ୍ତୁ ଏହାପରେ ମଧ୍ୟ ପଥର ଉପରେ ଟୋପା ଟୋପା ରକ୍ତ ପଡ଼ିଥିଲା ।

 

ନଈ ପାର ହେବା ପରେ ଚିତାବାଘ ତାର ଗମନପଥ ବଦଳାଇ ଦେଇ ପାଣି ଧାର ସହିତ ସମାନ୍ତର ପଥରେ ଯାଇଥିଲା । ଏହିପରି ପ୍ରାୟ ଦୁଇଶହ ଗଜ ଯିବାପରେ ସେ ବାମ ପାଖକୁ ବଙ୍କେଇ ଯାଇ ବିପରୀତ ପାର୍ଶ୍ଵରେ ଥିବା ଢାଲୁ ଜାଗାକୁ ଉଠିବାକୁ ଆରମ୍ଭ କରିଥିଲା । ଏହାପରେ ପଥର ପରିବର୍ତ୍ତେ ପୁଣି ଗଛଲତା ପ୍ରଭୃତି ପଡ଼ିଲା । ଆମେ ବଡ଼ ବଡ଼ ଘାସବୁଦା, କଣ୍ଟାବୁଦା; କେତେକ ବାଉଁଶ ଓ ବଡ଼ ଗଛ ପାର ହୋଇଗଲୁ ।

 

ଚିତାବାଘ ଉପରକୁ ଉପରକୁ ଯାଇଥିଲା । ଏବେ ଆମ କୁସ୍ ମଧ୍ୟ ସେହି ବାଟେ ଚାଲିଲା । ମନେହେଲା ସତେ ଅବା ଏଭଳି କାମପାଇଁ ତାକୁ କେହି ଶିକ୍ଷା ଦେଇଥିଲା । ଶେଷରେ ଆମେ ଗୋଟିଏ ରାସ୍ତାରେ ପହଞ୍ଚିଲୁ । ଏହି ରାସ୍ତାଟି ଡେଙ୍କାନିକୋଟାରୁ ଆଞ୍ଚେଟିକୁ ଯାଇଛି । ବାଟରେ ଏହା ଏକ ଜଙ୍ଗଲ ଅତିକ୍ରମ କରିଛି । ଆମେ ଯେଉଁଠାରେ ରାସ୍ତାକୁ ଉଠିଲୁ ତାହାର ଠିକ୍ ବିପରୀତ ପାର୍ଶ୍ଵରେ ୯ ନମ୍ବର ମାଇଲ ଖୁଣ୍ଟ ଦେଖାଯାଉଥିଲା । ଏଠାରେ ଉଲ୍ଲେଖ କରିପାରେ, ଗତ ସନ୍ଧ୍ୟାରେ ଶିବାନୀପଲ୍ଲୀକୁ ଗଲାବେଳେ ଏହି ରାସ୍ତାର ଠିକ୍ ୫ ନମ୍ବର ମାଇଲ ଖୁଣ୍ଟ ନିକଟରେ ମୁଁ ମୋର ମୋଟର ଗାଡ଼ି ରଖିଆସିଥିଲି ।

 

ରାତି ଭିତରେ ଓ ସକାଳେ ଅନେକ ଶଗଡ଼ଗାଡ଼ି ସେହି ରାସ୍ତାଉପରେ ଯାଇଥିଲା ଓ ଧୂସର ବର୍ଣ୍ଣର ଧୂଳି ଭିତରେ ଚିତାବାଘର ଗନ୍ଧ ଏକବାରେ ଉଭେଇ ଯାଇଥିଲା । କିନ୍ତୁ ରାସ୍ତାର ଆର ପାଖକୁ ଯିବା ମାତ୍ରେ କୁସ୍ ପୁଣି ଚିତାବାଘର ଗନ୍ଧ ବାରି ପାରିଲା । ଆମେ ତା ପଛେ ପଛେ ଚାଲିଲୁ ।

 

କ୍ରମେ ଘାସ ଓ ବାଉଁଶ ବୁଦା କମି ଆସିଲା, ବେଶି ବେଶି କଣ୍ଟାବୁଦା ଓ ଲଟା ପଡ଼ିଲା । ସେଥିରେ ଆମ ଦେହଯାକ ଚିରି ହୋଇଗଲା । କେତେକ ସ୍ଥାନରେ ଚିତାବାଘ ଲତା ଓ କଣ୍ଟାବୁଦା ତଳେ ଗଳି ଗଳି ଯାଇଥିଲା । ସେ ଜାଗାରେ ଆମେ ଯିବା ଅସମ୍ଭବ ମନେହେଲା । ଭିତରେ ଯିବାର ବାଟ ବି ନଥିଲା କି ବୁଲି ଯିବାର ବାଟ ନଥିଲା । ସେଠାରୁ ପେଟକୁ ତଳେ ଲଗାଇ ଘୁଷୁଡ଼ି ଘୁଷୁଡ଼ି କୁକୁର ପଛରେ ଯିବା ଛଡ଼ା ଅନ୍ୟ ଉପାୟ ରହିଲା ନାହିଁ ।

 

ଏଭଳି ସ୍ଥାନରେ ଓ ଏଭଳି ଅବସ୍ଥାରେ ମୋର ରାଇଫେଲ ଏକ ଅସୁବିଧାର କାରଣ ହୋଇଥିଲା । କଣ୍ଟାରେ ମୋର ମୁଣ୍ଡ ଓ ମୁହଁ ଚିରି ହୋଇ ଯାଉଥିଲା, ଗୋଟାଏ ଗୋଟାଏ କଣ୍ଟା ମୋ ହାତ, ଗୋଡ଼ ଓ ଦେହରେ ଗଳି ରହି ଯାଉଥିଲା । ସେତେବେଳେ ମୁଁ ଦୈବକୁ ଅଭିଶାପ ଦେଉଥିଲି । ମୋ ଅବସ୍ଥା ଅପେକ୍ଷା ମୋର ସଙ୍ଗୀ ତିନିଜଣଙ୍କ ଅବସ୍ଥା ଆହୁରି ଖରାପ ଥିଲା; କାରଣ ସେମାନେ ଯେଉଁ ଲୁଗା ପିନ୍ଧିଥିଲେ ତାହା ମୋର ପୋଷାକଠାରୁ ସାମାନ୍ୟ ପତଳା । ବୋଧହୁଏ ସେମାନଙ୍କ ଦେହର ଚମଡ଼ା ମୋ ଚମଡ଼ାଠାରୁ ମୋଟା ଥିଲା; ଅବଶ୍ୟ ସେ କଥା ମୁଁ ଜାଣେନାହିଁ; କିନ୍ତୁ ମୁଁ ନିଶ୍ଚୟ କରି କହିପାରେ ଯେ ସେତେବେଳେ ଆମ ଚାରିଜଣଙ୍କ ତୁଣ୍ଡରୁ ଯେଉଁ ଭାଷା ବାହାରୁଥିଲା ସେଥିରେ ଆମେ ବିଲଙ୍ଗସ୍‌ଗେଟ ପ୍ରତିଯୋଗିତାରେ ପୁରସ୍କାର ଅର୍ଜି ପାରିଥାନ୍ତୁ-। କେବଳ କୁସ୍ ଅବିଚଳିତ ରହିଥିଲା ଓ ଆମ ଆଗେ ଆଗେ ରହି ବାରମ୍ବାର ପଛକୁ ଚାହୁଁଥିଲା ଓ ଆମର ମନ୍ଥର ଓ କଦର୍ଯ୍ୟ ଚାଲି ଦେଖି ଅଧୀରତା ପ୍ରକାଶ କରୁଥିଲା ।

 

ଏଥି ମଧ୍ୟରେ ସ୍ପଷ୍ଟ ଜଣାପଡ଼ିଥିଲା ଯେ ଘାଉଆ ଚିତାବାଘଟି କୁଣ୍ଡୁକେଟାଇ ଗ୍ରାମର ପ୍ରାୟ ଅଧ ମାଇଲ ପଛରେ ଥିବା ଗୋଟାଏ ବଡ଼ ପାହାଡ଼କୁ ଲକ୍ଷ୍ୟ ରଖି ଯାଇଥିଲା । ଅଳ୍ପ ସମୟ ପୂର୍ବେ ଆମେ ଯେଉଁ ଡେଙ୍କାନିକୋଟ୍ଟା–ଆଞ୍ଚେଟି ରାସ୍ତା ପାରହୋଇ ଆସିଥିଲୁ ସେହି ରାସ୍ତାର ସପ୍ତମ ଓ ଅଷ୍ଟମ ମାଇଲ ଖୁଣ୍ଟ ମଧ୍ୟରେ ଏହା ଅବସ୍ଥିତ । ଏହି ପାହାଡ଼ର ଶୀର୍ଷ ଦେଶରେ ଅନେକ ଗୁଡ଼ିଏ ଛୋଟ ବଡ଼ ଗୁହା ଥିବା ବିଷୟ ଜଣାଶୁଣା । ଆହୁରି ଭୟର କାରଣ ହେଉଛି, କେତେକ ବଡ଼ ଗୁହାର ଛାତରେ ବାଘୁଆ ମହୁମାଛିମାନେ ନିରାପଦରେ ସେମାନଙ୍କର ଫେଣା ତିଆରି କରି ରହିଥାନ୍ତି । ଅନେକ ଥର ସେହି ରାସ୍ତାରେ ମୋଟର ଯୋଗେ ଆଞ୍ଚେଟିକୁ ଯିବାବେଳେ ମୁଁ ସେହିସବୁ ମହୁଫେଣା ଦେଖିଥିଲି ।

 

ମୋର କଳାଚିତାବାଘକୁ ମାରିବାର ଆଶା କ୍ଷୀଣ ହୋଇଆସୁଥିଲା । କୁଟାଗଦାରୁ ଛୁଞ୍ଚିଟାଏ ଖୋଜିବା ଯାହା, ଏ ଗୁହାମାନଙ୍କ ଭିତରୁ ଚିତାବାଘକୁ ଖୋଜି ବାହାର କରିବା ତାହା । ଯଦି ଚିତାବାଘ ଏହି ମହୁଫେଣା ଥିବା କୌଣସି ଗୁହାରେ ଆଶ୍ରୟ ନେଇଥାଏ, ତେବେ ମହୁମାଛିମାନେ ତାର ଜଗୁଆଳି ହୋଇ ରହିଥିବେ । ମୁଁ ନିଶ୍ଚିତ ଭାବରେ କହିପାରେଁ, ଏହି ମହୁମାଛିମାନଙ୍କ ନୀରବତା ଭଙ୍ଗକଲେ ସେମାନେ ଭୀଷଣ ଶତ୍ରୁତା ଆଚରଣ କରିପାରନ୍ତି ।

 

ଆମେ ଧୀରେ ଧୀରେ ଆଗେଇଲୁ । ଗୁହାମାନଙ୍କ ତଳକୁ କଣ୍ଟାବୁଦା କମ୍ ଥିଲା । ଏପରି କମ୍ ହେବାର କାରଣ ହେଉଛି ପଥର ସବୁ ଗଡ଼ାଣିଆ ଓ ଶତ ଶତ ବର୍ଷ ଧରି ତା ଉପରେ ବର୍ଷା ପାଣି ଗଡ଼ିଆସୁଥିବାରୁ ତାହା ଧୋଇହୋଇ କାଚପରି ମସୃଣ ହୋଇଯାଇଥିଲା ।

 

ଗନ୍ଧ ବାରି ବାରି ଯାଉ ଯାଉ ଆମେ କ୍ରମନିମ୍ନ ପଥର ପାର ହୋଇ ଆମର ଉପରକୁ ଥିବା ଏକ ବଡ଼ ଖୋଲା ଜାଗାରେ ପହଞ୍ଚିଲୁ । ଆମେ ଛିଡ଼ା ହୋଇଥିବା ସ୍ଥାନରୁ ଗୁହାମାନଙ୍କ ଛାତରୁ ଓହଳିଥିବା ପ୍ରାୟ ଅଧ ଡଜନ କଳା କଳା ମହୁଫେଣା ଦେଖିପାରିଲୁ । ପ୍ରତ୍ୟେକ ମହୁଫେଣା ପ୍ରାୟ ତିନିଫୁଟ ଲମ୍ବ ଓ ଦୁଇଫୁଟ ଓସାର ହେବ । ସେମାନଙ୍କ ଭିତରେ କେଉଁଠି କେଉଁଠି ପୁରୁଣା ପରିତ୍ୟକ୍ତ ମହୁଫେଣା ମଧ୍ୟ ଥିଲା । ସେଗୁଡ଼ିକରୁ ଧଳା ଓ ହଳଦିଆ ରଙ୍ଗର ମହଣ ତ୍ରିଭୁଜ ଆକାରରେ ବାହାରି ପଡ଼ିଥିଲା । ସେଗୁଡ଼ିକର ଲମ୍ବ ପ୍ରାୟ ନଅଇଞ୍ଚ ହେବ ।

 

ପାଦରେ କାନଭାସ ସୋଲ (sole) ଥିବା ଜୋତା ପିନ୍ଧିଥିବାରୁ ମୁଁ ଏହି ଖସଡ଼ା ପଥର ଚଟାଣ ଉପରକୁ ଉଠିବାରେ ବିଶେଷ କଷ୍ଟ ଅନୁଭବ କରିନଥିଲି । ମୋର ସଙ୍ଗୀମାନେ ଖାଲି ପାଦ ହେତୁ ଆହୁରି ସହଜରେ ଉଠି ପାରିଥିଲେ । ଆମ ଆଗେ ଆଗେ କୁସ୍ ପଥର ଉପରକୁ ଦଉଡ଼ିଲାବେଳେ ତାର ନଖ ଟକ୍ ଟକ୍ ଶବ୍ଦ କରୁଥିଲା ।

 

ଆମେ ଗୋଟିଏ ଗୁହାର ପ୍ରବେଶ ପଥ ନିକଟରେ ପହଞ୍ଚିଲୁ । ଗୁହା ଭିତରୁ ଗୋଟାଏ ନିମ୍ନ ଖସ୍ ଖସ୍ ଶବ୍ଦ ଆସୁଥିଲା । ଲକ୍ଷ ଲକ୍ଷ ମହୁମାଛି ଆମ ଉପରକୁ ଓହଳି ଥିବା ମହୁଫେଣାରୁ ଯିବା ଆସିବା କରୁଥିବାରୁ ଏହି ଶବ୍ଦ ହେଉଥିଲା । ଅନେକ କୀଟପତଙ୍ଗ ମଧ୍ୟ ବଣର ଫୁଲମାନଙ୍କରୁ ମହୁ ସଂଗ୍ରହ କରି ନିଜ ବସାରେ ସଞ୍ଚିବାପାଇଁ ଆଣୁଥିଲେ ଓ ରଖିସାରି ଆହୁରି ଆଣିବାକୁ ଯାଉଥିଲେ । ସେମାନେ ଉଡ଼ିଲାବେଳେ ଏକପ୍ରକାର ଗୁଣୁଗୁଣୁ ଶବ୍ଦ କ୍ରମାଗତ ଶୁଣାଯାଉଥିଲା ।

 

ଏହି କ୍ଷୁଦ୍ର ଜୀବଗୁଡ଼ିକ ନିଜ ନିଜ କର୍ତ୍ତବ୍ୟରେ ରତ ରହିଥିବାରୁ ଆମପ୍ରତି ଦୃଷ୍ଟି ଦେଇନଥିଲେ; କିନ୍ତୁ ଆମେ ବେଶ୍ ଜାଣିଥିଲୁ ଯେ ଯଦି ଦୈବାତ୍ ଆମେ ସେମାନଙ୍କର ଶାନ୍ତିଭଙ୍ଗ କରୁଁ, ତେବେ ଏହି ନିରୀହ ଓ ଶାନ୍ତ ଜୀବଗୁଡ଼ିକ କଳା ଲାଭା ସ୍ରୋତଭଳି ଆମ ଉପରେ ମାଡ଼ି ପଡ଼ିବେ ଓ ସାମାନ୍ୟ କେତେ ମିନିଟ୍ ଭିତରେ ବିଷାକ୍ତ ନାହୁଡ଼ ସାହାଯ୍ୟରେ ଆମକୁ ମାରି ପକାଇବେ ।

 

ଗୋଟିଏ ଗୁହାର ପ୍ରବେଶ ପଥରେ ଅତି ସାମାନ୍ୟ ରକ୍ତଚିହ୍ନ ଲାଗିଥିଲା । ଦୁଇଟି ଶୁଖିଲା ଛୋଟ ବିନ୍ଦୁ ଆକାରରେ ଏହା ଦେଖାଯାଉଥିଲା । ଏଥିରୁ ଆମେ ଜାଣିଲୁ, ଘାଉଆ ଚିତାବାଘ ଏହି ଗୁହା ଭିତରକୁ ଯାଇଛି ।

 

ମୁହଁ ପାଖରେ ଗୁହାଟି ଅପେକ୍ଷାକୃତ ବଡ଼; ଲମ୍ବରେ ଓ ଉଚ୍ଚରେ କୋଡ଼ିଏ ଫୁଟ ଲେଖାଏଁ ହେବ । ଗୁହାର କେତେ ଗଜ ଭିତରକୁ ଦିନର ଆଲୁଅ ପଡ଼ୁଥିଲା; ତେଣିକି ଥିଲା ଘୋର ଅନ୍ଧାର । ମୁଁ ନଅଟି ମହୁଫେଣା ଗଣିଲି । ସେଗୁଡ଼ିକ ଖୁବ ବଡ଼ ବଡ଼ ଓ ଗୁହାମୁହଁ ପାଖ ଛାତରୁ ଓହଳିଥିଲେ । ଗୁହାର ମେଜିଆରେ ପଥର । ସାଧାରଣତଃ ଏଭଳି ସ୍ଥାନ ସନ୍ତସନ୍ତିଆ ହୋଇଥାଏ; କିନ୍ତୁ ଏହା ସେପରି ନଥିଲା । ଏହି କାରଣରୁ ଯେ ଚିତାବାଘ ଏହାକୁ ନିଜର ବାସସ୍ଥାନ କରିଥିଲା, ଏଥିରେ ସନ୍ଦେହ ନାହିଁ । ମହୁମାଛିମାନେ ମଧ୍ୟ ସେହି କାରଣରୁ ଏଠାରେ ବସା କରିଥିଲେ । ଏହି ଉଭୟ ପ୍ରାଣୀ ବିଶେଷତଃ ଚିତାବାଘ ସନ୍ତସନ୍ତିଆ ସ୍ଥାନରେ ରହିବାକୁ ଭଲପାଆନ୍ତିନାହିଁ ।

 

ମୁଁ ଚୁପ୍ ଚୁପ୍ କରି ମୋର ସାଥିମାନଙ୍କୁ କହିଲି–ତୁମେ ତିନିହେଁ ବାହାର ପାଖେ ରହ । ଧୀରେ ଧୀରେ ଗୁହା ବାହାରପଟୁ ପଥର ଉପରକୁ ଚଢ଼ି ଗୁହା ଉପରକୁ ଉଠିଯିବ । ସାବଧାନ, କେବେହେଲେ ମୁଣ୍ଡିଆତଳକୁ ଯିବନାହିଁ । ଯଦି ଚିତାବାଘ ମୋଠାରୁ ଖସିଆସେ, ତେବେ ସେ ଚିଶ୍ଚୟ ସେହି ଦିଗରେ ଆକ୍ରମଣ କରିବ ।

 

ଏହିପରି ପରାମର୍ଶ ପାଇ ସେମାନେ ଚାଲିଗଲେ । କୁସ୍ ଓ ମୁଁ ଗୁହା ଭିତରେ ପଶିଲୁ ।

 

ସେତିକିବେଳୁ କୁସ୍ ବୋଧହୁଏ ଜାଣିଥିଲା ଯେ ଗୋଟାଏ କିଛି ବିପଦ ଘଟିବାକୁ ଯାଉଛି-। ଏଥି ପୂର୍ବରୁ ସେ ଯେଉଁ ସାହସ ଦେଖାଯାଉଥିଲା, ତାହା କୁଆଡ଼େ ଉଭେଇଗଲା । ସେ ମୋ ପଛକୁ ପଳାଇଯାଇ ମୋ ଠାରୁ କ୍ରମେ ଦୂରରେ ରହିଲା । ଯେତେଦୂର ଯାଏ ବାହାରର କ୍ଷୀଣ ଆଲୁଅ ଗୁହାଭିତରକୁ ପଡ଼ୁଥିଲା, ସେତିକି ଦୂର ପର୍ଯ୍ୟନ୍ତ ମୁଁ ଗଲି । ଏହା ଅତି ବେଶିହେଲେ ତିରିଶ ଫୁଟ ହେବ । ମୁଁ ଓ କୁସ୍ ସେହିଠାରେ ରହିଗଲୁ-। ଆଉ ଆଗେଇ ହେଲାନାହିଁ । ମୋର ଶିକାର ଏଭଳି ଏକ ସ୍ଥାନରେ ଥିବ ବୋଲି କଳ୍ପନା କରିନଥିଲି । ତେଣୁ ଗାଆଁରୁ ଆସିଲାବେଳେ ମୋର ଟର୍ଚ୍ଚଟା ଆଣିନଥିଲି ।

 

ବର୍ତ୍ତମାନ ମୋ ଆଗରେ ଦୁଇଟି ପନ୍ଥା ଉନ୍ମୁକ୍ତଥିଲା । ହୁଏତ ଘାଉଡ଼ା ଚିତାବାଘକୁ ନିଦରୁ ଉଠାଇବି କିମ୍ବା ଶିବାନୀପଲ୍ଲୀକୁ ଯାଇ ଟର୍ଚ୍ଚ ଆଣି ଆସିବି; ଆଉ ଲୋକମାନଙ୍କୁ କହିଯିବି ଯେ ସେମାନେ ଗୁହାଉପରେ ନିରାପଦ ସ୍ଥାନରେ ରହି କାଳେ ଚିତାବାଘ ମୋ ଫେରିବା ଆଗରୁ ଖସି ବାହାରି ଯିବ ଜଗି ରହିବେ । ଶେଷୋକ୍ତ ପନ୍ଥାଟି ଗ୍ରହଣ କରିବା ମୋର ଉଚିତ ଥିଲା; କାରଣ ତାହା ନିରାପଦ ଓ ସେଥିରେ ନିଶ୍ଚିତ ଫଳ ମିଳିଥାନ୍ତା; କିନ୍ତୁ ଏତେବାଟ ଯିବା ଆସିବା ପାଇଁ ମୋର ମନ ହେଲାନାହିଁ । ତେଣୁ ଏତେଦୂର ଯିବା କଷ୍ଟରୁ ରକ୍ଷାପାଇବା ପାଇଁ ମୁଁ ପ୍ରଥମ ଉପାୟ କାର୍ଯ୍ୟରେ ପରିଣତ କରିବାକୁ ଉଦ୍ୟମ କଲି ।

 

ମୁଁ ପାଟିରେ ହୁଇସିଲ ଶବ୍ଦକରି ଜୋରରେ ପାଟିକଲି । କିଛି ପ୍ରତିକ୍ରିୟା ଦେଖାଗଲା ନାହିଁ । ମୁଁ ପୁଣି ପାଟିକଲି । କୁସ୍ ଗୁଁ ଗୁଁ ହେଉଥିଲା । ସେ ଭୁକିବାକୁ ଲାଗିଲା । ତଥାପି କିଛି ବୋଲି କିଛି ଫଳ ଦେଖାଗଲାନାହିଁ ।

 

ଗୁହାର ଭିତର ମୁହଁଠାରୁ କ୍ରମେ ସରୁ ହୋଇ ଶେଷକୁ ପ୍ରାୟ ତାର ଅଧା ଓସାର ହୋଇଥିଲା । ଆମ ଚିତ୍କାରର ଉତ୍ତରରେ ନୀରବତା ଛଡ଼ା ଆଉ କିଛି ମିଳିଲାନାହିଁ । ଅନ୍ଧକାରମୟ ଗୁହାଭିତରେ ଶ୍ମଶାନର ନୀରବତା ରାଜତ୍ଵ କରୁଥିଲା । ତେବେ କଅଣ ଘାଉଆ ଚିତାବାଘ ଗୁହା ଭିତରେ ମରିଯାଇଛି ? କିନ୍ତୁ ସେ ମରି ଥିବାର ସମ୍ଭାବନା ନଥିଲା । ଆନେକଲ ବାଙ୍କାନଦୀ ପାରହେବା ପୂର୍ବରୁ ସେ ପ୍ରଥମେ ବିଶ୍ରାମ ନେଇଥିଲା; ତାହାପରେ ସେ ଆଉ ବିଶ୍ରାମ ନେଇଥିବାର କୌଣସି ପ୍ରମାଣ ମିଳିନଥିଲା । ଅନ୍ୟ ଏକ ସମ୍ଭାବନା ହେଲା–ଆମେ ପହଞ୍ଚିବା ଆଗରୁ ଚିତାବାଘ ଗୁହାରୁ ବାହାରି ଚାଲିଯାଇଥିବ । ଏହା ଘଟି ପାରିଥାଏ, କିନ୍ତୁ ଏପରି ଘଟିଥିବାର କୌଣସି ସୂଚନା ମିଳିନଥିଲା ।

 

ଗୋଟାଏ କିଛି ଫିଙ୍ଗିବା ଉଦ୍ଦେଶ୍ୟରେ ମୁଁ ଚାରିଆଡ଼କୁ ଅନାଇଲି । ମୋ ପାଦ ପାଖରେ ଖଣ୍ଡେ ପଥର ପଡ଼ିଥିଲା । ମୁଁ ତାକୁ ମୋର ବାଁ ହାତରେ ଉଠାଇନେଲି । ଦେଖିଲି ପଥରଟା ବେଶ୍ ଓଜନ ଲାଗୁଛି ।

 

ମୁଁ ବାଉଁଆ । ମୁଁ ଅବଶ୍ୟ ଡାହାଣ କାନ୍ଧ ପାଖରୁ ଗୁଳି ମାରେଁ କିନ୍ତୁ କିଛି ଫିଙ୍ଗିଲାବେଳେ ମୁଁ ବାଁ ହାତ ବ୍ୟବହାର କରେ । ସେତେବେଳକୁ ମୁଁ ବନ୍ଧୁକକୁ ଟେକିଧରି ଡାହାଣ ହାତର କହୁଣି ସନ୍ଧିରେ ଲଗାଇ ରଖି ସାରିଥିଲି । ପଥରଟା ଫିଙ୍ଗିଲାବେଳେ ମୁଁ ମୋର ସମସ୍ତ ଶକ୍ତି ପ୍ରୟୋଗ କରିଥିଲି । ଗୁହାର ଅନ୍ଧକାର ମଧ୍ୟରେ ପଥରଟା କୁଆଡ଼େ ଅଦୃଶ୍ୟ ହୋଇଗଲା । ପଥରର ମେଜିଆ ଉପରେ ଗୋଟାଏ ଠକ୍ ଶବ୍ଦ କରି ଏହା ପଡ଼ିବାର ଶୁଣିଲି । ଏହି ଶବ୍ଦ ପରେ ପରେ ପାଦରେ ଭୂଇଁକୁ ଆଘାତ କରିବାର ଖଟ୍ ଖଟ୍ ଶବ୍ଦ ଶୁଣାଗଲା ।

 

ଅତି ଅଳ୍ପ ସମୟପରେ ମୋର ଚିର ପରିଚିତ ଖଁ ଖଁ ଶବ୍ଦ କରି ଚିତାବାଘଟା ଅନ୍ଧାର ଭିତରୁ ମୋ ଆଡ଼କୁ ସତେ ଯେପରି ଛିଟିକି ପଡ଼ିଲା । ଚିତାବାଘଟାର ରଙ୍ଗ କଳା ହୋଇଥିବାରୁ ସେ ଅନ୍ଧାରରୁ ବାହାରି ନଆସିବା ପର୍ଯ୍ୟନ୍ତ ମୁଁ ତାକୁ ଦେଖି ପାରିନଥିଲି । ତାକୁ ଦେଖିଲା ବେଳକୁ ସେ ମୋ ରାଇଫେଲଠାରୁ ମାତ୍ର ଦୁଇ ତିନି ଗଜ ଦୂରରେ ଥିଲା । ମୁଁ ମୁହୂର୍ତ୍ତେ ସୁଦ୍ଧା ବିଳମ୍ବ ନକରି ଗୁଳି ମାରିଲି କିନ୍ତୁ ସେ ଆସିଲାବେଳେ ଯେଉଁ ବେଗଶକ୍ତି ପ୍ରୟୋଗ କରିଥିଲା, ତାହା ଫଳରେ ସେ ମୋ ଆଡ଼କୁ ଆଉ ଟିକିଏ ଆଗେଇ ଆସିଲା । ମୁଁ ଆହୁରି ଗୋଟାଏ ଗୁଳି ମାରିଲି । ଏହି ଦୁଇ ଗୁଳିର ଶବ୍ଦ ଗୁହା ଭିତରେ ବାରମ୍ବାର ପ୍ରତିଧ୍ଵନିତ ହେବାକୁ ଲାଗିଲା ।

 

ଏହାପରେ ସତେ ଅବା ନରକର ଦ୍ଵାର ଖୋଲିଗଲା । ଏତେବେଳ ଯାଏ ମହୁମାଛିମାନଙ୍କର ସ୍ଵର ଅତି କ୍ଷୀଣଭାବରେ ମୋ କାନରେ ଗୁଣୁଗୁଣୁ ହୋଇ ବାଜୁଥିଲା; ଏବେ ହଠାତ୍ ଏହା ସପ୍ତମକୁ ଉଠିଲା । ଗୁହା ଭିତରକୁ ଯେଉଁ ସୂର୍ଯ୍ୟକିରଣ ପଡ଼ୁଥିଲା ସେଥିରେ କୋଟି କୋଟି କଳାବିନ୍ଦୁ ଉଡ଼ୁଥିବାର ଦେଖାଗଲା । ସେମାନଙ୍କ ସଂଖ୍ୟା ଯେତିକି ବଢ଼ିଲା ସ୍ଵର ମଧ୍ୟ ସେତିକି ଉଚ୍ଚ ସ୍ତରକୁ ଉଠିଲା । ଏହି କଳା ବିନ୍ଦୁଗୁଡ଼ିକ ମୋ ଉପରକୁ ମାଡ଼ିଆସିଲେ । ସେମାନଙ୍କ ଯୋଗେ ବାୟୁ ସୁଦ୍ଧା ଜୀବନ୍ତ ହୋଇ ଉଠିଲା ।

 

ମୁଁ ମହୁମାଛିମାନଙ୍କୁ ଉତ୍ତେଜିତ କରିଦେଇଥିଲି । ଚିତାବାଘ କଥା ଭାବିବାକୁ ବେଳ ମିଳିଲାନାହିଁ । ଦେହରୁ ଖାକି ଜାମାଟା ବାହାର କରି ମୋର ଖାଲିଥିବା ମୁହଁ ଓ ପିଠିକୁ ସେଥିରେ ପିଟି ପିଟି ଗୁହାର ଦୁଆର ମୁହଁ ଆଡ଼କୁ ପଳାଇ ଆସିଲି ।

 

ଗୋଟାଏ ତୁଷାରସ୍ତୂପ ଗଡ଼ିପଡ଼ିଲା ପରି ମହୁମାଛିମାନେ ମୋ ଉପରକୁ ମାଡ଼ିପଡ଼ିଲେ-। ସେମାନେ ମୋର ହାତକୁ ବିନ୍ଧି ପକାଇଲେ; ମୋ ଜାମାର ଭାଙ୍ଗମାନଙ୍କରେ ପଶିଗଲେ; ମୋ ବେକ, ମୋ ମୁଣ୍ଡ, ମୋ ମୁହଁ ସବୁଆଡ଼ ବିନ୍ଧି ଦେଇଗଲେ । ଏପରିକି ଗୋଟାଏ ମହୁମାଛି କିପରି ମୋ କମିଜ ତଳକୁ ପଶିଯାଇ ମୋ ପିଠିରେ ନାହୁଡ଼ ବସାଇଦେଲା ।

 

ଏହି ନାହୁଡ଼ ବିନ୍ଧା ଫଳରେ ମୋର ଭୀଷଣ ଯନ୍ତ୍ରଣା ହେଲା ।

 

କିଛି ସମୟ ପୂର୍ବରୁ ଆମେ ଯେଉଁ ଗଡ଼ାଣିଆ ପଥର ଉପରକୁ ଚଢ଼ି ଆସିଥିଲୁ, ମୁଁ ସେହି ପଥର ଉପରକୁ ଧୀରେ ଖସି ଆସିଲି । କୁସ୍ ଯନ୍ତ୍ରଣାରେ କେଁ କେଁ ହେଉଥିଲା । ଖୁବ୍ ଦୂରରୁ ତାର ଏହି ଶବ୍ଦ ଆସୁଥିବାପରି ଜଣାଯାଉଥିଲା । ମୁଁ ଯେତେ ବେଗରେ ପଳାଇଲି, ତହିଁରୁ ଅଧିକ ବେଗରେ ଏହି ମହୁମାଛିମାନେ ଉଡ଼ି ଆସିଲେ । ସେମାନେ ନିଷ୍ଠୁର ଭାବରେ ବୋମା ପକାଇବା ଉଡ଼ାଜାହାଜ ପରି ମୋ ଉପରେ ପଡ଼ିଲେ । ମୋର ମନେପଡ଼ିଗଲା–ଗଲା ଯୁଦ୍ଧବେଳେ କେତେକ ପାଇଲଟ ପ୍ରାଣଦେବାକୁ ସ୍ଥିରକରି ବୋମା ସହିତ ଉଡ଼ାଜାହାଜରେ ଯାଇ ଶତ୍ରୁ ଉପରେ ପଡ଼ୁଥିଲେ ଓ ନିଜର ଜୀବନ ସହିତ ଉଡ଼ାଜାହାଜକୁ ମଧ୍ୟ ଧ୍ଵଂସ କରିଦେଉଥିଲେ । ଏ ମହୁମାଛିମନେ ଠିକ୍ ସେହିପରି ଥିଲେ । ଯେଉଁଟି ମୋତେ ନାହୁଡ଼ ମାରୁଥିଲା, ମୋ ହାତରେ ତାର ପ୍ରାଣ ଯାଉଥିଲା । ପ୍ରତ୍ୟେକ ମହୁମାଛି ନାହୁଡ଼ରେ ବିଷ ଥାଏ । ନାହୁଡ଼ ମାରିଲେ ତାହା ଦେହ ଭିତରେ ଲାଖିରହେ । ଏହି ନାହୁଡ଼ ମାରିବା ଫଳରେ ଆପଣାର ମଧ୍ୟ ଘୋର କ୍ଷତିକରେ । ନାହୁଡ଼ ମାରିବାର ଅଳ୍ପ ସମୟ ପରେ ସେ ମରିଯାଏ ।

 

ମୁଁ ଗଡ଼ାଣିଆ ପଥର ଚଟାଣର ପାଦ ଦେଶରେ ପହଞ୍ଚିଲି, ସେତେବେଳେ ମଧ୍ୟ ମହୁମାଛିମାନେ ମୋତେ ବେଢ଼ିଥାନ୍ତି । ଘୋର ନୈରାଶ୍ୟରେ ପଡ଼ି ମୁଁ ଗୋଟିଏ କଣ୍ଟାପୂର୍ଣ୍ଣ ଗହଳିଆ ଲତାଦେଖି ତାହାତଳେ ପଶିଗଲି । ଏହି ଲତା ଜଙ୍ଗଲର ଏକ ଶତ୍ରୁ ଓ ମନୁଷ୍ୟର ମଧ୍ୟ ଏକ ବିପଦ ବୋଲି ମୁଁ ଏହାକୁ ଘୃଣା କରି ଆସିଥିଲି । ଏହା ଜଙ୍ଗଲ ଓ କ୍ଷେତ ଉଭୟରେ ମାଡ଼ିଯାଇ ଉଭୟଙ୍କର ଯଥେଷ୍ଟ କ୍ଷତି କରିଥାଏ । ନିଃଶବ୍ଦରେ ଓ ସୁବିଧାରେ ଶିକାରର ଗତିପଥ ସନ୍ଧାନ କରିବାରେ ଏହା ମଧ୍ୟ ଭୀଷଣ ପ୍ରତିବନ୍ଧକ ସୃଷ୍ଟିକରେ; କିନ୍ତୁ ବର୍ତ୍ତମାନ ମୁଁ ସେହି ଘୃଣ୍ୟଲତା ଉପରେ ଆଶୀର୍ବାଦ ବର୍ଷିବାରେ ଲାଗିଲି । ଏହା ମୋର ଜୀବନରକ୍ଷକ ହୋଇଥିଲା । ମୁଁ ଆଗରୁ ଆତ୍ମଘାତୀ ପାଇଲଟଙ୍କ କଥା କହିଛି । ଅନ୍ୟ ଏକ ଦିଗରେ ମଧ୍ୟ ମହୁମାଛିମାନେ ସେମାନଙ୍କ ସହିତ ତୁଳନୀୟ-। ସେମାନେ ଯେପରି ବିମାନରେ ଉଡ଼ୁଥିବା ଅବସ୍ଥାରେ ଶତ୍ରୁ ଉପରେ ପଡ଼ନ୍ତି, ଏମାନେ ସେହିପରି ଉଡ଼ୁଥିବା ଅବସ୍ଥାରେ ଶତ୍ରୁ ଦେହରେ ନାହୁଡ଼ ମାରନ୍ତି । ମହୁମାଛିମାନେ ଖୁବ୍ ଚାଲାଖ ହେଲେ ମଧ୍ୟ ଗୋଟାଏ ଜାଗାରେ ବସି ନାହୁଡ଼ ମାରିବା ଓ ସେଠାରୁ ଟିକିଏ ଦୂରକୁ ଯାଇ ପୁଣି ନାହୁଡ଼ ମାରିବା ବୁଦ୍ଧି ସେମାନଙ୍କର ନାହିଁ । ସେମାନଙ୍କର ନୀତି ହେଉଛି ବେଗରେ ଉଡ଼ୁ ଉଡ଼ୁ ନାହୁଡ଼ ମାରିବା ଓ ତାହା ପରେ ମରିବା । ଏହି ଲତାର ପତ୍ର ଖୁବ୍ ଲଗାଲଗି ହୋଇଥିବାରୁ ସେମାନେ ସିଧା ଉଡ଼ିଆସି ମୋ ଦେହରେ ନାହୁଡ଼ ମାରିପାରିଲେ ନାହିଁ । ଏହା ଫଳରେ ମୁଁ ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଗଲି । ସେଠାରେ ଯଦି ଏହି କଣ୍ଟାଲତା ନଥାନ୍ତା, ତେବେ ମୋର ଯେ ମୃତ୍ୟୁ ହୋଇଥାନ୍ତା ଏଥିରେ ସନ୍ଦେହ ନାହିଁ । ମୁଁ ଯେତେ ବେଗରେ ପଳାଇଲେ ସୁଦ୍ଧା ସେମାନେ ତହିଁରୁ ଅଧିକ ବେଗରେ ଉଡ଼ିଆସି ସହସ୍ର ସହସ୍ର ସଂଖ୍ୟାରେ ମୋ ଉପରେ ପଡ଼ିଥାନ୍ତେ ।

 

ନଅଟିଯାକ ଫେଣାର ମହୁମାଛିମାନେ ବିଚଳିତ ହୋଇ ପଡ଼ିଥିଲେ । ସେମାନଙ୍କର କ୍ରୁଦ୍ଧ ଘାଉଁ ଘାଉଁ ଶବ୍ଦରେ ଆକାଶ ପୂରି ଯାଇଥିଲା । କଣ୍ଟାଲତା ତଳେ ଆଶ୍ରୟ ନେଇ ମୁଁ ଚୁପକରି ପଡ଼ି ରହିଲି; କିନ୍ତୁ ପଳାଇଆସିଲାବେଳେ ମହୁମାଛିମାନେ ଯେଉଁ ନାହୁଡ଼ ମାରିଥିଲେ ତାହା ଫଳରେ ଛଟପଟ ହେଉଥାଏ । ଦୁଇଘଣ୍ଟା ପରେ ଘାଉଁ ଘାଉଁ ଶବ୍ଦ କମିଆସିଲା । ମହୁମାଛିମାନେ ଫେରିଯାଇ ନିଜ ନିଜ ଫେଣାରେ ବସିବାକୁ ଲାଗିଲେ । ସେହିଠାରେ ଶୋଇପଡ଼ିବାକୁ ଇଚ୍ଛା ହେଉଥାଏ; ଦେହରେ ନାହୁଡ଼ର ଯନ୍ତ୍ରଣା ନଥିଲେ ହୁଏତ ସେହିଠାରେ ଢୁଳେଇ ପଡ଼ିଥାନ୍ତି । ଯେତେ ଜାଗାରେ ନାହୁଡ଼ ବାଜିଥିଲା, ସେସବୁ ଫୁଲିଆସିଲା ଓ ପୋଡ଼ାଜଳା ବୃଦ୍ଧି ପାଇବାକୁ ଲାଗିଲା ।

 

କଣ୍ଟାଲତାତଳୁ ବାହାରି ମୁଁ ପାହାଡ଼ ତଳବାଟେ ରାସ୍ତାକୁ ଯିବାବେଳକୁ ବେଳ ଅପରାହ୍ନ ତିନିଟା । ସେଠାରୁ ମୁଁ ଚାଲିଚାଲି କୁଣ୍ଡୁକୋଟ୍ଟାଇ ଗ୍ରାମକୁ ଗଲି । ସେଠାରେ ମୋର ସଙ୍ଗୀ ତିନିଜଣଙ୍କ ସହିତ ଭେଟହେଲା । ଏକ ସୁବିଧାଜନକ ସ୍ଥାନରେ ଗୁହାଦ୍ଵାରର ଉପରିଭାଗରେ ରହିଥିବାରୁ ମହୁମାଛିମାନଙ୍କ ଦୃଷ୍ଟି ସେମାନଙ୍କ ଉପରେ ପ୍ରାୟ ପଡ଼ିନଥିଲା । ଠିକ୍ ସାମନାରେ ଯେଉଁ ଶତ୍ରୁମାନେ ହଲଚଲ ହେଉଥିଲେ ସେହିମାନଙ୍କ ଉପରେ ଅର୍ଥାତ୍ ମୁଁ ଓ କୁସ୍ଉପରେ ମହୁମାଛିମାନଙ୍କ ପାଖରୁ ଯଥେଷ୍ଟ ନାହୁଡ଼ ମାଡ଼ ଖାଇଥିବା ବିଷୟରେ ମୋର ସନ୍ଦେହ ନଥିଲା ।

 

ପୂର୍ବଦିନ ମୁଁ ଯେଉଁଠାରେ ମୋର ମୋଟର ଗାଡ଼ି ରଖିଆସିଥିଲି, ସେହିଠାକୁ ସମସ୍ତେ ଚାଲିଲୁ । ଗାଡ଼ିରେ ବସି ଆମେ ଗଲୁ ଡେକେନିକୋଟାକୁ । ସେଠାରେ ଗୋଟିଏ ଲୋକାଲ ଫଣ୍ଡ ହାସପାତାଲ ଓ ଡିସପେନସାରୀ ଅଛି । ଆମେ ପହଞ୍ଚିଲାବେଳକୁ ସନ୍ଧ୍ୟା; ହାସପାତଲ ବନ୍ଦ ହୋଇଯାଇଥିଲା । ଆମେ ଡାକ୍ତରଙ୍କୁ ଉଠାଇଲୁ । ସେ ଆମମାନଙ୍କୁ ହାସପାତାଲର ଅପରେସନ ଘରକୁ ନେଇଗଲେ ଓ ସେଠାରେ ଗୋଟିଏ ସଣ୍ଡୁଆସି ସାହାଯ୍ୟରେ ମୋ ଦେହରୁ ଓ କୁସ୍ ଦେହରୁ ନାହୁଡ଼ଯାକ ବାହାର କରିଦେଲେ । ମୁଁ ଗଣିକରି ଦେଖିଲି, ସେହି ଛୋଟ ରାକ୍ଷସମାନେ ସେମାନଙ୍କ ନାହୁଡ଼ ସାହାଯ୍ୟରେ କୁସ୍‌କୁ ୧୯ ଜାଗାରେ ଓ ମୋତେ ୪୧ ଜାଗାରେ ଆଘାତ କରିଥିଲେ । ନାହୁଡ଼ ବାହାରିଯିବା ପରେ ଡାକ୍ତର ଫୁଲା ଜାଗାମାନଙ୍କରେ ଆମୋନିଆ ଘଷି ଦେଇଥିଲେ । ଡେଙ୍କାନିକୋଟାର ଫରେଷ୍ଟ ଡାକବଙ୍ଗଳାରେ ଆମେମାନେ ସେ ରାତିଟି ରହିଲୁ । ସେଠାରେ ଲୁହାର ଖଟ ଥିଲା, କିନ୍ତୁ ଗଦି ନଥିଲା । ତେଣୁ ମୁଁ ଗୋଟିଏ ଆରାମଚଉକି ଉପରେ ଶୋଇଲି ଓ ସେ ଲୋକ ତିନିଜଣ ବାରନ୍ଦାରେ ଶୋଇଲେ । କୁସ୍ ସେମାନଙ୍କ ପାଖରେ ଶୋଇପଡ଼ିଲା ।

 

ନାଉଡ଼ ମାରିଥିବାରୁ ମୋର ଦେହ କମ୍ପିଲା ଓ ଜର ଆସିଲା । କୁସ୍‌କୁ ମଧ୍ୟ ସେହିପରି କଷ୍ଟ ହୋଇଥିଲା; ମୁଁ ତାର କୁଉଁ କୁଉଁ ଶବ୍ଦ ଶୁଣି ପାରୁଥିଲି । ସେତେବେଳଯାଏ ବେକ, ମୁହଁ, ହାତ ସବୁ ଫୁଲି ରହିଥିଲା । ଗୋଟାଏ ମହୁମାଛି ମୋର ବାମ ଆଖିର କଣରେ ନାହୁଡ଼ ମାରିଦେଇଥିଲା-। ସେହି ହେତୁରୁ ସେ ଆଖିଟି ଅଧାଅଧି ବୁଜି ହୋଇ ରହିଥିଲା ।

 

ବଙ୍ଗଳାରେ ଗୋଟିଏ ମାତ୍ର ଦର୍ପଣ ଥିଲା । ସକାଳୁ ଉଠି ମୁଁ ସେଥିରେ ନିଜ ମୁହଁ ଦେଖିଲି । ମୋର ଫୁଲା ଆଖି ଓ ମୁହଁ ଏକ ଦୟନୀୟ ଦୃଶ୍ୟ ହୋଇଥିଲା ।

 

ଦଶଟାବେଳ ପର୍ଯ୍ୟନ୍ତ ଅପେକ୍ଷା କଲାପରେ ଆମେ ନବମ ମାଇଲ ଖୁଣ୍ଟ ପାଖକୁ ମୋଟର ଗାଡ଼ିରେ ଆସିଲୁ । ସେଠାରୁ ଚାଲିଲୁ ସେହି ପଥର ଚଟାଣ ପାଖକୁ ଯେଉଁଠାରେ ଆମେ ପୂର୍ବ ଦିନ ଛିଡ଼ା ହୋଇଥିଲୁ; କିନ୍ତୁ ଏଥର ଚାଲିବା ସେତେ କଷ୍ଟକର ହୋଇନଥିଲା । ଯେଉଁବାଟେ ଗୋରୁଗାଈ ଓ ଶିକାରୀମାନେ ଯିବା ଆସିବା କରନ୍ତି, ସେହିବାଟେ ଯାଇଥିଲୁ ।

 

ଏଥି ମଧ୍ୟରେ ମହୁମାଛିମାନେ ଫେଣାରେ ବସି ନିଜ ନିଜ କାମରେ ଲାଗିଥିଲେ । ସେଠାରେ ଶାନ୍ତି ଓ ନୀରବତା ବିରାଜମାନ କରୁଥିଲା ।

 

ଗ୍ରାମବାସୀ ତିନିଜଣଙ୍କୁ ରଖିଦେଇ କେବଳ କୁସ୍‌କୁ ସଙ୍ଗରେ ନେଇ ଖୁବ୍ ସାବଧାନରେ ମୁଁ ପୁଣି ଗୁହାପାଖକୁ ଗଲି । ମହୁମାଛିମାନଙ୍କୁ କୌଣସି ପ୍ରକାରେ ବ୍ୟାଘାତ ନକଲେ ସେମାନଙ୍କଠାରୁ ବିପଦର ଆଶଙ୍କା ନଥାଏ ବୋଲି ମୁଁ ଜାଣିଥିଲି । ପୂର୍ବ ଦିନର ଗୁଳି ଦୁଇଟିରେ ଚିତାବାଘ ନିଶ୍ଚୟ ମରିଛି, ଏହା ମୋର ଦୃଢ଼ ବିଶ୍ଵାସ ଥିଲା । ଯଦି ବା ମୋ ଗୁଳିରେ ତାର ପ୍ରାଣ ଯାଇ ନଥିବ, ତେବେ ମହୁମାଛିମାନେ ନିଶ୍ଚୟ ତା ପ୍ରାଣ ଶେଷକରି ଦେଇଥିବେ ।

 

ମୁଁ ଯାହା ଭାବିଥିଲି ଠିକ୍ ତାହାହିଁ ଘଟିଥିଲା । ଚିତାବାଘଟା ଦୁଆର ମୁହଁଠାରୁ କେତେକ ପାହୁଣ୍ଡ ଦୂରରେ ମରିପଡ଼ିଥିଲା । ତାର ଦେହ ଲାଠି ହୋଇଯାଇଥିଲା । କୁସ୍ ତା ପାଖରେ ଗଜେ ଖଣ୍ଡେ ଦୂରରେ ଥାଇ ଶୁଙ୍ଘି ଶୁଙ୍ଘି ଗଁ ଗଁ ହେଉଥିଲା । କାଳେ ତାର ଭୁକାରେ ସେହି ଭୀଷଣ ମହୁମାଛିମାନେ ବାଧା ପାଇ ପୁଣି ଆମ ଉପରେ ଦାଉ ସୁଝିବେ, ଏହି ଭୟରେ ମୁଁ ତା ମୁହଁ ଉପରେ ହାତ ରଖି ତାକୁ ଚୁପ କରାଇଦେଲି ।

 

ଗୁହା ଭିତରୁ ବାହାରି ଆସି ମୁଁ ଲୋକମାନଙ୍କୁ ମୋ ପାଖକୁ ଆସିବା ପାଇଁ ଇସାରା ଦେଲି । ଆମେ ଚାରିଜଣ ମିଳି ଚିତାବାଘଟାକୁ ଗଡ଼ାଇ ଦେଲୁ । ଗୋରୁ ଜଗାଳି ପାଖରେ ଗୋଟାଏ ଛୁରୀ ଥିଲା । ସେଥିରେ ସେ ଗୋଟାଏ ମୋଟା ଡାଳ କାଟିଆଣିଲା । ଆମେ ବଣର ଲଟାରେ ତାର ଗୋଡ଼କୁ ବାନ୍ଧିଦେଲୁ ଓ ଡାଳକୁ ଗୋଡ଼ ମଝିରେ ପୂରାଇ ଦେଲୁ । ଆମେ ଚାରିଜଣ ଏହି ଡାଳକୁ କାନ୍ଧରେ ରଖି ଚିତାବାଘକୁ ମୋଟରଗାଡ଼ି ଯାଏ ନେଇ ଆସିଲୁ । ବନେଟ ଓ ମଡ଼ଗାର୍ଡ଼ ମଝିରେ ତାକୁ ଝୁଲାଇ ଦିଆଗଲା ।

 

ଡେଙ୍କାନିକୋଟ୍ଟ; ଫରେଷ୍ଟ ଡାକବଙ୍ଗଳାରେ ମୁଁ ଚିତାବାଘର ଚମଡ଼ା ଉତାରିଲି । ଏଇଟି ସାଧାରଣ ଆକାରର ଗୋଟିଏ ଅଣ୍ଡିରା ଚିତାବାଘ ଥିଲା । ଏହାର ଲମ୍ବଥିଲା ଛଅଫୁଟ ସାତ ଇଞ୍ଚ । ତା ଦେହର କଳାବାଳ ତଳକୁ ଗୋଲାପି ଚିହ୍ନ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ଏଇଟି ହେଉଛି ମୋର ପ୍ରଥମ ଓ ଏକମାତ୍ର କଳା ଚିତାବାଘ ଶିକାର ।

 

ତା ଦେହରେ କେତେ ଜାଗାରେ ମହୁମାଛିର ନାହୁଡ଼ ଥିଲା, ଖୋଜି ଦେଖିବା ସହଜ ନଥିଲା । ମୁଁ ଲୋକମାନଙ୍କୁ କହିଲି–ସାବଧାନରେ ନାହୁଡ଼ଗୁଡ଼ିକ ବାହାର କରି ଗଣି ରଖ । ପରେ ମୁଁ ସେଗୁଡ଼ିକ ଗଣିଥିଲି, ତାହା ଚମଡ଼ାରୁ ୨୭୩ ନାହୁଡ଼ ବାହାରି ଥିଲା । ଏତିକି ଜାଗାରେ ତାକୁ ମହୁମାଛିମାନେ ନାହୁଡ଼ ମାରିଥିଲେ । ହୁଏତ ଆହୁରି କେତେ ଜାଗା ଆମ ଦୃଷ୍ଟିରେ ପଡ଼ି ପାରିନଥିବ ।

 

ଲୋକମାନଙ୍କର ପରିଶ୍ରମପାଇଁ ସେମାନଙ୍କୁ ପୁରସ୍କାର ଦେଇ ମୁଁ ବାଙ୍ଗଲୋରକୁ ଫେରି ଆସିଲି । ମହୁମାଛିମାନଙ୍କ ପାଖରୁ ଯେଉଁ ଦଣ୍ଡ ଭୋଗିଥିଲି ତାହାର ଉପଯୁକ୍ତ କ୍ଷତିପୂରଣ ମୋତେ ମିଳିଥିଲା । ତାହା ହେଉଛି ଗୋଟିଏ କଳାଚିତାବାଘର ଚମଡ଼ା । ଏଭଳି ଚମଡ଼ା ଏକାନ୍ତ ଦୁର୍ଲଭ । ମୁଁ ଆଉ ଗୋଟିଏ ଜିନିଷ ଆଣିଥିଲି । ଅତି ବୁଦ୍ଧିମାନ କୁସକୁ ତାହାର ମାଲିକଠାରୁ ସାତଟି ଟଙ୍କା ମୂଲ୍ୟରେ କିଣିନେଇଥିଲି ।

 

ଗୋଟିଏ କଥା ଉଲ୍ଲେଖ କରିବାକୁ ମୁଁ ଏତେବେଳଯାଏ ଭୁଲିଯାଇଅଛି । ମନେଥିବ, ଆନେକଲବାଙ୍କା ନଦୀରେ ଯେଉଁଠାରେ ଚିତାବାଘ ପାଣି ପିଇଥିଲା, ସେଠାରେ ମୁଁ ଦୁଇଟି ଭିନ୍ନ ରକ୍ତ ଚିହ୍ନ ଦେଖିଥିଲି । ସେଥିରୁ ଗୋଟିକରେ ଅନ୍ୟଟି ଅପେକ୍ଷା ଅଧିକ ରକ୍ତ ପଡ଼ିଥିଲା । ମୁଁ କେବଳ ଗୋଟିଏ ଗୁଳି ମାରିଥିଲି; ଦୁଇ ଜାଗାରୁ କିପରି ରକ୍ତ ପଡ଼ିଲା ଏ ବିଷୟରେ ସେତେବେଳେ ଘୋର ସନ୍ଦେହ ହୋଇଥିଲା । ଏବେ ସେହି ସନ୍ଦେହ ସମ୍ପୂର୍ଣ୍ଣରୂପେ ଦୂର ହୋଇ ଯାଇଥିଲା । ମୁଁ ତାର ଦୁଇ ଆଖିର ମଝିକୁ ଲକ୍ଷ୍ୟକରି ଗୁଳି ମାରିଥିଲି, କିନ୍ତୁ ମୋର ଲକ୍ଷ୍ୟ ସାମାନ୍ୟ ଭ୍ରଷ୍ଟ ହୋଇ ତାର ମଥା ଓ କାନପାଖ ଚମଡ଼ାରେ ଘଷି ହୋଇଯାଇ ତାର ଫଡ଼ିଆକୁ ଭେଦି ଯାଇଥିଲା । ଫଡ଼ିଆରୁ ବେଶି ରକ୍ତ ବହିଥିଲା । ମଥାପାଖରେ କେବଳ ଚମଡ଼ା ଛିଣ୍ଡିଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାଯାଇଥିଲା ଯେ ମୁଁ ଗୁଳି ମାରିବା ବେଳକୁ ସେ ଦେହକୁ ସଂକୁଚିତ କରି ପାଣିପାଖକୁ ନଇଁ ପଡ଼ିଥିଲା ।

 

ଗୁହା ଭିତରେ ମୋର ପ୍ରଥମ ଗୁଳିଟି ଚିତାବାଘର ଛାତିରେ ବାଜିଥିଲା ଓ ସେ ମୋ ଆଡ଼କୁ ଖସଡ଼ି ଆସୁଥିବା ବେଳେ ମୁଁ ଦ୍ଵିତୀୟ ଗୁଳିଟି ମାରିଥିଲି । ସେତେବେଳେ ସେ ଆଁ କରିଥିବାରୁ ଗୁଳିଟି ତା ମୁହଁବାଟେ ପଶି ବେକର ପଛପଟେ ବାହାରି ଯାଇଥିଲା ।

Image

 

Unknown

ପଞ୍ଚମ ଅଧ୍ୟାୟ

ସାପ ଓ ଜଙ୍ଗଲର ଅନ୍ୟାନ୍ୟ ଜୀବ

 

ଭାରତୀୟ ଜଙ୍ଗଲର ଜୀବଜନ୍ତୁମାନଙ୍କ ବିଷୟରେ ଅନେକ କଥା ଲେଖାଯାଇଅଛି । ଯେଉଁମାନେ ଯେକୌଣସି ଜୀବଜନ୍ତୁ ଓ ଜଙ୍ଗଲପ୍ରତି ଆକୃଷ୍ଟ ସେମାନଙ୍କ ପକ୍ଷରେ ସେଗୁଡ଼ିକ ଅତ୍ୟନ୍ତ ଆନନ୍ଦଦାୟକ । ଡନ୍‌ବାର ବ୍ରାଣ୍ଡର, ଚାମ୍ପିଆନ୍, ଗ୍ଲାସଫର୍ଡ଼, ବେଷ୍ଟ, କରବେଟ୍ ଭଳି ବିଶିଷ୍ଟ ଲେଖକ ଓ ଅନ୍ୟମାନେ ଏ ବିଷୟରେ ଆଲୋକପାତ କରିଅଛନ୍ତି ଓ ବ୍ୟକ୍ତିଗତ ଅଭିଜ୍ଞତାରୁ ଏହିସବୁ ଜୀବଜନ୍ତୁଙ୍କର ଗତିବିଧି ଲିପିବଦ୍ଧ କରିଯାଇଅଛନ୍ତି । ଏମାନଙ୍କ ମଧ୍ୟରୁ କେତେକେ ଅର୍ଦ୍ଧଶତାବ୍ଦୀ ପୂର୍ବେ ଲେଖିଥିଲେ । ମନେରଖିବାକୁ ହେବ, ସେତେବେଳେ ଭାରତୀୟ ଉପଦ୍ଵୀପର ଜଙ୍ଗଲସବୁ ଶିକାରରେ ଆକ୍ଷରିକ ଅର୍ଥରେ ପରିପୂର୍ଣ୍ଣ ଥିଲା । ବିଶେଷତଃ ମାଂସାଶୀ ହିଂସ୍ରଜନ୍ତୁମାନେ ବହୁ ସଂଖ୍ୟାରେ ଥିଲେ । ସେମାନଙ୍କର ଲେଖା ସର୍ବଦା ଆଦୃତ ହେଉଥିଲା, କିନ୍ତୁ ଅଳ୍ପଦିନ ହେଲା ସେମାନଙ୍କ ବିଖ୍ୟାତ ଲେଖାଗୁଡ଼ିକର ବାସ୍ତବ ମୂଲ୍ୟ ଲୋକଦୃଷ୍ଟିକୁ ଆସିଅଛି । କାଳର ଗତିରେ ଭାରତର ଜଙ୍ଗଲ ଜୀବଜନ୍ତୁ ଅତୀତର ବିଷୟରୂପେ ପରିଣତ ହୋଇଗଲେ ଏହି ମହାପୁରୁଷମାନଙ୍କ ଲିଖିତ ବିବରଣୀର ମୂଲ୍ୟ କ୍ରମଶଃ ବୃଦ୍ଧି ପାଇବ ଏବଂ ଭାବୀ ବଂଶଧରମାନଙ୍କ ପାଇଁ ସେଗୁଡ଼ିକ ଅମୂଲ୍ୟ ରତ୍ନରୂପେ ସଞ୍ଚିତ ହୋଇ ରହିବ ।

 

ଭାରତର ଶିକାରୀମାନେ ସ୍ମୃତି ଚିହ୍ନ ସଂଗ୍ରହ କରିବା ପାଇଁ ଓ ଆଫ୍ରିକାର ଶ୍ଵେତକାୟ ଶିକାରୀମାନେ ବ୍ୟବସାୟ ପାଇଁ ପ୍ରଥମେ ଶିକାରୀଜୀବନ ଆରମ୍ଭ କରିଥିଲେ । ସେମାନେ ନିଜନିଜର ଜୀବଦ୍ଦଶାରେ ଯେଉଁ ବନ୍ୟ ଜୀବଜନ୍ତୁଙ୍କୁ ଶିକାରକରି ମାରୁଥିଲେ ସେମାନଙ୍କ ପ୍ରତି କ୍ରମଶଃ ଅଧିକ ଆକୃଷ୍ଟ ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବବଧ କରିବା ଅଭ୍ୟାସ ଛାଡ଼ିଦେଇ ତାହା ଅପେକ୍ଷା ଅଧିକ କଷ୍ଟକର ଓ ଅଧିକ ମୂଲ୍ୟବାନ ଏକ ବିଦ୍ୟାକୁ ଅବଲମ୍ବନ କରିଥିଲେ । ତାହା ହେଉଛି ଜୀବଜନ୍ତୁମାନଙ୍କର ଫଟୋଗ୍ରହଣ ଓ ପ୍ରକୃତି–ଅଧ୍ୟୟନ ।

 

ପ୍ରାଚୀନ କାଳରେ ଶିକାରନିମନ୍ତେ ଜଙ୍ଗଲରେ ପ୍ରବେଶ କରିବା ଏକ ବିପଜ୍ଜନକ କାର୍ଯ୍ୟରୂପେ ବିବେଚିତ ହେଉଥିଲା । ସହଜେ ବନ୍ୟ ଜୀବମାନଙ୍କଠାରୁ ଘୋର ବିପଦର ଆଶଙ୍କା ଥିଲା; ତାହାଛଡ଼ା ନାନାପ୍ରକାର ବିଷଧର ସର୍ପ, କଙ୍କଡ଼ାବିଚ୍ଛା, ମାଙ୍କଡ଼ଶା ଓ ଅନ୍ୟାନ୍ୟ ଜୀବମାନଙ୍କର ଭୟଥିଲା । ପୁଣି ମାଲେରିଆ, କାଲାଜର (black water fever) ପ୍ରଭୃତି ଜଙ୍ଗଲଜାତ ରୋଗହେତୁ ସ୍ୱାସ୍ଥ୍ୟପ୍ରତି ବିପଦର ଭୟ ମଧ୍ୟ ରହୁଥିଲା ।

 

ଉଦାହରଣ ସ୍ୱରୂପ ମୋର ପିତାଙ୍କ ସମୟରେ ନୀଳଗିରି ପର୍ବତର ପାଦଦେଶକୁ, କିମ୍ବା ମହୀଶୂର ରାଜ୍ୟର ସିମୋଗା ଓ କାଦୁର ଜିଲାର ଜଙ୍ଗଲକୁ କିମ୍ବା ପଶ୍ଚିମଘାଟ ଅଞ୍ଚଳକୁ ଯିବା ଗୋଟିଏ ବିପଦସଙ୍କୁଳ କାର୍ଯ୍ୟ ବୋଲି ବିବେଚିତ ହେଉଥିଲା । ଏହିସବୁ ଅଞ୍ଚଳରେ ସକାଳେ ଯେଉଁ କୁହୁଡ଼ି ପ୍ରଚୁର ପରିମାଣରେ ପଡ଼ୁଥିଲା ତାହା ବ୍ରୋଙ୍କାଇଟିସ ଓ ନେମୋନିଆ (ଫୁସ୍‌ଫୁସ୍ ପ୍ରବାହ) ରୋଗର, ବିଶେଷତଃ ମାଲେରିଆର ପ୍ରତ୍ୟକ୍ଷ କାରଣ ବୋଲି ବିଶ୍ଵାସ କରାଯାଉଥିଲା । ଲୋକେ କହୁଥିଲେ ଯେ ଜଙ୍ଗଲର ଜୀବମାନେ ନିତାନ୍ତ ଦୁଃସାହସୀ ଓ ଭୟାନକ ।

 

କିନ୍ତୁ ଆମର ଏହି ପୁରାତନ ଲେଖକମାନେ ଦେଖାଇ ଯାଇଅଛନ୍ତି ଯେ ବନ୍ୟ ଜୀବମାନେ ଆଦୌ ଆକ୍ରମଣକାରୀ ସ୍ଵଭାବର ନୁହନ୍ତି ଏବଂ ସେମାନେ ସମସ୍ତେ ମନୁଷ୍ୟଜାତିକୁ ଭୟ କରନ୍ତି । ଏବେ ଆମେ ବିଜ୍ଞାନରୁ ଶିକ୍ଷାପାଇଛୁ ଯେ ଭାରତରେ କୌଣସି ବିଷଧର ମାକଡ଼ସା, ଏଣ୍ଡୁଅ ବା ବେଙ୍ଗ ନାହାନ୍ତି; ଅଳ୍ପ କେତୋଟି ଜାତିର ବିଷଧର ସର୍ପ ଅଛନ୍ତି; ବ୍ରୋଙ୍କାଇଟିସ ଓ ନେମୋନିଆ (ଫୁସ୍‌ଫୁସ୍ ପ୍ରବାହ) ରୋଗ ଯେ କୌଣସି ସ୍ଥାନରେ, ଏପରିକି ଭାରତର ସବୁଠାରୁ ଶୁଷ୍କ ଗ୍ରୀଷ୍ମପ୍ରଧାନ ସହରରେ ମଧ୍ୟ ଆକ୍ରମଣ କରିପାରେ । ଏକ ପ୍ରକାର ମଶା ମାଲେରିଆ ରୋଗର ଜୀବାଣୁ ନେଇ ମନୁଷ୍ୟ ଦେହରେ ପୂରାଇବାରୁ ମାଲେରିଆ ରୋଗହୁଏ; କୁହୁଡ଼ି ବା ଜଙ୍ଗଲର ବାୟୁ ଏହି ଜ୍ଵରର କାରଣ ନୁହେଁ । ଏହିକଥା ସାର୍ ରୋନାଲଡ଼ ରସ୍ ପ୍ରମାଣକରି ଦେଇଅଛନ୍ତି । ମାଲେରିଆ ରୋଗର ଜୀବାଣୁ କେବଳ ଜଙ୍ଗଲରେ ଦେଖାଯାଆନ୍ତି ନାହିଁ, ଦେଶର ସର୍ବତ୍ର ଦେଖାଯାଆନ୍ତି । ମାଲେରିଆ ଜୀବାଣୁ ବହନ କରୁଥିବା ମଶାମାନେ ବଦ୍ଧ ଜଳାଶୟରେ, ମଇଳା ପାଣିନାଳରେ, ଏପରିକି ବଡ଼ ବଡ଼ ସହରର ଏହିଭଳି ସ୍ଥାନରେ ନିଜର ବଂଶବୃଦ୍ଧି କରିଥାନ୍ତି-। ଏମାନଙ୍କର ଦୌରାତ୍ମ୍ୟ ହ୍ରାସ କରିବାପାଇଁ କର୍ତ୍ତୃପକ୍ଷ ପ୍ରତିବିଧାନ କରୁଅଛନ୍ତି । କିପରି ଏହିସବୁ ରୋଗର ଶୀଘ୍ର ଚିକିତ୍ସା ହୋଇ ପାରିବ ସେଥିପାଇଁ ଡାକ୍ତରି ବିଦ୍ୟା ଔଷଧ ବାହାର କରିଅଛି । ତେଣୁ ଏହିସବୁ ରୋଗପ୍ରତି ପୂର୍ବକାଳ ପରି ଭୟନାହିଁ ।

 

ବନ୍ୟଜନ୍ତୁ ଓ ସାପମାନଙ୍କଠାରୁ ବିପଦ ବିଷୟରେ ଏତିକି କୁହାଯାଇପାରେ ଯେ ନିଜର ଅଭିଜ୍ଞତା ହିଁ ଏ ବିଷୟରେ ଶିକ୍ଷା ଦେଇଥାଏ । ତେବେ କୌଣସି କର୍ମମୁଖର ସହରରେ ରାସ୍ତାର ଏକ ପାର୍ଶ୍ଵରୁ ଅପରପାର୍ଶ୍ଵକୁ ଯିବାରେ ଯେତିକି ବିପଦର ଆଶଙ୍କା ଥାଏ, ଅତି ନିବିଡ଼ ଜଙ୍ଗଲରେ ପ୍ରବେଶ କରିବାରେ ତହିଁରୁ କମ୍ ବିପଦ–ଏକଥା ନିଃସନ୍ଦେହରେ କୁହାଯାଇପାରେ । କ୍ଵଚିତ୍ କୌଣସି ସ୍ଥାନରେ ଏ ନିୟମର ବ୍ୟତିକ୍ରମ ଘଟୁଥିବ । ପୂର୍ବକାଳର ସମସ୍ତ ଲେଖକ ତାହାହିଁ ଦେଖାଇ ଯାଇଅଛନ୍ତି ।

 

ସ୍ଵୀକାର କରିବାକୁ ହେବ, କେବେ କେବେ କୌଣସି ନୂଆ ଶିକାରୀ ନିର୍ବୋଧ ଭାବରେ କାର୍ଯ୍ୟକରି ନିଜକୁ ବିପନ୍ନ କରିଥାନ୍ତି; କିନ୍ତୁ ସେହି ବିପଦର କାରଣ ହେଉଛି ସେମାନଙ୍କ ଅଭିଜ୍ଞତାର ଅଭାବ ଓ ଅଜ୍ଞତା । ଯେଉଁମାନେ ଶିକ୍ଷା କରିବାକୁ ଇଚ୍ଛୁକ ଓ ଆଗ୍ରହୀ ସେମାନଙ୍କ ପକ୍ଷରେ ଅଭିଜ୍ଞତା ଅର୍ଜନ କରିବା ସହଜସାଧ୍ୟ ।

 

ସିଂହ ପରିବର୍ତ୍ତେ ବାଘ ଭାରତୀୟ ଜଙ୍ଗଲର ରାଜା ବୋଲି ବିବେଚିତ ହୋଇଥାଏ; କାରଣ ଗୁଜରାଟ ଉପଦ୍ୱୀପର ଗିର୍ ଜଙ୍ଗଲ ଛଡ଼ା ଅନ୍ୟତ୍ର ସିଂହ ଦେଖାଯାନ୍ତିନାହିଁ । ସେହି ଗିର୍ ଜଙ୍ଗଲରେ ସିଂହର ସଂରକ୍ଷଣ କରାଯାଉଅଛି । ବାଘ ହେଉଛି ସୁନ୍ଦର, ଆଡ଼ମ୍ବରପୂର୍ଣ୍ଣ ଓ ସମ୍ଭ୍ରାନ୍ତ । କିନ୍ତୁ ପ୍ରକୃତ ପକ୍ଷରେ ବିରାଟ ଶରୀର, ପ୍ରଚୁର ବଳ ଓ ସାମୟିକ ଅବୋଧ୍ୟ ମିଜାଜ୍–ଏସବୁ ଦୃଷ୍ଟିରୁ ହାତୀ ହେଉଛି ଭାରତରେ ବଣର ରାଜା । ସାଧାରଣତଃ ହାତୀ ବାଘଠାରୁ ଆହୁରି ଭୟଙ୍କର । ଯେଉଁସବୁ ଅଞ୍ଚଳରେ ବାଘ ଓ ହାତୀ ଉଭୟ ବହୁ ସଂଖ୍ୟାରେ ଦେଖାଯାନ୍ତି, ସେଠାରେ ଆଦିମ ଅଧିବାସୀମାନେ ବାଘକୁ ଖାତିରି କରନ୍ତିନାହିଁ; କିନ୍ତୁ ହାତୀକୁ ଖୁବ୍ ଖାତିରି କରନ୍ତି । ଅବଶ୍ୟ ମଣିଷଖିଆ ବାଘ କଥା ସ୍ଵତନ୍ତ୍ର । କୌଣସି ଆଦିବାସୀକୁ ସଙ୍ଗରେ ନେଇ ଏକ ଜଙ୍ଗଲ ପଥରେ ଯାଅ । ସୌଭାଗ୍ୟବଶତଃ ତୁମେ ଯଦି ଗୋଟାଏ ବାଘ ବା ଚିତାବାଘ ଦେଖିବାକୁ ପାଅ, ତେବେ ସେହି ଆଦିବାସୀ ଅବଜ୍ଞା ସହକାରେ ତାକୁ ଦେଖାଇଦେବ । କିନ୍ତୁ ଯଦି ଗୋଟାଏ ଗଛଡାଳ ଭାଙ୍ଗି ପଡ଼ିବାର ଶବ୍ଦ ଶୁଣିବ, ତେବେ ସେ ହଠାତ୍ ରହିଯାଇ ତାର ନିଜ ମାତୃଭାଷାରେ ଗୋଟିଏ ଶବ୍ଦ ଉଚ୍ଚାରଣ କରିବ । ସେହି ଶବ୍ଦଟିର ଅର୍ଥ ହେଉଛି ‘ହାତୀ’ । କେଉଁ ଦିଗରୁ ଶବ୍ଦ ଆସୁଛି ଲକ୍ଷ୍ୟକର; ସେ ଦିଗକୁ ଯାଅ ନାହିଁ । ହାତୀ ଯେଉଁଠାରେ ଖାଉଛି, ସେ ସ୍ଥାନ ପାଖକୁ ନଯାଇ ଅନ୍ୟ ଯେ କୌଣସିବାଟେ ଚାଲିଯାଅ ।

 

ଆଦିବାସୀ ଯେ ହାତୀ ବିଷୟରେ ଏତେ ସାବଧାନ, ତାହା ହେଉଛି ତାର ନିଜର ଓ ପୂର୍ବପୁରୁଷମାନଙ୍କ ଦ୍ଵାରା ସଞ୍ଚିତ ଅଭିଜ୍ଞତାର ଫଳ । ଏହି ପରାକ୍ରାନ୍ତ ଜୀବର ଅନିଶ୍ଚିତ ପ୍ରକୃତି ବିଷୟ ସେମାନେ ଜାଣି ଆସିଅଛନ୍ତି; ତେଣୁ ସେମାନେ ଅଯଥା ବିପଦ ବରଣକରିବାକୁ ଇଚ୍ଛା କରନ୍ତି ନାହିଁ ।

 

ବାସ୍ତବ ପକ୍ଷରେ ବନ୍ୟ ହାତୀ ସାଧାରଣତଃ ଏକ ନିରୀହ ଜୀବ । କେବଳ ମିଜାଜ୍, ସାମୟିକ ଉତ୍ତେଜନା, ଭୟ ଓ ବିରକ୍ତି ହେତୁ ସେ ହିଂସ୍ର ହୋଇ ଉଠିଥାଏ । ଚାରୋଟି କ୍ଷେତ୍ରରେ ଏହି ସାଧାରଣ ନିୟମର ବ୍ୟତିକ୍ରମ ଦେଖାଯାଏ ।

 

ଗୋଟିଏ ବିଷୟରେ ଭାରତର ହାତୀମାନେ ଆଫ୍ରିକାର ହାତୀମାନଙ୍କର ଠିକ୍ ବିପରୀତ-। ଭାରତୀୟ ହାତୀପଲରେ ଯେତେ ବେଶୀ ସଂଖ୍ୟକ ହାତୀ ଥାଆନ୍ତି ସେ ଦଳର କୌଣସି ହାତୀଠାରୁ ସେତିକି କମ୍ ବିପଦ ଆଶଙ୍କା କରାଯାଏ ।

 

ଚାରୋଟି ବ୍ୟତିକ୍ରମ ହେଉଛି (କ) ମନୁଷ୍ୟ ମାରିଥିବା ଜଣାଶୁଣା ପାଗଳା ହାତୀ, (ଖ) ସାମୟିକ କାମୋନ୍ମତ୍ତ ଅବସ୍ଥାରେ ଥିବା ଅଣ୍ଡିରା ହାତୀ; ଏହାକୁ ‘ମସ୍ତ’ ହାତୀ କହନ୍ତି; (ଗ) ବେଳେବେଳେ ପଲଠାରୁ ଅଲଗାରହି ଚରୁଥିବା ଅଣ୍ଡିରା ହାତୀ ଓ (ଘ) ସାଥିରେ ଛୁଆଥିବା ମାଈହାତୀ, ଛୁଆକୁ ରକ୍ଷା କରିବାପାଇଁ ଏହା ନିଜର ପ୍ରାଣ ଦେଇପାରେ । ଏଠାରେ ଲକ୍ଷ୍ୟ କରିବାର କଥା ହେଉଛି, ଏହି ଚାରୋଟି ମଧ୍ୟରୁ ପ୍ରତ୍ୟେକ କ୍ଷେତ୍ରରେ ଗୋଟିକଠାରୁ ବିପଦ ଆସେ; ସମଗ୍ର ପଲରୁ ଆସେ ନାହିଁ । କଥିତ ଅଛି, ଆବଶ୍ୟକ ପଡ଼ିଲେ ଆଫ୍ରିକାର ହାତୀମାନେ ଦଳବଦ୍ଧ ହୋଇ ଶିକାରୀକୁ ଆକ୍ରମଣ କରନ୍ତି ।

 

ଉଲ୍ଲିଖିତ ଚାରୋଟି ମଧ୍ୟରୁ ଯେ କୌଣସି କ୍ଷେତ୍ରରେ ଗୋଟିକିଆ ହାତୀ ଭାରି ବିପଜ୍ଜନକ ହୋଇ ଭୀଷଣ ଧ୍ଵଂସ ସାଧନ କରିପାରେ । ଏହା କୌଣସି ପ୍ରକାରେ ଶାନ୍ତ ନ ହୋଇ ମଣିଷ ପଛରେ ମାଇଲକ ପର୍ଯ୍ୟନ୍ତ ଦଉଡ଼ିବ ଓ ତାକୁ ମାରିବ । ସେ ତାର ଶବକୁ ଟିକିଟିକି କରି ଛିଣ୍ଡାଇ ଦେବ ଓ ପାଦରେ ଦଳି ଚଟଣିପରି କରି ମାଟିରେ ମିଶାଇଦେବ କିମ୍ବା ତାହାକୁ ଶୁଣ୍ଢରେ ଧରି କୌଣସି ଗଛର ଗଣ୍ଡି ବା ଅନ୍ୟ ଯାହା କିଛି ପାଖରେ ପାଇବ ସେଥିରେ ପିଟିଦେବ । ସେପରି ସୁବିଧା ନଥିଲେ ତାକୁ ଶୁଣ୍ଢରେ ଉପରକୁ ଟେକି ଶୂନ୍ୟରୁ ତଳେ ଫିଙ୍ଗି ଦେବ ।

 

ଅନେକ ସମୟରେ ମୁଁ ବଣୁଆ ହାତୀମାନଙ୍କୁ ଅସୁବିଧାରେ ପକାଇ ମଜାକରେ । ଗଭୀର ଜଙ୍ଗଲ ଭିତରେ କୌଣସି ପୋଖରୀ ପାଖରେ ମୁଁ ଲୁଚିରହେ । ପାଣି ପିଇବାକୁ ଓ ଗାଧୋଇବାକୁ ହାତୀମାନେ ସେଠାକୁ ଆସନ୍ତି । ମୁଁ ବାଘର କିମ୍ବା ଚିତାବାଘର ଶବ୍ଦ ଅନୁକରଣ କରି ଶବ୍ଦକରେ । ମୁଁ ବାଘଭଳି ଶବ୍ଦକଲେ ଦଳବଦ୍ଧ ହୋଇ ଆସିଥିବା ହାତୀମାନେ ଗର୍ଜନକରି ଗଛ ଡାଳ ଭାଙ୍ଗି ଓ ବୁଦା ମଡ଼ମଡ଼ କରି ପକାନ୍ତି । ମାଈହାତୀମାନେ ପୋଖରୀ ପାଖରେ କେଉଁଠି ବାଘ ଲୁଚିଛି ବୋଲି ମନେକରି ନିଜନିଜ ଛୁଆକୁ ପେଟତଳେ ରଖି ଶୁଣ୍ଢ ସାହାଯ୍ୟରେ ଯେପରି ଟେକିନେଇ ପଳାନ୍ତି, ତାହା ଦେଖିବାକୁ କୌତୁକ ଲାଗେ । ହାତୀ ଏକୁଟିଆ ଆସିଥିଲେ ସେହି ଶବ୍ଦ ଶୁଣି ସାଧାରଣତଃ ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇଯାଏ ଓ ପୁଣି ଶବ୍ଦ ଶୁଣିବାପାଇଁ କାନକୁ ହଲାଏ ଓ ଶୁଣ୍ଢ ସାହାଯ୍ୟରେ ପବନକୁ ବାରି ଗନ୍ଧରୁ ଶତ୍ରୁ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟାକରେ । ତାହାପରେ ସେ ବୁଲିପଡ଼ି ଚୁପକରି ଜଙ୍ଗଲ ଭିତରକୁ ପଳାଇଯାଏ । କୌଣସି କୌଣସି ହାତୀ ପାଦରେ ମାଟିକୁ ଆଘାତକରି, ମୁଣ୍ଡହଲାଇ, ରାଗରେ ଶୁଣ୍ଢକୁ ଉଠାନ୍ତି ପକାନ୍ତି; କିନ୍ତୁ ମିନିଟିଏ ଦୁଇ ମିନିଟ ଭିତରେ ସେଠାରୁ ପଳାଇଯାଆନ୍ତି । ମୁଁ ବାଘଭଳି ଗର୍ଜନ କରୁଥିଲାବେଳେ କୌଣସି ଗୋଟିଏ ସୁଦ୍ଧା ହାତୀ ଦୃଢ଼ ହୋଇ ଶତ୍ରୁକୁ ଭେଟିବାପାଇଁ ପ୍ରସ୍ତୁତ ରହିଥିବାର ଦେଖିନାହିଁ । ଏଥିରୁ ଜଣାଯାଏ, ଆକାର ଓ ବଳରେ ଯେତେ ବଡ଼ ହେଲେହେଁ ବାଘକୁ ଆଗରେ ଭେଟିବା ପାଇଁ ହାତୀର ସାହସ ନାହିଁ । କୌଣସି ଗୋଟାଏ ବହିରେ ମୁଁ ପଢ଼ିଛି, ହାତୀର ଆଖିର ଗୋଟାଏ ବିଚିତ୍ର ଶକ୍ତି ଅଛି; ସେ ଯାହାକୁ ଚାହେଁ ତାହା ତାକୁ ପ୍ରକୃତ ଆକାରଠାରୁ ବଡ଼ ଦେଖାଯାଏ । ତାହାହେଲେ ସ୍ଵଭାବତଃ କୌଣସି ବାଘ ବା ମନୁଷ୍ୟ ତାର ପ୍ରକୃତ ଆକାରଠାରୁ ତାକୁ ବହୁଗୁଣରେ ବଡ଼ ଦିଶୁଥିବ-। ହାତୀମାନେ ବାଘ, ଚିତାବାଘ ଓ ମନୁଷ୍ୟକୁ ଦେଖି ଭୟ କରିବାର ଏହା ପ୍ରକୃତ କାରଣ ହୋଇପାରେ ।

 

ମୁଁ ଚିତାବାଘ ପରି ଶବ୍ଦ କଲେ ଭିନ୍ନ ପ୍ରକାର ଫଳ ହୁଏ । ଦଳବଦ୍ଧ ହୋଇଥିଲେ ସେମାନଙ୍କ ଭିତରୁ ଅଣ୍ଡିରା ହାତୀମାନେ ଆକ୍ରମଣ କରିବାକୁ ବାହାରି ପଡ଼ନ୍ତି ଓ ଛୁଆମାନଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହେଲାପରି ଜଣାଯାଆନ୍ତି । ଗୋଟିକିଆ ହାତୀ ହୋଇଥିଲେ ସେ ସାଧାରଣତଃ ପଳାଇଯାଏ କିନ୍ତୁ ‘ବାଘ ଗର୍ଜନ’ ଶୁଣି ଯେତେ ଶୀଘ୍ର ପଳାଏ, ସେତେ ଶୀଘ୍ର ପଳାଇଯାଏ ନାହିଁ । ଗୋଟାଏ ଦୁଇଟା ଘଟନାରେ ହାତୀ ପାଣିରେ ପାଦ ପିଟି କିମ୍ବା ଶୁଣ୍ଢରେ ପାଣିକୁ ଆଘାତ କରି ପାଣି ପିଇଛି । କିନ୍ତୁ ସେମାନେ ତ୍ରସ୍ତ ଓ ବିଚଳିତ ହୋଇଥିଲେ ଏଥିରେ ସନ୍ଦେହ ନାହିଁ ।

 

ମୋର ଏହିସବୁ କୌତୂହଳପୂର୍ଣ୍ଣ ଅଭିଜ୍ଞତାରୁ ସ୍ପଷ୍ଟ ଜଣାଯାଏ ଯେ ହାତୀମାନେ ସାହସୀ ପ୍ରାଣୀ ନୁହନ୍ତି ଯଦିଓ ସେମାନଙ୍କର ଆକାର ଖୁବ୍ ବଡ଼ ଓ ଦେହରେ ଯଥେଷ୍ଟ ବଳ ଅଛି । ବରଂ ସେମାନେ ନିଶ୍ଚିତ ଭାବରେ ସାହସହୀନ ଓ ଭୟାଳୁ । ବୋଧହୁଏ ମୁଁ ସ୍ଵଚ୍ଛନ୍ଦରେ କହିପାରେ ଯେ ଦାମ୍ଭିକଲୋକଙ୍କ ପରି ସେମାନେ ଶତ୍ରୁ ଭୟ କରୁଥିବାର ଚିହ୍ନ ଦେଖିଲା କ୍ଷଣି ପରିସ୍ଥିତିର ସୁଯୋଗ ନେବାକୁ ବସନ୍ତି । କିନ୍ତୁ ପୂର୍ବକଥିତ ଚାରି ଶ୍ରେଣୀର ହାତୀଙ୍କୁ ଛାଡ଼ିଦେଲେ ସାଧାରଣ କୌଣସି ହାତୀର ସ୍ଵଭାବରେ ଆକ୍ରମଣ ତ ଦୂରର କଥା ପ୍ରତିଶୋଧ ନେବା ପ୍ରବୃତ୍ତି ମଧ୍ୟ ଦେଖାଯାଏ ନାହିଁ ।

 

ଧଳା ପଦାର୍ଥ ପ୍ରତି ହାତୀମାନଙ୍କର ଗୋଟାଏ ଜନ୍ମଗତ ଘୃଣା ଥିଲାପରି ମନେହୁଏ । ଏହି ହେତୁରୁ ହାତୀର ଉପଦ୍ରବ ଥିବା ଅଞ୍ଚଳରେ ରାସ୍ତାକଡ଼ର ମାଇଲ ଖୁଣ୍ଟ ସବୁ କଳାରଙ୍ଗ କରାଯାଇଥାଏ । ଏଗୁଡ଼ିକରେ ଧଳାରଙ୍ଗ ଥିଲେ, କୌଣସି ହାତୀ ତାକୁ ଦେଖିଲାମାତ୍ରେ ଉପାଡ଼ି, ଦୂରକୁ ଫିଙ୍ଗି ଦେବ । ସେହି କାରଣରୁ ଧଳା ପୋଷାକ ପିନ୍ଧି ହାତୀ ଥିବା ଜଙ୍ଗଲରେ ପଶିଲେ ତୁମକୁ ହାତୀ ଆକ୍ରମଣ କରିବାକୁ ଆସିବ । ପୂର୍ବେ ଧଳା ରଙ୍ଗର ଟୋପିର ପ୍ରଚଳନ ଥିଲା । କାରଣ ଏହା ସୂର୍ଯ୍ୟ କିରଣର ଅଭେଦ୍ୟ ଓ ଏହାକୁ ପିନ୍ଧିଲେ ସୂର୍ଯ୍ୟକିରଣ ପ୍ରତିଫଳିତ ହେବାରୁ ମସ୍ତକ ଶୀତଳ ରହେ । ମୋର ଜଣେ ପରିଚିତ ଭଦ୍ରଲୋକ ଥରେ ଏହିଭଳି ଗୋଟିଏ ଧଳା ହେଲ୍‌ମେଟ୍ ପିନ୍ଧି ଜଙ୍ଗଲରେ ବୁଲୁଥିଲେ । ସେ ଯେ ଜଙ୍ଗଲ ଭିତରେ କାହିଁକି ଏହାକୁ ପିନ୍ଧିଥିଲେ ମୋତେ ଜଣାନାହିଁ । ହାତୀମାନଙ୍କର ଏହାପ୍ରତି ସ୍ଵାଭାବିକ ଘୃଣା ଛଡ଼ା ଏହା ବନ୍ୟ ଜୀବଙ୍କର ଦୃଷ୍ଟି ଆକର୍ଷଣ କରିବ ଓ କୌଣସି ଜୀବର ସନ୍ଧାନ ନେବାର ସମ୍ଭାବନା ରହିବ ନାହିଁ । ଯାହାହେଉ, ସେ ଧଳା ହେଲ୍‌ମେଟ୍ ପିନ୍ଧିଥିଲେ । ତାଙ୍କ ସଙ୍ଗରେ ସୋଲିଗା ଜାତିର ଜଣେ ଲୋକ ଯାଇଥିଲା । ଚିହ୍ନ ଦେଖି ଜନ୍ତୁର ସନ୍ଧାନ କରିବା ତାର କାମଥିଲା । ଦୁହେଁଯାକ ଗୋଟିଏ ପାହାଡ଼ର ମଥାନ ଉପରେ ଉପରେ ଯାଉଥିଲେ । ଏହି ସମୟରେ ପ୍ରାୟ ଦୁଇଶହ ଗଜ ଦୂରରେ ଗୋଟିଏ ହାତୀ ସେମାନଙ୍କ ଆରପାଖକୁ ଟିକିଏ ଉଚ୍ଚରେ ଖୋଲା ଜାଗାରେ ଖାଉଥିଲା । ଠିକ୍ ସେହି ମୁହୂର୍ତ୍ତରେ ସେମାନଙ୍କ ଉପରେ ହାତୀର ଦୃଷ୍ଟି ପଡ଼ିଲା । ସାଧାରଣ ଅବସ୍ଥାରେ ସେତେ ଦୂରରୁ ହାତୀ ସେମାନଙ୍କୁ ଦେଖି ପାରିନଥାନ୍ତା, କାରଣ ହାତୀମାନଙ୍କର ଦୃଷ୍ଟି ଶକ୍ତି ସ୍ଵଭାବତଃ କ୍ଷୀଣ । ପୁଣି ପବନ ହାତୀ ଆଡ଼ୁ ବହୁଥିବାରୁ ସେ ସେମାନଙ୍କ ଗନ୍ଧ ମଧ୍ୟ ବାରି ପାରିନଥାନ୍ତା; କିନ୍ତୁ ଚକଚକିଆ ଧଳା ହେଲମେଟ୍ ଜଙ୍ଗଲର ସବୁଜ ଓ ଧୂସର ରଙ୍ଗ ପଟ୍ଟଭୂମିରେ ଦେଖା ନଯାଇ ରହିଲା ନାହିଁ । ହାତୀଟା ଗର୍ଜନକରି ଗୋଡ଼େଇ ଆସିଲା । ଶିକାରୀ ଓ ଆଦିବାସୀ ଜଣକ ଭୟପାଇ ପଳାଇଲେ । ଭାଗ୍ୟକୁ ଆଦିବାସୀଟି ଅଭିଜ୍ଞ ଜନ୍ତୁ ସନ୍ଧାନୀ ଥିଲା । ସେ ବହୁବର୍ଷ ଧରି ଏହି କାମ ଉଲ୍ଲେଖଯୋଗ୍ୟ ଭାବରେ କରିଥିଲା ଓ ସାହେବ ଲୋକଙ୍କୁ ଜଙ୍ଗଲକୁ ନେବା ବିଷୟରେ ତାର ସୁନାମ ଥିଲା । ସେ ତାର ଶରଣାଗତ ସାହେବଙ୍କୁ ତ୍ୟାଗ ନକରି ତାଙ୍କ ପଛେ ପଛେ ଦୌଡ଼ିଲା ଓ କେଉଁ ଆଡ଼କୁ ପଳାଇବାକୁ ହେବ କହିଦେଲା । ଅଳ୍ପ ସମୟ ମଧ୍ୟରେ ହାତୀ ସେମାନଙ୍କ ପାଖକୁ ଲାଗି ଆସିଲା । ହଠାତ୍ ଆଦିବାସୀଟି ଶିକାରୀ ସାହେବଙ୍କ ଆଗକୁ ଦୌଡ଼ିଯାଇ ତାଙ୍କ ମୁଣ୍ଡରୁ ଧଳା ହେଲ୍‌ମେଟଟା କାଢ଼ି ତଳେ ଫିଙ୍ଗି ଦେଲା ଓ ତା ସଙ୍ଗେ ସଙ୍ଗେ ଦୌଡ଼ିବା ପାଇଁ ସାହେବଙ୍କୁ କହିଲା । ହାତୀ ହେଲ୍‌ମେଟ୍ ପାଖେ ପହଞ୍ଚିଲା ପରେ ଆଉ ସେମାନଙ୍କ ପଛରେ ଗୋଡ଼ାଇବାରେ ଆଗ୍ରହ ଦେଖାଇଲା ନାହିଁ । ହାତୀ ଟୋପିଟିକୁ ଯାହାକଲା ତାହାପରେ ସେଥିର ଆକାର ପ୍ରକାରରେ ଟୋପିର ଚିହ୍ନ ସୁଦ୍ଧା ରହିଲା ନାହିଁ, ଏକଥା କହିବା ନିଷ୍ପ୍ରୟୋଜନ ମନେହୁଏ । ଲୋକ ଦୁଇଜଣଙ୍କୁ ଗୋଡ଼ାଇ ମାରିବା ତାର ଉଦ୍ଦେଶ୍ୟ ନଥିଲା; କେବଳ ସେ ସେହି ଧଳା ଜିନିଷଟାକୁ ଦେଖି ସହ୍ୟ କରିପାରୁନଥିଲା । ତାକୁ ଶେଷ କରିଦେଲା ପରେ ତାର କାମ ସରିଗଲା ।

 

ଅଣ୍ଡିରା ହାତୀମାନଙ୍କ ଭିତରେ ଯୁଦ୍ଧହେଲେ ଏହା ତିନିଦିନ ପର୍ଯ୍ୟନ୍ତ ଚାଲିପାରେ; କେବଳ ମଝିରେ ମଝିରେ ଟିକିଏ ବିଶ୍ରାମ ଲୋଡ଼ାହୁଏ । ଦୁଇଟି ଅଣ୍ଡିରା ଦନ୍ତାହାତୀ କୌଣସି ଗୋଟିଏ ବଡ଼ ମାଈହାତୀର ସ୍ନେହ ପାଇବା ପାଇଁ ଯୁଦ୍ଧ ଆରମ୍ଭ କରିପାରନ୍ତି, କିନ୍ତୁ ଏଭଳି ଘଟନା ଖୁବ୍ କମ୍ ଦେଖାଯାଏ । ଅଧିକାଂଶ ସମୟରେ କୌଣସି ‘ମସ୍ତ’ ହାତୀ ଦଳର ସୁନ୍ଦରୀମାନଙ୍କ ଉପରେ ଯେତେବେଳେ ଲୋଲୁପ ଦୃଷ୍ଟି ପକାଏ, ସେତେବେଳେ ଅନ୍ୟମାନେ ତାକୁ ଦଳରୁ ତଡ଼ିଦେବାକୁ ବସିଲେ ଯୁଦ୍ଧ ଲାଗିଯାଏ । ସାଧାରଣତଃ କୌଣସି ଅଣ୍ଡିରାହାତୀ ଯୌବନରେ ଉପସ୍ଥିତ ହେଲେ ନିଜକୁ ଦଳପତି ପଦର ଯୋଗ୍ୟ ବିବେଚନା କରି ପ୍ରତିଷ୍ଠିତ ଦଳପତିକୁ ଯୁଦ୍ଧପାଇଁ ଆହ୍ଵାନ କରିଥାଏ ।

 

ଏଭଳି ଯୁଦ୍ଧ ସମୟରେ ଅଣ୍ଡିରା ହାତୀମାନେ ପରସ୍ପରର ବହୁତ କ୍ଷତି କରିଥାନ୍ତି । ପରସ୍ପରର ଶରୀରର ଯେକୌଣସି ସ୍ଥାନକୁ ବଡ଼ ଦାନ୍ତରେ ଭୁଷି ଦିଅନ୍ତି । ଏହି ଯୁଦ୍ଧ ଚାଲିଥିଲା ବେଳେ ଓ ପରେ ମଧ୍ୟ ଉଭୟ ପକ୍ଷର ମିଜାଜ୍ ଖରାପ ଥାଏ । କୌଣସି ପ୍ରାଣୀ ସେତେବେଳେ ସେମାନଙ୍କ ଆଖିରେ ପଡ଼ିଲେ ତାର ଭାଗ୍ୟ ମନ୍ଦବୋଲି ବୁଝିବାକୁ ହେବ ।

 

ଥରେ ସାଲେମ୍ ଜିଲ୍ଲା ଫରେଷ୍ଟ ଡିପାର୍ଟମେଣ୍ଟର ଜଣେ ଫରେଷ୍ଟର ଦେଖିଲା, ସେହି ଜିଲାର ଡୋଡାହଲ ଉପତ୍ୟକାର ଜଙ୍ଗଲ ଭିତରେ ଦୁଇଟି ଅଣ୍ଡିରା ହାତୀ ଏହିଭଳି ଯୁଦ୍ଧରେ ମାତି ଅଛନ୍ତି । ଏହି କ୍ଷେତ୍ରରେ ଏକ ଅଦ୍ଭୁତ ବ୍ୟାପାର ଘଟିଲା । କିଛିକ୍ଷଣ ପୂର୍ବେ ଯେଉଁ ଦୁଇହାତୀ ପରସ୍ପର ଯୁଦ୍ଧରେ ରତଥିଲେ ସେ ଦୁହେଁ ଶତ୍ରୁତା ଭୁଲିଯାଇ ଏକ ସଙ୍ଗରେ ତା ଉପରକୁ ମାଡ଼ି ଆସିଲେ । ତାର ବିଭାଗୀୟ ସହକର୍ମୀମାନେ କିଛି ଦିନ ପରେ ଦଳିହୋଇ ପଡ଼ିଥିବା ତାର ଶରୀରର ଅବଶେଷ ଦେଖିବାକୁ ପାଇଥିଲେ ।

 

ମୋର ପୂର୍ବବର୍ତ୍ତୀ କେତେକ ଗଳ୍ପମାନଙ୍କରେ ମୁଁ ପାଗଳା ହାତୀମାନଙ୍କ ବିଷୟରେ ଲେଖିଅଛି; ତେଣୁ ସେମାନଙ୍କ ବିଷୟରେ ଏଠାରେ ଆଉ ଅଧିକ କହୁନାହିଁ; ଏତିକି ମାତ୍ର କହିପାରେଁ, ସେମାନେ ହେଉଛନ୍ତି ସବୁଠାରୁ ବିପଦଜ୍ଜନକ । ଥରେ ସେମାନଙ୍କର ରାଗ ଓ ଘୃଣାବ୍ୟଞ୍ଜକ ଗର୍ଜ୍ଜନ ଶୁଣିଲେ ଓ ଲଟାବୁଦା ଚକଟି ସେମାନଙ୍କ ବିରାଟ ଶରୀରର ଶୁଣ୍ଢକୁ ମୋଡ଼ି, କାନକୁ ମେଲାଇ ଓ ସାନ ଲାଙ୍ଗୁଡ଼କୁ ଟେକି ମାଡ଼ି ଆସୁଥିବାର ଦେଖିଲେ ମୃତ୍ୟୁ ପର୍ଯ୍ୟନ୍ତ ତୁମେ ସେହି ଅନୁଭୂତିକୁ ଭୁଲି ପାରିବନାହିଁ । କୌଣସି ଲୋକକୁ ଧରି ପକାଇଲେ ସେମାନେ ତାକୁ ଯେଉଁ ଦଣ୍ଡ ଦେଇଥାନ୍ତି ତାହାର ମାତ୍ରା ଭିନ୍ନ ଭିନ୍ନ ସ୍ଥଳରେ ଭିନ୍ନ ଭିନ୍ନ ହୋଇଥାଏ । ନୀଳଗିରି ପାହାଡ଼ର ପାଦ ଦେଶରେ ଗୋଟାଏ ପାଗଳା ହାତୀ ଥରେ ଜଣେ ଫରେଷ୍ଟ ଗାର୍ଡ଼କୁ ଟେକି ଉପରକୁ ଫିଙ୍ଗିଦେଲା । ପଡ଼ିଲା ବେଳକୁ ଗୋଟାଏ ଭଙ୍ଗା ବାଉଁଶ ଗଛର ଅଗ ତାହା ଦେହରେ ଫୁଟିଗଲା ଓ ଶେଷରେ ସେ ମଲା । ରେଭରେଣ୍ଡ ବୁଲ ସେଗୁରର ଯେଉଁ ପାଗଳା ହାତୀକୁ ଗୁଳିକରି ମାରିଥିଲେ ତାହା ଅପେକ୍ଷାକୃତ ସାନ ଥିଲା । କିନ୍ତୁ ବୁଦ୍ଧି ଓ ଭୀଷଣତା ନିମନ୍ତେ ସେ ବିଖ୍ୟାତ ଥିଲା । ସେ ମନୁଷ୍ୟର ଗନ୍ଧବାରି ତା ପଛରେ ଯାଉଥିଲା କିମ୍ବା ଗୋଟାଏ ପଥର ବା ବାଉଁଶ ବୁଦା ପଛରେ ରହି ମନୁଷ୍ୟକୁ ଭୁଲାଇ ଆଣୁଥିଲା । ଥରେ ଜଣେ ମୂଲିଆଣୀ ସେଗୁର ରାସ୍ତାରେ ଯାଉଥିଲା । ସେ ତାକୁ ଧରି ତଳେ ପକାଇ ଦଳିଦେଲା ଓ ସେହି ଅବଶେଷକୁ ପାଦରେ ଘଷି ମାଟିରେ ମିଶାଇ ଦେଲା । ସ୍ତ୍ରୀଲୋକଟିର ପାଦରେ ପାହୁଡ଼ ଓ ବେକରେ କାଠର ମାଳିଥିଲା । ସେ ଖେଳିଲା ପରି ସେହି ଦୁଇଟି ଜିନିଷକୁ ଛିଣ୍ଡାଇ ନେଇ ଦୂରକୁ ଫିଙ୍ଗି ଦେଲା । କୋଇମ୍ବାଟୁର ଜିଲାର ଜଣେ ଫରେଷ୍ଟର କୃମିରୋଗ (guinea–worm) ରେ ପଡ଼ିଥିଲା । ସେ ଭଲ ହୋଇଗଲା କିନ୍ତୁ ବହୁତ ଦିନଯାଏ ରୋଗଜନିତ ଛୁଟିପରେ ସେ ଅଳସୁଆ ହୋଇ ଆଉ କାମ କଲାନାହିଁ କିମ୍ବା ତାର କାମ କରିବାର ଶକ୍ତି ରହିଲାନାହିଁ । ତାକୁ ବିଲିଗିରିରଙ୍ଗନ୍ ମାଉଣ୍ଟେନ୍ ରେଞ୍ଜକୁ ବଦଳି କରାଗଲା । ଏହି ରେଞ୍ଜରେ ହାତୀର ପ୍ରାଦୁର୍ଭାବ ଅଧିକ । ସେ ସମୟରେ ସେଠାରେ ଗୋଟିଏ ପାଗଳା ହାତୀ ଥିଲା । ତାକୁ ପାଗଳା ବୋଲି ଘୋଷଣା କରାଯାଇଥିଲେହେଁ କେହି ତାକୁ ମାରି ପାରି ନଥିଲେ । ଦୁର୍ଭାଗ୍ୟବଶତଃ ଦିନେ ସେହି ଲୋକଟିର ଏହି ପାଗଳା ହାତୀ ସଙ୍ଗେ ଭେଟ ହୋଇଥିଲା । ହାତୀ ତାହା ପଛରେ ଗୋଡ଼ାଇଲା । ଦଉଡ଼ି ଦଉଡ଼ି ଗଲାବେଳେ ଗୋଟାଏ ଛୋଟନଈ ପାର ହେଉ ହେଉ ତାର ପାଦର ବଳାଗଣ୍ଠି ମୋଡ଼ି ହୋଇଗଲା । ପାଗଳା ହାତୀ ତାକୁ ଧରି ଦୁଇଖଣ୍ଡ କରି ଚିରିଦେଲା । ଏହାପରେ ସେ ତିନି ଦିନ ପର୍ଯ୍ୟନ୍ତ ଶବର ଅବଶିଷ୍ଟ ଅଂଶକୁ ରାଗରେ ଏଣେତେଣେ ଫିଙ୍ଗିବାରେ ଲାଗିଲା । ସେ ବାଟେ ଯିବା ଆସିବା ବନ୍ଦ ହୋଇଗଲା । ଶେଷରେ ଦୟାକରି ସେ ଅନ୍ୟଆଡ଼େ ଚାଲିଗଲା ଓ ଲୋକଟିର ବନ୍ଧୁବାନ୍ଧବମାନେ ତାର ଶରୀରର ଯାହା କିଛି ପାଇଲେ ତାକୁ ସଂଗ୍ରହ କରି ନେଇ ଶବସଂସ୍କାର କଲେ । ସେହି ଜିଲାର ବଇଲୁରଠାରେ ଆଉ ଗୋଟିଏ ପାଗଳା ହାତୀ ଥିଲା । ସେ ଗୋଟିଏ ଶଗଡ଼ଗାଡ଼ିକୁ ବଳଦ ସହିତ ରାସ୍ତାରୁ ଦୂରକୁ ଫିଙ୍ଗି ଦେଇଥିଲା । ମହୀଶୂରର ପ୍ରସିଦ୍ଧ କାରିଗର ମିଷ୍ଟର ଭାନ୍ ଇଞ୍ଜେନ୍ ତାକୁ ମାରିଥିଲେ । ମଲା ଜନ୍ତୁର ଚମଡ଼ା ଭିତରେ ତୁଳା ପ୍ରଭୃତି ଭର୍ତ୍ତିକରି ତାକୁ ଜୀଅନ୍ତା ଜନ୍ତୁ ଭଳି କରିବାରେ ତାଙ୍କର ଦକ୍ଷତା ଥିଲା ।

 

ସ୍ମରଣ ରଖିବାକୁ ହେବ ଯେ ଏଠାରେ ମୁଁ ଯେଉଁ ଘଟଣାଗୁଡ଼ିକ ବର୍ଣ୍ଣନା କଲି ସେଗୁଡ଼ିକ ପାଗଳା ହାତୀମାନଙ୍କ ଦ୍ଵାରା ଘଟିଥିଲା । ସେହି ହେତୁରୁ ସେଗୁଡ଼ିକ ଅସାଧାରଣ । ସାଧାରଣ ହାତୀ ଭୟାଳୁ, କରଛଡ଼ା ଦେଇ ରହିବା ଜୀବ । ତାହାଠାରେ ସାହସ ବା ଦୁଃସାହସର ଅଭାବ । ତାହାହିଁ ଦେଖାଇବା ପାଇଁ ମୁଁ ଚେଷ୍ଟା କରିଅଛି ।

 

ଭାରତରେ ଜଙ୍ଗଲର ଜୀବମାନଙ୍କ ଭିତରେ ଆଘାତପ୍ରାପ୍ତ ବାର୍‌ହାର ମନର ବଳ ହେଉଛି ସବୁଠାରୁ ବେଶି । କିନ୍ତୁ କେହି ତାର ସେହି ବଳର ପ୍ରଶଂସା ଗାଏ ନାହିଁ । ଅନ୍ୟାନ୍ୟ ବଡ଼ ଜନ୍ତୁମାନଙ୍କ ତୁଳନାରେ ଏହାର ଆକାର ଛୋଟ ହେଲେହେଁ ଏହାଠାରେ ଅଧିକ ସାହସ, ଅଧିକ ହିଂସ୍ରତା ଓ ଅଧିକ ଦୃଢ଼ତା ଦେଖାଯାଏ । ସର୍ବୋପରି ମୁଁ ଜାଣିଥିବା ଯେକୌଣସି ଜନ୍ତୁଠାରୁ ଏହାର ବିଶିଷ୍ଟ ଅତର୍କିତ ଆକ୍ରମଣ, କଠୋରତା ଓ ଶତ୍ରୁକୁ ମାରିବାର ପ୍ରବଳ ଇଚ୍ଛା ଅଧିକ । ହାତୀ, ଅରଣାମଇଁଷି, ଏପରିକି ବାଘ ଓ ଚିତାବାଘ ଆଘାତ ପାଇଲେ ପ୍ରଥମେ ସାଧାରଣତଃ ପଳାଇବାକୁ ଚେଷ୍ଟା କରନ୍ତି ଏବଂ ସମ୍ମୁଖୀନ ହେଲେ ପ୍ରତିରୋଧ କରନ୍ତି । କିନ୍ତୁ ବାର୍‌ହାକୁ ଘାଉଆ କଲେ ସେ ଯଦି ତୁମେ କେଉଁଠି ଅଛ ଜାଣିପାରେ, ତେବେ ସେ ସଙ୍ଗେ ସଙ୍ଗେ ତୁମକୁ ଆକ୍ରମଣ କରିବ । ତାକୁ ଘାଉଆ କରି ତୁମର ଅବସ୍ଥାନ ଜଣାଇ ଦେଲେ ସେ ଯେଉଁ ବୀରତ୍ଵ ଓ ଦୃଢ଼ତା ସହକାରେ ତୁମକୁ ଆକ୍ରମଣ କରିବ, ବାଲା କ୍ଲାଭା ଯୁଦ୍ଧ କ୍ଷେତ୍ରରେ କୌଣସି ବୀର ବର୍ଚ୍ଛାଧାରୀ ସୈନିକ ସେପରି ବୀରତ୍ଵ ଓ ଦୃଢ଼ତା ପ୍ରକାଶ କରି ପାରିନଥିବ ।

 

ଭାରତର ଜଙ୍ଗଲରେ ହାତୀପଛକୁ ବାଘ ହେଉଛି ସବୁଠାରୁ ଅଧିକ କୌତୁହଳପ୍ରଦ । ମୋର ମନେହୁଏ, ବାଘ ହେଉଛି ହୃଦୟଗ୍ରାହୀ । ସମୟେ ସମୟେ ମଣିଷଖିଆ ବାଘ ମଣିଷକୁ ମାରିଖାଏ ଓ ଶତଶତ ବର୍ଗମାଇଲ ବ୍ୟାପୀ ଅଞ୍ଚଳରେ ଆତଙ୍କ ସୃଷ୍ଟିକରେ । ମଣିଷଖିଆ ବାଘକୁ ଛାଡ଼ିଦେଇ ସାଧାରଣ ବାଘ ବିଷୟରେ କୁହାଯାଇପାରେ ଯେ ସେ ‘ଭଦ୍ରବ୍ୟକ୍ତି’ ପଦର ଯୋଗ୍ୟ ।

 

ବାଘ ଶିକାର ଯଥାର୍ଥରେ ହେଉଛି ଶିକାରର ରାଜା । ଘାଉଆ ବାଘକୁ ଅନୁସରଣ କରି ଯିବା ଏକ ବିପଜ୍ଜନକ କାର୍ଯ୍ୟ ଏବଂ ଏଥିପାଇଁ ଶିକାରୀର ଯଥାସମ୍ଭବ ଉତ୍କୃଷ୍ଟ ଜଙ୍ଗଲ ବିଦ୍ୟା ଦରକାର । ଘାଉଆ ବାଘକୁ ଏକବାରେ ଶେଷକରିବାର ଉଦ୍ୟମ ନକରି ତାକୁ ଜଙ୍ଗଲରେ ଛାଡ଼ିଯିବା ନିତାନ୍ତ ନିର୍ଦ୍ଦୟ କାର୍ଯ୍ୟ । କାରଣ ଏହା ଫଳରେ ସେ ଦୀର୍ଘକାଳ କଷ୍ଟଭୋଗ କରେ । ସେ ଅଞ୍ଚଳର ଆଖପାଖରେ ବାସ କରୁଥିବା ଗରିବ ଲୋକଙ୍କ କଥା ବିଚାର କଲେ ଏପରି ଘାଉଆବାଘକୁ ଛାଡ଼ିଯିବା ଭୀରୁତାର ପରିଚାୟକ କାରଣ ଘାଉଆ ହେବା ସମୟରୁ ସେ ମଣିଷଖିଆ ବାଘରେ ପରିଣତ ହୋଇପାରେ । ଆହୁରି ମଧ୍ୟ ବାଘ ହେଉଛି ଗୋଟେ ବୀର ଶତ୍ରୁ । ସେ ପ୍ରଥମେ ଯୁଦ୍ଧ ନ ହେବାର ଚେଷ୍ଟା କରେ କିନ୍ତୁ ତାକୁ ଅତିରିକ୍ତ ବାଧ୍ୟ କଲେ ସେ ଯୁଦ୍ଧକୁ ବାହାରିପଡ଼େ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରେ ।

 

ରେଭରେଣ୍ଡ ମିଷ୍ଟର ଜର୍ଭିସ ହେଉଛନ୍ତି ମହୀଶୂରର ଜଣେ ସାମରିକ ବ୍ୟକ୍ତି । ସିମୋଗା ଜିଲାର କୁମ୍‌ଣି ଠାରେ ଥରେ ସେ ଗୋଟିଏ ଘାଉଆ ବାଘର ପିଛା ଧରିଥିଲେ । ସେ ତାଙ୍କୁ ଆକ୍ରମଣ କରି ତାଙ୍କର ଗୋଟାଏ ହାତକୁ ଚୋବାଇଗଲା । ତାଙ୍କର ଭାରତୀୟ ଡ୍ରାଇଭର ତାଙ୍କ ବନ୍ଧୁକ ନେଇ ଯାଇଥିଲା; କିନ୍ତୁ କିପରି ବନ୍ଧୁକ ବ୍ୟବହାର କରାଯାଏ, ତାହା ତାକୁ ଆଦୌ ଜଣା ନଥିଲା । କିନ୍ତୁ ଗୋଟାଏ ବୁଦ୍ଧି ଖରଚ କରି ବଳକା ବନ୍ଧୁକର ମୋଟାପାଖେ ବାଘକୁ ଆଘାତ କରି ତଡ଼ିଦେଲା । ତାର ଏହି ସାହସିକ କାର୍ଯ୍ୟପାଇଁ ଖ୍ରୀଷ୍ଟିଆନ ମଣ୍ଡଳୀ ପକ୍ଷରୁ ତାକୁ ଏକ ପୁରସ୍କାର ଦିଆଯାଇଥିଲା । ସେ ଯେ ପୁରସ୍କାରର ଯୋଗ୍ୟପାତ୍ର ଥିଲା ଏଥିରେ ସନ୍ଦେହ ନାହିଁ । ହତଭାଗ୍ୟ ପାଦ୍ରି ସାହେବଙ୍କୁ କୁମ୍‌ସି ବଙ୍ଗଳାଯାଏ ଟେକି ନିଆଗଲା ସେଠାରେ ସ୍ଥାନୀୟ ଡାକ୍ତର ଆସି ତାଙ୍କର ଯାହାକିଛି ଉପାୟ ଥିଲା ତାହା ପ୍ରୟୋଗ କରି ତାଙ୍କ ହାତକୁ କାଟିଦେଲେ । କଟାହାତଟିକୁ ବଙ୍ଗଳା ହତାରେ ଥିବା ଗୋଟିଏ ଗଛମୂଳେ ପୋତି ଦିଆଗଲା । ବାଙ୍ଗାଲୋରକୁ ଏହା ପରେ ଯେଉଁ ଗାଡ଼ି ଗଲା, ସେଥିରେ ଗୋଟିଏ ଡବା ଯୋଡ଼ାଯାଇ ରେଭରେଣ୍ଡ ମିଷ୍ଟର ଜର୍ଭିସଙ୍କୁ ବାଙ୍ଗାଲୋର ପଠାଇ ଦିଆଗଲା । କିନ୍ତୁ ବାଙ୍ଗାଲୋରର ବୋରିଙ୍ଗ୍ ହାସପାତାଳରେ ତାହାପରଦିନ ତାଙ୍କର ମୃତ୍ୟୁ ହେଲା । ସେଠାରେ ପୂର୍ଣ୍ଣ ସାମରିକ ସମ୍ମାନ ସହକାରେ ତାଙ୍କୁ ସମାଧି ଦିଆଗଲା ।

 

ଆକାର, ବଳ ଓ ଆଡ଼ମ୍ବରରେ ଚିତାବାଘ ବାଘର ସମକକ୍ଷ ହୋଇନପାରେ । ଚିତାବାଘ ହେଉଛି ଏକ ନୀଚ ଶତ୍ରୁ । ମୁଁ ପୂର୍ବରୁ କହିଛି, ମଣିଷଖିଆ ଚିତାବାଘର ମନୁଷ୍ୟ ମାଂସ ପ୍ରତି ପ୍ରବଳ ଆଗ୍ରହ ସତ୍ୱେ ସେ ମନୁଷ୍ୟ ଜାତିକୁ ଭୟ କରେ । ଏହା ହେଉଛି ସବୁ ଚିତାବାଘଙ୍କର ବିଶେଷ ଲକ୍ଷଣ । ସେମାନେ କଦାପି ସମ୍ମୁଖ ଦିଗରୁ ଆକ୍ରମଣ କରନ୍ତି ନାହିଁ; ପଛପଟୁ ଲୁଚି ଲୁଚି ଆସି ଆକ୍ରମଣ କରନ୍ତି । ଏହି କାର୍ଯ୍ୟପାଇଁ ଅନ୍ଧାର ରାତିକୁ ସେମାନେ ପସନ୍ଦ କରନ୍ତି ।

 

ସାଧାରଣ ଚିତାବାଘର କୁକୁର ମାଂସ ପ୍ରତି ବିଶେଷ ଆସକ୍ତ ଥିବାର ଦେଖାଯାଏ । ଏହାକୁ ସେ ଗୋଟିଏ ସୁସ୍ଵାଦୁ ଖାଦ୍ୟ ମନେ କରେ । କୋଏମ୍ବାଟୁର ଜିଲାର କୋଲେଗାଲ ସହରଠାରୁ ପ୍ରାୟ ଏକ ମାଇଲ ଦୂରରେ ଥିବା ଏକ ପାହାଡ଼ରେ ଯୋଡ଼ିଏ ଚିତାବାଘ ରହୁଥିଲେ । ପାହାଡ଼ର ଶୀର୍ଷ ଭାଗରେ ଗୋଟିଏ ମନ୍ଦିର ଥିଲା । ଏହି ପାହାଡ଼ର ପାଦ ଦେଶରେ କେତେକ ଆମେରିକାନ ମିଶନାରୀ ରହୁଥିଲେ । ଚିତାବାଘ ଦୁହେଁ ମିଶନାରୀମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲେ । ଚିତାବାଘ ସେମାନଙ୍କ କୁକୁରମାନଙ୍କୁ ଗୋଟି ଗୋଟି କରି ଖାଇଯାଉଥିଲେ । ଯେତେ ନୂଆ କୁକୁର ଆଣିଲେ କେହି ସେମାନଙ୍କ ମୁହଁରୁ ରକ୍ଷା ପାଉନଥିଲେ । ଶେଷରେ ଚିତାବାଘ ଯୋଡ଼ିକ ଏତେ ଘୃଣାର ପାତ୍ର ହେଲେ ଯେ ସ୍ଥାନୀୟ ପୁଲିସ ସବ୍ଇନସପେକ୍ଟର ସହରର କେତେକ ଯୁବକଙ୍କ ସାହାଯ୍ୟରେ ସେମାନଙ୍କୁ ଦୂର କରିବାକୁ ସ୍ଥିରକଲେ । ଏଥିପାଇଁ ଚିତାବାଘ ରହୁଥିବା ଗୁହା ପାଖରେ ନିଆଁ ଲଗାଇ ଦେବାର କଥାହେଲା । ତାହାହେଲେ ଗୁହା ଭିତରକୁ ଧୂଆଁ ପଶିବ ଓ ଚିତାବାଘ ଦୁଇଟି ପଦାକୁ ପଳାଇ ଆସିବେ । ପ୍ରଥମ ସୋପାନ ସ୍ୱରୂପ ଆଖ ପାଖ ଅଞ୍ଚଳରେ ଥିବା ଘାସରେ ନିଆଁ ଲଗାଇ ଦିଆଗଲା । କିନ୍ତୁ ଏହା ଫଳରେ ଚିତାବାଘ ଦୁହେଁ ଗୁହାରୁ ବାହାରି ଆସିଲେ ନାହିଁ । ତହୁଁ ନିଆଁ ହୁଳା ଲଗାଇ ଗୁହା ଭିତରକୁ ଫିଙ୍ଗା ହେଲା । ଏହାର ଫଳରେ ଚିତାବାଘ ଦୁହେଁ ବାହାରି ପଡ଼ିଲେ । ଏମାନଙ୍କୁ ମାରିବା ପାଇଁ ଯେଉଁ ଗୋଳମାଳ ହେଲା କେତେକ ଯୁବକ ଆହତ ହେଲେ; କିନ୍ତୁ ଗୋଟାଏ ଚିତାବାଘ ମଲା । ଅନ୍ୟଟି ଦଳର ଜଣେ ବୟସ୍କ ଲୋକକୁ ଖଣ୍ଡିଆ ଖାବରା କରିପକାଇ ଗଲା । ସିଷ୍ଟର ବୁକାନନ ବୋଲି ଜଣେ ମିଶନାରୀ ତାହା ପଛରେ ଦୌଡ଼ିଲେ । କିନ୍ତୁ ସେ ନିଜେ ଖଣ୍ଡିଆ ଖାବରା ହେଲେ; ଚିତାବାଘ ଖସିଗଲା ।

 

ଦକ୍ଷିଣଭାରତର ଜଙ୍ଗଲରେ ରହୁଥିବା ଭାଲୁର ଦୃଷ୍ଟି ଶକ୍ତି କ୍ଷୀଣ ଓ ସେ ବଦ୍‌ମିଜାଜୀ । ତାର ଆଦୌ ସାହସ ନାହିଁ କିନ୍ତୁ ଅଳ୍ପକେ ଖୁବ୍ ଉତ୍ତେଜିତ ହୋଇପାରେ । ସାଧାରଣତଃ ସେ ଅତି ଭୟାଳୁ । ଅଳ୍ପଦିନ ତଳେ ଗୋଟିଏ ଭାଲୁ ପରିବାର–ବାପ, ମାଆ ଓ ଛୁଆ କ୍ଳେଜପେଟ ପାଖର ଗୋଟିଏ ଗୁହା ଭିତରକୁ ପଶିଗଲେ । ଛୁଆଟି ଟିକିଏ ବଡ଼ ହୋଇ ଯାଇଥିଲା । ଗୁହା ଭିତରେ ଆଗରୁ ଗୋଟିଏ ଚିତାବାଘ ରହିଥିଲା । ଚିତାବାଘ ଏକୁଟିଆ ହେଲେହେଁ ତିନି ଭାଲୁଙ୍କୁ ଆକ୍ରମଣ କଲା । ସାଙ୍ଗେ ସାଙ୍ଗେ ଛୁଆଟି ଖସି ପଳାଇଲା । ବଡ଼ ଦୁଇଭାଲୁ ଚିତାବାଘର ପ୍ରତିରୋଧ କରିବାକୁ ଲାଗିଲେ କିନ୍ତୁ କ୍ରୁଦ୍ଧ ଚିତାବାଘର ମୁନିଆ ନଖକୁ ଦେଖି ସେମାନଙ୍କର ରକ୍ତ ପାଣି ହୋଇଗଲା । ତହୁଁ ସେ ଦୁହେଁ ମଧ୍ୟ ପଳାଇଲେ । କେବଳ ସେତିକି ନୁହେଁ; ଅଣ୍ଡିରା ଭାଲୁଟି ପଳାଇବା ପାଇଁ ଏତେ ବେଗରେ ଦୌଡ଼ିଲା ଯେ ସେ କୁଆଡ଼େ ଦୌଡ଼ୁଛି ଦେଖି ପାରିଲା ନାହିଁ । ସେ ଶହେ ଫୁଟ ଉଚ୍ଚ ଏକ ପଥର ଉପରୁ ତଳେ ଗଡ଼ି ପଡ଼ିଲା । ଏହା ଫଳରେ ତାର ଆଗ ଗୋଡ଼ ଦୁଇଟି ଭାଙ୍ଗିଗଲା । ପରଦିନ ସକାଳେ ଗ୍ରାମବାସୀମାନେ ଯାକୁ କେଞ୍ଚି କେଞ୍ଚି ମାରି ପକାଇଲେ ।

 

ତୁମେ ଆସୁଥିବାର ଦେଖିଲେ ବା ଆସୁଥିବାର ଶବ୍ଦ ଶୁଣିଲେ ଭାଲୁ ବେଗରେ ପଳାଇ ଯିବ । ଦୈବାତ୍ ଯଦି କୌଣସି ବାଙ୍କ ଜାଗାରେ ହଠାତ୍ ତୁମେ ତାକୁ ଭେଟିଯିବ ତେବେ ବିନା ଉତ୍ତେଜନାରେ ସୁଦ୍ଧା ସେ ତୁମକୁ ଆକ୍ରମଣ କରିବ । ଏଇଟା ତାର ସାହସର ଲକ୍ଷଣ ନୁହେଁ ବରଂ ଭୟ ଓ ତୁମ ପାଖରୁ ପଳାଇ ଯିବା ଉଦ୍ଦେଶ୍ୟରେ ସେ ଏପରି ଆକ୍ରମଣ କରେ । ସମ୍ଭବତଃ ସେ ମନେକରେ, ତୁମେ ତାର ପଳାଇବାରେ ବାଧା ଦେବ ଓ ତୁମେ ଯେପରି ବାଧା ଦେଇ ନପାରିବ । ସେଥିପାଇଁ ସେ ତୁମକୁ ରାମ୍ପୁଡ଼ି କାମୁଡ଼ି ଦେବାରେ ଲାଗେ । ସେହି କାମ ସେ ଖୁବ୍ ଭଲରୂପେ କରିପାରେ । ତାର ଲକ୍ଷ୍ୟ ହେଉଛି, ପ୍ରତିପକ୍ଷର ଆଖି ଓ ମୁହଁ । ତାର ମୁଣ୍ଡ ଚାରିଇଞ୍ଚ ଲମ୍ବା ନଖ ସାହାଯ୍ୟରେ ଆଖି ଓ ମୁହଁ ଚିରି ପକାଇବ ଓ କାମୁଡ଼ି ଦେବ । ଭାଲୁଦ୍ଵାରା ଆକ୍ରାନ୍ତ ହୋଇଥିବା କେତେକ ଆଦିବାସୀ ଲୋକଙ୍କୁ ମୁଁ ଦେଖିଛି । ସେମାନଙ୍କ ଘାଆ ଭୀଷଣ ହୋଇଥାଏ । ସେମାନଙ୍କର ମୁହଁ ଚିରଦିନ ପାଇଁ କଦାକାର ହୋଇଯାଏ ।

 

ଗଛର ମୂଳ ଖୋଳିଲାବେଳେ କିମ୍ବା ଉଇ ଖାଇବା ପାଇଁ ହୁଙ୍କା ଖୋଳିଲାବେଳେ ଭାଲୁ ଅନେକ ସମୟରେ ନିତାନ୍ତ ନିର୍ବୋଧ ପରି ବ୍ୟବହାର କରେ । ସେ ଯେଉଁ ଶବ୍ଦ କରେ ତାହା କାହାଳୀର ଉଚ୍ଚସ୍ଵରଠାରୁ ଆରମ୍ଭ କରି ଉଡ଼ାଜାହାଜର ଘାଉଁ ଘାଉଁ ସ୍ଵରପରି ହୋଇପାରେ; ରାଗିଥିବା ବିରୁଡ଼ିର ଘଁ ଘଁ ଶବ୍ଦଠାରୁ ଆରମ୍ଭ କରି କମାର ଭାତିର ଫସ୍ ଫସ୍ ଶବ୍ଦପରି ହୋଇପାରେ । ଏହି ଘଁ ଘଁ ବା ଫସ୍ ଫସ୍ ଶବ୍ଦ ଘଁ ଘଁ ବା ଘାଉଁ ଘାଉଁ ଶବ୍ଦ ସଙ୍ଗେ ସଙ୍ଗେ ଚାଲିଥାଏ-। ମିଠା ଗଛମୂଳ କିମ୍ବା ଆନନ୍ଦଦାୟକ ତୃପ୍ତିକର ଉଇ ବାହାର କରିବାପାଇଁ ସେ ନିଜର ଦେହକୁ ମୋଡ଼ି ବଙ୍କେଇ ଯେ କୌଣସି ଆକାର କରିପାରେ । ତାର ନିଦ ଖୁବ୍ ଟାଣ । ମାଟିରେ ଅଳ୍ପ ଖାଲ କରି କିମ୍ବା ଦୁଇଟା ପଥର ସନ୍ଧିରେ, କିମ୍ବା ଗୁହା ଭିତରେ, ଗହଳିଆ ଗଛତଳେ କିମ୍ବା ଘାସ ଭିତରେ ସେ ଶୋଇରହିଥାଏ । ସେ ଏତେ ଜୋର୍‌ରେ ଘୁଙ୍ଗୁଡ଼ି ମାରେ ଯେ ତାହା ଅନେକ ଦୂରରୁ ଶୁଣାଯାଏ-। ସେ ଘୁଙ୍ଗୁଡ଼ି ମାରୁନଥିଲାବେଳେ ସନ୍ଦେହ ନକରି ଯାଉଥିବା ଲୋକ ତାର ଉଠିବା ଆଗରୁ ତା ଉପରେ ପାଦ ପକାଇ ଦେଇ ପାରେ । ସେ ହଠାତ୍ ଉଠିପଡ଼ି ନଭାବି ନଚିନ୍ତି ବିନାକାରଣରେ ତାକୁ ଆକ୍ରମଣ କରି ବସିବ ।

 

କୋଇମ୍ବାଟୁର ଜିଲ୍ଲାର ଶୋଲଗା ଜାତିର ଲୋକେ ଭାଲୁକୁ କିପରି ବଳି ପାରିବେ ତାହା ଭଲରୂପେ ଜାଣନ୍ତି । ସେମାନେ ଛୋଟ ତୀକ୍ଷ୍‌ଣ ଟାଙ୍ଗିଆ ସାହାଯ୍ୟରେ ଭାଲୁର ମଥାକୁ ଦୁଇଫାଳ କରିଥିବାର ଶୁଣାଯାଏ । ଶତ୍ରୁର ଆଖି ଓ ମୁହଁ ଯାଏ ଉଠିବାପାଇଁ ଭାଲୁ ତାର ପଛ ଦୁଇଗୋଡ଼ରେ ଛିଡ଼ା ହୋଇଯାଏ । ଏହା ଫଳରେ ଭାଲୁର ମୁଣ୍ଡ, ମୁହଁ, ଛାତି ଓ ବେକର ଯେ କୌଣସି ସ୍ଥାନରେ ମନୁଷ୍ୟ ହାତରେ ଥିବା ଟାଙ୍ଗିଆର ଚୋଟ ବସିପାରେ । ସାଧାରଣତଃ ଶୋଲଗା ବାହାରକୁ ଗଲେ ଗୋଟିଏ କଳାକମ୍ବଳ ବାଁ କାଖରେ ଜାକି ଧରିଥାଏ । ଭାଲୁ ସହିତ ତାର ଏହିପରି ଯୁଦ୍ଧବେଳେ ସେହି କମ୍ବଳଟି ତାର ଢାଲର କାର୍ଯ୍ୟ କରିଥାଏ ।

 

ଭାଲୁ ଉଦ୍ଭିଦଭୋଜୀ ଓ କୀଟଭୋଜୀ ପ୍ରାଣୀ ହେଲେ ହେଁ ସେ ପଚାମାଂସ ଖାଇବାକୁ କୁଣ୍ଠିତ ନୁହେଁ । ବାଘ ବା ଚିତାବାଘ ମାରି ପକାଇଥିବା ମଡ଼ା ଦେହରୁ ଭାଲୁ ମାଂସ ଖାଉଥିବାର ମୁଁ ଅନେକ ଥର ଦେଖିଅଛି । ଯେ କୌଣସି ଜଙ୍ଗଲର ଗୋଟିଏ ବଡ଼ ବିପଦ ହେଉଛନ୍ତି ସାପ । ବିଷଧର ବୋଲି କୁହାଯାଉଥିବା ନାନା ଜାତିର ସାପ ଜଙ୍ଗଲରେ ଥାଆନ୍ତି କିନ୍ତୁ; ପ୍ରକୃତରେ ପର୍ଯ୍ୟଟକମାନଙ୍କୁ ସାପ ବିଷୟରେ ଯେଉଁସବୁ ଗଳ୍ପ କୁହାଯାଇଥାଏ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଅତିରଞ୍ଜିତ । ସାଧାରଣତଃ ସବୁ ଜାତିର ସାପଙ୍କର ସଂଖ୍ୟା ଜଙ୍ଗଲିଆ ଅଞ୍ଚଳରେ କମ୍ ଓ ସେମାନେ ଅନେକ ସମୟରେ ଦେଖାଯାନ୍ତି ନାହିଁ । ଫସଲ କିଆରୀମାନଙ୍କରେ ଓ ଗ୍ରାମ ନିକଟରେ ସେମାନଙ୍କର ସଂଖ୍ୟା ବେଶି । ଏହାର କାରଣ ହେଉଛି ଏଭଳି ସ୍ଥାନରେ ନାନା ପ୍ରକାର ଶସ୍ୟ ହେଉଥିବାରୁ ତାହା ଖାଇବା ପାଇଁ ଲକ୍ଷଲକ୍ଷ ମୂଷା ରହିଥାନ୍ତି ଓ ସେମାନଙ୍କୁ ଖାଇବାପାଇଁ ସାପ ମଧ୍ୟ ରହନ୍ତି ।

 

ଆଉ ଗୋଟିଏ କଥା । ସମଗ୍ର ଭାରତୀୟ ଉପଦ୍ଵୀପରେ ମାରାତ୍ମକ ଚୋଟ ମାରିବା ଭଳି ମୋଟେ ପାଞ୍ଚ ଶ୍ରେଣୀର ବିଷଧର ସର୍ପ ଅଛନ୍ତି । ଏମାନଙ୍କ ଛଡ଼ା ଅନ୍ୟାନ୍ୟ ଶ୍ରେଣୀର ବିଷଧର ସର୍ପ ମଧ୍ୟ ଅଛନ୍ତି; କିନ୍ତୁ ସେମାନଙ୍କ କାମୁଡ଼ା ଫଳରେ କେବଳ କାମୁଡ଼ାସ୍ଥଳ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ମାରାତ୍ମକ ଶ୍ରେଣୀର ସାପ ହେଉଛନ୍ତି King Cobra ବା Hamadryad, ଗୋଖର ସାପ Russell’s Viper, କରତ ଚିହ୍ନ ଚମଡ଼ା ଥିବା ସାପ (SawScaled Viper) ବା ପୁରୁସା ଓ କ୍ରେଟ (Krait) । କୋରାଲ ସାପର (Coral snake) କାମୁଡ଼ା ମାରାତ୍ମକ କିନ୍ତୁ ଏହାର ପାଟି ଏତେ ସାନ ଯେ ସେ ମନୁଷ୍ୟ ଦେହର କୌଣସି ସ୍ଥାନକୁ କାମୁଡ଼ି ଧରିପାରେ ନାହିଁ । ଏହାଛଡ଼ା କୋରାଲ ସାପର ପ୍ରକୃତି ହେଉଛି ଶାନ୍ତ । ଗାତରେ ରହୁଥିବା ସାପମାନେ ବିଷଧର, କିନ୍ତୁ ସେମାନଙ୍କ କାମୁଡ଼ା କେବେହେଲେ ମାରାତ୍ମକ ହୁଏନାହିଁ । ଖୁବ୍ କମ୍ କ୍ଷେତ୍ରରେ ଏହି ସାପର କାମୁଡ଼ା ହେତୁ କେବଳ ଲୋକର ହୃତ୍‌ପିଣ୍ଡ ଦୁର୍ବଳ ହୋଇଯାଏ ଓ ସାଧାରଣତଃ ସେ ସାପର ବିଷକ୍ରିୟାରୁ ନମରି (shock) ଆକସ୍ମିକ ଅବସାଦ ହେତୁରୁ ମରିଥାଏ । ଅଧିକାଂଶ ସାମୁଦ୍ରିକ ସାପ ଭୀଷଣ ବିଷଧର; ସେମାନଙ୍କ ମଧ୍ୟରୁ କେତେକଙ୍କର ବିଷ ଗୋଖର ସାପର ବିଷର ବାରଗୁଣ ମାରାତ୍ମକ, କିନ୍ତୁ ସେମାନେ କେବଳ ସମୁଦ୍ରରେ ଦେଖାଯାନ୍ତି ।

 

ମୋଟାମୋଟି କହିବାକୁଗଲେ ସାପ ବିଷର ଶକ୍ତି ଓ ମାରାତ୍ମକତା ହେଉଛି ଏହିପରି !

 

Russell’s Viper ସାପର ବିଷ Saw Scaled ସାପର ବିଷର ପ୍ରାୟ ଦୁଇଗୁଣ ମାରାତ୍ମକ ।

 

ଗୋଖର ସାପ (Cobra)ର ବିଷ Russell’s Viper ସାପ ବିଷର ତିନିଗୁଣ ମାରାତ୍ମକ ଏବଂ Krait ସାପର ବିଷ ଗୋଖର ସାପର ବିଷର ପ୍ରାୟ ଦୁଇଗୁଣ ମାରାତ୍ମକ ।

 

King Cobra ସାପର ବିଷ ସାଧାରଣ ଗୋଖର ସାପ (Cobra)ର ସମପରିମାଣ ବିଷଭଳି ଶକ୍ତିଶାଳୀ ନୁହେଁ । କିନ୍ତୁ King Cobra ଆକାରରେ ଖୁବ ବଡ଼; ସମୟ ସମୟରେ ଏହା ପନ୍ଦର ଫୁଟ ବା ତହିଁରୁ ଅଧିକ ଲମ୍ବ ହୋଇଥାଏ । ତେଣୁ ତାର ବିଷର ଶକ୍ତି କମ୍ ହୋଇଥିଲେ ସୁଦ୍ଧା ସେ ଥରେ କାମୁଡ଼ିଲେ ଦେହରେ ତାର ଯେତେ ବିଷ ପ୍ରବେଶକରେ, ତାହାର ପରିମାଣ ଗୋଖର ସାପ ପ୍ରବେଶ କରାଉଥିବା ବିଷର ଚାରିଗୁଣ ହୁଏ । ତେଣୁ ଜଗତର ବିଷଧର ସର୍ପମାନଙ୍କ ମଧ୍ୟରେ ସବୁଠାରୁ ବୃହଦାକାର King Cobra ଦ୍ଵାରା ଯେତେ ଲୋକଙ୍କର ମୃତ୍ୟୁ ହୁଏ ତାହା ସାଧାରଣ ଗୋଖର (Cobra) ସାପଦ୍ଵାରା ସଂଘଟିତ ମୃତ୍ୟୁସଂଖ୍ୟାର ପ୍ରାୟ ତିନିଗୁଣ ବେବ ।

 

Hamadrayad କେବଳ ପାହାଡ଼ିଆ ଅଞ୍ଚଳର ବୃଷ୍ଟି ବହୁଳ ଚିର ସବୁଜ ଜଙ୍ଗଲମାନଙ୍କରେ ଦେଖାଯାଏ । ଏହା ଜଙ୍ଗଲ ଛଡ଼ା ଅନ୍ୟତ୍ର ବାସକରେ ନାହିଁ ଓ ଯଥାସମ୍ଭବ ଲୋକାଳୟ ପାଖରୁ ଦୂରରେ ରହେ । ଅନ୍ୟାନ୍ୟ ସାପ ହେଉଛନ୍ତି ତାର ଖାଦ୍ୟ; ଏହି ହେତୁରୁ ଏହାକୁ ବନ୍ଦୀକରି ରଖିବା କଷ୍ଟକର ବ୍ୟାପାର । ଏହି ଜାତିର ଗୋଟିଏ ସାପକୁ ମହୀଶୂର ଚିଡ଼ିଆଖାନାରେ ରଖାଯାଇଥିଲା । ପୂରା ଗୋଟିଏ ବର୍ଷଯାଏ ସେ କିଛି ନଖାଇ ଅଳ୍ପଦିନ ତଳେ ମରିଗଲା । ଏହି ବର୍ଷକ ଭିତରେ ତାକୁ ନାନା ପ୍ରକାର ବିଷହୀନ ସାପ ଖୁଆଇବାକୁ ଚେଷ୍ଟା କରଯାଇଥିଲା କିନ୍ତୁ କେବେହେଲେ ସେ ସେମାନଙ୍କୁ ଛୁଇଁଲା ନାହିଁ ଓ ଉପବାସ ରହି ରହି ଶେଷରେ ମଲା । ସେ ସମୟରେ ମହୀଶୂରର ସମ୍ବାଦପତ୍ରମାନଙ୍କରେ ଏହି ଘଟନା ନେଇ ପ୍ରବଳ ବାଦାନୁବାଦ ହୋଇଥିଲା । ସହରର କେତେକ ଲୋକ ଧର୍ମ ଦୃଷ୍ଟିରୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଗୋଟିଏ ନିତାନ୍ତ ନିର୍ଦ୍ଦୟ କାର୍ଯ୍ୟ କରିଅଛନ୍ତି ବୋଲି ଘୋର ନିନ୍ଦା କରିଥିଲେ ।

 

ପୂର୍ବରୁ ମୁଁ କହିଛି Hamadryad ଗୋଟିଏ ବୃହଦାକାର ସାପ । ସାଧାରଣତଃ ଏହାର ରଙ୍ଗ Olive green ଓ ତା ଉପରେ ଧଳାଗାର ବୁଲିଥାଏ । ଶୁଣାଯାଏ, ବ୍ରାହ୍ମଦେଶ ଓ ମାଲୟ ଅଞ୍ଚଳରେ ଅଣ୍ଡିରା Hamadryardର ରଙ୍ଗ ଗାଢ଼ କଳା । ତା ଉପରେ ସେହି ଧଳାଗାର ବୁଲିଥାଏ । ସାଧାରଣ ଗୋଖର (Cobra) ସାପର ଲମ୍ବ ବଢ଼ିବା ଅନୁପାତରେ ତାର ଫଣା ମଧ୍ୟ ବଢ଼ିଥାଏ କିନ୍ତୁ Hamadryad ସାପର ସେପରି ବଢ଼େ ନାହିଁ ଓ ସେଥିରେ ଜଣାଶୁଣା V (ଭି) ଚିହ୍ନ ନଥାଏ । ଶୁଣାଯାଏ, ଏମାନେ, ବିଶେଷତଃ ଡିମ୍ବକୁ ଜଗି ରହିଥିବା ମାଈ ସାପମାନେ ଦେଖିଲାମାତ୍ରେ ଆକ୍ରମଣ କରନ୍ତି । ମାଈ ସାପ ଝଡ଼ିପଡ଼ିଥିବା ପଚା ପତ୍ରରେ ବସାକରି ସେଥିରେ ଡିମ୍ବ ଦିଏ । ଯାହାହେଉ, ମୁଁ ନିଜେ କେବେ ଏଭଳି ଆକ୍ରମଣର ସମ୍ମୁଖୀନ ହୋଇନାହିଁ । ଅଥଚ ମୁଁ ଦୁଇଥର ହଠାତ୍ Hamadryad ସାପକୁ ଭେଟିଛି । ପ୍ରଥମଥର ମୁଁ ବାଙ୍ଗାଲୋରରେ ଗଛ ଲଗାଇବା ପାଇଁ ଗୋଟିଏ ଗାତ ଖୋଳିବା ସଙ୍ଗେ ଗୋଟିଏ ଦୁଷ୍ପ୍ରାପ୍ୟ ଜାତିର ମାଛ ଧରିବା ପାଇଁ ଚେଷ୍ଟା କରୁଥିଲି । ସେହି ମାଛର ଚକଚକିଆ ଲାଲରଙ୍ଗର ଲାଞ୍ଜ ଥାଏ । ମାଛଗୁଡ଼ିକ ପଶ୍ଚିମଘାଟର ଏକ ସମଭୂମିରେ ଏଗୁମ୍ବି ବୋଲି ସ୍ଥାନର ନିକଟରେ ଗୋଟିଏ କ୍ଷୁଦ୍ରନଦୀରେ ପହଁରୁଥିଲେ । ସେଗୁଡ଼ିକ ଧରି ମୋର ଘରେ ଥିବା କାଚନିର୍ମିତ ଜଳାଶୟ (aquarium)ରେ ରଖିବି ବୋଲି ଭାବିଥିଲି । ମୁଁ ଦେଖିଲି, ଗୋଟିଏ ଫର୍ଣ୍ଣ ବୁଦାଭିତରୁ ଗୋଟାଏ ଗୋଧି (Iguara lizard)ର ମୁଣ୍ଡପରି କାହାର ମୁଣ୍ଡ ମୋ ଆଡ଼କୁ ଚାହିଁ ରହିଛି । ସେତେବେଳେ ମୁଁ ନଈଭିତରେ ଅଳ୍ପ ପାଣିରେ ଯାଉଥିଲି । କିଏ ମୋତେ ଏପରି ଚାହିଁଛି ଦେଖିବା ପାଇଁ ତା ଆଡ଼କୁ ଆସିଲି । ଗୋଧି ପରିବର୍ତ୍ତେ Hamadryad ନଈ କୂଳର ଉଚ୍ଚ ଜାଗାରୁ ମୋର ମୁଣ୍ଡ ଉପରୁ ଛଅଫୁଟ ଉଚ୍ଚକୁ ତାର ଫଣା ଟେକିଲା । କ୍ରୋଧରେ ତାର ଦେହ ଥରୁଥିଲା ଓ ସେ ଶବ୍ଦକରି ନିଶ୍ଵାସ ଛାଡ଼ିଲାବେଳେ ତାର କଳା କଳା ଆଖି ଯୋଡ଼ିକ ଚକ୍‌ଚକ୍ କରୁଥାଏ । ମୋ ହାତରେ କିଛି ଅସ୍ତ୍ର ନଥିଲା, ଏପରି କି ଖଣ୍ଡେ ବାଡ଼ି ସୁଦ୍ଧା ନଥିଲା । ତେଣୁ ମୁଁ ଆଦୌ ହଲଚଲ ନ ହୋଇ ଚୁପ୍‌କରି ଛିଡ଼ା ହୋଇ ରହିଲି । କିଛି ସମୟପରେ ତାର ଥରିବା କମି ଆସିଲା; ମେଲେଇ ଟେକିଥିବା ଫଣା ତଳକୁ ନଇଁ ଆସିଲା । ଏହାପରେ ସେ ମୋ ପାଖରୁ ପ୍ରାୟ ପାଞ୍ଚଫୁଟ ଦୂରରେ ନଈ ପାର ହେବାକୁ ଲାଗିଲା । ନଈ ମଝିରେ ସେ ରହିଯାଇ ମୁଁ କଅଣ କରିବାକୁ ଯାଉଛି ଜାଣିବାପାଇଁ ମୋ ଆଡ଼କୁ ପୁଣି ଚାହିଁଲା । ମୁଁ ପୂର୍ବ ପରି ରହିଥିଲି; ହଲଚଲ ସୁଦ୍ଧା ହେଉ ନଥିଲି । ତାହାପରେ ସେ ପୁଣି ଚାଲିଲା ଓ ଆର କୂଳରେ ପହଞ୍ଚି ଫର୍ଣ୍ଣବୁଦାମାନଙ୍କ ଭିତରେ ଲୁଚିଗଲା ।

 

ଦ୍ଵିତୀୟ ଥରକ ମୁଁ ବାବାବୁଡ଼ନ ପାହାଡ଼ର ସାନ୍ତାବେରୀ ପାଖରେ ଗୋଟିଏ ଗଛର ପଛରେ ବସିଥିଲି । ସେତେବେଳେ ବାଘ ମାରିବାପାଇଁ ହାକ୍‌କା (tiger beat) ଚାଲିଥିଲା । ହଠାତ୍ ମୋର ପଛପଟୁ ହୁଇସିଲ ବାଜିବାଭଳି ଏକ ବିଚିତ୍ର ଶବ୍ଦ ଶୁଣାଗଲା । ଅଣ୍ଡିରା ଅରଣା ମଇଁଷି ଯେପରି ଶବ୍ଦକରି ତାର ପଲକୁ ସାବଧାନ କରିଦିଏ ଏହି ଶବ୍ଦ ତାହାରି ଭଳି ଥିଲା । ତେଣୁ ମୁଁ ଆଶାକରିଥିଲି, ଏହାପରେ ଅରଣାମଇଁଷିଟି ଦେଖାଦେବ; କିନ୍ତୁ ତାହା ପରିବର୍ତ୍ତେ ଗୋଟିଏ Hamadryad ହଠାତ୍ ବାହାରିପଡ଼ି ମୋର ଖୁବ୍ ନିକଟରେ ଜଙ୍ଗଲକଟା ଖୋଲା ରାସ୍ତା ଅତିକ୍ରମ କରି ଚାଲିଗଲା । କିନ୍ତୁ ଏହି ଘଟନାରେ ସାପଟା ମୋତେ ଆଦୌ ଦେଖିଥିଲା କି ନା ସେ ବିଷୟରେ ମୋର ସନ୍ଦେହ ଅଛି । କାରଣ ମୁଁ ଆଦୌ ହଲଚଲ ହୋଇ ନଥିଲି ।

 

ଯେଉଁମାନଙ୍କ ଆଗରେ ମୁଁ ଏହି ଦୁଇଟି ଘଟନା ବର୍ଣ୍ଣନା କରିଛି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମତ ହେଉଛି, ମୁଁ ଆଦୌ ହଲଚଲ ନ ହେବାଦ୍ଵାରା ଜୀବନରକ୍ଷା କରିଥିଲି । ସାମାନ୍ୟ ହଲଚଲ ହୋଇଥିଲେ ସାପ ମୋତେ ତତ୍‌କ୍ଷଣାତ୍ ଆକ୍ରମଣ କରିଥାନ୍ତା । ଏହି ବିରାଟ ସାପଦ୍ଵାରା ପୂର୍ବରୁ କେବେ ଆକ୍ରାନ୍ତ ହୋଇ ନଥିବାରୁ ଏ ବିଷୟରେ କୌଣସି ମତ ପ୍ରକାଶ କରିବାକୁ ମୁଁ ଅକ୍ଷମ । ଯାହାହେଉ ଏହାର କେତେ ବର୍ଷ ପୂର୍ବରୁ ଯେଉଁ ଜର୍ମାନ ପ୍ରାଣୀତତ୍ତ୍ଵବିତ୍ ନିଜର ଚିଡ଼ିଆଖାନା ପାଇଁ ଯୋଡ଼ିଏ Hamadryad ସାପ ଧରିବା ପାଇଁ ଆସିଥିଲେ ତାଙ୍କର ଭାଗ୍ୟଠାରୁ ମୋର ଭାଗ୍ୟ ଖୁବ୍ ଭଲ । ସେହି ଜର୍ମାନ ଭଦ୍ରବ୍ୟକ୍ତି ଅକ୍ଳେଶରେ ଅଣ୍ଡିରା ସାପଟିକୁ ଧରି ପାରିଲେ । ଦୁଇଦିନ ପରେ ସେ ମାଈ ସାପଟିକୁ ଧରିବା ପାଇଁ ଉଦ୍ୟମକଲେ । କିନ୍ତୁ ସାପ ତାଙ୍କୁ କାମୁଡ଼ି ଦେଲା ଓ ସେ ସେହି ଜଙ୍ଗଲ ଭିତରେ ପ୍ରାଣ ହରାଇଲେ । ଏହି ଘଟନାରେ ଆମର ପ୍ରାଚୀନ ଉକ୍ତି “ନାରୀଜାତି ପୁରୁଷଠାରୁ ଅଧିକ ଭୟଙ୍କର” ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଥିଲା-

 

ଏହାର ଠିକ୍ ଏକ ବିପରୀତ ଘଟନା ମୋର ମନେ ପଡ଼ୁ ଅଛି । ଅନେକ ବର୍ଷତଳେ ବ୍ରହ୍ମଦେଶର ସେମିଓ ସହରରେ ଏହା ମୁଁ ଦେଖିଥିଲି । ରାସ୍ତା କଡ଼ରେ ସାପଖେଳ ହେଉଥିଲା । ସାପଖେଳାଳି ଜଣକ ଥିଲା ଜଣେ ବ୍ରହ୍ମଦେଶୀୟ ରମଣୀ ଓ ସେ ଅତି ସୁନ୍ଦରୀ । ପେଡ଼ି ଭିତରୁ ସେ ଗୋଟିଏ Hamadryad ସାପ ବାହାରକଲା ଓ ତା ଆଗରେ ନାଚିବାକୁ ଲାଗିଲା । ସାପ ଆସ୍ତେ ଆସ୍ତେ ଫଣା ବିସ୍ତାରକରି ଉପରକୁ ଟେକିଲା ଓ ଏହା ଭୂମିତଳୁ କେତେକ ଫୁଟ ଉଚ୍ଚରେ ରହିଲା । ତାହାପରେ ସେହି ସ୍ତ୍ରୀଲୋକ ଯାଇ ସାପ ମୁହଁରେ ଧୀରେ ଧୀରେ ଚୁମ୍ବନ ଦେଲା । ପରେ ମୁଁ ସେହି ସାପକୁ ପରୀକ୍ଷାକରି ଦେଖିଲି, ତାର ଦାନ୍ତ ଓ ବିଷ କୋଷ ଠିକ୍ ଥିଲା । ମୋର ସ୍ମରଣ ଅଛି, ସେ ସାପଟି ଗୋଟିଏ ଅଣ୍ଡିରା ସାପ ଥିଲା ଓ ସ୍ତ୍ରୀଲୋକଟି ଥିଲା ଅତି ସୁନ୍ଦରୀ । ସମ୍ଭବତଃ ଏହି କାରଣରୁ ସ୍ତ୍ରୀଲୋକଟି ସାପଠାରୁ ଏପରି ଭଦ୍ରୋଚିତ ବ୍ୟବହାର ପାଇଥିଲା କିନ୍ତୁ ଜର୍ମାନ ବିଜ୍ଞାନୀ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ବ୍ୟବହାର ପାଇଥିଲେ ।

 

ଭାରତର ସାଧାରଣ ଗୋଖର ସାପ (Cobra) ଏତେ ସୁପରିଚିତ ଯେ ତାହାର ବର୍ଣ୍ଣନା ଅନାବଶ୍ୟକ ମନେହୁଏ । ଲୋକେ ଯାହା କହନ୍ତୁ ପଛକେ ଏହା କ୍ଵଚିତ୍ ଛଅ ଫୁଟରୁ ଅଧିକ ଲମ୍ବ ହୋଇଥାଏ । ଭାରତରେ ଦୁଇ ପ୍ରକାରର ଗୋଖର ସାପ (Cobra) ଅଛନ୍ତି । ଗୋଟିଏ ଶ୍ରେଣୀର ମୁଣ୍ଡରେ ସୁପରିଚିତ ‘V’ (ଭି) ଚିହ୍ନଥାଏ । ଏହାକୁ Biocellate ଶ୍ରେଣୀର ଅନ୍ତର୍ଗତ କରାଯାଏ । ଅନ୍ୟ ଶ୍ରେଣୀର ଫଣାରେ ଗୋଟିଏ ଧଳା ବିନ୍ଦୁ ଓ ତା ଚାରିପାଖେ କଳା ଗାର ବୁଲିଥାଏ । ଏହି ଶ୍ରେଣୀ Monocellate ନାମରେ ପରିଚିତ । କୌଣସି କୌଣସି ସ୍ଥାନରେ ଅନ୍ୟ ଏକ ପ୍ରକାରର ଗୋଖର ସାପ (Cobra) ଦେଖାଯାନ୍ତି । ସେମାନଙ୍କର ଫଣା ଅନ୍ୟମାନଙ୍କର ଫଣା ପରି ବିସ୍ତୃତ; କିନ୍ତୁ ସେଥିରେ କୌଣସି ପ୍ରକାର ଚିହ୍ନ ନଥାଏ ।

 

ଦେହର ରଙ୍ଗକୁ ଦେଖି ଗୋଖର ସାପ (Cobra) ଚିହ୍ନିବା ବିଶ୍ଵାସ ଯୋଗ୍ୟ ନୁହେ କାରଣ ସେମାନେ ନାନାରଙ୍ଗର ହୋଇ ପାରନ୍ତି–ଘନକୃଷ୍ଣ, ଧୂସର, ରକ୍ତିମ, ଈଷତ୍, ଶୁକ୍ଳ, ଈଷତ୍ ସବୁଜ ଇତ୍ୟାଦି । ଧୂସର ଓ ପାଉଁଶିଆ ବର୍ଣ୍ଣ ଅତି ସାଧାରଣ । ଗୋଖର ସାପ (Cobra)ର ଛୁଆ ଡିମ୍ବରୁ ବାହାରିଲାବେଳେ ପ୍ରାୟ ଛଅ ଇଞ୍ଚ ଲମ୍ବ ହୋଇଥାଏ । ସେତେବେଳେ ସେମାନଙ୍କର ବିଷ ଅଧିକ ଉଗ୍ର । ଆହୁରି ମଧ୍ୟ ଜୀବନର ପ୍ରଥମ ଦୁଇ ବର୍ଷରେ ଏହା ଅଧିକ ଆକ୍ରମଣଶୀଳ ଥାଏ । ବୟସ ବୃଦ୍ଧି ହେଲେ ଏହାର ମିଜାଜ୍ ଥଣ୍ଡା ହୋଇଆସେ । ଅତି ବୃଦ୍ଧ ସାପମାନେ ନିତାନ୍ତ କ୍ରୋଧର କାରଣ ନଥିଲେ କାହାରିକୁ କାମୁଡ଼ନ୍ତି ନାହିଁ । ବୃଦ୍ଧ ଅବସ୍ଥାରେ ଏହାର ଦାନ୍ତ ବା ବିଷକୋଷକୁ ନଷ୍ଟ ନ କରି ସୁଦ୍ଧା ସୁନ୍ଦରଭାବରେ ପୋଷା ଯାଇପାରେ ।

 

ମାଈ ଗୋଖର (Cobra) ସାପ ଥରକେ ପାରା ଡିମ୍ବ ଭଳି ପ୍ରାୟ ପନ୍ଦରଟି ଡିମ୍ବ ଦିଏ-। ଡିମ୍ବର ଖୋଳ ଖୁବ୍ ନରମ । ସାଧାରଣତଃ ଏହା ଅଳ୍ପ ଗଭୀର ଗାତ କିମ୍ବା ପଚାପତ୍ର ମଧ୍ୟରେ ଡିମ୍ବ ଦେଇଥାଏ । ଡିମ୍ବ ଭଲରୂପେ ଉଷୁମ ହେବାପାଇଁ ସୂର୍ଯ୍ୟର ପ୍ରତ୍ୟକ୍ଷ କିରଣ ଓ କେତେକ ପରିମାଣର ଆର୍ଦ୍ରତା (humuidity) ଆବଶ୍ୟକ ହୁଏ ।

 

କ୍ରେଇଟ (Krait) ସାଧାରଣତଃ ତିନିଫୁଟ ଲମ୍ବ ହୋଇଥାଏ । ଏହା ଖୁବ୍ ସରୁ; ଏହାର ବର୍ଣ୍ଣ କଳା ଓ ତା ଉପରେ ଦେହର ଚାରିପାଖେ ଧଳାଗାର ବୁଲିଥାଏ । ଏହା ଖୁବ୍ ଦ୍ରୁତବେଗରେ ଯାଇପାରେ କିନ୍ତୁ ଏହା ଅତ୍ୟନ୍ତ ଭୀରୁ ଓ ଦୁର୍ବଳମନା (nervous) । ସାଧାରଣତଃ ବନ୍ଦୀ ଅବସ୍ଥାରେ ରଖିଲେ ଏହା ଦିନେ ଦୁଇଦିନ ମଧ୍ୟରେ ମରିଯାଏ । ଏପରି ମରିବାର କୌଣସି ସୁସ୍ପଷ୍ଟ କାରଣ ଜଣାପଡ଼େ ନାହିଁ । କିଙ୍ଗ କୋବ୍ରା (King Cobra), ଗୋଖର (Cobra) ଓ କ୍ରେଇଟ (Krait) ଏ ତିନୋଟିକୁ Colubrine ସାପ କୁହାଯାଏ । ଏମାନଙ୍କର ବିଷଦ୍ଵାରା ପ୍ରଧାନ ଲକ୍ଷଣ ସ୍ୱରୂପ ସମଗ୍ର ସ୍ନାୟୁ ମଣ୍ଡଳୀ ଅବସନ୍ନ ହୋଇପଡ଼େ । ଏହି ତିନିଜାତିର ପ୍ରତ୍ୟେକ ସାପର ଦୁଇଟି ଲେଖାଏଁ ସୁଦୃଢ଼ ସ୍ଥାୟୀ ଦନ୍ତ ଥାଏ । ଗୋଖର ସାପ (Cobra)ର ଏହି ଦନ୍ତର ଦୈର୍ଘ୍ୟ ପ୍ରାୟ ଏକ ଇଞ୍ଚର ଚାରିଭାଗରୁ ଭାଗେ ମାତ୍ର; Hamadryadର ଦାନ୍ତ ପ୍ରାୟ ଅଧଇଞ୍ଚ ଓ କ୍ରେଇଟ (Krait)ର ଦାନ୍ତ ଏକ ଇଞ୍ଚର ଏକ ଅଷ୍ଟମାଂସ ମାତ୍ର ହୋଇଥାଏ ।

 

Russell’s Viper ଓ Saw Scaled Viper–ଏ ଦୁଇଟି ହେଉଛନ୍ତି Viper ଜାତୀୟ ସାପ । ସେମାନଙ୍କର ମଧ୍ୟ ମୁହଁର ପ୍ରତ୍ୟେକ ପାଖରେ ଗୋଟିଏ କରି ଦୁଇଟି ସ୍ଥାୟୀ ଦାନ୍ତ ଥାଏ । କାମ ନଥିଲାବେଳେ ଏ ଦାନ୍ତଯୋଡ଼ିକ ତାଳୁ ଦେହରେ ଶୋଇଲାପରି ଲାଗିଥାନ୍ତି କିନ୍ତୁ ଦରକାର ପଡ଼ିଲେ ଦାନ୍ତମୂଳରେ ସିଧା ଛିଡ଼ା ହୋଇ ଯେ କୌଣସି ଦିଗକୁ ବୁଲି ପାରନ୍ତି । ଗୋଟିଏ ବଡ଼ Russell’s Viper ର ଦାନ୍ତ ପୂରା ଏକ ଇଞ୍ଚ ପର୍ଯ୍ୟନ୍ତ ବଢ଼ିପାରେ ଓ ନରମା ଚମଡ଼ାର ଜୋତା, ପଟ୍ଟି, ପ୍ୟାଣ୍ଟ ଓ ମୋଟା ପଶମର ମୋଜାକୁ ଭେଦ କରିପାରେ । ଗୋଖର (Cobra) କିମ୍ବା କ୍ରେଇଟର (Krait) ଦାନ୍ତ ‘ଅଚଳ’ ହୋଇଥିବାରୁ ଓ ବୁଲିପାରୁ ନଥିବାରୁ ସେପରି ଭେଦ କରିପାରେ ନାହିଁ । Russell’s Viperର ଦେହ ମୋଟ ଓ ଏହା ଲମ୍ବରେ ପାଞ୍ଚ ଫୁଟକୁ ବେଶି ହୋଇପାରେ । ଏହାର ପିଠିରେ ତାସ ଖେଳର ଠିକିରି ପରି ତିନି ଧାଡ଼ି ଚିହ୍ନଥାଏ । ସେଥିରୁ ଗୋଟିଏ ଧାଡ଼ି ପିଠିର ମଝିରେ, ଅନ୍ୟ ଦୁଇଧାଡ଼ି ତାର ଦୁଇପାଖରେ ଗୋଟିଏ ଲେଖାଏଁ ଧାଡ଼ି ଥାଏ । ଶିକୁଳି ପରି ସେଗୁଡ଼ିକ ପରସ୍ପର ସଂଯୁକ୍ତ ହୋଇଥାନ୍ତି । ସେଗୁଡ଼ିକର ରଙ୍ଗ ଘନ ଧୂସର । ଏହି ହେତୁରୁ Kraitକୁ ସମୟେ ସମୟେ Chain–Viper ବୋଲି କୁହାଯାଇଥାଏ ।

 

Saw–Scaled Viper ଦୁଇଫୁଟରୁ ବେଶି ଲମ୍ବ ହୁଏ ନାହିଁ । ଏହାର ବର୍ଣ୍ଣ ଧୂସର; ଏହାର ପିଠି ଉପରେ ଧଳା ରଙ୍ଗର ଖାପ ଚିହ୍ନ (notch) ଥାଏ । ଏହାର ବିଶେଷତ୍ଵ ହେଉଛି, ଏହାର ପିଠିରେ ଆବୁଆବୁଆ କାତି ଥାଏ । ବିରକ୍ତ ହେଲେ ସେ ନିଜ ଚାରିପାଖେ ଗୁଡ଼େଇ ହୋଇଥାଏ । ସେତେବେଳେ କାତିଗୁଡ଼ିକ ପରସ୍ପର ଘଷି ହେବାରୁ ଏକ ପ୍ରକାର ଶବ୍ଦ ଜାତ ହୁଏ । ଏହି ଶବ୍ଦର ଅନୁକରଣରେ ଏହାର ଭାରତୀୟ ନାମ ଦିଆ ହୋଇଛି ପୁର୍ସା, ପୁରୁସା ବା ଫୁରୁଷା ।

 

Colubrine ଜାତିର ସାପମାନଙ୍କ ଦାନ୍ତର ପଛରେ ଗୋଟିଏ ସରୁ ନାଳୀ ଥାଏ । ବିଷକୋଷରୁ ସେହିବାଟେ ବିଷ ଗଡ଼ିଆସେ । Viperine ଜାତିର ସାପମାନଙ୍କର ଦାନ୍ତ ଭିତରେ ଗୋଟିଏ ଛିଦ୍ର ଥାଏ । ଇଞ୍ଜେକ୍‌ସନ ଦେବା ସୂଚୀରୁ (Hypodermic syringe) ଯେପରି ଔଷଧ ରୋଗୀର ଦେହକୁ ପ୍ରବେଶ କରେ, ଏହାର ବିଷ କୋଷରୁ (Poison sac) ସେହିପରି ଦାନ୍ତବାଟେ ବିଷ ବାହାରି ଆସି ଦଂଶିତ ପ୍ରାଣୀର ଦେହରେ ପ୍ରବେଶ କରେ । ସ୍ଵଭାବତଃ ଏହି ହେତୁରୁ ମୋଟା ମୋଜା, ପଟ୍ଟି, ଲମ୍ବା ପାଇଜାମା, ନରମା ଜୋତା ପ୍ରଭୃତି ପିନ୍ଧିବାଦ୍ଵାରା Viperian ସାପର ଦଂଶନରୁ ରକ୍ଷା ମିଳେନାହିଁ; କିନ୍ତୁ ଏସବୁ Colubrine ଜାତୀୟ ସାପର ଦଂଶନରୁ ରକ୍ଷା କରିପାରେ । କାରଣ ପଦାରେ ଆସୁଥିବାରୁ ଅଧିକାଂଶ ବିଷ ପିନ୍ଧିଥିବା ଜିନିଷରେ ଲାଗିରହିବ କିମ୍ବା ଜୋତାର ଚମଡ଼ା ଉପରେ ପଡ଼ିଯିବ । Viperine ଜାତୀୟ ଦୁଇପ୍ରକାର ସାପର ଦାନ୍ତ ଲମ୍ବ; ଏହା ଘୂରିପାରେ ଓ ଏହା ଇଞ୍ଜେକ୍‌ସନର ଛୁଞ୍ଚିପରି ହୋଇଥିବାରୁ ଏହାର ଦଂଶନରେ ବିଷକୋଷରୁ ବାହାରି ଥିବା ପ୍ରାୟ ସମସ୍ତ ବିଷ ଆକ୍ରାନ୍ତ ବ୍ୟକ୍ତିର ଶରୀରରେ ପଶି ତାର ମୃତ୍ୟୁ ଘଟାଏ । Russell’s Viper ପକ୍ଷରେ ଏହା ସମ୍ପୂର୍ଣ୍ଣ ସତ୍ୟ; ଏହାର ଅତି ଲମ୍ବ ଦାନ୍ତ ପ୍ରାୟ ଯେ କୌଣସି ସାଧାରଣ ପରିଧେୟ ପଦାର୍ଥକୁ ଭେଦ କରିପାରେ ।

 

Viperine ସାପ ବିଷର ପ୍ରଧାନ ଫଳ ହେଉଛି ଆକ୍ରାନ୍ତ ବ୍ୟକ୍ତିର ଶରୀରରୁ ପ୍ରଚୁର ରକ୍ତସ୍ରାବ ହୁଏ ଓ ସେ ଭୀଷଣ ଯନ୍ତ୍ରଣା ଅନୁଭବ କରେ ।

 

ଠିକ୍ କେତେ ସମୟରେ କୌଣସି ସାପର ବିଷ ମନୁଷ୍ୟର ପ୍ରାଣନାଶ କରେ, ତାହା କହିବା କଦାପି ସମ୍ଭବପର ନୁହେଁ; ତେବେ ମୋଟାମୋଟି ଭାବରେ କୁହାଯାଇପାରେ–ଏଥିରେ ଅନ୍ୟ ଅନେକ ବିଷୟ ବିଚାର୍ଯ୍ୟ; ଯଥା–ଆକ୍ରାନ୍ତ ବ୍ୟକ୍ତିର ବୟସ, ସ୍ୱାସ୍ଥ୍ୟ, ଶରୀରର ପ୍ରକୃତି, ଶରୀରର ଗଠନ, କାମୁଡ଼ିଥିବା ସାପର ଆକାର, ଅଳ୍ପଦିନ ପୂର୍ବରୁ ଏହା ଅନ୍ୟ କାହାରିକୁ କାମୁଡ଼ିଥିଲା କି ନା, ଆକ୍ରାନ୍ତ ବ୍ୟକ୍ତିର ରକ୍ତବାହୀ ନାଳୀରେ ପ୍ରକୃତରେ କେତେ ପରିମାଣର ବିଷ ପ୍ରବେଶ କରିଛି ଇତ୍ୟାଦି । ହାରାହାରି କେତେ ସମୟରେ ସାଧାରଣତଃ ମୃତ୍ୟୁ ଘଟିପାରେ, ତାହା ନିମ୍ନରେ ଦିଆଗଲା ।

 

Hamadryad ସାପ କାମୁଡ଼ାରେ ପ୍ରାୟ ନବେ ମିନିଟ ଭିତରେ ମୃତ୍ୟୁ ଘଟେ; Krait ସାପ କାମୁଡ଼ାରେ ଦୁଇଠାରୁ ତିନି ଘଣ୍ଟା ମଧ୍ୟରେ ଓ Russell’s Viper ସାପର କାମୁଡ଼ାରେ ବାରଠାରୁ ଛତିଶ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ହୋଇଥାଏ । Saw Scale Viper କାମୁଡ଼ିଲେ ତିନିଠାରୁ ସାତ ଦିନ ଭିତରେ ମୃତ୍ୟୁ ହୋଇଥାଏ ।

 

ଭାରତରେ ବିଷହୀନ ସାପମାନଙ୍କର ସଂଖ୍ୟା ଅସଂଖ୍ୟ । ବୋଧହୁଏ ସେମାନଙ୍କ ମଧ୍ୟରେ ଅଜଗର ବା ପାହାଡ଼ିଆ ବୋଡ଼ା (Python ବା Rock snake) ସବୁଠାରୁ ବେଶି ହୃଦୟଗ୍ରାହୀ । ଏହା ଲମ୍ବରେ ଅଠର ଫୁଟ ପର୍ଯ୍ୟନ୍ତ ହୋଇପାରେ; ମାଳୟ ଦେଶର ଏହି ଜାତୀୟ ସାପ ୩୫ ଫୁଟ ପର୍ଯ୍ୟନ୍ତ ଲମ୍ବ ହୋଇଥାନ୍ତି । ଏହା ଶିକାର ଦେହରେ ଗୁଡ଼ାଇ ହୋଇ ତାକୁ ଚିପି ମାରିଦିଏ । ତାହାପରେ ସେ ତାକୁ ଗୋଟାସୁଦ୍ଧା ଗିଳିଦିଏ । ସାପର ଆକାର ଓ ଶକ୍ତି ଅନୁସାରେ ତାହାର ଖାଦ୍ୟର ଆକାର ସାମାନ୍ୟ ମୂଷା ଓ ଠେକୁଆଠାରୁ ଆରମ୍ଭ କରି ଘୁଷୁରି ଓ ହରିଣ ପର୍ଯ୍ୟନ୍ତ ହୋଇପାରେ । ଜାପାନୀମାନଙ୍କ ବିରୁଦ୍ଧରେ ବ୍ରହ୍ମଦେଶରେ ଯୁଦ୍ଧ ଚାଲିଥିଲାବେଳେ ଗୋଟିଏ ଅଜଗର (reticulated Python) ମରାଯିବାର ବିବରଣ ପ୍ରକାଶ ପାଇଥିଲା । ମାଳୟ ଦେଶର ଏହି ଜାତୀୟ Python କୁ ବ୍ରହ୍ମଦେଶରେ Reticulated Python କୁହାଯାଇଥାଏ-। ଏହି ସାପଟିର ଲମ୍ବ ଚାଳିଶ ଫୁଟରୁ ବେଶି ଥିଲା । ମଲାବେଳକୁ ସେ ଛଟପଟ ହୋଇ ଗିଳିଥିବା ଜଣେ ଜାପାନୀ ସୈନ୍ୟକୁ ତାର ହେଲମେଟ ସହିତ ଗୋଟାସୁଦ୍ଧା ବାନ୍ତି କରି ପକାଇଥିଲା । ଏହି ଗଳ୍ପର ସତ୍ୟତା ବିଷୟରେ ମୁଁ ପ୍ରମାଣ ଦେଇ ପାରିବିନାହିଁ; କିନ୍ତୁ ସେତେବେଳେ ଏହି ସଂବାଦ ସଂବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । କେହି କେହି କହନ୍ତି ଅଜଗର ସାପ (Python) ତାର ଖାଦ୍ୟକୁ ଗିଳିବା ପୂର୍ବରୁ ତା ଦେହରେ ନିଜର ଲାଳ ଢାଳି ଦିଏ; କିନ୍ତୁ ଏହା ସଂପୂର୍ଣ୍ଣ ମିଥ୍ୟା । ଏହାର ଦାନ୍ତଗୁଡ଼ିକ ଅନ୍ୟାନ୍ୟ ସାପଙ୍କ ଦାନ୍ତ ପରି ମଧ୍ୟ ପରସ୍ପର ସହିତ ଲାଗିନଥାନ୍ତି; ପ୍ରତ୍ୟେକ ଦାନ୍ତ ସ୍ଵତନ୍ତ୍ର । ଏହାର ବାହାର ଚମଡ଼ା ସହଜେ ଆକୁଞ୍ଚିତ ଓ ପ୍ରସାରିତ ହୋଇ ପାରୁଥିବାରୁ ଏହା ନିଜଠାରୁ ବହୁଗୁଣରେ ବଡ଼ ମୁଣ୍ଡଥିବା ଓ ମୋଟା ହୋଇଥିବା ଜୀବକୁ ମଧ୍ୟ ଗିଳି ଦେଇପାରେ ।

 

ଅନ୍ୟାନ୍ୟ ବିଷହୀନ ସାପମାନଙ୍କ ମଧ୍ୟରେ ଅନେକ ପ୍ରକାରର ଘୋଡ଼ାକୋରଡ଼ା ଆକାରର ଦ୍ରୁତଗାମୀ, ଗଛରେ ରହୁଥିବା ସାପ; ଶକ୍ତିଶାଳୀ, ଆଳସ୍ୟପରାୟଣ, ଜିଆନାଡ଼ ଆକାରର ବାଲିରେ ରହୁଥିବା ସାପ ଓ ଅନେକ ସାପ ଜଳର ଅନ୍ତର୍ଗତ । ବାଲିରେ ବାସ କରୁଥିବା ଏକ ଶ୍ରେଣୀର ସାପଙ୍କର ଲାଞ୍ଜ ସରୁ ନହୋଇ ଅନ୍ତରା ହୋଇଥାଏ; ଏହା ଆଉ ଗୋଟିଏ ମୁଣ୍ଡପରି ଦେଖାଯାଏ । ତେଣୁ ଅନେକ ଲୋକଙ୍କର ବିଶ୍ଵାସ, ଏହାର ଦୁଇଟି ମୁଣ୍ଡ ଅଛି ।

 

ମୁଁ ସବୁବେଳେ ସାପଙ୍କ ପ୍ରତି ଆକୃଷ୍ଟ । କୌଣସି ବିଶେଷ କାରଣ ନଥିଲେ ହେଁ ମୋର ଆଠବର୍ଷ ବୟସବେଳୁ ସାପ ପୋଷିବାର ଅଭ୍ୟାସ ଅଛି । ଏହି ହେତୁରୁ ସ୍କୁଲରେ ପଢ଼ିଲା ବେଳେ ଝିଅପିଲାମାନେ ମୋତେ ଭୀଷଣ ମନେ କରୁଥିଲେ ଓ ସ୍କୁଲରେ ମୁଁ ଭୟର କାରଣ ଥିଲି । ସଣ୍ଡେ ସ୍କୁଲ (ରବିବାରିଆ) ସ୍କୁଲ) ରେ ଏପରିକି ଗିର୍ଜାଘରେ ଓ ସିନେମା ଘରେ ମୁଁ ଗୋଟାଏ ସାପ ଛାଡ଼ିଦେଇ ମଜା ଦେଖୁଥିଲି । ମୋତେ କହୁଥିଲେ ‘ସାପୁଆକେଳା ଆଣ୍ଡରସନ୍’ ଏବେ ୪୮ ବର୍ଷ ବୟସରେ ସୁଦ୍ଧା ଏହି ନାମଟି ମୋର କାନରେ ବାଜିଯାଏ ।

 

ସାପର ବିଷ ଅନେକ ଔଷଧରେ ବ୍ୟବହୃତ ହୁଏ । ଏହା ଆହୁରି ଅନେକ ରୋଗରେ ଓ ଅନେକ ଅବସ୍ଥାରେ ବ୍ୟବହାର ହୋଇପାରିବ ବୋଲି ମୋର ଦୃଢ଼ ବିଶ୍ଵାସ ଅଛି । ଏ ଦିଗରେ ବିଶେଷ ଗବେଷଣା ହୋଇନାହିଁ । ପୁଣି ସାପବିଷ ନେଇ ମନୁଷ୍ୟ ଶରୀରରେ ପରୀକ୍ଷା କରିବାରେ ବିପଦ ଅଛି । ହୋମିଓପାଥିର ମୌଳିକ ନୀତି ହେଉଛି, ବିଷର ବହୁଳ ପ୍ରୟୋଗରେ ଯେଉଁ କୁଫଳ ଘଟେ, ସେହି ବିଷର ସୂକ୍ଷ୍ମାତିସୂକ୍ଷ୍ମ ପରିମାଣର ବିଷ ତରଳୀକୃତ ଆକାରରେ ପ୍ରୟୋଗ କଲେ ସେହି କୁଫଳ ବିଦୂରିତ ହୁଏ । ଏହି ନୀତି ଅନୁସାରେ ତରଳୀକୃତ Viperine ବିଷର ସୂକ୍ଷ୍ମମାତ୍ରା ପ୍ରୟୋଗଦ୍ଵାରା ମାରାତ୍ମକ ପରିମାଣ ବିଷଜନିତ ରକ୍ତସ୍ରାବ ଭଲ ହୋଇଥାଏ । ଦାନ୍ତ ଉପାଡ଼ିବା ଓ ଛୋଟ ଅପରେସନ ପରେ ବିଶେଷ ରକ୍ତସ୍ରାବ ବନ୍ଦ କରିବାପାଇଁ ଦନ୍ତଚିକିତ୍ସକ ଓ ଅନ୍ୟ ଡାକ୍ତରମାନେ ଏହାକୁ ବ୍ୟବହାର କରିଥାନ୍ତି ।

 

ଠିକ୍ ସେହିପରି ବେଶି ପରିମାଣର Colubrine ଶ୍ରେଣୀର ସାପର ବିଷ ଶରୀରର ସମଗ୍ର ସ୍ନାୟୁମଣ୍ଡଳୀକୁ ଅବସନ୍ନ କରିଦିଏ; କିନ୍ତୁ ତାହାର ତରଳୀକୃତ ସାମାନ୍ୟ ପରିମାଣ ଅପସ୍ମାର ଓ ଅନ୍ୟାନ୍ୟ ସ୍ନାୟବିକ ରୋଗରେ ସୁଫଳ ଦେଇଥାଏ ।

 

ବମ୍ବେର ହଫକିନ ଇନଷ୍ଟିଟିଉଟ ଏହି ପାଞ୍ଚପ୍ରକାର ସାପକାମୁଡ଼ାର ପ୍ରତିଷେଧ ପାଇଁ ବିଭିନ୍ନ ପ୍ରକାରର ବିଷନାଶକ ଇଞ୍ଜେକ୍‌ସନ ପ୍ରସ୍ତୁତ କରନ୍ତି । ଯେଉଁ ପ୍ରକାରର ସାପ କାମୁଡ଼ିଥାଏ, ତାହା ଜଣାଇଲେ, ସେହି ଜାତୀୟ ପ୍ରତିଷେଧକ ଇଞ୍ଜେକ୍‌ସନ ଦିଆଯାଏ । କାମୁଡ଼ିଥିବା ସାପ ଚିହ୍ନା ଯାଇନଥିଲେ, ତାହାର ବିଷର ପ୍ରତିକାର ପାଇଁ ଏକ ପ୍ରକାର ସମ୍ମିଳିତ ପଦ୍ଧତିର ଇଞ୍ଜେକ୍‌ସନ ଦିଆଯାଏ । ଏହି ସବୁ ଇଞ୍ଜେକ୍‌ସନର ସିରମ୍ ପ୍ରସ୍ତୁତ କରିବାପାଇଁ ପ୍ରଥମେ ଗୋଟିଏ ଘୋଡ଼ା ଦେହରେ ଅତି ସୂକ୍ଷ୍ମ ପରିମାଣର ସାପ ବିଷର ଇଞ୍ଜେକ୍‌ସନ ଦିଆଯାଏ । ଆସ୍ତେ ଆସ୍ତେ ଏହି ବିଷର ପରିମାଣ ବୃଦ୍ଧି କରାଯାଏ । ଶେଷରେ ଘୋଡ଼ାଟି ସେହି ବିଷପ୍ରତି ଅନାକ୍ରମଣୀୟ ହୋଇଯାଏ ଅର୍ଥାତ୍ ସେହି ବିଷକ୍ରିୟାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ । ସେତେବେଳେ ମୃତ୍ୟୁ ଘଟାଉଥିବା ବିଷର ତିନି ଚାରିଗୁଣ ମଧ୍ୟ ତା ଉପରେ କୌଣସି ମନ୍ଦ ଫଳ ଦେଖାଏ ନାହିଁ । ତାହାପରେ ସେହି ଘୋଡ଼ାର ଫଡ଼ିଆର ଶିରାବାଟେ ରକ୍ତ ବାହାର କରି ନିଆଯାଏ । ଏହି ରକ୍ତରୁ ସାପ ବିଷର ପ୍ରତିଷେଧକ ଇଞ୍ଜେକ୍‌ସନ ପ୍ରସ୍ତୁତ ହୁଏ ।

 

ପିଲାଦିନେ ସାପବିଷର ପ୍ରତିଷେଧକ ଇଞ୍ଜେକ୍‌ସନ ତିଆରିର ପ୍ରଣାଳୀ ଶୁଣିପାରି ମୁଁ ବିସ୍ମିତ ହୋଇ ସେହି ଇଞ୍ଜେକ୍‌ସନ ତିଆରି କରି ରଖିବାକୁ ମନ କରିଥିଲି । ମୁଁ ଯୋଡ଼ିଏ ବୁଢ଼ା ଘୋଡ଼ା ଓ ଗୋଟିଏ ଗଧ ଯୋଗାଡ଼ କରି ଆଣିଲି । ଏଗୁଡ଼ିକୁ କି ଉପାୟରେ ଯୋଗାଡ଼ କଲି ସେ କଥା ଏବେ ମଧ୍ୟ ମୁଁ ପ୍ରକାଶ କରିପାରିବି ନାହିଁ । ମୁଁ ଗୋଟିଏ 3cc ହାଇପୋଡ଼ର୍ମିକ ସିରିଞ୍ଜ ସାହାଯ୍ୟରେ ସେମାନଙ୍କୁ ଗୋଖର ସାପ (Cobra) ବିଷର ପ୍ରଥମ ଇଞ୍ଜେକ୍‌ସନ ଦେଲି । ଏହି ଉଦ୍ଦେଶ୍ୟରେ ସିରିଞ୍ଜଟି କିଣି ଆଣିଥିଲି । ଦୁର୍ଭାଗ୍ୟର ବିଷୟ ହେଉଛି, ପ୍ରଥମେ କେତେ ପରିମାଣର ବିଷର ଇଞ୍ଜେକ୍‌ସନ ଦେବାକୁ ହେବ ସେ ବିଷୟରେ ମୋର ଅତି ସାମାନ୍ୟ ଜ୍ଞାନ ଥିଲା । ଇଞ୍ଜେକ୍‌ସନ ଦେବା ଫଳରେ ସାମାନ୍ୟ କେତେ ଘଣ୍ଟା ମଧ୍ୟରେ ମୋତେ ସେହି ତିନୋଟି ଜୀବର ମଡ଼ାକୁ ନଷ୍ଟ କରିବାର ବ୍ୟବସ୍ଥା କରିବାକୁ ପଡ଼ିଲା । ବାପା ମଧ୍ୟ ମୋ ଉପରେ ଖୁବ୍ ବିରକ୍ତ ହେଲେ-। ଏକଥା ମୋର ସ୍ପଷ୍ଟ ମନେ ଅଛି ।

 

ବିଗତ ବିଶ୍ଵଯୁଦ୍ଧର ଠିକ୍ ପୂର୍ବରୁ ସାପବିଷକୁ ସ୍ଫଟିକ ଆକାରରେ ପରିଣତ କରି ଆମେରିକାର କେତେକ ଅନୁଷ୍ଠାନକୁ ରପ୍ତାନି କରିବାଦ୍ଵାରା ଭଲ ବ୍ୟବସାୟ ଚଲାଉଥିଲି । ବିଶେଷ ଭାବରେ ଗୋଖର ସାପର ବିଷ ରପ୍ତାନି ହେଉଥିଲା । ଗୋଟିଏ ସାଧାରଣ ଗୋଖର ସାପଠାରୁ ଚାରି ପାଞ୍ଚଦିନ ଛଡ଼ାରେ ପ୍ରାୟ ଏକ ଘନସେଣ୍ଟିମିଟର ବିଷ ମିଳୁଥିଲା । ଏହାର ସ୍ଫଟିକୀକାରଣ ପରେ ଏହାର ଓଜନ ହେଉଥିଲା ଏକ ଗ୍ରାମ ଏବଂ ଏହାର ମୂଲ୍ୟ ସ୍ୱରୂପ ମୁଁ ପ୍ରାୟ ଦେଢ଼ ଡଲାର ପାଉଥିଲି । ମୁଁ କୋଡ଼ିଏଟି ଗୋଖର ସାପ ରଖିଥିଲି । ପ୍ରତି ପାଞ୍ଚଦିନରେ ମୁଁ ସେମାନଙ୍କ ଠାରୁ ତିରିଶ ଡଲାର ଅର୍ଥାତ୍ ମାସକୁ ଏକଶହ ଅଶୀ ଡଲାର ମୂଲ୍ୟର ବିଷ ପାଉଥିଲି । ସାପମାନଙ୍କୁ ଖାଇବାକୁ ଦେବାରେ ପ୍ରାୟ କିଛି ଖର୍ଚ୍ଚ ନଥିଲା । ଦଶ ଦିନରେ ଥରେ ପ୍ରତ୍ୟେକ ସାପକୁ ଗୋଟାଏ ବେଙ୍ଗ ବା ଏଣ୍ଡୁଅ ଦେଲେ ଚଳୁଥିଲା । ଏହି ଜୀବ ସଂଗ୍ରହ କରିବା ପାଇଁ ମୁଁ ଗୋଟିଏ ପନ୍ଦରବର୍ଷ ବୟସର ଟୋକାକୁ ନିଯୁକ୍ତ କରିଥିଲି । ଏଭଳି ଚାକରକୁ ‘ଛୋକରା’ ବୋଲି କୁହାଯାଏ । ଏହି କାମପାଇଁ ସେ ମାସକୁ ସାତ ଟଙ୍କା ଦରମା ନେଉଥିଲା । ବିଲାତୀ ମୁଦ୍ରାରେ ଏହା ହେଉଛି ଦଶ ଶିଲିଙ୍ଗ ମାତ୍ର । ଏହିସବୁ ଦୃଷ୍ଟିରୁ ଦେଖିଲେ ମୋର ବ୍ୟବସାୟଟା ମନ୍ଦ ଚଳୁ ନଥିଲା ।

 

ସାପଠାରୁ ବିଷ ସଂଗ୍ରହ କରିବା ପାଇଁ ସାପକୁ ବେକ ପାଖରୁ ଧରି ତାର ମୁହଁକୁ ଗୋଟିଏ କାଚ ଗ୍ଳାସ ଭିତରେ ପୂରାଇ ଦେବାକୁ ହୁଏ । ଗ୍ଳାସକୁ ଖଣ୍ଡେ ପତଳା ରବର ପତ୍ର ବା ପତଳା ଚମଡ଼ାରେ ଢାଙ୍କି ଦିଆଯାଇଥାଏ । ସାପ ସେହି ପତଳା ରବର ବା ଚମଡ଼ା ପତ୍ର ଉପରେ ଚୋଟ ମାରେ; ଏହା ଫଳରେ ତାର ବିଷକୋଷରୁ ବିଷ ଟୋପା ଟୋପା ହୋଇ ଗିଲାସରେ ପଡ଼େ-। ପତଳା ରବର ପତ୍ର ବ୍ୟବହାର କରିବାର ଉଦ୍ଦେଶ୍ୟ ଏହି ଯେ ବିଷ ବାହାରେ ପଡ଼ି ନଷ୍ଟ ହେବନାହିଁ । ଏହିପରି ବିଷ ବାହାର କଲାବେଳେ ସାବଧାନ ହେବାକୁ ପଡ଼ିବ, ଯେପରି ସାପର ଦାନ୍ତ ଗିଲାସରେ ବାଜି ଭାଙ୍ଗି ନଥାଏ । ଗିଲାସର ଭିତରପାଖେ କିଛି ବିଦ୍ୟୁତ ପ୍ରବାହ ନିରୋଧକାରୀ ଫିତା (electrical insulating tape) ଲଗାଇ ଦେଲେ ଏହି ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ।

 

ଗୋଖର ସାପ (Cobra) ମାନଙ୍କୁ ନେଇ କାମକରିବା ସହଜ; କାରଣ ସେମାନେ ଫଣାବିସ୍ତାର କରି ଭୂଇଁଠାରୁ ନିଜ ଲମ୍ବର ପ୍ରାୟ ଏକ ତୃତୀୟାଂଶ ଉଚ୍ଚକୁ ମୁଣ୍ଡ ଟେକନ୍ତି । ସେତେବେଳକୁ ଫଣାତଳକୁ ପଛପଟେ ଖଣ୍ଡେ ବାଡ଼ି ପକାଇ ସାପକୁ ମାଟି ଉପରେ ଦାବି ଧରି ବେକ ପଛରୁ ସହଜରେ ଧରିହେବ । କିନ୍ତୁ Russell’s Viper, Saw–scaled Viper ଓ Krait ସାପମାନେ ବେଶି ବିପଦଜନକ; କାରଣ ସେମାନେ ନିଜ ଦେହକୁ ଗୁଡ଼ାଇ ତା ଭିତରେ ମୁଣ୍ଡକୁ ଲୁଚାଇ ରଖନ୍ତି । ପୁଣି ସେମାନେ ଖୁବ୍ ବେଗରେ ପଳାଇ ପାରନ୍ତି । ଏ ବିଷୟରେ ସେମାନେ ଗୋଖର ସାପ (Cobra) ଠାରୁ ଅଧିକ ପାରଙ୍ଗମ । ଏସବୁ ଛଡ଼ା Russell’s Viper ର ଦାନ୍ତ ଖୁବ୍ ଲମ୍ବ ଓ ସହଜରେ ମୂଳରୁ ଘୂରିପାରେ । ଏହି ସବୁ କାରଣରୁ Russell’s Viper ସହିତ ଅତି ସତର୍କତାର ସହିତ କାରବାର କରିବା ଉଚିତ ।

 

ସାଧାରଣତଃ ଗୋଖର ସାପ (Cobra) ସହଜରେ ପୋଷାଯାଇପାରେ । ବୁଲା ସାପୁଆ କେଳାମାନେ ପେଡ଼ିରେ ଯେଉଁସବୁ ଗୋଖର ସାପ ଘେନି ବୁଲନ୍ତି, ସେମାନଙ୍କର ଦାନ୍ତ ଓ ବିଷକୋଷ ବାହାର କରାଯାଇଥିବାରୁ ସେମାନେ ନିରାପଦ । ପ୍ରାୟ ମାସକ ପରେ ପୁଣି ସେମାନଙ୍କର ଦାନ୍ତ ଉଠେ; କିନ୍ତୁ ଥରେ ବିଷକୋଷକୁ ବାହାର କରିଦେଲେ ସାପ ସାରାଜୀବନ ନିରାପଦ; କାରଣ ଆଉ ବିଷ ବାହାରିବ ନାହିଁ । Russell’s Viperର ବିଷକୋଷ ବାହାର କରାଯାଇପାରେନାହିଁ; କାରଣ ଏହା ମସ୍ତିସ୍କର ଖୁବ୍ ନିକଟରେ ଓ ମୁଖଗହ୍ଵରର ଏକ ରକ୍ତବାହୀ ଶିରାକୁ ଲାଗି ଅବସ୍ଥିତ । ବିଷକୋଷକୁ ଅପରେଶନ ଦ୍ଵାରା (ଅସ୍ତ୍ରପ୍ରୟୋଗକରି) ବାହାର କରିଦେଲେ ରକ୍ତସ୍ରାବ ହେତୁ ସାପଟି ମରିଯାଏ; କିମ୍ବା ମସ୍ତିସ୍କରେ କ୍ଷତ ହେତୁ ଅଳ୍ପ ସମୟ ଭିତରେ ତାର ମୃତ୍ୟୁଘଟେ । ଏହିସବୁ କାରଣରୁ ସାପୁଆକେଳାମାନେ Russell’s Viper ସାପର ଦୁଇ ଓଠର କଣକୁ ସୂତା ଓ ଛୁଞ୍ଚୀ ସାହାଯ୍ୟରେ ସୀଇଁ ଦେଇଥାଆନ୍ତି ଓ ପ୍ରତି ସପ୍ତାହରେ ଥରେ ଲେଖାଏଁ ତାର ଗଳାଯା ଖଣ୍ଡେ ପାଟି ମଝିବାଟେ ଫମ୍ପା ହାଡ଼ର ନଳୀ ପୂରାଇ ତାହାରି ସାହାଯ୍ୟରେ ତାକୁ ଖୁଆନ୍ତି । ଯେଉଁ ଗୋଖର ସାପମାନେ ବନ୍ଦୀ ଅବସ୍ଥାରେ ନିଜର ସ୍ଵାଭାବିକ ଖାଦ୍ୟ ଖାଇବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେମାନଙ୍କୁ ମଧ୍ୟ ଏହି କୃତ୍ରିମ ଉପାୟରେ ଖାଇବାପାଇଁ ବାଧ୍ୟ କରାଯାଏ ।

 

ସାପମାନଙ୍କର ଖାଇବା ବିଷୟରେ ସମୟର କୌଣସି ନିୟମିତତା ନଥାଏ । ତେଣୁ ସେମାନଙ୍କୁ ରଖିବା ସହଜ । ସାଧାରଣତଃ ଥରେ ଗୋଟାଏ ବେଙ୍ଗ ବା ମୂଷା ବା ଗୋଧି ବା ସାନପକ୍ଷୀ ଖାଇଦେଲେ ଗୋଟିଏ ସାପ ତାର ଆକାର ଅନୁସାରେ ସାତ ଦିନଠାରୁ ଦଶଦିନ ପର୍ଯ୍ୟନ୍ତ ଆଉ କିଛି ନଖାଇ ସ୍ଵଚ୍ଛନ୍ଦରେ ରହିପାରେ । ଆଶ୍ଚର୍ଯ୍ୟର କଥା, ଛୋଟ ଆକାରର ସାପମାନେ ବଡ଼ ସାପମାନଙ୍କ ଅପେକ୍ଷା ବେଶି ଖାଦ୍ୟ ଲୋଭୀ । ଅଜଗର (Pythons) ମାନେ ବେଶିଥର ଖାଆନ୍ତି ନାହିଁ । ସେମାନେ ପନ୍ଦର ଦିନଠାରୁ ମାସକ ଛଡ଼ାରେ ଥରେ ଖାଆନ୍ତି । ଏହି ସମୟର ପରିମାଣ ପୂର୍ବଥର ଖାଇଥିବା ଜୀବର ଆକାର ଉପରେ ନିର୍ଭର କରିଥାଏ ।

 

ସାପମାନଙ୍କ ବିଷୟରେ ଏହି ଦୀର୍ଘ ବିବରଣ ଦେବାରେ ମୋର ଅଭିପ୍ରାୟ ହେଉଛି–ପ୍ରତ୍ୟେକ ଶ୍ରେଣୀର ସାପର ବିଶେଷ ଲକ୍ଷଣ ଦେଖାଇଦେବା; କିନ୍ତୁ କି ବିଷଧର କି ବିଷହୀନ, ସବୁପ୍ରକାର ସାପଙ୍କର ଗୋଟିଏ ସାଧାରଣ ଲକ୍ଷଣ ହେଉଛି ସେମାନେ ସମସ୍ତେ ଭୟାଳୁ ଓ ମନୁଷ୍ୟଠାରୁ ଦୂରରେ ରହିବାକୁ ଚାହାନ୍ତି । କେବଳ Hamadryadର ପ୍ରକୃତି ଭିନ୍ନ । ସାପମାନେ ମଣିଷକୁ ଆକ୍ରମଣ କରିବାପାଇଁ ନିଜ ରାସ୍ତା ଛାଡ଼ି ଆସିବେ ନାହିଁ; ବରଂ କେହି ଆସୁଥିବାର ଶବ୍ଦ ଶୁଣିଲା କ୍ଷଣି ପଳାଇବାକୁ ବସିବେ । କେବଳ ସେମାନଙ୍କ ଉପରେ ପାଦ ପଡ଼ିଗଲେ କାମୁଡ଼ିଦେବେ । ଭୟହେତୁରୁ ଆତ୍ମରକ୍ଷା ପାଇଁ ସେମାନେ ଏପରି କାମୁଡ଼ିଥାଆନ୍ତି । ଏଠାରେ ଗୋଟିଏ ଆବଶ୍ୟକୀୟ କଥା କହି ରଖିବା ଉଚିତ । ସାପମାନଙ୍କର କାନଭଳି ଗୋଟାଏ ଇନ୍ଦ୍ରିୟ ଅଛି ସତ; କିନ୍ତୁ ଶ୍ରବଣ ଶକ୍ତି ନାହିଁ । ସେମାନଙ୍କ ଶରୀରରେ କମ୍ପନ ଅନୁଭବ କରିବାର ଏକ ଶକ୍ତି ଅଛି ଓ ଏହାହିଁ ତାର ଶୁଣିବା କାର୍ଯ୍ୟକରେ । ସାପୁଆକେଳାର ବଂଶୀ ବା ଅନ୍ୟ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣି ଗୋଖର ସାପ ମୁଗ୍‌ଧ ହୋଇଯାଏ ବୋଲି ଆମ୍ଭେମାନେ ଯେଉଁସବୁ ଗପ ଶୁଣୁ, ସେସବୁ ଏକବାରେ ମିଥ୍ୟା । କେଳାର ବାଦ୍ୟ ତାର ମନୋଯୋଗ ଆକର୍ଷଣ କରେନାହିଁ; ତାଳ ଲୟରଖି ବାଦ୍ୟ ବଜାଇବା ବେଳେ ତାର ଯେଉଁ ମୁଣ୍ଡ, ହାତ ଓ ଦେହର ସଞ୍ଚାଳନ ହୁଏ, ତାହାହିଁ ଦେଖି ସାପ ତାହା ସଙ୍ଗେ ସେହିପରି ଏପାଖ ସେପାଖ ହୁଏ । ଏହି କାରଣରୁ ଭାରତର କୌଣସି ଅନ୍ଧାରୁଆ ସରୁବାଟରେ ଗଲାବେଳେ ତୁମେ ଯଦି ପାଟିକର, ଗୀତ ଗାଅ ବା ହୁଇସିଲ ଶବ୍ଦକର, ତେବେ ଲୁଚି ରହିଥିବା ସାପ ପଳାଇ ଯିବନାହିଁ; କିନ୍ତୁ ଭୂଇଁ ଉପରେ ଜୋତାମାଡ଼ି ଚାଲିଲେ କିମ୍ବା ଭୂଇଁରେ ବାଡ଼ି ଠକ୍‌ଠକ୍ କଲେ ସେ ନିଶ୍ଚୟ ପଳାଇଯିବ ।

 

ପ୍ରତ୍ୟେକ ସାପ ବର୍ଷକ ଭିତରେ ତାର ବାହାର କାତିକୁ ଦୁଇ ତିନିଥର ଛଡ଼ାଏ । ମୋଜା ବା ଦସ୍ତାନାକୁ କାଢ଼ିଲେ ତାହା ଯେପରି ଓଲଟି ପଡ଼ି (ତଳ ଉପର ହୋଇ) ବାହାରି ଆସେ, ସାପର କାତି ସେହିପରି ବାହାରି ଆସେ ଅର୍ଥାତ ତଳପାଖ ଉପରକୁ ଓ ଉପର ପାଖ ତଳକୁ ହୋଇ ବାହାରେ । କୌଣସି ଆବଖାବୁଆ ପଦାର୍ଥରେ ଘଷି ହୋଇ ବା ଗୁଡ଼େଇ ହୋଇ ସାପ କାତିକୁ ବାହାର କରିଦିଏ ।

 

ଅନ୍ୟ ଏକ ଦିଗରୁ ବିଷଧର ତଥା ବିଷହୀନ ଉଭୟ ପ୍ରକାରର ସାପ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇ ପାରେ–Oviparous (ଅଣ୍ଡଜ) ଓ Viviparous (ଶିଶୁ ପ୍ରସବକାରୀ) । ପ୍ରଥମ ଶ୍ରେଣୀର (ଅଣ୍ଡଜ) ସାପମାନେ ଡିମ୍ବ ଦିଅନ୍ତି ଓ କିଛିଦିନ ପରେ ସେଥିରୁ ଛୁଆ ବାହାରନ୍ତି; କିନ୍ତୁ ଅନ୍ୟ ଶ୍ରେଣୀର ସାପମାନେ ଡିମ୍ବ ନଦେଇ ଛୁଆ ପ୍ରସବ କରନ୍ତି । ଡିମ୍ବରୁ ବାହାରିବା ବା ଜନ୍ମ ଦେବା ସହିତ ସାପର ବିଷଧର ହେବା ବା ବିଷହୀନ ହେବାର କୌଣସି ସମ୍ବନ୍ଧ ନାହିଁ । ଏହି ଦୁଇଟିରୁ ପ୍ରତ୍ୟେକ ଶ୍ରେଣୀରେ ବିଷଧର ସର୍ପ ଅଛନ୍ତି; ବିଷହୀନ ସର୍ପ ମଧ୍ୟ ଅଛନ୍ତି । ଉଦାହରଣ ସ୍ୱରୂପ, ଗୋଖର ସାପ (Cobra) ଡିମ୍ବ ଦିଏ କିନ୍ତୁ Russell’s Viper ଓ ଅଜଗର (Python) ସାପ ଛୁଆ ପ୍ରସବ କରନ୍ତି ।

 

ଯେଉଁ ପାଞ୍ଚ ଜାତିର ବିଷଧର ସାପ ବିଷୟ କୁହାଯାଇଅଛି, ସେଥିମଧ୍ୟରୁ ସାଧାରଣ ଗୋଖର ସାପ ଅନେକ ସମୟରେ ଲୋକାଳୟ ନିକଟରେ ବାସ କରେ ଓ ଯକୌଣସି ପଡ଼ିଆର ଗାତରେ ଘରପାଖେ ଥିବା ଉଇ ହୁଙ୍କାରେ ଦେଖାଯାଏ । ବିସ୍ମୟର କଥା, ଗୋଖର ସାପ ଜଙ୍ଗଲ ଭିତରେ କଦାଚିତ୍ ଦେଖାଯାଏ । ମୁଁ ପୂର୍ବରୁ କହିଛି, Hamadryad ସାପ ହେଉଛି ଏ ବିଷୟରେ ଗୋଖରର ଠିକ୍ ବିପରୀତ । ସେ କେବଳ ଜଙ୍ଗଲ ଭିତରେ ରହେ । Russell’s Viper ଯେତେ ସଂଖ୍ୟାରେ ଲୋକବସତି ନିକଟରେ ଦେଖାଯାନ୍ତି, ତହିଁରୁ ଖୁବ୍ ବେଶି ସଂଖ୍ୟାରେ ବଣରେ ଓ ତୃଣବହୁଳ ସ୍ଥାନରେ ଦେଖାଯାନ୍ତି । Krait ସାପମାନେ କୌଣସିଠାରେ ବେଶି ସଂଖ୍ୟାରେ ଦେଖାଯାନ୍ତି ନାହିଁ । Saw–scaled Viper ମାନେ ସାଧାରଣତଃ ଶୁଷ୍କ ବାଲୁକାମୟ ଅଞ୍ଚଳରେ ବାସ କରନ୍ତି ।

 

ବିଷନିବାରକ (antivenom) ଇଞ୍ଜେକ୍‌ସନ ଅଳ୍ପ ସମୟ ମଧ୍ୟରେ ପଚିଯାଏ । ତେଣୁ ଏହାକୁ ସବୁବେଳେ ରେଫ୍ରିଜେରେଟର ଭିତରେ ରଖିବାକୁ ହୁଏ । ଏହି ହେତୁରୁ ଜଙ୍ଗଲକୁ ଗଲାବେଳେ ସଙ୍ଗରେ ନେଇ ହୁଏନାହିଁ । ଜଙ୍ଗଲରେ ବିଷଧର ସାପ କାମୁଡ଼ିଲେ ଏକମାତ୍ର ନିର୍ଭରଯୋଗ୍ୟ ପ୍ରତିକାର ହେଉଛି–ଗୋଟିଏ ତୀକ୍ଷ୍‌ଣ ଛୁରୀଦ୍ଵାରା କାମୁଡ଼ା ସ୍ଥାନକୁ ଖୁବ୍ ଗଭୀରକୁ ଚିରିଦେବ; ତାହାପରେ ମୁହଁରେ ଯେତେ ପାରିବ ସେତେ ବିଷାକ୍ତ ରକ୍ତ ଚୋଷି ଆଣିବ । ତାହାହେଲେ ରକ୍ତରେ ମିଶିଥିବା ବିଷର ପରିମାଣ କମିଯିବ । ଏଠାରେ ଉଲ୍ଲେଖ କରାଯାଇପାରେ, ସାପର ବିଷକୁ ଗିଳିଦେଲେ ଏହା କିଛି କ୍ଷତି କରେନାହିଁ । ତେଣୁ ବିଷଯୁକ୍ତ ରକ୍ତକୁ ଚୋଷି ଆଣିବାରେ ପରବର୍ତ୍ତୀ କୌଣସି ଦୁର୍ଲକ୍ଷଣର ଭୟନାହିଁ । ପ୍ରକୃତରେ ଲଢ଼ୁଆ କୁକୁଡ଼ା ଓ ତିତ୍ତିରମାନଙ୍କୁ ଲଢ଼େଇବେଳେ ଆହୁରି ତେଜିୟାନ ହେବାପାଇଁ ଗୋଖର ସାପର ବିଷ ଖୁଆଯାଏ । ଭାରତର ଏହି ଅଞ୍ଚଳରେ ମୁସଲମାନମାନେ ଏହି ଚଢ଼େଇମାନଙ୍କୁ ଲଢ଼େଇରେ ଲଗାଇଥାନ୍ତି । କିଏ ଜିତିବ ସେଥିପାଇଁ ବହୁତ ଟଙ୍କାର ବାଜି ରଖାହୁଏ । ନିଜର ଚଢ଼େଇକୁ ଜିତାଇ ଟଙ୍କା ପାଇବାର ଏହା ହେଉଛି ଏକ ପ୍ରଚଳିତ ଉପାୟ ।

 

କାମୁଡ଼ା ସ୍ଥାନର ଉପରକୁ ଗୋଟିଏ ବନ୍ଧନରଜ୍ଜୁ (ligatree) ଦ୍ଵାରା ବାନ୍ଧିବା ସମୟ ସାପେକ୍ଷ ଓ ଏଥିପାଇଁ କିଛି କୌଶଳ ଦରକାର । ଆହୁରି ମଧ୍ୟ ଦେହର ଗଣ୍ଡିରେ ସାପ କାମୁଡ଼ିଥିଲେ ଏପରି ବାନ୍ଧିବା ଅସମ୍ଭବ । ଫଳପ୍ରଦ ଭାବରେ ବନ୍ଧନରଜ୍ଜୁ ବାନ୍ଧିବା ପୂର୍ବରୁ ସାଧାରଣତଃ ସାପର ବିଷ ରକ୍ତବାହୀ ଶିରାରେ ପ୍ରବେଶ କରିସାରିଥାଏ । ଘାଆ ଭିତରେ ପରମାଙ୍ଗାନେଟ ଅଫ୍ ପଟାସର ଗୁଣ୍ଡପକାଇଲେ ରାସାୟନିକ ପ୍ରକ୍ରିୟା ଫଳରେ ବିଷର ଉଗ୍ରତା ଟିକିଏ କମିଯାଏ କିନ୍ତୁ ପରମାଙ୍ଗନେଟ ଅଫ ପଟାସ ଗୁଣ୍ଡ ପକାଇବା ପୂର୍ବରୁ କ୍ଷତ ସ୍ଥାନକୁ ଖୁବ୍ ଗଭୀରକୁ ଚିରିଦେବା ଉଚିତ୍ । ତାହାହେଲେ ଏହା ସୂକ୍ଷ୍ମ ତନ୍ତୁ ଭିତରେ ପ୍ରବେଶ କରି ତାହାର ଫଳ ଦେଖାଇ ପାରିବ । ଏହିସବୁ କାରଣରୁ ମୁଁ ଜଙ୍ଗଲକୁ ଗଲାବେଳେ ପକେଟରେ ଗୋଟିଏ ତୀକ୍ଷ୍‌ଣ କଲମକଟା ଛୁରୀ ନେଇଥାଏଁ ।

 

ଥରେ ଜଣେ ଲୋକର ପାଦକୁ ଗୋଟିଏ ଗୋଖର ସାପ କାମୁଡ଼ି ଦେଲା । ଜଙ୍ଗଲ ଭିତରେ ବେଆଇନ ଭାବରେ ଶିକାର କରିବା ତାର ବ୍ୟବସାୟ । ହଠାତ୍ ତାକୁ ଗୋଟାଏ ବୁଦ୍ଧି ଦିଶିଲା । ବନ୍ଧୁକରେ ବ୍ୟବହାର ପାଇଁ ସେ ବାରୁଦ ନେଉଥିଲା । କ୍ଷତସ୍ଥାନରେ କିଛି ବାରୁଦ ଲଦି ଦେଇ ସେଥିରେ ସେ ନିଆଁ ଲଗାଇ ଦେଲା । ଏହା ଫଳରେ ତାର ପାଦ ପୋଡ଼ି ଗୋଟାଏ ଗାତ ହୋଇଗଲା । ଏବେ ସୁଦ୍ଧା ସେ ଛୋଟେଇ ଛୋଟେଇ ଚାଲେ; କିନ୍ତୁ ତାର ଜୀବନ ରହିଗଲା ।

 

ମୁଁ ଆଉ ଜଣେ ସାପୁଆକେଳା କଥା ଜାଣେ । ଥରେ ଗୋଟାଏ ଗୋଖର ସାପ ତାର ବୁଢ଼ା ଆଙ୍ଗୁଠିକୁ କାମୁଡ଼ି ଦେଲା । ସେ ତଳ ପବ ଉପରେ ଛୁରୀ ରଖି ତାର ପଛ ପାଖକୁ ଅନ୍ୟ ହାତରେ ଖଣ୍ଡେ ପଥର ଧରି ଜୋରରେ ପିଟିଲା । ଏହିପରି କେତେଥର ପିଟିବା ପରେ ବୁଢ଼ା ଆଙ୍ଗୁଠିଟି ମୂଳରୁ ଛିଡ଼ିଗଲା । ତାକୁ ଖୁବ୍ ଯନ୍ତ୍ରଣା ହୋଇଥିବ ଓ ବହୁତ ରକ୍ତ ବୋହିଯାଇଥିବ । ଯାହାହେଉ ସେ ଭଲ ହୋଇଗଲା । ସେ ଏବେ ମଧ୍ୟ ବଞ୍ଚିଛି ।

 

ଅନ୍ୟ ଏକ ତୃତୀୟ ଘଟଣା କଥା କହୁଛି । ଥରେ ମୁଁ ମୁଟୁରର ଫରେଷ୍ଟ ଡାକବଙ୍ଗଳାରେ ରହିଥିଲି । ଖୁବ୍ ଭୋରରୁ ଜଣେ ଲୋକ ମୋତେ ନିଦରୁ ଉଠାଇ କହିଲା ଯେ ଘଣ୍ଟାଏ ପୂର୍ବରୁ ତା ପାଦକୁ ଗୋଟାଏ ଗୋଖର ସାପ କାମୁଡ଼ିଛି । ତା କଥାରୁ ଜଣାଗଲା, ସେ ଜଣେ ଗାଡ଼ିବାଲା । ଗତ ସନ୍ଧ୍ୟାରେ ସେ ଗାଡ଼ିଏ ବାଉଁଶ ଘେନି ପେନ୍ନା ଗ୍ରାମକୁ ଆସୁଥିଲା । ରାସ୍ତା ଧାରରେ ପଲେ ହାତୀ ଦେଖି ସେ ଭୟରେ ସେ ଗାଡ଼ିକୁ ବୁଲାଇ ନେଇ ବାଉଁଶକଟାଳିଙ୍କ ବସାରେ ରହିଲା । ରାତି ଚାରିଟା ବେଳକୁ ସେ ପୁଣି ବାହାରିଥିଲା । ଯଦି ପୁଣି ହାତୀଙ୍କ ସଙ୍ଗେ ଭେଟହୁଏ, ସେ ସହଜରେ ପଳାଇ ପାରିବ ବୋଲି ଶଗଡ଼ ଉପରେ ନ ବସି ଶଗଡ଼ ପଛେ ପଛେ ଚଳୁଥିଲା । ସମ୍ଭବତଃ ଶଗଡ଼ର ଚକ ସାପ ଉପରେ ମାଡ଼ିଯାଇ ତାକୁ ଜଖମ କରି ଦେଇଥିଲା । ସେ ହଠାତ୍ ପାଦରେ ଯନ୍ତ୍ରଣା ଅନୁଭବ କରି ତଳକୁ ଚାହିଁଲା । ଦେଖିଲା ଗୋଟାଏ ସାପ ତା ପାଦରେ ଗୁଡ଼େଇ ହୋଇ ଯାଇଛି । ସେ ଗୋଡ଼କୁ ଛାଟି ଦେବାରୁ ସାପଟା ଦୂରରେ ପଡ଼ି ଚାଲିଗଲା; କିନ୍ତୁ ତାହା ପୂର୍ବରୁ ଲୋକଟି ସାପର ଫଣା ଦେଖି ଜାଣି ପାରିଥିଲା ଯେ ସେଇଟା ଗୋଟିଏ ଗୋଖର ସାପ । ସାପ କାମୁଡ଼ିବା ପରେ ଦୁଇ ମାଇଲ ବାଟ ଚାଲି ଚାଲି ସେ ଡାକବଙ୍ଗଳାକୁ ଆସିଥିଲା । ସେଠାରେ କେହି ତାକୁ ସାହାଯ୍ୟ କରିପାରିବ ବୋଲି ତାର ଆଶା ଥିଲା ।

 

ମୁଁ ତତ୍‌କ୍ଷଣାତ୍ ଛୁରୀଆଣି କାମୁଡ଼ାସ୍ଥାନକୁ ଗଭୀର କରି ଚିରି ଦେଲି ଓ ଜଣେ ଫରେଷ୍ଟ ଗାର୍ଡ଼ର ସାହାଯ୍ୟରେ ତାକୁ ଧରି ବାରଣ୍ଡାରେ ଆଗ ପଛ କରି ଚଲାଇଲି । ଏପରି ଚଲାଇଲେ ତାର ମୂର୍ଚ୍ଛାଜନିତ ନିଦ (Coma) ଆସିବ ନାହିଁ; କିନ୍ତୁ ଅଳ୍ପ ସମୟ ପରେ ଦେଖିଲି, ମୋର ଏହି ଚେଷ୍ଟା ବୃଥା । ହତଭାଗ୍ୟ ଗାଡ଼ିବାଲାର ମୁହଁରୁ ଲାଳ ଗଡ଼ିଲା; ଆଖିଡ଼ୋଳା ଉପରକୁ ଉଠିଗଲା । ମାତାଲ ଭଳି ସେ ତଳେ ପଡ଼ିଗଲା । ତାର କଥା ଆଉ ବୁଝିହେଲା ନାହିଁ । କୌଣସି ମତେ ମୁଁ ତାର ଓ ତା ପରିବାରର ନାମ ଆଦି ସଂଗ୍ରହ କରିନେଲି । ତାର ଘର ଏରିଗୋଲନୁର ଗ୍ରାମରେ । ଏହା ପେନ୍ନାଗ୍ରାମଠାରୁ ଆହୁରି ଏକ ମାଇଲ ଦୂରରେ । ହଠାତ୍ ସେ ଆମ ଦୁହିଁଙ୍କ ବାହୁ ଉପରେ ପଡ଼ିଗଲା; ତାର ଆଉ ଚେତା ନଥିଲା । ସାଢ଼େ ଆଠଟା ବେଳକୁ ତାର ପ୍ରାଣବାୟୁ ବାହାରି ଗଲା । ଫରେଷ୍ଟ ଗାର୍ଡ଼ ହାତରେ ମୁଁ ତାର ବନ୍ଧୁ ବାନ୍ଧବଙ୍କ ପାଖକୁ ଓ ପେନ୍ନାଗ୍ରାମ ପୁଲିସ ପାଖକୁ ଖବର ପଠାଇଲି । ଦିନ ଦୁଇଟା ବେଳକୁ ତାର ବନ୍ଧୁ ବାନ୍ଧବମାନେ ଗୋଟାଏ ଗାଡ଼ି ଘେନି ପହଞ୍ଚି ବାହୁନି ବାହୁନି କାନ୍ଦିବାକୁ ଲାଗିଲେ । ତାହାପରେ ପୁଲିସଲୋକେ ପହଞ୍ଚିଲେ । ସେମାନେ ମୋଠାରୁ ଅନେକ ପ୍ରଶ୍ନର ଉତ୍ତର ଚାହିଁଲେ ।

 

ଡାକବଙ୍ଗଳାର ବାରଣ୍ଡାରେ ଏତେ ଜାଗାରେ କାହିଁକି ରକ୍ତ ପଡ଼ିଛି ? ମୁଁ କାହିଁକି ତାର ଗୋଡ଼କୁ ଛୁରୀରେ କାଟିଥିଲି ? ସେ କାହିଁକି ମଲା ? ଇତ୍ୟାଦି । ମୁଁ ସବୁ ଉତ୍ତର ଦେଲି ଓ ରୋଗୀକୁ ବାରଣ୍ଡାରେ ଚଳାଇଲାବେଳେ ପାଦରୁ ରକ୍ତ ପଡ଼ିଥିଲା ବୋଲି କହିଲି । ଶେଷରେ ଶବକୁ ଗାଡ଼ିରେ ପକାଇ ଥାନାକୁ ନେବାର ସ୍ଥିରହେଲା । ମୋତେ ମଧ୍ୟ ଥାନାକୁ ଯିବାକୁ କୁହାଗଲା; କିନ୍ତୁ ମୁଁ ଯିବାକୁ ସଫା ମନାକରିଦେଲି । ମୋର ଏହି ଉତ୍ତର ଶୁଣି ହେଡ଼କନେଷ୍ଟବଳ କିଛି ସମୟ ଚିନ୍ତାକରି ଗୋଟାଏ ମୀମାଂସା କରିଦେଲା । ସେ କହିଲା, “ଆପଣ ଏହି ଫରେଷ୍ଟ ଡାକବଙ୍ଗଳାରେ ରହିଥାନ୍ତୁ । ଶବ ପୋଷ୍ଟମର୍ଟମ୍ ପରୀକ୍ଷାପାଇଁ ପଠାଯିବ । ପରୀକ୍ଷାର ରିପୋର୍ଟ ଆସିବାଯାଏ, ଆପଣ ଏହିଠାରେ ରହିଥିବେ ।”

 

ମୁଁ ଏହି ପ୍ରସ୍ତାବରେ ରାଜି ହୋଇଗଲି । ଏହାପରେ ସମସ୍ତେ ପେନ୍ନାଗ୍ରାମକୁ ଚାଲିଗଲେ-। ପେନ୍ନାଗ୍ରାମ ସେଠାରୁ ସାତ ମାଇଲ ଦୂର । ପେନ୍ନାଗ୍ରାମଠାରୁ ଶବଟିକୁ ବ୍ୟବଚ୍ଛେଦ ପାଇଁ ବସ୍ ଯୋଗେ ସାଲେମ ଜେନେରାଲ ହାସପାତାଳକୁ ପଠାଗଲା । ସେଠାରୁ ସାଲେମର ଦୂରତା ୪୨ ମାଇଲ । ତିନିଦିନ ପରେ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିଲା ଯେ ଗାଡ଼ିବାଲା ଗୋଖର ସାପର କାମୁଡ଼ାରେ ମରିଛି । ଚତୁର୍ଥ ଦିନ ମୋତେ ପୋଲିସ ଜଣାଇଦେଲେ ଯେ ମୋ ଉପରେ ଆଉ ସନ୍ଦେହ ନାହିଁ ।

 

ଅଣଚାଳିଶ ବର୍ଷ ହେଲା ମୁଁ ସାପଙ୍କ ସାଥିରେ କାରବାର କରି ଆସିଅଛି; ଏଥି ମଧ୍ୟରେ ମୋତେ ଥରେ ମାତ୍ର ସାପ କାମୁଡ଼ିଛି । ସେ ସାପଟି ପୁଣି ଗୋଖର ସାପ । ଏହା ୧୯୩୯ ମସିହାର ଘଟଣା । ସାପଟିକୁ ଧରିଲା ମାତ୍ରେ ସେ ମୋ ହାତରୁ ଖସିଗଲା ଓ ମୋ ବାଆଁ ହାତର ବିଶି ଆଙ୍ଗୁଠିକୁ କାମୁଡ଼ିଦେଲା; କିନ୍ତୁ ମୁଁ ଏବେ ମଧ୍ୟ ବଞ୍ଚି ରହିଛି; ଅଥଚ ମୋତେ ଆଙ୍ଗୁଠିଟିକୁ କାଟି ଫିଙ୍ଗିଦେବାକୁ କିମ୍ବା ବାରୁଦରେ ପୋଡ଼ି ଜାଳିଦେବାକୁ ପଡ଼ିନଥିଲା । ଭାଗ୍ୟକୁ ଯେଉଁଠାରେ ଏହି ଦୁର୍ଘଟଣା ଘଟିଲା, ତାହା ହେଉଛି ମୋର ନିଜ ଜମି ଓ ବାଙ୍ଗାଲୋରଠାରୁ ନଅ ମାଇଲ ଦୂରରେ । ମୁଁ ନିଜେ ମୋଟର ନେଇ ହାସପାତାଳ ପର୍ଯ୍ୟନ୍ତ ଯାଇ ପାରିଥିଲି । ସେଠାରେ ମୋର ବିଷପ୍ରତିଷେଧକ ଚିକିତ୍ସା କରାଗଲା । ସାପ କାମୁଡ଼ା ଫଳରେ ମୋର କୌଣସି ଦୁର୍ଲକ୍ଷଣ ପ୍ରକାଶ ପାଇନଥିଲା; କିନ୍ତୁ ଇଞ୍ଜେକ୍‌ସନ୍ ଫଳରେ କେତେକ ମନ୍ଦ ଲକ୍ଷଣ ଦେଖାଯାଇଥିଲା । ଇଞ୍ଜେକ୍‌ସନ ନେବାର ତୃତୀୟ ଦିନ ଏହାର ଉତ୍କଟ ପ୍ରତିକ୍ରିୟା ଦେଖାଗଲା ଓ ଦୁଇଟି ଯାକ ଗୋଡ଼ ସାମୟିକ ପକ୍ଷାଘାତରେ ଆକ୍ରାନ୍ତ ହେଲା । ଯାହାହେଉ, କାଲ୍‌ସିୟମ ଓ ଅନ୍ୟାନ୍ୟ ଇଞ୍ଜେକ୍‌ସନ୍ ନେବା ଫଳରେ ମୁଁ ଦିନକ ଭିତରେ ଭଲ ହୋଇଗଲି ।

 

ପରିଶେଷରେ ମୁଁ ଗୋଟିଏ କଥା ଉଲ୍ଲେଖ କରିବାକୁ ଇଚ୍ଛାକରେ । ଦକ୍ଷିଣ–ଭାରତରେ ବହୁଳ ଭାବରେ ଗୋଟିଏ ବିଚିତ୍ର ବିଶ୍ଵାସ ଥିଲା । ଦକ୍ଷିଣ ରେଲବାଇର ପୋଲରେଡ଼ିପାଲିଆନ ଷ୍ଟେସନରେ ନରସିଂହ ବୋଲି ଜଣେ ଷ୍ଟେସନ ମାଷ୍ଟର ଥିଲେ । ସେହି ଷ୍ଟେସନଟି ମାନ୍ଦ୍ରାଜଠାରୁ ଖୁବ୍ ବେଶି ଦୂର ନୁହେଁ । ଲୋକେ ବିଶ୍ଵାସ କରୁଥିଲେ ଯେ କୌଣସି ବିଷଧର ସାପ କାମୁଡ଼ିଥିବା ଘଟନା ତାଙ୍କୁ ଟେଲିଗ୍ରାମଦ୍ଵାରା ଜଣାଇ ଦେଲେ ସେ ରୋଗୀକୁ ଭଲ କରିଦେଇପାରୁଥିଲେ । ଏହି ବିଶ୍ଵାସ ଏତେ ବ୍ୟାପି ଯାଇଥିଲା ଯେ ରେଲବାଇ କର୍ତ୍ତୃପକ୍ଷ ନିଜ ଟେଲିଗ୍ରାଫ ଲାଇନରେ ଷ୍ଟେସନ ମାଷ୍ଟରଙ୍କ ନାମରେ ଆସୁଥିବା ଏଭଳି ଟେଲିଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ଅଦ୍ଭୁତ ଚିକିତ୍ସା ବିଷୟରେ ବିଶ୍ଵାସଯୋଗ୍ୟ ସୂତ୍ରରୁ ମୁଁ ଅନେକ ଘଟନା ଶୁଣିଛି । ସେ ଯେଉଁମାନଙ୍କର ଏହିପରି ଜୀବନରକ୍ଷା କରିଥିଲେ, ସେମାନଙ୍କ ଭିତରୁ ଶହ ଶହ ଲୋକ ଆଜି ମଧ୍ୟ ଦକ୍ଷିଣ–ଭାରତରେ ବଞ୍ଚିରହି ଅଛନ୍ତି । ତାଙ୍କର ଚିକିତ୍ସାପଦ୍ଧତି ଏହିପରି ଥିଲା ।

 

କୌଣସି ଲୋକକୁ ସାପ କାମୁଡ଼ିଥିବା ସମ୍ବାଦ ଟେଲିଗ୍ରାମରେ ପାଇଲାକ୍ଷଣି ମି: ନରସିଂହ ଷ୍ଟେସନ ହତାରେ ଥିବା ଗୋଟିଏ ଗଛ ପାଖକୁ ଚାଲିଯାଉଥିଲେ ଓ ନିଜ ଧୋତି ବା ଲୁଙ୍ଗୀରୁ ଖଣ୍ଡେ ଚିରି ଗଛର ଗୋଟିଏ ଡାଳରେ ବାନ୍ଧି ଦେଉଥିଲେ ଓ କିଛି ମନ୍ତ୍ର ପାଠ କରୁଥିଲେ । ତାହାପରେ ଟେଲିଗ୍ରାମଦ୍ଵାରା ଜଣାଇ ଦେଉଥିଲେ–ରୋଗୀ ବଞ୍ଚିଯିବ କିନ୍ତୁ ତାକୁ ଧୂଆଁ ପତ୍ର, ମଦ ଓ କଫି ଛାଡ଼ିଦେବାକୁ ପଡ଼ିବ । ପ୍ରାୟ ସବୁ କ୍ଷେତ୍ରରେ ରୋଗୀର ଜୀବନ ରକ୍ଷା ହେଉଥିଲା ।

 

ହାୟ ! ଯେଉଁ ମି. ନରସିଂହ ଏତେ ଲୋକଙ୍କର ଡାକ ଶୁଣୁଥିଲେ, ତାଙ୍କୁ ସେପାରିରୁ ଡାକରା ଆସିଲା ଓ ସେ ଚାଲିଗଲେ; କିନ୍ତୁ ଲୋକେ କେବେହେଲେ ତାଙ୍କୁ ଭୁଲିପାରିବେ ନାହିଁ । ତାଙ୍କର ମୃତ୍ୟୁ ସଙ୍ଗେ ତାଙ୍କ ଗୁପ୍ତ ଚିକିତ୍ସା ପଦ୍ଧତିର ମଧ୍ୟ ମୃତ୍ୟୁ ଘଟିଛି କି ନା ମୁଁ କହିପାରିବି ନାହିଁ; କିନ୍ତୁ ମୋର ଆଶଙ୍କା ହୁଏ, ସେ ଚିକିତ୍ସା ପଦ୍ଧତି ଲୋପ ପାଇ ଯାଇଅଛି । ସାପ କାମୁଡ଼ାର ପ୍ରତିକାର ପାଇଁ ତାଙ୍କର ସେହିଭଳି କୌଣସି ଉତ୍ତରାଧିକାରୀ ବାହାରିଥିବାର ସମ୍ବାଦ ମୁଁ ଆଉ ପାଇନାହିଁ ।

Image

 

Unknown

ଷଷ୍ଠ ଅଧ୍ୟାୟ

ହାଇଦ୍ରାବାଦର ବାଘ

 

ବ୍ରିଟିଶ ସରକାରଙ୍କ ଅମଳରେ ମହୀଶୂର ରାଜ୍ୟର ଉତ୍ତରକୁ ଲାଗି ବେଲାରି, ଅନନ୍ତପୁର, କର୍ଣ୍ଣୁଲ ଓ ନନ୍ଦିୟାଲ ଜିଲାମାନ ଥିଲା । ସେତେବେଳେ ଏହି ଜିଲାଗୁଡ଼ିକ ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶର ଅନ୍ତର୍ଗତ ଥିଲା । ଏଗୁଡ଼ିକର ଉତ୍ତରକୁ ଥିଲା ହାଇଦ୍ରାବାଦ ନାମକ ଦେଶୀୟ ରାଜ୍ୟ । ଏହି ରାଜ୍ୟର ଶାସକଙ୍କର ଉପାଧି ଥିଲା ନିଜାମ । ସେ ବ୍ରିଟିଶ ଶାସନର ଜଣେ ପ୍ରଧାନ ମିତ୍ର ଥିଲେ । ଦିଲ୍ଲୀର ମୋଗଲ ସମ୍ରାଟ ବଂଶର ଏକ ଶାଖାରୁ ତାଙ୍କ ବଂଶର ଉତ୍ପତ୍ତି ।

 

ଏବେ ହାଇଦ୍ରାବାଦ ରାଜ୍ୟର ଅସ୍ତିତ୍ଵ ନାହିଁ । ନିଜାମଙ୍କ ବିଶାଳ ରାଜ୍ୟର ଏକ ଅଂଶ ତେଲୁଗୁ ଭାଷୀ ଆନ୍ଧ୍ରପ୍ରଦେଶର ଅନନ୍ତପୁର, କର୍ଣ୍ଣୁଲ ଓ ନଦିୟାଲ ଜିଲାରେ ପରିଣତ ହୋଇଅଛି । ଏହା ଫଳରେ ଆନ୍ଧ୍ର ପ୍ରଦେଶ ଭାରତ ଗଣତନ୍ତ୍ରର ଏକ ବଡ଼ ରାଜ୍ୟରେ ପରିଣତ ହୋଇଅଛି । କ୍ଷେତ୍ରଫଳ ଦୃଷ୍ଟିରୁ ଏହାର ସ୍ଥାନ ମଧ୍ୟ–ପ୍ରଦେଶର ତଳକୁ ।

 

ଯେଉଁ ସମୟର କଥା କୁହାଯାଉଅଛି, ସେତେବେଳେ ଏହି ଅଞ୍ଚଳଗୁଡ଼ିକ ମୁଖ୍ୟତଃ ତେଲୁଗୁଭାଷୀ ହେଲେହେଁ ମାନ୍ଦ୍ରାଜ ପ୍ରଦେଶ ଅଧୀନରେ ଥିଲା ।

 

ସେ କାଳରେ ଏହି ଜିଲାଗୁଡ଼ିକ ଅତ୍ୟନ୍ତ ଅନୁନ୍ନତ ଥିଲା । ସେଥିରେ କାରଣ ହେଲା, ଏହି ଅଞ୍ଚଳରେ ବୃଷ୍ଟିପାତ ଖୁବ୍ କମ୍; ବର୍ଷର ଦଶମାସଯାଏ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୁଏ ଓ ଅବଶିଷ୍ଟ ଦୁଇ ମାସରେ ଅସହ୍ୟ ଗରମ ହୁଏ । ଫଳତଃ ଲୋକସଂଖ୍ୟା ଅଳ୍ପ ଥିଲା । ଅନନ୍ତପୁର, କର୍ଣ୍ଣୁଲ ଓ ନାଦିୟାଲ ସହର ସେହି ନାମଧ୍ୟେୟ ଜିଲାମାନେ ରାଜଧାନୀ ଥିଲା । ଏହି ସହରର ତିନୋଟିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ଖୁବ୍ ଛଡ଼ା ଛଡ଼ା ଗ୍ରାମମାନଙ୍କରେ ଅଳ୍ପସଂଖ୍ୟକ ଲୋକ ବାସକରୁଥିଲେ ।

 

ବମ୍ବେଇଠାରୁ ମାନ୍ଦ୍ରାଜକୁ ଯାଇଥିବା ରେଳପଥ ଏହି ଜିଲାଗୁଡ଼ିକୁ ସଂଯୁକ୍ତ କରୁଥିବା । ଏହି ରେଳପଥରେ ଥିଲା ଗୁଣ୍ଟାକଲ ଜଙ୍କ୍‌ସନ୍ । ଏହି ପ୍ରଧାନ ରେଳପଥଟି ଥିଲା Broad Gaugeର, ଅର୍ଥାତ୍ ଏହାର ଦୁଇ ପାଖର ଧାରଣା ମଧ୍ୟରେ ଦୂରତା ଥିଲା ସବୁଠାରୁ ବେଶି ୫ଫୁଟ ୬ଇଞ୍ଚ । ଗୁଣ୍ଟାକଲଠାରୁ ତିନୋଟି ଶାଖା ରେଳପଥ ତିନି ଦିଗକୁ ଯାଇଥିଲା । ସେଗୁଡ଼ିକ ଥିଲା 1 metre gaugeର; ଅର୍ଥାତ୍ ସେଥିରେ ଦୁଇ ପାଖର ଧାରଣା ମଧ୍ୟରେ ଦୂରତା ଥିଲା ଏକ ମିଟର । ଏହି ଶାଖା ରେଳପଥ ମଧ୍ୟରୁ ଗୋଟିଏ ଶାଖା ପଶ୍ଚିମ ଦିଗରେ ବେଲାରି ଓ ହୁବୁଲି ଆଡ଼କୁ ଯାଇଥିଲା, ଗୋଟିଏ ଦକ୍ଷିଣ ଦିଗରେ ମହୀଶୂର ରାଜ୍ୟର ବାଙ୍ଗାଲୋରକୁ ଯାଇଥିଲା ଏବଂ ତୃତୀୟଟି ପୂର୍ବ ଦିଗର ଦ୍ରୋଣାଚଳମ୍ ଓ ନନ୍ଦିୟାଲ ଦେଇ ବେଜୱାଡ଼ାକୁ ଯାଇଥିଲା । ସେଠାରୁ ପୁଣି ଭାରତର ପୂର୍ବ ଉପକୂଳକୁ ଗତି କରିଥିଲା । ବେଜୱାଡ଼ାଠାରେ ଏହା ମାନ୍ଦ୍ରାଜ ଓ କାଳିକତାକୁ ସଂଯୁକ୍ତ କରୁଥିବା ଏକ ବ୍ରଡ଼ଗଜର ରେଳପଥ ସହିତ ସଂଯୁକ୍ତ ଥିଲା । ଦ୍ରୋଣାଚଳମ୍‌ଠାରୁ ଗୋଟିଏ ବ୍ରଡ଼ଗଜ ରେଳପଥ ଉତ୍ତର–ପଶ୍ଚିମ ଦିଗକୁ ବାହାରିଯାଇ ସିକନ୍ଦରାବାଦ ଓ ହାଇଦ୍ରାବାଦକୁ ଯାଇଥିଲା । ମିଟର ଗଜରେ ଚାଲୁଥିବା ଇଞ୍ଜିନ ଓ ଗାଡ଼ିଗୁଡ଼ିକ ବ୍ରଡ଼ଗଜରେ ଚାଲୁଥିବା ଇଞ୍ଜିନ ଓ ଗାଡ଼ିଠାରୁ ଛୋଟ ଥିଲା; ଏହା କହିବା ଅନାବଶ୍ୟକ ।

 

ଗୁଣ୍ଟାକଲ, ଦ୍ରୋଣାଚଳମ୍ ଓ ନନ୍ଦିୟାଲ ଅତିକ୍ରମ କଲା ପରେ ପୂର୍ବ ଦିଗକୁ ଯାଇଥିବା ମିଟର ଗଜ ଶାଖା ରେଳପଥ ଏକ ବନପ୍ରଦେଶରେ ପ୍ରବେଶ କରିଅଛି । ଏଥିରେ ପାଞ୍ଚୋଟି ପ୍ରଧାନ ଷ୍ଟେସନ ଅବସ୍ଥିତ । ସେଗୁଡ଼ିକ ହେଲା ଗଜୁଲାପଲି, ବାସବପୁରମ୍, ଚେଲେମା, ବୋଗରା ଓ ଦିଗୁବାମେଟା । ଏମାନଙ୍କ ପରେ ପଡ଼େ ବେଜୱାଡ଼ା । ଏହି ବନପୂର୍ଣ୍ଣ ଅଞ୍ଚଳଟି ହେଉଛି ମୋ କାହାଣୀର ପଟ୍ଟଭୂମି । ଏହି ବନ୍ୟ ଅଞ୍ଚଳ କୃଷ୍ଣାନଦୀ ଅତିକ୍ରମ କରି ପୂର୍ବତନ ହାଇଦ୍ରାବାଦ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ । ଦକ୍ଷିଣରେ ଏହାର ବିସ୍ତୃତି କଡ଼ାପା ସହର ପର୍ଯ୍ୟନ୍ତ ଥିଲା ।

 

ମିଟର ଗଜର ଟ୍ରେନ୍‌ମାନଙ୍କର ଗତିବେଗ କମ୍ । ରାତିରେ ଯାଉଥିବା ଟ୍ରେନ୍‌ର ଡ୍ରାଇଭରମାନେ କହନ୍ତି ଯେ ଅନେକ ସମୟରେ ବନ୍ୟଜନ୍ତୁମାନେ ରେଳପଥର ଏକ ପାର୍ଶ୍ଵରୁ ଅପର ପାର୍ଶ୍ଵକୁ ଦଉଡ଼ି ପଳାଇବାର ଦୃଶ୍ୟ ଗାଡ଼ିର ଉଜ୍ଜ୍ଵଳ ଆଲୋକରେ ସେମାନେ ଦେଖିବାକୁ ପାଇଥାନ୍ତି-। କେବେ କେବେ ବାର୍‌ହା ପ୍ରଭୃତି ରେଳଲାଇନ ଅତିକ୍ରମ କରୁ କରୁ ଗାଡ଼ି ଚକତଳେ କଟିଯାଇଥାନ୍ତି ।

 

ପୂର୍ବକଥିତ ପାଞ୍ଚୋଟି ଷ୍ଟେସନରୁ ଜଙ୍ଗଲ ଅଞ୍ଚଳକୁ ଯିବାପାଇଁ କେବଳ ପତୁରିଆ ଶଗଡ଼ ରାସ୍ତା ବା ପାଦଚଲା ରାସ୍ତା ଛଡ଼ା ଆଉ କିଛି ବାଟ ନ ଥିଲା । ସେ ସମୟରେ ମୋଟର ଯିବାର ଉପଯୋଗୀ ରାସ୍ତା ଆଦୌ ନ ଥିଲା । ଏହି ହେତୁରୁ ଏ ଅଞ୍ଚଳର ବନ୍ୟଜନ୍ତୁ ସବୁ ନିରାପଦ ଥିଲେ । ଅନ୍ୟାନ୍ୟ ଅଞ୍ଚଳରେ ସେମାନଙ୍କୁ ସହଜରେ ମରାଯାଇପାରୁଥିଲା । କାରଣ ସେଠାରେ ଅବିବେଚକ ଶିକାରୀମାନେ ସାରାରାତି ମୋଟରେ ବୁଲି ବଡ଼ ଆଲୁଅ ପକାଇ ଯେକୌଣସି ଜନ୍ତୁ ପାଇଲେ ବଧ କରୁଥିଲେ । ଆଲୁଅ ପଡ଼ିଲେ ଜନ୍ତୁମାନଙ୍କ ଆଖି ଜଳଜଳ ଦେଖାଯାଏ । କି ଜାତିର ଜନ୍ତୁ, ତାହ ମାରିବା ଉଚିତ କି ନା, ସେଥିର ବିଚାର ନ ଥିଲା । ଏ ପ୍ରକାର ଶିକାର ବନ୍ୟଜନ୍ତୁଙ୍କର ଘୋର ଅନିଷ୍ଟ କରିଅଛି ଏବଂ ଏବେ ମଧ୍ୟ କରୁଅଛି । ମାଈଜନ୍ତୁ ଓ ସେମାନଙ୍କ ଛୁଆଙ୍କୁ ମାରିଦିଆଯାଉଥିବାରୁ ସେମାନଙ୍କ ବଂଶ ଲୋପ ପାଇ ଆସୁଅଛି । ଯେଉଁମାନେ ଗୁଳିମାଡ଼ ଖାଇ ପଳାଇଯାଆନ୍ତି ସେମାନେ ଦୀର୍ଘଦିନ ଯନ୍ତ୍ରଣା ଭୋଗ୍ୟ ବାନର ଅଜ୍ଞାତ ଅଞ୍ଚଳରେ ପ୍ରାଣ ହରାନ୍ତି । ବ୍ରିଟିଶ ଶାସନ ଅମଳରେ ସରକାର ଏ ପ୍ରକାର କ୍ଷତିକାରକ ପ୍ରଥାକୁ ବନ୍ଦ କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ; ଏବେ ସ୍ଵାଧୀନ ଭାରତ ସରକାର ମଧ୍ୟ ଚେଷ୍ଟା କରି କୃତକାର୍ଯ୍ୟ ହୋଇ ପାରି ନାହାନ୍ତି । ଯେତେଦିନ ଯାଏଁ ବନ୍ୟଜନ୍ତୁ ଏକ ଜାତୀୟ ସମ୍ପଦ ଓ ସେମାନଙ୍କୁ ନଷ୍ଟ କରିବା ଅନୁଚିତ ବୋଲି ଜନସାଧାରଣ ବୁଝି ନାହାନ୍ତି କିମ୍ବା ସମସ୍ତ ବନ୍ୟଜନ୍ତୁ ଧ୍ଵଂସ ପାଇଯାଇ ନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ଏହିପରି ଚାଲିଥିବ ।

 

ସେ ଯାହାହେଉ ମୋଟର ରାସ୍ତା ନଥିବାରୁ ଗଜୁଲାପଲି–ଦିଗୁବାମେଟା ଅଞ୍ଚଳର ବନ୍ୟଜନ୍ତୁମାନେ ରାତି–ଶିକାରୀମାନଙ୍କ ଦାଉରୁ ଅନେକ ପରିମାଣରେ ରକ୍ଷା ପାଉଥିଲେ । ସେ ଅଞ୍ଚଳରେ କେହି ରାତିରେ ତମ୍ବୁ ପକାଇ ରହିଲେ ହଠାତ୍ ମୋଟର ଆସି ରହିଯିବା, ବଡ଼ ଆଲୁଅ ପଡ଼ିବା ସଙ୍ଗେ ବନ୍ଧୁକର ଆବାଜ୍ ଓ ବନ୍ୟଜନ୍ତୁର ଆର୍ତ୍ତ ଧ୍ୱନି ଶୁଣିବାର ସମ୍ଭାବନା ଆଦୌ ନଥିଲା ।

 

ସ୍ଥାନୀୟ ଅଧିବାସୀମାନଙ୍କର ମାତୃଭାଷା ତେଲୁଗୁ । ସେମାନଙ୍କୁ କୁହାଯାଏ ଚେଞ୍ଚୁ । ଅନ୍ୟାନ୍ୟ ଆଦିବାସୀଙ୍କ ଭଳି ସେମାନଙ୍କର ପରିଧେୟ ଅତି ସାମାନ୍ୟ । କି ପୁରୁଷ, କି ସ୍ତ୍ରୀ ସମସ୍ତଙ୍କର ପ୍ରଧାନ ପରିଧାନ ହେଉଛି ଖଣ୍ଡିଏ ମଇଳା, ଚିରା କୌପୀନ । ପୁରୁଷମାନେ ସାଧାରଣତଃ ବାହାରକୁ ଗଲେ ଧନୁଶର ଧରିଥାନ୍ତି ଓ ସେମାନଙ୍କ ବେକରେ ମାଳି ଥାଏ । ପର୍ବଦିନମାନଙ୍କରେ ସେମାନେ ମୁଣ୍ଡରେ ମୟୁରଚନ୍ଦ୍ରିକା ଖଞ୍ଜିଥାନ୍ତି । ମହୁଲ ଫୁଲରୁ ଓ ବାବୁଲ ଗଛର ଛେଲିରୁ ସେମାନେ ଏକ ପ୍ରକାର ମଦ ତିଆରି କରି ଆନନ୍ଦରେ ପିଅନ୍ତି । ଏହି ମଦ୍ୟପାନରୂପକ ଦୁରଭ୍ୟାସ ବନ୍ଦ କରିବାକୁ ବ୍ରିଟିଶ ଶାସନ ଅମଳରେ ଅବକାରୀ ବିଭାଗର କର୍ମଚାରୀମାନଙ୍କୁ ବହୁ କଷ୍ଟ ସ୍ଵୀକାର କରିବାକୁ ହେଉଥିଲା । ଏବେ ମଧ୍ୟ ଆନ୍ଧ୍ର ସରକାରଙ୍କ ନିଶାନିବାରଣ ନୀତି ପ୍ରଚଳିତ ଥିବା ସତ୍ତ୍ୱେ ସେମାନଙ୍କୁ ମଦ୍ୟପାନରୁ ବିରତ କରାଇବା ଏକ ସମସ୍ୟା ହୋଇଅଛି । ଏ ଅଞ୍ଚଳରେ ମହୁଲ ଓ ବାବୁଲ ଗଛ ପ୍ରଚୁର । ବେଆଇନ ମଦ କାରବାର ବନ୍ଦ କରିବା ସରକାରଙ୍କ ପକ୍ଷରେ ସହଜ ନୁହେଁ ।

 

ରାତିରେ ମୋଟରରେ ଯାଇ ବନ୍ୟଜନ୍ତୁ ଶିକାର କରିବା ବା ସରକାରଙ୍କ ନିଶାନିବାରଣ ନୀତିର ସମାଲୋଚନା କରିବା ମୋର ଉଦ୍ଦେଶ୍ୟ ନୁହେଁ । ଚେଞ୍ଚୁ ମାନଙ୍କର ଜୀବନଯାତରା ପଦ୍ଧତି ବର୍ଣ୍ଣନା କରିବା ମଧ୍ୟ ମୋର ଉଦ୍ଦେଶ୍ୟ ନୁହେଁ । ମୋର ବର୍ଣ୍ଣନୀୟ ବିଷୟ ହେଉଛି, ଗୋଟିଏ ମଣିଷଖିଆ ବାଘ । ସେହି ବାଘଟି ପ୍ରାୟ ଚାରିବର୍ଷଯାଏ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ସେ ଯେଉଁ ଜଙ୍ଗଲ ଅଞ୍ଚଳରେ ଅତ୍ୟାଚାର ଚଳାଇଥିଲା, ତାହା ହାଇଦ୍ରାବାଦ ରାଜ୍ୟର ଅନ୍ତର୍ଗତ ଥିଲା । ସେ ପ୍ରଥମେ କେତେକ ଚେଞ୍ଚୁ ଜାତିର ଲୋକଙ୍କୁ ଓ ଏକୁଟିଆ ବାଟୋଇଙ୍କୁ ମାରି ଖାଉଥିଲା-। ତାହାପରେ ସେ ଦକ୍ଷିଣ ଦିଗକୁ ଯାଇ ଚେଲାମାରେ ନିଜର ଅସ୍ତିତ୍ଵ ଜଣାଇଲା । ସେଠାରେ ସେ ରେଳବାଇର ଜଣେ ଗଙ୍ଗମାନଙ୍କୁ ଟେକିନେଇ ଖାଇଥିଲା । ସେଦିନ ସକାଳେ ସେହି ଲୋକଟି ରେଳପଥ ଦେଖିବାପାଇଁ ବାସବପୁରମ୍ ଆଡ଼କୁ ଯାଇଥିଲା । ରେଳପଥ ପରୀକ୍ଷା କରି ଦେଖିବା ତାର ନିତ୍ୟନୈମିତ୍ତିକ କର୍ତ୍ତବ୍ୟ । କିନ୍ତୁ ସେଦିନ ସେ ଫେରିଲା ନାହିଁ ।

 

ସେ ସମୟରେ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ବାଘ ଥିଲେ । ସେମାନଙ୍କ ପାଇଁ ବନରେ ଯଥେଷ୍ଟ ଉପଯୁକ୍ତ ଖାଦ୍ୟର ଅଭାବ ନ ଥିଲା । ତେଣୁ ସେମାନେ କେବେହେଲେ ସ୍ଥାନୀୟ ଅଧିବାସୀମାନଙ୍କୁ ଆକ୍ରମଣ କରୁନଥିଲେ । କ୍ଵଚିତ୍ ଗୋଟିଏ ଗୋଟିଏ ଗୋରୁ ନେଇଯାଉଥିଲେ ।

 

ଗାଙ୍ଗମାନ ଫେରିଆସିଲା ନାହିଁ; କିନ୍ତୁ କେହି ସନ୍ଦେହ କାଲେ ନାହିଁ ଯେ ତାକୁ ବାଘ ନେଇଯାଇଥିବ । କାରଣ, ମନୁଷ୍ୟ ବାଘର ସାଧାରଣ ଖାଦ୍ୟ ନୁହେଁ । କୌଣସି ବ୍ୟକ୍ତିଗତ କାରଣରୁ ଲୋକଟା କୁଆଡ଼େ ପଳାଇଯାଇଥିବ ବୋଲି ସମସ୍ତଙ୍କର ଧାରଣା ହେଲା । ବାଘ ଖାଇଥିଲେ ତାର ଶବର ଅବଶେଷ କୌଣସିଠାରେ ଦେଖାଯାଇଥାନ୍ତା । ଏହାପରେ କେତେ ମାସ ଧରି କେତେ ଜଣ ଚେଞ୍ଚୁ କୁଆଡ଼େ ଅଦୃଶ୍ୟ ହୋଇଗଲେ । ସମସ୍ତେ କଅଣ ସେହି ଗାଙ୍ଗମାନ ଭଳି ପଳାଇଗଲେ ? କ୍ରମେ ଲୋକମାମାନଙ୍କର ସନ୍ଦେହ ହେଲା–ଏମାନଙ୍କୁ ବାଘ ନେଇଯାଇଥିବା । ସେ ଅଞ୍ଚଳକୁ ଯେ ଗୋଟାଏ ମଣିଷଖିଆ ବାଘ ଆସିଛି, ତାହାର କୌଣସି ସୂଚନା ମିଳିଲା ନାହିଁ । ପାଦଚିହ୍ନ ଦେଖି ମଣିଷଖିଆ ବାଘ ଜାଣିବା ଅସମ୍ଭବ । ସେ ଅଞ୍ଚଳରେ ବହୁତ ବାଘ ଆତଯାତ ହୁଅନ୍ତି । ମଣିଷଖିଆ ବାଘର ପାଦଚିହ୍ନ ସେଥିରେ କାହୁଁ ଚିହ୍ନା ପଡ଼ିବ ? ଯେଉଁ ଗାଙ୍ଗମାନେ ଓ ଚେଞ୍ଚୁମାନେ ଅଦୃଶ୍ୟ ହୋଇଯାଇଥିଲେ ସେମାନଙ୍କୁ ବାଘ ନେଇଯାଇଛି ବୋଲି ସନ୍ଦେହ ହେଲା ନାହିଁ ।

 

ଗାଙ୍ଗମାନେ ହଜିବାର ତିନିଚାରି ମାସ ପରେ ଗୋଟାଏ ବାଘର ସନ୍ଧାନ ମିଳିଲା । ଦିନେ ସନ୍ଧ୍ୟାବେଳେ ଦୁଇ ଜଣ ଆଦିବାସୀ ବଣରେ କେତେକ ଅଙ୍ଗାର ତିଆରି କରି ୱାଦାପଲି ଗ୍ରାମର ନିଜ ଘରକୁ ଫେରୁଥିଲେ । ଗ୍ରାମଠାରୁ ପ୍ରାୟ ଅଧମାଇଲି ଦୂରରେ ହେଲାବେଳକୁ ଆଗରେ ଆସୁଥିବା ଲୋକଟି ଦେଖିଲା, ଗୋଟିଏ ମାଈ କୋଇଲି ଗୋଟିଏ ଗଛରୁ ଉଡ଼ି ଯାଉଛି । ମାଈ କୋଇଲି ବୋଲି କିପରି ଜଣାଗଲା ବୋଲି ତୁମେ ବିସ୍ମିତ ହେଉଥିବ । କଥା ହେଉଛି, ଅଣ୍ଡିରା କୋଇଲିର ଦେହଟିଯାକ କଳା; ମାଈ କୋଇଲିର ଦେହରେ ଧଳା ଧଳା ଦାଗ ଥାଏ । ପୁଣି କୋଇଲିମାନେ ନିଜର ବସା ତିଆରି କରନ୍ତି ନାହିଁ । ମାଈ କୋଇଲି ଅନ୍ୟ ପକ୍ଷୀର ବସାରେ ଡିମ୍ବ ଦେଇ ପଳାଇଯାଏ । ସେ ପକ୍ଷୀ କୋଇଲି ଡିମ୍ବକୁ ଉଷୁମାଏ । ଡିମ୍ବ ଫୁଟି ଛୁଆ ବାହାରେ । ଛୁଆ ବଡ଼ ହୋଇଗଲେ ପଳାଏ ।

 

ଆଗରେ ଆସୁଥିବା ଚେଞ୍ଚୁ ଜଣଙ୍କ ଦେଖିଲା ଯେ ଗୋଟାଏ ଧଲାଦାଗ ଥିବା କୋଇଲି ଗଛ ଡାଳରୁ ଉଡ଼ିଯାଉଛି । ସେ ବୁଝିପାରିଲା, ଗଛରେ ଗୋଟିଏ ପକ୍ଷୀ ବସା ଅଛି । ମାଈ କୋଇଲି ସେଥିରେ ଡିମ୍ବ ଦେଇ ପଳାଇ ଯାଉଛି । କୋଇଲିର ଡିମ୍ବ ଚେଞ୍ଚୁ ମାନଙ୍କର ଗୋଟିଏ ଅତି ପ୍ରିୟ ଖାଦ୍ୟ । ତେବେ ଏହା ମିଳିବା ସହଜ କଥା ନୁହେଁ । କେଉଁ ବସାରେ କୋଇଲି ଡିମ୍ବ ଦେଇଥିବ, କିପରି ଜଣାଯିବ ? ଆଗ ଜଣକ ତା ସଙ୍ଗୀକୁ କହିଲା, “ତୁ ଯାଆ, ଗଛରେ ଚଢ଼ି ବସାରୁ କୋଇଲି ଡିମ୍ବ ନେଇଆ; ଆଜି ଭଲ ଭୋଜନ ହେବ ।” ସଙ୍ଗୀ ଜଣକ ଯୁବକ ଓ ବଳବାନ୍ । ସେ ଗଛରେ ଚଢ଼ି ବସାରୁ ଡିମ୍ବ ଆଣୁଛି, ଏହି ସମୟରେ ଗୋଟିଏ ସେ ଗଛମୂଳୁ ତା ସଙ୍ଗୀର ବିକଳ ଚିତ୍କାର ଶୁଣିପାରିଲା । ତଳକୁ ଚାହିଁ ସେ ଦେଖିଲା, ଗୋଟାଏ ପ୍ରକାଣ୍ଡ ବାଘ ତାର ସାଥୀକୁ କାମୁଡ଼ି ଧରି ବନ ଭିତରକୁ ଚାଲିଛି । ଲୋକଟା ଚିତ୍କାର କରୁଛି ।

 

ଗଛରେ ଚଢ଼ିଥିବା ଯୁବକର ହୃତ୍‌କମ୍ପ ଜାତ ହେଲା । ଭୟରେ ସେ ଗଛର ଆଗ ଡାଳକୁ ଚଢ଼ିଯାଇ ବସିରହିଲା । ବାଘ ଭୟରେ ସେ ରାତିଯାକ ଗଛ ଉପରେ ରହିଲା । ତଳକୁ ଓହ୍ଲାଇବାକୁ ସାହାସ ହେଲା ନାହିଁ ।

 

ସକାଳ ହେଲା ଖରା ପଡ଼ିବାରୁ ଲୋକଟି ଗଛ ଉପରୁ ଡାକ ପକାଇଲା । ଭାଗ୍ୟକୁ ସେତେବେଳେ ପବନ ୱାଦାପଲି ଆଡ଼କୁ ବୋହୁଥିଲା । ଗାଆଁର ଲୋକେ ତାର ପାଟି ଶୁଣି ଦଳବଦ୍ଧ ହୋଇ ଆସି ଲୋକଟିକୁ ଉଦ୍ଧାର କଲେ ।

 

ଏହି ସୂତ୍ରରେ ଚେଲେମା ଅଞ୍ଚଳରେ ଗୋଟାଏ ମଣିଷଖିଆ ବାଘ ଅଛି ବୋଲି ଜଣାପଡ଼ିଲା ।

 

ୱାଦାପଲିର ଚେଞ୍ଚୁମାନେ ଚେଲେମାର ଷ୍ଟେସନ ମାଷ୍ଟରଙ୍କୁ ଏକଥା ଜଣାଇଲେ । ଷ୍ଟେସନ ମାଷ୍ଟର ନନ୍ଦିଆଲକୁ ଟେଲିଗ୍ରାଫ ଯୋଗେ ଏହି ଖବର ଦେଲେ । ଏହିପରି କ୍ରମେ ପୁଲିସ ବିଭାଗ, ଜଙ୍ଗଲ ବିଭାଗ, ରେଳବାଇ ବିଭାଗ ପ୍ରଭୃତିର କର୍ମଚାରୀମାନେ ଏହି ସମ୍ବାଦ ପାଇଲେ । ଜିଲା କଲେକ୍ଟର ମଧ୍ୟ ଏହି ଖବର ପାଇଲେ । ଆଗେ ଯେତେ ଲୋକ ହଜିଯାଇଥିଲେ ସେ ସମସ୍ତଙ୍କୁ ବାଘ ଖାଇଛି ବୋଲି ଲୋକଙ୍କର ବିଶ୍ଵାସ ହେଲା ।

 

ସାଧାରଣତଃ ଜଙ୍ଗଲର କୌଣସି ଅଞ୍ଚଳରେ ମଣିଷଖିଆ ବାଘ ମତିଥିବାର ଜଣାପଡ଼ିଲେ ଜଙ୍ଗଲ ବିଭାଗ ଜଣାଇଦିଅନ୍ତି–ଯେକୌଣସି ଶିକାରୀ ଲାଇସେନ୍‌ସର ଅପକ୍ଷା ନରଖି ଏହାକୁ ମାରିପାରିବ । ଜଙ୍ଗଲ ବିଭାଗରୁ ଏହି ପ୍ରକାର ଘୋଷଣା କରାଗଲା; କିନ୍ତୁ ଏ ଅଞ୍ଚଳରେ ମୋଟର ଉପଯୋଗୀ ରାସ୍ତା ନଥିବାରୁ କୌଣସି ଶିକାରୀ ବାଘକୁ ମାରିବା ପାଇଁ ଉଦ୍ୟମ କଲେ ନାହିଁ ।

 

ରେଳବାଇର କେତେଜଣ କର୍ମଚାରୀ ରାଇଫେଲ ଘେନି ଟ୍ରଲିରେ ଚେଲେମାଠାରୁ ଗଜୁଲାପଲି ପର୍ଯ୍ୟନ୍ତ କେତେଥର ଯିବା ଆସିବା କଲେ । କିନ୍ତୁ ବାଘ ମହାଶୟ ଗୁଳି ଖାଇବା ପାଇଁ ରେଳଲାଇନ ପାଖକୁ ଆସିଲେ ନାହିଁ । କର୍ମଚାରୀମାନଙ୍କ ଆଶା ବିଫଳ ହେଲା । ସେମାନେ ତ ବାଘର ସାକ୍ଷାତ ପାଇଲେ ନାହିଁ; ଏଣେ ପ୍ରତି ସପ୍ତାହରେ ଜଣକେତେ ଚେଞ୍ଚୁ ସେହି ଅଦୃଶ୍ୟ ବାଘର ଶିକାର ହେଲେ । ଏହିପରି ଏଗାର ଜଣଙ୍କର ମୃତ୍ୟୁ ଘଟିଲା । ଲୋକେ ଦଳବାନ୍ଧି ଧନୁଶର, ଟାଙ୍ଗିଆ ପ୍ରଭୃତି ଧରି ମୃତ ବ୍ୟକ୍ତିର ସନ୍ଧାନ ନେଲେ । କେବଳ ଦୁଇଜଣ ମରୁତ ବ୍ୟକ୍ତିଙ୍କର କେତେକ ପଚାସଢ଼ା ଅଙ୍ଗପ୍ରତ୍ୟଙ୍ଗ ମିଳିଲା । ବାଘ ଯାହାକୁ ଖାଇସାରିଲାଣି ତାର ହାଡ଼ ମାଉଁସ ଖୋଜିବାରେ ଲାଭ କଅଣ ? ଏହିପରି ବିଚାରି ଲୋକେ ଆଉ ଉଦ୍ୟମ କାଲେ ନାହିଁ ।

 

ଲୋକଙ୍କର ଏପ୍ରକାର ଉଦାସୀନତା ବା ଆଳସ୍ୟ ଦୋଷାବହ ବୋଲି ମନେ କରିବା ଭୁଲ ହେବ । ସହଜେ ସେମାନେ ଗରିବ; ନିଜର ଜୀବିକା ଚଳାଇବା ପାଇଁ ପରିଶ୍ରମ କରିବାକୁ ହେବ । ସେଥିରେ ପୁଣି ବାଘ ଶିକାର କରିବାର ଉପଯୋଗୀ ଅସ୍ତ୍ରଶସ୍ତ୍ର ଅଭାବ । ସଂଘବଦ୍ଧ ହୋଇ କାମ କରିବା ସହଜ ନୁହେଁ । ଜଙ୍ଗଲ ଅଞ୍ଚଳ ବହୁଦୂର ବିସ୍ତୃତ । ସେଥିରେ ବାଟ ନାହିଁ । କେଉଁଠାରେ ଢିମା ପଥର, କେଉଁଠାରେ କଣ୍ଟାବୁଦା; ସେଥିରେ ଚାଲିବା କଷ୍ଟସାଧ୍ୟ । ଏତେ କଷ୍ଟ ସହି ଦୈବାତ ବାଘର ଭେଟ ହେଲେ ସେମାନଙ୍କ ମଧ୍ୟରୁ ନିଶ୍ଚୟ ଜଣେ ଦୁଇଜଣ ବାଘ ମୁହଁରେ ମରିବେ । କିଏ ମରିବାକୁ ଚାହେଁ ?ଏଭଳି ପରିସ୍ଥିତିରେ ସେମାନେ ବାଘକୁ ଖୋଜିବାରେ ଉଦାସୀନ ହେବାଟା ଆଦୌ ବିସ୍ମୟର ବିଷୟ ନୁହେଁ ।

 

ଏହି ଏଗାର ଜଣଙ୍କ ମୃତ୍ୟୁପରେ ତିନି ଚାରିମାସ ପର୍ଯ୍ୟନ୍ତ ବାଘ ଆଉ କାହାରିକୁ ନେଇ ଯାଇଥିବା ଶୁଣାଗଲା ନାହିଁ ତେଣେ କୃଷ୍ଣାନଦୀ କୂଳ ଅଞ୍ଚଳରେ ବାଘଖିଆ ମୃତ୍ୟୁ–ସମ୍ବାଦ ଶୁଣାଗଲା । ଏବେ ଜଣାଗଲା ଯେ ହାଇଦ୍ରାବାଦ ଅଞ୍ଚଳରେ ଯେଉଁ ବାଘ ମଣିଷ ଖାଉଥିଲା, ସେଇ ବାଘ ଚେଲେମା ଅଞ୍ଚଳକୁ ଆସିଛି ।

 

ନିଜାମ ହାଇଦ୍ରାବାଦର ଶିକାରୀମାନେ ତତ୍ପର ହୋଇ ଉଠିଲେ । ଜଣେ ଦୁଇଜଣ ମୁସଲମାନ ଜମିଦାର ବାଘକୁ ମାରିବା ପାଇଁ ସାହାଯ୍ୟ କରିବାକୁ ବାହାରି ପଡ଼ିଲେ । ଏଣେ ବାଘର ସାହାସ ବଢ଼ୁଥାଏ । ଶେଷରେ ସେ ମାଦିକୋଣ୍ଡା ଗ୍ରାମର ଖୁବ୍ ନିକଟରେ ଜଣେ ବାଟୋଇକୁ ମାରିଲା । କିନ୍ତୁ ସେ ତାର ମାଂସ ସାମାନ୍ୟ ଅଂଶ ଖାଇବା ପୂର୍ବରୁ ଲୋକେ ପାଟିତୁଣ୍ଡ କରିବାରୁ ବାଘ ପଳାଇଗଲା । ମାଦିକୋଣ୍ଡା ଗ୍ରାମଠାରୁ ଅଳ୍ପ କେତେ ମାଇଲ ଦୂରରେ ସେ ଅଞ୍ଚଳର ନବାବ ତମ୍ବୁ ପକାଇ ରହିଥିଲେ । ସେ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ହେଲେ ।

 

ଲୋକେ ଶବକୁ ପୋଡ଼ିବା ପାଇଁ ବାହାରିଥିଲେ । କିନ୍ତୁ ନବାବ ଲୋକଙ୍କୁ ସେଥିରୁ ନିବୃତ୍ତ କରି ନିକଟରେ ଥିବା ଗୋଟିଏ ଗଛ ଉପରେ ମଞ୍ଚାଟିଏ ତିଆରି କରାଇଲେ । ବାଘ ମଲା ମଣିଷକୁ ଖାଇବାପାଇଁ ପୁଣି ଆସିବା–ଏହା ଜଣାଶୁଣା କଥା । ନବାବ ପ୍ରସ୍ତୁତ ହୋଇ ମଞ୍ଚା ଉପରେ ବସିରହିଲେ ।

 

କିନ୍ତୁ ନବାବଙ୍କର ଭାଗ୍ୟ ଖରାପ । ବାଘ ଯେତେବେଳକୁ ଆସିବାର କଥା, ଠିକ୍ ସେତିକିବେଳେ ପ୍ରବଳ ଝଡ଼ତୋଫାନ ଆରମ୍ଭ ହେଲା । ବାଘକୁ ସ୍ପଷ୍ଟ ଦେଖି ନପାରିଲେ ହେଁ ସେ ଗୁଳିମାରିଲେ । ବାଘ ମଲା ନାହିଁ । ସକାଳକୁ ଦେଖାଗଲା, ବାଘ ଦେହର କେତେ ଟୋପା ରକ୍ତ ଏଠି ସେଠି ପଡ଼ିଛି । ବର୍ଷାପାଣିରେ ଅଧିକାଂଶ ଧୋଇହୋଇ ଯାଇଅଛି । ନବାବଙ୍କ ମନରେ ସନ୍ତୋଷ ହେଲା ଯେ ଗୁଳିଟା ବାଘ ଦେହରେ ବାଜିଛି । ସେ ନିଶ୍ଚୟ ସେହି ଆଘାତ ଫଳରେ ମାରିବ । ବାଘର ମୃତ ଦେହ ଖୋଜିବାକୁ ଲୋକଙ୍କୁ ପଠାଗଲା; କିନ୍ତୁ କୌଣସିଠାରେ ମଲାବାଘର ଚିହ୍ନ ଦେଖାଗଲା ନାହିଁ । ତଥାପି ସମସ୍ତେ ଭାବିଲେ–ବାଘଟା କୌଣସି ନା କୌଣସିଠାରେ ପଡ଼ି ମରିଥିବ ।

 

ଏହାପରେ କେତୋଟି ସପ୍ତାହ ଚାଲିଗଲା । ବାଘ କାହାରିକୁ ଖାଇଥିବା ଶୁଣାଗଲା ନାହିଁ-। କିନ୍ତୁ ଦିନେ ଜଣେ ଚେଞ୍ଚୁ ଫାଶରେ ବଣୁଆ ଚଢ଼େଇ ଧରିବା ପାଇଁ ଗାଜୁଲାପରି ପାଖ ଜଙ୍ଗଲକୁ ଯାଇଥିଲା । ଦି’ପହର ବେଳକୁ ଖାଇବା ପାଇଁ ତା’ର ଘରକୁ ଫେରିବାର କଥା; କିନ୍ତୁ ସେ ଫେରିଲା ନାହିଁ । କ୍ରମେ ଦିନ ଗଡ଼ି ସନ୍ଧ୍ୟା ହୋଇଆସିଲା । ତଥାପି ସେ ଘରକୁ ନ ଆସିବାରୁ ତା’ର ସ୍ତ୍ରୀ ଓ ଏକମାତ୍ର ପୁଅ ଚିନ୍ତିତ ହୋଇପଡ଼ିଲେ । ଏଥିପୂର୍ବରୁ ସେମାନେ ବାଘ କଥା ଶୁଣିଥିଲେ; କିନ୍ତୁ କିଛି ଦିନ ହେଲା କେହି ମରିବା ବା ହଜିବା ଶୁଣି ନ ଥିବାରୁ ସେମାନେ ନିଶ୍ଚିନ୍ତ ଥିଲେ । ଏବେ ସେମାନଙ୍କ ଆଶଙ୍କା ହେଲା ।

 

ମଣିଷଖିଆ ବାଘମାନଙ୍କର କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ସେଥିରେ ଗୋଟାଏ ନିୟମ ଥିଲା ପରି ବୋଧହୁଏ । କୌଣସି କାରଣରୁ ବାଘ ସାଧାରଣତଃ ତାର ସ୍ଵାଭାବିକ ଖାଦ୍ୟ ସଂଗ୍ରହ କରିବାକୁ ଅକ୍ଷମ ହୋଇପଡ଼ିଲେ ସେ ମଣିଷଖିଆ ବାଘରେ ପରିଣତ ହୁଏ । କୌଣସି ଶିକାରୀ ଦ୍ଵାରା ଆହତ ହେଲେ ସେ ବଣରୁ ତାର ପ୍ରକୃତିଦତ୍ତ ଖାଦ୍ୟ ଶିକାର କରିବାକୁ ଅକ୍ଷମ ହୋଇପଡ଼େ । କ୍ଵଚିତ କୌଣସି ବାଘୁଣୀ ମଣିଷ ଖାଉଥିଲେ, ତାର ଛୁଆ ମଣିଷମାଂସର ସ୍ଵାଦ ଜାଣିଥାଏ । ପ୍ରଥମେ ପ୍ରଥମେ ବାଘ ବା ବାଘୁଣୀ ଖୁବ ଡରି ଡରି ମଣିଷ ମାରେ । କେତେଜଣ ମଣିଷ ମାରି ଖାଇଲା ପରେ ତାର ସାହସ ବଢ଼ିଯାଏ । ସେ ଅନୁଭବରୁ ଜାଣିଯାଏ ଯେ ମଣିଷଜାତିଟାର ଦେହର ବଳ କମ ଓ ସେ ନିତ୍ୟାନ୍ତ ଅସହାୟ । ମଣିଷଖିଆ ବାଘ ଯେତେ ବଳୁଆ ହେଉ, ଯେତେ ସାହସୀ ହେଉ, ଭିତରେ ଭିତରେ ତାର ମନୁଷ୍ୟ ପ୍ରତି ଗୋଟାଏ ଅଜଣା ଭୟ ରହିଥାଏ । ସେମାନେ ସାଧାରଣତଃ ମଣିଷକୁ ଏକୁଟିଆ ଦେଖିଲେ ବା କୌଣସି ଦଳରେ ସବା ପଛରେ ବା ସବା ଆଗରେ ଥିବାର ଦେଖିଲେ ତାକୁ ଟେକିନିଅନ୍ତି । କୌଣସି ମଣିଷଖିଆ ବାଘ ଏକସଙ୍ଗେ ଦଳବଦ୍ଧ ଲୋକଙ୍କୁ ଆକ୍ରମଣ କରିଥିବାର କେବେ ଶୁଣାଯାଇନାହିଁ; ବରଂ ଅଧିକାଂଶ କ୍ଷେତ୍ରରେ ଦେଖାଯାଇଅଛି ଯେ ମଣିଷ ବାଘକୁ ଦେଖିଲାମାତ୍ରେ ତାର ପ୍ରତିରୋଧ କରି ନିଜ ଜୀବନ ବଞ୍ଚାଇବାର ଉଦ୍ୟମ କଲେ ବାଘ ମଣିଷକୁ ଛାଡ଼ି ପଳାଇଯାଏ । ମହାବଳ ବାଘ ଅପେକ୍ଷା ଚିତାବାଘ କ୍ଷେତ୍ରରେ ଏହା ଅଧିକ ସତ୍ୟ । ମହାବଳ ବାଘ ହାବୁଡ଼ରୁ ଉଦ୍ଧାର ପାଇଥିବା ଘଟଣା କ୍ଵଚିତ୍ ଶୁଣାଯାଇଥାଏ । କ୍ରମେ କ୍ରମେ ବାଘ ଖୁବ୍ ସାବଧାନ ହୋଇଯାଏ; ସେ ଜାଣିପାରେ ଯେ ମଣିଷ ତାକୁ ମାରିବାକୁ ନାନା କୌଶଳ କରୁଛି ।

 

ମଣିଷଖିଆ ବାଘ ଯେଉଁ ବାଟରେ ଆତଯାତ ହୁଏ ତାହା ଶତ ଶତ ମାଇଲି ବ୍ୟାପୀ ହୋଇପାରେ । ସେ କୌଣସି ନିର୍ଦ୍ଦିଷ୍ଟ ବାଟରେ ଯାଇ ଗୋଟିଏ ଗାଆଁର ଆଖପାଖରେ ଦଶ ପନ୍ଦର ଦିନ ଲୁଚି ରହେ । ସେଠାରେ ତାର ଉଦ୍ଦେଶ୍ୟ ସଫଳ ନ ହେଲେ ସେ ଅନ୍ୟ ଏକ ଗ୍ରାମ ନିକଟକୁ ଚାଲିଯାଏ । ସେଠାରେ ହୁଏତ ସେ ଜଣେ ଦୁଇଜଣ ମଣିଷ ଖାଇବାକୁ ସମର୍ଥ ହୁଏ । ସଙ୍ଗେ ସଙ୍ଗେ ସେ ଉକ୍ତ ସ୍ଥାନ ତ୍ୟାଗକରେ ଓ ଲୋକେ ବାଘଭୟ ଭୁଲିଯାନ୍ତି । ସେମାନେ ନିର୍ଭୟରେ ଚଳପ୍ରଚଳ ହୁଅନ୍ତି, ସାବଧାନ ରହନ୍ତି ନାହିଁ । ସେତେବେଳେ ବାଘ ପୁଣି ସେଟାକୁ ଆସି ତାର କାର୍ଯ୍ୟ ଚଳାଏ । ମଣିଷଖିଆ ବାଘ ଯେଉଁ ଅଞ୍ଚଳରେ ଥାଏ, ସେ ଅଞ୍ଚଳରେ ସେ ବୁଲି ବୁଲି ଏହିପରି ତାର ଦୌରାତ୍ମ୍ୟ । କୌଣସି ଗୋଟିଏ ସ୍ଥାନରେ ବହୁଦିନ ଧରି ରହିବା ତାର ପ୍ରକୃତି ନୁହେଁ; ପାଳି କରି ବୁଲୁଥାଏ ।

 

କେହି ଯଦି ଗୋଟିଏ ମାନଚିତ୍ରରେ ବାଘ ମଣିଷ ଖାଇଥିବା ସ୍ଥାନମାନଙ୍କରେ ଛକ ଦେଇ ତାରିଖ ଲେଖି ରଖେ ତେବେ ସେ ବାଘର ଚଳାଚଳ ସୀମା ଓ କେବେ କେଉଁ ସ୍ଥାନକୁ ବାଘ ଆସିବ, ତାର ଏକ ସ୍ପଷ୍ଟ ଧାରଣା କରିପାରିବ । ହୁଏତ ହିସାବରେ ସପ୍ତାହେ ଖଣ୍ଡେ ଆଗ ପଛ ହେବ; କିନ୍ତୁ ସେ ନିଶ୍ଚୟ ଆସିବ । ମଣିଷଖିଆ ବାଘକୁ ମାରିବାକୁ ହେଲେ ଶିକାରୀ ପକ୍ଷରେ ଏଭଳି ହିସାବ ରଖିବା ନିତାନ୍ତ ଦରକାର ।

 

ଚିତାବାଘର ଗତାଗତ ରୀତି ଏପରି ନିୟମିତ ନୁହେଁ । ସେ କେଉଁଦିନ କେଉଁଠାରେ ଶିକାର କରିବ ତାହା ଅନୁମାନ କରିବା ଅସମ୍ଭବ । ମୁଖ୍ୟତଃ ତାର ଶିକାର ସମୟ ହେଉଛି ରାତ୍ରି । ଦିନରେ ସେ କ୍ଵଚିତ୍ ଦେଖାଦିଏ । ଚିତାବାଘ ମହାବଳ ବାଘଠାରୁ ଆକାରରେ ଛୋଟ ଥିବାରୁ ସେ ଯେକୌଣସି ସ୍ଥାନରେ ଛପିରହିପାରେ । କେତେଥର ମଣିଷ ଖାଇବାପରେ ତାର ସାହସ ଏତେ ଦୂର ବଢ଼ିଯାଏ ଯେ ସେ ଘର ଭିତରୁ ମଣିଷ ଟାଣିନେବାକୁ କୁଣ୍ଠିତ ହୁଏ ନାହିଁ । ମହାବଳ ବାଘ ଏପରି କରିଥିବା ଘଟଣା ମୁଁ ଜାଣେ ନାହିଁ । ସେ ଦିନର ଯେକୌଣସି ସମୟରେ ମନୁଷ୍ୟକୁ ଆକ୍ରମଣ କରିପାରେ । ଗାଆଁ ମୁଣ୍ଡରେ ବା ବାଟଧାରରେ ଲୁଚିରହି ସେ ଏଭଳି ଆକ୍ରମଣ କରିଥାଏ-

 

ମୁଁ ନାନା ସ୍ଥାନରୁ ସମ୍ବାଦ ସଂଗ୍ରହ କରି ସେସବୁକୁ ଯଥାଯଥ ଭାବରେ ସଜାଇ ସେ ମଣିଷଖିଆ ବାଘ କିପରି ଚେଲେମାକୁ ଆସିଥିଲା ତାହା କହିଅଛି । ପରେ ଏହା ‘ହାଇଦ୍ରାବାଦ ବାଘ’ ନାମରେ ସୁପରିଚିତ ହୋଇଥିଲା । ଗାଜୁଲାପଲିର ଯେଉଁ ଯେଉଁ ଚେଞ୍ଚୁ ଜଣକ ଚଢ଼େଇ ଧରିବାକୁ ଯାଇଥିଲା ତାକୁ ମାରି ତାର ସାମାନ୍ୟ ମାଂସ ଖାଇବାପରେ ସେ ବାଘ କଅଣ କରିଥିଲା, ସେଥିରେ ବିସ୍ତୃତ ବିବରଣ ପାଠକକୁ ବିରକ୍ତିଜନକ ମନେହୋଇପାରେ । ସେ ଯେତେ ମଣିଷ ମାରିଥିଲା, ତାହା ଦକ୍ଷିଣରେ ଗାଜୁଲାପଲି–ଛେଲେମା ଆଞ୍ଚଲ ଓ ଉତ୍ତରରେ ହାଇଦ୍ରାବାଦ ଅନ୍ତର୍ଗତ କୃଷ୍ଣାନଦୀ ଭିତରେ ସୀମିତ ଥିଲା । ମାନଚିତ୍ରକୁ ଦେଖିଲେ ଜାଣିପାରିବ ଯେ ଏହି ସୀମାଟି ଅଳ୍ପ ନୁହେଁ । ମାଦିକେଣ୍ଡାର ନବାବଙ୍କ ଗୁଳିରେ ଜଖମ ହେବାପରେ ସେ ଖୁବ୍ ସାବଧାନ ହୋଇ ମଣିଷ ଖାଇବାକୁ ଲାଗିଲା । ଲୋକେ ତାଙ୍କୁ ମୂର୍ତ୍ତିମନ୍ତ ଯମ ବୋଲି କହିବାକୁ ଲାଗିଲେ । ଏଣିକି ସେ ଯାହାକୁ ମାରିଲା, ତାକୁ ସଙ୍ଗେ ସଙ୍ଗେ ଖାଇଲା, ବାସି ହେବାକୁ ଦେଲା ନାହିଁ; କୌଣସିଠାରେ ଶିକାରର କିଛି ଅଂଶ ବଳିପଡ଼ିଲେ ସେ ତାକୁ ଖାଇବାକୁ ସେଠାକୁ ଆଉ ଆସିଲା ନାହିଁ । ଯେଉଁ କେତେଜଣ ଶିକାରୀ ତାର ସନ୍ଧାନ ନେବାକୁ ଚେଷ୍ଟା କଲେ, ସେମାନେ ତାର ଏହି ଅଦ୍ଭୁତ ପ୍ରକୃତି ହେତୁ ତାର କୌଣସି ସନ୍ଧାନ ପାରିପାରିଲେ ନାହିଁ; ପରନ୍ତୁ କେତେ ଜଣ ଶିକାରୀ ବାଘର ଶିକାର ହେଲେ । ବାସିମାଂସ ଖାଉନଥିବାରୁ ବେଶୀ ମଣିଷ ମାରିବା ତା ପକ୍ଷରେ ଆବଶ୍ୟକ ପଡ଼ୁଥିଲା । ସେଇ ବିସ୍ତୃତ ଅଞ୍ଚଳଟି ଦୁର୍ଗମ ଓ ଦୂରବର୍ତ୍ତୀ ହୋଇଥିବାରୁ ବାଘର ଅତ୍ୟାଚାର ବାହାର ଲୋକଙ୍କ ମଧ୍ୟରେ କ୍ଵଚିତ୍ ପ୍ରଚାରିତ ହେଉଥିଲା । କେବେ କେବେ ସ୍ଥାନୀୟ ସମ୍ବାଦପତ୍ରରେ ଧାଡ଼ିଏ ଦୁଇ ଧାଡ଼ିରେ ପ୍ରକାଶ ପାଉଥିଲା–ଅମୁକ ସ୍ଥାନରେ ବାଘ ଜଣେ ଲୋକକୁ ମାରିପକାଇଅଛି । ଥରେ ଏଭଳି ସମ୍ବାଦ ପାଇବାର କେତେ ସପ୍ତାହ ପରେ ପୁଣି ହୁଏତ ସେହିଭଳି ସମ୍ବାଦ ବାହାରୁଥିଲା । ଲୋକ ସାଧାରଣ ଏପ୍ରକାର ସମ୍ବାଦରେ ଆଦୌ ବିଚଳିତ ହେଉନଥିଲେ । ଏହିପରି ସାଢ଼େ ତିନି ବର୍ଷ ଚାଲିଗଲା । ଏହି ସମୟ ଭିତରେ ପ୍ରାୟ ଅଶୀ ଜଣ ଲୋକ ବାଘ ହାବୁଡ଼ରେ ପଡ଼ି ପ୍ରାଣ ହରାଇଥିଲେ । ଏତେ ଦିନେ ଲୋକେ ବାଘ ଦୌରାତ୍ମ୍ୟର ଭୀଷଣତା ଅନୁଭବ କରିପାରିଲେ ।

 

ଅଶୀଜଣ ଲୋକ ଗୋଟାଏ ବାଘର ପେଟକୁ ଗଲେଣି–ଏ ସଂବାଦରେ ସହରର ଯେ କୌଣସି ଲୋକ ସ୍ତମ୍ଭୀଭୂତ ହୋଇଯିବ । ପାଶ୍ଚାତ୍ୟ ଚିନ୍ତାଧାରାରେ ଏପରି ହେବା ଅତି ସ୍ଵାଭାବିକ । କିନ୍ତୁ ଭାରତବର୍ଷ ଗୋଟାଏ ବିରାଟ ଦେଶ । ସେଠାରେ ମନୁଷ୍ୟର ହାରାହାରି ଆୟୁଷ ୩୦ ବର୍ଷ ମାତ୍ର । ଦୁର୍ଭିକ୍ଷ, ବନ୍ୟା, ବାତ୍ୟା, ରୋଗ ପ୍ରଭୃତି କାରଣରୁ ପ୍ରତିବର୍ଷ ସହସ୍ର ସହସ୍ର ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି । ସାପକାମୁଡ଼ାରେ ବର୍ଷକେ କେତେ ହଜାର ଲୋକ ମରିଥାନ୍ତି । ଶିଶୁ–ମୃତ୍ୟୁହାର ଅଧିକ ହେଲେହେଁ ଜନ୍ମହାର ତାହାଠାରୁ ଅଧିକ । ଫଳରେ ଲୋକସଂଖ୍ୟା ବୃଦ୍ଧି ଘଟୁଛି । ଏଭଳି ଏକ ଦେଶରେ ୮୦ ଜଣ ଲୋକଙ୍କର ମରଣ କିଛି ନୁହେଁ–ସମୁଦ୍ରକୁ ଶଙ୍ଖେ । ଏଥିରେ ବିଚଳିତ ହେବାର କାରଣ କଅଣ ? ୧୩୦୦ ଦିନରେ ଅଶୀ ଜଣ ଅର୍ଥାତ୍‍ ଷୋଳ ଦିନରେ ହାରାହାରି ଜଣେ ମଣିଷ । ଏତିକି ଖାଦ୍ୟ କଅଣ ଗୋଟାଏ ବାଘ ପକ୍ଷରେ ଯଥେଷ୍ଟ ? ଶିକାରୀମାନେ ସ୍ଥିର କଲେ ଏ ବାଘ ମନୁଷ୍ୟ ଛଡ଼ା ଅନ୍ୟ ଜନ୍ତୁ ମାରି ଅବଶ୍ୟ ଖାଉଥିବ; ହୁଏତ ଗ୍ରାମ୍ୟ ଜନ୍ତୁ ମଧ୍ୟ ଖାଉଥିବ । ତେଣୁ ଉପଯୁକ୍ତ ଆହାରର ଲୋଭ ଦେଖାଇଲେ ବାଘକୁ ମାରିବାର ସୁଯୋଗ ମିଳିପାରିବ ।

 

ଏହି ମଣିଷଖିଆ ବାଘ ଛଡ଼ା ଆହୁରି ଅନେକ ମହାବଳ ବାଘ ଓ ଚିତାବାଘ ଥିଲେ । ହାଇଦ୍ରାବାଦର ଜଙ୍ଗଲମାନଙ୍କରେ ଓ ଦକ୍ଷିଣ ଅଞ୍ଚଳରେ ସେମାନେ ପ୍ରତିବର୍ଷ ଅନେକ ଗୃହପାଳିତ ଜନ୍ତୁ ମାରୁଥିଲେ । ଯେଉଁ ବହୁ ସଂଖ୍ୟକ ଗୃହପାଳିତ ପ୍ରାଣୀ ଏମାନଙ୍କ ଦ୍ଵାରା ମରୁଥିଲେ, ସେମାନଙ୍କ ଭିତରୁ କେତୋଟିର ମୃତ୍ୟୁ ପାଇଁ ଏହି ମଣିଷଖିଆ ବାଘର କୀର୍ତ୍ତି, ଏ ବିଷୟରେ କାହାରି ସନ୍ଦେହ ନଥିଲା । ଏହାକୁ ଶିକାର କରିବାର ଗୋଟିଏ ସମ୍ଭାବନା ଥିଲା । ବାଘ କେଉଁ ଦିନ କେଉଁ ବାଟେ କେଉଁଠାକୁ ଆସିବ, ତାର ଗୋଟିଏ ଆନୁମାନିକ ହିସାବ କରି ଗୋଟାଏ ଗୋରୁକୁ ବାଘ ଆସିବା ବାଟରେ ବାନ୍ଧି ଦିଆଯିବ । ଅନୁମାନଟା ଯେ ନିଶ୍ଚୟ ଠିକ୍ ହେବ ତାହା କୁହାଯାଇ ନ ପାରେ । ତେଣୁ ଆନୁମାନିକ ଦିବସର ପୂର୍ବରୁ ବା ପରେ ପନ୍ଦର ଦିନ ପର୍ଯ୍ୟନ୍ତ ଏହିପରି ଏକ ଗୋରୁକୁ ବାନ୍ଧିବା ଦରକାର ପଡ଼ିପାରେ ।

 

ଏହି ବାଘର ଅତ୍ୟାଚାର ସମ୍ବାଦ ମୁଁ ସମ୍ବାଦପତ୍ରରୁ ସଂଗ୍ରହ କରୁଥିଲି । ଜଙ୍ଗଲ ବିଭାଗର କେତେକ କର୍ମଚାରୀ ମୋତେ ଏହି ବାଘକୁ ମାରିବାପାଇଁ ଚେଷ୍ଟା କରିବାକୁ ପାତ୍ର ଲେଖିଲେ; ମାତ୍ର ମୁଁ ସେମାନଙ୍କର ଏହି ଅନୁରୋଧ ପ୍ରତି ନଜର ଦେଇ ନଥିଲି । କାରଣ, ଦୀର୍ଘକାଳ ପାଇଁ ଏଭଳି କାର୍ଯ୍ୟରେ ରତ ରହିବାକୁ ମୋର ଅବସର ନ ଥିଲା; ପୁଣି ବାଘଟି ଯେଉଁ ଅଞ୍ଚଳରେ ଉତପାତ କରୁଥିଲା, ତାହା ବାଙ୍ଗାଲୋରଠାରୁ ବହୁତ ଦୂରରେ । ଏହି ହେତୁରୁ କୌଣସି ସ୍ଥାନରେ ବାଘର ସନ୍ଧାନ ମିଳିଲେ ବା ମଣିଷ ଖାଇଲେ ସେହି ସମ୍ବାଦ ମୋ ପାଖେ ପହଞ୍ଚିଲାବେଳକୁ ମୋର ସେଠାକୁ ଯାଇ କିଛି କରିବା ପାଇଁ ସମୟ ଅତିକ୍ରମ କରି ଯାଇଥାଏ । କୌଣସିଠାରେ ମହାବଳ ବା ଚିତାବାଘ ମଣିଷ ଖାଉଥିବା ବା ପାଗଳା ହାତୀ ଉପଦ୍ରବ କରୁଥିବା ଖବର ପାଇଲେ ମୁଁ ଖୁବ୍ ଆଗ୍ରହ ପ୍ରକାଶ କରିଥାଏଁ । ଉପଯୁକ୍ତ ମଣିଷଖିଆ ବାଘ ଘଟଣାରେ ମୁଁ ମାନ୍ଦ୍ରାଜ ପ୍ରଦେଶର ଓ ହାଇଦ୍ରାବାଦର ନିଜାମ ସରକାରଙ୍କ ଜଙ୍ଗଲ ବିଭାଗ ଓ ପୋଲିସ କର୍ତ୍ତୃପକ୍ଷଙ୍କ ନିକଟକୁ ପତ୍ର ଲେଖି ଏହି ବାଘ ସମ୍ପର୍କରେ ସମ୍ଭାବ୍ୟ ସମ୍ବାଦ ଯୋଗାଇବା ପାଇଁ ଅନୁରୋଧ କରିଥିଲି । ବିଶେଷତଃ କେଉଁ କେଉଁ ସ୍ଥାନରେ ଓ କେଉଁ କେଉଁ ତାରିଖରେ ବାଘ ମଣିଷ ଖାଇଥିଲା–ଏହା ମୁଁ ଜାଣିବାକୁ ଚାହିଁଥିଲି । ସେମାନଙ୍କ ଉତ୍ତର ପାଇ ଗୋଟିଏ ମାନଚିତ୍ରରେ ମୁଁ ସେହି ସେହି ସ୍ଥାନର ଗୋଟିଏ ଲେଖାଏଁ ଛକ ଦେଇ ତା ପାଖରେ ଘଟଣାର ତାରିଖ ଲେଖି ରଖୁଥିଲି । ତତ୍ପରେ ମୁଁ ସେହି ମାନଚିତ୍ରକୁ ପରୀକ୍ଷା କରି ଦେଖିଲି ଯେ ଏହି ବାଘ ଦୁଇ ତିନି ମାସ ଗାଜୁଲାପଲି ଓ ଚେଲେମା ଭିତରେ ମଣିଷ ମାରିବା ପରେ ତିନି ଚାରି ମାସ ପାଇଁ ଉତ୍ତରରେ ଥିବା ହାଇଦ୍ରାବାଦ ଅଞ୍ଚଳକୁ ଯାଉଥିଲା । ତାହାପରେ ସେ ପୁଣି ପୂର୍ବ ଅଞ୍ଚଳକୁ ଫେରିଆସୁଥିଲା । ଗାଜୁଲାପଲିଠାରୁ ବାସବପୁରମ୍‌ର ଦୂରତା ୬ ମାଇଲ ଓ ବାସବପୁରମ୍‌ଠାରୁ ଚେଲେମାର ଦୂରତା ୫ ମାଇଲ । ବଣରାସ୍ତାର ହିସାବରେ ଗୋଟିଏ ଅଂଶ ଅନ୍ୟ ଅଂଶକୁ ମାଡ଼ିଯାଇଥିବା ସମ୍ଭବ । ତେଣୁ ସମୁଦାୟ ଅଞ୍ଚଳଟିର ବିସ୍ତାର ୧୫ ମାଇଲ ହେବ ବୋଲି ମୁଁ ସ୍ଥିର କଲି । ଏହି ସ୍ଥାନଗୁଡ଼ିକ ବାଙ୍ଗାଲୋରଠାରୁ ବେଶି ଦୂର ନୁହେଁ । ହାଇଦ୍ରାବାଦର ଉପଦ୍ରୁତ ଅଞ୍ଚଳ ଏହିଠାରୁ ଅଧିକ ଦୂର । ପୁଣି ଏହି ଅଞ୍ଚଳର ବିସ୍ତାର କମ୍ । ଆହୁରି ଗୋଟିଏ ସୁବିଧା ହେଲା, ମିଟର ଗଜ ରେଳବାଇ ଏହାର କେତେକ ଅଂଶକୁ ବାଙ୍ଗାଲୋର ସହିତ ସଂଯୁକ୍ତ କରୁଥିଲା । ହାଇଦ୍ରାବାଦର ଉପଦ୍ରୁତ ଅଞ୍ଚଳରେ ସେ ପ୍ରକାର ସୁବିଧା ନ ଥିଲା ଓ ମୋଟର ଉପଯୋଗୀ ରାସ୍ତାର ଅଭାବ ଥିଲା । ଦକ୍ଷିଣାଅଞ୍ଚଳରେ ଲୋକବସତି ଅଧିକ ଥିବାରୁ ସେଠାରେ ବେଶୀ ଜନସହଯୋଗ ମିଳିବ ବୋଲି ଆଶା କରାଯାଉଥିଲା । ଆହୁରି ମଧ୍ୟ କୌଣସିଠାରେ ବାଘ ମଣିଷ ଖାଇଲେ ସେହି ସମ୍ବାଦ ଅବିଳମ୍ବେ ପାଇବାର ସମ୍ଭାବନା ଥିଲା । ହାଇଦ୍ରାବାଦ ଜଙ୍ଗଲର ଏପ୍ରକାର ସୁବିଧା ନଥିଲା ।

 

ମୁଁ କେଉଁଆଡ଼ୁ ମୋର ଉଦ୍ୟମ ଆରମ୍ଭ କରିବି, ସେ ବିଷୟରେ ଦୋଳାୟମାନ ହେଉଥିଲି । ଠିକ୍ ଏହି ସମୟରେ ବାଘ ମହାଶୟ ମୋର ସନ୍ଦେହ ଦୂର କରିଦେଲେ ।

 

ଦିନେ ସକାଳେ ଜଣେ ରେଳବାଇ କର୍ମଚାରୀ ରେଳପଥ ପରିଦର୍ଶନ କରିବା ପାଇଁ ଟ୍ରଲିରେ ବସି ଚେଲେମାଠାରୁ ବାସବପୁରମ୍ ଆଡ଼କୁ ବାହାରିଲେ । ଏଭଳି ପରିଦର୍ଶନ ତାଙ୍କର ଗୋଟିଏ ନିୟମିତ କର୍ତ୍ତବ୍ୟ । ଭାରତୀୟ ରେଳପଥରେ ବ୍ୟବହୃତ ହେଉଥିବା ଟ୍ରଲି ବିଷୟରେ ଟିକିଏ ଧାରଣା ଦେବା ଦରକାର । ଏଥିରେ ଦୁଇଯୋଡ଼ା ଚକ ଥାଏ । ଚକ ଉପରେ ଥାଏ ଗୋଟିଏ କାଠପଟାର ମେଜିଆ । ଏହାର ଲମ୍ବ ପ୍ରାୟ ଛଅ ଫୁଟ । ମେଜିଆ ଉପରେ ଗୋଟିଏ ବେଞ୍ଚ ଥାଏ । ପରିଦର୍ଶକ କର୍ମଚାରୀ ସେହି ବେଞ୍ଚ ଉପରେ ବସନ୍ତି । ଦୁଇ ଜଣ କୁଲି ଟ୍ରଲିକୁ ପଛପଟୁ ଠେଲିଠେଲି ରେଳଲାଇନ୍ ଉପରେ ଚଲାଉଥାନ୍ତି । ଖାଲି ପାଦରେ ରେଳଲାଇନ ଉପରେ ସେ ଦୁହିଁଙ୍କୁ ଦଉଡ଼ିବାକୁ ହୋଇଥାଏ । ଠିକ୍ ଲାଇନ ଉପରେ ପାଦ ରଖି ନ ପାରିଲେ ରେଳରାସ୍ତା ମଝିରେ ପଡ଼ିଥିବା ପଥରରେ ଝୁଣ୍ଟିପଡ଼ି ଆଘାତ ପାଇବାର ଆଶଙ୍କା ଥାଏ । ଏହି କୁଲିଙ୍କୁ ‘ଟଲିମାନ’ କୁହାଯାଏ । ଦୀର୍ଘ ଦିନର ଅଭ୍ୟାସ ହେତୁ ସେମାନେ ପ୍ରାୟ ଦୁର୍ଘଟଣାରେ ପଡ଼ନ୍ତି ନାହିଁ । ଉଠାଣି ଜାଗାରେ ଟ୍ରଲି ଖୁବ୍ ଧୀର ଗତିରେ ଯାଏ । ସମତଳ ଅଞ୍ଚଳରେ ଏହାର ବେଗ ଘଣ୍ଟାକେ ପ୍ରାୟ ୮ ମାଇଲ । ଗଡ଼ାଣିଆ ଜାଗାରେ ଟ୍ରଲିମାନ ଦୁହେଁ ଥରେ ଟ୍ରଲିକୁ ଠେଲିଦେଇ ତାହା ଉପରକୁ ଉଠିଯାନ୍ତି; ଟ୍ରଲି ଆପେ ଆପେ କିଛି ଦୂର ଗଡ଼ିଯାଏ । ଟ୍ରଲିର ଗତି ନିୟନ୍ତ୍ରଣ କରିବା ପାଇଁ ବେଞ୍ଚରେ ବସିଥିବା ଅଫିସରଙ୍କ ହାତ ପାଖରେ ଗୋଟାଏ ବ୍ରେକ ଥାଏ । ଆଗରୁ ଯାତ୍ରୀଗାଡ଼ି ଆସୁଥିଲେ ସମଗ୍ର ଟ୍ରଲିକୁ ରେଳଲାଇନ ଉପରୁ ଉଠାଇ ନିଆଯାଏ ।

 

ସେ ଦିନ ଟ୍ରଲିଟି ଉଠାଣିକୁ ଯାଉଥିଲା; ସେଠାରେ ରେଳପଥର ଦୁଇପାଖ ଢିପ । ବର୍ଷାପାଣି ବୋହିଯିବା ପାଇଁ ଲାଇନର ଦୁଇପାଖେ ସରୁ ନାଳ ଖୋଳାହୋଇଥିଲା । କର୍ମଚାରୀଜଣକ ସେହି ନାଳ ପରୀକ୍ଷା କରି ଦେଖିବା ପାଇଁ ଟ୍ରଲିରେ ବ୍ରେକ ଦେଲେ । ଦୁଇ ଘଣ୍ଟା ଭିତରେ କୌଣସି ଯାତ୍ରୀଗାଡ଼ି ସେବାଟେ ଯିବାକୁ ନଥିଲା । କର୍ମଚାରୀ ବେଞ୍ଚରୁ ଓହ୍ଲାଇ ନାଳ ଦେଖିବାକୁ ବାହାରିଲେ । ଜଣେ ଟ୍ରଲିମାନ ଟ୍ରଲି ଉପରେ ବସି ଆରମ କଲା । ଅନ୍ୟ ଜଣକ ରେଳଲାଇନର ଗୋଟିଏ ପାଖରେ ଥିବା ଢିପ ଜାଗାକୁ ଉଠିଯାଇ ସେଠାରେ ବସିଲା । ଏହି ଜାଗାଟି ରେଳଲାଇନଠାରୁ ପ୍ରାୟ ୭ ଫୁଟ ଉଚ୍ଚ । ସେ ଅଣ୍ଟାରୁ ବିଡ଼ି ବାହାର କରି ଧୂଆଁ ଖାଇବାକୁ ଲାଗିଲା ।

 

ପରିଦର୍ଶକ ଟ୍ରଲିଠାରୁ ଦୂରକୁ ଗଲେ । ଟ୍ରଲିରେ ବସିଥିବା ଲୋକଟି ବସୁ ବସୁ ଢୁଳେଇବାକୁ ଲାଗିଲା । ତାର ସାଥି ଢିପରେ ବସି ଖଣ୍ଡିଏ ବିଡ଼ି ଶେଷ କଲା । ସେ ଆଉ ଖଣ୍ଡିଏ ବିଡ଼ି ଲଗାଇ ଆନନ୍ଦରେ ନାକବାଟେ ଧୂଆଁ ଛାଡ଼ିବାକୁ ଆରମ୍ଭ କଲା ।

 

ପରିଦର୍ଶକ ଗୋଟିଏ ପାଖର ନାଳ ପରୀକ୍ଷା କରି କରି ପ୍ରାୟ ଶହେ ଗଜ ଆଗେଇଗଲେ । ତାହାପରେ ଅପର ପାଖର ନାଳ ଦେଖିବା ଉଦ୍ଦେଶ୍ୟରେ ସେ ରେଳଲାଇନ ଅତିକ୍ରମ କରିବାକୁ ବୁଲିପଡ଼ିଲେ । ଟ୍ରଲିଟା ତାଙ୍କ ଆଖିରେ ପଡ଼ିଲା । ଜଣେ ଟ୍ରଲିମାନ ଟ୍ରଲି ଉପରେ ନିଶ୍ଚିନ୍ତରେ ଶୋଇଛି । ଆର ଜଣକ ରେଳଲାଇନ ବାହାରେ ଢିପ ଉପରେ ବସି ବିଡ଼ିରୁ ଧୂଆଁ ଛାଡ଼ୁଛି । ରେଳଲାଇନର ଦୁଇ ପାଖରେ ପ୍ରାୟ ୫୦ ଗଜ ଦୂରରେ ଘୋର ଜଙ୍ଗଲ । ଲାଇନଠାରୁ ଜଙ୍ଗଲ ପର୍ଯ୍ୟନ୍ତ ଛୋଟ ଛୋଟ ବୁଦାର ଅଭାବ ନଥିଲା । ପରିଦର୍ଶକ ଲକ୍ଷ୍ୟ କଲେ, ଧୂଆଁ ଖାଉଥିବା ଟ୍ରଲିମାନ ପାଖରୁ ଅଳ୍ପ ଦୂରରେ ଗୋଟିଏ ବୁଦାଭିତରୁ ଗୋଲ ଆକାରର ଗୋଟାଏ କିଛି ପଦାକୁ ବାହାରିପଡ଼ିଛି । ଏହା ହଲୁଥିଲା । ସୂର୍ଯ୍ୟକିରଣ ବୁଦାର ପତ୍ର ଉପରେ ପଡ଼ି ଅନେକ ଆଲୋକବିନ୍ଦୁ ସୃଷ୍ଟି କରୁଥିଲା । କିନ୍ତୁ ବୁଦାର ନିମ୍ନ ଭାଗରେ ତଥା ସେହି ଅଜ୍ଞାତ ‘ଗୋଟାଏର କିଛି’ ଉପରେ ଆଲୋକ ପଡ଼ୁ ନଥିବାରୁ ଅନ୍ଧାରିଆ ଦେଖାଯାଉଥିଲା । ସେହି ‘ଗୋଟାଏ କିଛି’ ଅଳ୍ପ ଦୂରକୁ ଘୁଞ୍ଚିବାରୁ ପରିଦର୍ଶକ କର୍ମଚାରୀ ତାହାକୁ ନିରେଖି ଚାହିଁଲେ । ଏଇଟା କଅଣ ହୋଇପାରେ-? ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ପରେ ସେହି ‘ଗୋଟାଏ କିଛି’ ତଳକୁ ଲେପଟେଇ ପଡ଼ି ଭୂମିରେ ମିଶିଗଲା ପରି ଜଣାଗଲା । ସେ ଆଉ କିଛି ଦେଖିପାରିଲେ ନାହିଁ ।

 

ରେଳଲାଇନ ଡେଇଁ ସେ ଟ୍ରଲିଆଡ଼କୁ ଆଗେଇଲେ । ଲାଇନର ଆରପାଖ ଉପରେ ତାଙ୍କ ଦୃଷ୍ଟି ପଡ଼ିଲା । ଏଥିମଧ୍ୟରେ ସେ ‘ଗୋଟାଏ କିଛି’ ବିଷୟ ଏକବାରେ ଭୂଲିଯାଇଥିଲେ । ହଠାତ୍ ଗୋଟାଏ ବିକଳ ଚିତ୍କାର ଶୁଣାଗଲା; ସେ ଦେଖିଲେ, ଢିପରେ ବସି ବିଡ଼ି ଖାଉଥିବା କୁଲିକୁ କିଏ ଘୋଷାଡ଼ି ନେଉଛି । ମୁହୂର୍ତ୍ତକେ କୁଲି ଅଦୃଶ୍ୟ ହୋଇଗଲା । ତାର ଚିତ୍କାର କ୍ଷୀଣ ଭାବରେ ଶୁଣାଗଲା । ଲୋକଟାର କଅଣ ହେଲା, କାହିଁକି ସେ ଚିତ୍କାର କରୁଥିଲା, କୁଆଡ଼େ ଗଲା–ଏସବୁ ଜାଣିବା ପାଇଁ କର୍ମଚାରୀ ଜଣକ ଲାଇନ ଆରପାଖକୁ ଦଉଡ଼ିଯାଇ ଭଲକରି ଚାହିଁଲେ । ଦେଖିଲେ, ଗୋଟାଏ ବାଘ ତାଙ୍କ କୁଲିକୁ କାମୁଡ଼ି ଧରି ବଣ ଆଡ଼କୁ ଚାଲିଛି । ଲୋକଟାର ଗଣ୍ଡି ମାଟିରେ ଘୁଷୁରୁଛି; ସେ ହାଟଗୋଡ଼ ଛାଟି ପଟିକରୁଛି । କେତେ ସେକେଣ୍ଡ ଭିତରେ ବାଘ କି ମଣିଷ କେହି ଆଉ ଦେଖାଗଲେ ନାହିଁ ।

 

ଏହା ଦେଖି କର୍ମଚାରୀଙ୍କର ପାଦ ଚଳିଲାନାହିଁ । ସେ କାଠପରି ଠିଆହୋଇ ରହିଲେ । ମିନିଟିଏ ଦୁଇମିନିଟ ପରେ ସେ ପ୍ରକୃତିସ୍ଥ ହୋଇ କଅଣ କରିବେ ସ୍ଥିରକରିନେଲେ । ସେ ଅତି ଶୀଘ୍ର ପ୍ରାଣପଣେ ଦଉଡ଼ି ଟ୍ରଲିପାଖକୁ ଆସିଲେ । ଏଥିମଧ୍ୟରେ ସାଥୀର ଚିତ୍କାର ଶୁଣି ଅନ୍ୟ କୁଲିଜଣକ ନିଦରୁ ଉଠିପଡ଼ିଥିଲା । ତଥାପି ଘଟଣା କଅଣ ସେ ଜାଣିପାରି ନଥିଲା । କେବଳ ଅଫିସର ଟ୍ରଲିଆଡ଼କୁ ଦଉଡ଼ୁଥିବାର ସେ ଦେଖିପାରୁଥିଲା ।

 

ଅଫିସର ସେ କୁଲିକୁ ବଡ଼ପାଟିରେ କହିଲେ, ‘ବାଘ୍ ରେଡ଼ିକୋ ଲେଏକେ ଗୈୟା’ (ରେଡ଼ିକୁ ବାଘ ନେଇଗଲା) । ପରେ ପରେ ହୁକୁମ ଦେଲେ–‘ଟ୍ରଲିକୋ ଧକ୍କଲାଓ ଜଲଦି’ (ଅତି ଶୀଘ୍ର ଟ୍ରଲିକୁ ଚଲା) । ଆଉ କିଛି ଉପଦେଶ ଦରକାର ନଥିଲା । ନିଜେ ଅଫିସର ଓ କୁଲି ଦୁହେଁ ଯଥାଶକ୍ତି ଟ୍ରଲିକୁ ଠେଲିଠେଲି ଗୋଟାଏ ଗଡ଼ାଣିଯାଏ ଆଣିଲେ । ସେଠାରୁ ଟ୍ରଲି ଆପେ ଆପେ ଗଡ଼ିବାରୁ ଦୁହେଁ ତା ଉପରକୁ ଉଠିଗଲେ । ଏହିପରି ସେ ଦୁହେଁ ଏ ଭୀଷଣ ସ୍ଥାନରୁ ଷ୍ଟେସନକୁ ଫେରିଲେ ।

 

ଏହି କୁଲିକୁ ବାଘ ନେଇଯିବା ଘଟଣା ସମ୍ବାଦପତ୍ରମାନଙ୍କରେ ବିଶେଷ ଭାବରେ ପ୍ରକାଶ ପାଇଲା । ସବୁଆଡ଼ୁ ପରିଦର୍ଶକ କର୍ମଚାରୀଙ୍କର ସମାଲୋଚନା ହେଲା । କେହି କହିଲେ–ନିଜର ଜଣେ ଲୋକ ବିପଦରେ ପଡ଼ିଥିବାବେଳେ ତାକୁ ସାହାଯ୍ୟ ନକରି ପଳାଇଆସିବା ତାଙ୍କ ଭୀରୁତାର ପରିଚାୟକ । କେହି କହିଲେ, ଉକ୍ତ କୁଲିର ମୃତ୍ୟୁପାଇଁ ତାଙ୍କୁ ଦାୟୀକରିବା ଉଚିତ; ସେ ନୈତିକତା ଦୃଷ୍ଟିରୁ ଜଣେ ନରହନ୍ତା । କେହି କହିଲେ–ସେ ଜଣେ ନରଦେହଧାରୀ ପଶୁ । ଯେଉଁମାନେ ଏଭଳି ସମାଲୋଚନା କରୁଥାନ୍ତି, ସେମାନେ ଉକ୍ତ ପରିଦର୍ଶକଙ୍କ ସ୍ଥାନରେ ଥିଲେ କଅଣ କରିଥାନ୍ତେ–ଏକଥା ଭାବି ମୁଁ ବିସ୍ମିତ ଓ ଦୁଃଖିତ ହେଲି । କେହି ଭାବିଲେ ନାହିଁ–ହଠାତ୍ ଏସବୁ ଘଟିଗଲା । ଅଫିସରଙ୍କ ହାତରେ ଅସ୍ତ୍ରଶସ୍ତ୍ର କିଛି ନଥିଲା । ପଳାଇଆସିବା ଛଡ଼ା ତାଙ୍କର କି ଚାରା ଥିଲା ?

 

ମୁଁ ଭାବିଲି, ଏଣିକି ଏ ବାଘକୁ ମାରିବାପାଇଁ ଉଦ୍ୟମ କରିବା ଦରକାର । ମୁଁ ଏହି ଉଦ୍ଦେଶ୍ୟରେ ବାଙ୍ଗାଲୋରରୁ ଟ୍ରେନରେ ବାହାରିଲି ।

 

ଗାଡ଼ି ରାତିରେ ଷ୍ଟେସନ ଛାଡ଼ିଲା । ପରଦିନ ଉପରବେଳା ମୁଁ ଗାଜୁଲାପଲି ଷ୍ଟେସନରେ ଗାଡ଼ିରୁ ଓହ୍ଲାଇଲି ।

 

କି ପ୍ରକାରେ କାର୍ଯ୍ୟ କରିବାକୁ ହେବ ଚିନ୍ତାକଲି । ମୋର ମନେହେଲା, ଉପଦ୍ରୁତ ଅଞ୍ଚଳର ଗୋଟାଏ ମୁଣ୍ଡରୁ କାର୍ଯ୍ୟ ଆରମ୍ଭ କରି କ୍ରମେ ବାସବପୁରମ୍ ଓ ଚେଲେମା ଆଡ଼କୁ ଆଗେଇବା ବୁଦ୍ଧିମାନ୍‌ର କାମ ହେବ । ମଝିରୁ ଯଥାତଥା କାମ କରିବାକୁ ଗଲେ କିଛି ହେବନାହିଁ । ବଡ଼କଥା ହେଉଛି, ମୋର ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଦରକାର । ଜଙ୍ଗଲ ଅଞ୍ଚଳରେ ଜଣେ ବାଟକଢ଼ାଳି ନହେଲେ ଚଳିବନାହିଁ; କାରଣ ଏ ଜିଲାକୁ ମୁଁ ଅନେକ ଦିନ ତଳେ ଥରେମାତ୍ର ଆସିଥିଲି । ଅଞ୍ଚଳଟି ମୋ ପକ୍ଷରେ ଅଜ୍ଞାତ ଥିଲା । ମୁଁ ସାଙ୍ଗରେ ମୋର ମାନଚିତ୍ର ନେଇଥିଲି । ଏହି ମାନଚିତ୍ର ସାହାଯ୍ୟରେ ବାଘ ଯେଉଁଠାରେ ପୂର୍ବେ ଚଢ଼େଇ ଧରିବାକୁ ଫାଶ ବସାଉଥିବା ଚେଞ୍ଚୁକୁ ଖାଇଥିଲା, ସେ ସ୍ଥାନଟି ଚିହ୍ନି ପାରିବି ବୋଲି ମୋର ଖୁବ୍ ଆଶା ଥିଲା । ଗଛରେ ଚଢ଼ିଥିବାରୁ ଯେଉଁ ଚେଞ୍ଚୁ ଯୁବକଟି ରକ୍ଷାପାଇ ଯାଇଥିଲା, ତାହାଠାରୁ ଯଥେଷ୍ଟ ସାହାଯ୍ୟ ପାଇପାରିବି ବୋଲି ମୋର ଦୃଢ଼ ବିଶ୍ଵାସ ହେଲା ।

 

ଗାଡ଼ି ଷ୍ଟେସନରୁ ଚାଲିଯିବା ପରେ ମୁଁ ଯାଇ ଷ୍ଟେସନ ମାଷ୍ଟର ଓ କେତେ ଜଣ ରେଳବାଇ କର୍ମଚାରୀଙ୍କ ସଙ୍ଗେ ବନ୍ଧୁତା ସ୍ଥାପନକଲି । ମଣିଷଖିଆ ବାଘଟାକୁ ଶିକାରକରିବା ଉଦ୍ଦେଶ୍ୟରେ ମୁଁ ଆସିଛି ବୋଲି ଶୁଣି ସେମାନେ ଖୁବ୍ ଆନନ୍ଦ ପ୍ରକାଶକଲେ ଓ ସେମାନେ ମୋତେ ଏଦିଗରେ ପ୍ରାଣପଣେ ସାହାଯ୍ୟ କରିବେ ବୋଲି କହିଲେ । ସେଠାର ସ୍ଥାନୀୟ ଭାଷା ତେଲୁଗୁ ହୋଇଥିବାରୁ ଓ ତେଲୁଗୁ ଜାଣି ନଥିବାରୁ ମୋର ଟିକିଏ ଅସୁବିଧା ହେଉଥିଲା । ତେଲୁଗୁର କେବଳ କେତୋଟି ଶବ୍ଦ ମୁଁ କହିପାରୁଥିଲି । ତେବେ ଏ ଅସୁବିଧାଟା ଅତିକ୍ରମ କରିବା କଠିନ ହୋଇ ନଥିଲା । ମୁଁ ତାମିଲ ଓ ହିନ୍ଦୁସ୍ଥାନୀ ଭାଷା ଦୁଇଟି ବେଶ୍ କହିପାରୁଥିଲି । ସେଠାର ଲୋକେ ଏହି ଦୁଇଭାଷା ଊଣା ଅଧିକେ ବୁଝିପାରୁଥିଲେ । ତେଣୁ ଆମେ କଥାବାର୍ତ୍ତା ହେବା ଏକବାରେ ଅସାଧ୍ୟ ନଥିଲା । ଷ୍ଟେସନ ମାଷ୍ଟର ତ ଇଂରେଜୀ ଜାଣିଥିଲେ । ଦୈବାତ୍ ସ୍ଥାନୀୟ ଲୋକଙ୍କ ସଙ୍ଗେ କଥାବାର୍ତ୍ତାବେଳେ ନିତାନ୍ତ ଅସୁବିଧା ଉପୁଜିଲେ ସେ ସାହାଯ୍ୟ କରୁଥିଲେ ।

 

ମୁଁ ସେମାନଙ୍କୁ ମୋର ଯୋଜନା ଜଣାଇଦେଲି । ପ୍ରଥମତଃ ଏଇ ବାଘ ବିଷୟରେ ମୋର ଆଉ କେତେକ ସମ୍ବାଦ ଜାଣିବା ଦରକାର । ଅନ୍ୟ ବାଘମାନଙ୍କଠାରୁ ଏହାର ବିଶେଷତ୍ଵ ଜାଣିବା ଆବଶ୍ୟକ । ସେ ଦେଖିବାକୁ କିପରି, ତାର ଚାଲିଚଳନ ଓ ରୀତିନୀତି କିପରି ଏସବୁ ବିଷୟରେ ମୁଁ ସେମାନଙ୍କୁ ପ୍ରଶ୍ନ କଲି । ଷ୍ଟେସନର କର୍ମଚାରୀମାନେ କେବଳ ଏତିକି କହିପାରିଲେ ଯେ ବାଘଟାର ଆକାର ଖୁବ୍ ବଡ଼ । ଅନେକ ସମୟରେ ବାଘ ରେଳରାସ୍ତା ଅତିକ୍ରମ କରିବାର ସେମାନେ ଦେଖିଥିଲେ; କିନ୍ତୁ କେଉଁ ଲକ୍ଷଣ ଦ୍ଵାରା ଏହି ମଣିଷଖିଆ ବାଘକୁ ଅନ୍ୟ ବାଘଙ୍କଠାରୁ ପୃଥକ୍ କରିହେବ ତାହାର ସୂଚନା ସେମାନେ ଦେଇ ପାରିଲେ ନାହିଁ । ସେମାନେ ଗୋଟାଏ ଉପାୟ କହିଲେ–ଗାଆଁରେ ଦୁଇଜଣ ଫରେଷ୍ଟ ଗାର୍ଡ଼ଙ୍କର ଘର । ସେ ଦୁହିଁଙ୍କ ଭିତରୁ କେହି ହେଲେ ଏ ବାଘ ବିଷୟରେ ଅଧିକା ଖବର ଦେଇପାରିବେ ।

 

ମୋର ଅନୁରୋଧକ୍ରମେ ଜଣେ ଗାଙ୍ଗମାନ୍ ଗାଆଁକୁ ଯାଇ ଫରେଷ୍ଟ ଗାର୍ଡ଼ ଦୁହିଁଙ୍କୁ ଡାକି ଆଣିଲା । ଦୁହିଁଙ୍କ ଭିତରୁ ଜଣେ ଥିଲା ମୁସଲମାନ, ତାର ନାମ ଆଲି ବେଗ୍ । ମୁଁ ତା’ ସଙ୍ଗେ ସ୍ଵଚ୍ଛନ୍ଦରେ ହିନ୍ଦୁସ୍ଥାନୀରେ କଥାବାର୍ତ୍ତା ହୋଇପାରିଲି । ଅନ୍ୟ ଲୋକଟି ଥିଲା ଜଣେ ଚେଞ୍ଚୁ; ତା ନାମ ଥିଲା କୃଷ୍ଣାପ୍‌ପା । ସେ ତେଲୁଗୁ ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିଲା । ଷ୍ଟେସନ ପଛକୁ ଗୋଟାଏ ଆମ୍ବଗଛ ଥିଲା । ମୁଁ ସେ ଦୁହିଁଙ୍କୁ ସେହି ଗଛମୂଳକୁ ଡାକି ନେଇ ବସାଇଲି ଓ ନିଜେ ସେମାନଙ୍କ ପାଖରେ ବସି ପ୍ରକୃତ କାର୍ଯ୍ୟ ଆରମ୍ଭ କରିଦେଲି । ଚେଞ୍ଚୁ ଫରେଷ୍ଟ ଗାର୍ଡ଼୍ ମୋର କଥାବାର୍ତ୍ତାବେଳେ ଆଲି ବେଗ୍ ଦୋଭାଷୀର କାମ ଚଳାଉଥିଲା ।

 

ମୁଁ ପ୍ରଥମେ ଜଣାଇଦେଲି ଯେ ଯେଉଁ ଲୋକ ସବା ଆଗେ ମୋତେ ଖବର ଦେଇ ବାଘ ପାଖକୁ ଯିବାର ସୁବିଧା କରାଇଦେବ ତାକୁ ଯଥେଷ୍ଟ ପୁରସ୍କାର ଦିଆଯିବ । ଏତିକି ଶୁଣିଲାକ୍ଷଣି ସେ ଦୁହେଁ ମୋ କଥାକୁ କାନ ଡେରି ଶୁଣିବାକୁ ଲାଗିଲେ । ଆଲିବେଗ୍ କହିଲା, “ମୁଁ ନିଶ୍ଚେ ଆପଣଙ୍କୁ ସେ ବାଘ ପାଖକୁ ନେଇଯିବି । ସେଥିରେ ମୋର ଜୀବନ ଗଲେ ଯାଉ ।” କୃଷ୍ଣାପ୍‌ପା କହିଲା–“ମୁଁ ବି ଆପଣଙ୍କୁ ବାଘ ଦେଖାଇପାରିବି ।” ଏଥିରେ ସେ ଜୀବନ ଦବାକୁ ପ୍ରସ୍ତୁତ ବୋଲି କହିଲା ନାହିଁ । ସେ ଆହୁରି କହିଲା, “ବାଘଟା କେଉଁଠି ଅଛି ଜାଣିଲେ ମୁଁ ତା ପାଖକୁ ବାଟ ଦେଖାଇଦେବି ।” ମୁଁ ତାର ତେଲୁଗୁ ଭାଷା ବୁଝିପାରୁ ନଥାଏ । ଆଲି ବେଗ୍ ତା’ କଥା ମୋତେ ହିନ୍ଦୁସ୍ଥାନୀରେ ବୁଝାଇ ଦେଉଥାଏ ।

 

ଚେଞ୍ଚୁର ସ୍ପଷ୍ଟକଥାରେ ମୁଁ ମନେମନେ ସନ୍ତୁଷ୍ଟ ହେଲି । ଆଦିବାସୀମାନେ ସ୍ଵଭାବତଃ ସରଳ ଓ ସ୍ପଷ୍ଟଭାଷୀ । ସେମାନେ ମିଥ୍ୟା କହିଜାଣନ୍ତି ନାହିଁ । ମୁଁ ବୁଝିପାରିଲି ଯେ କୃଷ୍ଣାପ୍‌ପା ଯାହା କହିଲା, ତାହା ସତ ଓ କାର୍ଯ୍ୟକ୍ଷେତ୍ରର ଉପଯୋଗୀ । ବାଘ ବିଷୟରେ ମୁଁ ସେ ଦୁହିଁଙ୍କୁ ଅନେକ ପ୍ରଶ୍ନ ପଚାରିଲି । ଦୁହେଁଯାକ ସେ ବାଘକୁ ଦେଖିଛନ୍ତି ବୋଲି କହିଲେ । ବାଘର ଉତ୍ପାତ୍ ଆରମ୍ଭ ହେଲାଦିନୁ ସେମାନେ କେବେହେଲେ ଏକୁଟିଆ ଜଙ୍ଗଲ ଭିତରକୁ ଯାଇନାହାନ୍ତି । ଯେତେବେଳେ ଯାଇଛନ୍ତି, ଦଳବଦ୍ଧ ହୋଇ ଟାଙ୍ଗିଆ ଧରି ଯାଇଅଛନ୍ତି । ଏପରିକି ସେମାନେ ଗାଆଁ ପାଖରୁ ବେଶୀ ଦୂର ଜଙ୍ଗଲ ଭିତରକୁ ଯାଇନାହାନ୍ତି-। ପ୍ରାୟ ଦଶଦିନ ଆଗେ ସେମାନେ ଗୋଟାଏ ବାଘ ଦେଖିଥିଲେ । ସେ ପ୍ରାୟ ଏକମାଇଲ ଦୂରରେ ଯାଉଥିଲା । ଏମାନଙ୍କୁ ଦେଖି ବାଘଟା ଡେଇଁପଡ଼ି ଜଙ୍ଗଲ ଭିତରକୁ ପଳାଇଥିଲା । ମାସକ ଆଗରୁ ସେମାନେ ଆଉ ଗୋଟାଏ ବାଘ ଦେଖିଥିଲେ । ସେତେବେଳକୁ ଦିନ ପ୍ରାୟ ନଅଟା; ବାଘଟା ଗୋଟାଏ ଝରଣା ପାଖରେ ଥିଲା । ଏମାନେ ବାଘର ନଜରରେ ପଡ଼ିଲାକ୍ଷଣି ସେ ଡେଇଁ ପଳାଇଥିଲା । ତାହା ପୂର୍ବରୁ ପ୍ରାୟ ଚାରିମାସ ତଳେ ସେମାନେ ଗାଆଁଠାରୁ ପ୍ରାୟ ମାଇଲରୁ କମ୍ ଦୂରରୁ ଗୋଟାଏ ବାଘ ଦେଖିଥିଲେ ଅନ୍ୟାନ୍ୟ ବାଘ ଭଳି ସେ ସେମାନଙ୍କୁ ଦେଖିଲାମାତ୍ରେ ପଳାଇ ଯାଇ ନଥିଲା । କିଛି ବେଳଯାଏ ସେମାନେ ଘୋର ସନ୍ଦେହରେ ପଡ଼ିଯାଇଥିଲେ । ଏମାନଙ୍କୁ ଦେଖି ବାଘଟା ବୁଲିପଡ଼ିଲା; ତଳକୁ ଟିକିଏ ନାଇଁପଡ଼ି ଗୋଟିଏ ଗର୍ଜ୍ଜନ ଛାଡ଼ିଲା । ସେ ଦୁହେଁ ବୁଲିପଡ଼ି ଦୌଡ଼ିବାକୁ ଭାବିଥିଲେ; କିନ୍ତୁ କୃଷ୍ଣାପ୍‌ପା ତା’ ସାଙ୍ଗକୁ ଚୁପ୍‌ଚୁପ୍ କରି କହିଲା–ନା, ପଳାଇବାକୁ ବସିଲେ ବାଘ ପଚ୍ଛରୁ ଆସି ମାଡ଼ିବସିବ । ଆମେ ଦୁହେଁ ଏକସଙ୍ଗେ ଖୁବ୍ ପାଟି କରିବା । ସେମାନେ ପାଟିକଲେ; ବାଘଟା ପୁଣି ଗୋଟାଏ ଗର୍ଜ୍ଜନ କଲା; କିନ୍ତୁ ସେମାନଙ୍କୁ ଆକ୍ରମଣ କରିବାକୁ ଆସିଲା ନାହିଁ । ଟିକିଏ ଅପେକ୍ଷା କରି ବାଘ ଚାଲିଗଲା-। ଗଲାବେଳେ ମଝିରେ ମଝିରେ ପଛକୁ ମୁହଁ ବୁଲାଇ ଗର୍ଜ୍ଜୁଥିଲା । ବାଘ ଦୂରରେ ଲୁଚିଯାଆନ୍ତେ ସେମାନେ ଘରକୁ ପଳାଇଆସିଥିଲେ ।

 

ହଠାତ୍ ମୋ ମନକୁ ଗୋଟାଏ କଥା ଆସିଲା । ମୁଁ ମାନଚିତ୍ରର ଛକ ଓ ତାରିଖ ହିସାବ କରି ଦେଖିଲି–ଚାରିମାସ ତଳେ ବାଘ ଯେଉଁଠାରେ ସେ ଦୁହିଁଙ୍କୁ ଭେଟିଥିଲା, ଏବେ ତାର ସେଇ ସ୍ଥାନକୁ ଆସିବାର କଥା । ଏମାନଙ୍କୁ ଦେଖି ବାଘ ଯେପରି ଆଚରଣ ଦେଖାଇଥିଲା, ସେଥିରେ କିଛି ବିଶେଷତ୍ଵ ଥିଲା । ମୁଁ ଭାବିଲି, ଏ ହେଉଛି ସେହି ମଣିଷଖିଆ ବାଘ ଓ ଅତି ନିକଟରେ ସେ ପୁଣି ଗାଜୁଲାପଲିକୁ ନିଶ୍ଚୟ ଆସିବ ।

 

ମୁଁ ମୋର ଏହି ମତ ସେ ଦୁହିଁଙ୍କୁ ଜଣାଇବାରୁ ସେମାନେ ମୋ କଥାକୁ ସତ୍ୟ ବୋଲି କହିଲେ ।

 

ଗୋଟାଏ ଚମତ୍କାର ଯୋଗ ଯେ ଏତିକିବେଳକୁ ବାଘର ଏ ଅଞ୍ଚଳରେ ଚାରିମାସିଆ ପାଳି ପଡ଼ିଥିଲା । ଚେଲେମା ଓ ବାସବପୁରମ୍ ଭିତରେ ବାଘ ଟ୍ରଲିମାନଙ୍କୁ ନେଇଯିବା ପରେ ଆଉ କାହାରିକୁ ମାରିଥିବାର ଶୁଣାଯାଇ ନ ଥିଲା । ଯଦି ମୋର ହିସାବ ଠିକ୍ ଥାଏ ଓ ଦୈବ ଅନୁକୂଳ ହୁଏ, ତେବେ ସେ ବାଘ ବର୍ତ୍ତମାନ ବାସବପୁରମ୍ ଓ ଗାଜୁଲାପଲି ଭିତରେ କେଉଁଠାରେ ଥିବ । ମୁଁ ଉତ୍ସାହରେ ଉତ୍ତେଜିତ ହୋଇପଡ଼ିଲି । ମନେହେଲା, ଭାଗ୍ୟ ମୋ ପ୍ରତି ପ୍ରସନ୍ନ ।

 

ଯେଉଁ ବାଘ ସେମାନଙ୍କୁ ଦେଖି ଗର୍ଜ୍ଜନ କରିଥିଲା ତାହା ବିଷୟରେ ମୁଁ ତନ୍ନତନ୍ନ କରି ଅନେକ ପ୍ରଶ୍ନ ପଚାରିଲି–“ସେ ବାଘର କିଛି ବୈଶିଷ୍ଟ୍ୟ ଥିଲା କି ?” ଆଲି ବେଗ୍ କହିଲା–“ବାଘଟା ଆକାରରେ ପ୍ରକାଣ୍ଡ ।” କୃଷ୍ଣପ୍‌ପା କହିଲା–“ସେଇଟା ନିଶ୍ଚେ ଗୋଟାଏ ଅଣ୍ଡିରା ବାଘ । ଅନ୍ୟ ବାଘମାନଙ୍କଠାରୁ ତା’ ଦେହର ରଙ୍ଗ ବେଶି ହଳଦିଆ । ସାହେବ, ଅଣ୍ଡିରା ବାଘର ରଙ୍ଗ ସେପରି ହୁଏ । ଆମେ ତାର ଅନ୍ୟ ଲକ୍ଷଣ ଦେଖନ୍ତୁ କେତେବେଳେ ? ଭୟରେ ଆମ ରକ୍ତ ପାଣି; ଭାବୁଥାଉଁ, ଏଇକ୍ଷଣି ଆସି ଆମକୁ ମାଡ଼ିବସିବ କି ?”

 

ବହୁଦିନ ତଳେ ଯେଉଁ ଚେଞ୍ଚୁକୁ ବାଘ ନେଇଯାଇଥିଲା, ତାର ପୁଅ ବିଷୟରେ ମୁଁ ପଚାରିଲି । ଏ ଦୁହେଁ ତାକୁ ଚିହ୍ନିଥିଲେ । ମାଆ, ସ୍ତ୍ରୀ ଓ ଗୋଟିଏ ପିଲାକୁ ଘେନି ସେ ଜଙ୍ଗଲ ଭିତରେ ରହୁଥିଲା । ତା’ ଘର ସେଠାରୁ ଦୁଇ ମାଇଲ ଦୂର, ଉତ୍ତର ଦିଗକୁ । ବାପଭଳି ସେ ମଧ୍ୟ ଚଢ଼େଇ ଧରିବା ବ୍ୟବସାୟ କରୁଥିଲା; କିନ୍ତୁ ଯେଉଁ ବନରେ ମଣିଷଖିଆ ବାଘ, ସେଥିରେ ସେ କିପରି ଚଢ଼େଇ ଶିକାର କରୁଥିଲା, ତାହା ସେମାନେ ବୁଝିପାରୁ ନ ଥିଲେ । ରିଜର୍ଭ ଜଙ୍ଗଲ ଭିତରେ ପକ୍ଷୀ ଶିକାର କରିବା ଜଙ୍ଗଲ ଆଇନରେ ମନା । ତାର ବାପକୁ ବାଘ ଖାଇବା ପୂର୍ବରୁ ସେ ଅନେକ ଥର ଏହି ବେଆଇନ କାର୍ଯ୍ୟ ହେତୁ ଗିରଫ ହୋଇଥିଲା । ତଥାପି ପୁଅ ଏବେ ସୁଦ୍ଧା ସେହି ବେଆଇନ କାମ କରୁଛି । କେବେ କେବେ ବାପ ପୁଅ ଜଙ୍ଗଲ କର୍ମଚାରୀମାନଙ୍କୁ ଦୁଇ ତିନିଟା ଚଢ଼େଇ ଲାଞ୍ଚ ଦେଇ ଖସିଯାଉଥିଲେ; କିନ୍ତୁ ପୁଅ ଏବେ ସେତକ ମଧ୍ୟ ଦେଉନାହିଁ । ସେ ବିଚାରାକୁ ଏଥିପାଇଁ ଦୋଷ ଦେବା କାହିଁକି ? ବାଘ ଯେକୌଣସି ସ୍ଥାନରେ ତାକୁ ଛକିଥିବାର ଜାଣି ସୁଦ୍ଧା ସେ କୁଟୁମ୍ବ ପୋଷିବାକୁ ଏଭଳି ଦୁଃସାହସିକ କାମ କରୁଛି ।

 

ମୁଁ ମନେମନେ ଆନନ୍ଦିତ ହେଲି । ବାଘଟାର ସନ୍ଧାନ ଦେଇପାରିବା ଭଳି ଲୋକ ମିଳିଗଲେ । କାନ୍ଧରେ ବନ୍ଧୁକ ପକାଇ ମୁଁ ଲୋକ ଦୁହିଁଙ୍କୁ କହିଲି–“ଚାଲ, ସେ ଟୋକା ଘରକୁ ଯିବା-।”

 

ଆମେ ରେଳଲାଇନ ପାର ହୋଇ ପାଦଚଲା ରାସ୍ତାରେ ଚାଲିଲୁ । ଛୋଟ ଛୋଟ କେତେକ ବୁଦା ଅତିକ୍ରମ କଲାପରେ ଜଙ୍ଗଲ ପଡ଼ିଲା । ରାସ୍ତା ସଂକୀର୍ଣ୍ଣ, ଆମକୁ ଜଣକ ପଛେ ଜଣେ ରହି ଚାଲିବାକୁ ହେଲା । ସବା ଆଗରେ କୃଷ୍ଣାପ୍‌ପା, ତା ପଛକୁ ଆଲି ବେଗ୍ ଓ ସଭିଙ୍କ ପଛରେ ମୁଁ–ଏହିପରି ଚାଲିଲୁ । ମୁଁ ବନ୍ଧୁକରେ ଗୁଳି ଭର୍ତ୍ତିକରି ଡାହାଣ କାଖତଳେ ଧରିଥାଏଁ । କେତେବେଳେ କଅଣ ଘଟିବ ସେଥିପାଇଁ ପ୍ରସ୍ତୁତ ରହିଥାଏଁ । ବାଘ ଯେ ଦଉଡ଼ି ଆସି ଆମକୁ ଆକ୍ରମଣ କରିବ, ସେପରି ଭୟ ଆମର ନ ଥାଏ; କାରଣ ଆମେ ତିନି ଜଣଥିଲୁ । ତେବେ ଗୋଟାଏ ସନ୍ଦେହ ହେଉଥାଏ–ବାଘ ହଠାତ୍ ବାହାରିପଡ଼ି ସାମନାରୁ କୃଷ୍ଣାପ୍‌ପାକୁ କିମ୍ବା ପଛରୁ ମୋତେ ଟାଣି ନ ନେବ ବୋଲି କିଏ କହିବ ? ଆଲି ବେଗ୍ ଉପରେ ବିପଦର ଆଶଙ୍କା ଆଦୌ ନଥିଲା ?

 

ଦୁଇ ତିନି ମାଇଲ ଚାଲିବା ପରେ ଆମେ ଗୋଟିଏ ନାଳ ଦେଖିଲୁ । ସେଠାରେ ମାଟି ପଥୁରିଆ ଓ ନାଳରେ ଖୁବ୍ ଅଳ୍ପ ପାଣି ଥିଲା । ସେଠାରୁ ଗୋଟିଏ ଛୋଟ ମୁଣ୍ଡିଆ ଉପରକୁ ଉଠିବା ପରେ ଚେଞ୍ଚୁର କୁଡ଼ିଆ ଘର ଦେଖାଗଲା । କୁଡ଼ିଆର ମେଲା ଦୁଆର ପାଖରେ ଗୋଟିଏ କୋଡ଼ିଏ ବର୍ଷର ଯୁବକ କାତିରେ ବାଉଁଶ ଚିରି ପାତିଆ ତିଆରି କରୁଥିଲା । ପାଖରେ ଗୋଟିଏ ଜିନିଷ ରହିଥିଲା; ତାକୁ ଦେଖି ମୋର ଅନୁମାନ ହେଲା ଯେ ସେଇଟା ଚଢ଼େଇ ଧରିବାର ଗୋଟାଏ କିଛି ଯନ୍ତ୍ର; ଅଧା ତିଆରି ହୋଇଚି ।

 

ଆମମାନଙ୍କୁ ଦେଖିଲା ମାତ୍ରେ ଉଠିପଡ଼ି ସଲାମ କଲା । କୃଷ୍ଣାପ୍‌ପା ତେଲୁଗୁ ଭାଷାରେ ମୋତେ ଚିହ୍ନାଇ ଦେଲା; ପିଲାଟି କୃଷ୍ଣାପ୍‌ପା ସଙ୍ଗେ ସେହି ତେଲୁଗୁରେ ଆନନ୍ଦରେ କଥାବାର୍ତ୍ତା ହେଲା । ଆଲି ବେଗ୍ ଚୁପ୍ ରହନ୍ତା କାହିଁକି ? ସେ ମୋତେ ହିନ୍ଦୁସ୍ଥାନୀରେ ବୁଝାଇ ହେଲା–ପିଲାଟି କହୁଛି, ତାର ନାଁ ବାଲା । ଏହି ସମୟରେ କୁଡ଼ିଆ ଭିତରୁ ଦୁଇଟି ସ୍ତ୍ରୀ ଲୋକର ମୁଣ୍ଡ ଦେଖାଗଲା । ଜଣେ ଧୋକଡ଼ୀ ବୁଢ଼ୀ ଓ ଆର ଜଣକ ଷୋଳ ସତର ବର୍ଷର ଏକ ଯୁବତୀ । ମୁଁ ଧରି ନେଲି ବୁଢ଼ୀ ହେଉଛି ଯୁବକର ମାଆ । ଯୁବତୀଟି ପ୍ରାୟ ବର୍ଷକର ପିଲାଟିଏ କୋଳରେ ଧରି ତାକୁ ଛାତିରୁ ଦୁଧ ଖୁଆଉଥାଏ । ଯୁବତୀଟି ସେ ଯୁବକର ସ୍ତ୍ରୀ, ଏଥିରେ ମୋର ସନ୍ଦେହ ରହିଲା ନାହିଁ ।

 

ଆମେ କୁଡ଼ିଆ ପାଖେ ଘାସ ଉପରେ ବସିଲୁ । ମୁଁ ଯେଉଁ ପ୍ରଶ୍ନ ପଚାରୁଥାଏ, ତାକୁ ଆଲି ବେଗ୍ ତେଲୁଗୁରେ ପିଲାକୁ ବୁଝାଉଥାଏ ଓ ସେ ଯେଉଁ ଉତ୍ତର ଦେଉଥାଏ, ତାକୁ ମୋତେ ହିନ୍ଦୁସ୍ଥାନୀରେ ବୁଝାଉଥାଏ । ଅନେକ ସମୟରେ କୃଷ୍ଣାପ୍‌ପା ସନ୍ଦେହ ହେଉଥିବା ବିଷୟ ସ୍ପଷ୍ଟ କରି ବୁଝାଇ ଦେଉଥାଏ । ବାଘକୁ ମାରିବାରେ ଗୋରା ଦୋରାଇ (ସାହେବ)କୁ ଯତ୍ପରାନାସ୍ତି ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ଥିଲା । ତାର ବାପକୁ ଯେଉଁ ବାଘ ଖାଇଥିଲା, ତା’ ଉପରେ ପ୍ରତିଶୋଧ ନେବାର ଇଚ୍ଛା ବଳବତୀ ହେବା ସ୍ଵାଭାବିକ । ସେ ଟଙ୍କା ବା କୌଣସି ପୁରସ୍କାର ଚାହୁଁ ନଥିଲା । ତାର ବିଶ୍ଵାସ, ଯେଉଁ ବାଘ ତାର ବାପକୁ ଖାଇଥିଲା, ତାକୁ ନିଜେ ମାରିପାରିଲେ, ଅନ୍ତତଃ ତାକୁ ମରାଇପାରିଲେ, ବାପର ଆତ୍ମା ସନ୍ତୁଷ୍ଟ ହେବ । ବାପର ସେ ଏକମାତ୍ର ପୁଅ; ତେଣୁ ବାଘ ଉପରେ ପ୍ରତିଶୋଧ ନେବା ଧର୍ମତଃ ତାର କର୍ତ୍ତବ୍ୟ । ଏପରିସ୍ଥଳେ ଟଙ୍କା ପଇସା ବା ପୁରସ୍କାର ନେବା ଅନ୍ୟାୟ ହେବ ।

 

ମଣିଷଖିଆ ବାଘଟାକୁ ସେ ଅନେକ ଥର ନିଜ ଆଖିରେ ଦେଖିଥିଲା । ଆମେ ଯେଉଁ ନାଳ ପାରିହୋଇ ଆସିଥିଲୁ, ଦିନେ ସେହି ନାଳରୁ ପାଣି ଆଣିବାପାଇଁ ଯୁବକଟି ଯାଇଥିଲା । ଦିନ ଦୁଇପ୍ରହର ସମୟ । ସେ ନାଳରେ ମାଠିଆକୁ ବୁଡ଼ାଇ ଉପରଆଡ଼କୁ ଚାହିଁଲା । ଦେଖିଲା ଗୋଟାଏ ବାଘ ନାଳର ଆର ପାଖରୁ ତା ଆଡ଼କୁ ଗଡ଼ୁଛି । ବାଘଟା ତା ପାଖରୁ ପ୍ରାୟ ଶହେ ଗଜ ଦୂରରେ । ତାର ଭାଗ୍ୟ ଭଲ, ଠିକ୍‌ବେଳେ ସେ ବାଘକୁ ଦେଖିପାରିଥିଲା । ସେ ମାଠିଆକୁ ଛାଡ଼ିଦେଇ ଦଉଡ଼ି ଦଉଡ଼ି କୁଡ଼ିଆରେ ପଶିଗଲା । କୁଡ଼ିଆଟା ଯେ ଖୁବ୍ ନିରାପଦ, ତାହା ନୁହେଁ । ବାଘ ଚେଷ୍ଟା କଲେ ସହଜରେ ତାକୁ ଭାଙ୍ଗି ପାରନ୍ତା; ମାତ୍ର ବାଘ ତା’ ପଛରେ ଗୋଡ଼ାଇ କୁଡ଼ିଆ ପର୍ଯ୍ୟନ୍ତ ଯାଇନଥିଲା ।

 

ଅନେକ ସମୟରେ ବାଘ ସେହି ନାଳରୁ ପାଣି ପିଇବାକୁ ଆସୁଥିଲା ଓ ରାତିରେ ତାର ଗର୍ଜ୍ଜନ ଶୁଣା ଯାଉଥିଲା । ବାଘଟା ଗୋଟାଏ ଖୁବ୍ ବଡ଼ ଅଣ୍ଡିରା ମହାବଳ । ତା’ ଦେହର ରଙ୍ଗ ହଳଦିଆ । ସେ ଏସବୁ କହିଲା ପରେ ମୁଁ ପଚାରିଲି–ଅନ୍ୟ ବାଘଙ୍କର ଚାଲିଚଳଣଠାରୁ ତାର ଚାଲିଚଳଣରେ କିଛି ଫରକ୍ ଅଛି ? କିଛି ବେଳ ଯାଏ ଆଖିବୁଜି ଭାବି ଭାବି ଯୁବକଟି ଉତ୍ତରକଲା–ଏତିକି ମାତ୍ର ମୋର ମନେ ହେଉଛି, ତାର ହଳଦିଆ ଦେହ ଉପରେ ଥିବା କଳା କଳା ପଟାଦାଗଗୁଡ଼ାକ ଖୁବ୍ ସରୁ ସରୁ । ମତେ ବେଶି ବୟସ ହୋଇନାହିଁ ସତ; କିନ୍ତୁ ମୁଁ ଏଥିଭିତରେ ଅନେକ ବାଘ ଦେଖିଛି । ହେଲେ ଅନ୍ୟ କୌଣସି ବାଘ ଦେହରେ ଏଡ଼େ ସରୁ ସରୁ ପଟାଦାଗ ଦେଖିନାହିଁ ।

 

ଶେଷଥର ସେ ବାଘକୁ କେବେ ଦେଖିଥିଲା ବୋଲି ପଚାରିବାରୁ ବାଲା ଟିକିଏ ଭାବି କହିଲା–ପ୍ରାୟ ଚାରିମାସ ତଳେ ମୁଁ ସେ ବାଘଟାକୁ ଦେଖିଥିଲି । ମୁଁ ଆହୁରି କେତୋଟି ପ୍ରଶ୍ନ ପଚାରିଲି ଓ ସେ ତାହାର ଉତ୍ତରଦେଲା ।

 

ପ୍ରଶ୍ନ–ତାକୁ ଦେଖିବା ପରେ ତୁ ଅନ୍ୟ ବାଘ ଦେଖିଛୁ ?

 

ଉତ୍ତର–ହଁ, ଦୁଇଥର ଦେଖିଛି, କିନ୍ତୁ ସେ ଦୁଇଟାଯାକ ସାଧାରଣ ବାଘ; ମୋ ବାପକୁ ମାରିଥିବା ବାଘ ନୁହନ୍ତି ।

 

ପ୍ରଶ୍ନ–ସେ ଦୁଇଟା ଭିତରୁ କେହି ତୋର ବାପକୁ ମାରିନାହାନ୍ତି ବୋଲି ତୁ କିପରି ଜାଣିଲୁ-?

 

ଉତ୍ତର–ସେ ଦୁଇଟାଙ୍କର ଆକାର ସାନ, ସେମାନଙ୍କ ରଙ୍ଗ ବେଶି କାଳିଆ । ପୁଣି ମୋତେ ଦେଖିଲାକ୍ଷଣି ସେମାନେ ପଳାଇଯାଇଥିଲେ ।

 

ଏହାପରେ ସେ ଯେଉଁ ଖବରଟି ଦେଲା, ତାହା ପାଇବାକୁ ଖୁବ୍ ଆଗ୍ରହାନ୍ଵିତ ହୋଇ ରହିଥିଲି । ସେ କହିଲା–ସାହେବ, ମୁଁ ଅନୁମାନ କରୁଛି ସେ ବାଘଟା ପୁଣି ଏ ଅଞ୍ଚଳକୁ ଆସିଲାଣି । ମୁଁ ତାକୁ ଦେଖିନି କି ତା ଗର୍ଜ୍ଜନ ଶୁଣିନି; କିନ୍ତୁ ସେଇ ନାଳ ପାଖରେ ତାର ପାହୁଲଚିହ୍ନ ଦେଖିଛି । ସେ ମଣିଷଖିଆ ବାଘର ପାଦଚିହ୍ନ ସଙ୍ଗେ ଏ ଚିହ୍ନ ଠିକ୍ ମିଳେ ଯାଉଛି । ମୋ ବାପକୁ ଖାଇବା ପରେ ତାର କେତେକ ହାଡ଼ ମାଉଁସ ପାଖରେ ମୁଁ ସେ ବାଘର ପାଦଚିହ୍ନ ଦେଖିଥିଲି ।

 

ନିଜେ ଯାଇ ସେ ପାଦଚିହ୍ନ ଦେଖିବି ବୋଲି ମୁଁ ଇଚ୍ଛା ପ୍ରକାଶକଲି । ମୋତେ ସଙ୍ଗରେ ନେଇଯିବା ପୂର୍ବରୁ ବାଲା ଘରେ କହିଗଲା–ତୁମେ ଘର ଭିତରୁ ତାଟି ବନ୍ଦକରି ରହିଥିବ । ମୁଁ ନ ଆସିବାଯାଏ ତାଟି ଫିଟାଇବ ନାହିଁ ।

 

ଆଗେ ଆଗେ ଯାଇ ସେ ଆମକୁ ବାଟ କଢ଼ାଇଲା । ଆମେ ଯେଉଁଠାରେ ନାଳ ପାର ହୋଇଥିଲୁ ପ୍ରାୟ ସେହିଠାରେ ପହଞ୍ଚିଲୁ । ତତ୍ପରେ ସେ ଜଳସ୍ରୋତର ଅନୁକୂଳରେ ନାଳଧାରରେ ଚାଲିଲା । ସେତେବେଳକୁ ନାଳର ଦୁଇପାଖ ଶୁଖିଯାଇଥିଲା; ସରୁ ଧାରଟିରେ ନାଳ ମଝିରେ ପାଣି ଚାଲୁଥିଲା । ମୁଁ ଲକ୍ଷ୍ୟ କଲି ବାଲିଚରା ଉପରେ ଗୋଟିଏ ବଡ଼ ବାଘର ପାଦଚିହ୍ନ ପଡ଼ିଛି । ବାଘଟି ସେଇବାଟେ ନାଳର ପୂର୍ବରୁ ପଶ୍ଚିମକୁ ଯାଇଛି । ବାସ୍ତବିକ ସେତେ ବଡ଼ ପାଦଚିହ୍ନ ମୁଁ ଦେଖି ନ ଥିଲି ।

 

ପାଦଚିହ୍ନ ବେଶି ଦିନର ନୁହେଁ; ସେଠାରେ ବାଘର ଗନ୍ଧ ଥିଲା । ସେଥିରୁ ଜଣାଗଲା ଯେ ବାଘଟା ଅଣ୍ଡିରା । ମୁଁ ଭଲ ଭାବରେ ସେଇ ଚିହ୍ନକୁ ଦେଖିଲି । ବାଲିରେ ପାଦଚିହ୍ନ ପ୍ରକୃତ ଆକାରଠାରୁ ବଡ଼ ଦେଖାଯାଇପାରେ । ତଥାପି ବାଘଟା ଯେ ଖୁବ୍ ବଡ଼ ହୋଇଥିବ ଏ ବିଷୟରେ ମୋର ସନ୍ଦେହ ରହିଲା ନାହିଁ ।

 

ଆମେ ବାଲାର କୁଡ଼ିଆ ପାଖକୁ ଫେରିଆସିଲୁ । ମୁଁ ଚିନ୍ତା କରିବାକୁ ଲାଗିଲି–ବାଲା କଥା ଛାଡ଼ିଦେଲେ ମଧ୍ୟ ଗୋଟାଏ ବୁଢ଼ୀ, ଜଣେ ଯୁବତୀ ସ୍ତ୍ରୀ ଓ ଗୋଟାଏ ଶିଶୁ ଏ ଘୋର ଜଙ୍ଗଲ ଭିତରେ ପଡ଼ିଛନ୍ତି । ଚାରିପାଖେ ବାଘର ଆଡ଼୍‌ଡ଼ା; ଯେକୌଣସି ମୁହୂର୍ତ୍ତରେ ବାଘ ଆସି ସେମାନଙ୍କ ଭିତରୁ ଜଣକୁ ନେଇପାରେ । ଏପରି ଜୀବନ କଟାଇବା କି ବିପଜ୍ଜନକ ହୋଇ ନଥିବ ? ଆଧୁନିକ ଯୁଗ ହେଉଛି ଯୁଦ୍ଧର ଯୁଗ, ସଂଘର୍ଷର ଯୁଗ । ପ୍ରତିଦିନ ଆମେ ଯୁଦ୍ଧକ୍ଷେତ୍ରରେ ବୀରତ୍ଵର କେତେ ସମ୍ବାଦ ପଢ଼ିବାକୁ ପାଉଁ । ସେହି ବୀରତ୍ଵ ପାଇଁ ସେମାନଙ୍କୁ ପଦକ ଦିଆଯାଉଛି, ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଶଂସାସୂଚକ କବିତା ଲେଖାଯାଉଛି, ସଭାସମିତି ହେଉଛି । କେତେ ଲୋକ ନିଜ ଦେଶପାଇଁ ଗୁପ୍ତଚର ବୃତ୍ତି କରି ଶେଷରେ ବନ୍ଧୁକ ଗୁଳି ଆଗରେ ପ୍ରାଣ ଦେଉଛନ୍ତି; କେଉଁ ଅଜ୍ଞାତ ସ୍ଥାନରେ ସେମାନଙ୍କ ଶବ ପୋତା ଯାଉଅଛି । ସେମାନଙ୍କୁ ମଧ୍ୟ ଆମେ ଜାତିର ବୀର ବୋଲି ପ୍ରଶଂସା କରୁଛୁ । ସାହସର ଓ ବୀରତ୍ଵର ଏଭଳି କାହାଣୀ ଆମ ଧମନୀର ରକ୍ତକୁ ଗରମ କରିଦିଏ; କିନ୍ତୁ ଏହି ଦରିଦ୍ର ଅଶିକ୍ଷିତ ଆଦିବାସୀ ପରିବାରର ସାହାସ ଓ ବୀରତ୍ଵ କଅଣ ଊଣା ? ମୁଁ ଏହି ପରିବାର ଉଦ୍ଦେଶ୍ୟରେ ମୋର ପ୍ରଶଂସା ଓ ଭକ୍ତିପୂତ ପ୍ରଣାମ ଜଣାଇଲି ।

 

ମୁଁ ପ୍ରସ୍ତାବ କଲି, ଏଠାରେ କିଛି ଦିନ ପାଇଁ ମୋର ବାଲାଠାରୁ ସାହାଯ୍ୟ ଦରକାର । ମାଆ, ସ୍ତ୍ରୀ ଓ ପିଲାଙ୍କୁ ସେଠି କୁଡ଼ିଆରେ ଛାଡ଼ି ସେ ନିଶ୍ଚିନ୍ତ ହୋଇ ମୋପାଖେ ରହିପାରିବ ନାହିଁ । ମୁଁ ପରିବାରଟିକୁ ଗାଜୁଲାପଲିକୁ ନେଇ ସେଠାରେ ସେମାନଙ୍କ ରହିବାର ବନ୍ଦୋବସ୍ତ କରିଦେବି ।

 

ମୋର ଏ ପ୍ରସ୍ତାବରେ ବାଲା ହଠାତ୍ ସ୍ଵୀକୃତି ହେଲାନାହିଁ । ମାଆ ଓ ସ୍ତ୍ରୀଙ୍କ ସହିତ ପରାମର୍ଶ କଲା । କୃଷ୍ଣାପ୍‌ପା ଓ ଆଲି ବେଗ୍ ବହୁତ ବୁଝାଇଲେ । ମୁଁ ବାରମ୍ବାର ଅନୁରୋଧ କଲି । ଶେଷରେ ସେ ପରିବାରକୁ ଗାଜୁଲାପଲିକୁ ପଠାଇବାପାଇଁ ରାଜି ହେଲା । ମୁଁ ଫରେଷ୍ଟ ଗାର୍ଡ଼ ଦୁହିଁଙ୍କ ସହିତ ଗୋଟିଏ ଗଛମୂଳେ ବସିଲି । କୁଡ଼ିଆ ଭିତରେ ଯାହା ସାମାନ୍ୟ ଜିନିଷ ଥିଲା, ସେଗୁଡ଼ିକ ତିନୋଟି ଛୋଟ ବୁଜୁଳାରେ ବନ୍ଧାହେଲା । ମାଆ ସ୍ତ୍ରୀ ଓ ବାଲା ପ୍ରତ୍ୟେକ ଗୋଟିଏ ଲେଖାଏଁ ବୁଜୁଳା ମୁଣ୍ଡାଇ ବାହାରିଲେ । କୁଡ଼ିଆରେ ତାଟି ବନ୍ଦ କରାଗଲା । ଶିଶୁଟି ମାଆ କୋଳରେ ଦୁଧ ଖାଉଥାଏ । ଆମେ ଧାଡ଼ିହୋଇ ଗ୍ରାମ ଅଭିମୁଖେ ବାହାରିଲୁ ।

 

ସେ ଦିନ ରାତିରେ ଷ୍ଟେସନମାଷ୍ଟର ମୋତେ ତାଙ୍କ ବସାଘରେ ଖାଇବା ପାଇଁ ନିମନ୍ତ୍ରଣ କଲେ । ସେ ହେଉଛନ୍ତି ନିରାମିଷାଶୀ; କିନ୍ତୁ ତାଙ୍କ ସ୍ତ୍ରୀ ମୋ ପାଇଁ ଗୋଟିଏ ସୁନ୍ଦର ନିରାମିଷ ଆହାରର ବ୍ୟବସ୍ଥା କରିଥିଲେ । ସେଭଳି ରୁଚିକର ସୁଖାଦ୍ୟ ଖାଇବା ମୋ ଭାଗ୍ୟରେ ଅଳ୍ପ ଥର ଘଟିଥିବ ! ଖାଦ୍ୟ ଭିତରେ ଗୋଟିଏ ଗ୍ଳାସରେ ତୃପ୍ତିକର ଦହି ଦିଆଯାଇଥିଲା । ଖାଇବାପରେ ଗିଲାସେ କଫି ପିଇଲୁ ।

 

ବର୍ତ୍ତମାନ ମୋର କର୍ତ୍ତବ୍ୟ କଅଣ, କିପରି ଅଗ୍ରସର ହେବି, ଏସବୁ ବିଷୟରେ ଆମମାନଙ୍କ ଭିତରେ ଗୋଟାଏ ଆଲୋଚନା ସଭା ହେବାର ସ୍ଥିର ହେଲା । ଷ୍ଟେସନମାଷ୍ଟର କହିଲେ–ଆମ ବସାଘରେ ଆଲୋଚନା ସଭା କଲେ ଚଳିବନାହିଁ । ରାତିରେ ମୋତେ ଷ୍ଟେସନରେ କାମ କରିବାକୁ ହେବ । ଗୁଣ୍ଟାକଲ ଡାକଗାଡ଼ି ସେହି ଷ୍ଟେସନବାଟେ ଯିବ । ରାତି ଭିତରେ ଦୁଇ ତିନିଟା ମାଲଗାଡ଼ି ମଧ୍ୟ ସେହି ଷ୍ଟେସନବାଟେ ଯିବ । ଗାଡ଼ି ଗଲାବେଳେ ମୋର ସେଠାରେ ଉପସ୍ଥିତ ରହିବା ନିତାନ୍ତ ପ୍ରୟୋଜନ । ଚାଲ, ଷ୍ଟେସନ ପ୍ଲାଟଫର୍ମରେ ବେଞ୍ଚ ପକାଇ ବସି ପରାମର୍ଶ କରିବା, ତାହାହେଲେ ମୁଁ ମୋର କାମ ମଧ୍ୟ କରିପାରିବି ।

 

ଆମେ ସମସ୍ତେ ପ୍ଳାଟଫର୍ମକୁ ଚାଲିଲୁ । ମୁଁ ଓ ଷ୍ଟେସନମାଷ୍ଟର ବେଞ୍ଚ ଉପରେ ବସିଲୁ । ଫରେଷ୍ଟଗାର୍ଡ଼ ଦୁହେଁ ଓ ବାଲା ଆମ ଆଗରେ ଭୂଇଁରେ ବସିଲେ ।

 

ଏହି ଷ୍ଟେସନମାଷ୍ଟରଙ୍କର ନାମ ମିଷ୍ଟର ବାଳସୁବ୍ରମନିୟମ ।

 

ମୋ ମତରେ ସବୁଠାରୁ ଉତ୍ତମ ଉପାୟ ହେଲା କାଲି ଦୁଇଟା ଜିଅନ୍ତା ଜନ୍ତୁ–ଆଣି ମାଛକୁ ଥୋପ ଦେଖାଇଲା ପରି ବାଘକୁ ଲୋଭ ଦେଖାଇବା । ଯେଉଁଠାରେ ଗାର୍ଡ଼ମାନେ ବାଘଠାରୁ ଭୟ ପାଇଥିଲେ, ସେଠାରେ ଗୋଟାକୁ ବାନ୍ଧିବା । ଆଉ ଗୋଟାକୁ ବାନ୍ଧିବା ବାଲିଚର ନିକଟରେ, ବାଲାର କୁଡ଼ିଆ ଓ ବାଘର ପାଦଚିହ୍ନ ପଡିଥିବା ସ୍ଥାନରେ ମଧ୍ୟଭାଗରେ । ବାଲା ଓ କୃଷ୍ଣାପ୍‌ପା ଜନ୍ତୁ ଦୁଇଟା ଉପରେ ନଜର ରଖିଥିବେ । ତାଙ୍କୁ ବାଘ ମାରିଥିବାର ଦେଖିଲାମାତ୍ରେ ସେମାନେ ମୋ ପାଖକୁ ଖବର ପଠାଇବେ । ମୁଁ ଆଲି ବେଗ୍‌କୁ ସାଙ୍ଗରେ ନେଇ ରେଳଲାଇନରେ ଯାଇ ବାସବପୁରମ୍ ଓ ଚେଲେମାରେ ବାଘ ବିଷୟରେ ଆହୁରି ଅନୁସନ୍ଧାନ କରିବି । କୌଣସି ଗୋଟିଏ ଜନ୍ତୁ ମାରିଥିବାର ଜଣାଗଲେ ସଙ୍ଗେ ସଙ୍ଗେ ମିଷ୍ଟର ବାଳସୁବ୍ରମନିୟମଙ୍କୁ ଖବର ଦେବାକୁ ହେବ ଓ ସେ ଏହି ଖବର ବାସବପୁରମ୍ ବା ଚେଲେମା ମୁଁ ଯେଉଁଠାରେ ଥାଏଁ ସେଠାକୁ ଟେଲିଗ୍ରାଫଦ୍ଵାରା ଜଣାଇଦେବେ ।

 

ଷ୍ଟେସନମାଷ୍ଟର ମତେ ତାଙ୍କ ଅଫିସଘରକୁ ନେଇ ଟେଲିଗ୍ରାଫଦ୍ଵାରା ବାସବପୁରମ୍ ଓ ଚେଲେମାର ଷ୍ଟେସନ ମାଷ୍ଟରଙ୍କ ସହ କଥାବାର୍ତ୍ତା ହେଲେ । ଖବର କଅଣ ବୋଲି ପଚାରିବାରୁ ସେ ଦୁହେଁ ଜଣାଇଲେ–ମଣିଷଖିଆ ବାଘର କିଛି ଖବର ମିଳିନାହିଁ । ତେବେ ଲୋକେ ଖୁବ ସାବଧାନରେ ଚଳପ୍ରଚଳ ହେଉଛନ୍ତି; ରାତିରେ କେହି ପଦାକୁ ବାହାରୁ ନାହାନ୍ତି । ଚେଲେମାର ଷ୍ଟେସନମାଷ୍ଟର ଆହୁରି ଜଣାଇଲେ ଟ୍ରଲିକୁ ଫେରାଇ ଆଣି ଚେଲେମା ଷ୍ଟେସନ ପ୍ଲାଟଫର୍ମରେ ରଖାଯାଇଛି । ଆପଣ ଲାଇନ ଇନସପେକ୍ଟରଙ୍କୁ ଟେଲିଗ୍ରାଫ କରନ୍ତୁ । ତାଙ୍କର ସଦର ଅଫିସ ହେଉଛି ନନ୍ଦିୟାଲ । ତାଙ୍କୁ କହିବେ–ଜରୁରି ଦରକାର ପଡ଼ିଲେ ଆପଣ ଟ୍ରଲି ବ୍ୟବହାର କରିବେ । ମିଷ୍ଟର ବାଳସୁବ୍ରମନିଅମ ତତ୍‌କ୍ଷଣାତ୍ ରେଳବାଇ ଟେଲିଗ୍ରାଫ ଯୋଗେ ଏହି ବିଷୟ ନନ୍ଦିୟାଲର ଲାଇନ ପରିଦର୍ଶକଙ୍କୁ ଜଣାଇଦେଲେ । ସଙ୍ଗେ ସଙ୍ଗେ ମୁଁ ଟ୍ରଲି ବ୍ୟବହାର କରିପାରିବି ବୋଲି ଅନୁମତି ମିଳିଗଲା । ରେଳବାଇର ଏହି ସବୁ କର୍ମଚାରୀଙ୍କ ନିକଟରେ ମୁଁ ବିଶେଷ ଭାବରେ କୃତଜ୍ଞ-। ମୋର ଏହି ଦୁଃସାହସିକ କାର୍ଯ୍ୟରେ ସେମାନେ ଅକୁଣ୍ଠିତ ଭାବରେ ଯଥାଶକ୍ତି ସାହାଯ୍ୟ କରିଥିଲେ ।

 

ଷ୍ଟେସନମାଷ୍ଟରଙ୍କ ପାଖରୁ କିଛି ସମୟ ପାଇଁ ବିଦାୟ ମାଗି ମୁଁ ମୋର ଅନୁଗତ ତିନି ଜଣଙ୍କୁ (ବାଲା, କୃଷ୍ଣାପ୍‌ପା ଓ ଆଲି ବେଗ୍) ଘେନି ଗ୍ରାମ ଆଡ଼କୁ ଗଲି । ସେତେବେଳକୁ ରାତି ବେଶି ହୋଇଯାଇଥିଲା; କିନ୍ତୁ ପରଦିନଯାଏ ଡେରିକରିବାକୁ ଆମର ଇଚ୍ଛା ନଥିଲା । ଜଣେ ଗୋଆଲାର ଘରକୁ ଯାଇ ତାକୁ ନିଦରୁ ଉଠାଇଲୁ ଓ ଆମର ଉଦ୍ଦେଶ୍ୟ ଜଣାଇ କହିଲୁ–ଆମେ ଦୁଇଟି ଦାମୁଡ଼ି କିଣିବାକୁ ଆସିଛୁ । ବାଘ ଶିକାରରେ ସେମାନଙ୍କୁ ଥୋପ ରୂପେ ବନ୍ଧାଯିବ ।

 

ବାଙ୍ଗାଲୋର ଆଖପାଖରେ ବିଶେଷତଃ ମହୀଶୂର ରାଜ୍ୟରେ ଏହିପରି ଉଦ୍ଦେଶ୍ୟରେ ଗୋରୁ କିଣିବା ଅତି କଠିନ ବ୍ୟାପାର । ବାଘ ଯେତେ ମଣିଷ ମରିଥାଉ, ଯେତେ ଗୋରୁମଇଁଷି ମାରିଥାଉ ପଛକେ ତାକୁ ମାରିବା ସକାଶେ ଗୋଟାଏ ଜିଅନ୍ତା ଗୋରୁକୁ ଥୋପ କରି ବାନ୍ଧିବା ହେଉଛି ଘୋର ଅନ୍ୟାୟ କାର୍ଯ୍ୟ । ତେଣୁ ଅତି କୌଶଳରେ ଓ ଗୋପନରେ ଥୋପ ପାଇଁ ଗୋରୁ କିଣିବାକୁ ପଡ଼ିଥାଏ । ଏଭଳି ଉଦ୍ଦେଶ୍ୟରେ ଗୋରୁ ବିକିବା ପାଇଁ କେହି ରାଜି ହୁଅନ୍ତି ନାହିଁ; ରାଜି କରାଇବାକୁ ବହୁତ ପ୍ରବର୍ତ୍ତନା ଓ ଲୋଭ ଦେଖାଇବାକୁ ହୋଇଥାଏ । ରାତି ଅଧରେ ଯାଇ କୌଣସି ଗୋଆଲାକୁ ଶିକାରର ଥୋପ ସକାଶେ ଗୋରୁ ବିକିବାକୁ କହିବା ଗୋଟାଏ ଅସମ୍ଭବ କଥା; କିନ୍ତୁ ସୌଭାଗ୍ୟର ବିଷୟ, ଏହି ଅଞ୍ଚଳର ଲୋକେ ବ୍ୟବସାୟୀ ବୁଦ୍ଧି ସମ୍ପନ୍ନ ବୋଲି ମନେହେଲା । ମୋର ମତଲବ୍ ବୁଝିପାରି ଗୋଆଲା ଦୁଇଟା ଦାମୁଡ଼ି ବିକିବାକୁ ସ୍ଵୀକୃତ ହୋଇଗଲା । କେବଳ ସେତିକି ନୁହେଁ, ଖୁବ୍ ଉତ୍ସାହ ପ୍ରକାଶ କରି ନିଜେ ଦାମୁଡ଼ି ବାଛି ନେବା ପାଇଁ ମୋତେ ତ ଗୋଠକୁ ଡାକିନେଲା ।

 

ଗୋଠଟି ତାର ରହିବା ଘରର ପଛପଟେ । ଜାଗାଟା ଅନ୍ଧାରୁଆ । ଟର୍ଚ୍ଚର ଆଲୁଅ ସାହାଯ୍ୟରେ ମୁଁ ଯୋଡ଼ିଏ କସରା ରଙ୍ଗର ଦାମୁଡ଼ି ବାଛିଲି । ପ୍ରତ୍ୟେକର ଦାମ୍ ୩୫ ଟଙ୍କା ତୁଟିଲା । ଇଂଲଣ୍ଡର ମୁଦ୍ରାରେ ଏହା ତିନି ପାଉଣ୍ଡରୁ ମଧ୍ୟ କମ୍ । ମୁଁ ଟଙ୍କା ଗଣିଦେଇ ତାକୁ ଧନ୍ୟବାଦ ଦେଇ କହିଲି–ଦାମୁଡ଼ି ଦିଓଟି ରାତିରେ ତୁମରି ଗୋଠରେ ଥାଆନ୍ତୁ । କାଲି ସକାଳୁ ମୋର ଏଇ ଲୋକମାନେ ଆସି ନେଇଯିବେ । ସେ ଏହି ପ୍ରସ୍ତାବରେ ତତ୍‌କ୍ଷଣାତ୍ ରାଜି ହୋଇଗଲା ।

 

ଆମେ ଷ୍ଟେସନକୁ ଫେରିଆସି ଦେଖିଲୁ, ଗୋଟାଏ ମାଲଗାଡ଼ି ଆସି ଷ୍ଟେସନ ପାଖ ଲାଇନରେ ଛିଡ଼ା ହୋଇଅଛି । ଗାଡ଼ିର ଡ୍ରାଇଭର ଜଣେ ଆଙ୍ଗ୍‌ଲୋଇଣ୍ଡିଆନ । ସେ ଷ୍ଟେସନ ଅଫିସଘରେ ମିଷ୍ଟର ବାଳସୁବ୍ରମନିଅମଙ୍କ ସଙ୍ଗେ କଅଣ କଥାବାର୍ତ୍ତା ହେଉଥାଏ । ତାର ବାମ ହାତରେ ଥାଏ କଫି ପୂର୍ଣ୍ଣ ଥର୍ମୋଫ୍ଳାକ୍‌ସ ଓ ଆର ହାତରେ ଗୋଟାଏ କପ୍‌ରୁ ଟିକିଏ ଟିକିଏ କଫି ପିଉଥାଏ । ମୁଁ ଘର ଭିତରକୁ ପଶିଗଲାକ୍ଷଣି ସେ ନିଜର ପରିଚୟ ଦେଇ କହିଲା–ମୋର ନାମ ଉଇଲିୟମ ରଜର୍ସ । ମୁଁ ଆସିବା ଆଗରୁ ସେ ଷ୍ଟେସନମାଷ୍ଟରଙ୍କ ସଙ୍ଗେ ମୋରି ବିଷୟରେ ଯେ କଥାବାର୍ତ୍ତା କରୁଥିଲା, ଏଥିରେ ସନ୍ଦେହ ନାହିଁ । ମୁଁ କିଛି ପଚାରିବା ଆଗରୁ ସେ ମୋତେ କଫି କପ୍‌ଟିଏ ବଢ଼ାଇ ଦେଇ ବେଳେବେଳେ କହିଲା–“ମାତ୍ର ଚାରିଦିନ ପୂର୍ବେ ରାତିରେ ଗୋଟାଏ ବାଘ ଲାଇନ୍‌ର ଗୋଟାଏ ପାଖରୁ ଆର ପାଖକୁ ଡେଇଁ ପଳାଇଥିଲା । ସେ ଜାଗାଟା ହେଉଛି ନନ୍ଦିୟାଲଠାରୁ ପ୍ରାୟ ଅଧମାଇଲ ପଛକୁ ।” ମୁଁ ପଚାରିଲି–‘ବାଘଟାର କିଛି ବିଶେଷତ୍ଵ ଥିଲା କି ? ତାର ରଙ୍ଗ କିପରି ?” ସେ ଉତ୍ତରକଲା–“ଇଞ୍ଜିନ୍‌ର ହେଡ଼ଲାଇଟ୍‌ରେ ଏତେ ଦୂରରୁ ସେସବୁ ଲକ୍ଷ୍ୟ କରି ହୁଏ ନାହିଁ । ତେବେ ତାର ଆକାରଟା ଖୁବ୍ ବଡ଼ । ଆପଣ ଯଦି ଚିତ୍ତଲ, କିମ୍ବା ବାର୍‌ହା, କିମ୍ବା ଶମ୍ବର ମାରିବାକୁ ଚାହାନ୍ତି ତେବେ ଦିଗ୍‌ବମେଟା ଅଞ୍ଚଳକୁ ଚାଲନ୍ତୁ । ସେଠାରେ ଏସବୁ ଜନ୍ତୁ ଯଥେଷ୍ଟ । ଏ ଷ୍ଟେସନ ପାଖରେ ସେମାନେ କ୍ଵଚିତ୍ ଦେଖାଯାନ୍ତି ।”

 

ମୁଁ କହିଲି “ଆପଣ ଯେଉଁ ସମ୍ବାଦ ଦେଲେ ସେଥିପାଇଁ ବହୁତ ଧନ୍ୟବାଦ । ଆଗେ ଏ ବାଘଟାକୁ ମାରିସାରିବା ପରେ ମୁଁ ହରିଣ କି ଶମ୍ବର ଶିକାର କଥା ବିଚାର କରିବି । ମୋ ସହିତ କରମର୍ଦ୍ଦନ କରି, ଷ୍ଟେସନମାଷ୍ଟରଙ୍କଠାରୁ ‘ଲାଇନ କ୍ଲିଅର’ ସଙ୍କେତ ନେଇ ସେ ବିଦାୟ ସମ୍ଭାଷଣ ଜଣାଇ ଗାଡ଼ିର ପଛରେ ଥିବା ନାଲି ଆଲୁଅ ଅଦୃଶ୍ୟ ହୋଇଗଲା । ଷ୍ଟେସନକୁ ପୁଣି ନିରବତା ଗ୍ରାସକଲା ।

 

ଠିକ ଏତିକିବେଳେ ନନ୍ଦିୟାଲରୁ ଟେଲିଗ୍ରାଫ ଯୋଗେ ସମ୍ବାଦ ମିଳିଲା ଯେ ଚେଲେମା ଷ୍ଟେସନରେ ଯେଉଁ ଟ୍ରଲି ଅଛି, ତାକୁ ମୁଁ ଦରକାର ହେଲେ ବ୍ୟବହାର କରିପାରିବି ।

 

ଷ୍ଟେସନମାଷ୍ଟର ଓୟେଟିଙ୍ଗ ରୁମର କବାଟ ଫିଟାଇଦେଲେ । ଛାତରୁ ଗୋଟିଏ କିରାସିନି ଲ୍ୟାମ୍ପ ଝୁଲୁଥିଲା । ଡିଆସିଲି ମାରି ମୁଁ ତାକୁ ଲଗାଇଲି । ବାଲା ମୋର ରାଇଫଲ, ବିଛଣା, ପାଣିବୋତଲ ଓ ଜଳଖିଆ ବାକ୍‌ସ ଘର ଭିତରକୁ ଆଣିଲା । ଦେଖିଲି ଗାଧୁଆଘରେ ପାଣି ନାହିଁ; କିନ୍ତୁ ଏତେ ରାତିରେ ପାଣିର ବ୍ୟବସ୍ଥା କରିବା ପାଇଁ ମିଷ୍ଟର ବାଳସୁବ୍ରମନିୟମଙ୍କୁ କହିବାକୁ ମୁଁ କୁଣ୍ଠିତ ବୋଧକଲି । ଘର ଭିତରେ ଖଟ ନ ଥିଲା; ଗୋଟିଏ ଟେବୁଲ, ଦୁଇଟା ବାହୁହୀନ ଚଉକି ଓ ଗୋଟାଏ ଆରାମଚଉକି ଥିଲା । ଆରାମ ଚଉକିରେ ଠିକ୍ ମଝିରେ ଗୋଟାଏ ବଡ଼ କଣା ଥିଲା । ମୁଣ୍ଡ ଉପରେ ଯେ ଛାତ ଥିଲା, ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେକଲି । ଲ୍ୟାମ୍ପକୁ ଲିଭାଇଦେଇ ମୁଁ ଆରାମଚଉକି ଉପରେ ଶୋଇବାକୁ ଗଲି । ମୋ ଦେହର ତଳ ଅଧକ କଣା ବାଟେ ଗଳିପଡ଼ିଲା । ଉପର ଅଧକ ଚଉକିରେ ରହିଥିଲା । ଦୁଇ ଗୋଡ଼ରୁ ବୁଟ୍ ଖୋଲି ଦେଇ ମୁଁ ତାହାକୁ ଚଉକିର ପାଆଦାନି (bysupporters) ଉପରେ ରଖିଦେଲି । ଅଳ୍ପ ସମୟ ଭିତରେ ମୋତେ ନିଦ ଲାଗିଗଲା ।

 

ରାତି ପ୍ରାୟ ସାଢ଼େ ଚାରିଟାବେଳକୁ ଆଉ ଗୋଟିଏ ମାଲଗାଡ଼ି ଆସି ଷ୍ଟେସନରେ ରହିଲା । ସେତେବେଳେ ମୋ ନିଦ ଭାଙ୍ଗି ଯାଇଥିଲା । କିନ୍ତୁ ଗାଡ଼ି ଚାଲିଯିବା ପରେ ପୁଣି ମୁଁ ଶୋଇପଡ଼ିଲି । କେତେ ସମୟ ଶୋଇଛି ଜାଣେନାହିଁ; କିନ୍ତୁ ବାଲା ଯେତେବେଳେ ଘର ଭିତରକୁ ଆସି ଉଠାଇଲା, ସେତେବେଳକୁ ଖରା ପଡ଼ିଆସିଥିଲା । ମୁଁ ବୁଝିଲି ଯେ ମିଷ୍ଟର ବାଳସୁବ୍ରମନିୟମ ରାତିର କାମ ସାରି ଶୋଇବାପାଇଁ ନିଜ ବସାକୁ ଯାଇଛନ୍ତି । ମୁଁ ବାଲାକୁ କହିଲି, “ଯାଅ, ପ୍ଲାଟଫର୍ମ ପାଖରୁ ତିନିଖଣ୍ଡ ଇଟା ଆଉ କିଛି ଡାଳପତ୍ର ଗୋଟାଇ ଆଣି ମୋ କେଟିଲିରେ ଚାହା ତିଆରି କର-।” ସେ ମୋର ଉପଦେଶ ଅନୁସାରେ କାମରେ ଲାଗିଲା । ଏଣେ ମୁଁ ମୋର ଛୋଟ ପ୍ରାଇମସ ଷ୍ଟୋଭ ଲଗାଇ କିଛି ମାଂସ ଭାଜିନେଲି । ଚାହା ପାଣି ଫୁଟିବା ଆଗରୁ ମୋର ମାଂସ ଭଜା ହୋଇଗଲା । ପ୍ଲାଟଫର୍ମର ଗୋଟିଏ ମୁଣ୍ଡରେ ଇଞ୍ଜିନ ପାଣି ନେବାପାଇଁ ଗୋଟିଏ ପାଣିଟାଙ୍କି ଥିଲା-। ମୁଁ ଟାଓଏଲ, ଦାନ୍ତଘଷା ବ୍ରସ, ପେଷ୍ଟ, ସାବୁନ ଓ ବଦଳିହେବା ପାଇଁ ସାରେ ପୋଷାକ ଧରି ସେହି ପାଣିଟାଙ୍କି ପାଖକୁ ଗଲି । ଟାଙ୍କିଟା ଚାରିଟା ଖମ୍ବ ଉପରେ ଖୁବ୍ ଉଚ୍ଚରେ ଥାଏ । ସେଥିରେ ଦଶହଜାର ଗାଲନ ପାଣି ଧରେ । ମୁଁ ମୋର ଗାଧୁଆ ସରଞ୍ଜାମ ସବୁ ଦୂରରେ ରଖିଦେଇ ଟାଙ୍କିରୁ ବାହାରିଥିବା ପାଇପର ପେଞ୍ଚ ଖୋଲିଦେଲି । ହଠାତ୍ ଏତେ ଜୋରରେ ମୋ ଉପରେ ପାଣି ପଡ଼ିଲା ଯେ ମୁଁ ତଳେ ପଡ଼ି ଯାଇଥାନ୍ତି । ଯାହା ହେଉ ଖୁବ୍ ମଜାରେ ଦାନ୍ତଘଷି, ଗାଧୋଇ ପଡ଼ିଲି । ଟାଓଏଲଟାକୁ ଅଣ୍ଟାରେ ବାନ୍ଧିଥିଲି । ସେଇଟା ଓଦା ହୋଇଗଲା । ପୋଛା ପୋଛି ହେବାପାଇଁ ଆଉ ଟାଓଏଲ ନଥିଲା; କିନ୍ତୁ ଗରମ ଦିନ, ଅଳ୍ପ ସମୟ ଭିତରେ ଦେହରୁ ପାଣି ଶୁଖିଗଲା । ମୁଁ ପୋଷାକ ବଦଳାଇଲି । ଜଙ୍ଗଲ ଅଞ୍ଚଳରେ ବୁଲିବା ସମୟରେ ମୁଁ କ୍ଷିଅର ହୁଏନାହିଁ । ତେଣୁ କ୍ଷିଅର ହେବା ଅଡ଼ୁଆ ନଥିଲା ।

 

ଓଏଟିଙ୍ଗ ରୁମ୍‌କୁ ଫେରି ଦେଖିଲି, ବାଲାର ଚାହା ପାଣି ଫୁଟୁଛି । ବାଙ୍ଗାଲୋରରୁ ମୁଁ କିଛି ରୁଟି ନେଇଥିଲି । ସେତେବେଳକୁ ତାହା ଶୁଖି କାଠପରି ହୋଇଥିଲା । ତଥାପି ସେହି ରୁଟି, ଭଜା ମାଂସ ଓ ଚାହାରେ ମୋର ‘ଛୋଟା ହାଜାରି’ ହୋଇଗଲା । ଭାରତରେ ରହୁଥିବା ଗୋରାମାନେ ସକାଳ–ଜଳଖିଆକୁ ‘ଛୋଟା ହାଜାରି’ କହିଥାନ୍ତି । ‘ଛୋଟାର’ ଅର୍ଥ ସାନ ଓ ‘ହାଜାରିର’ ଅର୍ଥ ଖାନା ବା ଖାଦ୍ୟ ।

 

ରାତିରେ ଶେଷ ପହର ଆଡ଼କୁ ଗାର୍ଡ଼ ଦୁହେଁ ଟିକିଏ ଶୋଇପଡ଼ିବା ପାଇଁ ଗାଆଁକୁ ଯାଇଥିଲେ । ମୋର ଛୋଟା ହାଜାରି ଶେଷ ହେଲା । ସେ ଦୁହେଁ ଆସି ହାଜର । ଆମେ ଚାରିଜଣ ଯାକ ଦାମୁଡ଼ି ଯୋଡ଼ିକୁ ସଙ୍ଗରେ ଘେନି ଯେଉଁ ଯେଉଁ ଠାରେ ବାନ୍ଧିବାର କଥା ସେଠାକୁ ଗଲୁ । ସେଥିରୁ ଗୋଟିଏ ହେଲା, ଯେଉଁଠାରେ ଗାର୍ଡ଼ ଦୁହେଁ ବାଘକୁ ଭେଟିଥିଲେ । ଏ ସ୍ଥାନଟି ଗ୍ରାମଠାରୁ ପ୍ରାୟ ଏକ ମାଇଲ ଦୂରରେ । କୃଷ୍ଣାପ୍‌ପା ଗୋଟାଏ ଡାଳ ଆଣି ସେଥିରୁ ପ୍ରାୟ ତିନି ଫୁଟ ଲମ୍ବର ଗୋଟିଏ ଗଡ଼ ତା କୁରଢ଼ି ସାହାଯ୍ୟରେ ହାଣିଲା ଓ ତାର ଗୋଟିଏ ମୁଣ୍ଡକୁ ଗୋଜା କରିଦେଲା । ଗୋଟିଏ ଗଛଉପରେ ମଞ୍ଚା ତିଆରି ହେଲା । ଗଛମୂଳରୁ ପ୍ରାୟ ପନ୍ଦର ଗଜ ଦୂରରେ ଖୁଣ୍ଟିକୁ ପୋତି ଗୋଟିଏ ଦାମୁଡ଼ିକୁ ସେଥିରେ ବାନ୍ଧିଦେଇ ଷ୍ଟେସନକୁ ଫେରିଆସିଲୁ । ଷ୍ଟେସନଠାରୁ ରେଳଲାଇନ ପାରହୋଇ ବାଲାର କୁଡ଼ିଆ ପାଖରେ ଥିବା ନାଳିକୁ ଗଲୁ । ଆରପାଖରେ ବାଘର ନୂଆ ପାଦଚିହ୍ନ ଦେଖାଗଲା ନାହିଁ । ଯେଉଁ ବାଲିଚରା ଉପରେ ବାଘର ପାଦଚିହ୍ନ ଦେଖିଥିଲୁ, ତାହା ଠାରୁ ପାୟ ୫୦ ଗଜ ଦୂରରେ ଗୋଟିଏ ଗଛମୂଳେ ଅନ୍ୟ ଦାମୁଡ଼ିଟିକୁ ବାନ୍ଧିଦେଲୁ ।

 

ଏହିସବୁ କାମସାରି ଆମେମାନେ ଷ୍ଟେସନକୁ ବାହୁଡ଼ିଆସିଲୁ । ସେତେବେଳକୁ ଦିନ ପ୍ରାୟ ଦୁଇପ୍ରହର । ମିଷ୍ଟର ବାଳସୁବ୍ରମନିୟମ୍ ତାଙ୍କ ଘରେ ଖାଇବା ପାଇଁ ମୋତେ ନିମନ୍ତ୍ରଣ କଲେ; କିନ୍ତୁ ମୁଁ ଅତି ବିନୀତ ଭାବରେ ତାଙ୍କ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିଦେଲି । ମୁଁ ଜାଣିପାରିଥିଲି ଯେ ମୋର ତାଙ୍କ ଘରେ ଖାଇବାରେ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କର ଘୋର ଅସୁବିଧା ହେଉଥିବ । ଅବଶ୍ୟ ସେ କଥାଟା ସେ କଥାରେ ବା କାର୍ଯ୍ୟରେ ପ୍ରକାଶ କରୁ ନଥିଲେ । ସେ ଥିଲେ ଉଚ୍ଚ ଜାତିର ହିନ୍ଦୁ, ନିରାମିଷାଶୀ; ମୁଁ ଥିଲି ବିଜାତୀୟ, ମାଂସାହାରୀ । ତେଣୁ ତାଙ୍କୁ ଅସୁବିଧାରେ ପକାଇବାକୁ ମୁଁ ଉଚିତ ମନେ କରିନଥିଲି । ଗାର୍ଡ଼ ଦୁହିଁଙ୍କ ସହିତ ଗାଆଁ ଭିତରକୁ ଯାଇ ସେଠାରେ ତଥାକଥିତ ଏକ ହୋଟେଲରୁ ଯାହା କିଛି ମିଳିଲା, ତାହା ଖାଇଲି । ଏହି ହୋଟେଲଟି ମାତ୍ର ଏକ ବଖରାର ଛୋଟ ଘର । ଉପରେ ଟିଣ ଛାତ ଓ ତା’ ଉପରେ କୁଟା ।

 

ଖାଇବା ଶେଷ ହେଲା । ଆମେ ସମସ୍ତେ ଷ୍ଟେସନକୁ ଫେରିଲୁ । ବନ୍ଧା ହୋଇଥିବା ଦାମୁଡ଼ି ଦୁହିଁଙ୍କୁ ଘାସ ଓ ପାଣି ଦେବାକୁ ଦୁଇ ଜଣ ଚେଞ୍ଚୁଙ୍କୁ ଆଦେଶ ଦେଇ କହିଲି, “ଯଦି କୌଣସି ଦାମୁଡ଼ିକୁ ମରିଥିବାର ଦେଖିବ, ତେବେ ସଙ୍ଗେ ସଙ୍ଗେ ଷ୍ଟେସନମାଷ୍ଟରଙ୍କୁ ଖବର ଦେବ ।” ଖବର ପାଇଲାମାତ୍ରେ ମିଷ୍ଟର ବାଳସୁବ୍ରମନିୟମ ମୋତେ ଜଣାଇ ଦେବେ ବୋଲି ସେ ଆଗରୁ ଜାଣିଥିଲେ; ତେଣୁ ତାଙ୍କୁ ଦ୍ଵିତୀୟବାର କହିବା ଆବଶ୍ୟକ ନଥିଲା ।

 

ମିଷ୍ଟର ବାଳସୁବ୍ରମନିୟମଙ୍କ ମୋ ପ୍ରତି ଆଚରଣ, ସାହାଯ୍ୟ ଓ ସହାନୁଭୂତି ବିଷୟରେ ଏଠାରେ ଉଲ୍ଲେଖ କରିବା ଉଚିତ । ତାଙ୍କ ଧର୍ମମତରେ ଗୋରୁ ହେଉଛି ଏକ ପବିତ୍ର ଜୀବ । ଗୋଟାଏ ଗାଈ ବା ଦାମୁଡ଼ିକୁ ମରାଇବାରେ ମୋତେ କୌଣସିମତେ ସାହାଯ୍ୟ ଦେବା ତାଙ୍କ ଧର୍ମନୀତିରେ ଘୋର ଅନ୍ୟାୟ । କିନ୍ତୁ ଏହି ଘଟଣାରେ ବହୁ ଲୋକଙ୍କର ସ୍ଵାର୍ଥ ସଂଶ୍ଳିଷ୍ଟ ଥିଲା । ସେହି ସ୍ଵାର୍ଥ ନିକଟରେ ସେ ନିଜର ବ୍ୟକ୍ତିଗତ ନୀତିକୁ ବଳି ଦେଇଥିଲେ ଓ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

 

ଏହାର ଆଗ ଷ୍ଟେସନ ବାସବପୁରମ୍ ସେଠାରୁ ଛଅ ମାଇଲ ଦୂର । ରାତି ପାହାନ୍ତା ଦୁଇଟା ତିରିଶ ମିନିଟରେ ଟ୍ରେନ ଆସି ଷ୍ଟେସନରେ ପହଞ୍ଚିଲା । ମୁଁ ଡ୍ରାଇଭରଙ୍କୁ କହିଲି, “ମୋତେ ଇଞ୍ଜିନରେ ଆପଣଙ୍କ ସଙ୍ଗେ ନେଇଯାଆନ୍ତୁ ।” ସେ ମୋର ଏହି ଅନୁରୋଧ ରକ୍ଷା କଲେ । ମୋର ଉଦ୍ଦେଶ୍ୟ ଥିଲା–ରାତିରେ ଗଲାବେଳେ ରେଳଲାଇନର ଦୁଇପାଖେ ଥିବା ଜଙ୍ଗଲକୁ ଦେଖିବି । ଆଲି ବେଗ୍ ସେହି ଟ୍ରେନର ଶେଷଆଡ଼କୁ ଗୋଟିଏ ତୃତୀୟ ଶ୍ରେଣୀ ଡବାରେ ବସିଲା ।

 

ବାସବପୁରମ୍ ଷ୍ଟେସନ ସେଠାରୁ ଛଅମାଇଲ ମାତ୍ର । ଏତକ ଯିବା ପାଇଁ ଟ୍ରେନକୁ ୨୫ ମିନିଟ ଲାଗିଲା । ରେଳଲାଇନର ଦୁଇପାଖେ ଥିବା ଜଙ୍ଗଲକୁ ଦେଖିଲା ପରେ ମୋର ଉତ୍ସାହ କମି ଆସିଲା; ସଫଳ ହେବାର ଆଶା ପ୍ରାୟ ରହିଲା ନାହିଁ । ଜଙ୍ଗଲ ଅତି ନିଘଞ୍ଚ; ବହୁଦୂର ବିସ୍ତୃତ । ଏହା ଭିତରେ ବାଘଟା ଯେ କୌଣସି ସ୍ଥାନରେ ରହିପାରେ ।

 

ବାସବପୁରମ୍ ଷ୍ଟେସନ ଗାଜୁଲାପଲି ଷ୍ଟେସନଠାରୁ ବିଶେଷ ଫରକ ନୁହେଁ । ଡ୍ରାଇଭରକୁ ଧନ୍ୟବାଦ ଜଣାଇ ମୁଁ ଇଞ୍ଜିନରୁ ପ୍ଲାଟଫର୍ମକୁ ଓହ୍ଲାଇ ଭାବିବାକୁ ଲାଗିଲି–ମୁଁ ଅତି ମାତ୍ରାରେ ଆଶାବାଦୀ ହୋଇପଡ଼ିଛି । ଗାଜୁଲାପଲି ପାଖରେ ବାଘ ଅଛି ବୋଲି ମୁଁ ନିଶ୍ଚିତ ମନେକରି ଥୋପ ବସାଇ ଆସିଲି; କିନ୍ତୁ ବାଘଟା ହୁଏତ; ବାସବପୁରମ୍ ପାଖରେ କିମ୍ବା ଏଠାରୁ ପାଞ୍ଚମାଇଲ ଦୂର ଚେଲେମା ଅଞ୍ଚଳରେ ରହିଥିବା ବେଶି ସମ୍ଭବ ।

 

ବାସବପୁରମର ଷ୍ଟେସନ ମାଷ୍ଟର ମିଷ୍ଟର ବାଳସୁବ୍ରମନିଅମଙ୍କ ଭଳି ମୋ ପ୍ରତି ସଦୟ ଓ ସହାନୁଭୂତିଶୀଳ ଥିଲେ ତାଙ୍କର ନାମ ଥିଲା ମାସିଲାମନି । ସେ ନୀଚ ଜାତିର ହିନ୍ଦୁ ଥିଲେ ଓ ତାଙ୍କର ମାତୃଭାଷା ତାମିଲ । ପ୍ରଥମ ସମ୍ଭାଷଣରେ ହିଁ ମୁଁ ମୁଗ୍‌ଧ ହୋଇଗଲି । ସେ କହିଲେ–“ବାଘ ଯେଉଁ ଅଞ୍ଚଳରେ ଉପଦ୍ରବ କରୁଛି, ବାସବପୁରମ୍ ହେଉଛି ତାର ଠିକ୍ ମଝିରେ । ତେଣୁ ଆପଣ ନିଶ୍ଚିନ୍ତରେ ଷ୍ଟେସନର ଓୟେଟିଙ୍ଗ ରୁମ୍‌ରେ ରୁହନ୍ତୁ । ବାଘଟା ନିଶ୍ଚୟ ଦେଖାପଡ଼ିବ ।”

 

ଷ୍ଟେସନର କର୍ମଚାରୀମାନଙ୍କୁ ମୁଁ ଟିକିନିଖି କରି ନାନା ପ୍ରଶ୍ନ ପଚାରିଲି । ଗାଆଁରୁ ଷ୍ଟେସନକୁ ଆସିଥିବା ଜଣେ ଫରେଷ୍ଟ ଗାର୍ଡ଼କୁ ମଧ୍ୟ କେତେକ ପ୍ରଶ୍ନ ପଚାରିଲି । ସେ ତେଲୁଗୁଭାଷୀ; ତେଣୁ ମିଷ୍ଟର ମାସିଲାମନି ଦୋଭାଷୀର କାର୍ଯ୍ୟ ଚଳାଇଲେ । ଗାର୍ଡ଼ ଯାହା କହିଲା, ତାର ସାରମର୍ମ ହେଲା–

 

ଏ ଅଞ୍ଚଳରେ ଆମେ ଦୁଇଜଣ ଫରେଷ୍ଟ ଗାର୍ଡ଼ ଅଛୁ । ମୋର ସାଥି ଜଣକୁ ମେଲେରିଆ ଧରିଥିବାରୁ ଛୁଟିନେଇ ନନ୍ଦିଆଲ ଯାଇଛି ।

 

ଷ୍ଟେସନ କର୍ମଚାରୀମନେ କହିଲେ ଆମେ ଅନେକ ଥର ବାଘ ଦେଖିଛୁ । ସେ ମଣିଷଖିଆ ବାଘକୁ ମଧ୍ୟ ଦେଖିଛୁ; କିନ୍ତୁ ତାର କୌଣସି ବିଶେଷତ୍ଵ ଲକ୍ଷ୍ୟ କରିନାହୁଁ ।

 

ଏହି ଫରେଷ୍ଟ ଗାର୍ଡ଼ର ନାମ କିଟ୍ଟୁ । ତାହାଠାରୁ ଜଣାଗଲା ଯେ ସେଠାରୁ ପ୍ରାୟ ଏକ ମାଇଲ ଦୂରରେ ରେଳଲାଇନ ଉତ୍ତରକୁ ଗୋଟିଏ ଗାଡ଼ିଆ ଅଛି । ବାଘମାନେ ସେଠାକୁ ପାଣି ପିଇବାକୁ ଆସନ୍ତି । ଗାଡ଼ିଆ ପାଖରେ ବାଘର ଅନେକ ପାଦଚିହ୍ନ ସେ ଦେଖିଛି ।

 

ସେଇଦିନ ଉପରବେଳା ଆମେ ଗାଡ଼ିଆ ପାଖକୁ ଗଲୁ । ସେଠାରେ କେତେକ ବାଘ ପାଦର ଚିହ୍ନ ଦେଖିଲୁ । କିନ୍ତୁ ସେ ସବୁ ବହୁ ଦିନର । କେବଳ ଗୋଟିଏ ଜାଗାରେ ଗୋଟାଏ ବଡ଼ ଚିତାବାଘର ଗନ୍ଧ ପାଇଲି । ଏହା ଜାଣି ମୁଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଲି । ଯେଉଁଠାରେ ଚିତାବାଘ ଥାଏ, ସେଠାରେ ମହାବଳ ବାଘ ପାଇଁ ଥୋପ ବସାଇବା ନିରର୍ଥକ । ସାଧାରଣତଃ ମହାବଳ ଆସିବା ପୂର୍ବରୁ ଚିତାବାଘ ଥୋପ କରାଯାଇଥିବା ଜନ୍ତୁକୁ ଖାଇ ଦେଇଥାଏ ।

 

ମୋର ସେଦିନ ରାତିଟି ଓୟେଟିଙ୍ଗ୍ ରୁମରେ କଟିଲା । ପରଦିନ ସକାଳେ ମୁଁ ଗାଁ ଭିତରକୁ ଯାଇ ଗୋଟିଏ ଦୁଇ ବର୍ଷିଆ ମଇଁଷି କିଣି ଆଣିଲି । ଗାଡ଼ିଆଠାରୁ ଅଧମାଇଲ ଭିତରେ ଜଙ୍ଗଲରେ ଗୋଟିଏ ମେଲା ଜାଗା ଥିଲା । ସେହିଠାରେ ମଇଁଷିକୁ ବାନ୍ଧି ଦିଆଗଲା । ମୁଁ କିଟ୍ଟୁକୁ କହିଲି–ତୁ ପ୍ରତିଦିନ ସକାଳେ କେତେଜଣ ଲୋକଙ୍କୁ ସାଙ୍ଗରେ ଘେନି ଆସିବୁ । ମଇଁଷିକୁ ଆହାର ଓ ପାଣି ଯୋଗାଇ ଦେବୁ । ମଇଁଷି ମରିଥିବାର ଦେଖିଲେ ଆସି ଷ୍ଟେସନମାଷ୍ଟରଙ୍କୁ ଖବର ଦେବୁ । ମିଷ୍ଟର ବାଳସୁବ୍ରମନିଅମଙ୍କ ଭଳି ମିଷ୍ଟର ମାସିଲାମନି ମଧ୍ୟ ମୋତେ ପ୍ରତିଶ୍ରୁତି ଦେଲେ ଯେ ଖବର ପାଇଲାମାତ୍ରେ ସେ ମୋତେ ଜଣାଇବେ ।

 

ଉପରବେଳା ତିନିଟା ପନ୍ଦର ମିନିଟ୍ ବେଳେ ଗାଡ଼ି ଆସିଲା । ମୁଁ ଗାର୍ଡ଼ର ଇଞ୍ଜିନରେ ଡ୍ରାଇଭରଙ୍କ ପାଖେ ବସି ଚେଲେମା ଷ୍ଟେସନ ଯାଏ ଗଲି । ଏ ଡ୍ରାଇଭର ଜଣେ ଭାରତୀୟ । ବାଟରେ ସେ ଗୋଟିଏ ଜାଗା ଦେଖାଇ କହିଲେ–ଏଇ ଯେଉଁ ପଥରକଟା (କାଟେଣି) ରାସ୍ତାରେ ଗାଡ଼ି ଯାଉଛି, ତା’ରି ଧାରାରେ ଟ୍ରଲିଚାଳକକୁ ବାଘ ନେଇଯାଇଥିଲା ଏଇ ଜାଗାଟା ହେଉଛି ଦୁଇ ଷ୍ଟେସନର ପ୍ରାୟ ମଝିରେ ।

 

ଆମେ ଚେଲେମାରେ ଓହ୍ଲାଇଲୁ । ଷ୍ଟେସନ ମାଷ୍ଟର ଆସି ମୋତେ ସମ୍ବର୍ଦ୍ଧନା କଲେ ଓ କହିଲେ ଯେ ମୋର ଆସୁଥିବା ଖବର ସେ ଆଗରୁ ପୂର୍ବବର୍ତ୍ତୀ ଷ୍ଟେସନ ମାଷ୍ଟରମାନଙ୍କ ଠାରୁ ପାଇଥିଲେ । ସେ ଦୁଇଜଣ ଫରେଷ୍ଟ ଗାର୍ଡ଼ଙ୍କୁ ଡକାଇ ଆଣି ରଖିଥିଲେ । ସେ ଦୁହେଁ ମୋତେ ଭେଟିବାପାଇଁ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ ।

 

ଆମ ଭିତରେ ଆଲୋଚନା ଚାଲିଲା । ସେଥିରୁ ଜଣାଗଲା, ମୁଁ ଯେତେବେଳେ ଓୟେଟିଙ୍ଗ୍ ରୁମ୍‌ରେ ଶୋଇଥିଲି ସେତିକିବେଳେ ଗୋଟାଏ ମାଲଗାଡ଼ି ବାସବପୁରମ୍ ଷ୍ଟେସନ ବାଟେ ଗଲା । ସେଇ ଗାଡ଼ିର ଗାର୍ଡ଼ ଖବରଦେଇ ଯାଇଅଛନ୍ତି ଯେ ଦିଗୁବମେଟାଠାରେ ବାଘ ଜଣେ ସ୍ତ୍ରୀଲୋକକୁ ମାରିଛି । ଦିଗୁବମେଟା ହେଉଛି ସେଠାରୁ ଷୋହଳ ମାଇଲ ଦୂର ଜଙ୍ଗଲର ପୂର୍ବ ସୀମାନ୍ତରେ । ବାସବପୁରମ୍‌ରେ ମାଲଗାଡ଼ି ରହେନାହିଁ । ତେଣୁ ସେ ଆମକୁ ନିଜେ ଖବର ଦେଇ ପାରିନଥିଲା ।

 

ଏହି ଶେଷ ଖବରଟି ମୋର ସବୁ ହିସାବ ଓଲଟପାଲଟ କରିଦେଲା । ମୋର ଆଶା ଲୋପ ପାଇ ଆସିଲା । ଏବେ ସେଇ ମଣିଷଖିଆ ବାଘର ସନ୍ଧାନ ନେବାକୁ ହେଲେ ଗୋଟିଏ ପ୍ରକାଣ୍ଡ ଅଞ୍ଚଳରେ ଅନୁସନ୍ଧାନ ଚଳାଇବାକୁ ହେବ; ମୁଁ ଯେଉଁ କାର୍ଯ୍ୟପନ୍ଥା ସ୍ଥିର କରିଥିଲି ତାହାକୁ ଏକବାରେ ବଦଳାଇବାକୁ ପଡ଼ିବ । ମୋର ଦୃଢ଼ ବିଶ୍ଵାସ ଜନ୍ମିଥିଲା ଯେ ବାଘଟା ଗାଜୁଲାପଲ୍ଲୀର ଆଖପାଖରେ ଥିବ । ଏବେ ଜଣା ପଡ଼ିଲା ଯେ ସେ ଅଛି ସେଠାରୁ ୨୭ ମାଇଲ ଦୂରରେ ଦିଗୁବମେଟାରେ । ମୋର ମନେ ପଡ଼ିଗଲା ଗୋଟିଏ ବାଘପକ୍ଷରେ ସତେଇଶି ମାଇଲ ବାଟ କିଛି ନୁହେଁ । ରାତିକ ଭିତରେ ସେ ଗାଜୁଲାପଲ୍ଲୀରୁ ଆସି ଦିଗୁବମେଟାରେ ମଣିଷ ମାରିଥିବା ଅସମ୍ଭବ ନୁହେଁ ।

 

ଦିଗୁବମେଟାକୁ ଟେଲିଗ୍ରାଫ କରି ସମ୍ବାଦଟିର ସଭ୍ୟତା ବୁଝିବା ପାଇଁ ମୁଁ ଷ୍ଟେସନମାଷ୍ଟରଙ୍କୁ ଅନୁରୋଧ କଲି । ସେ ପନ୍ଦର ମିନିଟ ପର୍ଯ୍ୟନ୍ତ ଟେଲିଗ୍ରାଫ ଯନ୍ତ୍ରରେ ଟରେ–ଟକ୍‌କା ଶବ୍ଦକରି ମୋତେ କହିଲେ–ଦିଗୁବମେଟାର ଷ୍ଟେସନମାଷ୍ଟର କହିଲେ ଯେ ସମ୍ବାଦଟି ସତ୍ୟ-। ଗ୍ରାମର ପୁଲିସଠାରୁ ଖବର ମିଳିଲା, ଗତ ସକାଳେ ଜଣେ ଚେଞ୍ଚୁ ଜାତିର ସ୍ତ୍ରୀ ଜଙ୍ଗଲ ଧାରରେ ମହୁଲ ଫୁଲ ସଂଗ୍ରହ କରୁଥିଲା । ସେ ଫେରିଲା ନାହିଁ । ତା ଗାଆଁର କେତେଜଣ ଲୋକ ତାର ଟୋକେଇ ଦେଖିଲେ, ସେଥିରେ କିଛି ମହୁଲ ଫୁଲ ଥିଲା । କିନ୍ତୁ ସେ ସ୍ତ୍ରୀ ଲୋକର ପତ୍ତା ମିଳିନାହିଁ-

 

ଦିଗୁବମେଟାରେ ଷ୍ଟେସନ ମାଷ୍ଟର ଗୋଟାଏ ପରାମର୍ଶ ଦେଇଥିଲେ । ମୁଁ ଭିନ୍ନ ଭିନ୍ନ ସ୍ଥାନରେ ଜୀଅନ୍ତା ଗୋରୁ ବାନ୍ଧି ବାଘକୁ ଲୋଭ ଦେଖାଉଛି; ତେଣୁ ମୋ ପକ୍ଷରେ ଦିଗୁବମେଟାଠାରେ ସେହିପରି କରିବା ଉଚିତ । ଆହୁରି ମଧ୍ୟ ଚେଲେମା ଓ ଦିଗୁବମେଟାର ମଝିରେ ବୋଲେଗଡ଼ାଠାରେ ଗୋଟାଏ ଜନ୍ତୁ ବାନ୍ଧିବା ଭଲହେବ ।

 

ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । ବାଘ କେଉଁଠି ଜଣା ନାହିଁ । ମୁଁ କଅଣ ସେ ଅଞ୍ଚଳରେ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ସ୍ଥାନେ ସ୍ଥାନେ ଗୋରୁବାନ୍ଧି ବାଘକୁ ଥୋପ ଦେଖାଉଥିବି ?

 

ତା’ ଆର ଦିନ ସକାଳେ ମୁଁ ଚେଲେମାଠାରେ ଗୋଟାଏ ଗୋରୁ ବନ୍ଧାଇଲି । କିପରି ବନ୍ଧାଇଲି ତାର ବିସ୍ତୃତ ବର୍ଣ୍ଣନା ଶୁଣିବାକୁ ପାଠକ ଆଗ୍ରହୀ ହୋଇ ନପାରନ୍ତି । ପାଠକ ଭାବୁଥିବେ–ପରବର୍ତ୍ତୀ ଟ୍ରେନରେ ମୁଁ ଦିଗୁବମେଟା ନଯାଇ ଚେଲେମାରେ ଥୋପ ବସାଇଲି କାହିଁକି ? କିନ୍ତୁ ସେଥିରେ କାରଣ ଥିଲା । ସ୍ତ୍ରୀ ଲୋକଟିକୁ ମାରିବା ପରେ ଦୁଇଦିନ ଗତ ହୋଇଥିଲା । ମୁଁ ପହଞ୍ଚିଲା ବେଳକୁ ବାଘ ତାର ମାଂସ ଖାଇ ହାଡ଼କୁ ସୁଦ୍ଧା ସଫାକରି ଦେଇଥିବ । ସେହି ହାଡ଼ ସୁଦ୍ଧା ମୁଁ ପାଇପାରିବି କି ନା ? ଏହିସବୁ ଚିନ୍ତାକରି ମୁଁ ଚେଲେମାରେ ଗୋଟିଏ ଜନ୍ତୁ ବନ୍ଧାଇଲି ।

 

ସେହିଦିନ ଉପରବେଳା ମୁଁ ରେଳରେ ବସି ବୋଗଡ଼ାକୁ ଚାଲିଗଲି । ସନ୍ଧ୍ୟାବେଳକୁ ସେଠାରେ ଥୋପ ପାଇଁ ଆଉ ଗୋଟିଏ ଜନ୍ତୁ ବନ୍ଧାଇଦେଲି । ରାତିରେ ଗୋଟିଏ ମାଲଗାଡ଼ିରେ ବସି ପାହାନ୍ତିଆକୁ ଦିଗୁବମେଟାରେ ପହଞ୍ଚିଲି । ସେଠାରେ ଦୁଇ ଜାଗାରେ ଜନ୍ତୁ ବନ୍ଧାହେଲା । ଯେଉଁଠାରୁ ବାଘ ସ୍ତ୍ରୀଲୋକକୁ ନେଇଯାଇଥିଲା ସେଠାରେ ଗୋଟିଏ ବନ୍ଧା ହେଲା । ଗୋଟିଏ ଜାଗାରେ ଜଙ୍ଗଲ ରାସ୍ତା, ଗୋଟିଏ ନାଳ ଓ ଗୋରୁ ଯିବାର ଗୋଟାଏ ରାସ୍ତାରେ ମିଳିଥିଲେ । ସେହି ତିଛକିରେ ଅନ୍ୟ ଜନ୍ତୁଟିକୁ ବନ୍ଧାଗଲା ।

 

ଦିଗୁବମେଟାରେ ଯେଉଁ ଫରେଷ୍ଟର ଥିଲେ ସେ ଜଣେ ଭାରତୀୟ ଖ୍ରୀଷ୍ଟିୟାନ । ସେ ଖୁବ୍ ବୁଦ୍ଧିମାନ ଲୋକ ଥିଲେ ଓ ଅନ୍ୟକୁ ସାହାଯ୍ୟ କରିବାକୁ କୁଣ୍ଠିତ ନଥିଲେ । ସେ ମୋତେ ଦୃଢ଼ ଭାବରେ କହିଲେ ଯେ ଗତ କେତେ ବର୍ଷରେ ସେଇଠାରେ ‘ହୋଙ୍ଗି’ ଗଛରେ ମଞ୍ଚାବାନ୍ଧି ଅନେକ ବାଘ ମରା ଯାଇଅଛନ୍ତି । ହୋଙ୍ଗିଗଛ ପାଖରେ ଜନ୍ତୁକୁ ବନ୍ଧାଗଲା ।

 

ଏହି ଅଞ୍ଚଳରେ ମୁଁ ପାଞ୍ଚଦିନ କଟାଇ ସାତୋଟି ଜନ୍ତୁକୁ ଥୋପରୂପେ ବନ୍ଧାଇଥିଲି । ମୁଁ ଯେତେ ଟଙ୍କା ଖର୍ଚ୍ଚ କରିବି ବୋଲି ଭାବିଥିଲି, ସେଥିରୁ ଢେର ବେଶି ଖର୍ଚ୍ଚ ହୋଇ ଯାଇଥିଲା । ଖାଲି ମଣିଷଖିଆ ବାଘ ସମ୍ବନ୍ଧରେ ଏତେ ଗଳ୍ପ ଶୁଣିଲି ସିନା; ତାର ଗର୍ଜନ ସୁଦ୍ଧା ଶୁଣିଲି ନାହିଁ । ଅନ୍ୟ କୌଣସି ବାଘର ଗର୍ଜନ ମଧ୍ୟ ଶୁଣିଲି ନାହିଁ । ମୁଁ ପହଞ୍ଚିବା ଦିନୁ ଜଙ୍ଗଲ ନୀରବ ।

 

ଯେଉଁଦିନ ଦିଗୁବମେଟାରେ ଜନ୍ତୁ ବନ୍ଧାହେଲେ, ସେଦିନ ସନ୍ଧ୍ୟା ସମୟରେ ମୁଁ କିଛିଦୂର ଜଙ୍ଗଲ ଭିତରକୁ ବୁଲିଗଲି । ସାଙ୍ଗରେ ଥିଲେ ସେହି ଖ୍ରୀଷ୍ଟିୟାନ ଫରେଷ୍ଟର ମିଷ୍ଟର ଜୋସେଫ । ସେ ଥିଲେ ଅବିବାହିତ ଓ ମୋରି ପରି ଆମିଷାଶୀ । ଷ୍ଟେସନ ମାଷ୍ଟର ମୋର ରହିବା ପାଇଁ ଓୟେଟିଙ୍ଗ ରୁମ୍‌ରେ ବ୍ୟବସ୍ଥା କରିଥିଲେ । କିନ୍ତୁ ମିଷ୍ଟର ଜୋସେଫ କହିଲେ ଯେ ମୁଁ ତାଙ୍କର କ୍ଵାର୍ଟରରେ ରହିଲେ ଭଲ ହେବ । ସେଥିରେ ତାଙ୍କର ଲବମାତ୍ର ଅସୁବିଧା ହେବନାହିଁ । ଓୟେଟିଙ୍ଗ ରୁମ୍‌ରେ ରାତିରେ ଗାଡ଼ି ଗଲାବେଳେ ଘଟ୍ ଘଟ୍ ଶବ୍ଦରେ ବାରମ୍ବାର ନିଦରେ ବ୍ୟାଘାତ ହେବ । ସେଠାରେ ପୁଣି ନିଜର ଖାଇବା ରାନ୍ଧିବାକୁ ହେବ । ତାଙ୍କ ପାଖରେ ଯେଉଁ ମାଲୟାଲୀ ଚାକର ଅଛି ସେ ଦୁଇଜଣଙ୍କ ପାଇଁ ରନ୍ଧାବଢ଼ା କରିଦେବ । ମୁଁ ଦେଖିଲି, ମିଷ୍ଟର ଜୋସେଫଙ୍କ କ୍ଵାର୍ଟରରେ ରହିବା ମୋ ପକ୍ଷରେ ବେଶି ସୁବିଧା । ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୋଇଗଲି ।

 

ଦିଗୁବମେଟାରେ ଆପାତତଃ ମୁଁ ରହିବା ପାଇଁ ସ୍ଥିର କରିବାର ଗୋଟିଏ ପ୍ରଧାନ କାରଣ ହେଲା, ଶେଷଥର ବାଘ ସେହିଠାରେ ଗୋଟିଏ ସ୍ତ୍ରୀଲୋକକୁ ନେଇଥିଲା । ଏହା ମାତ୍ର ତିନିଦିନ ପୂର୍ବର ଘଟଣା । ଏଠାରେ ପୁଣି ପ୍ରଶ୍ନ ଉଠିପାରେ ଆମେ ସେ ସ୍ତ୍ରୀ ଲୋକର ମୃତାବଶେଷ ଖୋଜିବାକୁ ଚେଷ୍ଟା କଲୁନାହିଁ କାହିଁକି ? ପ୍ରଥମତଃ, ଏପରି କରିବା ଦ୍ଵାରା କିଛି ଉଦ୍ଦେଶ୍ୟ ସାଧିତ ହୋଇନଥାନ୍ତା । ପୂର୍ବରୁ ମୁଁ ସୂଚନା ଦେଇଛି, ଏହି ତିନିଦିନ ଭିତରେ ସେ ବାଘ ସେ ସ୍ତ୍ରୀର କୌଣସି ଅବଶେଷ ରଖିନଥିବ । ଅତି ବେଶି ହେଲେ ତାର କେତେଖଣ୍ଡ ଶୁଖିଲା ହାଡ଼ ମିଳିଥାନ୍ତା । ଦ୍ଵିତୀୟତଃ, ଜଙ୍ଗଲ ମାଟି ଶୁଖିଲା; ଦାମୁଡ଼ିଟାକୁ ବାନ୍ଧିଲାବେଳେ ମୁଁ ଲକ୍ଷ୍ୟ କରିଥିଲି ଯେ ବାଘ ସେ ସ୍ତ୍ରୀଲୋକକୁ କେଉଁ ଦିଗରେ ଟାଣି ନେଇଥିଲା ତାର କିଛି ଚିହ୍ନ ନଥିଲା । ସେ ସ୍ଥାନ ଚାରିପାଖ ପ୍ରାୟ ଦୁଇଶହ ଗଜ ଜଙ୍ଗଲ ଆମେ ତନ୍ନ ତନ୍ନ କରି ଖୋଜିଥିଲୁ । କୌଣସିଠାରେ ସେ ସ୍ତ୍ରୀର ଚିହ୍ନ ସୁଦ୍ଧା ମିଳି ନଥିଲା–ହାଡ଼ ମାଂସ ତ ଦୂରର କଥା । ତା’ ପିନ୍ଧା ଲୁଗାର ଚିରା କଣା ଟିକିଏ ସୁଦ୍ଧା ଦେଖା ଯାଇନଥିଲା । ତୃତୀୟତଃ ଯେଉଁମାନେ ତାକୁ ଖୋଜିବାକୁ ଆସି ତା’ର ଟୋକେଇ ଦେଖିଥିଲେ, ସେମାନେ ବଣର ସେ ଅଂଶରେ ବୁଲି ଗଛପତ୍ର ବିଶୃଙ୍ଖଳା କରିଦେଇଥିଲେ । ସେଥିରେ ଆମେ ଆହୁରି ଗୋଳମାଳ କରି ବଣର ଶାନ୍ତିଭଙ୍ଗ କରିବାକୁ ଇଚ୍ଛା କରି ନଥିଲୁ ।

 

ଏଠାରେ ଜଙ୍ଗଲ ବେଶ୍ ସୁନ୍ଦର; ଶିକାରୀ ପକ୍ଷରେ ଏକ ସ୍ଵର୍ଗ ରାଜ୍ୟ କହିଲେ ଚଳେ । ଏଠାରେ ଅପର୍ଯ୍ୟାପ୍ତ ପକ୍ଷୀ ଓ ହରିଣ ଥିଲେ । ଆମେ ବଣର ଖୋଲା ସ୍ଥାନମାନଙ୍କରେ ବହୁ ସଂଖ୍ୟକ ସୁନ୍ଦର ଚିତଲ (ହରିଣ) ଦେଖିବାକୁ ପାଇଥିଲୁ । ବଣର ବେଣା ଘାସଗୁଡ଼ାକ ଏକବାରେ ଶୁଖି ଯାଇଥିଲା; କିନ୍ତୁ ଅଗରେ ଥିବା ଫଳର ଭାରାରେ ସେଗୁଡ଼ିକ ନଇଁ ପଡ଼ିଥିଲେ । ଏହା ଫଳରେ ବେଶିଦୂର ପର୍ଯ୍ୟନ୍ତ ବଣ ଦେଖାଯାଉଥିଲା ଓ ଆମେ ଗଛମାନଙ୍କରେ ଥିବା ଫାଙ୍କ ଓ ମେଲା ଜାଗାସବୁ ଦେଖି ପାରିଥିଲୁ । ଗୋଟାଏ ବଡ଼ ଶମ୍ବର ଆମ ନଜରରେ ପଡ଼ିଥିଲା । ତାର ଶିଙ୍ଗ ଯୋଡ଼ିକ ଖୁବ୍ ସୁନ୍ଦର ଦିଶୁଥିଲା । ଆମକୁ ଦେଖି ସେ ପଳାଇଗଲା । ସାଧାରଣତଃ ଶମ୍ବରମାନେ ସନ୍ଧ୍ୟା ଆରମ୍ଭରୁ ଏପରି ବାହାରନ୍ତି ନାହିଁ । ଯାହାହେଉ, ଶମ୍ବରଟିକୁ ଦେଖି ଆମେ ଜାଣିଲୁ ଯେ ଜମଗଳାରେ ବେଶି ଗୋଳମାଳ ହୋଇନାହିଁ । ଏଠାରେ ବାଘର ଏତେ ସ୍ଵାଭାବିକ ଖାଦ୍ୟ ଥିବା ସ୍ଥଳେ ସେ ଆମେ ବାନ୍ଧିଥିବା ଥୋପକୁ ଖାଇବାପାଇଁ ଯିବ କାହିଁକି ? ମୋରି ଏହିପରି ସନ୍ଦେହ ଜନ୍ମିଲା । ଏହା ସଙ୍ଗେ ସଙ୍ଗେ ମୋର ମନେହେଲା, ଏଠାରେ କୌଣସି ବାଘ ମଣିଷଖିଆ ବାଘରେ ପରିଣତ ହେବାର କାରଣ ଆଦୌ ନାହିଁ ।

 

ଆଲି ବେଗ୍‌ର ଉପସ୍ଥିତି ଆଉ ଦରକାର ନଥିଲା । ତା’ ପାଇଁ ଖଣ୍ଡିଏ ଟିକେଟ କିଣି ମେଲ୍‌ଗାଡ଼ିରେ ତାକୁ ଗାଜୁଲାପଲି ପଠାଇଦେଲି । ରାତିରେ ମିଷ୍ଟର ଜୋସେଫ୍‌ଙ୍କ ବାରଣ୍ଡାରେ ଦଶଘଣ୍ଟା ପର୍ଯ୍ୟନ୍ତ ନିଶ୍ଚିନ୍ତରେ ଶୋଇଲି । ରେଳଗାଡ଼ିର ଧପ୍ ଧପ୍ ଶବ୍ଦ ନଥିବାରୁ ଖୁବ୍ ଗାଢ଼ ନିଦ ହୋଇଥିଲା । ସକାଳେ ଉଠିଲା ବେଳକୁ ମୁଁ ବେଶ୍ ପ୍ରଫୁଲ୍ଲ ଓ ସତେଜ ଥିଲି । ଆମେ ସିନା ଶୋଇଥିଲୁ; ମାଲାୟାଲି ଚାକରଟି ତା’ କାମରେ ଲାଗିଥିଲା । ସେ ଚାହା ଓ ତାହା ସଙ୍ଗେ ପ୍ଳେଟରେ ‘ହପର’ ଓ ‘ପୁଟ୍ଟୁ’ ଆଣି ଦେଲା । ହପର ହେଉଛି ସରୁ ଚାଉଳ ଅଟାରେ ତିଆରି । ଆଉ ପୁଟ୍ଟୁ ତିଆରି ହୋଇଥାଏ ଏକ କିସମର ସରୁ ଚାଉଳରେ । ଏ ଦୁଇଟି ହେଉଛି ମାନ୍ଦ୍ରାଜୀମାନଙ୍କର ପ୍ରିୟ ଖାଦ୍ୟ । ଏହାକୁ ସକାଳେ ଦେଖିଲାକ୍ଷଣି ମୁଁ ଜାଣିଲି ଯେ ମୋର ଏହି ନୂତନ ବନ୍ଧୁ ନିଶ୍ଚୟ ମାନ୍ଦ୍ରାଜରୁ ଆସିଅଛନ୍ତି । ଏହାକୁ ଖାଇ ମୁଁ ବିଶେଷ ତୃପ୍ତି ଲାଭ କଲି ।

 

ଘରର କାନ୍ଥକୁ ଲାଗି ତିନିପାଖେ ବତାବାଡ଼ ଥାଇ ଗୋଟିଏ ଗାଧୁଆଘର । ସେଇ ଗାଧୁଆ ଘରଭିତରେ ମୁଁ ଥଣ୍ଡା ପାଣିରେ ଗାଧୋଇଲି । ଏହି ପ୍ରତ୍ୟେକ ପାଖ ପ୍ରାୟ ପାଞ୍ଚ ଫୁଟ । ଉପରେ କୌଣସି ଛାତ ନଥିଲା ।

 

ମୁଁ ପୋଷାକ ପିନ୍ଧିଲା ବେଳକୁ ମିଷ୍ଟର ଜୋସେଫ୍ ପ୍ରସ୍ତୁତ ହୋଇ ମୋ ଅପେକ୍ଷାରେ ଥିଲେ । ଆମେ ଫରେଷ୍ଟ ଗାର୍ଡ଼ ଦୁହିଁଙ୍କୁ ସାଙ୍ଗରେ ନେଇ ପୂର୍ବଦିନ ବାନ୍ଧି ଆସିଥିବା ଦାମୁଡ଼ି ଦୁଇଟିକୁ ଦେଖିବାକୁ ଗଲୁ । ସେ ଦୁହେଁ ମିଷ୍ଟର ଜୋସେଫ୍‌ଙ୍କର ଅଧୀନସ୍ଥ ଚାକର । ସେ ଦୁହିଁଙ୍କୁ ହୁକୁମ ଦିଆଯାଇଥିଲା ଯେ ସେମାନେ ଦାମୁଡ଼ି ଦୁଇଟିଙ୍କର ଖାଇବା ପିଇବା ଖବର ବୁଝିବେ । ଦେଖିଲୁ ଦିଓଟିଯାକ ଭଲ ଅଛନ୍ତି; କେହି ତାଙ୍କର କିଛି କ୍ଷତି କରିନାହିଁ ।

 

ଅପେକ୍ଷା କରି କଅଣ ଘଟିବ ଦେଖିବାକୁ ଅପେକ୍ଷା କରିବା ଛଡ଼ା ମୋର ଅନ୍ୟ କିଛି କାମ ନଥିଲା । କାଳେ ବାଘଟା ଦେଖା ପଡ଼ିଯିବ–ଏଭଳି ଆଶାରଖି ବଣ ଭିତରେ ବୁଲିବା ସମ୍ଭବ ନଥିଲା; କାରଣ ବଣଟି ବହୁଦୂର ପର୍ଯ୍ୟନ୍ତ ବିସ୍ତୃତ । ଦିଗୁବାମେଟାଠାରୁ ଗାଜୁଲାପଲି ପର୍ଯ୍ୟନ୍ତ ସତେଇଶ ମାଇଲ ଭିତରେ ବାଘଟା ଯେକୌଣସିଠାରେ ଥିବ । ସେଥିରୁ ତାକୁ ଖୋଜି ବାହାର କରିବାକୁ ଯିବା ସମୟ ଓ ଶକ୍ତିର ଅପଚୟ ଛଡ଼ା ଆଉ କିଛି ହୋଇନପାରେ । ଏ ପର୍ଯ୍ୟନ୍ତ ମୁଁ କୌଣସି ବାଘ ଦେଖି ନଥିଲି ତଥାପି ମୁଁ କିଛି ପ୍ରାରମ୍ଭିକ କାର୍ଯ୍ୟ କରିଥିଲି ଓ ସେଥିରୁ କିଛି ସୁଫଳ ମିଳିବ ବୋଲି ଆଶା କରିଥିଲି ।

 

କାର୍ଯ୍ୟ ଆରମ୍ଭ ହେଲା ପରେ କିଛି କିଛି ଫଳ ଦେଖାଗଲା । ପରଦିନ ସକାଳ ନଅଟା ବେଳେ ବାସବପୁରମ୍‌ର ଷ୍ଟେସନ ମାଷ୍ଟର ମସିଲାମନି ଟେଲିଗ୍ରାଫ ଦ୍ଵାରା ଖବର ପାଇ ମୋତେ ଜଣାଇଲେ ଯେ ପୂର୍ବ ରାତିରେ ମୋର ଥୋପ ଅର୍ଥାତ ଦାମୁଡ଼ିଟି ନିହତ ହୋଇଅଛି । ଏହି ସମ୍ୱାଦରେ ମୁଁ ବିଶେଷ ଉଲ୍ଲସିତ ହୋଇ ନଥିଲି, କାରଣ ଗାଡ଼ିଆ ନିକଟରେ ମୁଁ ଚିତାବାଘର ପାଦଚିହ୍ନ ଦେଖି ଆସିଥିଲି ଓ ସେହି ହେତୁରୁ ଜନ୍ତୁଟାକୁ ଟିକିଏ ଛଡ଼ାରେ ବାନ୍ଧିଥିଲି ।

 

ମୁଁ ଦିଗୁବାମେଟାର ଷ୍ଟେସନ ମାଷ୍ଟରଙ୍କୁ କହିଲି–ଆପଣ ମିଷ୍ଟର ମସିଲାମନିଙ୍କୁ କହନ୍ତୁ, ସେ ଫରେଷ୍ଟଗାର୍ଡ଼ କିଟ୍ଟୁ ଠାରୁ ବୁଝନ୍ତୁ, ଦାମୁଡ଼ିକୁ କିଏ ମାରିଛି, ମହାବଳବାଘ କି ଚିତାବାଘ ? ଅଳ୍ପ ସମୟ ପରେ ଉତ୍ତର ମିଳିଲା । ମିଷ୍ଟର ମସିଲାମନି ଜଣାଇଲେ–ମୁଁ ଟେଲିଗ୍ରାଫ କଲାବେଳେ କିଟ୍ଟୁ ମୋ ପାଖରେ ଏଇଠି ବସିଥିଲା । ସେ କହୁଛି, ମଡ଼ାପାଖରେ ଚିତା ବାଘର ପାଦଚିହ୍ନ ଅଛି; ତେଣୁ ତାକୁ ଚିତାବାଘ ମାରିଥିବା ନିଃସନ୍ଦେହ । ତାର ଇଚ୍ଛା, ଆପଣ ଅନ୍ୟ ଯେତେ ‘ଥୋପ’ ବାନ୍ଧିବେ ସେ ଆସି ସବୁ ଖାଇଯିବ ।

 

କିଟ୍ଟୁ ର ପରାମର୍ଶଟା ଯେ ଯୁକ୍ତିଯୁକ୍ତ ଏଥିରେ ସନ୍ଦେହ ନଥିଲା । କିନ୍ତୁ ମୋ ପାଖରେ ସାଧାରଣ ଜନ୍ତୁ ଶିକାର କରିବାର ଲାଇସେନ୍‌ସ (ଅନୁମତି ପତ୍ର) ନଥିଲା । କେବଳ ମଣିଷଖିଆ ବାଘକୁ ମାରିବି ବୋଲି ମୁଁ ସ୍ଵତନ୍ତ୍ର ଅନୁମତି ଆଣିଥିଲେ । ମାନ୍ଦ୍ରାଜରେ ଅବସ୍ଥାପିତ ଜଙ୍ଗଲ ବିଭାଗୀଶ ଚିଫ୍‌କଞ୍ଜରଭେଟର ମୋତେ ସେହି ସ୍ଵତନ୍ତ୍ର ଅନୁମତି ଦେଇଥିଲେ । ମୁଁ ସ୍ଥିର କଲି–ଚିଫ୍ କଞ୍ଜରଭେଟରଙ୍କ ପାଖକୁ ଚିତାବାଘ ମାରିବାର ଆବଶ୍ୟକତା ବୁଝାଇ ଦେବି ଯେ କୌଣସି ଆପତ୍ତି ହେଲେ ମୁଁ ଲାଇସେନ୍‌ସ ଫିସ ଦାଖଲ କରିବି ।

 

ମିଷ୍ଟର ମସିଲାମନିଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ ମୁଁ ସ୍ଥିରକଲି । ବାସବପୁରମ୍‌କୁ ଯିବାପାଇଁ ଦିନବେଳା ଆଉ ଯାତ୍ରୀଗାଡ଼ି ନଥିଲା । ଭାଗ୍ୟକୁ ଦିନ ଏଗାରଟାବେଳେ ସେଇବାଟେ ଗୋଟାଏ ମାଲଗାଡ଼ି ଯିବାର କଥା ଥିଲା । ମୋର ଅନୁରୋଧକ୍ରମେ ଷ୍ଟେସନ ମାଷ୍ଟର ସେହି ମାଲଗାଡ଼ିକୁ ଷ୍ଟେସନରେ ଅଟକାଇଲେ ଓ ଗାର୍ଡ଼ଙ୍କ ଡବାରେ ବସିଲି । ଜୋସେଫ୍ ମଧ୍ୟ ମୋ ସଙ୍ଗରେ ବସିଲେ । ଆମେ ବାସବପୁରମ୍‌ରେ ଓହ୍ଲାଇଲୁ ।

 

କିଟ୍ଟୁକୁ ସଙ୍ଗରେ ଘେନି ମୁଁ ଥୋପ ପାଖକୁ ଗଲି । ପାଖରେ ପଡ଼ିଥିବା ପାଦଚିହ୍ନ ଓ ବେକରେ ଦାନ୍ତର ଚିହ୍ନରୁ ଜଣାଗଲା ଏ ହେଉଛି ଚିତାବାଘର କୀର୍ତ୍ତି । ଜନ୍ତୁଟାର ପେଟର ମାଂସ ଓ କିଛି ଅନ୍ତ ଚିତାବାଘ ଖାଇଯାଇଥିଲା । ଗତ ରାତିରେ ସେ ପେଟପୂରା ଖାଇଥିବାରୁ ଆଜି ତାର ଆସିବାରେ ନିଶ୍ଚୟ ଡେରି ହେବାର କଥା । ଗଛରେ ମଞ୍ଚା ତିଆରି କରିବାକୁ ହେବ ।

 

କିଟ୍ଟୁ ଗୋଟିଏ ଭଲ ବୁଦ୍ଧି ବାହାର କଲା । ସେ କହିଲା–ମଞ୍ଚା ବାନ୍ଧିବା କଠିନ ଓ ସମୟ ସାପେକ୍ଷ । ମୋ ଘରେ ଗୋଟିଏ ‘ଚାରପାଇ’ (ଦଉଡ଼ିଆ ଖଟ) ଅଛି । ତାକୁ ଆଣି ଗଛରେ ବାନ୍ଧିଦେଲେ କମ ଚଳିବ । ଦୁଇଘଣ୍ଟା ଭିତରେ ସେ ଖଟିଆ ଆଣି ଗଛରେ ବାନ୍ଧିଦେଲା । ଚାରିଟା ବେଳକୁ ସବୁ କାମ ଶେଷ ।

 

ଏଣେ ଆଗରୁ ମଞ୍ଚାରେ ବସିବା ନିରର୍ଥକ । ତେଣୁ ଆମେ ଷ୍ଟେସନକୁ ଫେରି ଆସିଲୁ । ସେଠାରୁ ଷ୍ଟେସନ ମାଇଲକରୁ ମଧ୍ୟ କମ୍ ଦୂର । ଷ୍ଟେସନରେ କିଛି ବିସ୍କୁଟ, ଚପାଟି (ରୁଟି) କଦଳୀ ଖାଇ ଯଥେଷ୍ଟ ଚାହା ପିଇଲୁ । ଜୋସେଫଙ୍କର ଭାରି ଆଗ୍ରହ, ସେ ମୋ ପାଖେ ମଞ୍ଚାରେ ବସିବେ । ତେଣୁ ଆମେ ଦୁହେଁ ଆସି ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ମଞ୍ଚାରେ ବସିଲୁ ।

 

ମୋର ଧାରଣା ଥିଲା, ଚିତାବାଘ ଆସିବାରେ ଖୁବ୍ ଡେରି ହେବ; କିନ୍ତୁ ମୋର ସେହି ଧାରଣା ଭୁଲ ବୋଲି ପ୍ରମାଣିତ ହେଲା । ଆମେ ମଞ୍ଚାରେ ବସିବାର ମାତ୍ର ପନ୍ଦର କୋଡ଼ିଏ ମିନିଟ ପରେ ତଳୁ ସାମାନ୍ୟ ଶବ୍ଦ ଶୁଣାଗଲା । ତଳକୁ ଚାହିଁ ଦେଖିଲି, ଚିତାବାଘ ମହାଶୟ ମଡ଼ା ପାଖରେ ପିଚାମାଡ଼ି ବସି କଅଣ ଭାବୁଛନ୍ତି । ଗୋଟିଏ ଭଲ ଜାତିଆ ଚିତାବାଘ । ପ୍ରଥମେ ତାକୁ ମାରିବାକୁ ମନ ହେଲା ନାହିଁ । କିନ୍ତୁ ସେ ଥିବାଯାଏ ମୋର ‘ଥୋପ’ବୃଥା ହେବ । ଶେଷରେ ମୁଁ ତାର ବାମ କାନ୍ଧକୁ ଲକ୍ଷ୍ୟ କରି ଗୁଳିକଲି । ଚିତାବାଘ ମରିବାରୁ ଆମେ ଷ୍ଟେସନକୁ ଚାଲିଆସିଲୁ ।

 

ଏତେ ଶୀଘ୍ର ଫେରିବାର ଦେଖି କିଟ୍ଟୁ ଓ ଷ୍ଟେସନ ମାଷ୍ଟର ମିଷ୍ଟର ମସିଲାମନି ବିସ୍ମିତ ହୋଇଗଲେ । ଚିତାବାଘ ମରିଥିବାର ଖବର ଶୁଣି ମିଷ୍ଟର ମସିଲାମନି କହିଲେ–ଆପଣଙ୍କର ଯଦି ଦରକାର ନଥାଏ, ତେବେ ତାର ଚମଡ଼ାଟା ମୋତେ ଦେବେ । ମୁଁ ଦେବାପାଇଁ ସ୍ଵୀକୃତି ଜଣାଇଲି । ଆମେ ସମସ୍ତେ ଗୋଟାଏ ପେଟ୍ରୋମାକ୍‌ସ ଲାଇଟ୍ ଘେନି ମଲା ଚିତାବାଘ ଚମଡ଼ା ଆଣିବା ପାଇଁ ବାହାରିଲୁ । ସଙ୍ଗରେ ଚାରିଜଣ କୁଲି ନେଲୁ ।

 

କିପରି ଚମଡ଼ା ଉତାରିବାକୁ ହେବ, ମୁଁ ବତାଇ ଦେଉଥାଏ । ମିଷ୍ଟର ମସିଲାମନି ବିସ୍ମୟରେ ଚାହିଁ ରହିଥାନ୍ତି । ଚମଡ଼ା ଉତରା ସରିବାରୁ ବାଙ୍ଗାଲୋରର ଚମଡ଼ା କାରଖାନାକୁ ପଠାଇବା ପର୍ଯ୍ୟନ୍ତ ଏହାକୁ କିପରି ସଲଫେଟ ଓ ଲୁଣଦେଇ ରଖିବାକୁ ହେବ, ତାହା ମୁଁ ବୁଝାଇଦେଲି ।

 

ତତ୍ପର ଦିନ ମୁଁ ଅନ୍ୟ ‘ଥୋପ’ର ବ୍ୟବସ୍ଥା କଲି । ଦାମୁଡ଼ିଟିଏ କିଣାହେଲା ଓ ତାକୁ ନେଇ ଗାଡ଼ିଆ ପାଖରେ ଯେଉଁଠାରେ ମୁଁ ମହାବଳ ବାଘର ପାଦଚିହ୍ନ ଦେଖିଥିଲି ସେହିଠାରେ ବାନ୍ଧି ଦିଆଗଲା । ଚିତାବାଘ ମଲାପରେ ମୁଁ ଜୋସେଫ୍‌ଙ୍କ ସହିତ ଉପରବେଳା ଗାଡ଼ିରେ ଦିଗୁବମେଟାକୁ ଫେରିବାକୁ ଇଚ୍ଛା କରିଥିଲି; କିନ୍ତୁ ‘ଥୋପ’ ବସାଇ ବାସବପୁରମ୍ ଷ୍ଟେସନରେ ପହଞ୍ଚି ମିଷ୍ଟର ମସିଲାମନିଙ୍କଠାରୁ ଖବର ପାଇଲି ଯେ ସେ ଚେଲେମାର ଷ୍ଟେସନ ମାଷ୍ଟରଙ୍କଠାରୁ ଟେଲିଗ୍ରାଫିକ ସମ୍ବାଦ ପାଇଛନ୍ତି–ମୁଁ ସେଠାରେ ଯେଉଁ ‘ଥୋପ’ ବସାଇ ଥିଲି, ତାକୁ ପୂର୍ବରାତିରେ ଗୋଟାଏ ବାଘ ନେଇଯାଇଛି ।

 

Unknown

ଏ ଖବର ମିଳିଲାବେଳକୁ ଦଶଟା ବାଜିନଥିଲା । ଅନ୍ତତଃ ଚାରିଘଣ୍ଟା ଭିତରେ ଚେଲେମା ଯିବାପାଇଁ କୌଣସି ଗାଡ଼ି ମିଳିବନାହିଁ । ବାଟ ହେଉଛି ମୋଟେ ପାଞ୍ଚ ମାଇଲ । ଚାରିଘଣ୍ଟା ଅପେକ୍ଷା କରିବା ପରିବର୍ତ୍ତେ ଚାଲି ନଯିବି କାହିଁକି ? ମିଷ୍ଟର ଜୋସେଫ ମୋ ସହିତ ଏକମତ । ପ୍ରାୟ ସାଢ଼େ ଏଗାରଟା ବେଳକୁ ଆମେ ଚେଲେମାରେ ପହଞ୍ଚିଲୁ ।

 

ଯେଉଁ ଦୁଇଜଣ ଫରେଷ୍ଟଗାର୍ଡ଼ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ ଓ ନିଜେ ଷ୍ଟେସନ ମାଷ୍ଟର ଆମକୁ ଚାହିଁ ବସିଥିଲେ । ସେମାନେ ଖୁବ୍ ଉତ୍ସାହିତ ହୋଇ ପଡ଼ିଥିଲେ । ଫରେଷ୍ଟଗାର୍ଡ଼ ଦୁହେଁ କହିଲେ–ସକାଳେ ଆମେ ଜନ୍ତୁକୁ ଦେଖିବା, ଆହାର ଓ ପାଣି ଦେବାପାଇଁ ଯାଇଥିଲୁ । ଦେଖିଲୁ ଦାମୁଡ଼ିଟାର ଦରଖିଆ ହାଡ଼ମାଂସ ରହିଛି । ପାଖରେ ଅନେକ ଜାଗାରେ ଗୋଟାଏ ବଡ଼ ବାଘର ପାଦ ଚିହ୍ନ ପଡ଼ିଛି । କାଳେ ଶାଗୁଣା ଖାଇଯିବେ ବୋଲି ଆମେ ଆଖପାଖରୁ ଡାଳପତ୍ର ଗୁଡ଼ାଏ କାଟିଆଣି ମଡ଼ାକୁ ଘୋଡ଼ାଇ ଦେଇଛୁ । ଖବର ଦେବାକୁ ଆମେ ଦଉଡ଼ି ଦଉଡ଼ି ଷ୍ଟେସନକୁ ଆସିଛୁ ।

 

ମୁଁ ଯେଉଁ ସତୋଟି ‘ଥୋପ’ ବସାଇଥିଲି, ସେସବୁ ବାନ୍ଧିଲାବେଳେ ଖୁବ୍ ଭାବିଛିନ୍ତି ସ୍ଥାନ ସ୍ଥିର କରିଥିଲି । ଯେଉଁଠାରେ ଗଛରେ ମଞ୍ଚା ବାନ୍ଧିବାର ସୁବିଧା ଦେଖୁଥିଲି, ତାହାରି ନିକଟରେ ଜନ୍ତୁକୁ ବାନ୍ଧିଥିଲି । ଏହି ସାବଧାନତା ଅବଲମ୍ବନ କରିଥିବାରୁ ଚିତାବାଘକୁ ଗୁଳିକରି ମାରିବା ମୋ ପକ୍ଷରେ ସହଜ ହୋଇଥିଲା ।

 

ଗାର୍ଡ଼ ଦୁହେଁ ମୋ ପାଇଁ ଗୋଟାଏ ଚାରପାୟୀ ଆଣିବାକୁ ଗଲେ । ଗାଆଁ ଭିତରେ ଗୋଟିଏ ମାତ୍ର ହୋଟେଲ । ମୁଁ ଜୋସେଫ ଓ ଷ୍ଟେସନ ମାଷ୍ଟର ସେହି ହୋଟେଲକୁ ଖାଇବାପାଇଁ ଗଲୁ । ଖାଇଲାବେଳେ ଜୋସେଫ ଅନୁରୋଧ କଲେ, ସେ ଏଥର ମଧ୍ୟ ମଞ୍ଚାରେ ମୋ ପାଖରେ ବସିବେ । ତାଙ୍କ ମନରେ ଆଘାତ ନଦେଇ ତାଙ୍କୁ ଏହି ଇଚ୍ଛାରୁ ନିବୃତ୍ତ କରିବାପାଇଁ ମୋତେ ବହୁତ ପ୍ରବର୍ତ୍ତାଇବାକୁ ପଡ଼ିଲା । ଚିତାବାଘ ଶିକାର ବେଳେ ମୋ ପାଖେ ବସିବା ଓ ମହାବଳ କିମ୍ବା ସେହି ମଣିଷଖିଆ ବାଘ ଶିକାର ବେଳେ ବସିବା ଭିତରେ ଢେର୍ ଫରକ । ମଞ୍ଚା ଉପରେ ଟିକିଏ ମାତ୍ର ଶବ୍ଦ ହେଲେ ବା କେହି ଟିକିଏ ହଲଚଲ ହେଲେ ମହାବଳ ବାଘ ଆମର ଅବସ୍ଥାନ ଜାଣିପାରି ପଳାଇଯିବ । ଏଥି ପୂର୍ବରୁ ମଞ୍ଚାରେ ସାଥୀଙ୍କୁ ବସାଇ ମୁଁ ଏ ଅଭିଜ୍ଞତା ଅର୍ଜିଥିଲି । ସେମାନେ ଅଜ୍ଞାତସାରରେ ଶବ୍ଦ କରି ପକାନ୍ତି, କିମ୍ବା ଖସ୍‌ଖସ୍ ହୁଅନ୍ତି । ଆମର ଶିକାର ଖସି ପଳାଏ । ଯଦି ରାତିରେ ଦୀର୍ଘ ସମୟ ଧରି ମଞ୍ଚାରେ ବସିବାକୁ ପଡ଼େ, ତେବେ ସଙ୍ଗୀ ଅଧୀର ହୋଇପଡ଼ନ୍ତି । ଏତେ ପରିଶ୍ରମରେ ଏତେଗୁଡ଼ାଏ ଥୋପ ବସାଇ କୌଣସି ବନ୍ଧୁଙ୍କ ଯୋଗେ ବିଫଳ ହେବାର ଦୁର୍ଯ୍ୟୋଗ ବରଣ କରିବାକୁ ମୁଁ ଇଚ୍ଛୁକ ନଥିଲି ।

 

ମଡ଼ା ପଡ଼ିଥିବା ସ୍ଥାନଟି ଷ୍ଟେସନଠାରୁ ପ୍ରାୟ ଘଣ୍ଟାକର ବାଟ ସଂକୀର୍ଣ୍ଣ ଦୁର୍ଗମ ପଥରେ ଜଙ୍ଗଲ ଭିତରେ ତିନିମାଇଲ ଚାଲିବାକୁ ହେବ । ଶେଷରେ ଗୋଟାଏ ମୁଣ୍ଡିଆରୁ କିଛି ଦୂର ଗଡ଼ାଣି ରାସ୍ତା । ଦିନ ସାଢ଼େ ତିନିଟା ବେଳୁ ଚାରପାୟୀ ଯଥାସ୍ଥାନରେ ରଖାଯାଇଥିଲା; କିନ୍ତୁ କିଛି ଦୂରରୁ ତିନ୍ତୁଳି ଗଛର ଛୋଟାଡ଼ାଳ ଓ ପତ୍ରଆଣି ତାକୁ ଢାଙ୍କିବା ଦରକାର ଥିଲା । ଆମେ ଯେଉଁ ଗଛରେ ବସିବାକୁ ସ୍ଥିର କରିଥିଲୁ ସେଇଟା ଗୋଟାଏ ତିନ୍ତୁଳି ଗଛ । ଅନ୍ୟ ଗଛର ପତ୍ରରେ ଢାଙ୍କିଲେ ବାଘ ଜାଣିପାରିବ । ଡାଳପତ୍ର ଆଣି ଚାରପାୟୀକୁ ଘୋଡ଼ାଇବାରେ ପ୍ରାୟ ଘଣ୍ଟାଏ ଲାଗିଲା ।

 

ମଞ୍ଚାବନ୍ଧାବେଳେ ଗାର୍ଡ଼ ଦୁହେଁ ଉପରେ ଥାଆନ୍ତି ଓ ଜୋସେଫ ତାଙ୍କ ହାତକୁ ଡାଳପତ୍ର ବଢ଼ାଇ ଦେଉଥାନ୍ତି । ଏହି ଅବସରରେ ମୁଁ ମଡ଼ାକୁ ଓ ବାଘର ପାଦଚିହ୍ନକୁ ଲକ୍ଷ୍ୟ କରୁଥାଏ । ସେଠାରେ ମାଟି କଠିନ ହୋଇଥିବାରୁ ପାଦଚିହ୍ନ ଅସ୍ପଷ୍ଟ ଭାବରେ ଦେଖାଯାଉଥିଲା । କୌଣସି ପାଦ ଚିହ୍ନରେ ଥିବାର ଉଚ୍ଚଅଂଶ ଭଲରୂପେ ଦେଖାଯାଉ ନଥିଲା । ମୁଁ ଜାଣି ପାରିଲି ବାଘଟି ଖୁବ୍ ବଡ଼ ଅଣ୍ଡିରା ବାଘ । ଗାଜୁଲାପଲିରେ ବାଲା ଘରପାଖ ନାଳିର ଧାରରେ ମୁଁ ଯେଉଁ ବାଘର ପାଦଚିହ୍ନ ଦେଖିଥିଲି, ଏ ପାଦଚିହ୍ନ ଯେ ଠିକ୍ ସେହି ବାଘର ଏ ବିଷୟରେ ମୁଁ ନିଶ୍ଚିତ ହୋଇପାରିଲି ନାହିଁ । ସେଠାରେ ବାଘର ପଦଚିହ୍ନ ପଡ଼ିଥିଲା ଓଦାଳିଆ ସରୁବାଲି ଉପରେ, ତେଣୁ ଓସାରି ହୋଇ ଯାଇଥିଲା । ତାହା ଫଳରେ ବାଘଟାର ଆକାର ଖୁବ ବଡ଼ ବୋଲି ଧାରଣା ହୋଇଥିବ ।

 

ସାଢ଼େ ଚାରିଟା ବେଳକୁ ମୁଁ ଯାଇ ଚାରପାୟୀ ଉପରେ ବସିଲି । ମୋର ପାଣି ବୋତଲ ଓ ଚାହାବୋତଲକୁ ସଜାଡ଼ି ପାଖରେ ରଖିଲି । ଗାଆଁ ହୋଟେଲରୁ ରାତିର ଖାନାପାଇଁ ଚପାଟି କଦଳୀ ପତ୍ରରେ ଗୁଡ଼ାଇ ଆଣିଥିଲି । ଗୋଟିଏ ବୋତଲରେ କିଛି ତରଳ ଖାଦ୍ୟ ମଧ୍ୟ ଆଣିଥିଲି । ଏସବୁ ସଜାଡ଼ି ରଖିବାପରେ ମୋର ଅଧିକା ଟର୍ଚ୍ଚ ଓ ଗୁଳି ଯଥା ସ୍ଥାନରେ ରଖିଲି । ଏ ଅଞ୍ଚଳରେ ସେ ସମୟରେ ରାତି ଖୁବ୍ ଗରମ । ତେଣୁ କମ୍ବଳ କିମ୍ବା ଓଭରକୋଟ ଆଣିବା ଦରକାର ହୋଇନଥିଲା । କେବଳ ବାଲାକ୍ଳାଭା ଟୋପିଟି ଆଣିଥିଲି । ଟୋପିଟି ମୁଣ୍ଡରେ ଦେଲି । ପରିଶେଷରେ ଟର୍ଚ୍ଚ ଓ ରାଇଫେଲକୁ ଠିକ ଜାଗାରେ ରଖିଲି । ମୁଁ ଏହିପରି ପୂରା ପ୍ରସ୍ତୁତ ହୋଇଗଲି ।

 

ତାହାପରେ ଜୋସେଫ ଓ ଗାର୍ଡ଼ ମାନଙ୍କୁ କହିଲି–ତୁମେମାନେ ଆଉ ଏଠାରେ ରହିବା ଦରକାର ନାହିଁ । ମୁଁ ଏକୁଟିଆ ଷ୍ଟେସନକୁ ଫେରିଯାଇ ପାରିବି । ସେମାନେ ବିଦାୟ ନେଲେ ଓ ମୋର ଜଗିବାସିବା ଆରମ୍ଭ ହେଲା ।

 

ଅନ୍ଧାର ହୋଇ ଆସିବା ବେଳକୁ ଠିକ୍‍ ମୋ ତଳପାଖେ ଘାସ ଉପରେ ଖସ୍‌ଖସ୍ ଶବ୍ଦ ଶୁଣାଗଲା । ତିନ୍ତୁଳି ଗଛର ପତ୍ର ଛୋଟ ଓ କୋମଳ । ଶୁଖିଲା ତିନ୍ତୁଳିପତ୍ର ପଡ଼ି ପଡ଼ି ଗଛମୂଳେ ଗୋଟାଏ ସତରଞ୍ଜି ପଡ଼ିଥିଲା ଭଳି ହୋଇଥିଲା । ତାହା ଉପରେ ପାଦ ପଡ଼ିଲେ ଯେଉଁ ମୃଦୁ ଶବ୍ଦ ହୁଏ, ତାକୁ ବାରିବା କଠିନ; କିନ୍ତୁ ଶୁଖିଲା ଶାଗୁଆନ ପତ୍ର ଉପରେ କେହି ପକାଇଲେ ଜଗୁଆଳି ତାର ମସ୍‌ମସ୍ ଶବ୍ଦରୁ ସାବଧାନ ହୋଇଯାଏ; ଏପରିକି ଗୋଟାଏ ମୂଷା ଚାଲିଗଲେ ତାର ଶବ୍ଦ ଶୁଣାଯିବ । କିନ୍ତୁ ବର୍ତ୍ତମାନ ଯେଉଁ ଧୀର ମୃଦୁ ଶବ୍ଦ ଶୁଣିଲି ତାହା ଯେ ବାଘ ଆସିଥିବାର ସୂଚକ, ଏହା ମୁଁ ସ୍ଥିରକଲି । ତଳକୁ ନଇଁପଡ଼ି ଚାହିଁଲି । ଦେଖିଲି ବାଘ ଠିକ୍ ମୋ ନିମ୍ନ ଭାଗରେ । ତାକୁ ଦେଖି ମୁଁ ବିସ୍ମିତ ହେଲିନାହିଁ । ମୁଁ ଯେଉଁ ଧୀର ଶବ୍ଦ ଶୁଣୁଥିଲି, ସେ ହେଉଛି ଏହି ବିଶାଳ ବାଘର ତିନ୍ତୁଳି ପତ୍ର ଉପରେ ଚାଲିବାର ଶବ୍ଦ ।

 

ମୁହୂର୍ତ୍ତକ ପାଇଁ ସେ ମୋ ଦୃଷ୍ଟିପଥରୁ କୁଆଡ଼େ ଅନ୍ତର୍ନିହିତ ହୋଇଗଲା; କିନ୍ତୁ ପରମୁହୂର୍ତ୍ତରେ ପୁଣି ଦୃଢ଼ ପଦରେ ମଡ଼ା ଆଡ଼କୁ ଚାଲିଲା । ସେ ଯେଉଁ ଦିଗକୁ ଗଲା ସେ ସ୍ଥାନରୁ ମୁଣ୍ଡଟା ଭଲରୂପେ ଦେଖି ପାରିଲି ନାହିଁ; କିନ୍ତୁ ତାର ବାମ ପାଖ ଫଡ଼ିଆ ଓ ଲାଞ୍ଜ ଦେଖିପାରିଲି । ଆଗରୁ କହିଛି ସେତେବେଳେ ଅନ୍ଧାର ହୋଇ ଆସୁଥିଲା । ସେପରି ସମୟରେ ଜଙ୍ଗଲରେ କୌଣସି ପଦାର୍ଥର ରଙ୍ଗ ଠିକ୍ ବାରି ହୁଏ ନାହିଁ; ପୁଣି ପଦାର୍ଥଟାର ଆକାର ପ୍ରକୃତ ଆକାରଠାରୁ ବଡ଼ ଦେଖାଯାଏ । କେହି ଯଦି ଏହିପରି ସମୟରେ ଜଙ୍ଗଲ ଭିତରକୁ ଯାଇଥାଏ, ସେ ମୋ କଥାର ସତ୍ୟତା ବୁଝି ପାରିବ । ତଳେ ଯେଉଁ ଜନ୍ତୁଟିକୁ ଦେଖିଲି, ସେ ଅତି ମାତ୍ରାରେ ବଡ଼ ଦିଶୁଥିଲା । ତାର ରଙ୍ଗଟା ଧୂସର କି ଆଉ କିଛି ମୁଁ ସ୍ଥିର କରିପାରିଲି ନାହିଁ । ତା ଦେହର ପଟାଦାଗ ଗୁଡ଼ାକ ମିଶିଗଲା ପରି ଜଣା ପଡ଼ୁଥିଲା, ତେଣୁ ସେଗୁଡ଼ିକ ଆଦୌ ବାରି ହେଉନଥିଲା ।

 

ଅନ୍ଧାର ବେଶି ହୋଇ ଯାଇଥିବାରୁ ଟର୍ଚ୍ଚର ବିନା ସାହାଯ୍ୟରେ ଲାଖ ଠିକ୍ କରିବା ସମ୍ଭବ ନଥିଲା । ବିଶେଷତଃ ମୁଁ ରାଇଫେଲର ଅଗ୍ରଭାଗ ସ୍ପଷ୍ଟରୂପେ ଦେଖି ପାରୁ ନଥିବା ସ୍ଥଳେ ଲାଖ କରିବି କିପରି ? ତେଣୁ ବାଁ ହାତର ଟିପରେ ମୁଁ ଟର୍ଚ୍ଚର ସୁଇଚ୍ ଟିପିଲି । ଟର୍ଚ୍ଚର ଆଲୁଅ ବାଘର ବାମ ପାଖରେ ପଡ଼ିଲା, ତା ଆଗକୁ ମଡ଼ା ପର୍ଯ୍ୟନ୍ତ ସ୍ଥାନ ଆଲୋକିତ ହୋଇଗଲା । ଅତି ଶୀଘ୍ର ମୁଁ ଲାଖ ଠିକ୍ କରିନେଲି । ଆଲୁଅଟା ଯେ ପଛପଟୁ ଆସୁଛି ବାଘ ତାହା ଲକ୍ଷ୍ୟ କରିପାରିନଥିଲା । ବରଂ ମଡ଼ା ଦେହରୁ ଆଲୁଅ ଆସୁଛି ବୋଲି ସେ ଭାବିଥିଲା । ସେ ଠିଆ ହୋଇ ରହି ମଡ଼ାକୁ ଚାହିଁଲା ।

 

ମୁଁ ତାର ବାମ କାନ୍ଧକୁ ଲକ୍ଷ୍ୟକରି ଗୁଳି ମାରିଲି । ସେ ମଡ଼ା ଉପରେ ପଡ଼ିଗଲା । ସେ ଡାହାଣ ପାଖକୁ ବୁଲି ପଡ଼ିବାରୁ ତାର ଛାତି ଓ ପେଟର ଧଳା ଅଂଶ ଦେଖାଗଲା । ମୁଁ ପୁଣି ଗୁଳି କଲି । ଟର୍ଚ୍ଚ ଆଲୁଅ ପକାଇ ଦେଖିଲି, ବାଘଟା ମରି ଯାଇଛି ।

 

କିନ୍ତୁ ତାର ମରିବା ବିଷୟରେ ନିଃସନ୍ଦେହ ହେବା ପାଇଁ ମୁଁ ପନ୍ଦର କୋଡ଼ିଏ ମିନିଟ ପର୍ଯ୍ୟନ୍ତ ତା ଉପରକୁ ଟର୍ଚ୍ଚର ଆଲୁଅ ପକାଇଲି । ତାର ଜୀବନ ଥିବାର କୌଣୟ ସଙ୍କେତ ନପାଇ ମୁଁ ଗଛରୁ ଓହ୍ଲାଇ ତାକୁ ପରୀକ୍ଷା କରିବାକୁ ଲାଗିଲି ।

 

ଏ ଗୋଟାଏ ବଡ଼ ଅଣ୍ଡିରା ବାଘ, ଯୁବା ଅବସ୍ଥା; କିନ୍ତୁ ବାଲା ଯେଉଁ ବାଘର ବର୍ଣ୍ଣନା କରିଥିଲା, ଏ ସେ ବାଘ ନୁହେଁ–ଏକଥା ମୁଁ ନିଶ୍ଚିତ ରୂପେ ଜାଣିପାରିଲି । ଏ ବାଘର ରଙ୍ଗ ଗାଢ଼ ଧୂସର; ପୁଣି ପଟା ଦାଗଗୁଡ଼ାକ ଲଗାଲଗି ନଥାଇ ଖୁବ୍ ଛଡ଼ାଛଡ଼ା । ମ୍ପୋର ସନ୍ଦେହ ହେଲା–ମୁଁ ପ୍ରକୃତ ମଣିଷଖିଆ ବାଘକୁ ମାରିଲି କି ଆଉ ଗୋଟାଏ ବାଘକୁ ? ବାଲା ଯେଉଁ ବାଘକୁ ଦେଖିଥିଲା ସେ ହୁଏତ ଗୋଟାଏ ସାଧାରଣ ବୁଢ଼ାଳିଆ ବାଘ ହୋଇଥିବ । ମୋ ମନରେ ଏହି ସବୁ ସନ୍ଦେହ ଜାତ ହେଲା; କିନ୍ତୁ ଏ ସନ୍ଦେହ ଦୂର ହୋଇ ପାରିବ କେବଳ ଯଦି କୌଣସି ବାଘ ହାତରେ କେହି ପ୍ରାଣ ହରାଏ ବା ବହୁଦିନ ଯାଏ କେହି ବାଘଦ୍ଵାରା ନିହତ ନ ହୁଅନ୍ତି ।

 

ମୋର ଟର୍ଚ୍ଚ ଲାଇଟ ସାହାଯ୍ୟରେ ମୁଁ ଅଙ୍କାବଙ୍କା ବାଟ ଦେଖି ଦେଖି ଷ୍ଟେସନକୁ ଆସିଲି-। ସେତେବେଳକୁ ରାତି ନଅଟାରୁ ବେଶି ନୁହେଁ । ଜୋସେଫ ଓୟେଟିଙ୍ଗ ରୁମ୍‌ରେ ଶୋଇ ପଡ଼ିଥିଲେ । ଗାର୍ଡ଼ ଦୁହେଁ ପ୍ଲାଟଫର୍ମରେ ଖଣ୍ଡେ ମଶିଣା ଉପରେ ଗଡ଼ୁଥିଲେ । ମୁଁ ସେ ଦୁହିଁଙ୍କୁ ଉଠାଇ ସମସ୍ତ ଘଟଣା କହିଲି । ପ୍ରଥମେ ମୁଁ ସଅଳ ଫେରି ଆସିଥିବା ଦେଖି ସେମାନେ ବିସ୍ମିତ ହୋଇ ଯାଇଥିଲେ, କିନ୍ତୁ ବାଘ ମରିଥିବା ଶୁଣି ସେମାନେ ଆନନ୍ଦରେ ଅଧୀର ହୋଇ ପଡ଼ିଲେ । ଜୋସେଫ ମୋର କରମର୍ଦ୍ଦନ କରି ଆନନ୍ଦ ପ୍ରକାଶ କଲେ ।

 

ଜୋସେଫଙ୍କୁ ଧନ୍ୟବାଦ ଦେଇ ମୁଁ କହିଲି–କିନ୍ତୁ ମୁଁ ପ୍ରକୃତ ମଣିଷଖିଆ ବାଘକୁ ମାରିଥିବା ବିଷୟରେ ଖୁବ୍ ସନ୍ଦିହାନ । ଜୋସେଫଙ୍କ ପ୍ରଶ୍ନର ଉତ୍ତରରେ ମୋର ସନ୍ଦେହର କାରଣଗୁଡ଼ିକ ବୁଝାଇଦେଲି । ତଥାପି ଜୋସେଫ ଓ ଗାର୍ଡ଼ ଦୁହେଁ କହିଲେ–ନା, ନା, ସନ୍ଦେହ କରିବା ବୃଥା । ମଣିଷଖିଆ ବାଘ ମରିଛି ।

 

ରାତି ଗାଡ଼ିର ଯିବା ଆସିବା ତନଖି କରିବା ପାଇଁ ଷ୍ଟେସନ ମାଷ୍ଟର ପ୍ଲାଟଫର୍ମକୁ ଆସିଲେ । ବାଘ ମରିଥିବା ସମ୍ବାଦ ଶୁଣି ସେ ଭାରି ଖୁସି ହେଲେ । ମଲା ବାଘକୁ ଆଣିବା ସକାଶେ କୁଲି ଯୋଗାଡ଼ କରିବାକୁ ଗାର୍ଡ଼ ଦୁହେଁ ବାହାରିଗଲେ । ପ୍ରାୟ ଘଣ୍ଟାକ ପରେ ଦୁହେଁ ଦଶ ଜଣ କୁଲି, ଦୁଇଟି ଟାଣୁଆ ବାଉଁଶ ଓ ଯୋଡ଼ିଏ ଲଣ୍ଠନ ଘେନି ଉପସ୍ଥିତ ହେଲେ ।

 

ମଲାବାଘକୁ ନେଇ ଆମେ ରାତି ଗୋଟାଏ ବେଳକୁ ଆସିଲୁ । ଷ୍ଟେସନ ସୀମାରେ ଥିବା ଲୁହା ତାର ବାହାରେ ବାଘକୁ ପ୍ଲାଟଫର୍ମର ମୁଣ୍ଡରେ ରଖାଗଲା । ଜୋସେଫ ଟର୍ଚ୍ଚ ଜାଳି ଦେଖାଇଲେ । ଲଣ୍ଠନର ଆଲୁଅ ମଧ୍ୟ ସାହାଯ୍ୟ କଲା । ମୁଁ ନିଜେ ବାଘର ଚମଡ଼ା ଉତାରିଲି । ଗାର୍ଡ଼ ଦୁଇଜଣ ଚମଡ଼ା ଉତାରିବା କାମ ଆଦୌ ଜାଣି ନଥିଲେ । ଅଧେ କାମ ନ ସରୁଣୁ ତେଣୁ କୁଣ୍ଟାକଲ ଯାଉଥିବା ମେଲଗାଡ଼ି ଆସି ଷ୍ଟେସନରେ ଛିଡ଼ାହେଲା ।

 

ଗାଡ଼ିର ଡ୍ରାଇଭର ଓ ଗାର୍ଡ଼ଠାରୁ ଆରମ୍ଭ କରି ସବୁ ଯାତ୍ରୀ ଗାଡ଼ିରୁ ଓହ୍ଲାଇ ବାଘକୁ ଦେଖିବାପାଇଁ ମୋ ଚାରିପାଖେ ରୁଣ୍ଡ ହୋଇଗଲେ । ଏହା ଫଳରେ ମୋର ନାମର ଖୁବ୍ ପ୍ରଚାର ହେଲା । ଗାଡ଼ି ନିର୍ଦ୍ଦିଷ୍ଟ ସମୟର ପନ୍ଦର ମିନିଟ୍‌ପରେ ଷ୍ଟେସନ ଛାଡ଼ିଲା । ରେଳବାଇ କର୍ମଚାରୀମାନେ ଏହି ବିଳମ୍ବକୁ ଗ୍ରାହ୍ୟ କରିନଥିଲେ । ରାତି ଅଧରେ ରେଳବାଇ ପ୍ଲାଟଫର୍ମ ଉପରେ ଗୋଟାଏ ବାଘର ଚମଡ଼ା ଉତରା ଯାଉଥିବା ଦୃଶ୍ୟ ଭାରତ ବର୍ଷରେ ସୁଦ୍ଧା ଏକ ଅସାଧାରଣ ବ୍ୟାପାର ।

 

ମୁଁ ଏ ସ୍ଥାନ ଛାଡ଼ିବା ପର୍ଯ୍ୟନ୍ତ ଚମଡ଼ାକୁ କପରସଲିଉସନ ଓ ଲୁଣ ଦେଇ ରଖିବାକୁ ହେଲା । ଅସ୍ଥାୟୀ ଭାବରେ କଞ୍ଚା ଚମଡ଼ାକୁ ରଖିବାପାଇଁ ଏହି ପଦ୍ଧତି ସାଧାରଣତଃ ଅବଲମ୍ବନ କରାଯାଇଥାଏ ।

 

ପରବର୍ତ୍ତୀ ଦିନଟି ମୁଁ ବିଶ୍ରାମ ନେଲି । ଚେଲେମାର ଷ୍ଟେସନ ମାଷ୍ଟର ଦୁଇଆଡ଼କୁ ଟେଲିଗ୍ରାମ ଦ୍ଵାରା ବାଘ ଶିକାର ଖବର ଜଣାଇଦେଲେ । ଯେ ଶୁଣିଲା ସେ ଖୁସି; କିନ୍ତୁ ମୁଁ ସେତେ ଖୁସି ନଥିଲି । ମନ ଭିତରେ ସନ୍ଦେହ ରହିଥାଏ । ଆହୁରି ଗୋଟାଏ ସପ୍ତାହ ସେହିଠାରେ ରହିବି ବୋଲି ମନେ ମନେ ସ୍ଥିରକଲି । ଆହୁରି ଅନେକ ‘ଥୋପ’ ବସିଛି । ଫଳ କଅଣ ହେବ ଦେଖିବାକୁ ଅପକ୍ଷା କରିବି ନାହିଁ କାହିଁକି ? ଦରକାର ପଡ଼ିଲେ ମାସେ ପର୍ଯ୍ୟନ୍ତ ମଧ୍ୟ ରହିବା ଦରକାର । କେଜାଣି କାହିଁକି ମୋ ମନରେ ବରାବର ବିଶ୍ଵାସ ହୋଇଥାଏ ଯେ ଯେଉଁ ବାଘଟା ମଲା ସେ ପ୍ରକୃତ ମଣିଷଖିଆ ବାଘ ନୁହେଁ ।

 

ଚାରିଦିନ ପରେ ଗାଜୁଲାପଲିରୁ ଖବର ଆସିଲା–ବାଲାର ଯୁବତୀ ସ୍ତ୍ରୀକୁ ବାଘ ନେଇ ଯାଇଅଛି । ମୁଁ ତାର ପରିବାରକୁ ଗାଜୁଲାପଲିରେ ରଖାଇ ଆସିଥିଲି; କିନ୍ତୁ ସେ କୌଣସି ବିପଦର ଆଶଙ୍କା ନକରି ସେମାନଙ୍କୁ ତାର ଜଙ୍ଗଲସ୍ଥିତ କୁଡ଼ିଆକୁ ନେଇ ଯାଇଥିଲା ।

 

ତାହାହେଲେ ମଣିଷଖିଆ ବାଘ ତାର ସମୟ ନିର୍ଘଣ୍ଟ ଅନୁସାରେ କାମ କରୁଥିଲା ବୋଲି ଜଣାପଡ଼ିଲା ।

 

ଏଠି ମଧ୍ୟରେ ଜୋସେଫ ଦିଗୁବମେଟାକୁ ଫେରି ଯାଇଥିଲେ । ମୁଁ ମିଷ୍ଟର ବାଳସୁବ୍ରମନିୟମଙ୍କୁ ଖବର ଦେଲି–ବାଲାକୁ ପାଖରେ ରଖି ଥାଆନ୍ତୁ । ଚାରିଘଣ୍ଟା ଭିତରେ କୌଣସି ମାଲଗାଡ଼ି ଆସିବାକୁ ନଥିଲା । ମୁଁ ଦୁଇଜଣ ଟ୍ରଲିଚାଳକଙ୍କ ସାହାଯ୍ୟରେ ଚେଲେମାରୁ ଟ୍ରଲିରେ ଗାଜୁଲାପଲି ଅଭିମୁଖେ ବାହାରି ପଡ଼ିଲି ।

 

ଗାଜୁଲାପଲିରେ ପହଞ୍ଚିବାକୁ ପ୍ରାୟ ଅଢ଼େଇ ଘଣ୍ଟା ସମୟ ଲାଗିଲା । ସେତେବେଳକୁ ବାଲା ପ୍ଲାଟଫର୍ମର ଗୋଟିଏ ପ୍ରାନ୍ତରେ ମୋତେ ଅପେକ୍ଷା କରି ବସି କାନ୍ଦୁଥିଲା । ମିଷ୍ଟର ବାଳସୁବ୍ରମନିୟମ ଏବଂ ଦୁଇ ଫରେଷ୍ଟ ଗାର୍ଡ଼–କୃଷ୍ଣାପପା ଓ ଆଲିବେଗ ମଧ୍ୟ ଥିଲେ ।

 

ଚେଞ୍ଚୁ ଯୁବକ ବାଲା ସଂକ୍ଷେପରେ ତାର ବିପଦର କଥା ଜଣାଇଲା । ମୁଁ ଚେଲେମାରେ ମଣିଷଖିଆ ବାଘକୁ ମାରିଥିବା ଖବର ପାଇଥିଲା । ମୋର ‘ଥୋପ’ ଭିତରୁ କୌଣସି ଗୋଟିଏ ସୁଦ୍ଧା ନିହତ ହୋଇନଥିଲା । ତେଣୁ ସେ ନିଶ୍ଚିନ୍ତ ହୋଇଥିଲା ଯେ ଆଉ ବାଘଭୟ ନାହିଁ ଓ ଦୁଇଦିନ ଆଗରୁ ତା ପରିବାରକୁ ନେଇ ଜଙ୍ଗଲର କୁଡ଼ିଆକୁ ଚାଲି ଯାଇଥିଲା । ସେଦିନ ସକାଳେ ବାଲାର ସ୍ତ୍ରୀ ବିଛଣାରୁ ଉଠି ପିଲାଟିକୁ ନେଇ ତା ବାପକୋଳରେ ଶୁଆଇ ଦେଇ ପଦାକୁ ଝାଡ଼ା ଫେରିବାକୁ ଯାଇଥିଲା । ମୁହୂର୍ତ୍ତକ ପରେ ବାଲା ତା ସ୍ତ୍ରୀର କ୍ଷୀଣ ଚିତ୍କାର ଶୁଣି ପାରିଲା । ଗୋଟାଏ କିଛି ବିପଦ ଘଟିଛି ଆଶଙ୍କା କରି ବାଲା ଟାଙ୍ଗିଆ ଧରି ବାହାରକୁ ଗଲା, ଚାରିଆଡ଼ ଖୋଜିଲା; କିନ୍ତୁ ସ୍ତ୍ରୀର ଦେଖା ମିଳିଲାନାହିଁ ।

 

ସେତେବେଳକୁ ଖରା ପଡ଼ିନଥିଲା । ବାଲା କୌଣସି ଦୁର୍ଘଟଣା ଘଟିଥିବାର ସଙ୍କେତ ପାଇଲା ନାହିଁ । ସେ ଯେତେ ଡାକିଲେ ମଧ୍ୟ କେହି ଉତ୍ତର ଦେଲେ ନାହିଁ । ପାଗଳ ପରି ସେ ଭାରିଜାକୁ ଖୋଜିଲା । କାଳେ କୁଡ଼ିଆ ଆରପଟକୁ ଝାଡ଼ାଫେରି ଯାଇଥିବ ଭାବି ବାଲା ସେପାଖ ଖୋଜିଲା; କିନ୍ତୁ ସ୍ତ୍ରୀକୁ ଦେଖିବାକୁ ପାଇଲା ନାହିଁ ।

 

ରାତିରେ ଖୁବ୍ କାକର ପଡ଼ିଥିଲା; ତେଣୁ ସକାଳକୁ ଘାସ ଓଦା ଥିଲା । ଭଲଭାବରେ ଖରା ପଡ଼ିବାରୁ ବାଲା ଲକ୍ଷ୍ୟକଲା; ଘାସ ଉପରେ ଗୋଟାଏ କୌଣସି ଜୀବ ଚାଲି ଜଙ୍ଗଲ ଭିତରକୁ ଯିବାର ଚିହ୍ନ ଅଛି ।

 

ଅବଶ୍ୟ ସେ କୌଣସି ରକ୍ତର ଚିହ୍ନ ଦେଖିନଥିଲା; କିନ୍ତୁ ସେ ଯେତିକି ଦେଖିଲା, ସେତିକିରୁ ଜାଣିପାରିଲା ଯେ ମଣିଷଖିଆ ବାଘଟା ତାର ସ୍ତ୍ରୀକୁ ଘୋଷାଡ଼ି ଘୋଷାଡ଼ି ସେଇ ଘାସବାଟେ ବଣକୁ ନେଇଯାଇଛି । ବାଟଟା ତାର ଜଣା ପଡ଼ି ଯାଉଥିଲା । ପାଦଭାରାରେ ଘାସ ଦାବି ଯାଇଥିଲା ବା ଆଡ଼େଇ ହୋଇ ଯାଇଥିଲା ।

 

ଏହାପରେ ବାଲା ଯାହା କଲା ତାହା ସାହସିକ କାର୍ଯ୍ୟ ହେଲେହେଁ ନିର୍ବୋଧର କାର୍ଯ୍ୟ ହୋଇଥିଲା । ସେ ସେହି ଛୋଟ ଟାଙ୍ଗିଆଟି ଧରି ଘାସ ଉପର ଚିହ୍ନକୁ ଧରି ବଣ ଆଡ଼କୁ ଚାଲିଲା ।

 

ବେଶି ଖରା ପଡ଼ିଲା । ପ୍ରାୟ ଦୁଇଫର୍ଲଙ୍ଗ ବାଟ ଯିବା ପରେ ସେ ରକ୍ତ ଚିହ୍ନ ଦେଖିଲା । ସେହିଠାରେ ବାଘ ସ୍ତ୍ରୀଟିକୁ ତଳେ ଥୋଇ ଆଉ ଗୋଟିଏ ଜାଗାରୁ କାମୁଡ଼ି ନେଇ ଥିବାର ଜଣାଗଲା-। ରକ୍ତ ଚିହ୍ନକୁ ଅନୁକରଣ କରି ସେ ବାଘ ପାଖେ ପହଞ୍ଚିଲା । ସେତେବେଳକୁ ବାଘ ମହାଶୟ ଗୋଟିଏ ଶୁଖିଲା ଗଛମୂଳେ ଠାଆରେ ବସିଥିଲେ ।

 

ବାଘଟା ବାଲାକୁ ଦେଖି ପକାଇଥିଲା । ସେ କାନକୁ ଠିଆକରି ଗୋଟାଏ ଗର୍ଜନ କଲା । ହୁଏତ ମୁହୂର୍ତ୍ତକ ପରେ ବାଘ ବାଲା ଉପରକୁ ଡେଇଁ ଥାଆନ୍ତା; କିନ୍ତୁ ବାଘଟା ତାରି ଆଖି ଆଗରେ ନିଜର ସ୍ତ୍ରୀକୁ କାମୁଡ଼ି ଖାଉଥିବାର ଦେଖି ସେ ନିଜକୁ ସମ୍ଭାଳି ପାରିଲାନାହିଁ । ତା ଦେହକୁ ସତେ ଅବା ଗୋଟାଏ ରାକ୍ଷସର ସାହସ ଆସିଲା । ରାଗ ଓ ଘୃଣାରେ ସେ କିଛି ଚିନ୍ତା ନକରି ବାଘ ଆଡ଼କୁ ଦଉଡ଼ିଲା । ହାତରେ କୁର୍‌ହଡ଼ିଟାକୁ ଉଞ୍ଚେଇଥାଏ ।

 

ମଣିଷଖିଆ ବାଘମାନଙ୍କଠାରେ ଏକ ରକମର ବିଚିତ୍ର ଭୀରୁତା ରହିଥାଏ । କେହି ଅସାବଧାନ ଥିଲାବେଳେ ତାକୁ ବାଘ ଆକ୍ରମଣ କରିବ କିନ୍ତୁ କେହି ପ୍ରତିଆକ୍ରମଣ କଲେ ବାଘ ତାର ସମ୍ମୁଖୀନ ହେବାକୁ ସାହସ କରେନାହିଁ । ଏହି କ୍ଷେତ୍ରରେ ମଧ୍ୟ ତାହାହିଁ ଦେଖାଗଲା । ବାଲା ତାର ଖୁବ୍ ନିକଟକୁ ଯିବାଯାଏ ସେ ଅପେକ୍ଷା କଲା । ତତ୍ପରେ ହଠାତ୍ ବୁଲିପଡ଼ି ପଳାଇଲା ।

 

ଭାଗ୍ୟର କଥା, ଏତେବେଳେ ବାଲା ଗୋଟିଏ ବୁଦ୍ଧିମାନ୍ କାର୍ଯ୍ୟକଲା । ଯଦି ସେ ବାଘର ପଛେ ପଛେ ଗୋଡ଼ାଇଥାନ୍ତା ତେବେ ବାଘର ସାହସ ଆସିଥାନ୍ତା ଓ ସେ ମୁହୂର୍ତ୍ତକ ମଧ୍ୟରେ ବାଲାକୁ ଶେଷ କରି ଦେଇଥାନ୍ତା । ବାଘ ପଛରେ ଆଉ ନ ଗୋଡ଼ାଇ ସେ ଆପଣା ସ୍ତ୍ରୀର କ୍ଷତବିକ୍ଷତ ଶବକୁ କାନ୍ଧରେ ପକାଇ ତାର କୁଡ଼ିଆକୁ ଫେରିଆସିଲା ।

 

ବାଲା ମୁହଁରୁ ଏହି ସମସ୍ତ ବୃତ୍ତାନ୍ତ ଶୁଣି ମୋର ହୃଦୟ ତାହାପ୍ରତି ପ୍ରଶଂସାରେ ପୂରି ଉଠିଲା । ମୋର ମନରେ ଗର୍ବ ଆସିଲା, ଭାରତରେ ଅଶିକ୍ଷିତ ଆଦିବାସୀମାନଙ୍କ ଭିତରେ ସୁଦ୍ଧା ବାଲାଭଳି ବୀର ପୁରୁଷ ଅଛନ୍ତି ।

 

ଘରକୁ ଆସି ବାଲା ବୃଥା କାନ୍ଦି କାନ୍ଦି ସମୟ ନଷ୍ଟ କରି ନଥିଲା । ସ୍ତ୍ରୀର ଶବକୁ ଘର ଭିତରେ ଥୋଇ ପିଲାଟିକୁ ଧରିବା ପାଇଁ ମାଆକୁ କହି ସେ ଘରର ତାଟି ଜୋର୍‌ରେ ବାନ୍ଧି ଦେଇଥିଲା ଓ ମୋତେ ଭେଟିବା ଆଶାରେ ରେଳଷ୍ଟେସନକୁ ଆସିଥିଲା ସେ ମା ଓ ତାର ପିଲାକୁ ଘେନି ଶୀଘ୍ର ଚାଲି ଆସିଥିଲା ସେଇଟା ଭାଗ୍ୟର କଥା; ନହେଲେ ବାଘ ପଛରୁ ଗୋଡ଼ାଇ ତାକୁ ଧରିପାରିଥାନ୍ତା; କିମ୍ବା ମଡ଼ାର ଗନ୍ଧବାରି କୁଡ଼ିଆରେ ତାର ମାଆ ଓ ପିଲାକୁ ଖାଇଥାନ୍ତା ।

 

ଏହି ଘଟଣା ବର୍ଣ୍ଣନା କଲାବେଳେ ବାଲାର ଆଖିରୁ ଲୁହ ବୁହାଇ ଦେଇଥିଲେ । ଆତ୍ମୀୟ ବିୟୋଗରେ ତା ମନରେ ଯେଉଁ ଧକ୍‌କା ଲାଗିଥିଲା ଓ ଯେଉଁ ଉଚ୍ଛ୍ୱାସ ରୁଦ୍ଧ ହୋଇଥିଲା, ତାକୁ ଏଇ ଚକ୍ଷୁର ଲୋତକ ଧୋଇ ଦିଏ । ମୋର ମୌଖିକ ଆଶ୍ଵାସନାରେ କିଛି ଉପକାର ହୋଇ ନଥାନ୍ତା । ସେଦିନ ସକାଳେ ତାର ହୃଦୟରେ ଯେଉଁ ବିରାଟ ଶୂନ୍ୟତା ସୃଷ୍ଟି ହୋଇଥିଲା ତାକୁ ପୂରଣ କରିବା ପାଇଁ ମୋର କେଉଁ ଭାଷା ସମର୍ଥ ହୋଇପାରିଥାନ୍ତା ?

 

ତାର କାନ୍ଦଣା ବେଶି ବେଳ ଯାଏ ରହି ନଥିଲା । ଆଦିବାସୀମାନେ ସ୍ଵଭାବତଃ ଭାଗ୍ୟବାଦୀ । ତେଣୁ ଯେ କୌଣସି ବିପଦକୁ ସେମାନେ ଭାଗ୍ୟର ଫଳ ବୋଲି ମନେ କରନ୍ତି । ସେ ତାର କାହାଣୀ କହିଲାବେଳେ ମୁଁ ତାକୁ ବାଧା ଦେଉନଥିଲି କିମ୍ବା ଶୀଘ୍ର କହିବାକୁ ଅନୁରୋଧ କରୁନଥିଲି । ଯାହାହେଉ ଦଶ ମିନିଟ ପରେ ସେ ପ୍ରକୃତିସ୍ଥ ହୋଇ ଛିଡ଼ାହେଲା ଓ ପଚାରିଲା ଏବେ କଅଣ କରିବାକୁ ହେବ ?

 

ମୁଁ ମନେ ମନେ ଗୋଟାଏ ଉପାୟ ସ୍ଥିର କରି ସାରିଥିଲି; କିନ୍ତୁ ସେହି ଉପାୟକୁ କାର୍ଯ୍ୟରେ ପରିଣତ କରିବାକୁ ହେଲେ ବାଲାକୁ ଏକ ମହାନ ତ୍ୟାଗ ସ୍ଵୀକାର କରିବାକୁ ପଡ଼ିବ । ତାକୁ ଏତେ ବଡ଼ ସ୍ଵାର୍ଥତ୍ୟାଗ କରିବାକୁ କହିବା ପାଇଁ ମୋର କୁଣ୍ଠା ହେଲା । ବୋଧହୁଏ, ଜନମରୁ ବର୍ଷ ବର୍ଷ ଧରି ଜଙ୍ଗଲରେ ବାସ କରିଥିବା ହେତୁ ବାଲାର ଓ ସ୍ଵେଚ୍ଛାରେ ଶିକାରୀ ଜୀବନଯାପନ କରିଥିବା ହେତୁ ମୋର ମନରେ ସମାନ ପ୍ରକାରର ଚିନ୍ତାଧାରା ସୃଷ୍ଟି ହୋଇଥିଲା । ମୋ ମୁହଁକୁ ଚାହିଁ ହୁଏତ ସେ ମୋ ମନର ଭାବ ଜାଣିପାରିଲା । ତା ଆଖିରୁ ପୁଣି ଲୁହଧାର ବହିବାକୁ ଲାଗିଲା । ଆଲିବେଗ୍ ବାଲାର ଭାଷାରେ ତାକୁ ମୋର ଉଦ୍ଦେଶ୍ୟ ଜଣାଇ ଦେବାରୁ ସେ ମୁଣ୍ଡନୁଆଇଁ କହିଲା, “ସାହେବ, ସେ ଥିଲା ମୋର ସ୍ତ୍ରୀ; ମୁଁ ତାକୁ ଖୁବ ଭଲ ପାଉଥିଲି; କିନ୍ତୁ ମୁଁ ତୁମ ପ୍ରସ୍ତାବରେ ରାଜି । ଯେଉଁ ବାଘ ମୋ ବାପାଙ୍କୁ ମାରିଥିଲା, ପୁଣି ମୋ ଭରିଯାକୁ ମାରିଛି, ତାକୁ ମାରିବା ପାଇଁ ମୋ ସ୍ତ୍ରୀର ଶବକୁ ଦେବି; କାରଣ ସେ ବାଘ ଉପରେ ପ୍ରତିଶୋଧ ନେବାକୁ ହେବ । ତାକୁ ମାରିବାକୁ ହେବ । ଏହି ପବିତ୍ର କାର୍ଯ୍ୟରେ ମୋ ସ୍ତ୍ରୀର ଶବ ସହାୟକ ହେଉ ।”

 

ଯଥେଷ୍ଟ ସମୟ ନଷ୍ଟ ହୋଇ ଯାଇଥିଲା । ଏହି ସରଳ, ଆଦିବାସୀ ଅଶିକ୍ଷିତ ହେଲେ ହେଁ ତାର ହୃଦୟ ମହାନ୍ । ସେ ଗୋଟାଏ ବଡ଼ ସ୍ଵାର୍ଥ ତ୍ୟାଗ କରି ମୋ ଉପରେ ଯେଉଁ ଦାୟିତ୍ଵ ଅର୍ପଣ କରିଥିଲା, ତାହା ପୂରଣ କରିବି ବୋଲି ପ୍ରତିଜ୍ଞା କଲି । ମିଷ୍ଟର ବାଳସୁବ୍ରମନିୟମଙ୍କ ସ୍ତ୍ରୀ ଅଳ୍ପ ସମୟରେ ମୋ ପାଇଁ କିଛି ଭାତ ଓ ନିରାମିଷ ତରକାରୀ ରାନ୍ଧିଦେଲେ । ମୁଁ ତର ତର ହୋଇ ମୋର ଭୋଜନ ସାରିଦେଲି; ଗୋଟିଏ ବୋତଲରେ ପିଇବା ପାଣି ଓ ଅନ୍ୟ ଏକ ବୋତଲରେ ଚାହା ପୁରାଇ ମୁଁ ବାଲାର କୁଡ଼ିଆ ଆଡ଼କୁ ଚାଲିଲି । ବାଲା ଓ ଗାର୍ଡ଼ ଦୁହେଁ ସଙ୍ଗରେ ଚାଲିଲେ । ସେମାନେ ଗୋଟାଏ ଚାରପାୟୀ ମୁଣ୍ଡାଇ ଚାଲିଥିଲେ ।

 

ଯୁବତୀଟିର ଶବକୁ ଦେଖି ଘୋର ଦୁଃଖ ଜାତହେଲା । ତାର ପିନ୍ଧା କନ୍ଥାକୁ ବାଘ ଚିରି ଟିକି ଟିକି କରି ପକାଇଥିଲା । କୁଡ଼ିଆରୁ ବାଲା ତାର ଏକମାତ୍ର ଶାଢ଼ୀ ଖଣ୍ଡିକ ଆଣି ତା ଅଣ୍ଟାପାଖ ଘୋଡ଼ାଇ ଦେଇଥିଲା । ଶବର ମୁହଁରେ ଅପୂର୍ବ ଶାନ୍ତିର ସଙ୍କେତ ମିଳୁଥିଲା । ତାର ପିଠିଆଡ଼ୁ ବାଘ କିଛି ମାଂସ ଖାଇ ଯାଇଥିଲା । ସେଥିରୁ ରକ୍ତବହି କୁଡ଼ିଆରେ ମେଜିଆକୁ ଓଦା କରି ଦେଇଥିଲା । ବେକପାଖରୁ କିଛି ରକ୍ତ ବହିଆସି ଛାତିରେ ଜମାଟ ବାନ୍ଧି କଳା ଦେଖାଯାଉଥିଲା । ଅଳ୍ପ ସମୟ ପର୍ଯ୍ୟନ୍ତ ଆମେ ଚାରିଜଣଯାକ ନୀରବ ଭକ୍ତିରେ ଏହି ଶବକୁ ଚାହିଁ ରହିଲୁ । ଏଇ ସକାଳ ପର୍ଯ୍ୟନ୍ତ ଯିଏ ଆନନ୍ଦରେ ତାର ପିଲାକୁ ଗେଲ କରୁଥିଲା, ବର୍ତ୍ତମାନ ସେ କେବଳ ମେଞ୍ଚାଏ କଦର୍ଯ୍ୟ ମାଂସ ! ମୁଁ ଘରର ତାଟି ବନ୍ଦ କରିଦେଇ ବାଲାକୁ କହିଲି–ବାଘ ଯେଉଁଠାରେ ପ୍ରଥମେ ମଡ଼ାକୁ ଖାଇବାକୁ ଆରମ୍ଭ କରିଥିଲା, ଚାଲ ସେଇଠାକୁ ଯିବା ।

 

ସୂର୍ଯ୍ୟ କିରଣରେ କାକର ଶୁଖିଯାଇଥିଲା । ବାଲାର ସ୍ତ୍ରୀକୁ ନେଇ ବାଘ ଯେଉଁବାଟେ ଯାଇଥିଲା ସେ ବାଟରେ ବେଣା ଘାସ ଦାବି ଯାଇଥିଲା; ଏବେ ସେ ମୁଣ୍ଡ ଟେକିଲାଣି । ଧୀର ପବନରେ ବେଣାର ଅଗ ହଲୁଥିଲା । ବାଲା ଆଗେ ଆଗେ ଯାଉଥାଏ, ଆମେ ତିନିଜଣ ତାର ପଛେ ପଛେ । ବାଘ ଯେଉଁଠାରେ ପ୍ରଥମେ ଶିକାରକୁ ଥୋଇ ଅନ୍ୟ ଅଂଶକୁ କାମୁଡ଼ି ପୁଣି ଚାଲିଯାଇଥିଲା, ବାଲା ସେ ସ୍ଥାନଟି ଆମକୁ ଦେଖାଇଲା । ସେଠାରୁ ରକ୍ତ ପଡ଼ି ପଡ଼ି ଯାଇଥିଲା । ଆମେ ସେହି ରକ୍ତଚିହ୍ନ ଅନୁସରଣ କରି ଗୋଟିଏ ବଡ଼ ମଲା ଗଛ ପାଖେ ପହଞ୍ଚିଲୁ । ବାଘ ମଡ଼ାକୁ ଏଇ ଗଛମୂଳେ ରଖି ଖାଇବାକୁ ଆରମ୍ଭ କରିଥିଲା । ବାଘର ଭୋଜନ ନସରୁଣୁ ବାଲା କୁରାଢ଼ି ଦେଖାଇ ବାଘକୁ ଘଉଡ଼ାଇ ଦେଇଥିଲା ।

 

ଆମେ ଖୁବ୍ ସାବଧାନରେ କିଛି ଶବ୍ଦ ନକରି ଧୀରେ ଧୀରେ ଚାଲୁଥିଲୁ । ସେତେବେଳେ ବାଘର ଭୟ ନଥିଲା; କାରଣ ଆମେ ଥିଲୁ ଚାରିଜଣ । ତଥାପି ଆମେ ସତର୍କ ରହିଥିଲୁ । ଗଛମୂଳେ ଠିଆହୋଇ ଆମେ ଜାଗାଟାକୁ ପରୀକ୍ଷା କରି ଦେଖିଲୁ । ଜାଗାଟା ଟାଣୁଆ; ଶୁଖିଲା ଘାସରେ ଆବୃତ । କୌଣସିଠାରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଲାନାହିଁ । ପାଦଚିହ୍ନ ଖୋଜିବା ଦରକାର ମଧ୍ୟ ନଥିଲା ।

 

ମୋର ମନେ ପଡ଼ିଗଲା ଯେ ଏହି ବାଘ ହାଇଦ୍ରାବାଦର ନବାବଙ୍କଠାରୁ ଗୁଳିମାଡ଼ ଖାଇ ଆହତ ହେବାପରେ ଯେଉଁ ମଣିଷକୁ ଖାଇଥାଏ, ତାର ମଡ଼ାପାଖକୁ ଆଉ ଆସେନାହିଁ । ଏବେ ସେ ଏହି ମଡ଼ା ପାଖକୁ କଅଣ ଆସିବ ? ଯଦି ନ ଆସେ ତେବେ ମୋର ତାକୁ ଏଠାରେ ଚାହିଁ ବସିବାରେ କି ଫଳ ? ମୁଁ ମନେ ମନେ ଏହିପରି ଚିନ୍ତା କରିଗଲି । ଦେଖିଲି ଏ ସ୍ଥଳରେ କ୍ଷୀଣ ଆଶାର କାରଣ ଅଛି । ସ୍ତ୍ରୀଲୋକଟିର ଅଧେ ସୁଦ୍ଧା ବାଘ ଖାଇ ନଥିଲା । ଯାହା ଖାଇଥିଲା ତାହା ବାଘର କଳେ ଦୁଇକଳ ହୋଇଥିବ । ଅନ୍ୟପକ୍ଷରେ ଏଇଠାରୁ ବାଲା ତାହାକୁ ଆହାରମୁଖରୁ ତଡ଼ି ଦେଇଥିଲା । ଏସବୁ ବିଚାର କଲାବେଳକୁ ମୋର ସଫଳତା ବିଷୟରେ ଘୋର ସନ୍ଦେହ ଜନ୍ମିଲା । ତଥାପି ସାମାନ୍ୟ ଆଶା ଥାଏ । ବର୍ତ୍ତମାନ ଉପାୟ କଣ ? ଏତେ ଉଦ୍ୟମ କରି ଫେରିଯିବାକୁ ମନ ହେଲାନାହିଁ । ଯାହା ହେବାର ହେଉ; ଚେଷ୍ଟା ନକରିବି କାହିଁକି ? ଅନ୍ୟ କି ଉପାୟ ଅଛି କି ?

 

ଚାରପାୟୀ ବାନ୍ଧିବାପାଇଁ ମୁଁ ଗୋଟିଏ ସୁବିଧାଜନକ ଗଛ ଖୋଜିଲି ।

 

ବାଘ ସ୍ତ୍ରୀଟିକୁ ଖାଇବାପାଇଁ ଯେଉଁ ଗଛର ମୂଳ ସ୍ଥିର କରିଥିଲା ତାହାର ଚାରିପାଖେ ଅନେକ ଗହଳିଆ ବୁଦା ଥିଲା । ସେହି ଶୁଖିଲା ଗଛଠାରୁ ନିକଟତମ ଗଛର ଦୂରତା ତିରିଶ ଗଜ ହେବ । ବାଘ ଯେତିକି ଉଚ୍ଚ ହେବ ସେତିକି ଉଚ୍ଚ ପର୍ଯ୍ୟନ୍ତ ଆଣ୍ଠେଇ ବସି ମୁଁ ଦେଖିଲି ଯେ ସେହି ଗଛରେ ବସି ବାଘକୁ ଗୁଳି କରିବାକୁ ହେଲେ ମୋତେ ଗଛର ଏକବାରେ ଅଗରେ ବସିବାକୁ ପଡ଼ିବ । ତାହା ତଳକୁ ବସିଲେ ଗୁଳି ବୁଦାରେ ବାଧା ପାଇବ । ବାଘ ଯଦି ଆସେ ଖୁବ୍ ସମ୍ଭବ ସନ୍ଧ୍ୟା ପରେ ଆସିବ । ସେତେବେଳକୁ ଅନ୍ଧାର ହୋଇ ଯାଇଥିବ । ମୋତେ ଫ୍ଲାସଲାଇଟ ବ୍ୟବହାର କରିବାକୁ ହେବ । ତଳ ଡାଳରେ ବସିଲେ ଆଲୁଅ ବୁଦାଭେଦି ବାଘ ଉପରେ ପଡ଼ିପାରିବ ନାହିଁ ।

 

ମୁଁ ସେହି ଗଛ ମୂଳକୁ ଯାଇ ଉପରକୁ ଚାହିଁଲି । ଯେଉଁ ଅଗ ଡାଳରେ ବସିଲେ ବାଘକୁ ଗୁଳିକରି ହେବ, ତାକୁ ଦେଖି ମୁଁ ନିରାଶ ହୋଇ ପଡ଼ିଲି । ସେ ଡାଳ ଦୁଇ ଆଙ୍ଗୁଳରୁ ବେଶି ମୋଟ ହେବ ନାହିଁ । ଚାରପାୟୀ ସହିତ ମୋର ଭାରା ଏ ଡାଳ ସହିବା ଅସମ୍ଭବ ।

 

ଅନ୍ୟ ଗୋଟିଏ ଗଛ ଦେଖିଲି । ସେଇଟି ଆହୁରି ଦଶ ଗଜ ଦୂରରେ । ସେ ଗଛ ପଖକୁ ଯାଇ ବହୁ କଷ୍ଟରେ କିଛି ଉପରକୁ ଚଢ଼ିଲି । ସେଠାରୁ ମଲା ଗଛ ଗଣ୍ଡିର ଉପର ଅଂଶଟା ଦେଖାଗଲା । ତଳ ଅଂଶ ଓ ମୂଳ ବୁଦାର ଆଢ଼ୁଆଳରେ ରହିଗଲା ।

 

ବିଷମ ସମସ୍ୟା ଉପସ୍ଥିତ । ମୁଁ କେଉଁଠାରେ ବସି ବାଘକୁ ଶିକାର କରିବି ?

 

ମୁଁ ମଲାଗଛ ପାଖକୁ ଫେରି ଆସି ତିନି ସାଥୀଙ୍କ ସହିତ ତାର ଚାରିପାଖେ ବୁଲି ଦେଖିଲି । ଗଛଟି ଦିନେ ଖୁବ୍ ପ୍ରକାଣ୍ଡ ଥିଲା । ମୂଳରେ ଏହାର ପରିଧି ବାରଠାରୁ ପନ୍ଦର ଫୁଟ ପର୍ଯ୍ୟନ୍ତ ହେବ । ଗଛଟା ଯେ କାହିଁକି ମରିଯାଇଥିଲା, ଜଣାପଡ଼ିଲା ନାହିଁ । ହୁଏତ କୌଣସି ରୋଗରେ କିମ୍ବା ପୋକଖିଆରେ ମରିଥିବ । ହୁଏତ ଏହାର ମୂଳ ଓ ଚେରକୁ ପୋକ କାଟିବାରୁ ମରିଥିବ । ଯେ କୌଣସି କାରଣରୁ ଗଛଟା ମରିଥାଉ ନା କାହିଁକି, ଏହା ମରିବାପରେ କେତେକ ବର୍ଷ ଗତ ହୋଇଯାଇଥିଲା ଗଛରେ ଗୋଟାଏ ହେଲେ ପତ୍ର ନଥିଲା; କେବଳ କେତେଟା ଶୁଖିଲା ଡାଳ ମୁଣ୍ଡଟେକି ଶୂନ୍ୟ ଆକାଶକୁ ଚାହିଁଥିଲା ।

 

ଗଛର ମୂଳଆଡ଼େ ଉଇମାନେ ସେମାନଙ୍କର କାମ ଆରମ୍ଭ କରିଦେଇଥିଲେ । ଆଉ କିଛି କାଳପରେ ସେହି ମୂଳ ଶୁଖିଲା ଡାଳମାନଙ୍କୁ ସମ୍ଭାଳି ରଖିବାର ଆଶା ନଥିଲା । ଦିନେ ଗଛଟା ଟଳି ପଡ଼ିଯିବ ଓ ନାନା ଜାତିର କୀଟପତଙ୍ଗ ଏହାର ସବୁ ଅଂଶ ଧ୍ଵଂସ କରିଦେବେ ।

 

ମୁଁ ଗଛମୂଳର ଖୁବ୍ ନିକଟକୁ ଯାଇ ଦେଖିଲି, ମୋର ଠିକ୍ ମୁଣ୍ଡ ଉପରକୁ ଗଛର ଗଣ୍ଡିରୁ ତିନୋଟି ଶାଖା ବାହାରି ଯାଇଅଛି । ଏହା ତଳକୁ ଉଇମାନଙ୍କର ବସାର ମାଟି ଦେଖାଯାଉଅଛି । ପାଦର ଅଙ୍ଗୁଳି ଉପରେ ଭରାଦେଇ ମୁଣ୍ଡ ଟେକି ଦେଖିଲି, ଗଣ୍ଡି ଭିତରଟା ପୋଲା; ତଳ ଆଡ଼କୁ ଅନେକ ଦୂର ଯାଏ ଗାତ ହୋଇଛି ।

 

ଯେଉଁଠାରେ ମଡ଼ା ରଖାଯାଇଥିଲା, ସେଠାରୁ ଏସବୁ ଦେଖାଯାଉ ନଥିଲା ।

 

ମୁଁ ତିନି ସାଥୀଙ୍କୁ ପାଖକୁ ଡାକିଲି । ଆଲି ବେଗ୍‌ର କାନରେ ଚୁପ୍‌ଚୁପ୍ କରି କହିଲି, “ତୁ ବାଲାକୁ କହ, ସେ ଗଛର କୋରଡ଼ରେ ପଶି ଦେଖୁ, ସେଥିରେ ମୋର ରହିବାପାଇଁ ଜାଗା ହେବ କି ନା ।” ବାଲା କୋରଡ଼ରେ ପଶିବା ଆଗରୁ ସେଥିରେ କାଳେ ସାପକି ବିଛା ଥିବେ ବୋଲି ଟର୍ଚ୍ଚ ପକାଇ ଦେଖିନେଲି । ସେହିପରି କୌଣସି ଜୀବ ନଥିବା ଜାଣି ବାଲା ଭିତରକୁ ପଶିଲା । ବାଲା ଉଚ୍ଚରେ ମୋଠାରୁ ପ୍ରାୟ ଫୁଟେ କମ୍ ହେବ । ତାର ମୁଣ୍ଡ ସୁଦ୍ଧା ଦେଖାଗଲା ନାହିଁ । ସେ ପୁଣି ମୁଣ୍ଡ ଟେକି କହିଲା, “ଏଥିରେ ମୁଁ ରହିବା ଭଳି ଜାଗା ଅଛି; କିନ୍ତୁ ସାହେବ ମୋଠାରୁ ମୋଟା ଓ ଡେଙ୍ଗା । ଭିତର ଉଇବସାରୁ କିଛି ହାଣି ସଫା କରି ଦେଲେ ସାହେବ ରହିପାରିବେ ।”

 

ଏହି ସମୟରେ ମୁଁ ଲକ୍ଷ୍ୟକଲି, ଗଛର ଗଣ୍ଡିର ଆର ପାଖରେ ଉଇ ଆହୁରି ବେଶି ଅଂଶ ନଷ୍ଟ କରି ଦେଇଅଛନ୍ତି ।

 

ସେଇ ପାଖରେ ଗୋଟାଏ ମେଲା ଫିଟାଇବାର ଚେଷ୍ଟା ହେଲା । ବାହାର ପାଖର ପଚାକାଠକୁ ହାତରେ ଟାଣି ଆଣିଲୁ । ବାଲା ଭିତର ପାଖରୁ ଠେଲିଲା । ବେଳେବେଳେ କୃଷ୍ଣାପ୍‌ପାର ଟାଙ୍ଗିଆର ସାହାଯ୍ୟ ନେବାକୁ ପଡ଼ିଲା ଏହିପରି ଆମେ କୋରଡ଼କୁ ଭୁଇଁ ତଳ ପର୍ଯ୍ୟନ୍ତ ମେଲାଇ ଦେଲୁ । ଉପର ମୁଣ୍ଡରେ ବାଲା ଯେଉଁ କଣାବାଟେ ପଶିଥିଲା, ତାକୁ ମଧ୍ୟ ଓସାରିଆ କରିଦେଲୁ । ଭିତରୁ ଉଇମାଟି ଓ ସଢ଼ାକାଠ ବାହାରିଗଲା । ଏଣିକି ବାଲାର ଟାଙ୍ଗିଆକୁ ମଧ୍ୟ କୋରଡ଼ ଭିତରେ ବ୍ୟବହାର କରିହେଲା । ତା ଟାଙ୍ଗିଆର ବେଣ୍ଟ ଖୁବ୍ ଛୋଟ ଥିଲା ।

 

ଏଇସବୁ କାମ କରିବା ସହଜ ନଥିଲା । ଏଥିରେ ପ୍ରାୟ ଦୁଇଘଣ୍ଟା ଲାଗିଗଲା । ଶେଷରେ ମୁଁ ସେହି କୋରଡ଼ରେ ମୋର ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଅଂଶ ସ୍ଵଚ୍ଛନ୍ଦରେ ରଖିପାରିଲି । ସେହିଠାରେ ରହି ମୁଁ ମୋର ହାତ ଓ ରାଇଫେଲକୁ ମେଲାବାଟେ ଯେପରି ଇଚ୍ଛା ସେପରି ବ୍ୟବହାର କରିପାରିବି ।

 

ଏହି ବ୍ୟବସ୍ଥାରେ ମଧ୍ୟ କେତୋଟି ତ୍ରୁଟି ଥିଲା । ମଡ଼ା ଯେଉଁଠାରେ ରଖାଯାଇଥିଲା, ବାଘ ଠିକ୍ ସେହିଠାକୁ ଆସିବାର ଆଶା । ସେ ସ୍ଥାନଟା ଥିଲା ମୋର ପଛପଟକୁ କୋରଡ଼ ଭିତରୁ ମୁଁ ମୁହଁ ବୁଲାଇ ସେ ଆଡ଼କୁ ଚାହିଁପାରିବି ନାହିଁ । ସେ ପାଖରେ ବେଶି କାଠ ଥିବାରୁ ଆମେ ମେଲାକରି ପାରିନଥିଲୁ । ତାକୁ ହାଣିଥିଲେ ଅନେକ ସମୟ ଲାଗିଥାନ୍ତା; ପୁଣି କାଠହାଣିବା ଶବ୍ଦରେ ଆମର ଅସଲ ଉଦ୍ଦେଶ୍ୟ ବିଫଳ ହୋଇଥାନ୍ତା ।

 

ଏହିସବୁ ତ୍ରୁଟି ଚିନ୍ତାକରି ଆମେ ସ୍ଥିରକଲୁ ଯେ ବାଘ ଯେଉଁଠାରେ ମଡ଼ାକୁ ଛାଡ଼ି ଯାଇଥିଲା, ଠିକ ସେହି ସ୍ଥାନରେ ତାକୁ ରଖିଲେ ଚଳିବନାହିଁ । ଅଳ୍ପ ଦୂରକୁ ଏହାକୁ ଘୁଞ୍ଚାଇ ନବାକୁ ହବ । ତାହା ନକଲେ, ଯଦି ବାଘ ଆସେ, ମୁଁ ତାକୁ ଦେଖିବା ଆଗରୁ ସେ ମଡ଼ା ନେଇ ଯାଇପାରିବ କିମ୍ବା ମୋ ଠାରୁ ମାତ୍ର ପାଞ୍ଚଗଜ ଦୂରରେ ବସି ମଡ଼ାକୁ ଖାଇବ ଅଥଚ ମୁଁ କିଛି କରିପାରିବି ନାହିଁ । ଅବଶ୍ୟ ଗୋଟାଏ କଥା କରାଯାଇ ପାରନ୍ତା । କୋରଡ଼ରୁ ବାହାରିପଡ଼ି ଗଛର ଗଣ୍ଡିର ଆରପାଖକୁ ଯାଇ ପାରନ୍ତି; କିନ୍ତୁ ଏଭଳି ଦୁଃସାହସ କରିବାକୁ ମୋର ଇଚ୍ଛା ନଥିଲା । ଆଉ ଗୋଟିଏ କଥା, କୋରଡ଼ରୁ ବାହାରି ଗଲାବେଳେ ଯେ ଟିକିଏ ହେଲେ ଶବ୍ଦ ନହେବ, ତାହା କିଏ କହିପାରେ ? ଆଉ ଟିକିଏ ମାତ୍ର ଶବ୍ଦ ହେଲେ ବାଘ ହୁଏତ ପଳାଇଯିବ କିମ୍ବା ମୋତେ ମାଡ଼ିବାସିବ । ଏହା କଦାପି ମୋର କଳ୍ପନାର ବିଷୟ ନଥିଲା ।

 

ଏସବୁ ଛଡ଼ା ଆହୁରି ଏକ ସମସ୍ୟା ଥିଲା । ମୋର ସାରା ରାତି ଛିଡ଼ା ହୋଇ ରହିବା ଛଡ଼ା ଅନ୍ୟ ଗତି ନଥିଲା । ମୋ ଆଣ୍ଠୁ ତଳକୁ ଗଛର ଯେଉଁ ଖୋଲ, ତାହା ଏତେ ସଂକୀର୍ଣ୍ଣ ଯେ ସେଥିରେ କେବଳ ମୋର ଗୋଡ଼ ଦିଓଟି ରହି ପାରିବ । ତେଣୁ ସେଠାରେ କିଛି ସମୟ ବସି ଯିବା ମଧ୍ୟ ସମ୍ଭବ ନଥିଲା ।

 

ସାଧାରଣତଃ ଚାଲାଖ ବାଘମାନେ ମଡ଼ା ପାଖକୁ ଯିବା ଆଗରୁ ଆଖପାଖ ଜଗାଟା ବୁଲି ଦେଖି ନିଅନ୍ତି । ଏ ବାଘ ଯଦି ସେହିପରି କରେ, ତେବେ ସେ ମୋତେ କୋରଡ଼ ଭିତରୁ ସିଧା ଦେଖିପାରିବ । ଏହାର ପ୍ରତିକାର ସ୍ୱରୂପ ମୋ ଆଗରେ କିଛି ଡାଳପତ୍ର ଦିଆଯାଇ ପାରନ୍ତା; କିନ୍ତୁ ମଣିଷଖିଆ ବାଘର ଆଖି ଏତେ ସହଜରେ ଭୁଲିବନାହିଁ । ସେ ସନ୍ଦେହ କରିବ, ଏତେ କଞ୍ଚାଡ଼ାଳପତ୍ର ହଠାତ୍ କାହୁଁ ଏଠାକୁ ଆସିଲା ? ସକାଳେ ତ ଏସବୁ ନଥିଲା । ବାଘ ଏହାକୁ ଦେଖିଲେ ନିଶ୍ଚୟ ସନ୍ଦେହ କରିବ ।

 

ଆହୁରି ଗୋଟିଏ ଚିନ୍ତା ମୋ ମନକୁ ଅଧିକାର କଳା । ଥଣ୍ଡା ରାତି, ଅନ୍ଧାର । ସେଥିରେ ଯଦି କୌଣସି ସାପ କି କଙ୍କଡ଼ାବିଛା କି ଅନ୍ୟ ଜୀବ ସେହି କୋରଡ଼ରେ ଆଶ୍ରୟ ନେବାକୁ ଆସେ, ତେବେ ମୋର ଅବସ୍ଥା କଅଣ ହେବ ? ନାନା ପ୍ରକାରର ବିପଦର ସମ୍ଭାବନା ସତ୍ତ୍ୱେ ମୁଁ ସେହି କୋରଡ଼ରେ ରହିବାକୁ ସ୍ଥିର କଲି । ତଥାପି ମୋର କୃତକାର୍ଯ୍ୟ ହେବାର ଆଶା ଶତକଡ଼ା ଦଶଭାଗ ସୁଦ୍ଧା ନଥିଲା ।

 

ଆମେ ମଡ଼ାକୁ ନେବାପାଇଁ ବାଲାର କୁଡ଼ିଆକୁ ଆସିଲୁ । ବାଲା ତାର ସ୍ତ୍ରୀର କ୍ଷତବିକ୍ଷତ ଶବକୁ କାନ୍ଧରେ ପକାଇ ଆଗରେ ଚାଲିଲା । ନିଃଶବ୍ଦରେ ଧାଡ଼ିବାନ୍ଧି ଚାଲି ଚାଲି ଆମେ ସେହି ଶୁଖିଲା ଗଛ ମୂଳରେ ପହଞ୍ଚିଲୁ । ଗଛରେ ଆମେ ଯେଉଁ ଖୋପ କରିଥିଲୁ ତାହାର ବାମପାଖେ କିଛି ଦୂରରେ ଶବକୁ ରଖିବା ପାଇଁ ମୁଁ ବାଲାକୁ କହିଲି । ଏଥିର ଉଦ୍ଦେଶ୍ୟ ହେଲା, ବାଘ ମଡ଼ାକୁ ଚାହିଁଲାବେଳେ ମୋତେ ଦେଖିପାରିବ ନାହିଁ । କୋରଡ଼ ଭିତରେ ମୁଁ ଓ ମୋର ଟର୍ଚ୍ଚ ସହିତ ରାଇଫେଲ ରହିବାପରେ ଆଉ ଜାଗା ନଥିଲା । ତେଣୁ କୋରଡ଼ ଭିତରେ ଖାଦ୍ୟଦ୍ରବ୍ୟ ପ୍ରଭୃତି ରଖିବା ଅସମ୍ଭବ ଥିଲା । ମୁଁ କେତେ ଖଣ୍ଡ ଚାପାଟି ଖାଇ ବୋତଲରୁ ଚାହା ପିଇଲି ଓ ପାତ୍ରଟି ଆଲି ବେଗ୍ ହାତରେ ଦେଲି ।

 

ଶେଷରେ ମୁଁ କୋରଡ଼ ଭିତରେ ପଶିଲି । ବାଲା ଓ କୃଷ୍ଣାପ୍‌ପା କେତୋଟି ଡାଙ୍ଗ ଆଣି ତାକୁ ଲଟାରେ ଛନ୍ଦି କଣାପାଖରେ ରଖିଦେଲେ । ବାଲା ଖୁବ୍ ସାବଧାନରେ କାମଟି କରିଥିଲା । ଭିନ୍ନ ଭିନ୍ନ ଦିଗରେ କିଛି ଦୂରକୁ ଯାଇ ପରୀକ୍ଷା କଲା; ଯେପରିକି କୌଣସିଠାରୁ ମୁଁ ଦେଖା ନଯାଏଁ-। ମୋର ଛାତି ସିଧାରେ ସେ ଗୋଟାଏ ବଡ଼ କାଠିର ଦୁଇ ମୁଣ୍ଡକୁ କଣାର ଦୁଇପାଖେ ବାନ୍ଧିଦେଲା-। ଏହାରି ଉପରେ ରାଇଫେଲକୁ ରଖି ମୁଁ ଗୁଳି କରିପାରିବି, ଏହି ଉଦ୍ଦେଶ୍ୟରେ ଏହାକୁ ରଖା ଯାଇଥିଲା । ମୁଁ ଦେଖିଲି, ମୁଁ ଧୀରେ ଏହାରି ଉପରେ ରାଇଫେଲକୁ ରଖି ଯେ କୌଣସି ପାଖକୁ ଘୁଞ୍ଚାଇ ପାରିବି । ଆଦିବାସୀ ଦୁହେଁ କେତୋଟି ଲଟା ଆଣି ଗଛର ଉପର ଡାଳରେ ଏପରି ବାନ୍ଧିଦେଲେ ଯେ ସେଗୁଡ଼ିକ ଲମ୍ବି ଆସି ମୋ ମୁହଁର ଦୁଇପାଖରେ ଗଛଗଣ୍ଡି ଉପରେ ଓହଳିଲା-। ଶେଷରେ ସେମାନେ କେତେକ ଡାଳପତ୍ର ଆଣି ଡାଳ ବାହାରିଥିବା ସ୍ଥାନର ତଳ କଣାଟିକୁ ବନ୍ଦ କରିଦେଲେ । ଏବେ ମୁଁ ଏକ କୋରଡ଼ ଭିତରେ ଏକବାରେ ବନ୍ଦୀହୋଇ ରହିଲି ।

 

ମୋ ଛଡ଼ା ଅନ୍ୟମାନେ ଚାଲିଯିବାର ସମୟ ହୋଇଗଲା । ବାଲା ତାର ସ୍ତ୍ରୀର ଶବଠାରୁ ଚିରବିଦାୟ ନେବାକୁ ଗଲା । ସେ ତାର ତାଳୁ ଓ ପାଦକୁ ଚୁମ୍ବନ କରି ତା ପାଖେ ଆଣ୍ଠୁ ମାଡ଼ି ବସିଲା । ତାହାପରେ ସେ ଭୂଇଁରେ ମୁହଁମାଡ଼ି ଦୁଇ ହାତକୁ ପ୍ରସାରିତ କରି ଶୋଇପଡ଼ିଲା । ହୁଏତ ସେ ଯେ ସ୍ତ୍ରୀର ଶବକୁ ଏପରି ଅବଜ୍ଞା ଦେଖାଇ ଥୋପ ହେବାକୁ ଦେଇଥିଲା, ସେଥିପାଇଁ ତାହା ନିକଟରେ କ୍ଷମା ପ୍ରାର୍ଥନା କରୁଥିଲା ।

 

ବାଲା ଉଠିଲା ବେଳକୁ ତାର ଆଖିରେ ଲୁହ ନଥିଲା । ତାର ମୁହଁରେ ଦୃଢ଼ତାର ଚିହ୍ନ । ସେ ନୀରବରେ ମୋ ମୁହଁକୁ କିଛି ସମୟ ଚାହିଁଲା । ଜଙ୍ଗଲ ଲୋକଙ୍କର ସ୍ଵାଭାବିକ ରୀତିରେ ଆମ ଦୁହିଁଙ୍କ ଭିତରେ ଭାବର ବିନିମୟ ହୋଇଗଲା । ତାର ନୀରବ ଭାଷାରେ ସେ ଯେପରି ମୋତେ କହୁଥିଲା, “ମୋ ପକ୍ଷରେ ଯେତିକି କରିବା ସମ୍ଭବ, ମୁଁ ତାହା କରିଛି; ଏପରିକି ମୋର ପ୍ରିୟତମା ସ୍ତ୍ରୀର ଶବକୁ ବଳି ଦେଇଛି । ଏଣିକି ତୁମେ ଯାହା କରିବାର କଥା, କର ।” ମୁଁ ମନେ ମନେ ସ୍ଥିର କଲି–ବାଲାର ଅଭିଳାଷ ପୂରଣ କରିବି ।

 

ମୋର ସଙ୍ଗୀ ତିନିଜଣଯାକ ବାଲାର କୁଡ଼ିଆକୁ ଚାଲିଗଲେ । ବଣ ଭିତରେ ଶବପାଖରେ ମୁଁ ସଂପୂର୍ଣ୍ଣ ଏକାକୀ ।

 

ହାତଘଡ଼ିକୁ ଚାହିଁ ଦେଖିଲି, ସେତେବେଳେ ସମୟ ଅପରାହ୍ନ ସଢ଼େ ଚାରିଟା । ସ୍ଥାନେ ସ୍ଥାନେ ସୂର୍ଯ୍ୟ କିରଣ ଗଛର ପତ୍ର ଭେଦକରି ତଳେ ପଡ଼ୁଥିଲା ଭଳି ଦେଖାଯାଉଥିଲା । ତାର ମୁଣ୍ଡର ବାଳ ଫିଟି ତଳେ ଲୋଟୁଥିଲା । ତାର ମୁଣ୍ଡ ଓ ମୁହଁ ମୋରି ଆଡ଼କୁ ଥିଲା । ସେ ମୁହଁରେ ଶାନ୍ତି ବିରାଜମାନ କରୁଥିଲା । ମୁର୍ଦ୍ଦାର କ୍ରମେ ଲାଠି ହୋଇ ଆସୁଥିଲା; ତାର ଗୋଟିଏ ହାତ ଛାତି ଉପରେ ଲାଖିରହିଥିଲା । ବୋଧହୁଏ ବାଲା ତାକୁ ଘରୁ ଆଣିଲାବେଳେ ସେ ହାତଟିକୁ ସେପରି ରଖିଦେଇଥିଲା । ଆର ହାତଟି ତାର ପାଖରେ ଲାଗିରହିଥିଲା । ସନ୍ଧ୍ୟା କାଳର ଧୀର ପବନ ତାର ଶାଢ଼ୀକୁ ଧୀରେ ଉଠାଇ ପକାଇ ଦେଉଥିଲା । ବେଳେବେଳେ ତାର ଗାଢ଼ କଳାବାଳ ମଧ୍ୟ ପବନରେ ଉଠୁଥିଲା, ପଡ଼ୁଥିଲା ।

 

ପବନରେ ଗଛର ପତ୍ର ଓ ଘାସ ସାମାନ୍ୟ ହଲଚଲ ହେଉଥିଲା । ଆଉ ସବୁ ନିସ୍ତବ୍‌ଧ, ଅଚଳ । ହାତଘଣ୍ଟାର ଟିକ୍ ଟିକ୍ ଶବ୍ଦ ସଙ୍ଗେ ଆଉ ଗୋଟାଏ କୌଣସି ଅସ୍ପଷ୍ଟ ଶବ୍ଦ ଶୁଭୁଥିଲାଭଳି ମନେ ହେଲା । କିଛି ସମୟ ପରେ ବୁଝିପାରିଲି ଯେ ଏହା ମୋର ବକ୍ଷସ୍ପନ୍ଦନର ଶବ୍ଦ । ମୁଁ ଅନ୍ୟ କୌଣସି ଶବ୍ଦ ଶୁଣିପାରୁନଥିଲି ।

 

ମୁଁ ପିଠିରେ ଆଉଜି ପାଦକୁ ଧୀରେ ଧୀରେ ଆଗକୁ ଘୁଞ୍ଚାଇଲି । ରାତିଯାକ ଏହି ପାଦ ଦିଓଟି ମୋର ସମସ୍ତ ଦେହର ଭାର ବହନ କରିବ । ପାଦକୁ ଘୁଞ୍ଚାଇବାଦ୍ଵାରା ମୁଁ ପାଦର ଭାରରୁ କିଛି ଦେହ ଉପରକୁ ନେଇଥିଲି ।

 

ପଇଞ୍ଚାଳିଶ ମିନିଟ ପରେ ବନଭୂମିରେ ଜୀବନର ସଞ୍ଚାର ହେଲା । ହରଡ଼ ଚଢ଼େଇ ଓ ବଣ କୁକୁଡ଼ାମାନେ ରାବି ଉଠିଲେ । ଗୋଟାଏ ବଣୁଆ ଗଞ୍ଜା ମୋ ପାଖର ମେଲା ଜାଗାକୁ ଆସିଲା ଡାକିଲା–କ୍‌କ–କକ୍–କୁମ୍ । ସଙ୍ଗେ ସଙ୍ଗେ ବଣର ଅନ୍ୟ ଏକ ଅଂଶରୁ ଆଉ ଗୋଟିଏ ଗଞ୍ଜା ଉତ୍ତରଦେଲା,–କ୍‌କ–କକ୍–କୁମ୍ । ପ୍ରଥମ ଗଞ୍ଜାଟି ଡେଣା ଝାଡ଼ି ଯେଉଁ ଦିଗରୁ ଉତ୍ତର ଆସୁଥିଲା, ସେହି ଦିଗକୁ ଚାହିଁଲା । ଏହି ସମୟରେ ହାବୁକାଏ ପବନରେ ଶାଢ଼ୀ ଉଡ଼ିବାକୁ ଲାଗିଲା-। ମୁହୂର୍ତ୍ତକ ଭିତରେ ଗଞ୍ଜାଟା କୁଆଡ଼େ ପଳାଇଗଲା ।

 

ଗୋଟାଏ ମୟୂର ରାବିଲା–ମି–ଉ–ଉ, ମି–ଉ–ଉ । ଦୂରରେ କେଉଁ ଗଛରେ ବିଶ୍ରାମ ନେବାକୁ ଯାଉଥିବା ମୟୂରମାନେ ଗୋଟାକ ପରେ ଗୋଟାଏ ପ୍ରଥମ ମୟୂରର ରାବର ଉତ୍ତର ଦେଲେ, ମି–ଉ–ଉ, ମି–ଉ–ଉ । ବୁଦା ଭିତରେ ଗୁଡ଼ାଏ ପକ୍ଷୀ (spur fowl) ପରସ୍ପର କଳି କରୁଥିବା ଶବ୍ଦ ଶୁଣାଗଲା । ଗୋଟାକେତେ ପ୍ରଜାପତି ଓ ଝିଙ୍କାରୀ ଝିଁ ଝିଁ ଶବ୍ଦ କରି ରାତିର ଆଶ୍ରୟ ସ୍ଥଳକୁ ଆସୁଥିଲେ ।

 

ସୂର୍ଯ୍ୟାଲୋକ ଅନ୍ତର୍ହିତ ହେବା ସଙ୍ଗେ ସଙ୍ଗେ ପକ୍ଷୀମାନେ ନିଜ ନିଜ ଆଶ୍ରୟ ସ୍ଥଳକୁ ଯାଇ ଡେଣା ତଳେ ମୁଣ୍ଡକୁ ଗୁଞ୍ଜି ବିଶ୍ରାମ ନେବାକୁ ଆରମ୍ଭ କଲେ । ଆଲୋକର ବିଦାୟ ସଙ୍ଗେ ମୋଠାରୁ ଗଜେ ଦୁଇଗଜ ଦୂରରେ ଗୋଟିଏ ପେଚା (Night jar) ଆକାଶରୁ ଓହ୍ଲାଇ ବସିପଡ଼ିଲା । ଏ ହେଉଛି ବନରାଜ୍ୟରେ ରାତ୍ରି ଦେବୀଙ୍କ ଆଗମନର ବାର୍ତ୍ତାବହ ।

 

ପେଚାଟି ଚୁକ–ଚୁକ–ଚୁଉଉ ଶବ୍ଦ କଲା । ତାର ଧୂସର ଶରୀରଟି ଶୁଷ୍କ ତୃଣ ଉପରେ ଖଣ୍ଡେ ପଥର ପରି ଦେଖା ଯାଉଥିଲା । ଅଳ୍ପ ସମୟ ପରେ ସେ ତାର ଡେଣା ମେଲାଇ କେଉଁଆଡ଼େ ଉଡ଼ିଗଲା । ମୋର ଠିକ୍ ମୁଣ୍ଡ ଉପରୁ ଗୋଟାଏ ବିଚିତ୍ର ଶବ୍ଦ ଶୁଣାଗଲା–ଚିପ୍ ଚିପ୍–ଚିପ୍ । ଦୁଇଟା ବାଦୁଡ଼ି ଗଛ ଉପରେ ଚକ୍ରାକାରରେ ଉଡ଼ି ଦିନରୁ ରହି ଯାଇଥିବା କୀଟପତଙ୍ଗଙ୍କୁ ଖାଇବାରେ ଲାଗିଥିଲେ ।

 

ଏପରି ଦୃଶ୍ୟ ମୁଁ ଏଥି ପୂର୍ବରୁ ବହୁବାର ଦେଖିଥିଲି; ଏଭଳି ଶବ୍ଦ ଶୁଣିବା ମୋ ପକ୍ଷରେ ନୂତନ ନଥିଲା; କିନ୍ତୁ ମୋର ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଏକଥା ଅବଶ୍ୟ ସ୍ଵୀକାର କରିବାକୁ ହେବ ।

 

ମୁହୂର୍ତ୍ତକ ପାଇଁ ଅନ୍ଧକାର ମାଡ଼ିଗଲା; କିନ୍ତୁ ଗୋଟିଏ ଗୋଟିଏ ହୋଇ, ତାପରେ ଦଳ ଦଳ ହୋଇ ତାରାମାନେ ଆକାଶରେ ଦେଖାଦେଇ ବନରାଜ୍ୟର ଅନ୍ଧକାରକୁ ତଡ଼ିଦେବାକୁ ବସିଲେ-। ରାତିଟିଯାକ ମୋତେ ତାରାମାନଙ୍କର ଏହି କ୍ଷୀଣ ଆଲୋକ ଉପରେ ମୋତେ ନିର୍ଭର କରିବାକୁ ହେବ । ପରଦିନ ସକାଳେ ପୁଣି ସୂର୍ଯ୍ୟଙ୍କ ଆଲୋକ ସଙ୍ଗେ ସାକ୍ଷାତ ଘଟିବ । ଜୀବନରେ ଅନେକଥର ଏଭଳି ଅନୁଭୂତି ହୋଇଥିଲା ।

 

କିଛି ସମୟ ପରେ ମଶାମାନେ ମୋର ସନ୍ଧାନ ପାଇ ମୋ ବିରୁଦ୍ଧରେ ରୀତିମତ ଯୁଦ୍ଧ ଘୋଷଣା କରିଦେଲେ । ପ୍ରଥମେ କେତୋଟି ମଶା ମୋର ସନ୍ଧାନ ପାଇଲା ମାତ୍ରେ ଫେରି ଯାଇ ସେମାନଙ୍କ ସଦର ଅଫିସରେ ଜଣାଇଦେଲେ ଓ ମଶାଙ୍କ ସୈନ୍ୟମାନେ ଦଳବଦ୍ଧ ହୋଇ ଆସି ମୋତେ ଆକ୍ରମଣ କାଲେ । ଯେଉଁମାନେ ମୋ ମୁହଁରେ ବସିବାକୁ ଚେଷ୍ଟାକଲେ, ସେମାନଙ୍କୁ ମୁଁ ଫୁଙ୍କି ତଡ଼ିଦେଲି । କେତୋଟି ମଶା କୋରଡ଼ ଭିତରେ ପଶି ମୋର ରକ୍ତ ପିଇବା ପାଇଁ ମୋ ହାତକୁ ଆକ୍ରମଣ କରିବାକୁ ଉଦ୍ୟମ କଲେ; କିନ୍ତୁ ମୁଁ ହାତକୁ ପ୍ୟାଣ୍ଟ ପକେଟରେ ପୁରାଇ ସେମାନଙ୍କୁ ପରାସ୍ତ କରିଦେଲି ।

 

ରାତି ଆଠଟା ବାଜିଲା । ମୁଁ କ୍ରମାନ୍ଵୟରେ ଗୋଟିଏ ଗୋଟିଏ ଗୋଡ଼ ଟେକି ଅନ୍ୟ ଗୋଡ଼ ଉପରେ ବେଶି ଭାର ଦେଉଥିଲି । ପାଦର କାନଭାସ ଜୋତାଭିତରେ ପାଦର ଅଙ୍ଗୁଳିଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ସ୍ଥାନରେ ରହିଲେ ରକ୍ତ ସଞ୍ଚାଳନରେ ବାଧା ଘଟିବ ଓ ପାଦ ଅଚଳ ହୋଇଯିବ । ସେଥିପାଇଁ ମୁଁ ପାଦର ଅଙ୍ଗୁଳିଗୁଡ଼ିକୁ ଟିକିଏ ଟିକିଏ ଏପାଖ ସେପାଖ କରୁଥାଏଁ । ଏ ବାଘଟା ଯେଉଁ ମଣିଷକୁ ଖାଇଥାଏ, ତାର ମଡ଼ାପାଖକୁ ଦ୍ଵିତୀୟ ଥରପାଇଁ ଆସେନାହିଁ ବୋଲି ଲୋକ ମୁଖରେ ଶୁଣାଯାଉଥିଲା । ତେବେ ବାଘଟା କଅଣ ଆସିବନାହିଁ ! ମୁଁ କଅଣ ନିଜକୁ ଏଭଳି ବିପଜ୍ଜନକ ଅଦ୍ଭୁତ ପରିସ୍ଥିତିରେ ପକାଇ ରାତିଯାକ କାଟିବି, ଏହା କଅଣ ମୋର ନିର୍ବୋଧତା ! ପୁଣି ମୁଁ ମନଶ୍ଚକ୍ଷୁରେ ଦେଖିଲି ବାଲାର ଅଶ୍ରୁସିକ୍ତ ମୁଖମଣ୍ଡଳ ଓ ମୋଠାରୁ ଅଳ୍ପ କେତେ ଗଜ ଦୂରରେ ପଡ଼ିଥିବା ତାର ସ୍ତ୍ରୀର ଶାନ୍ତ ମୁଖ । ଏ ପରିସ୍ଥିତିରେ ମୁଁ ଯେଉଁ ପନ୍ଥା ବାଛି ନେଇଅଛି, ତାହାହିଁ ମୋ ପକ୍ଷରେ ଏକ ମାତ୍ର ପନ୍ଥା ଅଟେ ।

 

ମୁଁ ଏହି ସବୁ ବିଷୟରେ ଚିନ୍ତା କରୁଥିଲି । ହଠାତ୍ ମୋର ଶିରାପ୍ରଶିରାରେ ଏକ ଚମକ ଖେଳିଗଲା; ମୁଁ ସତର୍କ ହୋଇଗଲି । ମୁହୂର୍ତ୍ତକ ଆଗରୁ ମୋତେ କିଛି ଦେଖାଯାଇ ନଥିଲା, କିଛି ଶୁଣାଯାଇ ନଥିଲା । ଏବେ ସେଇ ମଣିଷଖିଆ ବାଘକୁ ମୋର ଖୁବ୍ ନିକଟରେ ଦେଖିପାରିଲି । ଏଥିରେ ଲବମାତ୍ର ସନ୍ଦେହ ନଥିଲା । ମୋର ବେକ ପାଖରେ ଲୋମ ଟାଙ୍କୁରି ଉଠିଲା । ସମଗ୍ର ଶରୀରରେ ଗୋଟାଏ ସ୍ନାୟବିକ କମ୍ପନ ଅନୁଭୂତ ହେଲା । ମୋର ଇନ୍ଦ୍ରିୟମାନେ ଏକ ଅବର୍ଣ୍ଣନୀୟ ଶକ୍ତିର ପ୍ରଭାବରେ ସଜାଗ ହୋଇଉଠିଲେ । ବାଘ ଯେ ମୋର ଅତି ନିକଟରେ, ଏ ବିଷୟରେ ମୋର ସନ୍ଦେହ ରହିଲାନାହିଁ ।

 

କୌଣସି ଶବ୍ଦ ଶୁଣିବା ଆଶାରେ ମୁଁ କାନ ଡେରିଲି; କିନ୍ତୁ ଗଭୀର ନିସ୍ତବଧତା ଅନୁଭବ କଲି । ସାଧାରଣତଃ ବାଘ ଦେଖାଦେଲେ ହରିଣ ପ୍ରଭୃତି କେତେକ ବନ୍ୟଜନ୍ତୁ ରାବ ଦେଇ ତାର ଶୁଭାଗମନର ସୂଚନା ଦେଇଥାନ୍ତି; କିନ୍ତୁ ଏଠାରେ ସେଭଳି କୌଣସି ରାବ ଶୁଣା ଯାଇନଥିଲା ।

 

ଏକେ ଚତୁର୍ଦ୍ଦିଗ ନୀରବ; ସେଥିରେ ପୁଣି ବାଘଟା ମଡ଼ା ଆଡ଼କୁ ଆଗୋଉ ନାହିଁ । ଏଥିରୁ ଏକମାତ୍ର ସିଦ୍ଧାନ୍ତ ହେବାର କଥା, ବାଘର ସନ୍ଦେହ ହୋଇଛି । ତା ପକ୍ଷରେ ସନ୍ଦେହର କାରଣ କଅଣ ହୋଇପାରେ ? ସେଦିନ ସକାଳେ ବାଲା ତାକୁ ଯେଉଁ ଭୟ ଦେଖାଇଥିଲା, ସେହି ଭୟ ହେତୁରୁ କଅଣ ସେ ମଡ଼ା ପାଖକୁ ଯାଉନଥିଲା ? ଅଥବା ଚାରିପାଖରେ ପରିସ୍ଥିତିରେ କିଛି ପରିବର୍ତ୍ତନ ସେ ଲକ୍ଷ୍ୟ କରିପାରିଛି କି ? ସବୁଠାରୁ ବଡ଼ କଥା–ବାଘ କଅଣ ମୋତେ ଦେଖିଛି କି ? ଏହି ଶେଷ ପ୍ରଶ୍ନଟିର ଉତ୍ତର ପାଇଁ ମୁଁ ଯେ କୌଣସି ମୂଲ୍ୟ ଦେଇପାରିଥାନ୍ତି ।

 

କେତେକ ମିନିଟ ପରେ ମୁଁ ଗୋଟିଏ ମୃଦୁ ସୁଁ ସୁଁ ଶବ୍ଦ ଶୁଣିପାରିଲି । ଯେତେବେଳେ ଗୋଟିଏ ମିନିଟ୍ ମୋତେ ଗୋଟିଏ ଯୁଗପରି ମନେ ହେଉଥିଲା । ସେହି ସୁଁ ସୁଁ ଶବ୍ଦ ପରେ କେହି କିଛି ଘୋଷାଡ଼ୁଥିବାର ଶବ୍ଦ ଶୁଣାଗଲା ।

 

ଏହି ଶବ୍ଦର କାରଣ ବୁଝିବାକୁ ମୋର ବାକି ରହିଲାନାହିଁ–ବାଘ ଯୁବତୀର ମଡ଼ାକୁ ଟାଣୁଛି । ଆଉ ମିନିଟକ ଭିତରେ ବାଘ ମଡ଼ାକୁ ନେଇ କୁଆଡ଼େ ଚାଲିଯିବ ।

 

ମୁଁ ଏତେ ଉତ୍ତେଜିତ ହୋଇଗଲି ଯେ ବୁଦ୍ଧି ହରାଇ ମୁଁ କୋରଡ଼ ଭିତରୁ ବାହାରି ପଡ଼ି ବାଘକୁ ଗୁଳି କରିଥାନ୍ତି । ଦୈବାତ ଘୋଷଡ଼ା ଶବ୍ଦ ହଠାତ୍ ବନ୍ଦ ହୋଇଗଲା । ତେବେ କଅଣ ବାଘ ମଡ଼ାକୁ ଘେନି ପଳାଇଲା ?

 

ଯାହା ହେଉ ବାଘ ମଡ଼ା ଖାଇବାକୁ ଆରମ୍ଭ କରିଥିବା ଜଣାଗଲା; ହାଡ଼ କାମୁଡ଼ିବାର ମଟ୍ ମଟ୍ ଶବ୍ଦ ଶୁଣାଗଲା । ସେହି ଶବ୍ଦ ମୋ ପଛପଟୁ ଗଛର ଆର ପାଖରୁ ଆସୁଥିଲା ।

 

ଏଥିରେ କାରଣଟା ମୋତେ ସ୍ପଷ୍ଟ ଜଣାପଡ଼ିଲା । ବାଘ ମଡ଼ାଟାକୁ ଖାଇବା ଆଗରୁ ସକାଳେ ଯେଉଁଠାରେ ମଡ଼ାକୁ ଛାଡ଼ି ଯାଇଥିଲା, ସେହିଠାକୁ ଘୋଷାଡ଼ି ନେଇଥିଲା । ଏପରି କରିବାର କାରଣ କଅଣ ? ବୋଧହୁଏ ଏଇଟା ବାଘର ଜନ୍ମଗତ ପ୍ରକୃତି । ଏଥିରୁ ଅନ୍ତତଃ ଏତିକି ଜଣାପଡ଼ିଲା ଯେ ବାଘର କିଛି ସନ୍ଦେହ ହୋଇନାହିଁ କି ଭୟ ହୋଇନାହିଁ । ତାହା ହୋଇଥିଲେ ବାଘ ପଳାଇ ଯାଇଥାନ୍ତା କିମ୍ବା ମଡ଼ାକୁ ଦୂରକୁ ନେଇ ଯାଇଥାନ୍ତା । ମୁଁ ଲୁଚି ରହିଥିବାର ଜାଣି ପାରିଥିଲେ ସେ ହୁଏତ ମୋତେ ଆକ୍ରମଣ କରିଥାନ୍ତା ।

 

ସେ ଏଭଳି କିଛି ନ କରିବାରୁ ମୁଁ ଧରିନେଲି ଯେ ବାଘ ଭୟ କରିନାହିଁ; କେବଳ ସକାଳେ ସେ ମଡ଼ାକୁ ଯେଉଁଠାରେ ଛାଡ଼ିଯାଇଥିଲା, ଠିକ୍ ସେହିଠାରେ ଭୋଜନ କରିବାର ଉଦ୍ୟୋଗ କରିଥିଲା । ହୁଏତ ସେ ମନେ କରିଥିଲାଯେ ଗୋଟାଏ ବିଲୁଆ କି ଗଧିଆ ମଡ଼ାକୁ ଟାଣି ନେଇ ସ୍ଥାନଭ୍ରଷ୍ଟ କରିଥିଲା ।

 

ଏସବୁ ଭାବି ମୁଁ ଟିକିଏ ଆଶ୍ଵସ୍ତ ହେଲି । ଏବେ ମୋର ମନେପଡ଼ିଲା ମୋତେ କୋରଡ଼ରୁ ବାହାରି ପଦାକୁ ଯିବାକୁ ହେବ ଓ ଗଛ ମୂଳବାଟେ ଯାଇ ବାଘକୁ ଗୁଳି କରିବାକୁ ହେବ-। ମଡ଼ାର ସ୍ଥାନ ପରିବର୍ତ୍ତନ ଘଟିଥିବାରୁ କୋରଡ଼ରେ ରହି ଗୁଳି କରିବାର ସମ୍ଭାବନା ଲୋପ ପାଇଥିଲା । ମୁଁ ଚିନ୍ତିତ ହେଲି ।

 

ଆଗରୁ କହିଛି ବାଲା ଓ କୃଷ୍ଣାପ୍‌ପା କଣା ମୁହଁରେ ଡାଳପତ୍ର ପ୍ରଭୃତି ଦେଇ ମୋତେ କୋରଡ଼ ଭିତରେ ବନ୍ଦ କରିଯାଇଥିଲେ । କୋରଡ଼ରୁ ବାହାରିବା ପାଇଁ ସେ ସବୁ କାଢ଼ିବା ଦରକାର-। କାଢ଼ିଲାବେଳେ ନିଶ୍ଚୟ ଟିକିଏ ହେଲେ ଶବ୍ଦ ହେବ । ବାଘ ସେ ଶବ୍ଦ ଶୁଣି ପଳାଇ ଯିବ କିମ୍ବା ଶବ୍ଦର କାରଣ ଜାଣିବା ପାଇଁ ଗଛ ମୂଳର ଚାରିପାଖ ଖୋଜିବ । ମୁଁ ଗୁଳି କରିବାକୁ ପ୍ରସ୍ତୁତ ହେବା ପୂର୍ବରୁ ବାଘ ନିଶ୍ଚୟ ମୋତେ ଦେଖିପକାଇବ ।

 

ଏ ସ୍ଥଳରେ ମୋ ପକ୍ଷରେ ଗୋଟିଏ ମାତ୍ର ପନ୍ଥା ଥିଲା–ବାଘ ତାର ଆହାର ଖାଉଥାଉ; ଖାଇବାରେ ବ୍ୟସ୍ତ ରହି ସେ ଯେପରି ଅନ୍ୟ ବିଷୟ ପ୍ରତି ମନ ନ ଦେଉ ।

 

ବାଘ ଯେତେବେଳେ ପୁଳାଏ ମାଂସ ବା ଖଣ୍ଡେ ହାଡ଼ ନେଇ ଚୋବାଉଥିଲା, ସେତେବେଳେ ମୁଁ ଧୀରେ ଧୀରେ କିଛି ଡାଳପତ୍ର ବା ଲଟା କୋରଡ଼ର ତଳ ଆଡ଼କୁ ମୋ ପାଦ ପାଖକୁ ପକାଇ ଦେଉଥାଏଁ । ଏହିପରି କରି ମୁଁ ପଦାକୁ ବାହାରିଆସିଲି । ବାଘର ଭୋଜନ ଚାଲିଥାଏ ।

 

କୋରଡ଼ରୁ ବାହାରିବା ଆଗରୁ ମୁଁ ଡାହାଣ ଗୋଡ଼କୁ କିଛି ବେଳ ହଲାଇଲି । ଏହା ଫଳରେ ଗୋଡ଼ର ସ୍ଵାଭାବିକ ରକ୍ତ ସଞ୍ଚାଳନ ଘଟିଥିଲା । କୋରଡ଼ରୁ ବାହାରି ମୁଁ ଟିକିଏ ଛିଡ଼ା ହେଲି-। ବାଘ ମାଂସ ଓ ହାଡ଼ ଚୋବାଇବାରେ ଲାଗିଥାଏ । ଗଛ ଦେହରେ ବାଁ ହାତକୁ ଭରାଦେଇ ମୁଁ ଟାଣ ହୋଇ ଛିଡ଼ାହେଲି । ଅତି ନିଃଶବ୍ଦରେ ବାଁ ଗୋଡ଼କୁ ଡାହାଣ ଗୋଡ଼ ପାଖକୁ ଆଣିବାକୁ ହୋଇଥିଲା ।

 

ମୁହୂର୍ତ୍ତକ ପାଇଁ ମୁଁ ନିଜର ଭାରକେନ୍ଦ୍ର ରକ୍ଷା କରିପାରି ନ ଥିଲି; ତେଣୁ ଲକ୍ଷ୍ୟ ସ୍ଥିର କରିପାରି ନଥିଲି । ସେତିକିବେଳେ ବାଘର ମୋ ଉପରେ ନଜର ପଡ଼ିଥିଲେ ମୋର ରକ୍ଷା ନଥିଲା; ସୌଭାଗ୍ୟର କଥା, ବାଘ ତାର ଭୋଜନରେ ଏତେ ବ୍ୟସ୍ତ ଥିଲା ଯେ ସେ ମୋ ଆଡ଼କୁ ଦୃଷ୍ଟି ପକାଇ ନଥିଲା ।

 

ଗଛର ଗଣ୍ଡି ପାଖେ ପାଖେ ମୁଁ ଇଞ୍ଚେ ଇଞ୍ଚେ ହୋଇ ଆଗେଇଲି । ଆଉ ଇଞ୍ଚେମାତ୍ର ଗଲେ ବାଘ ମୋତେ ଦେଖିପାରିବ । ବାଘର ଆଖି ଗଛଆଡ଼କୁ ଥିଲେ ସେ ମୋତେ ଦେଖିବାରେ ସନ୍ଦେହ ନାହିଁ । ଯଦି ତାର ଆଖି ଗଛ ଆଡ଼କୁ ନଥିବ, ତେବେ ମୁଁ ଦେଖା ନ ପଡ଼ିବାର ଆଶା ଥିଲା-

 

ବର୍ତ୍ତମାନ ଗୁଳି ମାରିବାର ମୁହୂର୍ତ୍ତ ଉପସ୍ଥିତ । ପରିଣାମ ଯାହା ହେଉ ପଛକେ ମୋର ଅନ୍ୟ ଗତି ନଥିଲା । ରାଇଫେଲକୁ ଉଠାଇ କାନ୍ଧ ଉପରେ ରଖି କେତେ ଇଞ୍ଚ ଯାଇ ଚାରିଆଡ଼କୁ ଥରେ ଚାହିଁନେଲି । ଏଠି ମଧ୍ୟରେ ମୋର ଆଖି ରାତିର କ୍ଷୀଣ ଆଲୁଆରେ ଅଭ୍ୟସ୍ତ ହୋଇ ଯାଇଥିଲା । ବାଘଟା ଲମ୍ବ ହୋଇ ଯୁବତୀର ଅବଶିଷ୍ଟ ମାଂସପିଣ୍ଡ ଉପରେ ଆଣ୍ଠେଇ ପଡ଼ି ଖାଇବାରେ ଲାଗିଛି । ସେଦିନ ଉପର ବେଳା ଆମେ ଯେଉଁବାଟେ ଆସିଥିଲୁ, ବାଘ ସେଇଆଡ଼କୁ ମୁହଁ କରିଥିଲା; ସେ ମୋଠାରୁ ତେରେଚ୍ଛା ଭାବରେ ଥିଲା । କ୍ଷୀଣ ଆଲୁଅରେ ରାଇଫେଲର ମାଛି ଦେଖାଯିବ ନାହିଁ । ତେଣୁ ମୋର ଫ୍ଲାସଲାଇଟ ବ୍ୟବହାର କରିବାକୁ ସ୍ଥିରକଲି ।

 

ବାଁ ହାତର ସାହାଯ୍ୟରେ ରାଇଫେଲକୁ ଡାହାଣକାନ୍ଧ ଉପରେ ଠିକ୍ ସ୍ଥାନରେ ରଖିଲି ବାଁ ହାତର ବୁଢ଼ା ଆଙ୍ଗୁଠିରେ ଟର୍ଚ୍ଚର ସୁଇଚ ଟିପିଦେଲି, ଏତିକିବେଳେ ବାଘର ବୋଧହୁଏ ଟିକିଏ ସନ୍ଦେହ ଆସିଲା । ସେ ବେକ ମୋଡ଼ି ପଛଆଡ଼କୁ ଅନାଇଲା । ଟର୍ଚ୍ଚର ଆଲୋକ ରେଖାରେ ତାର ମୁଣ୍ଡ ଓ ଉଜ୍ଜ୍ଵଳ ଆଖି ଦେଖାଗଲା । ତାର ପାଟିରୁ ଖାଉଥିବା ମାଂସ ଓ ରକ୍ତ ଖସି ପଡ଼ୁଥିଲା ।

 

ମୋର ପ୍ରଥମ ଗୁଳିଟି ତାର ଗଳାରେ ବସିଲା; ସେ ଓଲଟି ପଡ଼ିଲା । ଗର୍ଜନ କରି ଗଡ଼ୁଥିବାବେଳେ ମୁଁ ଆଉ ଗୋଟିଏ ଗୁଳି ମାରିଲି । ସେତିକିରେ ନିଶ୍ଚିନ୍ତ ହୋଇ ନପାରି ତୃତୀୟ ଗୁଳି ମଧ୍ୟ ମାରିଲି । ଏହି ସମୟରେ କଅଣ ଘଟିଲା, ତାହା ପ୍ରକାଶ କରିବାକୁ ମୁଁ ଅକ୍ଷମ । ଦେଖିଲି ବାଘଟା କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି । ଆଶ୍ଚର୍ଯ୍ୟ କଥା ।

 

ମୋର ପ୍ରଥମ ଗୁଳି ଖାଇ ବାଘଟା କ୍ରୋଧ ଓ ଯନ୍ତ୍ରଣାରେ ଗର୍ଜନ କରୁଥିଲା । ପରେ ପରେ ମୋର ଗୁଳି ମାଡ଼ ବେଳେ ମଧ୍ୟ ସେ ଗର୍ଜନ କରି ରାଗ ଓ ଯନ୍ତ୍ରଣାରେ ବୁଦାମାଟି ରାମ୍ପୁଡ଼ି ବିଦାରି ପକାଉଥିଲା । ଏବେ ତାକୁ ଦେଖିବାକୁ ମିଳିଲାନାହିଁ ! ନିଶ୍ଚୟ ସେ ଡେଇଁପଡ଼ି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ।

 

ମୁଁ ଯେତେ ଶୀଘ୍ର ପାରେଁ ଦଉଡ଼ି ଯାଇ ଗଛର କୋରଡ଼ ଭିତରେ ପଶିଗଲି ଓ କଅଣ ହୋଇଛି ଦେଖିବାକୁ ଅପେକ୍ଷା କରି ରହିଲି । ମୋର ଯେଉଁ ତିନିଟା ଗୁଳି ଖରଚ ହୋଇଯାଇ ଥିଲା ତାହା ସ୍ଥାନରେ ଅନ୍ୟ ତିନୋଟି ଗୁଳି ରାଇଫେଲରେ ଭର୍ତ୍ତି କରି ରଖିବା ମୋର ଇଚ୍ଛା ଥିଲା; କିନ୍ତୁ ମୋର ରାଇଫେଲ ଥିଲା .୪୦୫ ନମ୍ବର ଉଇନଚେଷ୍ଟର ରାଇଫେଲ । ଏଥିରେ ବିଶେଷତ୍ଵ ଏହି ଯେ ଏହାର ସବୁଗୁଳି ଶେଷ ନହେଲେ ଏଥିରେ ନୂଆଗୁଳି ପୂରାଇ ହୁଏ ନାହିଁ । କେତୋଟି ଗୁଳି ଥିବା ଅବସ୍ଥାରେ ଆଉ ଗୂଳି ପୂରାଇଲେ ରାଇଫେଲ ଅଚଳ ହୋଇ ଯିବାର ଆଶଙ୍କା ଥାଏ । ସେପରି ଘଟିଲେ ମୁଁ ଅସହାୟ ହୋଇ ପଡ଼ିବି । ତେଣୁ ସେ ଉଦ୍ୟମରୁ ବିରତ ହେଲି । ସେତେବେଳକୁ ରାଇଫେଲରେ ଆଉ ଗୋଟିଏ ମାତ୍ର ଗୁଳିଥିଲା । ବାଘ ଦେଖାଦେଲେ ତାକୁ ବ୍ୟବହାର କରିପାରିବାର ଆଶା ଥିଲା । ମୋର ରାଇଫେଲରେ ପାଞ୍ଚଟା ଗୁଳି ରହିପାରନ୍ତା; କିନ୍ତୁ ହିଂସ୍ରଜନ୍ତୁ ଶିକାରକୁ ଥିଲେ ମୁ ଚାରିଟି ଗୁଳି ପୂରାଇଥାଏ; ସେଥିରୁ ଗୋଟିଏ ଥାଏ ନଳୀର ମୁଣ୍ଡରେ ଓ ଅନ୍ୟ ତିନୋଟି ନଳୀ ଭିତରେ । ଏପରି କରିବାର ଉଦ୍ଦେଶ୍ୟ ହେଲା ରାଇଫେଲ କେବେହେଲେ ଅଚଳ ହୋଇଯିବ ନାହିଁ ।

 

ଗଛର କୋରଡ଼କୁ ଫେରିଆସି ମୁଁ ଠିକ୍ କରିଛି କି ଭୁଲ କରିଛି, ଏ ବିଷୟରେ ସନ୍ଦେହ ହେଲା । ମନେ ହେଲା ପଦାରେ ରହିଥିଲେ ଭଲ ହୋଇଥାନ୍ତା । ଯଦି ଆକ୍ରମଣ କରିଥାନ୍ତା ତେବେ ତାକୁ ମୁଁ ଅନ୍ତତଃ ଦେଖି ପାରିଥାନ୍ତି । କିନ୍ତୁ ବର୍ତ୍ତମାନ ବାଘ ଫେରିପଡ଼ି ମୋ ଆଗକୁ ନ ଆସିଲେ ମୁଁ ତାକୁ ଦେଖି ପରିବାର ଉପାୟ ନଥିଲା ।

 

ଯାହାହେଉ, ବର୍ତ୍ତମାନ ସେ କଥା ବିଚାର କରି ଫଳ କଅଣ ? ଯାହା କରିବାର କରି ସାରିଥିଲି । ମୁଁ ନିଶ୍ଚଳ ହୋଇ କୋରଡ଼ରେ ଛିଡ଼ାହୋଇ ରହିଲି । ଝାଳ ବୋହି ମୋର ଦେହ ଓ ହାତ ଏତେ ଖସଡ଼ା ହୋଇ ଯାଇଥିଲା ଯେ ରାଇଫେଲଟା ହାତରୁ ଖସିପଡ଼ୁ ଥିଲା । ମୋର ମୁଣ୍ଡ ବଥାଉଥିଲା ଓ ବାନ୍ତି ଦେଖାଉଥିଲା ।

 

କିଛି ଦୂରରେ ଶୁଭିଲା ବାଘର ଗର୍ଜନ ଓ ବୁଦାଗୁଡ଼ାକୁ ବିଦାରୁଥିବା ଶବ୍ଦ; କିନ୍ତୁ କିଛି ସମୟ ମଧ୍ୟରେ ଗର୍ଜନର ଶବ୍ଦ ଧୀର ହୋଇ ଆସିଲା ଓ ଶେଷରେ ଦୂରରେ ମିଳେଇଗଲା । ଏଥିରୁ ଜାଣିଲି, ବାଘଟା ମରିନଥିଲେ ସୁଦ୍ଧା ଦୂରକୁ ଚାଲିଯାଇଅଛି ଓ ମୋ ପ୍ରତି ବିପଦର ସମ୍ଭାବନା ନାହିଁ-। ବାନ୍ତି କରିବାକୁ ଚେଷ୍ଟାକଲି । କିଛି ବାନ୍ତିହେବା ପରେ ମୋତେ ଟିକିଏ ଭଲ ଲାଗିଲା ।

 

ବାଘ ଚାଲିଗଲାବେଳେ ତାର ଗର୍ଜନ କୋଉଆଡ଼ୁ ଆସୁଥିଲା ତାହା ମୁଁ ଲକ୍ଷ୍ୟ କରି ପାରିନଥିଲି । ତେଣୁ ସେ କେଉଁ ଦିଗକୁ ଗଲା ତାହା ସ୍ଥିର କରିବା ମୋ ପକ୍ଷରେ ସମ୍ଭବ ନଥିଲା । ଏପରି ସ୍ଥଳେ ଅନ୍ଧାରରେ ଚାଲି ଚାଲି ବାଲାର କୁଡ଼ିଆ ପର୍ଯ୍ୟନ୍ତ ଯିବାର ଅର୍ଥ ମରଣକୁ ଡାକି ଆଣିବା । ଯିବାବେଳେ ଟର୍ଚ୍ଚ ଜାଳି ଜାଳି ଗଲେ ମଧ୍ୟ ବାଘ ଯଦି କେଉଁଠି ବୁଦାମୂଳେ ଥାଏ, ସେ ମୋର ଦେଖିପାରିବ । ଏହି ସବୁ କାରଣରୁ ମୁଁ ସେହି ନରକପୁରୀ ସଦୃଶ କୋରଡ଼ରେ ରାତିଟି କଟାଇଲି । ଏତେ ଦୀର୍ଘ ସମୟ ପାଦରେ ଭରା ଦେଇ ରହିବାକୁ ପଡ଼ିଲା । ସକାଳକୁ ମୁଁ ନିତାନ୍ତ ହତୋତ୍ସାହ ହୋଇପଡ଼ିଥିଲି । ପୁଣି ଭାବିଲି, ଏ କଷ୍ଟ ପାଇଁ ଦୁଃଖ କରିବି କାହିଁକି, କାତର ହେବି କାହିଁକି ? ମୋର ଜୀବନ ରକ୍ଷା ହୋଇଛି ସେଥିପାଇଁ ବରଂ ଆନନ୍ଦିତ ହେବା ଉଚିତ ।

 

ସଫା ଆଲୁଅ ପଡ଼ିବା ପରେ ମୁଁ କୋରଡ଼ରୁ ବାହାରିଆସି ବାହାରେ ମାଟି ଉପରେ ବସି ପଡ଼ିଲି । ମୋର ଅବସ୍ଥା କିପରି ଭାଷାରେ ବର୍ଣ୍ଣନା କରିବି ? ପାଠକ ମହାଶୟ, ଆପଣ କେବେ ତେର ଘଣ୍ଟାଧରି ସାରାରାତି ଏକଭାବରେ ପାଦ ଦୁଇଟା ଉପରେ ଭରା ଦେଇ ଛିଡ଼ା ହୋଇ ରହିବାକୁ ଚେଷ୍ଟା କରିଛନ୍ତି କି ? ଥରେ ଚେଷ୍ଟା କରି ଦେଖନ୍ତୁ; ମୋର ଅବସ୍ଥା ଜାଣିପାରିବେ ।

 

ପ୍ରାୟ ପନ୍ଦର ମିନିଟ ପର୍ଯ୍ୟନ୍ତ ମୁଁ ବସି ରହିଲି । ଏଠି ମଧ୍ୟରେ ସୂର୍ଯ୍ୟଙ୍କର ଆଲୁଅ ପ୍ରଖର ହୋଇ ଆସିଲା । ଏହି ବିଶ୍ରାମପରେ ମୁଁ ଛିଡ଼ାହୋଇ ଚାରିଆଡ଼କୁ ଚାହିଁଲି । କୋରଡ଼ ମୁହଁରୁ ଡାଳପତ୍ର ପ୍ରଭୃତି କାଢ଼ି ଦେଇ ପଦାକୁ ବାହାରିବା ପର୍ଯ୍ୟନ୍ତ ମୁଁ ପ୍ରାୟ ପନ୍ଦର ମିନିଟ ସମୟ ବ୍ୟୟ କରିଥିଲି ଓ ସେହି ସମୟରେ ବାଘ ମଡ଼ାକୁ ଖାଉଥିଲା । କିନ୍ତୁ ଏତିକି ସମୟ ଭିତରେ ବାଘ ମଡ଼ାର ଶରୀରର ଅଧିକରୁ ବେଶୀ ଖାଇ ଯାଇଥିଲା । ମୁଣ୍ଡ ଓ ହାତ ଯୋଡ଼ାକ ଗଣ୍ଡି ଦେହରୁ ଅଲଗା ହୋଇ ଦୂରରେ ଘାସ ଉପରେ ପଡ଼ିଥିଲା । ଗୋଟାଏ ଫଡ଼ିଆ ଓ ଗୋଡ଼ ପଡ଼ିଥିଲା; ତା ପଖରେ ଥିଲା ଆର ଗୋଡ଼ର କେବଳ ପାଦ ଅଂଶ । ମେରୁଦଣ୍ଡ ସହିତ କେତେଖଣ୍ଡ ଛାତିହାଡ଼ ଲାଗି ରହିଥିଲା । ଏତିକି ଛଡ଼ା ମଡ଼ାର ଆଉ ସବୁ ବାଘର ପେଟକୁ ଚାଲି ଯାଇଥିଲା; ତାହା ପୁଣି ପନ୍ଦର ମିନିଟରୁ କମ୍ ସମୟ ଭିତରେ ।

 

ଯେଉଁ ସ୍ଥାନରେ ବାଘ ଯନ୍ତ୍ରଣାରେ ଛଟପଟ ହୋଇ ରାମ୍ପୁଡ଼ି କାମୁଡ଼ି ହୋଇଛି, ସେଠାରେ ମାଟି ବିଦାରି ହୋଇ ଯାଇଥିଲା ସେଠାରୁ ସେ ଦୁଇଗଜ ଦୂରକୁ ଏକ ବୁଦାମୂଳକୁ ଡେଇଁ ଯାଇଛି । ଏଠାରେ ଡାଳର ଅଗ ଭାଙ୍ଗି ଯାଇଥିଲା ଓ ପତ୍ରରେ ରକ୍ତ ଲାଗିଥିଲା । ବାଘଟା ଏହିଠାରେ ଥାଇ ଗର୍ଜୁଥିଲାବେଳେ ମୁଁ ଶୁଖିଲା ଗଛର କୋରଡ଼ ଭିତରେ ରହି ଥରୁଥିଲି । ସେହିଠାରୁ ବାଘର ରକ୍ତଧାର ଜଙ୍ଗଲ ଭିତରକୁ ପଡ଼ିଥିଲା । ସେହି ରକ୍ତ ଚିହ୍ନକୁ ଅନୁସରଣ କରି ମୁଁ କିଛି ଦୂର ଚାଲିଲି । ଦେଖିଲି ଏହା ପ୍ରାୟ ଉତ୍ତର ଦିଗରେ ବାଲାର କୁଡ଼ିଆ ଆଡ଼କୁ ପଡ଼ିଛି । ମୁଁ ସେହି ଦିଗରେ ଚାଲିଲି ।

 

ବାଲାର ଘରଠାରୁ କିଛି ଦୂରରେ ସେମାନଙ୍କ ସଙ୍ଗେ ମୋର ଭେଟ ହେଲା । ବାଲା, କୃଷ୍ଣାପ୍‌ପା ଓ ଆଲି ବେଗ ବାଲା ଘରେ ରାତିଟି କଟାଇଥିଲେ । ମୋ ପାଖରୁ ଯିବାବେଳୁ ରାତିଯାକ ସେମାନେ ଅନିଦ୍ରା ରହିଥିଲେ । ଅବଶ୍ୟ ସେମାନେ ମୋର ଗୁଳିର ଶବ୍ଦ ଶୁଣିପାରି ଥିଲେ-। ଆଦିବାସୀ ଦୁହେଁ ସେଇ ରାତି ରାତି ମଡ଼ାପାଖକୁ ଆସିବାକୁ ବାହାରିଥିଲେ; କିନ୍ତୁ ଆଲିବେଗ ସେମାନଙ୍କୁ ଏହି ଦୁଃସାହସିକ କାର୍ଯ୍ୟରୁ ବିରତ କରିଥିଲା । ସେ ବୁଝାଇ ଦେଲା, “ଗୁଳି କରାଯାଇଛି ସତ; କିନ୍ତୁ ଗୁଳି ଯେ ବାଘର ଦେହରେ ବାଜିଛି ତାର ସ୍ଥିରତା କଅଣ ? ବାଜିଥିଲେ ବାଘ ନମରି ଆହତ ହୋଇଥାଇପାରେ । ଆହାତ ବାଘ ଯେକୌଣସି ସ୍ଥାନରେ ଲୁଚି ଥାଇପାରେ-।” ଆଲି ବେଗର ପରାମର୍ଶ ଅନୁସାରେ ଆଲୁଅ ପଡ଼ିବାରୁ ସେମାନେ କୁଡ଼ିଆରୁ ବାହାରି ମୋ ପାଖକୁ ଯାଉଥିଲେ । ପ୍ରାୟ ଏକ ଫର୍ଲଙ୍ଗ ଯିବାପରେ ସେମାନଙ୍କ ସଙ୍ଗେ ମୋର ଭେଟ ହେଲା-

 

ସେହି ଭୀଷଣ ରାତିରେ ମୁଁ କି ଦୁଃଖ ଦୁର୍ଦ୍ଦଶା ଭୋଗିଥିଲି ଓ ଯାହା ଯାହା ଘଟିଥିଲା, ସେସବୁ ସଂକ୍ଷେପରେ ବର୍ଣ୍ଣନା କଲି ।

 

ସେତେବେଳକୁ ମୋ ଘଣ୍ଟାରେ ବାଜିଥିଲା ୬ ଟା ୨୫ ମିନିଟ୍ । ଗତ ରାତିରେ ପ୍ରାୟ ୮ ଘଣ୍ଟା ୩୦ ମିନିଟ୍ ବେଳେ ମୁଁ ବାଘକୁ ଗୁଳି କରିଥିଲି ଅର୍ଥାତ ୧୦ ଟା ଆଗରୁ । ମୁଁ ଭାବିଲି–ଏଥି ମଧ୍ୟରେ ସେ ମରିଥିବା କିମ୍ବା ଯଦି ମରି ନଥାଏ ତା ଦେହରୁ ରକ୍ତ ଝରିବା ଫଳରେ ସେ ନିତ୍ୟାନ୍ତ ଦୁର୍ବଳ ଓ ଅଚଳ ହୋଇ କୌଣସିଠାରେ ମଲାପରି ପଡ଼ିଥିବ । ତେଣୁ ମୁଁ ରକ୍ତ ବିନ୍ଦୁକୁ ଅନୁସରଣ କରି ଆଗେଇବାକୁ ବାହାରିଲି ।

 

ଆଲି ବେଗ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା । ତେଣୁ କୁଡ଼ିଆକୁ ଯାଇ ଆମକୁ ଅପେକ୍ଷା କରି ରହିବା ପାଇଁ ତାକୁ ଆଦେଶ ଦେଲି । କିନ୍ତୁ ସେ କହିଲା “ଏକୁଟିଆରେ କୁଡ଼ିଆରେ ରହିବାକୁ ମୋର ଭୟ ହେବ । ବରଂ ମୁଁ ଆପଣଙ୍କ ସଙ୍ଗରେ ଖାଲିହାତରେ ଯିବି । ଭାଗ୍ୟରେ ଯାହାଥିବ, ହେବ ।”

 

ଫଳରେ ଆମେ ସମସ୍ତେ ସେହି ଶୁଖିଲା ଗଛ ପାଖକୁ ଆସିଲୁ ।

 

ମୋର ଇଚ୍ଛା ନଥିଲେ ସୁଦ୍ଧା ମୁଁ ବାଲାକୁ କହି ଦେଇଥିଲି ଯେ ବାଘକୁ କାର୍ଯ୍ୟବ୍ୟସ୍ତ ରଖି ତାର ମନକୁ ଅନ୍ୟ ଦିଗରେ ଆକର୍ଷଣ କରିବାପାଇଁ ମୁଁ କୋରଡ଼ରୁ ବାହାରିବା ବେଳେ ତାର ସ୍ତ୍ରୀର ମଡ଼ାକୁ ଖାଇବା ସକାଶେ ବାଘକୁ ଯଥେଷ୍ଟ ସୁଯୋଗ ଦେଇଥିଲି । ସେତେବେଳେ ବାଲା ମୋର ଏହି କୈଫିୟତ୍‌ଟାକୁ ଭଲଭାବରେ ଗ୍ରହଣ କରିଥିଲା । କିନ୍ତୁ ଗଛ ପାଖରେ ପହଞ୍ଚି ସେ ଯେତେବେଳେ ଟା ସ୍ତ୍ରୀ ଦେହରେ ଭୁକ୍ତାବଶେଷ ଦେଖିଲା, ସେ ଧୈର୍ଯ୍ୟ ଧରି ପାରିଲା ନାହିଁ । ନିତାନ୍ତ କାତର ଭାବରେ ବସିଯାଇ ସେ ଭୋ ଭୋ କାନ୍ଦିବାକୁ ଲାଗିଲା ।

 

ଏବେ ସେ ଜିଦ ଧରିଲା ଯେ ସେହି ଅବଶିଷ୍ଟ ଶବକୁ ଦାହ ନକରି ସେ ସେଠାରୁ ଯିବ ନାହିଁ । ତାର ଏହି ଚେଷ୍ଟାରୁ ତାକୁ ବିରତ କରିବାପାଇଁ ମୁଁ ଓ ଗାର୍ଡ଼ ଦୁହେଁ ଯଥାଶକ୍ତି ଚେଷ୍ଟା କଲୁ । କିନ୍ତୁ ସେ ତାର ଜିଦ ଧରି ବସିଲା । ଆଲି ବେଗ ଧମକ୍ ଦେଇ କହିଲା, “ଦେଖ ବାଲା, ତୁ ଆମ ସମସ୍ତଙ୍କୁ ହଇରାଣରେ ପକାଇବାକୁ ଯାଉଛୁ । ସବୁଠାରୁ ବେଶି ବିପଦ ହେବ ତୋରି । ସ୍ଥାନୀୟ ପୁଲିସର ଅନୁମତି ବିନା ମୁର୍ଦ୍ଦାରକୁ ପୋଡ଼ିଦେବା ଅସମ୍ଭବ । ଏ ଘଟଣା ବିଷୟରେ ପୁଲିସ ଏତେଲା ନେବ, ତାପରେ ଗୋଟାଏ ଅନୁସନ୍ଧାନ ହେବ, ପୁଲିସ ଏ ଲାସ୍‌କୁ ଆସି ଦେଖିବ । ଏସବୁ ନ ହେଉଣୁ ତୁ ମୁର୍ଦ୍ଦାରକୁ ପୋଡ଼ିଦେଲେ ପୁଲିସ ତାକୁ ଭୟଙ୍କର ଗଣ୍ଡଗୋଳରେ ପକାଇବ ।”

 

ଆଲି ବେଗର ଯୁକ୍ତିରେ ବାଲା ସନ୍ତୁଷ୍ଟ ହେଲା । ଶାଗୁଣାମାନେ ଆସି କାଳେ ମୁର୍ଦ୍ଦାରକୁ ଖାଇଯିବେ ସେଥିପାଇଁ ଆମେ ଡାଳପତ୍ର ଆଣି ତା ଉପରେ ଘୋଡ଼ାଇ ଦେଲୁ ।

 

ଆମର ବିଶ୍ଵାସ ଜନ୍ମିଥିଲା ଯେ ଖୁବ ଅଳ୍ପ ଦୂରରେ ଆମେ ବାଘକୁ ମୃତ ବା ମୁମୁର୍ଷୁ ଅବସ୍ଥାରେ ନିଶ୍ଚୟ ଦେଖିବାକୁ ପାଇବୁ । ତାହାପରେ ଫେରିଆସି ପୁଲିସରେ ଏତେଲା ଦେବୁ, କିନ୍ତୁ ଆମର ଏହି ହିସାବରେ ଭୟଙ୍କର ଭୁଲ ହୋଇଥିଲା ।

 

ବୁଦା ଭିତରେ ବାଘର ରକ୍ତ ପଡ଼ି ପଡ଼ି ଯାଇଥିଲା । ସେଥିରୁ ମୁଁ ଅନୁମାନ କଲି, ବାଘର ଦୁଇ ଜାଗାରୁ ରକ୍ତ ପଡ଼ିଛି । ଗୋଟିଏ ଜାଗା ହେଉଛି, ତା ଦେହର ଉପର ଅଂଶ । ନିଶ୍ଚୟ ତାହା ହୋଇଥିବ । ତାର ବେକ ପାଖରେ, ଯେଉଁଠାରେ ମୋର ପ୍ରଥମ ଗୁଳି ବାଜିଥିଲା । ଦ୍ଵିତୀୟ କ୍ଷତ ସ୍ଥାନରୁ ଧାର ଧାର ହୋଇ ରକ୍ତ ପଡ଼ିଥିଲା । ସେଇ ଧାରେ ଧାରେ ଯାଇ ଦେଖିଲୁ ଗୋଟିଏ ସ୍ଥାନରେ କିଛି ପତଳା ଚମଡ଼ା ଓ ଜମାଟ ବାନ୍ଧିଥିବା ରକ୍ତ । ଏଥିରୁ ଜଣାଗଲା, କ୍ଷତଟି ହୋଇଛି ତାର ପାକସ୍ଥଳୀରେ ।

 

ସେଠାରୁ ସେ ଆହୁରି ପ୍ରାୟ ଅଧମାଇଲ ଯାଇ ଘାସ ଉପରେ ଶୋଇଥିଲା । ଘାସରେ ଦୁଇ ଭିନ୍ନ ଜାଗାରେ ରକ୍ତ ଜମିଥିବାର ଜଣାଗଲା ଯେ ବାଘର ଦୁଇ ଜାଗାରେ ଗୁଳିର ଆଘାତ ହୋଇଛି । ପାକସ୍ଥଳୀର ଆଘାତଟା ଅଧିକ ସାଂଘାତିକ ହୋଇଥିବ, ସେଥିରୁ ଅଧିକ ପରିମାଣରେ ରକ୍ତ ବୋହି ଜମିଥିଲା ।

 

ତଥାପି ବାଘ ସେଠାରୁ ଉଠି ଆଗକୁ ଯାଇଥିଲା । ଏଣିକି ଡାକ୍ତର ପରିମାଣ କମି ଆସିଥିଲା । ବୋଧହୁଏ ଉପର ଚମଡ଼ା, ସରୁ ଚମଡ଼ା, ବସା (ଚର୍ବି) ପ୍ରଭୃତି ପାକସ୍ଥଳୀରେ ଗୁଳିଦ୍ଵାରା ହୋଇଥିବା କଣାକୁ ବନ୍ଦ କରି ଦେଇଥିଲା । ତେଣୁ ପେଟରୁ ରକ୍ତ ବହିପାରି ନଥିଲା । ତେଣିକି କେବଳ ବେକରୁ ରକ୍ତ ପଡ଼ିଥିଲା ଓ ତାହାର ପରିଣାମ ଅତି ସାମାନ୍ୟ ଥିଲା ।

 

ଏହାପରେ ଆମେ ଗୋଟିଏ ଝରଣା ପାଖେ ପହଞ୍ଚିଲୁ । ଏହା ଦୁଇଟି ମୁଣ୍ଡିଆ ମଧ୍ୟରେ ଅବସ୍ଥିତ । ବାଘ ଏହି ଝରଣାର ପାଣିରେ ପଡ଼ି ଆର ପାଖକୁ ଯାଇଥିବାର ସଙ୍କେତ ମିଳିଲା । ଏ ପାଖର ପାଣିରେ ରକ୍ତ ମିଶିଥିବାର ଦେଖାଯାଇଥିଲା । ଆର ପାଖରେ କାଦୁଅରେ ରକ୍ତର ଦାଗ ଲାଗିଥିଲା । ଅନ୍ୟ କୋଣସି ଠାରେ ବାଘର ପାଦଚିହ୍ନ ଦେଖାଯାଇ ନଥିଲା; କିନ୍ତୁ କାଦୁଅ ଉପରେ ସ୍ପଷ୍ଟ ପାଦଚିହ୍ନ ରହିଥିଲା । ଏଥିରୁ ଜଣାଯାଉଥିଲା ଯେ ବାଘଟା ଗୋଟାଏ ବଡ଼ ଅଣ୍ଡିରା ବାଘ ।

 

ଏହା ପରେ ମଧ୍ୟ ରକ୍ତର ଧାର ପଡ଼ିଥିଲା, କିନ୍ତୁ ତାହା ଅତି କ୍ଷୀଣ । ଶେଷକୁ ଟୋପାଏ ଟୋପାଏ ଛଡ଼ା ଛଡ଼ା ହୋଇ ରକ୍ତ ପଡ଼ିଥିଲା । ମୁଁ ଅତ୍ୟନ୍ତ ବିସ୍ମିତ ହୋଇପଡ଼ିଲି ।

 

ମୋର ପ୍ରଥମ ଗୁଳିଟା ଯେ ବାଘର ବେକରେ ବାଜିଥିଲା, ସେ ବିଷୟରେ ମୋର ସନ୍ଦେହ ନଥିଲା । ବାଘଟା ଯେ ସେତେବେଳେ ଲେଉଟି ପଡ଼ିଥିଲା, ତାହା ହେଉଛି ସେଥିର ପ୍ରମାଣ-। ତାହାପରେ ମୁଁ ଦୁଇଟି ଗୁଳି ମାରିଥିଲି । ସେଥିରୁ ଗୋଟିଏ ବାଘର ପେଟକୁ ଫୁଟାଇ ଦେଇଥିଲା । ସେ ବାନ୍ତି କରିଥିବା ମଣିଷ ମାଂସରୁ ଏହାର ପ୍ରମାଣ ମିଳିଥିଲା । ପ୍ରଥମେ ଆମେ ପ୍ରଚୁର ରକ୍ତର ଧାର ଦେଖିବାକୁ ପାଇଥିଲୁ । ଯେଉଁଠାରେ ବାଘ ଗୁଳିମାଡ଼ ଖାଇ ବୁଦାକୁ ରାମ୍ପୁଡ଼ି ଥିଲା ସେହିଠାରୁ ଏହି ଧାରାର ଆରମ୍ଭ ହୋଇଥିଲା । ଏହାପରେ ସେ ବାଟରେ ଦୁଇ ଚାରିଥର ବିଶ୍ରାମ ନେଇଥିଲା । ଏହିସବୁ ଲକ୍ଷଣରୁ ଓ ମୋର ବାଘ ବିଷୟରେ ଅଭିଜ୍ଞାତାରୁ ମୁଁ ସ୍ଥିର କଲି ଏତେବେଳକୁ ବାଘଟା ମରିଥିବା ବା ମରୁଥିବ । କୌଣସି ନା କୌଣସିଠାରେ ସେ ମରି ପଡ଼ିଥିବ କିମ୍ବା ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେଉଥିବ । ଆଉ ସେ ସ୍ଥାନଟା ବେଶି ଦୂର ହୋଇ ନଥିବ ।

 

କିନ୍ତୁ ମୋର ଏହି ସବୁ କଳ୍ପନା ମିଥ୍ୟା ବୋଲି ପ୍ରମାଣିତ ହେଲା । ବାଘଟା ଆହୁରି ଉତ୍ତର ଦିଗକୁ ଯାଇଥିଲା । ବେଶି ବେଶି ଦୂର ଛଡ଼ାରେ ଟୋପା ଟୋପା ରକ୍ତ ମାଟି ଉପରେ ବା ପାଖାବୁଦାର ପତ୍ରରେ ପଡ଼ିଥିଲା । ଏଣିକି ବାଘ ଯାଇଥିବା ବାଟର ସନ୍ଧାନ ପାଇବା କଠିନ ହେଲା-। ଚଲାବାଟ ପାଖରୁ ଆମେ ଅନେକ ଦୂରରେ ପହଞ୍ଚିଥିଲୁ । ସେଠାରେ ଗଭୀର ଜଙ୍ଗଲ; କ୍ଵଚିତ୍ ଶିକାରୀମାନଙ୍କର ଯିବା ସରୁ ରାସ୍ତା ଦେଖା ଯାଉଥିଲା । ଏଣିକି ପାହାଡ଼ିଆ ଅଞ୍ଚଳ; ଠାଏ ଠାଏ ଝରଣା ପାଖେ ସାମାନ୍ୟ ସମତଳ ଭୂମି ଥିଲା । ସେଥିରେ ମଧ୍ୟ ବଡ଼ ବଡ଼ ଗଛ ପରେ ଛୋଟ ଛୋଟ ଗଛ ଓ ବୁଦା ପଡ଼ିଲା ।

 

ଦିନ ଗୋଟାଏ ବାଜିବାକୁ ଆଉ ମାତ୍ର ଦଶ ମିନିଟ୍ । ଆମେ ଚାରିଜଣ ଯାକ ଯେତେଦୂର ବଣଭିତରେ ଖେଳେଇ ଯାଇ ରକ୍ତର ଚିହ୍ନ ଖୋଜିଲୁ । କିନ୍ତୁ କୌଣସିଠାରେ ରକ୍ତଦାଗ ଦେଖିଲୁ ନାହିଁ । ପ୍ରଚଣ୍ଡ ଖରା । ଆମେ ବାଧ୍ୟ ହୋଇ ଏଇଠାରେ ଆମର ଯାତ୍ରା ଶେଷ କଲୁ ।

 

ଚାରିଜଣଯାକ କ୍ଳାନ୍ତ ହୋଇ ନୀରବରେ ଗାଜୁଲାପଲିକୁ ଆସିଲୁ । ମୁଁ ଏତେ କ୍ଳାନ୍ତ ହୋଇ ଯାଇଥିଲି ଯେ ଷ୍ଟେସନରେ ପହଞ୍ଚିଲା ମାତ୍ରେ ଓୟେଟିଙ୍ଗ ରୁମ୍‌ରେ ଥିବା ଛିଣ୍ଡା ଆରାମ ଚଉକି ଉପରେ ପଡ଼ିଗଲି । ପାଦରୁ ଜୋତା ଫିଟାଇବାକୁ ମନେ ପଡ଼ିନଥିଲା । ଅଳ୍ପ ସମୟ ଭିତରେ ମୋତେ ନିଦ ହୋଇଗଲା ।

 

ସେଦିନ ରାତିରେ ଷ୍ଟେସନ ମାଷ୍ଟର ବାଳସୁବ୍ରମନିଅମ ଟେଲିଗ୍ରାଫ ଯୋଗେ ପୁଲିସକୁ ଖବର ଦେଲେ । ପରଦିନ ଉପରବେଳା ଗାଡ଼ିରେ ନନ୍ଦିଆଲରୁ ପୁଲିସ କର୍ମଚାରୀମାନେ ଆସି ଗାଜୁଲାପଲିରେ ପହଞ୍ଚିଲେ । ଆମମାନଙ୍କୁ ଘେନି ସେହି ମଲା ଗଛ ପାଖକୁ ଗଲେ ।

 

ସ୍ତ୍ରୀଲୋକଟିର ଯେଉଁ ହାଡ଼ମାଂସ ବାକିଥିଲା ତାହା ପଚି ଗନ୍ଧାଉଥିଲା । ଏକ ଫର୍ଲଙ୍ଗ ଦୂରରୁ ସେହି ଗନ୍ଧ ବାରି ହେଉଥିଲା । ଆମେ ମୁର୍ଦ୍ଦାର ଉପରେ ଯେଉଁ ଡାଳପତ୍ର ପକାଇଥିଲୁ, ତାହା ଉପରେ ମେଞ୍ଚା ମେଞ୍ଚା ହୋଇ ଡାଆଁଶ, ମାଛି ପ୍ରଭୃତି ବସିଥିଲେ । କିନ୍ତୁ ଏହି ଡାଳପତ୍ର ଯୋଗେ ଶବଦେହ ଶାଗୁଣାମାନଙ୍କ ମୁହଁରୁ ରକ୍ଷା ପାଇ ଯାଇଥିଲା । ପୁଲିସ ସବ୍‌ଇନସପେକ୍ଟରଙ୍କ ଆଗରେ ମୁଁ ସମସ୍ତ ଘଟଣା ବର୍ଣ୍ଣନା କରିଗଲି ଓ ଗଛର ଯେଉଁ କୋରଡ଼ରେ ମୁଁ ରାତିଟି ଠିଆ ଠିଆ କଟାଇଥିଲି ତାହା ଦେଖାଇ ଦେଲି ।

 

ସବ୍‌ଇନସ୍ପେକ୍ଟର ମୋର ଜବାନବନ୍ଦି ଲିପିବଦ୍ଧ କଲେ । ଏଥିରେ ଛଅ ପୃଷ୍ଠା କାଗଜ ଲାଗିଥିଲା । ତାହା ଉପରେ ସେ ନିଜର ମତ ଦେଇ ତେର ପୃଷ୍ଠା କାଗଜ ଲେଖିଥିଲେ ।

 

ବାଲା ପ୍ରାର୍ଥନା କଲା–ଶବକୁ ସେହିଠାରେ ପୋଡ଼ିବାପାଇଁ ହୁକୁମ ମିଳୁ । କିନ୍ତୁ ସବ୍‌ଇନସ୍ପେକ୍ଟର କହିଲେ–ନା, ତା ହେବନାହିଁ । ଏ ହାଡ଼ ମାଂସକୁ ନନ୍ଦିଆଲ ନିଆଯାଇ ପୋଷ୍ଟମର୍ଟମ (ମୃତ୍ୟୁ ପରବର୍ତ୍ତୀ) ମାଇନା କରାଯିବ । ମୁଁ ଦେଖିଲି, ସବ୍‌ଇନସ୍ପେକ୍ଟରଙ୍କ ବିଶ୍ଵାସ ଯେ ମୁଁ ବାଘ ମାରିଥିବା ସ୍ତ୍ରୀଲୋକର ଶବକୁ ବାଲାର ଘରୁ ଆଣି ତାକୁ ଥୋପରୂପେ ବ୍ୟବହାର କରିବାଦ୍ୱାରା ମୁଁ ଗୋଟାଏ ଘୋର ଅନ୍ୟାୟ କାମ କରିଛି । ତେଣୁ ବାଲାର ଅନୁରୋଧ ବିଷୟରେ ମୁଁ କିଛି ମତ ନଦେଇ ଚୁପ୍ ରହିଲି । ସେତେବେଳେ ତାଙ୍କର ମୋ ପ୍ରତି ଯେଉଁଭାବ, ସେଥିରେ ମୁଁ ଯାହା କହିଥାନ୍ତି ସେ ତାର ଠିକ ବିପରୀତ କାମ କରିଥାନ୍ତେ । ମୁଁ ଚୁପ୍ ରହି ଭଲ କରିଥିଲି । ଫରେଷ୍ଟ ଗାର୍ଡ଼ ଦୁହେଁ ଯେଉଁ ଜବାନବନ୍ଦି ଦେଲେ, ତାହା ବାଲା ସପକ୍ଷରେ ଗଲା । ଶେଷକୁ ଅବଶିଷ୍ଟ ହାଡ଼ମାଂସକୁ ପୋଡ଼ିବା ପାଇଁ ସବ୍‌ଇନସ୍ପେକ୍ଟରଙ୍କ ଠାରୁ ଅନୁମତି ମିଳିଲା । ବାଲା ଓ ଫରେଷ୍ଟ ଗାର୍ଡ଼ ଦୁହେଁ ଶୁଖିଲା କାଠ ସଂଗ୍ରହ କରି ଜମା କଲେ ଓ ତା ଉପରେ ପଚାସଢ଼ା ହାଡ଼ମାଂସକୁ ରଖିଲେ । ଆମେମାନେ ଦୂରରୁ ନୀରବରେ ଚାହିଁ ରହିଥାଉଁ । ହାଡ଼ମାଂସ ଉପରେ ଆହୁରି ଶୁଖିଲା କାଠ ଲଦାହେଲା ପରେ ସେଥିରେ ନିଆଁ ଲଗାହେଲା ।

 

ଏହିପରି ଏକ ଶାନ୍ତିପୂର୍ଣ୍ଣ ଦୁଃଖମୟ ପରିବେଶରେ ଶବଦାହ କ୍ରିୟା ଶେଷହେଲା । ମଧ୍ୟେ ମଧ୍ୟେ ପଚାମାଂସ ପୋଡ଼ାର ଗନ୍ଧ ଆସୁଥିଲା । ବାଲାର ମନୋଭାବ ପ୍ରତି ସମ୍ମାନ ଦେଖାଇ ମୁଁ ତାହା ପାଖେ ପାଖେ ରହିଲି; କିନ୍ତୁ ପୁଲିସ କର୍ମଚାରୀ ଦୂରକୁ ଯାଇ ଗୋଟିଏ ଗଛକୁ ଆଉଜି ରହିଲେ । ସେତେ ଦୂରରେ ସୁଦ୍ଧା ତାଙ୍କର ବମନର ଉଦ୍ରେକ ହେଉଥିଲା ।

ତା ଆରଦିନ ମୁଁ ବାଲାକୁ ମୁହାଁ ମୁହିଁ ଚାହିଁ ପାରିଲିନାହିଁ । ମୁଁ ତାର ମାନସମ୍ମାନରେ ହାନି ଆଣିଛି ବୋଲି ମନେକଲି । କିନ୍ତୁ ବାଲା ତାର ସ୍ଵାଭାବିକ ରୀତିରେ ମୋର ଏହି ମନୋଭାବ ବୁଝି ପାରିଲା । ମୁଁ ଓୟେଟିଙ୍ଗ ରୁମରେ ବସିଛି, ଏହି ସମୟରେ ବାଲା ଷ୍ଟେସନ ମାଷ୍ଟରଙ୍କ ସହିତ ମୋ ପାଖକୁ ଆସିଲା । ତାର ଯାହା କହିବାକୁ ଥିଲା ତାହା ସେ ନିଜ ଭାଷାରେ ଷ୍ଟେସନମାଷ୍ଟରଙ୍କୁ କହି ମୋତେ ବୁଝାଇ ଦେବାକୁ କହିଲା । ତାର କଥାର ମର୍ମ ହେଲା : “ହଜୁର, ସାହେବଙ୍କୁ କହିଦିଅ ଯେ ବାଘଟାକୁ ମାରି ପାରିଲେ ନାହିଁ ବୋଲି ମନରେ ଦୁଃଖ କରିବେ ନାହିଁ । ସେ ତାଙ୍କର ସମସ୍ତ ଶକ୍ତି ଖଟାଇ ଚେଷ୍ଟା କରିଅଛନ୍ତି । ସେ ଯାହାହେଲେ ଅନ୍ୟ କେହି ତହିଁରୁ ଅଧିକ କରିପାରିନଥାନ୍ତା; ମୁଁ ମଧ୍ୟ ପାରି ନଥାନ୍ତି ।”

ମୋ ମନର ଦୁଃଖ ଓ ଅଶାନ୍ତି ଦୂର କରିବା ପାଇଁ କିଏ ଏହିଠାରୁ କଅଣ ଅଧିକ କହି ପାରିଥାନ୍ତା ? ମୁଁ ଆଶ୍ଵସ୍ତି ହୋଇ ବାଳସୁବ୍ରମନିଅମଙ୍କ ମାଧ୍ୟମରେ ବାଲାକୁ ତାର ସାହାଯ୍ୟ ପାଇଁ ମୋର ଧନ୍ୟବାଦ ଜଣାଇଲି । ତାର ଏହି ସରଳ ପ୍ରଶଂସା ମୋ ଜୀବନରେ ଏକ ଅମୂଲ୍ୟ ସମ୍ପଦ ହୋଇରହିଅଛି ।

ଗାଜୁଲାପଲିରେ ମୁଁ ଆହୁରି ଏକ ସପ୍ତାହ ରହିଥିଲି; କିନ୍ତୁ ସେ ସମୟରେ ବାଘ ମଣିଷ ଖାଇବାର ସମ୍ବାଦ ମିଳି ନଥିଲା । ଦିଗୁବମେଟାରେ ମୁଁ ଯେଉଁ ଦୁଇଟି ଜନ୍ତୁ ଥୋପ ବସାଇଥିଲି ସେଥିରୁ ଗୋଟିକୁ ଚିତାବାଘ ଖାଇ ଦେଇଥିଲା ବୋଲି ଖବର ପାଇ ମୁଁ ସେଠାକୁ ଗଲି ଓ ଘଟଣା ସତ୍ୟ ବୋଲି ଜାଣିଲି । ମଡ଼ାଟିକୁ ମୁଁ ଜଙ୍ଗଲରେ ଛାଡ଼ିଦେଇ ଆସିଲି; ଚିତାବାଘ ଆସି ସେତକ ଖାଇଥିବ । ଜୋସେଫଙ୍କ ମତରେ ମୋର ଏପରି କରିବା ଉଚିତ ନଥିଲା ।

ସପ୍ତାହକ ପରେ ମୁଁ ମୋର ସାହାଯ୍ୟକାରୀ ନୂତନ ବନ୍ଧୁ ମାନଙ୍କ ପାଖରୁ ବିଦାୟ ନେଲୁ-। ସେଇମାନଙ୍କ ଆକୁଣ୍ଠ ସହଯୋଗରେ ମୋର ଏହି ପରିଦର୍ଶନଟି ଏତେ ସୁଖକର ହୋଇପାରିଥିଲା-। ଯେଉଁ ଜନ୍ତୁମାନଙ୍କୁ ଥୋପରୂପେ ବ୍ୟବହାର କରାଯାଇଥିଲା, ସେମାନଙ୍କୁ ମୁଁ ସେହି ସେହି ସ୍ଥାନର ଫରେଷ୍ଟ ଗାର୍ଡ଼ ମାନଙ୍କୁ ଦାନକରି ଦେଇଥିଲି । ଅବଶ୍ୟ ବାଲାକୁ ଆଉ କିଛି ଅଧିକ ଦେଇଥିଲି । ମୁଁ ବାଙ୍ଗାଲୋରକୁ ଫେରିବାର ତିନିମାସ ପରେ ଦିନେ ଖବର ମିଳିଲା ଯେ ହାଇଦ୍ରାବାଦ ରାଜ୍ୟର କୃଷ୍ଣାନଦୀ ପାଖରେ ବାଘ ଗୋଟାଏ ଲୋକକୁ ମାରିଛି । ଏହି ଘଟଣାର ପୁଣି ତିନି ମାସପରେ ବୋଗରା ରେଳଷ୍ଟେସନର ଉତ୍ତରକୁ ତିନିମାଇଲ୍ ଦୂରରେ ବାଘ ଜଣେ ଚେଞ୍ଚୁ (ଆଦିବାସୀ)କୁ ମାରିଲା । ସେହିଦିନଠାରୁ ବାଘ ମଣିଷ ଖାଇଥିବା ସମ୍ବାଦ ଖୁବ୍ ଅଳ୍ପ ସଂଖ୍ୟାରେ ମିଳିଛି ଏବଂ ସେହି ବାଘ ଖାଇବା ଘଟଣା ମଧ୍ୟରେ ସମୟର ବ୍ୟବଧାନ ଖୁବ୍ ବେଶି । ତଥାପି ବେଳେବେଳେ ବାଘ ମଣିଷ ମାରିଥିବା ଖବର ମିଳେ ।

ମୋ ମନରେ କେତେଗୁଡ଼ିଏ ପ୍ରଶ୍ନ ଜାଗି ଉଠୁଛି ।

ମୁଁ ଯେଉଁ ମଣିଷଖିଆ ବାଘକୁ ତିନିଟି ଗୁଳିମାରିଥିଲି, ସେ କଅଣ ତା କ୍ଷତରୁ ଆରୋଗ୍ୟ ଲାଭକରି ପୁଣି ମଣିଷ ମାରି ଖାଉଥିଲା ?

ମୁଁ ବାଘ ଶିକାରକୁ ଯାଇଥିଲା ବେଳେ କଅଣ ଦୁଇଟି ବାଘ ଭିନ୍ନ ଭିନ୍ନ ସ୍ଥାନରେ ଏକ ସମୟରେ ମଣିଷ ମାରୁଥିଲେ ? ଦିଗୁବମେଟାରେ ମହୁଲଫୁଲ ଗୋଟାଉଥିବା ସ୍ତ୍ରୀକୁ ଯେଉଁ ବାଘ ନେଇଥିଲା, ସେ ଗୋଟିଏ ଓ ବାଲାର ସ୍ତ୍ରୀକୁ ମାରିଥିବା ବାଘ ଅନ୍ୟ ଗୋଟିଏ ?

ଯଦି ଦିଓଟି ବାଘ ଭିନ୍ନ ଭିନ୍ନ ସ୍ଥାନରେ ମଣିଷଖାଇ ଉପଦ୍ରବ କରୁଥିଲେ, ତାହାହେଲେ ନିକଟରେ ଯେଉଁ କେତୋଟି ବାଘଖିଆ ଘଟଣା ଘଟିଛି, ସେସବୁ କାହାର କୀର୍ତ୍ତି ?

ଅଥବା ଏହି ମଣିଷଖିଆ ସହିତ ସେ ବାଘ ଦୁଇଟିର (ଯଦି ଦୁଇଟି ହୋଇଥାନ୍ତି) କୌଣସି ସମ୍ପର୍କ ନାହିଁ । ଏହା ହେଉଛି, କୌଣସି ନବାଗତ ତୃତୀୟ ବାଘର କାର୍ଯ୍ୟ ?

ମୁଁ କୌଣସି ସନ୍ତୋଷଜନକ ଉତ୍ତର ଖୋଜି ପାଏ ନାହିଁ । ମୋର ମନ ଅଥୟ ହୁଏ ।

କିଏ ମୋର ସନ୍ଦେହ ଦୂର କରିପାରିବ ।

Image

 

Unknown

ସପ୍ତମ ଅଧ୍ୟାୟ

ଗେଡ଼େସଲର ଗୟଳ

 

ଏହା ଠିକ୍ ଗୋଟିଏ ଶିକାର ଗଳ୍ପ ନୁହେଁ । ଏଠାରେ କୌଣସି ବଡ଼ ଅଣ୍ଡିରା ଗୟଳକୁ ଗୁଳିକରି ମାରିବାର ବା ଘାଉଆ କରିବାର ବର୍ଣ୍ଣନା ଦିଆଯାଉନାହିଁ । ତୁମେ ସେପରି କିଛି ଆଶା କରିଥିଲେ ତୁମକୁ ନିରାଶ ହେବାକୁ ପଡ଼ିବ । ମୁଁ କେବେହେଲେ କୌଣସି ଗୟଳକୁ ଲକ୍ଷ କରି ଗୁଳି ମାରିନାହିଁ; କିମ୍ବା ମାରି ନଥାନ୍ତି, କାରଣ ମୋର ତାହାପ୍ରତି ଯଥେଷ୍ଟ ସମ୍ମାନ ଅଛି ।

 

ମୁଁ ଯେଉଁ ଗୟଳଟିର କଥା କହିବାକୁ ଯାଉଛି, ସେ ଗୋଟିଏ ଲଢୁ଼ଆ ଜୀବ ଥିଲା । ସେ ଯଦି ଏବେ ମଧ୍ୟ ବଞ୍ଚିଥାଏ, ତାକୁ ତା ଦଳର ରାଜା ଓ ନେତା ଉପାଧି ଦେବା ଉଚିତ ହେବ । ସେ ଅତି ବିଶ୍ଵସ୍ତଭାବରେ ତାର ଦଳର ଯତ୍ନ ନେଉଥିଲା । ଯଦି ସେ ମୋର ମନୋଭାବ ବୁଝିପାରୁଥାନ୍ତା, ତେବେ ମୁଁ ତାକୁ ମୋର ବନ୍ଧୁ ବୋଲି କହି ଗର୍ବ ଅନୁଭବ କରୁଥାନ୍ତି ।

 

ଗେଡ଼େସଲ ହେଉଛି ଗୋଟିଏ ଛୋଟିଆ ଗାଁ । ଶୋଲଗା ଜାତିର ଲୋକେ ସେଠାରେ ବାସକରନ୍ତି । ଉତ୍ତର କୋଇମ୍ବାଟୁର ଜିଲ୍ଲାର ଜଙ୍ଗଲ ଭିତରେ ଏକ ପାହାଡ଼ଶ୍ରେଣୀର ଗୋଟିଏ ମୁଣ୍ଡରେ ଏହା ଅବସ୍ଥିତ । ମୁଁ ସେହି ପାହାଡ଼ର ନାମ ଦେଇଥିଲି Bison Range ଅର୍ଥାତ ଗୟଳ ପାହାଡ଼ଶ୍ରେଣୀ । କୋଲେଗାଲ ସହରଠାରୁ ଦିମବୁମ୍ ଗାଁଯାଏ ଯେଉଁ ରାସ୍ତା ଦକ୍ଷିଣଆଡ଼କୁ ଉଠିଯାଇଛି ତାହାର ଉଚ୍ଚତମ ଅଂଶର ଧାରରେ ଗୋଟିଏ ଫରେଷ୍ଟ ଡାକବଙ୍ଗଳା ଅଛି । ତାହାର ନାମ ମଧ୍ୟ ଗେଡ଼େସଲର ଡାକବଙ୍ଗଳା । ଏହି ରାସ୍ତାଟି ସାତମାଇଲ ଲମ୍ବ; ସେଥିରୁ ପାଞ୍ଚମାଇଲ ଗୋଟିଏ ପାହାଡ଼ର ଧାରେ ଧାରେ ଯାଇଅଛି ଓ ଗେଡ଼େସଲକୁ ଦିମବୁମ୍ ଠାରୁ ପୃଥକ୍ କରୁଅଛି । ଏହାର ପରବର୍ତ୍ତୀ ଦୁଇ ମାଇଲ ଆହୁରି ଉଠାଣିଆ । ତେଣିକି ରାସ୍ତା ଗଡ଼ାଣିଆ । ଦିମବୁମ୍ ପରେ ଦକ୍ଷିଣର ସମତଳ ଭୂମି ପର୍ଯ୍ୟନ୍ତ ରାସ୍ତାରେ ଅନେକ ଜାଗାରେ ମୋଡ଼ ଅଛି; ତାହାପରେ ଏହା ସମତଳଭୂମିରେ ସତ୍ୟମଙ୍ଗଳମ୍ ସହରଯାଏ ଯାଇଅଛି ।

 

ଗେଡ଼େସଲର ପଶ୍ଚିମପାଖକୁ ଲାଗିରହିଛି ଉଚ୍ଚ ବିଳିଗିରିରଙ୍ଗନ ପର୍ବତମାଳା । ଏହାର କ୍ରମନିମ୍ନ ଅଂଶରେ ବିବିଧ ଦୃଶ୍ୟର ସମ୍ମିଶ୍ରଣ ଘଟିଅଛି । କେଉଁଠାରେ ସବୁଜ ତୃଣରାଶି ମଧ୍ୟରୁ ବଡ଼ବଡ଼ ପଥରଖଣ୍ଡ ବାହାରିପଡ଼ି ଭୟ ଜାତ କରୁଅଛି । ପାହାଡ଼ମାନଙ୍କ ସନ୍ଧିରେ ଓ ପାହାଡ଼ରୁ ପ୍ରବଳବେଗରେ ବହିଆସୁଥିବା ଶତ ଶତ ଗିରିନଦୀର ଧାରେ ଧାରେ ବୃକ୍ଷ ଓ ଘନ ଜଙ୍ଗଲ ଅବସ୍ଥିତ-। ଏହିସବୁ ଜଙ୍ଗଲକୁ ‘ଶୋଲା’ କହନ୍ତି । ଏଗୁଡ଼ିକ ହେଉଛି ବନପ୍ରଦେଶର ଦ୍ଵୀପପରି । ଏଗୁଡ଼ିକ ତୃଣରାଶି କିମ୍ବା ଭୀଷଣ ପଥରଖଣ୍ଡ ଦ୍ଵାରା ପରିବେଷ୍ଟିତ ହୋଇଥାଏ । ପୂର୍ବଦିଗରେ ଆଉ ଏକ ପାହାଡ଼ମାଳା । ଉଚ୍ଚତା, ଆକାର ଓ ଗାମ୍ଭୀର୍ଯ୍ୟରେ ଏହା ପଶ୍ଚିମର ବିଲିଗିରିରଙ୍ଗନ ପର୍ବତମାଳର ସମକକ୍ଷ ନୁହେଁ । ଏହି ଅଳ୍ପୋଚ୍ଚ ପାହାଡ଼ସବୁ ଏକପ୍ରକାର ଘାସରେ ପୂର୍ଣ୍ଣ । ଏହି ଘାସ ପ୍ରାୟ ଦଶଫୁଟ ଉଚ୍ଚ ହୁଏ । ତାହା ଭିତରେ ସହସ୍ର ସହସ୍ର ବନ୍ୟ ଖେଜୁରଗଛ ଥାଏ । ବର୍ଷର ମଧ୍ୟଭାଗରେ ଏଥିରେ ହଳଦିଆରଙ୍ଗର ଖେଜୁରଫଳ କାନ୍ଧି କାନ୍ଧି ହୋଇ ଝୁଲୁଥାନ୍ତି । ଏହି ଫଳ ଟାଣୁଆ ଓ ସ୍ଵାଦୁହିନ, କିନ୍ତୁ କେତେକ ପଶୁପକ୍ଷୀ ଏହାକୁ ଆନନ୍ଦରେ ଖାଇଥାନ୍ତି ।

 

ଏହିପରି ଭୂମିର ଅବସ୍ଥାନ, ବୃକ୍ଷଲତା ଓ ଖେଜୁରଗଛ ଏହି ଅଞ୍ଚଳକୁ ଗୟଳ, ସମ୍ବର ଓ ଭାଲୁମାନଙ୍କର ଏକ ପ୍ରିୟ ଚାରଣଭୂମିରେ ପରିଣତ କରିଛନ୍ତି ।

 

ପର୍ବତମାଳା ଓ ପାହାଡ଼ମାଳାର ମଧ୍ୟଭାଗରେ ଗୋଟିଏ ସୁଦୀର୍ଘ ସମଭୂମି ଉତ୍ତରରୁ ଦକ୍ଷିଣ ଦିଗକୁ ବିସ୍ତୃତ ରହିଅଛି ଏବଂ ଏହି ସମଭୂମିର ଧାରେ ଧାରେ କୋଲେଗାଲଠାରୁ ଦିମବୁମକୁ ରାସ୍ତାଟିଏ ଦକ୍ଷିଣକୁ ଚାଲିଯାଇଛି । ଏହା ଗେଡ଼େସଲ ଗ୍ରାମ ଓ ଗେଡ଼େସଲ ଫରେଷ୍ଟ ଡାକବଙ୍ଗଳା ମଧ୍ୟଦେଇ ଯାଇଅଛି । ଗେଡ଼େସଲ ଡାକବଙ୍ଗଳାଟି ଏକ ପ୍ରକାଣ୍ଡ ଘର । ଏହା ପଛପଟେ ଫରେଷ୍ଟ ବିଭାଗର ଚାକରବାକରଙ୍କ ରହିବାପାଇଁ ଧାଡ଼ିଏ ବାହାରଘର ଅଛି । ଏହାର ହତାଟି ପ୍ରକାଣ୍ଡ; କେତେକ ସୁନ୍ଦର ଜଙ୍ଗଲି ଗୋଲାପ ଗଛ ଅଛି । ଏଥିରେ ଫୁଲତୋଡ଼ାପରି ପେନ୍ଥା ପେନ୍ଥା ଫୁଲ ଫୁଟେ ।

 

ବଙ୍ଗଳାଘରର ଠିକ୍ ଦକ୍ଷିଣକୁ କିଛି ନିମ୍ନ ଭୂମି ଅଛି । ସେଥିରେ ଗୋଟିଏ ଛୋଟ ପୋଖରୀ ଓ କିଛି ଖାଲୁଆ ଜାଗା ଅଛି । ଏଥିରେ ଖୁବ୍ କୋମଳ ସବୁଜ ଘାସ ହୁଏ । ସେହି ଘାସ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଖୁବ୍ ବଡ଼ବଡ଼ ବାଘୁଆ ଘାସଠାରୁ (Tiger grass) ସମ୍ପୂର୍ଣ୍ଣ ପୃଥକ୍ । ଗୋଟିଏ ଛୋଟ ହରିଣପଲ ଏହି ଘାସରେ ପ୍ରାୟ ସ୍ଥାୟୀଭାବରେ ରହିଥାନ୍ତି । ଶେଷଥର ପାଇଁ ମୁଁ ସେମାନଙ୍କୁ ଦେଖିଲାବେଳେ ଗୋଟିଏ ବଡ଼ ଆକାରର ଅଣ୍ଡିରା ହରିଣ ଏହି ପଲର ଦଳପତି ଥିଲା-। ତାହାର ଖୁବ୍ ବଡ଼ ବଡ଼ ଶିଙ୍ଘ ଥିଲା; ତାହାର ଗାଢ଼ ଧୂସର ରଙ୍ଗର କାନ୍ଧପାଖର ଲୋମ କଳା ପଡ଼ି ଆସିଥିଲା; ତାହା ଧଳା ଧଳା ବିନ୍ଦୁ ଗୁଡ଼ିକ ସ୍ପଷ୍ଟ ବାରିହେଉଥିଲା । କୌଣସି ଶିକାରୀ କିମ୍ବା ହିଂସ୍ର ଜନ୍ତୁ ତାହାକୁ ମାରି ନଥିବ ବୋଲି ମୋର ବିଶ୍ଵାସ । ଏବେ ମଧ୍ୟ ସେ ତାର ବିଶାଳ ପରିବାର ଘେନି ସେହି ଘନ ସବୁଜ, ଆଦ୍ର, ଶୀତଳ ଉପତ୍ୟକାରେ ସ୍ଵାଧିନଭାବରେ ବିହାର କରୁଥିବ ।

 

ରାସ୍ତାର ପୂର୍ବପାଖରେ ଥିବା ଅଳ୍ପୋଚ୍ଚ ପାହାଡ଼ଶ୍ରେଣୀ ଓ ପଶ୍ଚିମପାଖକୁ ପର୍ବତର ପାଦଦେଶକୁ ଲାଗିଥିବା ନିମ୍ନ ସମଭୂମି ସେହି ଅଞ୍ଚଳର ଗୟଳ ପାଲମାନଙ୍କୁ ଚରିବାର ସୁଯୋଗଦେଇ ଆସିଅଛି । ଏହି ସମଭୂମିରେ ଗୋଟିଏ ଚିରଶ୍ରୋତା ନଦୀ ବହିଯାଉଅଛି । ରାସ୍ତାଟି ଏହାର ଉପନଦୀମାନଙ୍କୁ ଅନେକ ସ୍ଥାନରେ ଅତିକ୍ରମ କରିଅଛି । ଏହି ଗୟଳମାନେ ଏଠାରେ ସ୍ଥାୟୀଭାବରେ ବାସକରିବାର ଏକ ପ୍ରଧାନ କାରଣ ହେଲା, ଏହି ନଦୀରୁ ବର୍ଷତମାମ ଏପରିକି ପ୍ରଚଣ୍ଡ ଗ୍ରୀଷ୍ମକାଳରେ ମଧ୍ୟ ପ୍ରଚୁର ଜଳ ମିଳିଥାଏ ।

 

ଗୟଳପଲମାନଙ୍କର ସଂଖ୍ୟା କୋଡ଼ିଏରୁ ଚାଳିଶି ମଧ୍ୟରେ ହେବ; ଆହୁରି ବେଶୀ ମଧ୍ୟ ହୋଇପାରେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମାଈ ଗୟଳ ଓ ସେମାନଙ୍କ ଛୁଆ । ପ୍ରତି ପଲରେ ପ୍ରାୟ ପାଞ୍ଚ ଛଅଟି ଲେଖାଏଁ ଅଣ୍ଡିରା ଗୟଳ ଥାନ୍ତି । ସ୍ଵଭାବତଃ ସବୁଠାରୁ ବୟସ୍କ ଓ ଅଭିଜ୍ଞ ଗୟଳ ତାକୁ ପରାସ୍ତ କରିଦିଏ କିମ୍ବା ଜଙ୍ଗଲର କୌଣସି ପ୍ରାକୃତିକ ନିୟମରେ ସେ ମୃତ୍ୟୁ ମୁଖରେ ପଡ଼େ, ସେତେବେଳେ ଅନ୍ୟ ଗୋଟିଏ ଅଣ୍ଡିରା ଗୟଳ ତାହାର ସ୍ଥାନ ଅଧିକାର କରେ । ବେଳେବେଳେ କୌଣସି ବୃଦ୍ଧ ଅଣ୍ଡିରା ଗୟଳ ଦଳତ୍ୟାଗ କରି ଏକାକୀ ଜୀବନଯାପନ କରିଥାଏ ।

 

ଗୟଳମାନଙ୍କଠାରେ ଫାଟୁଆ ରୋଗ (rinderpest) ପ୍ରବଳଭାବରେ ଦେଖାଯାଏ-। ନିକଟରେ ବାସକରୁଥିବା ଶୋଲଗା ଜାତିର ଲୋକଙ୍କ ଗୃହପାଳିତ ଗୋରୁଗାଈଙ୍କଠାରେ ମଧ୍ୟ ଏହି ରୋଗ ଦେଖାଯାଇଥାଏ । ଗ୍ରାମର ଗୋରୁଗାଇ ଜଙ୍ଗଲ ଭିତରକୁ ଚରିବାପାଇଁ ଯାଇ ଗୟଳମାନଙ୍କ ଭିତରେ ଏହି ରୋଗ ବିସ୍ତାର କରନ୍ତି । ଏହି ରୋଗ ଗୋରୁଗାଈମାନଙ୍କର ମୁହଁ ଓ ପାଦରେ ଘାଆ ହୋଇଯାଇ ଓ ରୋଗାକ୍ରାନ୍ତ ଜୀବ ପ୍ରାଣ ହରାଏ । ଫାଟୁଆ ରୋଗରେ ମରିଥିବା ଗୟଳକୁ ଶାଗୁଣାମାନଙ୍କ ଉଡ଼ୁଥିବାର ଦେଖି ସହଜରେ ଠାବ କରିହବ ।

 

ମୁଁ ଯେଉଁ ବଡ଼ ଅଣ୍ଡିରା ଗୟଳ କଥା କହୁଥିଲି, ସେ ଗୋଟିଏ ପଲର ଦଳପତି ଥିଲା ଓ ତା ପଲରେ ଅନ୍ତତଃ ବତିଶଟି ଗୟଳ ଥିଲେ । ଭୋର୍ ସକାଳେ ମୁଁ ତାକୁ ଅନେକଥର ଦେଖିଛି । ସକାଳୁ ସୂର୍ଯ୍ୟ ଉଇଁଆସୁଥାନ୍ତି; ତା ଦେହରେ ପଡ଼ିଥିବା ଶିଶିରବିନ୍ଦୁ ଚକଚକ୍ କରୁଥାଏ । କେବେକେବେ ଉପରବେଳା ପ୍ରାୟ ସାଢ଼େପାଞ୍ଚଟା ବେଳକୁ ତାକୁ ଦେଖିବାକୁ ପାଇଥାଏ । ସେ ୩୯ ଓ ୪୦ ମାଇଲ ଖୁଣ୍ଟ ମଧ୍ୟରେ ଚରୁଥିବାର ଦେଖାଯାଏ । ତାକୁ ଚିହ୍ନିବା ସହଜ; କାରଣ ତାର ବାଆଁ ପାଖର ଶିଙ୍ଗଟି ମୋଡ଼ିମୋଡ଼ିକିଆ, କଦାକାର ଓ ତାହା ଆଗକୁ ବଙ୍କେଇ ନଇଁ ପଡ଼ିଥିଲା ।

 

ବୋଧହୁଏ ଏହି ବୃଦ୍ଧ ଗୟଳଟି ଦୀର୍ଘଜୀବୀ ହେବାର କାରଣ ହେଉଛି, ତାର କୁତ୍ସିତ କଦାକାର ଶିଙ୍ଗ । ତାକୁ ମାରି ତାର ଶିଙ୍ଗକୁ ସ୍ମାରକ ଚିହ୍ନରୂପେ ଦେଖିବାକୁ କେହି ଚାହାନ୍ତେ ନାହିଁ । ଅବଶ୍ୟ ତାର ଡାହାଣପାଖ ଶିଙ୍ଗଟି ଖୁବ୍ ସୁନ୍ଦର ଥିଲା । ହୁଏତ କୌଣସି ଶିକାରୀ ବା ଶିଙ୍ଗ–ସଂଗ୍ରହକାରୀ ଏହାକୁ ଏକ ଅସାଧାରଣ ସୃଷ୍ଟି ବୋଲି ମନେକରି ତାକୁ ମାରିପାରିଥାନ୍ତା, କିନ୍ତୁ ତାର ସୌଭାଗ୍ୟକୁ ସେପରି କୌଣସି ଶିକାରୀ ବା ଅସାଧାରଣ ଦ୍ରବ୍ୟର ସଂଗ୍ରାହକ ତାହାକୁ ଦେଖିନାହାନ୍ତି । ମୋ ବର୍ଣ୍ଣନାରୁ ଜଣାଯିବ ଯେ ତାର ଏହି କଦାକାର ଶିଙ୍ଗଟି ଯୁଦ୍ଧବେଳେ ତାର ଏକ ପ୍ରଧାନ ଅସ୍ତ୍ରର କାମ ଦେଉଥିଲା । ପୁରାଣରେ ଇଉନିକର୍ଣ୍ଣ ବୋଲି ଏକ ଜୀବର ବର୍ଣ୍ଣନା ଅଛି; ତାର ଗୋଟିଏ ମାତ୍ର ଶିଙ୍ଗ । ଯଦି ପୁରାଣବର୍ଣ୍ଣିତ ଇଉନିକର୍ଣ୍ଣ ପ୍ରକୃତରେ କେବେ ଥିଲା, ତେବେ ତାର ଶିଙ୍ଗଟିର ଯେତେ ସୁବିଧା ଥିଲା, ଆମର ଏହି ଗୟଳ ସେସବୁ ସୁବିଧା ଭୋଗୁଥିଲା । ଶତ୍ରୁ ଆଗରୁ ଆସିଲେ ସେ ଉକ୍ତ ଶିଙ୍ଗ ସାହାଯ୍ୟରେ ତାକୁ ଭୁସିଦେଇ ପାରୁଥିଲା କିମ୍ବା ମୁଣ୍ଡକୁ ହଲାଇ ଚିରିପକାଉଥିଲା । ସେହି ରାସ୍ତାରେ ମୋଟର ନେଇ ମୁଁ ଅନେକଥର ଅନ୍ଧାର ରାତିରେ ଯିବାଆସିବା କରିଛି । ସେତେବେଳେ କେବଳ ଦୁଇପାଖର ଦୃଶ୍ୟ ଦେଖି ଆନନ୍ଦ ଉପଭୋଗ କରିବାପାଇଁ ମୋଟରର ସ୍ପଟଲାଇଟକୁ ଜଳାଇ ଦେଇଥାଏ । ଏହିପରି ଗଲାବେଳେ ଦୁଇ ତିନିଥର ପରସ୍ପରଠାରୁ ଦୂରବର୍ତ୍ତୀ ଦୁଇଟି ନୀଳବର୍ଣ୍ଣର ଆଖି ଆଲୁଅରେ ଦେଖିଛି । ଉତ୍ତମରୂପେ ଲକ୍ଷ୍ୟକରି ଦେଖିଛି, ସେ ଆଖିଯୋଡ଼ିକ ହେଉଛି ମୋର ପରିଚିତ ବୃଦ୍ଧ ଗୟଳର ।

 

କେତେ ବର୍ଷତଳେ ଥରେ ବିଲିଗିରିରଙ୍ଗନ ରେଞ୍ଜର ନିମ୍ନ ଗଡ଼ାଣିଆରେ ଭୂମିରେ ବୁଲୁଥିଲି । ସେତିକିବେଳେ ଏହି ଅଭିଜ୍ଞ ବୃଦ୍ଧ ଗୟଳଟି ମୋର ମନୋଯୋଗ ଆକର୍ଷଣ କରିଥିଲା । ପ୍ରଧାନ ରାସ୍ତାରୁ ପଶ୍ଚିମପାଖକୁ ଜଙ୍ଗଲଭିତର ଦେଇ ଗୋଟିଏ ରାସ୍ତା ଯାଇଅଛି । ଗେଡ଼େସଲ ଗ୍ରାମ ପାଖଦେଇ ଏହା ନଦୀ ପାର ହୋଇଛି । ସେଠାରୁ ପର୍ବତମାଳାର ପାଦଦେଶସ୍ଥିତ ପାହାଡ଼ ଉପରକୁ ଉଠି ଶେଷରେ ଉଚ୍ଚତମ ଅଂଶରେ ପହଞ୍ଚି ପାହାଡ଼ର ଆରପାଖ ସମଭୂମିକୁ ଚାଲିଯାଇଅଛି । ପରିଶେଷରେ ଏହା ଗୋଟିଏ ସୁନ୍ଦର ବନ–ନିବାସକୁ ଯାଇଛି । ଏହି ଘରଟି ହେଉଛି ମି: ରାଣ୍ଡଲ୍ଫ ମରିସଙ୍କର ବ୍ୟକ୍ତିଗତ ସମ୍ପତି । ମରିସ ସାହେବ ହେଉଛନ୍ତି ଦକ୍ଷିଣରତର ଜଣେ ପ୍ରସିଦ୍ଧ କଫି ଉତ୍ପାଦନକାରୀ । ଆହୁରି ମଧ୍ୟ ସେ ଜଣେ ଶିକାର–ବିଶାରଦରୂପେ ପରିଚିତ । ସେ ନିଜେ ଭଲ ଶିକାରୀ ମଧ୍ୟ । ବଡ଼ ବଡ଼ ଶିକାରଯୋଗ୍ୟ ଜନ୍ତୁମାନଙ୍କର ଆଚରଣ ଓ ସେମାନଙ୍କୁ ଶିକାର କରିବା ବିଷୟରେ ସେ କେତେକ ମୁଲ୍ୟବାନ ପ୍ରବନ୍ଧ ଲେଖିଅଛନ୍ତି । ସେ ଅଞ୍ଚଳର ଅବୈତନିକ ଶିକାର ରକ୍ଷକ (Gawe Wandas) ହୋଇଥିବାରୁ ସେ ଭୂତପୂର୍ବ ବଡ଼ଲାଟ ଓ ଇଂରେଜ ରାଜକର୍ମଚାରୀମାନଙ୍କ ନିକଟରେ ପରିଚିତ ଥିଲେ । ଦକ୍ଷିଣଭାରତର କେତେକ ସୁନ୍ଦର ଓ ସୁପରିଚାଳିତ କଫି ବଗିଚାର ସେ ଅଧିକାରୀ ଥିଲେ ।

 

ପାହାଡ଼ର ଉଚ୍ଚତମ ଅଂଶରୁ ସେହି ରାସ୍ତାକଡ଼ରେ ଗୋଟିଏ ଛୋଟ ଘର ଅଛି । ଏହାର କାନ୍ଥ, ଛାତ, ପ୍ରଭୃତି ଅନ୍ୟତ୍ର ଗଢ଼ାଯାଇ ସେଠାରେ ଖଞ୍ଜାଯାଇଅଛି । ଏହା ଫରେଷ୍ଟ ବିଭାଗର ଓ ବିଭାଗୀୟ କର୍ମଚାରୀମାନେ ଗ୍ରସ୍ତରେ ଗଲାବେଳେ ଓ ଲାଇସେନ୍ ପ୍ରାପ୍ତ ଶିକାରୀମାନେ ଏଠାରେ ସାମୟିକ ଭାବରେ ରହିଥାନ୍ତି । କେହି ଜଣେ ବୁଦ୍ଧିମାନ ଲୋକ ବଣରେ ଲଟାକୁ ଦଳି ସେଥିରେ ଗୋଟିଏ ଶିଡ଼ି ତିଆରିକରି କରି ଏହି ଘରେ ରଖିଛି । ଯେଉଁମାନେ ଗଛ ଚଢ଼ି ଜାଣନ୍ତି ନାହିଁ, ସେମାନେ ମଞ୍ଚାଉପରକୁ ଉଠିବା ଓ ମଞ୍ଚାରୁ ଓହ୍ଲାଇବାରେ ଏ ଶିଡ଼ିଟି ଖୁବ୍ ସାହାଯ୍ୟ କରେ ।

 

ସେଦିନ ସକାଳେ ମୁଁ ସେହି ଘର ପାରହୋଇ ନୀଚ୍ଚ ସମଭୂମି ଉପରକୁ ଥିବା ପାହାଡ଼ଶ୍ରେଣୀ ଧାରେ ଧାରେ ଚାଲୁଥିଲି । ଏହି ସମୟରେ ମୁଁ ପରସ୍ପର ଆଘାତର ଶବ୍ଦସଙ୍ଗେ ନାଥ ଶବ୍ଦ ଶୁଣିପାରିଲି । ସେହି ଶବ୍ଦ ମଝିରେ ମଝିରେ କ୍ରୋଧସୂଚକ ନାକ ଫଡ୍ ଫଡ୍ ଶବ୍ଦ ମଧ୍ୟ ହେଉଥିଲା । ଏହି ଲକ୍ଷଣରୁ ଗୟଳଯୁଦ୍ଧର ସୂଚନା ପାଇ ମୁଁ ଲୁଚି ଲୁଚି ସେହିଆଡ଼କୁ ବେଗରେ ଚାଲିଲି । ଅଳ୍ପ ସମୟପରେ ଦେଖିବାକୁ ପାଇଲି–ଦୁଇଟି ଗୟଳ ପ୍ରାୟ ତିନିଶହ ଗଜ ଦୂରରେ ସେହି ସମଭୂମିରେ ଯୁଦ୍ଧ କରିବାରେ ମାତିଛନ୍ତି । ଦୁହେଁଯାକ ମୁଣ୍ଡକୁ ମୁଣ୍ଡ ଲଗାଇ ଓ ଶିଙ୍ଗକୁ ଶିଙ୍ଗ ଛନ୍ଦି ଦେଇ ସବୁ ଶକ୍ତି ପ୍ରଯୋଗକରି ପରସ୍ପରକୁ ଠେଲୁଥାନ୍ତି । ପ୍ରତ୍ୟେକେ ଗୋଡ଼ ମେଲାକରି ଭୂଇଁରେ ଯେପରି ଦୃଢ଼ଭାବରେ ରଖିଥିଲେ ସେଥିରୁ ସେମାନେ ପରସ୍ପରକୁ ହଟାଇବା ପାଇଁ କିପରି ଯଥାଶକ୍ତି ଚେଷ୍ଟା କରୁଥିଲେ ତାହା ଜଣାପଡ଼ୁଥିଲା । ମଝିରେ ମଝିରେ ଗୋଟାଏ ଗୟଳ ଅନ୍ୟଠାରୁ ତାର ମୁଣ୍ଡ ଓ ଶିଙ୍ଗକୁ ଉଠାଇନେଉଥିଲା; କିନ୍ତୁ ମୁହୂର୍ତ୍ତକ ପରେ ପୁଣି ସେ ପୂର୍ବ ଶତ୍ରୁର ମୁଣ୍ଡରେ ମୁଣ୍ଡ ଲଗାଇ ସିଙ୍ଗରେ ଶିଙ୍ଗକୁ ଛନ୍ଦି ଲଢ଼େଇରେ ମାତୁଥିଲା ।

 

କିଛି ସମୟ ପରେ ମୁଁ ଲକ୍ଷ୍ୟ କଲି, ଗୋଟିଏ ଗୟଳ ସିଙ୍ଗରେ କିଛି ବିଶେଷତ୍ଵ ଅଛି । ସେହି ହେତୁରୁ ସେ କେତେକ ସ୍ଵତନ୍ତ୍ର ସୁବିଧା ପାଉଥିଲା । ସେ ଶତ୍ରୁକୁ ସେହି ଶିଙ୍ଗରେ ଏପରି ଆଘାତ କରୁଥିଲା ଯେ ତାର ବେକ, କାନ୍ଧ ଓ ଦୁଇ ପାଖରୁ ରକ୍ତ ଧାର ବହୁଥିଲା । ଏହି ଯୁଦ୍ଧ ପ୍ରାୟ ୨୦ ମିନିଟ ଯାଏ ଭୀଷଣ ଭାବରେ ଚାଲିଲା । ପୂର୍ବରୁ ନାକର ଫଡ୍ ଫଡ୍ ଶବ୍ଦ ଶୁଣାଯାଉଥିଲା; ଏବେ ସଁ ସଁ ଶବ୍ଦ ଶୁଣାଗଲା । ଦୁହିଁଙ୍କର ଦେହ ରକ୍ତ ଓ ଝାଳରେ ଓଦା ହୋଇ ଚକ୍ ଚକ୍ ଦିଶିଲା; ଏତେ ଦୂରରୁ ମଧ୍ୟ ମୁଁ ତାହା ଦେଖିପାରୁଥିଲି । ଦୁହେଁଯାକ ଲଢ଼ି ଲଢ଼ି ଥକିଯାଇଥିବାର ଜଣାଯାଉଥିଲା । ସେମାନଙ୍କର ମୁହଁରୁ ଫେଣ ବାହାରୁଥିଲା ଓ ସେହି ଫେଣ ଦେହ ଉପରେ ବୋହି ଆସି ତଳେ ପଡ଼ୁଥିଲା ।

 

ଏହା ପୂର୍ବରୁ ମୁଁ କେବେ ଗୟଳମାନଙ୍କର ଲଢ଼େଇ ଦେଖି ନ ଥିଲି । ଏହି ଯୁଦ୍ଧର ପରିମାଣ କଅଣ ହେବ ଦେଖିବାପାଇଁ ମୋର ଖୁବ୍ କୌତୁହଳ ହେଉଥିଲା । ଭାଗ୍ୟବଶତଃ ମୁଁ ଏକୁଟିଆ ଆସିଥିଲି ଓ ପବନ ମୋରି ଆଡ଼କୁ ବହୁଥିଲା; ତେଣୁ ସେ ଦୁହେଁ ମୋର ଉପସ୍ଥିତି ବିଷୟରେ ଜାଣିପାରି ନ ଥିଲେ ଓ ସ୍ଵାଭାବିକ ଭାବରେ ଲଢ଼େଇ କରୁଥିଲେ ।

 

ଯେଉଁ ଗୟଳଟିର ଗୋଟିଏ ଶିଙ୍ଗ ମୋଡ଼ି ମୋଡ଼ିକିଆ ଥିଲା, ସେହି ଜୀବଟି ଜିତିବ ବୋଲି ମନେ ହେଉଥିଲା ଓ ତାର ପ୍ରତିଦ୍ଵନ୍ଦୀ ହଟିଯିବାକୁ ବସିଲା । ତାର ଦେହଯାକ ରକ୍ତରେ ଲାଲ ହୋଇଥାଏ । ଅବଶ୍ୟ ସେ ମଧ୍ୟ ତା ପ୍ରତିପକ୍ଷ ଦେହରେ କେତେଥର ଆଘାତ କରିଥିଲା; କିନ୍ତୁ ଶତ୍ରୁର ମୋଡ଼ିମୋଡ଼ିକିଆ ଶିଙ୍ଗ ଯୋଗୁ ସେ ଅଧିକ କ୍ଷତିକାରକ ଆଘାତ କରି ପାରିଥିଲା । ଆହୁରି ଦଶମିନିଟ ପରେ ବିଶେଷ ଆଘାତ ପାଇଥିବା ଗୟଳଟି ଥଙ୍ଗେଇ ହେଲା ଓ ତତ୍ପରେ ବାରମ୍ବାର ଆଣ୍ଠେଇ ପଡ଼ିଲା । ଥରେ ସେ ଆଣ୍ଠୋଇ ପଡ଼ିଲାବେଳକୁ ଅନ୍ୟ ଗୟଳଟିର ମୋଡ଼ିମୋଡ଼ିକିଆ ଶିଙ୍ଗ ତା ଦେହର କୌଣସି ନା କୌଣସି ସ୍ଥାନରେ ଭୂଷି ହୋଇଯାଉଥାଏ । ଶେଷରେ ସେ ହଟିଯାଇ ବୁଲିପଡ଼ିଲା ଓ ଘୁଷୁଡ଼ି ଘୁଷୁଡ଼ି ଦଉଡ଼ିଲା । ସଙ୍ଗେ ସଙ୍ଗେ ବିଜୟୀ ଗୟଳଟି ତା ପଛେ ପଛେ ଗୋଡ଼ାଇ ତାର ପଛପଟକୁ ସିଙ୍ଗରେ ଭୂଷିବାରେ ଲାଗିଲା । ସମଭୂମି ଯେଉଁଠାରେ ଜଙ୍ଗଲ ସହିତ ମିଶିଯାଇଥିଲା, ସେହିଠାରେ ଦୁହେଁଯାକ ମୋ ଆଖିରୁ ଅଦୃଶ୍ୟ ହୋଇଗଲେ । କୋତୂହଳାକ୍ରାନ୍ତ ହୋଇ ମୁଁ ସେ ଦୁହିଁଙ୍କର ଯୁଦ୍ଧସ୍ଥଳ ଦେଖିବାକୁ ଗଲି । ଦୁଇ ବୀରଙ୍କର ଖୁରାର ଆଘାତରେ ସେଠାର ମାଟି ଖୋଳି ହୋଇ ଯାଇଥିଲା ଓ ପ୍ରାୟ ୨୦ ଗଜ ଆକ୍ରାନ୍ତର ରକ୍ତ ଓ ଫେଣରେ ଲଟପଟ ହୋଇଯାଇଥିଲା ।

 

ଏହି ଘଟଣାର କିଛି କାଳପରେ ମୁଁ ମୋର ସେହି ପ୍ରିୟ ଗୟଳଟିକୁ ପୁଣି ଦେଖିବାକୁ ପାଇଥିଲି । ଏହି ଦ୍ଵିତୀୟ ଘଟନାବେଳେ ମୁଁ ଗୋଟିଏ ପୋଖରୀ ଦେଖିବାକୁ ଯାଉଥିଲି । ପୋଖରୀଟି ରାସ୍ତାର ପୂର୍ବ ଦିଗକୁ ୪୧ ନମ୍ବର ମାଇଲ ସିଧାରେ ପ୍ରାୟ ପାଏ (1/4 ମାଇଲ) ଦୂରରେ ଅବସ୍ଥିତ । ଗୋଟିଏ ବାଘ ଗେଡ଼େସଲ ଗ୍ରାମର ଶୋଲେ ଗାଁ ମାନଙ୍କର ଯୋଡ଼ିଏ ଗୋରୁ ମାରିଥିଲା । ଅନେକ ସମୟରେ ସେହି ବାଘ ସନ୍ଧ୍ୟାସମୟରେ ସେହି ପୋଖରୀ ପାଖେ ଯାଇଥିବା ରାସ୍ତାଧାରାରେ ଯିବାର ବା ରାସ୍ତା ପାରହେଉଥିବାର ସେମାନେ ଦେଖିଥିଲେ ବୋଲି ସେମାନଙ୍କଠାରୁ ଶୁଣିଥିଲି ।

 

ସେଦିନ ଉପରବେଳା ପ୍ରାୟ ସାଢ଼େ ଚାରିଟାବେଳେ ମୁଁ ପୋଖରୀ ପାଖକୁ ଗାଲି ଓ ତାର ଚାରିପାଖ ବୁଲି କି କି ଜନ୍ତୁ ସେଠାକୁ ବେଶି ଆସନ୍ତି, ତାହା ଜାଣିବାକୁ ଚେଷ୍ଟାକଲି । ସେଠାରେ ହାତୀ, ଗୟଳ, ସମ୍ବର, କୃଷ୍ଣସାର ଓ କେତେକ ବାରହାଙ୍କ ପାଦଚିହ୍ନ ଦେଖିଲି । ଗୋଟିଏ ବାଘ ମଧ୍ୟ ପୋଖରୀରୁ ତିନି ଥର ପାଣି ପିଇଥିବାର ସୂଚନା ମିଳିଲା । ପାଦଚିହ୍ନ ଦେଖି ଜାଣିଲି ସେ ତିନି ଦିନ ତଳେ ଶେଷଥର ପାଇଁ ପାଣି ପିଇବାକୁ ଆସିଥିଲା ।

 

ଗୟଳମାନଙ୍କ ପାଦଚିହ୍ନ ଭିତରୁ ଗୋଟିକର ଗୋଜିଆ ଆଗରୁ ଜଣାଗଲା ଯେ ସେ ଗୋଟିଏ ଖୁବ୍ ବଡ଼ ଅଣ୍ଡିରା ଗୟଳ ହୋଇଥିବ । ଦେହର ଓଜନରେ ତାର ପାଦ ପୋଖରୀ କୂଳ କାଦୁଅରେ ଫୁଟେ ପର୍ଯ୍ୟନ୍ତ ପଶିଯାଇଥିଲା । ଆଖପାଖରେ ମଧ୍ୟ ଅନେକ ସ୍ଥାନରେ ତାର ପାଦଚିହ୍ନ ପଡ଼ିଯାଇଥିଲା । ସେଥିରୁ ଜଣାଗଲା, ସେ ସେହି ପୋଖରୀ ପାଖକୁ ବାରମ୍ବାର ଆସୁଥିଲା । ଏହା ମୋତେ ଆଶ୍ଚର୍ଯ୍ୟଜନକ ବୋଧ ହେଲା । ମୁଁ ପୂର୍ବରୁ ଯେଉଁ ନଦୀର ବର୍ଣ୍ଣନା କରିଅଛି, ସେଠାରେ ପାଣି ନ ପିଇ ଗୟଳଟି ଏଠାକୁ ଆସେ କାହିଁକି ?

 

ଯେଉଁ ଶୋଲେଗା ପାଖରୁ ବାଘର ଖବର ମିଳିଥିଲା, ସେ ମୋ ସାଙ୍ଗରେ ଥିଲା । ସେ ଗୟଳ ବିଷୟରେ କିଛି ଜାଣିଛି କି ବୋଲି ପଚାରିବାରୁ ଉତ୍ତର ମିଳିଲା–‘‘ହଁ, ଖାଲି ମୁଁ ନୁହେଁ, ଗାଆଁର ଆମେ ସମସ୍ତେ ତାକୁ ଅନେକଥର ଦେଖିଛୁ । ତାର ବାଁ ପାଖର ଶିଙ୍ଗଟା କଦାକାର ଓ ଆଗକୁ ବାହାରିପଡ଼ିଛି ।”

 

ଏହା ଶୁଣିଲା ମାତ୍ରେ ସେହି ସ୍ମରଣୀୟ ଗୟଳ ଲଢ଼େଇ କଥା ମୋର ମନେପଡ଼ିଗଲା । ମୁଁ ଭାବିଲି, ଏଭଳି କଦାକାର ଶିଙ୍ଗ ପ୍ରାୟ ଦେଖାଯାଏ ନାହିଁ । ଏ ଗୟଳଟି ନିଶ୍ଚୟ ସେହି ଲଢ଼େଇର ବିଜୟୀ ଜନ୍ତୁ ହୋଇଥିବ ।

 

ଶୋଲେଗା ଜଣକ ପୁଣି କହିଲା, “ମୁଁ ଗୋରୁପଲ ଚରାଇବା ପାଇଁ ସେମାନଙ୍କୁ ଏଇ ଅଞ୍ଚଳକୁ ଆଣେ । ପୋଖରୀ ଚାରିପାଖେ ଗୋରୁଙ୍କ ଚରିବାପାଇଁ ସୁନ୍ଦର ଜାଗା ଅଛି । ଗୟଳଟା ଅନେକ ସମୟରେ ଏଠାକୁ ଆସେ । ଆପଣ ଇଛା କଲେ ମୋ ସାଙ୍ଗରେ ଥରେ ବୁଲିଆସନ୍ତୁ । ଭାଗ୍ୟରେ ଥିଲେ ଆମେ ତାକୁ ଦେଖିପାରିବା; ହୁଏତ ବାଘ ସାଥିରେ ବି ଭେଟ ହୋଇପାରେ ।”

 

ସେତେବେଳେ ମୁଁ ବାଘର ସନ୍ଧାନରେ ବାହାରିଥିଲି । ଗୟଳଟି ବିଷୟରେ ମୋର ସେତେ ଆଗ୍ରହ ନ ଥିଲା କାଳେ ବାଘର କିଛି ସଂକେତ ମିଳିବ, ଏହି ଆଶାରେ ମୁଁ ତାହା ସଙ୍ଗରେ ଯିବାପାଇଁ ସ୍ଵୀକୃତ ହେଲି । ସଫା ଦିନ ଆଲୁଅରେ ଗୟଳର ସନ୍ଧାନ ନେବା ବଡ଼ ଅଡ଼ୁଆ କାମ । କେଉଁ ଦିଗରୁ ପବନ ବହୁଛି, ପାଖରେ ଲୁଚିଯିବାର କି ସୁବିଧା ଅଛି ଓ ଭୂମିର ଅବସ୍ଥାନ–ଏସବୁ ଉପରେ ଏହା ନିର୍ଭର କରେ ।

 

ଆମେ ଲକ୍ଷ୍ୟହୀନ ଭାବରେ ଚାଲିଲୁ । ଗୋରୁଚଲାବାଟ ଓ ଶିକାରଯୋଗ୍ୟ ଜନ୍ତୁଙ୍କର ଚଲାବାଟ ଧରି ଯାଉଥାଉ । ଆମେ ଗୋଟିଏ ସରୁ ଗଳିବାଟରେ କଷ୍ଟରେ ଯାଉଛୁ, ଏଇ ସମୟରେ ହଠାତ୍ ଆମ ପାଖରୁ ପ୍ରାୟ ୩୦ ଗଜରୁ କମ୍ ଦୂରରେ ଲମ୍ବା ଘାସ ସବୁ ଦୁଇ ଭାଗରେ ବିଭକ୍ତ ହୋଇଗଲା ଓ ତା ଭିତରୁ ଦେଖାଗଲା ଗୋଟିଏ ବିରାଟ ଅଣ୍ଡିରା ଗୟଳର ମୁଣ୍ଡ ଓ ଆଗପାଖ । ସେ ଆମ ଆଡ଼କୁ ଉଦାସୀନ ଦୃଷ୍ଟିରେ ଚାହିଁରହିଲା । ଦେଖିଲି, ଏଇଟି ହେଉଛି ମୋର ପୂର୍ବ ପରିଚିତ ବନ୍ଧୁ, ଯାହାର ଶିଙ୍ଗ ମୋଡ଼ି ମୋଡ଼ିକିଆ ।

 

ସେ ଆମକୁ ଭୟ କରିବାର ଲକ୍ଷଣ ଦେଖାଗଲା ନାହିଁ; ଛିଡ଼ା ହୋଇ ସେ କେବଳ ଚାହିଁରହିଲା । ଆମେ ପ୍ରାୟ ଦଶଗଜ ଆଗେଇଗଲୁ । ଲମ୍ବ ଘାସ ଭିତରେ ବୁଲିପଡ଼ି ସୁ–ସୁ ଶବ୍ଦ କରି ସେ ଚାଲିଗଲା । ଆମେ ତାକୁ ଆଉ ଦେଖିପାରିଲୁ ନାହିଁ । ସେ ଦିନ ପରେ ମୁଁ ତାକୁ ଆହୁରି କେତେଥର ଦେଖିଥିଲି । ଯେଉଁ ସ୍ମରଣୀୟ ଘଟଣାଟି ତାକୁ ମୋ ଆଡ଼କୁ ଆକୃଷ୍ଟ କରିଥିଲା, ତାହା ଏହାପରେ ଘଟିଥିଲା ।

 

ଜଣେ ଅଜ୍ଞାତ ଶିକାରୀ ଦିନେ ରାତିରେ ରାସ୍ତା ଧାରେ ଧାରେ ଆସି ଗୋଟିଏ ମାଈ ଗୟଳକୁ ମାରିଦେଲେ । ବେଆଇନ ଭାବରେ ଜନ୍ତୁ ମାରିବା ସେ ଲୋକଙ୍କର ଅଭ୍ୟାସ । ସେ କେଉଁଠି ଅଛନ୍ତି ଜାଣିବା ପୂର୍ବରୁ ଗୋଟିଏ ଗୟଳ ତାଙ୍କ ଜିପ୍ ଗାଡ଼ିକୁ ଆକ୍ରମଣ କଲା ଓ ମୁଣ୍ଡିଆ ମାରି ଗାଡ଼ିଟିକୁ ରାସ୍ତାକଡ଼କୁ ଗଡ଼ାଇଦେଲା । ଗାଡ଼ି ଯାଇ ପଡ଼ିଲା ଗୋଟିଏ ଶୁଖିଲା ନଈ ଭିତରେ । ସୌଭାଗ୍ୟ ବିଷୟ ଏହି ଯେ ଗୟଳଟା ଗାଡ଼ି ପଛେ ପଛେ ଗଲା ନାହିଁ । ଭଦ୍ରବ୍ୟକ୍ତିଙ୍କର କେବଳ ଗୋଟିଏ ଗୋଡ଼ ଜଖମ ହୋଇଯାଇଥିଲା ଓ ରାଇଫେଲଟି ଭାଙ୍ଗି ଯାଇଥିଲା । ତାଙ୍କ ସଙ୍ଗରେ ଯେଉଁ ଶୋଲେଗା ଯାଇଥିଲା ଓ ଗାଡ଼ି ପାଖରେ ବସିଥିଲା, ସେ ପ୍ରକାଶ କଲା ଯେ ସେ ସ୍ପଷ୍ଟଭାବରେ ଅଣ୍ଡିରା ଗୟଳକୁ ଦେଖିପାରିଥିଲା; ତାର ବାଆଁ ଶିଙ୍ଗଟା କଦାକାର ।

 

ଏହି ଘଟନା ଘଟିବାର କେତେକ ମାସ ପରେ ବୁଲିଯାଇଥିବା ସମୟରେ ମୁଁ ଏହା ଶୁଣିଥିଲି । ବୃଦ୍ଧ ଗୟଳଟି ଏପରି ବାହାଦୁରି ଦେଖାଇଥିବାରୁ ମୁଁ ଶୁଣି ଖୁବ୍ ଆନନ୍ଦିତ ହେଲି । ମୁଣ୍ଡିଆ ମାରି ଜୀପ୍ ଗାଡ଼ିକୁ ଗଡ଼ାଇ ଦେଲାପରେ ସେ ତାର ଶତ୍ରୁକୁ ଶେଷ କରି ଦେଲା ବୋଲି ମନେ କରିଥିଲା; ତାହା ନୋହିଥିଲେ ସେ ହୁଏତ ଆହୁରି ଆକ୍ରମଣ କରି ଲୋକ ଦୁଇଜଣଙ୍କୁ ଶେଷ କରିଦେଇଥାନ୍ତା ।

 

ଏହାର କିଛି ଦିନ ପରେ ୧୯୫୩ ମସିହାର ନଭେମ୍ବର ମାସରେ ମୁଁ ଦିମବୁମକୁ ବୁଲିଯାଇଥିଲି । ମୋର ଗେଡ଼େସଲରେ ରହିବାର ପ୍ରସ୍ତାବ ନଥିଲା; ମୁଁ ରାସ୍ତାରେ ମୋଟର ଚଳାଇ ଯାଉଥିଲି; ଏହି ସମୟରେ ଜଣେ ଶୋଲେଗା ଏକାକୀ ଯାଉଥିବାର ଦେଖିଲି । ମୁଁ ତା ପାଖକୁ ମୋଟର ଆଣି ଦେଖିଲି, ସେ ମୋର ପରିଚିତ । ତାର ନାମ ରାଚେନ । ମୁଁ ଗେଡ଼େସଲ ବଙ୍ଗଳାରେ ରହିଲେ ସେ ମୋର କାମ କରିଥାଏ । ସେ ମୋତେ ନମସ୍କାର କଲା; ମୁଁ ପ୍ରତିନମସ୍କାର ଜଣାଇ ତାକୁ ତାମିଲରେ ପଚାରିଲି–”ୟେନ୍ନା ସଙ୍ଗାଧି” ଅର୍ଥାତ୍‍ ଖବର କଅଣ ?

 

ରାଚେନ କହିଲା–ଦୁଇ ଦିନ ପୂର୍ବ ରାତିରେ ଗାଆଁ ଠାରୁ ଅଳ୍ପଦୂରରେ ଗୋଟାଏ ବାଘ ଓ ଅନ୍ୟ କୌଣସି ଏକ ଜନ୍ତୁ ଭିତରେ ଭୟଙ୍କର ଲଢ଼େଇ ହୋଇଥିବାର ଶବ୍ଦ ଗ୍ରାମବାସୀମାନେ ଶୁଣିଥିଲେ । ସେହି ଲଢ଼େଇ ଅତି ଭୀଷଣ ଓ ଘଣ୍ଟା ଘଣ୍ଟା ଧରି ଚାଲିଥିଲା । ସେଥିରୁ ଜଣାଯାଏ ବାଘର ବିପକ୍ଷରେ ଯେ ଲଢ଼ୁଥିଲା ସେ ବାରହା ହୋଇ ନଥିବ । ସାଧାରଣତଃ କେବଳ ବାରହାମାନେ ଆକ୍ରାନ୍ତ ହେଲେ ବାଘ ସହିତ ଲଢ଼େଇ କରିଥାନ୍ତି । ଗ୍ରାମବାସୀମାନଙ୍କର ଅନୁମାନ ଏହା ଗୋଟିଏ ହାତୀ ହୋଇଥିବ । ତଥାପି ଏଥିରେ ମଧ୍ୟ ସନ୍ଦେହର କାରଣ ଅଛି । ହାତୀ ହୋଇଥିଲେ ତାର ଫୁଫୁକାର ଗର୍ଜନ ନିଶ୍ଚୟ ଶୁଣାଯାଇଥାନ୍ତା । ହାତୀ ମାନେ ବିପଦରେ ପଡ଼ିଲେ, ଲଢ଼େଇ କଲାବେଳେ ବା କୌଣସି କାରଣରୁ ଉତ୍ତେଜିତ ହେଲେ ଗର୍ଜନ କରିଥାନ୍ତି ।

 

ସେଦିନ ରାତିରେ ଶେଷ ଆଡ଼କୁ ଜନ୍ତୁ ଦୁଇଟାର ଶବ୍ଦ କ୍ରମେ କମି କମି ଯାଇଥିଲା । କିନ୍ତୁ ସେମାନେ ଲକ୍ଷ୍ୟ କରିଥିଲେ ଯେ ବାଘଟା ଭୀଷଣ ଚିତ୍କାର କରୁଥିଲା ଓ ସେଥିରୁ ସେ ଖୁବ୍ ଆଘାତ ପାଇଥିବା ଜଣାଯାଉଥିଲା ।

 

ଆରଦିନ ସକାଳେ ଶୋଲେଗାମାନେ କୌତୁହଳାକ୍ରାନ୍ତ ହୋଇ ପ୍ରକୃତ ଘଟନା ଜାଣିବାକୁ ଯାଇଥିଲେ । ରାତିରେ ଯେଉଁ ଦୀର୍ଘକାଳ ଯୁଦ୍ଧର ଶବ୍ଦ ଶୁଣାଯାଇଥିଲା, ସେମାନେ ସେହି ଯୁଦ୍ଧସ୍ଥାନର ଦୃଶ୍ୟ ଦେଖିଲେ । ଯୁଦ୍ଧଭୂମିର ଲଟାବୁଦା ଦୁଇ ପ୍ରତିଦ୍ଵନ୍ଦୀ ପାଦରେ ଦଳିଚକଟି ହୋଇଯାଇଥିଲା । ଏହାର ଏକ ପାଖରେ ଗୋଟାଏ ବାଘର ମୃତ ଦେହ ପଡ଼ିରହିଲା । ତାର ଦେହର ଅନେକ ଜାଗାରେ ଗୟଳର ଶିଙ୍ଗ ଭୂଷି ହୋଇ ରକ୍ତ ବହିଥିଲା; ଗୟଳଟା ତାକୁ ପାଦରେ ଦଳିଥିବାର ଚିହ୍ନ ମଧ୍ୟ ଥିଲା । ଶୋଲେଗାମାନେ ସେହି ବାଘର ଚମ ଉତାରି ଗାଆଁକୁ ନେଇଯାଇଥିଲେ ।

 

ମୁଁ ରାଚେନଠାରୁ ଏହି ଗପ ଶୁଣିଲାବେଳକୁ ଦିନ ଦୁଇପହର ହୋଇଯାଇଥିଲା; ମୋର ଅନ୍ୟ କିଛି କାମ ନଥିଲା । ଅବସର ଥିବାରୁ ସେହି ଜାଗାଟିକୁ ନିଜେ ଦେଖିବା ପାଇଁ ଇଚ୍ଛା ହେଲା । ରାଚେନକୁ ଗାଡ଼ିରେ ମୋ ପାଖେ ବସାଇ ସରୁବାଟେ ଗେଡ଼େସଲ ଗ୍ରାମକୁ ଗଲି । ବାଘର ଛାଲରେ କଣ୍ଟା ମରାଯାଇ ଭୂଇଁରେ ସୁଖୁଥିବାର ଦେଖିଲି । ଚମଡ଼ାର ଭିତରପାଖ ଲୁଣ ମିଳେ ନାହିଁ; ତେଣୁ ଚମଡ଼ାକୁ ପଚିବାରୁ ରକ୍ଷାକରିବାପାଇଁ ସେମାନେ ପାଉଁଶ ଛଡ଼ା ଅନ୍ୟ କିଛି ବ୍ୟବହାର କରି ଜାଣନ୍ତି ନାହିଁ ।

 

ବାଘଟାର ଆକାର ବେଶ୍ ବଡ଼; ଚମଡ଼ାର ଭିତର ପାଖର କଣା ଦେଖି ଜାଣିଲି ଯେ ମଇଁଷି ତାକୁ ଅନେକ ଜାଗାରେ ଭୂଷି ଚିରିଦେଇଥିଲା । ଅନ୍ତତଃ ପାଞ୍ଚୋଟି ଜାଗାରେ କଣା ଥିଲା; ସେହି ସବୁ ଜାଗାରେ ମଇଁଷି ଶିଙ୍ଗ ଭୂଷିଦେଇଥିଲା । ସେଥିମଧ୍ୟରୁ ଗୋଟିଏ ବଡ଼ କଣା ଥିଲା ବାଁ ପାଖରେ । ସେହିଠାରେ ମଇଁଷିର ଶିଙ୍ଗ ବାଘର ହୃତପିଣ୍ଡ ପର୍ଯ୍ୟନ୍ତ ଭେଦି ତାର ପ୍ରାଣ ନେଇଥିବ । ଏବେ ମୋର ଆହୁରି ଇଚ୍ଛା ହେଲା, ଯୁଦ୍ଧସ୍ଥଳଟା ଦେଖିବି । ମୋର ମୋଟରଟା ଗାଆଁରେ ରଖିଦେଇ ଓ ଅନେକ ଶୋଲେଗା ଜାତିର ଲୋକଙ୍କୁ ସାଙ୍ଗରେ ନେଇ ବାହାରି ପଡ଼ିଲି । ଅଧମାଇଲରୁ କମ୍ ଦୂରରାସ୍ତା ଯିବାପରେ ଘଟନାସ୍ଥଳ ପଡ଼ିଲା ।

 

ଏହି ସ୍ଥାନଟିକୁ ମୁଁ ଯୁଦ୍ଧଭୂମି (arena) ଛଡ଼ା ଅନ୍ୟ କୌଣସି ଶବ୍ଦ ଦ୍ଵାରା ପ୍ରକାଶ କରିପାରୁନାହିଁ । ବାସ୍ତବରେ ଏଠାରେ ଗୋଟିଏ ପ୍ରଚଣ୍ଡ ଯୁଦ୍ଧ ହୋଇଯାଇଥିଲା । ଆଖପାଖରେ ଘାସ ଓ ବୁଦା ଉପରେ ମେଞ୍ଚା ମେଞ୍ଚା ରକ୍ତ ପଡ଼ିଥିଲା । ଉଭୟ ବୀରଙ୍କର ପଦାଘାତରେ ଘାସଲତା ସବୁ ମାଟିରେ ମିଶିଯାଇଥିଲା ଓ ଶୁଖିଲା ରକ୍ତରେ ଲାଲ ଦିଶୁଥିଲା । ଶୋଲେଗାମାନେ ମଲାବାଘ ପଡ଼ିଥିବା ଜାଗାଟା ମୋତେ ଦେଖାଇଦେଲେ ।

 

ସେଠାରେ ଯେତେ ପରିମାଣରେ ରକ୍ତ ପଡ଼ିଥିଲା, ସେଥିରୁ ସ୍ପଷ୍ଟ ଜଣାଯାଉଥିଲା ଯେ କେବଳ ବାଘ ନୁହେଁ, ଗୟଳଟା ମଧ୍ୟ ଭୀଷଣଭାବରେ ଆଘାତ ପାଇଥିଲା । ସେ ମରିଛି କି ମୁମୁର୍ଷୁ ଅବସ୍ଥାରେ ଜଙ୍ଗଲରେ କେଉଁଠାରେ ପଡ଼ିଛି, ତାହା ଜାଣିବା ପାଇଁ ସନ୍ଧାନ କରିବାକୁ ମୋର କୌତୁହଳ ଜାତ ହେଲା । ସେ ମରିଥାଉ ବା ବଞ୍ଚିଥାଉ, ସେ ଯେ ଯୁଦ୍ଧକ୍ଷେତ୍ରଠାରୁ ଆହତ ଅବସ୍ଥାରେ ଯାଇ ପାରିନଥିବ ଏହା ମୁଁ ଉତ୍ତମରୂପେ ଅନୁମାନ କରିଥିଲି ।

 

ଜଙ୍ଗଲ ଭିତରକୁ ରକ୍ତ ପଡ଼ି ପଡ଼ି ଯାଇଥିଲା । ତେଣୁ ଜଣେ ନିତାନ୍ତ ଅନଭିଜ୍ଞ ଲୋକ ସୁଦ୍ଧା ଗୟଳଟା ଯାଇଥିବା ବାଟ ଧରିପାରିଥାନ୍ତା । ସେ ପାହାଡ଼ ତଳକୁ ଗଡ଼ି ନଈଆଡ଼କୁ ଯାଇଥିଲା-। ମୁଁ ମନେ କଲି, ଗୟଳଟା ସହିତ ନିଶ୍ଚୟ ଦେଖାହେବ; ହୁଏତ ସେ ନଈକୂଳେ ମରି ପଡ଼ିଥିବ ।

 

ଆମେ ଗପ କରି କରି ଆଗେଇଲୁ । ରକ୍ତର ଚିହ୍ନ ଅନୁସରଣ କରି ଦେଢ଼ଘଣ୍ଟା ଚାଲିଲା ପରେ ଆମେ ନଈକୂଳରେ ପହଞ୍ଚିଲୁ । ଦେଖିଲୁ, ଗୟଳଟି ଗୋଟିଏ ଗଛକୁ ଭରା ଦେଇ ଅଳ୍ପ ପାଣିରେ ଛିଡ଼ା ହୋଇଛି । ପଥରଖଣ୍ଡ ଉପରେ ପାଣି ବୋହୁ ଥିବାରୁ ଶବ୍ଦ ହେଉଥିଲା; ତେଣୁ ସେ ପ୍ରଥମେ ଆମର ଯାଉଥିବା ଶବ୍ଦ ଶୁଣିପାରି ନ ଥିଲା । ଆମେ ଜଙ୍ଗଲ ଭିତରୁ ପଦାକୁ ବାହାରିଲା ବେଳକୁ ସେ ବୁଲିପଡ଼ି ଆମଆଡ଼କୁ ଚାହିଁଲା ।

 

ଦେଖିଲୁ, ସେ ହେଉଛି ଗେଡ଼େସଲର ସେହି ଅଣ୍ଡିରା ଗୟଳ । ତାର ଗୋଟିଏ ଶିଙ୍ଗ ମୋଡ଼ିମୋଡ଼ିକିଆ ।

 

ଆମେ ନଦୀରେ ଥିବା ଗୟଳଠାରୁ କିଛି ଦୂରରେ ଛିଡ଼ାହୋଇଥିଲୁ । ସେଠାରୁ ଆମେ ସ୍ପଷ୍ଟ ଦେଖିପାରିଲୁ ମଇଁଷିଟିର ଦେହରେ ଅନେକ ଭୀଷଣ କ୍ଷତ । ବାଘର ନଖ ଓ ଦାନ୍ତରେ ତାର ମୁହଁ, ବେକ, ପିଠି ଓ ଚୂଳରେ ଏହି ସବୁ କ୍ଷତ ହୋଇଥିଲା । ତାର ପେଟ ମଧ୍ୟ ଚିରିଯାଇଥିଲା ଓ ସେଥିରୁ ଗୋଟାଏ ଲାଲ ପଦାର୍ଥ ବାହାରି ପାଣି ପର୍ଯ୍ୟନ୍ତ ଲମ୍ବି ଥିଲା । ମୁଁ ଭାବିଲି, ଏହାର ଦେହରୁ ଚିରିଯାଇଥିବା ଚମଡ଼ା କିମ୍ବା ଅନ୍ତବୁଜୁଳା ହୋଇଥିବ । ଆମେ ଛିଡ଼ା ହୋଇଥିବା ସ୍ଥାନରୁ ତାହା ସ୍ପଷ୍ଟ ବାରିହେଲା ନାହିଁ । ସେ ଛିଡ଼ା ହୋଇ ଆମକୁ ଚାହିଁରହିଥାଏ । ତାର ଆଖିଯୋଡ଼ିକ ନିର୍ମଳ ଦିଶୁଥାଏ । କିଛି ସମୟପରେ ସେ ବୁଲିପଡ଼ି ଜଙ୍ଗଲ ଭିତରକୁ ଚାଲିଗଲା । ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ମୁଁ ତାକୁ ଗୁଳି କରିଦେବାକୁ ମନ କରିଥିଲି; କିନ୍ତୁ ସେ କେତେ ବଡ଼ ଯୁଦ୍ଧରେ ବିଜୟ ଲାଭ କରି ଆସିଛି, ତାହା ଭାବି ତାକୁ ବିନାଶ କରି ପାରିଲି ନାହିଁ । ତାକୁ ଆଉ ଜୀବିତ ଅବସ୍ଥାରେ ଦେଖିବି ବୋଲି ମୋର ଆଶା ନଥିଲା ।

 

କିନ୍ତୁ ଏବେ ଅଳ୍ପଦିନ ତଳେ ମୁଁ ପୁଣି ଗେଡ଼େସଲ ଯାଇଥିଲି । ଦିନେ ସନ୍ଧ୍ୟାବେଳେ ମୁଁ ତାକୁ ଦେଖିପାରିଲି । ମୋର ଆନନ୍ଦ ଓ ବିସ୍ମୟର ସୀମା ରହିଲା ନାହିଁ । ରାସ୍ତାର ପୂର୍ବ ପାଖେ ୪୧ ନମ୍ବର ମାଇଲଖୁଣ୍ଟଠାରୁ ଅଳ୍ପଦୂରରେ ସେ ତାର ପଲ ମଧ୍ୟରେ ଛିଡ଼ା ହୋଇ ଲମ୍ବା ଲମ୍ବା ଘାସ ଚୋବାଉଥିଲା । ସେ ଜଙ୍ଗଲର ଜୀବ । ଭଗବାନ ତାକୁ ଦୀର୍ଘାୟୁ କରି ଜଙ୍ଗଲରେହେଁ ରଖିଥାଆନ୍ତୁ ।

Image

 

ଅଷ୍ଟମ ଅଧ୍ୟାୟ

ଚୋରଦିର କେଶରଥିବା ବାଘ

 

ଏଇଟି ହେଉଛି ଗୋଟିଏ ଖୁବ୍ ବଡ଼ ବାଘର ଗଳ୍ପ । ସେହି ବାଘଟି ଭୟଙ୍କର ଉପଦ୍ରବ କରୁଥିଲା–ବିଶେଷତଃ ମନୁଷ୍ୟମାନଙ୍କୁ ବ୍ୟତିବ୍ୟସ୍ତ କରିଦେଉଥିଲା । ଏହାକୁ ଖୋଜି ମାରିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ହୋଇଥିଲା ।

 

ସାଧାରଣତଃ ଶିକାରଗଳ୍ପମାନଙ୍କରେ ଶ୍ରୋତାମାନଙ୍କ ଆଗ୍ରହ ଜନ୍ମାଇବା ଉଦ୍ଦେଶ୍ୟ ଥାଏ-। ତେଣୁ ଶିକାରୀ କିପରି ଉଦ୍ୟମକରି ଶେଷରେ ଜନ୍ତୁକୁ ମାରିବାରେ କୃତକାର୍ଯ୍ୟ ହୋଇଥାଏ, ତାହାହିଁ ସେ ବର୍ଣ୍ଣନା କରିଥାଏ । ଏହି ହେତୁରୁ ସେ କେତେଥର ଯେ ଅକୃତକାର୍ଯ୍ୟ ଓ ନିରାଶ ହୋଇଥାଏ, ତାହା ଛାଡ଼ିଯାଇଥାଏ । ସେ ସବୁ ବର୍ଣ୍ଣନା କଲେ ଶ୍ରୋତାମାନଙ୍କର ଆଗ୍ରହ ତୁଟିଯାଏ; କିନ୍ତୁ କେବଳ ମଣିଷଖିଆ ବାଘ ବା ଚିତାବାଘ ମାରିବା ପାଇଁ ଉଦ୍ୟମର ବର୍ଣ୍ଣନା କଲେ ଧାରଣା ଜନ୍ମିବ ଯେ ଶିକାରୀର ଉଦ୍ୟମ ସବୁବେଳେ ସଫଳ ହୁଏ ଓ ତାହା ସହଜସାଧ୍ୟ ଓ ସ୍ୱଳ୍ପ ସମୟସାପେକ୍ଷ–ଅତି ବେଶି ହେଲେ ସାମାନ୍ୟ କେତୋଟି ଦିନର କାମ ।

 

ଏଇ ଯେଉଁ ତିନୋଟି ଧାରଣା–ଶିକାରୀ ସବୁକ୍ଷେତ୍ରରେ କୃତକାର୍ଯ୍ୟ ହୁଏ, ହିଂସ୍ର ଜନ୍ତୁ ମାରିବା ସହଜ ଓ ଏହା ଅଳ୍ପ ସମୟର କାମ–ପ୍ରକୃତରେ ତାହା ଆଦୌ ସତ୍ୟ ନୁହେଁ । ବରଂ ବାସ୍ତବ ପରିସ୍ଥିତିରେ ଏଗୁଡ଼ିକର ବିପରୀତ କଥାହିଁ ସତ୍ୟ । ଅନେକ ସ୍ଥଳରେ ଉଦ୍ଦେଶ୍ୟ ବିଫଳ ହୋଇଥାଏ; ଶିକାରୀଟିକୁ ଶାରୀରିକ, ମାନସିକ ଓ ସ୍ନାୟବିକ କଷ୍ଟ ଭୋଗିବାକୁ ପଡ଼ିଥାଏ ଓ ଅନେକ ସମୟରେ ଗୋଟିଏ ଜନ୍ତୁକୁ ମାରିବାପାଇଁ ମାସ ମାସ ଏପରିକି ବର୍ଷ ବର୍ଷ ଧରି ଚେଷ୍ଟା କରିବାକୁ ହୁଏ । ଏସବୁ ସତ୍ତ୍ୱେ କେବେ କେବେ ଆଦୌ ମାରି ହୁଏନାହିଁ ।

 

ତେଣୁ ମୁଁ ଏଠାରେ ଯେଉଁ କଥାଟି କହିବାକୁ ଯାଉଛି, ତାର ଆରମ୍ଭ ହୋଇଥିଲା ଆକସ୍ମିକ ଭାବରେ ଓ ଏହାର ପରିଣତି ଘଟିବାକୁ ପ୍ରାୟ ପାଞ୍ଚବର୍ଷର ଦୀର୍ଘ କଠୋର ଉଦ୍ୟମ ଲୋଡ଼ା ହୋଇଥିଲା । ଅବଶ୍ୟ ସ୍ଵୀକାର କରିବାକୁ ହେବ ଯେ ଏହି ଉଦ୍ୟମ କ୍ରମାଗତ ଭାବରେ ଚାଲି ନ ଥିଲା; ମଝିରେ ମଝିରେ ଏହାର ବିରାମ ହେଉଥିଲା । ସ୍ଥାନୀୟ ଶିକାରୀମାନଙ୍କର କଥା ଛାଡ଼ିଦେଲେ ସୁଦ୍ଧା ମୋର ଉଦ୍ୟମ ସଙ୍ଗେ ସଙ୍ଗେ ବାଙ୍ଗାଲୋର ଓ ବମ୍ବେଇର ଅନ୍ୟ କେତେକ ଶିକାରୀ ମଧ୍ୟ ଏହି ଉଦ୍ୟମରେ ଯୋଗ ଦେଇଥିଲେ । ଏହିପରି ପାଞ୍ଚବର୍ଷ ଯାଏ ଚେଷ୍ଟା ଚାଲିଲା, ତଥାପି କେହି ତାକୁ ମାରିବାରେ କୃତକାର୍ଯ୍ୟ ହୋଇପାରିନଥିଲେ । ଏହି ବାଘଟିର ବେକ, କାନର ପଛ, ଓଠ ଓ ଗଳାର ଚାରି ପାଖେ ଲମ୍ବ ଲମ୍ବ ଲୋମ ଥିଲା । ତେଣୁ ଏହାର ନାମ ଦିଆଯାଇଥିଲା, ‘କେଶର ଥିବା ବାଘ’ । ଏହି ଦୀର୍ଘ ଲୋମ ହେତୁ ବାଘଟି ତାର ପ୍ରକୃତ ଆକାର ଅପେକ୍ଷା ବହୁତ ବଡ଼ ବୋଧ ହେଉଥିଲା । ଏହି ହେତୁରୁ ଅନେକେ କହୁଥିଲେ ‘ଏଡ଼େ ବାଘ ।’ ଏହା କହିଲାବେଳେ ସେମାନେ ଦୁଇ ହାତକୁ ଦୁଇଆଡ଼େ ପ୍ରସାରିତ କରି ଆଙ୍ଗୁଠି ଆଗକୁ ବଙ୍କାଇ ତାର ଆକାରର ସୂଚନା ଦେଉଥିଲେ; କିନ୍ତୁ ପ୍ରକୃତ ପକ୍ଷରେ ଅତି ଅଳ୍ପ ଲୋକ ତାକୁ ନିଜ ଆଖିରେ ଦେଖିଥିଲେ ଓ ବର୍ଣ୍ଣନା କରିବାକୁ ବଞ୍ଚି ରହିଥିଲେ ।

 

ତାହାର ପ୍ରଥମ ବାସସ୍ଥାନ ଚୋରଦିର ଆଖପାଖ ବୋଲି ଜଣାଯାଏ; ଏହି ଚୋର୍ ଦି ଗ୍ରାମ ନିକଟରେ ପ୍ରଥମେ ଏହାର ଦେଖା ମିଳିଥିଲା ଓ ସେହି ଚୋର୍ ଦି ଗ୍ରାମ ନିକଟରେ ସେ ପ୍ରଥମେ ଜଣେ ମଣିଷକୁ ମାରିଥିଲା ।

 

ଚୋର୍ ଦି ଗୋଟିଏ ଅତି ଛୋଟ ଗାଆଁ । ଏହାର ଚାରିପାଖେ ଜଙ୍ଗଲ ବେଢ଼ି ରହିଅଛି । କୁମସି ନାମକ ଏକ ଛୋଟ ସହରଠାରୁ ପ୍ରାୟ ଚାରିମାଇଲ ଦୂରରେ ଏହା ଅବସ୍ଥିତ । ପୁଣି ଶିମୋଗାଜିଲାର ରାଜଧାନୀ ଶିମୋଗା ସହରଠାରୁ କୁମସି ଦୂରତା ହେଉଛି ୧୬ ମାଇଲ । ମହୀଶୂର ରାଜ୍ୟର ଏହି ଶିମୋଗା ସହରଟି ବାଙ୍ଗାଲୋର ସହିତ ୧୭୨ ମାଇଲ ଦୀର୍ଘ ଏକ ଉତ୍ତମ ରାସ୍ତାଦ୍ଵାରା ସଂଯୁକ୍ତ । ବାଙ୍ଗାଲୋରଠାରୁ ପ୍ରାୟ ୭୦ ମାଇଲ ପର୍ଯ୍ୟନ୍ତ ରାସ୍ତା ହେଉଛି ପକ୍କା (Concrete); ଅବଶିଷ୍ଟ ଅଂଶରେ କେବଳ ପିଚୁ ଦିଆଯାଇଅଛି । ତେଣୁ ଅଳ୍ପ କଦଜ୍ୟ ଓ ବଙ୍କା ଅଂଶ ଛାଡ଼ି ଦେଲେ ମୋଟର ଚାଳକମାନେ ଏହି ରାସ୍ତାରେ ସ୍ଵଚ୍ଛନ୍ଦରେ ବାଙ୍ଗାଲୋରରୁ ଶିମୋଗା ପର୍ଯ୍ୟନ୍ତ ଆସିପାରନ୍ତି ।

 

ଶିମୋଗାଠାରୁ ରାସ୍ତା କୁମସୀ ଓ ଚୋର୍ ଦି ବାଟଦେଇ ଅନନ୍ତପୁରମ୍ ଗ୍ରାମକୁ ଯାଇଅଛି-। ଏହି ଗ୍ରାମଟି ଚୋର୍ ଦି ଠାରୁ ପ୍ରାୟ ନଅମାଇଲ ଦୂର । ଅନନ୍ତପୁରମ୍ ୧୧ ମାଇଲ ଦୂରରେ ସଗର ସହର ଅବସ୍ଥିତ । ସଗରଠାରୁ ତଲଗୁପପା ଗାଆଁ ଦେଇ ଗଲେ ପ୍ରାୟ ୧୬ ମାଇଲ ପରେ ପ୍ରସିଦ୍ଧ ଗରସୋପପା ଜଳପ୍ରାପାତ ପଡ଼େ । ଏଠାରେ ଶିରାବତୀ ନଦୀର ଜଳ ୯୫୦ ଫୁଟ ଉଚ୍ଚରୁ ଚାରୋଟି ଧାରରେ ତଳକୁ ପଡ଼ୁଛି । କେହି କେହି ଏହାକୁ ‘ଯୋଗ ଜଳପ୍ରାପାତ’ ବୋଲି ମଧ୍ୟ କହିଥାନ୍ତି । ଏହି ସ୍ଥାନଟିର ଦୃଶ୍ୟ ଏତେ ରମଣୀୟ ଯେ ଏହାକୁ ଭୁଲି ହେବନାହିଁ । ନିତାନ୍ତ ଜଡ଼ବାଦୀ ଲୋକ ମଧ୍ୟ ଏହାକୁ ଦେଖିଲେ ତାର ହୃଦୟରେ ଭୟ ଓ ଭକ୍ତି ସଞ୍ଚାର ହେବ ।

 

ଜଳପ୍ରପାତର ଆରମ୍ଭରେ ପଥିକମାନଙ୍କର ନିମନ୍ତେ ଦୁଇଟି ଡାକବଙ୍ଗଳା ଅଛି । ଗୋଟିଏ ହେଉଛି ଶିରାବତୀ ନଦୀର ଦକ୍ଷିଣ ତୀରରେ । ଏହା ଅତି ଆଧୁନିକ ଧରଣରେ ନିର୍ମିତ । ଏହା ମହୀଶୂର ରାଜ୍ୟର ସୀମା ମଧ୍ୟରେ ଅବସ୍ଥିତ । ତେଣୁ ଏହା ‘ମହୀଶୂର ବଙ୍ଗଳା’ ନାମରେ ପରିଚିତ । ଅପର ଡାକବଙ୍ଗଳାଟି ସେହି ନଦୀର ବିପରୀତ ପାର୍ଶ୍ଵରେ ଉତ୍ତର ତୀରରେ ବମ୍ବେଇ ରାଜ୍ୟର ସୀମା ମଧ୍ୟରେ ଅବସ୍ଥିତ । ଏହା ଗୋଟିଏ ପ୍ରାଚୀନ ଗୃହ; ଏହା ବିଛିନ୍ନ ହୋଇଥିବାରୁ ଏଥିରେ କ୍ଵଚିତ ଲୋକ ଆସି ରହିଥାନ୍ତି । ଏହାର ନାମ ହେଉଛି ‘ବମ୍ବେଇ ବଙ୍ଗଳା’ । ଏହାର ବିଛିନ୍ନତା ଓ ନିର୍ଜନତା ହେତୁ ମୁଁ ଏହି ବଙ୍ଗଳାରେ ରହିବାକୁ ଭଲ ପାଉଥିଲି ।

 

ପ୍ରତ୍ୟେକ ଡାକ ବଙ୍ଗଳାରେ ଗୋଟିଏ ଲେଖାଏଁ ‘ପରିଦର୍ଶକମାନଙ୍କ ମନ୍ତବ୍ୟ’ ଖାତା ଅଛି-। ଯେଉଁମାନେ ଭିନ୍ନ ଭିନ୍ନ ସମୟରେ ସେହି ବଙ୍ଗଳାରେ ରହିଥିଲେ, ସେମାନେ ଉକ୍ତ ଖାତାରେ କବିତା ଲେଖିବାର ଉଦ୍ୟୋଗ କରିଥିବାର ଦେଖିଲେ କୌତୁକ ଲାଗେ । ଜଳପ୍ରାପତର ଗାମ୍ଭୀର୍ଯ ଓ ବିଶାଳତା ସେମାନଙ୍କ ସୁପ୍ତ କବି–ପ୍ରକୃତିକୁ ଜାଗ୍ରତକରି ଏଭଳି କବିତା ଲେଖିବାକୁ ପ୍ରେରଣା ଦେଇଥିବ ବୋଲି ନିଃସନ୍ଦେହରେ କୁହାଯାଇପାରେ । ସବୁ ନିର୍ବୋଧର ପ୍ରଲୋପ ପରି । ମୋ ମତରେ ସେ ସବୁକୁ ଏକତ୍ର ଜମାକରି ରଖିବାପାଇଁ ଅନ୍ୟ ସ୍ଥାନ ଖୋଜି ପାଇବା କଷ୍ଟକର ହେବ ।

 

ସାଧାରଣତଃ ମଣିଷଖିଆ ବାଘମାନଙ୍କର ଗତିବିଧି ଯେପରି ହୋଇଥାଏ, ଏହି ବାଘର ଉପଦ୍ରବ ମଧ୍ୟ ପ୍ରାୟ ସେହି ଧରଣର ଥିଲା । ପ୍ରଥମେ ଏ ଜଙ୍ଗଲରୁ ଶିକାରଯୋଗ୍ୟ ଜୀବଜନ୍ତୁ ମାରି ତାର ସ୍ଵାଭାବିକ ଖାଦ୍ୟ ଖାଉଥିଲା । ଏ ଅବସ୍ଥାରୁ ସେ ଗୋରୁ ମାରି ଖାଇବାକୁ ଲାଗିଲା । ଶିମୋଗା ଜିଲାର ରିଜର୍ଭ ଜଙ୍ଗଲରେ ହଜାର ହଜାର ଗୋରୁ ଚରନ୍ତି । ସେମାନଙ୍କୁ ଦେଖି ସେ ଲୋଭକୃଷ୍ଟ ହୋଇଥିବା ନିଃସନ୍ଦେହ । ଜଙ୍ଗଲ ଭିତରେ ଲୁଚି ଲୁଚି ଅନ୍ୟ ବନ୍ୟଜନ୍ତୁଙ୍କୁ ମାରିବାର କଷ୍ଟ ତୁଳନାରେ ଏମାନଙ୍କୁ ଯାଇ ମାରିବା ଅତି ସହଜ । ଏହି ପ୍ରଥମ ସୋପାନରେ ସେ ଏକ ନିରୀହ ବନ୍ୟଜନ୍ତୁଭୋଜି ବାଘରୁ ଗୋଖାଦକ ବାଘରେ ପରିଣତ ହେଲା । ଚୋର୍ ଦିର ଆଖପାଖ ଅଞ୍ଚଳରେ ସେ ଗୋରୁଜଗାଳିମାନଙ୍କର ଏକ ଘୋର ବିପଦର କାରଣ ହୋଇଗଲା ।

 

କେଶର ଥିବା ବାଘ ଗୋଟାକ ପରେ ଗୋଟାଏ ଗୋରୁ ଆକ୍ରମଣ କରି ମାରିଲା । ସାଧାରଣତଃ ଗୋରୁଜଗାଳିମାନେ ଅଳସୁଆ ପ୍ରକୃତିର । କିନ୍ତୁ ବାଘର ବାରମ୍ବାର ଆକ୍ରମଣ ଦେଖି ଶେଷରେ ସେମାନେ ଆଳସ୍ୟ ତ୍ୟାଗକରି ଗୋଟାଏ କିଛି ପ୍ରତିକାର କରିବାକୁ ସ୍ଥିରକଲେ । ଜଣେ ସାହସୀ ଗୋରୁଜଗାଳି ତାର ଚଢ଼େଇମରା (Shot gun) ଓ କେତେକ ଏଲ∙ଜି∙ ଗୁଳି(ଛରରା) ନେଇ ଗୋରୁପଲ ସାଥିରେ ଜଙ୍ଗଲକୁ ଗଲା । ଅବଶ୍ୟ ଆଇନ ଅନୁସାରେ ଲାଇସେନସ ନ ଥାଇ କୌଣସି ପ୍ରକାର ବନ୍ଧୁକ ନେଇ ରିଜର୍ଭ ଜଙ୍ଗଲରେ ପ୍ରବେଶ କରିବା ନିଷିଦ୍ଧ ।

 

ଯାହାହେଉ, ସେ ଏହି ବେଆଇନ କାମ କଲା । ଦୈବଯୋଗକୁ କେଶର ଥିବା ବାଘ ସେଦିନ ତାରି ପଲରୁ ଗୋଟାଏ ଗୋରୁକୁ ଆକ୍ରମଣ କଲା । ସେ ଗୋଟାଏ ଗଛର ଅଢ଼ୁଆଳରେ ରହି ତାକୁ ଗୁଳି ମାରିଲା । ଛରରାରେ ତାର ଡାହାଣ ପାଖଟା ବିଶେଷ ଭାବରେ କ୍ଷତବିକ୍ଷତ ହୋଇଗଲା । ଚୋର୍ ଦି ଅଞ୍ଚଳରେ କିଛିଦିନ ଯାଇ ଆଉ ତାର ଦେଖା ମିଳିଲାନାହିଁ । ଚୋର୍ ଦି ଗୋରୁଜଗାଳିମାନେ ବାଘର ଅତ୍ୟାଚାରରୁ ରକ୍ଷାପାଇ ଲୋକଟିକୁ ଧନ୍ୟବାଦ ଦେବାରେ ଲାଗିଲେ-

 

ଆନନ୍ଦପୁରମ୍ ସୀମାରେ କେତେକ ବୁଦୁବୁଦୁକିଆ ଜଙ୍ଗଲ ଅଛି । ଏହି ଜଙ୍ଗଲରେ ଚୋର୍ ଦିଠାରୁ କେତେକ ମାଇଲ ଦୂରରେ ପୁଣି କେଶରଥିବା ବାଘର ଆବିର୍ଭାବ ହେଲା; କିନ୍ତୁ ରିଜର୍ଭ ଜଙ୍ଗଲରେ ଚରୁଥିବା ଗୋରୁଙ୍କୁ ମାରିବା ଅଭ୍ୟାସ ତାର ରହିଥିଲା । ଏପର୍ଯ୍ୟନ୍ତ ସେ ମଣିଷଖିଆ ବାଘରେ ପରିଣତ ହୋଇ ନ ଥିଲା; କାରଣ ତାର ଡାହାଣ ପାଖରେ ଯେଉଁ କ୍ଷତ ହୋଇଥିଲା, ତାହା ତାକୁ ଗୋରୁ ମାରିବାପାଇଁ ଅକ୍ଷମ କରିଦେଇନଥିଲା ।

 

ପୁଣି ତାର ଅବାଞ୍ଛନୀୟ ଉପସ୍ଥିତ ଗୋରୁଜଗାଳିମାନଙ୍କର ମନୋଯୋଗ ଆକର୍ଷଣ କଲା । ଏହା ଫଳରେ ସେ ପୁଣି ଥରେ ଗୁଳିମାଡ଼ରେ ଆଘାତପ୍ରାପ୍ତ ହେଲା । ଏଥର ସେ ଗୋଟିଏ ଗାଈ ମାରି ତାହାର ପରଦିନ ମଡ଼ା ଖାଇବାକୁ ଯାଉଥିବାବେଳେ ମଞ୍ଚା ଉପରୁ ତା ଉପରକୁ ଗୁଳି ମରାଯାଇଥିଲା ଓ ତାହାର ଆଗ ଡାହାଣ ଗୋଡ଼ରେ ବାଜିଥିଲା । ଏହାପରେ ତାହାର ଆଉ ଦେଖା ମିଳିଲାନାହିଁ । ପୁଣି ଲୋକେ ମନେକଲେ ଯେ ବାଘଟା ଚିରଦିନ ପାଇଁ ଚାଲିଗଲା; କିନ୍ତୁ ସେମାନଙ୍କର ଏହି ଆଶା ନୈରାଶ୍ୟରେ ପରିଣତ ହେଲା । ବାଘର ପୁନଶ୍ଚ ଆବିର୍ଭାବ ଘଟିଲା ।

 

କିନ୍ତୁ ଏହି ଦ୍ଵିତୀୟଥର ଆବିର୍ଭାବବେଳେ ତାର ଏକ ପରିବର୍ତ୍ତନ ଦେଖାଗଲା । ଏଥିପୂର୍ବରୁ କେବଳ ଗୋରୁ ମାରିବାପାଇଁ ତାର ଦୁର୍ନାମ ଥିଲା; ମାତ୍ର ମନୁଷ୍ୟମାନଙ୍କର କିଛି ମାତ୍ର କ୍ଷତି କରୁନଥିଲା । ଏବେ ତାର ଠିକ୍ ବିପରୀତ ରୀତି ଦେଖାଗଲା । ଗୋରୁମାନେ ଏବେ ଅପେକ୍ଷାକୃତ ନିରାପଦ ରହିଲେ; କିନ୍ତୁ ଗୋରୁପଲର ରକ୍ଷକମାନେ ବାଘର ଭୟରେ ଥରହର ହେଲେ । ଏଥି ମଧ୍ୟରେ ସେ ଏକ ମଣିଷଖିଆ ବାଘ ହୋଇଯାଇଥିଲା; ଆଉ ମଣିଷଖିଆ ବାଘ ହେଉଛି ଜଙ୍ଗଲର ଭୀଷଣତମ କ୍ଷତିକାରକ ଜୀବ ଓ ଭୟର କାରଣ ।

 

ତାର ଗୋଡ଼ରେ ଗୁଳିଟା ପଶି ତାର ହାଡ଼କୁ ଗୁଣ୍ଡ କରି ଦେଇଥିଲା । ପ୍ରାକୃତିକ ଅବସ୍ଥାରେ ତାର ହାଡ଼ ଯୋଡ଼ି ହୋଇ ଯାଇଥିଲା; କିନ୍ତୁ ଗୋଡ଼ଟା ବଙ୍କା ହୋଇ ଟିକିଏ ଛୋଟ ହୋଇ ଯାଇଥିଲା । ଏଣିକି ସେ ଜନ୍ତୁ ପଛରେ ଲୁଚି ଲୁଚି ଯାଇପାରିଲା ନାହିଁ କିମ୍ବା ତାହା ଉପରକୁ ଡେଇଁ ପଡ଼ି ତାର ବେକକୁ ମୋଡ଼ିଦେଇ ତାକୁ ତଳେ ପକାଇ ଦେଇ ପାରିଲାନାହିଁ । ଗୋଡ଼ ଚାଲିଲାବେଳକୁ ଶବ୍ଦ ହେଲା; ଠିକ୍ ବାଗରେ ସେ ଜନ୍ତୁକୁ ଆକ୍ରମଣ କରି ପାରିଲାନାହିଁ । ଗୋଡ଼ ବିକୃତ ହୋଇ ଯାଇଥିବାରୁ ଶିକାରକୁ ଧରିବାର ଶକ୍ତିରେ ବାଧା ଜାତହେଲା । ଅନେକ ସମୟରେ ଶିକାର ତାପାଖରୁ ଖସିଗଲେ । ଏପରିକି ମନ୍ଥର ସ୍ଵଭାବର ଗୋରୁମାନେ ତାର ଆସିବାର ଶବ୍ଦ ଶୁଣିପାରି ଆଗରୁ ପଳାଇଗଲେ କିମ୍ବା ବାଘ ଧରିଲେ ଛାଟିପିଟି ହୋଇ ତାକୁ ପିଠିରୁ ପକାଇ ଦେଲେ ।

 

ଏ ପ୍ରକାର ଅକ୍ଷମତା ଫଳରେ ସେ ଶୁଖିଗଲା ଓ ଖାଦ୍ୟାଭାବର ସମ୍ମୁଖୀନ ହେଲା । ସେହି କେଶର ଥିବା ଖାଦ୍ୟ ସକାଶେ ବାଉଁଶ ବଣରେ ବୁଲୁଥିବା ସାମାନ୍ୟ ମୂଷା ଧରିବାକୁ ମଧ୍ୟ ଚେଷ୍ଟା କଲା; କିନ୍ତୁ ସେମାନେ ସୁଦ୍ଧା ତା ହାତରୁ ଖସିଗଲେ ।

 

ଏହାପରେ ଭାଲୁ ବେଙ୍ଗ ଓ କଙ୍କଡ଼ା ଛଡ଼ା ଆଉ କିଛି ଖାଦ୍ୟ ଦେଖାଗଲାନାହିଁ । ଜଙ୍ଗଲ ଭିତରେ ପାଣିରେ ବେଙ୍ଗ ଓ କୂଅପାଖରେ କଙ୍କଡ଼ାମାନେ ଥାନ୍ତି । ଏହା ଛଡ଼ା ଆଉ ଗୋଟିଏ ଜୀବକୁ ମାରିଖାଇବା ତାକୁ ସହଜ ଜଣାଗଲା । ସେ ହେଉଛି ମଣିଷ । ଏହିପରି ଜୀବନରକ୍ଷା ପାଇଁ ଆବଶ୍ୟକତା ଦୃଷ୍ଟିରୁ ସେ ମନୁଷ୍ୟ ମାଂସ ଖାଇବାକୁ ଆରମ୍ଭ କଲା ।

 

ବାଘଟି ବିଷୟରେ ଲୋକମାନଙ୍କର ଭିନ୍ନ ଭିନ୍ନ ସମୟରେ ଏହି ତଥ୍ୟଗୁଡ଼ିକ ସଂଗ୍ରହ କରିଥିଲି । କେତେକ ବର୍ଷ ପରେ ତାକୁ ମାରି ସାରି ମୁଁ ତାର କ୍ଷତ ଅବସ୍ଥା ନିଜେ ପରୀକ୍ଷା କରି ଦେଖିଥିଲି ।

 

ଦିନେ ଜଣେ ଲୋକ ଆନନ୍ଦପୁରମରେ ପହଞ୍ଚିଲା । ବସରୁ ଓହ୍ଲାଇ ସେ ଜଙ୍ଗଲବାଟେ ତିନିମାଇଲ ଦୂରରେ ଥିବା ଗୋଟିଏ ଛୋଟ ଗାଆଁ ଆଡ଼କୁ ଚାଲିଲା । ତା ପୂର୍ବଦିନ ସକାଳୁ ଶିମୋଗାକୁ ଯିବ ବୋଲି ବାହାରିଥିଲା । ସ୍ତ୍ରୀକୁ କହି ଆସିଥିଲା–କାଲି ଦି’ପହର ବେଳକୁ ମୁଁ ଫେରିଆସିବି । ମୋପାଇଁ ରନ୍ଧାବଢ଼ା କରି ରଖିଥିବୁ । ଭରିଜା ରନ୍ଧାବଢ଼ା କରି ତାର ଖାଇବା ପାଇଁ ରଖିଲା; କିନ୍ତୁ ସେ ଫେରିଲାନାହିଁ; କିନ୍ତୁ ଏହି ଘଟନାରେ; ତାର ପରିବାରର କେହି କିଛି ବିଶେଷ ଆତଙ୍କିତ ହେଲେନାହିଁ । ଭାରତବର୍ଷରେ, ବିଶେଷତଃ ଛୋଟ ସହରମାନଙ୍କରେ କୌଣସି କାରବାରରେ ଆଡ଼ୁଆ ତୁଟାଇବାକୁ ଅନେକ ବେଳ ଲାଗିଥାଏ । ପ୍ରାଚ୍ୟଦେଶମାନଙ୍କରେ ସମୟର ପ୍ରାୟ କିଛି ମୂଲ୍ୟ ନ ଥାଏ ।

 

ସନ୍ଧ୍ୟା ହେଲା; ସେ ଘରକୁ ଫେରିଲାନାହିଁ । ତା ଆର ଦିନଯାକ ଗଲା; ସେ ଦିନ ମଧ୍ୟ ସେ ଆସିଲା ନାହିଁ । ତୃତୀୟ ଦିନ ତାର ଭେଣ୍ଡାପୁଅ ବାପାର କଅଣ ହେଲା ବୁଝିବାପାଇଁ ଶିମୋଗାକୁ ଗଲା । ସେଠାରେ ସେ ବୁଝିଲା–ତିନି ଦିନ ହେଲା ତାର ବାପ କାମ ସାରି ଘରକୁ ଫେରିଯାଇଅଛି ।

 

ତଥାପି ସେ ବାପର କିଛି ବିପଦ ଘଟିଛି ବୋଲି ଭାବିଲାନାହିଁ । ସେ ମନେକଲା, ତାର ବାପ ସେହି କାମ ସମ୍ପର୍କରେ ଆନନ୍ଦପୁରମ୍ ବାଟେ ସଗରକୁ ଯାଇଥିବ ।

 

ପାଞ୍ଚଦିନ ଗତ ହେଲା, ଅଥଚ ଲୋକଟିର କିଛି ପତା ନ ମିଳିବାରୁ ପରିବାରର ଲୋକେ ଆତଙ୍କିତ ହୋଇପଡ଼ିଲେ । ସମସ୍ତେ ଏକମତ ହେଲେ ସେ କେତେକ ବଦମାସ୍ ଲୋକ ବା ଡକାୟତ ଛକି ରହି ଜଙ୍ଗଲ ଭିତରେ ଆସୁଥିବା ବେଳେ ତାହାଠାରୁ ଟଙ୍କାପଇସା ଛଡ଼ାଇ ନେଇଥିବେ, ହୁଏତ ମାରି ପକାଇଥିବେ । ପୁଲିସରେ ସମ୍ବାଦ ଦିଆଗଲା ଓ ଅନୁସନ୍ଧାନ କରାଗଲା-। ଦେଖାଗଲା, ସେ ରହୁଥିବା ଗାଆଁକୁ ଯେଉଁ ବାଟ ପଡ଼ିଛି, ତାହା ପାଖରେ ଗୋଟିଏ ବୁଦା ଭିତରେ ତାର ପଟେ ଚଟିଜୋତା ପଡ଼ିଅଛି ।

 

ଘରର ଲୋକ ସେହି ଚଟିଜୋତା ଉକ୍ତ ହଜିଥିବା ଲୋକର ବୋଲି ଚିହ୍ନିଲେ । ଏଥିରୁ ତାକୁ ଡକାୟତମାନେ ମାରିଥିବା ମତ ଆହୁରି ଦୃଢ଼ୀଭୂତ ହେଲା । ଆନନ୍ଦପୁରମର ଅନେକ ପୁରୁଣା ଦାଗୀଙ୍କୁ ଧରି ଥାନାକୁ ନେଇ ପଚରା ଉଚ୍ଚରା କରାଗଲା । ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଲେ ।

 

ଏହାପରେ ଅଧିକ ଯତ୍ନ ସହକାରେ ବ୍ୟାପକ ଅଞ୍ଚଳରେ ଅନୁସନ୍ଧାନ ହେଲା । କଣ୍ଟାବୁଦା ଉପରେ ଶୁଖିଲା ଶଯ୍ୟାରେ ରକ୍ତର ଦାଗ ଦେଖାଗଲା ଓ ପିନ୍ଧା ଲୁଗାର କେତେ ଖଣ୍ଡ ଚିରା କନା ମିଳିଲା । ନାଳ ଆର ପାଖରେ ଗୋଟିଏ ବାଘର ପାଦଚିହ୍ନ ଦେଖାଗଲା । ତେଣିକି ଆଉ କିଛି ସଙ୍କେତ ମିଳିଲାନାହିଁ ।

 

ସେ ସକାଳେ ସେହି ଅଞ୍ଚଳରେ ସାଧାରଣତଃ ବାଘ ଦେଖାଯାଉଥିଲେ । ଏ ସ୍ଥଳରେ ଲୋକଟିର ହଜିବା ସହିତ ବାଘର ସମ୍ପର୍କ ଥିବା ବିଷୟରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନଥିଲା । କେବଳ ଗୋଟାଏ କ୍ଷୀଣ ସନ୍ଦେହ ହେଲା ଯେ ଲୋକଟାକୁ ବାଘ ନେଇଯାଇଥାଇପାରେ । ବାଘର ପାଦଚିହ୍ନ ଏକ ଆକସ୍ମିକ ଘଟନା ହୋଇଥାଇପାରେ । ଏହି ରହସ୍ୟର କୌଣସି ସମାଧାନ ହୋଇପାରିଲା ନାହିଁ ।

 

ଲୋକ ଜଣକ ହଜିବାର ଦୁଇ ସପ୍ତାହ ପରେ ଜଣେ ଲୋକ ସାଇକେଲ ଚଢ଼ି ଏକା ଏକା କୁମସିଠାରୁ ଚାରିମାଇଲ ଦୂରବର୍ତ୍ତୀ ଚୋରଦିକୁ ଯାଉଥିଲା । ଚୋରଦିଠାରୁ ଅଧମାଇଲ ପଛରେ ରାସ୍ତାରେ ନଦୀ ଉପରେ ଗୋଟିଏ ପୋଲ ଅଛି । ରାସ୍ତାର ଦୁଇ ପାଖେ ଚୂନରେ ପାରାପେଟ ତିଆରି ହୋଇଅଛି । ସାଇକେଲରେ ବସି ଲୋକଟି ଯାଉ ଯାଉ ଦେଖିଲା ଠିକ୍ ତା ତଳକୁ ପୋଲତଳେ ଗୋଟାଏ ବାଘ ନଈରୁ ପାଣି ପିଉଅଛି । ସେ ବାଘଠାରୁ ଦୂରରେ ନିରାପଦ ସ୍ଥାନରେ ଥିଲା । ସାଇକେଲରେ ବ୍ରେକ ଦେଇ, ଗୋଟାଏ ଗୋଡ଼ ପାରାପେଟ ଉପରେ ରଖି ନିଜ ସିଟ୍ ଉପରେ ବସି ସେ ବାଘକୁ ଚାହିଁ ରହିଲା ।

 

ବାଘଟା ପାଣି ପିଇସାରି ବୁଲିପଡ଼ି ନଈ କୂଳକୁ ଉଠିଲା । ମୁହୂର୍ତ୍ତକ ପରେ ସେ ବୁଦାଜଙ୍ଗଲ ଭିତରେ ଲୁଚିଯିବ । ତେଣୁ ମଜା ଦେଖିବାପାଇଁ ଲୋକଟି ତୁଣ୍ଡରେ ଖୁବ୍ ଜୋରରେ ‘ସୁ–ସୁ–ସୁ’ ଶବ୍ଦ କଲା । ବାଘଟା ମୁହୂର୍ତ୍ତେ ଛିଡ଼ା ହୋଇଗଲା; ମୁହଁ ବୁଲାଇ ପଛଆଡ଼କୁ ଚାହିଁଲା ଓ ସାଇକେଲ ଚଢ଼ାଳିକୁ ଦେଖି ଘୁଁ–ଘୁଁ ହୋଇ ବିକଟ ଗର୍ଜନ କଲା ।

 

ତତକ୍ଷଣାତ୍ ଲୋକଟି ପାରାପେଟରୁ ଗୋଡ଼ଟି କାଢ଼ି ଆଣି, ପେଡ଼ାଲ ଉପରେ ରଖି ଯଥାଶକ୍ତି ଚୋରଦିରେ ପହଞ୍ଚିଲା । ସେଠାରେ ସେ ତାର ବନ୍ଧୁମାନଙ୍କୁ କହିଲା–ଗୋଟାଏ ବଦମାସ ବାଘ ମୋତେ ଧରିବାକୁ ଆସୁଥିଲା । ଭଗବାନଙ୍କ ଦୟାରୁ ମୁଁ ତା ପାଖରୁ ଖସିଆସିଲି ।

 

ଏହାପରେ ମାସେ ଖଣ୍ଡେ ପର୍ଯ୍ୟନ୍ତ ଆଉ କିଛି ଘଟିଲାନାହିଁ । ତାହାପରେ ବାଘ ଜଣେ ଲୋକକୁ ମାରିଥିବାର ସ୍ପଷ୍ଟ ପ୍ରମାଣ ମିଳିଲା । ଏହା ହେଉଛି ସେ ବାଘର ପ୍ରଥମ ମନୁଷ୍ୟ ଶିକାର । ଏହା ଘଟନାସ୍ଥଳ ହେଉଛି ଚୋରଦି ଓ ଆନନ୍ଦପୁରମ୍ ରାସ୍ତାର ପ୍ରାୟ ମଧ୍ୟ ସ୍ଥଳରେ ଅବସ୍ଥିତ ତୁପପୁର ନାମକ ଏକ ଗ୍ରାମରେ । ରାସ୍ତାର ଏକ ପାଖରେ ଏହି ଗ୍ରାମ ଅବସ୍ଥିତ । ସେହି ଗ୍ରାମର ଜଣେ ସ୍ତ୍ରୀ ଲୋକ ତାର ମଇଁଷିକୁ ଗାଧୋଇବା ପାଇଁ ଗ୍ରାମର ପଛପଟେ ବହୁଥିବା ନଈକୁ ନେଇ ଯାଇଥିଲା । ମଇଁଷି ପାଣିରେ ମୁଣ୍ଡକୁ ଟେକି ଦେହକୁ ବୁଡ଼ାଇ ନଈ ଅତଡ଼ାରେ ବସିଥିଲା । ଏହି ସମୟରେ ବାଘ ତା ଉପରେ କୁଡ଼ିଗଲା । ଠିକ୍ ସେତିକି ବେଳକୁ ଗାଆଁ ର ଆଉ ଜଣେ ସ୍ତ୍ରୀ ଲୋକ ନଈରୁ ମାଠିଆରେ ପାଣି ଆଣି ପ୍ରଥମ ସ୍ତ୍ରୀ ସହିତ ଦିପଦ କଥାବାର୍ତ୍ତା ହୋଇ ଘର ଆଡ଼କୁ ଯାଉଥିଲା । ସେ ଶହେ ଗଜ ବାଟ ଯାଇ ନଥିବ, ଏହି ସମୟରେ ସେ ଗୋଟାଏ ବିକଳ ଚିତ୍କାର ଶୁଣି ପଛକୁ ଚାହିଁଲା । ଦେଖିଲା, ମୁହୂର୍ତ୍ତକ ଆଗରେ ତାର ସାଥୀକୁ ଗୋଟାଏ ବାଘ ଦାନ୍ତରେ କାମୁଡ଼ି ଧରି ଚାଲିଯାଉଛି ।

 

ସ୍ତ୍ରୀ ଲୋକଟି ପାଣି ମାଠିଆ ଫିଙ୍ଗି ଦେଇ ଘରକୁ ଦୌଡ଼ିଲା । ଏଣେ ବାଘ ଅପର ସ୍ତ୍ରୀ ଲୋକଟିକୁ ଧରି ଜଙ୍ଗଲ ଭିତରେ କେଉଁଠି ଲୁଚିଗଲା ।

 

ଏଭଳି ଘଟନାରେ ସାଧାରଣତଃ ଯାହା ହୋଇଥାଏ, ଏ କ୍ଷେତ୍ରରେ ମଧ୍ୟ ତାହା ହିଁ ହେଲା । ସ୍ତ୍ରୀ ଲୋକ ଖୋଜିବା ପାଇଁ ଯଥେଷ୍ଟ ସାହସୀ ଲୋକ ବାହାରିବାକୁ କିଛି ସମୟ ଲାଗିଲା । ଶେଷରେ ସେମାନେ ଯାଇ ତା ଦେହର ଯାହା କିଛି ଅବଶେଷ ଥିଲା, ତାହା ଦେଖିଲେ ।

 

ଏହା ହେଲା ବାଘର ପ୍ରଥମ ଶିକାର । ଏହା ପରେ ଜଣ ଜଣ ହୋଇ ଅନେକ ଲୋକ ତା କବଳରେ ପଡ଼ିଲେ । ଶିରାବତୀ ନଦୀର ଅପର ତୀରବର୍ତ୍ତୀ ଯୋଗ ଜଳପ୍ରପାତ ନିକଟରୁ ବମ୍ବେଇ ପର୍ଯ୍ୟନ୍ତ ଯାଇଥିବା ଅଞ୍ଚଳରେ ଏହି ସବୁ ଲୋକଙ୍କର ମୃତ୍ୟୁ ଘଟିଥିଲା ।

 

ସରକାରୀ ସିରସ୍ତା ଖୁବ୍ ଧୀର ଗତିରେ କାମକରେ । ଅନେକ ଦିନ ପରେ ଏହି ଅଞ୍ଚଳରେ ରିଜର୍ଭ ଜଙ୍ଗଲରେ ଲୋକ ସାଧାରଣ ପ୍ରବେଶ କରି ସେ ବାଘକୁ ମାରିପାରିବେ ବୋଲି ଜଣାଇ ଦିଆଗଲା ।

 

ଅନେକ ଉତ୍ସାହୀ ଲୋକ ବାହାରି ପଡ଼ିଲେ । ସେମାନଙ୍କ ଭିତରେ ବହୁ ସଂଖ୍ୟକ ବମ୍ବେଇ ପ୍ରଦେଶର ଲୋକ ଥିଲେ । ସେମାନେ ଯଥେଷ୍ଟ ଶ୍ରମ ସ୍ଵୀକାର କରି ବହୁତ ଚେଷ୍ଟାକଲେ; କିନ୍ତୁ ବାଘକୁ ମାରିବା କାହାରି ଭାଗ୍ୟରେ ଘଟିଲାନାହିଁ । ତାକୁ ଆକୃଷ୍ଟ କରିବାପାଇଁ ଯେତେ ଗୋରୁ ବା ମଇଁଷି ବନ୍ଧାଗଲେ, ସେଥିରୁ କାହାରିକୁ ସେ ବାଘ ଛୁଇଁଲା ନାହିଁ । ଏଣେ ତାର ମଣିଷ ମାରିବା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା ।

 

ଜାକ ହାଉଟନ ବୋଲି ମୋର ଜଣେ ବନ୍ଧୁ ଥିଲେ । ତାଙ୍କର ଡାକ ନାମ ଥିଲା ଲପ୍‌ଟି (Lofty) ଅର୍ଥାତ୍ ଡେଙ୍ଗା । ଏପରି ନାମ ଦିଆଯିବାର କାରଣ ହେଲା ସେ ଥିଲେ ଛଅ ଫୁଟ ଚାରି ଇଞ୍ଚ ଉଚ୍ଚ ଓ ସେହି ଅନୁପାତରେ ମୋଟା । ଏହି ବାଘକୁ ମାରିବାପାଇଁ ଚେଷ୍ଟା କରିବେ ବୋଲି ସ୍ଥିର କରି ତାଙ୍କ ସଙ୍ଗେ ଯିବାପାଇଁ ମୋତେ ଡକାଇଲେ । ମୋର ଯେତେଦୂର ମନେ ହୁଏ, ବାଘ ମଣିଷ ଖାଇବା ଆରମ୍ଭ କରିବାର ପ୍ରାୟ ବର୍ଷକ ପରେ ଆମେ ଦୁହେଁ ଯାଇଥିଲୁ ।

 

କୌଣସି ନା କୌଣସି କାରଣରୁ, ଖୁବ୍ ସମ୍ଭବ ମୋର ପ୍ରାପ୍ୟ ଛୁଟି ଆଉ ଅଧିକ ନ ଥିବା ହେତୁ, ମୁଁ ମାତ୍ର ଏକ ସପ୍ତାହ ପାଇଁ ତାଙ୍କ ସାଙ୍ଗରେ ଯାଇଥିଲି । ମୁଁ ତାଙ୍କୁ ଆଗରୁ କହିଦେଇଥିଲି, ଏଇ ସପ୍ତାହକ ସରିଲା କ୍ଷଣି ମୁଁ ମୋ କାମକୁ ଫେରିଯିବି । ଆମେ ଦୁହେଁ ତାଙ୍କର ୧୯୩୧ ‘ଏ’ ମଡ଼େଲ ଫୋର୍ଡ଼ ଗାଡ଼ିରେ ବସି ବାହାରିଲୁ । କଥା ହେଲା, ସପ୍ତାହକ ପୂରିଗଲେ, ମୁଁ ରେଳଯୋଗେ ବାଙ୍ଗାଲୋରକୁ ଫେରିଆସିବି; କିନ୍ତୁ ସେ ଆଉରି ମାସେ ଖଣ୍ଡେ ରହିବେ ।

 

ଆମେ ମୋଟରରେ ବାଙ୍ଗାଲୋରଠାରୁ ଯାଇ ଶିମୋଗାରେ ପହଞ୍ଚିଲୁ । ସଗର ଫରେଷ୍ଟ ରେଞ୍ଜର ଜିଲା ଫରେଷ୍ଟ ଅଫିସରଙ୍କୁ ଭେଟିବାକୁ ଆମେ ଓଳିଟିଏ ଶିମୋଗାରେ ରହିଲୁ । ବାଘର ଯେତେ ମଣିଷ ଖିଆ ଘଟିଥିଲା ସେସବୁ ଏହି ସଗର ରେଞ୍ଜରେ ହିଁ ଘଟିଥିଲା । ତାଙ୍କୁ ଭେଟିବାରେ ଆମର ଉଦେଶ୍ୟ ଥିଲା, କେଉଁ କେଉଁ ସ୍ଥାନରେ ଓ ଠିକ୍‍ କେଉଁ ତାରିଖରେ ବାଘ ମନୁଷ୍ୟକୁ ଆକ୍ରମଣ କରିଥିଲା, ତାହା ଜାଣିବା । ଏ ସବୁ ଜାଣିଲେ ଆମେ ବାଘର ଆକ୍ରମଣର ସୀମା ଓ ତାର ଗତିପଥ ବିଷୟରେ ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିବାର ସମ୍ଭାବନା ଥିଲା ।

 

ଏଥି ପୂର୍ବରୁ ମୁଁ ବୁଝାଇ ଦେଇଛି ଯେ ମଣିଷଖିଆ ବାଘମାନେ ସାଧାରଣତଃ ଗୋଟାଏ ନିର୍ଦ୍ଦିଷ୍ଟ ପଥରେ ଓ ନିର୍ଦ୍ଦିଷ୍ଟ ରୀତିରେ ବୁଲନ୍ତି । ଗୋଟାଏ ମାନଚିତ୍ରରେ ଯେଉଁ ଯେଉଁ ଗ୍ରାମରେ ବା ଗ୍ରାମ ନିକଟରେ ମଣିଷ ମାରିଥାଏ, ସେ ସବୁ ଚିହ୍ନିତ କରି ପ୍ରତ୍ୟେକରେ ମଣିଷଖାଇବାର ତାରିଖ ଦେଲେ, ସେଥିରୁ ସେ ବାଘର ଶିକାର କରିବାର ସୀମା ଜଣାଯିବ ଓ ତାକୁ ଶିକାର କରିବା ପାଇଁ ଚେଷ୍ଟାହେବା ଦିନ ସେ କେଉଁଠାରେ ଥିବ, ତାହା ମୋଟାମୋଟି ହିସାବ କରି କହିହେବ ।

 

ଆମେ ମାନଚିତ୍ରରେ ପ୍ରତି ଘଟନାର ସ୍ଥାନରେ ଚିହ୍ନ ଓ ତାରିଖ ଦେଇ ଜାଣିଲୁ ଯେ ଏହି ବାଘ ରାସ୍ତାଠାରୁ ଅଳ୍ପ କେତେ ମାଇଲ ଓସାରରେ କୁମ୍‌ସି ଓ ଶିରାବତୀ ନଦୀର ଅପର ତୀର ପର୍ଯ୍ୟନ୍ତ ଅଞ୍ଚଳ ଭିତରେ ଉତ୍ପାତ କରୁଥିଲା । ବମ୍ବେଇ ଡାକବଙ୍ଗଳା ଥିଲା ତା କର୍ମକ୍ଷେତ୍ରର ଶେଷ ସୀମା ।

 

ଏଇଟି ହେଉଛି ଗୋଟିଏ ଘନ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳ; ତା ଭିତରେ କାଁ ଭାଁ ଗୋଟାଏ ଗୋଟାଏ ଛୋଟ ଗାଆଁ । ସେହି ସବୁ ଗାଆଁର ଲୋକମାନଙ୍କର ଏକ ମାତ୍ର ବ୍ୟବସାୟ ହେଉଛି ଗୋରୁପଲ ଚରାଇବା । ପ୍ରତି ମାସରେ ବାଘ ଚିତାବାଘମାନେ ଏହି ଅଞ୍ଚଳରେ ଅନେକ ଗୋରୁ ଗାଈ ମାରିଥାନ୍ତି । ତେଣୁ ଆମେ ଖୋଜୁଥିବା ମଣିଷଖିଆ ବାଘ ସେ ଗୋରୁଗାଈ ମଧ୍ୟ ମାରୁ ନ ଥିବ, ତାହା କିଏ କହିବ ? ଆମେ ଧରିନେଲୁ ଯେ ସେ ଗାଈ ଗୋରୁ ମଧ୍ୟ ଖାଉଥିବ; କାରଣ ଗୋଟାଏ ମଣିଷ ଖାଇବାଠାରୁ ଆଉ ଗୋଟାଏ ମଣିଷ ଖାଇବା ଭିତରେ ଯେତେ ଦିନର ବ୍ୟବଧାନ ଦେଖାଗଲା, ସେତେଦିନ ଯାଏ କିଛି ନଖାଇ ରହୁଥିବା ସମ୍ଭବନୁହେଁ । ତେଣୁ ସେ ନିଶ୍ଚୟ ଗାଈଗୋରୁ ମଧ୍ୟ ଖାଉଥିବ; କିନ୍ତୁ ସ୍ଥାନୀୟ ଲୋକମାନଙ୍କର ମତ ହେଲା ମଣିଷଖିଆ ବାଘ ଗୃହପାଳିତ ଜୀବଙ୍କର ମାଂସ ଛୁଇଁବ ନାହିଁ ।

 

ତୁପ୍‌ପୁର ଗାଆଁଠାରୁ ଅଧ ମାଇଲ ଦୂରରେ ଫରେଷ୍ଟ ବିଭାଗରେ ଗୋଟିଏ ଛୋଟ ଡାକ ବଙ୍ଗଳା ଅଛି । ଲଫଟି ସେହିଠାରେ ଡେରା ପକାଇବାକୁ ସ୍ଥିରକଲେ । ଏହା ରାସ୍ତାଧାରରୁ ପ୍ରାୟ ଦୁଇଶହ ଗଜ ଦୂରରେ ଜଙ୍ଗଲ ଭିତରେ ଅବସ୍ଥିତ । ପାଖ ବଣରେ ବହୁ ସଂଖ୍ୟାରେ ଖାଦ୍ୟୋପଯୋଗୀ ପଶୁପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରେ କୃଷ୍ଣସାରଙ୍କ ସଂଖ୍ୟା ଖୁବ୍ ବେଶି । ସେ ବର୍ଷ କେତେକ ଅଣ୍ଡିରା କୃଷ୍ଣସାରଙ୍କ ମୁଣ୍ଡରେ ଅତି ସୁନ୍ଦର ଶିଙ୍ଗ ହୋଇଥିବା ଆମେ ଦେଖିଲୁ ।

 

ଲଫ୍‌ଟି ବେଶ୍ ଧରାବନ୍ଧା ରୀତିରେ କାମ ଆରମ୍ଭ କରିଦେଲେ । ସେ ଥୋପେ ବସାଇବା ପାଇଁ ତିନୋଟି ଜନ୍ତୁ କିଣି ଆଣିଲେ । ସେଥିରୁ ଯୋଡ଼ିଏ ଥିଲେ ମଇଁଷି ପଣ୍ଡା ଓ ଅନ୍ୟଟି ଥିଲା ନିତାନ୍ତ ବୁଢ଼ା ଅଣ୍ଡିରା ମଇଁଷି । ସାଇକେଲ ଚଢ଼ାଳି ଯେଉଁଠାରେ ବାଘକୁ ଦେଖିଥିଲେ, ସେଠାରେ ଗୋଟିଏ ମଇଁଷି ଛଡ଼ା ବନ୍ଧାଗଲା; ତୁପ୍‌ପୁର ଗ୍ରାମର ସ୍ତ୍ରୀଲୋକଟିକୁ ଯେଉଁଠାରେ ବାଘ ଟେକି ନେଇଥିଲା, ସେଠାରେ ବୁଢ଼ା ମଇଁଷିଟି ବନ୍ଧାହେଲା । ଅବଶିଷ୍ଟ ମଇଁଷି ପଣ୍ଡାଟିକୁ ବାନ୍ଧିଲୁ ଆନନ୍ଦପୁରମ୍ ରାସ୍ତା ପାଖରେ–ଯେଉଁ ରାସ୍ତାରେ ହଜିଥିବା ଲୋକଟି ଘରକୁ ଫେରୁଥିଲା ।

 

ଏହି ବ୍ୟବସ୍ଥା କରିସାରି ଆମେ ମୋଟରରେ ଗଲୁ ଯୋଗ ଜଳପ୍ରପାତ ପାଖକୁ । ସେଠାରେ ଦୁଇଟି ମଇଁଷି ପଣ୍ଡା ଯୋଗାଡ଼ କରି ଗୋଟିକୁ ବାନ୍ଧିଲୁ ବମ୍ବେଇ ବଙ୍ଗଳାଠାରୁ ପ୍ରାୟ ଅଧ ମାଇଲ ଦୂରରେ । ଅନ୍ୟଟିକୁ ନେଇ ଶୀରାବତୀ ନଦୀର ଦକ୍ଷିଣ ତୀରରେ ଏକ ସ୍ଥାନରେ ବାନ୍ଧିଲୁ । ଏହି ସ୍ଥାନର ନିକଟରେ ନଦୀ ଘାଟ, ମହୀଶୂର ଡାକ ବଙ୍ଗଳା ଓ ବମ୍ବେଇ ଡାକ ବଙ୍ଗଳା ମଧ୍ୟରେ ଲୋକେ ନୌକା ସାହାଯ୍ୟରେ ଯିବା ଆସିବା କରନ୍ତି । ଜଳପ୍ରପାତ ପାଖରୁ ନଦୀର ଦୂରତା ପ୍ରାୟ ଏକ ମାଇଲ ।

 

ଲଫ୍‌ଟି ପାଞ୍ଚୋଟି ଜନ୍ତୁ ଥୋପ ବସାଇବା ପାଇଁ କିଣିଥିଲେ ଓ ସେଥିରେ ତାଙ୍କର ଅନେକ ଗୁଡ଼ିଏ ତାଙ୍କ ଖର୍ଚ୍ଚ ହୋଇଯାଇଥିବା କଥା ମୋର ମନେ ଅଛି । ପ୍ରସ୍ତାବ ହେଲା, ଆମେ ଦିନେ ତୁପ୍‌ପୁର ଫରେଷ୍ଟ ଲଜ୍ ରେ ରହିଲେ ତା ପରଦିନ ବମ୍ବେଇ ଡାକବଙ୍ଗଳାରେ ରହିବୁ; ତା ପରଦିନ ପୁଣି ଫରେଷ୍ଟ ଲଜ୍‌ରେ । ତାହାହେଲେ ଆମେ ଯେଉଁଦିନ ଯେଉଁଠାରେ ରାତିରେ ରହିବୁ, ତାହା ପରଦିନ ତାର ନିକଟବର୍ତ୍ତୀ ‘ଥୋପ’ର ଅବସ୍ଥା ଦେଖି ପାରିବୁ ଓ ତାହା ପରେ ମୋଟରରେ ଯାଇ ଅନ୍ୟ ସ୍ଥାନରେ ପର ରାତ୍ରିଟି କଟାଇବୁ ।

 

ମୋର ପ୍ରଣାଳୀ ଅନୁସାରେ ମୁଁ ନଅଟି ସ୍ଥାନ ଓ ନଅଟି ତାରିଖ ମାନଚିତ୍ରରେ ଚିହ୍ନିତ କରିଥିଲି । ସେଥିରୁ ହିସାବ କରି ଦେଖିଲି ବାଘଟା ବର୍ତମାନ ସଗର ଓ ଆନନ୍ଦପୁରମ୍ ର ମଧ୍ୟବର୍ତ୍ତୀ ଅଞ୍ଚଳରେ କିମ୍ବା ତାର ପ୍ରାୟ ମଝିରେ ଥିବ ।

 

ଏହି ହିସାବ ଅନୁସାରେ ତୃତୀୟ ଦିନ ନିଜେ ଗୋଟିଏ ମଇଁଷି କିଣିଲି ଓ ତାକୁ ନେଇ ସଗର ଓ ଆନନ୍ଦପୁରମ୍ ମଝିରେ ସଦର ରାସ୍ତାଠାରୁ ପ୍ରାୟ ଏକ ଫର୍ଲଙ୍ଗ ଦୂରରେ ବାନ୍ଧିଲି । ତୁପ୍‌ପୁର ବଙ୍ଗଳାରୁ ଯୋଗ ଯିବା ବାଟରେ ଦିନ ପ୍ରାୟ ଦୁଇଟାବେଳେ ମଇଁଷି ବନ୍ଧାହେଲା ।

 

ପର ଦିନ ବଡ଼ ସକାଳୁ ଆମେ ଦୁହେଁ ଯାଇ ଜଳପ୍ରପାତର ନିକଟରେ ବନ୍ଧା ହୋଇଥିବା ଜନ୍ତୁ ଦୁଇଟିଙ୍କୁ ଦେଖିବାକୁ ଗଲୁ । ଦୁଇଟିଯାକ ଜୀଇଁ ରହିଥିଲେ । ତାହାପରେ ଆମେ ତୁପ୍‌ପୁର ଆଡ଼େ ଚାଲିଲୁ । ବାଟରେ ମୁଁ ବାନ୍ଧିଥିବା ମଇଁଷିକୁ ଦେଖିବାକୁ ଗଲୁ । ମୋ ମଇଁଷି ମରିପଡ଼ିଥିଲା । ତାକୁ ଯେ ବାଘ ମରିଥିଲା ଏଥିରେ ସନ୍ଦେହ ନ ଥିଲା ।

 

ଲଫ୍‌ଟି ଜଣେ ଭଲ ଶିକାରୀ ଓ ଏହି ‘ଥୋପ୍’ କିଣିବାପାଇଁ ମୁଁ ଟଙ୍କା ଦେଇଥିବାରୁ ସେ ଜିଦ୍ କଲେ ଯେ ମୁଁ ଏ ବାଘକୁ ମାରିବି; କିନ୍ତୁ ସେ ଏହି ବାଘକୁ ଶିକାର କରିବାପାଇଁ କେତେ ଦୂର ଆଗ୍ରହୀ ମୋତେ ଜଣାଥିଲା । ତେଣୁ ଆମ ଦୁହିଁଙ୍କ ଭିତରୁ କିଏ ବାଘକୁ ଶିକାର କରିବ, ସେ ବିଷୟରେ ବହୁତ ଯୁକ୍ତିତର୍କ ହେଲା । ଶେଷରେ ଧର୍ମଗୁଳା ପକାଗଲା ଓ ଲଫ୍‌ଟିଙ୍କର ଜୟହେଲା ।

 

ଲଫ୍‌ଟିଙ୍କୁ ଗୋଟିଏ ଗଛର ଗୋଟିଏ ଦୋକନା ଉପରେ ବସାଇ ଦେଇ ମୁଁ ତାଙ୍କର ମଞ୍ଚା ନେଇଆସିବାକୁ ମୋଟରରେ ଗଲି । ଆମେ ସେଦିନ ଏହି ଦରକାରୀ ଜିନିଷକୁ ସାଥିରେ ନେବାକୁ ଭୁଲିଯାଇଥିଲୁ । ଲଫ୍‌ଟିଙ୍କର ମଞ୍ଚାଟି ଚାରିଖଣ୍ଡ ବାଉଁଶ ସାହାଯ୍ୟରେ ନିର୍ମିତ । ପ୍ରତ୍ୟେକ ବାଉଁଶ ଖଣ୍ଡର ଲମ୍ବ ଚାରିଫୁଟ । ଏହି ଚାରିଖଣ୍ଡି ବର୍ଗାକାରରେ ଖଞ୍ଜା ହୋଇ ସେଥିରେ ଫିତା ବୁଣାଯାଇଥିଲା । ଚାରିକଣ ମୋଟା ଦଉଡ଼ିରେ ବନ୍ଧା ହୋଇଥିଲା । ତାହାରି ସାହାଯ୍ୟରେ ଏହାକୁ ଗଛ ଡାଳରେ ବନ୍ଧାଯାଇ ପାରିଥିଲା । ମଞ୍ଚାସଙ୍ଗେ ଆମକୁ ମଞ୍ଚା ବାନ୍ଧିବାରେ ସାହାଯ୍ୟ କରିବା ପାଇଁ ମୁଁ ତୁପ୍‌ପୁର ଗାଆଁରୁ ତିନି ଜଣ ଲୋକ ଆଣି ଆସିଲି ।

 

ଲୋକେ ମଞ୍ଚା ବାନ୍ଧିବାରେ ଲାଗିଲେ । ଆମେ ଦୁହେଁ ରାସ୍ତା ଧାରରେ ବସି ବସି ଜଳଖିଆ ଯାହା ଥିଲା ତାକୁ ଖାଇଲୁ । ସେମାନେ ଭଲରୂପେ ମଞ୍ଚାକୁ ବାନ୍ଧି ତାଳପାତ୍ରରେ ଲୁଚାଇ ଦେଲେ । ଲଫ୍‌ଟି ଗାଡ଼ିର ପଛସିଟ୍ ରେ ଟିକିଏ ଶୋଇପଡ଼ିଲେ । ମୁଁ ଲୋକ ତିନିଜଣଙ୍କ ସାଥିରେ ଗପ କରୁଥାଏଁ । ଆମେ ଏପରି ନିର୍ଭୟଭାବରେ ଗପ କରିବାର କାରଣ ହେଲା, ସେଦିନ ବାଘ ସନ୍ଧ୍ୟାପୂର୍ବରୁ ଆସିବାର ଆଦୌ ସମ୍ଭାବନା ନ ଥିଲା ।

 

ଚାରିଟାବେଳେ ମୁଁ ଲଫ୍‌ଟିଙ୍କୁ ଉଠାଇଦେଲି ଓ ସେ ତାଙ୍କ ସମସ୍ତ ଉପକରଣ ଘେନି ମଞ୍ଚା ଉପରକୁ ଉଠିଲେ । ତାଙ୍କର ଅସ୍ତ୍ରଟି ଥିଲା ଗୋଟିଏ ୮–ଏମ୍ ଏମ୍ ମଶର୍ ରାଇଫଲ୍ (8mm Mauser Rifle) । ଏଇଟି ବେଶି ସଫା ସୁତୁରା ଓ ଖୁବ୍ କାର୍ଯ୍ୟକ୍ଷମ । ଲଫ୍‌ଟି ଏହାର ଗୋଟାଏ ନାଆଁ ଦେଇଥିଲେ–ଶର୍ଟି ବିଲ୍ (Shorty Bill) । ମୁଁ ତାଙ୍କୁ କହିଲି–ଭାଗ୍ୟ ତୁମର ଅନୁକୂଳ ହେଉ । ମୁଁ କାଲି ଭୋରରୁ ଆସି ପହଞ୍ଚିବି । ମୁଁ ତୁପ୍‌ପୁରରେ ଲୋକ ତିନି ଜଣଙ୍କୁ ଛାଡ଼ିଦେଲି ଡାକବଙ୍ଗଳାରେ ରାତିଟି କଟାଇବା ଉଦ୍ଦେଶ୍ୟରେ ଆନନ୍ଦପୁରମକୁ ଚାଲିଆସିଲି । ମଇଁଷିର ମଡ଼ା ପାଖରେ ଯେଉଁଠି ଲଫ୍‌ଟିଙ୍କୁ ଛାଡ଼ି ଆସିଥିଲି ସେଠାରୁ ଆନନ୍ଦପୁରମ୍ ବେଶି ଦୂର ହବନାହିଁ ।

 

ପରଦିନ ଖୁବ୍ ଭୋରରୁ ଲଫ୍‌ଟି ଯେଉଁଠାରେ ଗଛରେ ବସିଥିଲେ, ତାହାରି ସିଧାରେ ମୁଁ ରାସ୍ତା ଉପରେ ପହଞ୍ଚି ମୋଟର ହର୍ନରେ ଟୁଉ ଟୁଉ ଶବ୍ଦକଲି । ସେ କୁଉ–କୁଉ ଶବ୍ଦକରି ମୋତେ ଉତ୍ତର ଦେଲେ । ଆମେ ପୂର୍ବଦିନ ପରସ୍ପରଠାରୁ ବିଦାୟନେଲାବେଳେ ସ୍ଥିର କରିଥିଲୁ ଯେ ଏହି ଠାରଦ୍ଵାରା ଜଣାଇ ଦେବୁ ଯେ ସବୁ ଠିକ୍ ଅଛି ।

 

ମୁଁ ଗଛ ପାଖକୁ ଚାଲିଲି । ମଝିବାଟରେ ଲଫ୍‌ଟିଙ୍କ ସହିତ ମୋର ଭେଟ ହେଲା । ସେ କହିଲେ ଯେ ସେ ବାଘକୁ ଗୁଳି କରିଛନ୍ତି । ବାଘ ଯେତେବେଳେ ଆସିବ ବୋଲି ଆମେ ଭାବିଥିଲୁ ତାହା ଆଗରୁ ଆସିଥିଲା–ଠିକ୍ ଅନ୍ଧାର ହେବା ପୂର୍ବରୁ ।

 

ସେ ସଫଳ ହୋଇଥିବା ସମ୍ବାଦରେ ମୁଁ ଆନନ୍ଦିତ ହେଲି । ଲଫ୍‌ଟି ଆନନ୍ଦରେ ଫାଟି ପଡ଼ୁଥିଲେ । ମୁଁ ବାଘକୁ ଦେଖିବା ପାଇଁ ତାଙ୍କ ସଙ୍ଗେ ସଙ୍ଗେ ଚାଲିଲି । ଦେଖିଲି, ସେଇଟି ଗୋଟିଏ ବଡ଼ ସୁନ୍ଦର ଅଣ୍ଡିରା ବାଘ । ଯୌବନ ଅବସ୍ଥା । ଦେହରେ ସୁନ୍ଦର ପଟା ପଟା କଳାଦାଗ ଅଛି ।

 

ମୁଁ ଲକ୍ଷ୍ୟକଲି, ଯେ ଏହା ହେଉଛି ଗୋଟିଏ ସାଧାରଣ ବାଘ । ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା ଯେ ସେ ମଣିଷଖିଆ ବାଘ ଦେହରେ କେଶର ଅଛି । ଏହି ବିଶେଷ ଲକ୍ଷଣଟିଏ ବାଘ ଦେହରେ ଆଦୌ ନ ଥିଲା । ଲଫ୍‌ଟି ଆନନ୍ଦର ଆତିଶଯ୍ୟରେ ଏହି କଥାଟି ଏକବାରେ ଭୁଲିଯାଇଥିଲେ; କିନ୍ତୁ ତାଙ୍କୁ କହିବା ପାଇଁ ମୋର ମନ ହେଲାନାହିଁ ।

 

ତାଙ୍କର ସାଫଲ୍ୟ ଲାଗି ମୁଁ ତାଙ୍କୁ ଆନ୍ତରିକ ସମ୍ବର୍ଦ୍ଧନା ପ୍ରକୃତରେ ଆନ୍ତରିକ ବୋଲି ବୋଧହେଉଥିଲା । ତାଙ୍କର ମୂଲ୍ୟବାନ୍ ପୁରସ୍କାରକୁ ଜଗି ରହିବା ପାଇଁ ମୁଁ ବାଘକୁ ନେବା ସକାଶେ ଚାରିଜଣ ଲୋକ ଓ ବାଉଁଶ ଆଣିବା ପାଇଁ ପୁଣି ତୁପ୍‌ପୁରକୁ ଫେରିଗଲି ।

 

ଲୋକମାନଙ୍କୁ ଘେନି ଆସିବା ପରେ ଆମେ ବାଘର ଚାରିଗୋଡ଼କୁ ବାଉଁଶରେ ବାନ୍ଧିଲୁ ଓ ତାକୁ ଝୁଲାଇ ଝୁଲାଇ ମୋଟର ପାଖକୁ ଆଣିଲୁ । ଲଫ୍‌ଟିଙ୍କ ଗାଡ଼ି ପଛରେ ବାଘର ଓଜନ ସହିବାଭଳି କେରିଅର ନ ଥିବାରୁ ତାକୁ ନେଇ ବନେଟ ଉପରେ ଲମ୍ବକରି ଶୁଆଇ ଦେଲୁ । ଏହା ଫଳରେ ବନେଟ୍ ର ଲୁହା ଚାଦର ଯେ ଖାଲି ଦବିଗଲା ତାହା ନୁହେଁ; ଚଳାଇବାରେ ମଧ୍ୟ ଅସୁବିଧା ହେଲା; କାରଣ ଲଫ୍‌ଟି ଯେତେ ଡେଙ୍ଗା ହେଲେହେଁ ଗାଡ଼ି ଚାଲିଲାବେଳକୁ ବାଘର ଦେହ ଯୋଗୁ ଆଗର ବାଟ ବେଶି ଦୂରକୁ ଦେଖି ହେଲାନାହିଁ । ଆନନ୍ଦପୁରମ୍ ବାଟେ ଗଲାବେଳେ ଲଫ୍‌ଟି ମୋଟର ଅଟକାଇ ସହରର ଲୋକଙ୍କୁ ନିଜର ପୁରସ୍କାରଟି ଦେଖାଇବାକୁ ଲାଗିଲେ । ଏତେବେଳକୁ ତାଙ୍କର ମୋହ ଭାଙ୍ଗିଗଲା । ବହୁ ସଂଖ୍ୟାରେ ଲୋକ ବାଘକୁ ଦେଖିବାପାଇଁ ଆମ ଚାରିପଟେ ବେଢ଼ି ଯାଇଥିଲେ; କିନ୍ତୁ ବାଘକୁ ଦେଖିଲାମାତ୍ରେ ସେମାନେ ପାଟିକଲେ–ସାହେବ, ଏଇଟା ତ ସେ ମଣିଷଖିଆ ବାଘ ନୁହେଁ । ଲଫ୍‌ଟି ବିରକ୍ତହୋଇ କହିଲେ, ଏଇଟା ନିଶ୍ଚୟ ସେହି ମଣିଷଖିଆ ବାଘ । ଆଉ କେଉଁ ବାଘ ହୋଇପାରେ ? ଆଚ୍ଛା, ତୁମେ କିପରି ଜାଣିଲ ଯେ ଏଇଟା ମଣିଷଖିଆ ବାଘ ନୁହେଁ ?” ସେମାନେ ନିଜ କଥାର ସମର୍ଥନ କରି ପଚାରିଲେ, “ସେଇ ବାଘ ହୋଇଥିଲେ, ତାର କେଶର କାହିଁ ?”

 

ଲଫ୍‌ଟି ବିସ୍ମୟରେ ଚାହିଁରହି କହିଲେ, “କେଶର ! ଏବେ ସେ ପ୍ରକୃତ କଥାଟା ବୁଝିପାରିଲେ । ଶେଷରେ ସେ ମୋ ଉପରେ ଦୋଷଦେଲା ଭଙ୍ଗିରେ ମୋତେ ଚାହିଁଲେ; କହିଲେ, “ମୁଁ କେଶର କଥା ଏକବାରେ ଭୁଲିଯାଇଥିଲି । ତାହାହେଲେ ମୁଁ ଭୁଲରେ ଆଉ ଗୋଟାଏ ବାଘ ମାରିପକାଇଛି । “

 

ମୁଁ କହିଲି, “ଲଫଟି, ମୁଁ ବାଘକୁ ଦେଖିଲାବେଳକୁ ସେକଥା ଜାଣିପାରିଥିଲି; କିନ୍ତୁ ମୁଁ ସକାଳେ ତୁମକୁ ଦେଖିଲାବେଳେ ତୁମେ ମଣିଷଖିଆ ବାଘକୁ ମାରିଛ ବୋଲି କହିଲ ଓ ଆନନ୍ଦରେ ଉତ୍‌ଫୁଲ୍ଲ ଥିଲ । ତୁମର ଭ୍ରମ ଦୂରକରି ତୁମ ମନରେ ଆଘାତ ଦେବାକୁ ମୋର ଇଚ୍ଛା ହେଲାନାହିଁ । ବାଘ ପାଖରେ ପହଞ୍ଚିଲା ମାତ୍ରେ ତାର କେଶର ଅଛି କି ନା ମୁଁ ପ୍ରଥମେ ଦେଖିଥିଲି । ଯାହାହେଉ, ତୁମ ପକ୍ଷରେ ତାକୁ ଗୁଳିକରିବା ଛଡ଼ା ଅନ୍ୟ କୌଣସି ପନ୍ଥା ନଥିଲା ।” ମୋ କଥାରେ ଦୃଢ଼ ବିଶ୍ଵାସ ଜନ୍ମାଇବା ପାଇଁ ମୁଁ ପୁଣି କହିଲି, “ବାଘ ଆସିଲାବେଳକୁ ଅନ୍ଧାର ହୋଇଯାଇଥିଲା । ଟର୍ଚ ଲାଇଟ ପକାଇଲେ ସୁଦ୍ଧା ତାର କେଶର ଦେଖାଯାଇ ନଥାନ୍ତା । ଯାହାହେଉ, ଏଇଟି ଗୋଟିଏ ସୁନ୍ଦର ଜାତିଆ ବାଘ; ଏହାର ସଙ୍କେତ ରଖିବାରେ ଗର୍ବ କରିବାର କଥା । ତେଣୁ ବନ୍ଧୁ, ଆନନ୍ଦ କର !”

 

କିନ୍ତୁ ଲଫ୍‌ଟି ଏତେ ସହଜରେ ଆଶ୍ଵସ୍ତ ହୋଇପାରିଲେ ନାହିଁ । ଆମେ ମୋଟରରେ ବସି ତୁପ୍‌ପୁରରେ ପହଞ୍ଚିଲୁ । ଲଫ୍‌ଟି ଏତେ ହତୋତ୍ସାହ ହୋଇଯାଇଥିଲେ ଯେ ବାଘର ଚମଡ଼ା ଉତାରିବାରେ ସେ ଯେଉଁ ଆଗ୍ରହ ପ୍ରକାଶ କରୁଥିଲେ ସେ ଆଦୌ ଆଗ୍ରହ ପ୍ରକାଶ କଲେ ନାହିଁ ଓ ସେ କାମ ଦେଖିବାର ଭାର ପୂରାମାତ୍ରରେ ମୋ ଉପରେ ଛାଡ଼ିଦେଲେ । ମୁଁ କାମ ତଦାରଖ କରୁଥିଲାବେଳେ ସେ ଗୋଟିଏ ଆରାମ ଚୌକିରେ ନିସ୍ତେଜଭାବରେ ପଡ଼ିରହିଲେ । ମଝିରେ ମଝିରେ ମୁଁ ବାଘର ବଡ଼ ବଡ଼ ଦାନ୍ତ, ନଖ, ପଟାପଟା ଦାଗ ଓ ଅନ୍ୟାୟ ବିଶେଷତ୍ଵ ଆଡ଼କୁ ତାଙ୍କର ମନୋଯୋଗ ଆକର୍ଷଣ କରିବାକୁ ଚେଷ୍ଟାକରି ବିଫଳ ହେଲି । ସେ ମୋସଙ୍ଗେ କଥାବାର୍ତ୍ତାରେ ସୁଦ୍ଧା ଆଗ୍ରହ ଦେଖାଇଲେନାହିଁ । ସେ କେବଳ ଏତିକି ମାତ୍ର କହିଲେ–”ବାଘଟା ମଣିଷଖିଆ ବାଘ ନୁହେଁ ବୋଲି ଜାଣିଥିଲେ, ମୁଁ କେବେହେଲେ ତାକୁ ଗୁଳି କରିନଥାନ୍ତି ।”

 

ଦିନବଢ଼ିବା ସଙ୍ଗେ ସଙ୍ଗେ ଲଫ୍‌ଟିଙ୍କର ବିଷାଦ କମିବା ପରିବର୍ତ୍ତେ ବୃଦ୍ଧି ପାଇଲା । ଶେଷରେ ସେ ଜଣାଇଦେଲେ–କାଲି ସକାଳକୁ ଯେବେ ବାଘ ଆଉ ‘ଥୋପ’ ଖାଇ ନଥାଏ, ତେବେ ମୁଁ ବାଙ୍ଗାଲୋର ଚାଲିଯିବି ।

 

ଆରଦିନ ସକାଳେ ଆମେ ଖୁବ୍ ସହଳ ଉଠିଲୁ; କିନ୍ତୁ ଆମ ଏ ମୁଣ୍ଡେ ବନ୍ଧା ହୋଇଥିବା ତିନୋଟିଯାକ ମଇଁଷି ପୂର୍ବପରି ରହିଥିଲେ । ଆମେ ସେଗୁଡ଼ିକୁ ସେମାନଙ୍କର ବିକ୍ରେତାମାନଙ୍କୁ କ୍ରୟ ମୂଲ୍ୟର ଏକଚତୁର୍ଥାଂଶ ମୂଲ୍ୟରେ ଫେରେଇଦେଲୁ । କିଣିଲାବେଳେ ଆମର ସେମାନଙ୍କ ସଙ୍ଗେ ଏହିଭଳି ଚୁକ୍ତି ହୋଇଥିଲା । ତାହାପରେ ଆମେ ଚାଲିଲୁ ଯୋଗ ଜଳପ୍ରପାତ ମୁଣ୍ଡକୁ । ସେଠାରେ ମଧ୍ୟ ଦିଓଟିଯାକ ମଇଁଷି ଅକ୍ଷତ ଅବସ୍ଥାରେ ଥିଲେ । ତୁପ୍‌ପୁର ଭଳି ଏଠାରେ ମଧ୍ୟ ଚୁକ୍ତି ହୋଇଥିଲା ଓ ଆମେ ଜନ୍ତୁ ଦିଓଟିଙ୍କୁ ଚତୁର୍ଥାଂଶ ମୂଲ୍ୟରେ ବିକ୍ରେତାମାନଙ୍କୁ ଫେରାଇଦେଲୁ । ଉପରବେଳା ଶେଷଆଡ଼କୁ ଆମେ (‘A’ model) ‘ଏ’ ମଡ଼େଲ ମୋଟର ଗାଡ଼ିରେ ବସି ବାଙ୍ଗାଲୋର ଚାଲିଗଲୁ । ଏହି ଘଟନାପରେ କେତେକ ମାସଯାଏ ମୁଁ ବାଘର କିଛି ଖବର ପାଇନଥିଲି । ବର୍ଷକ ପରେ ମୁଁ ଖବରକାଗଜରୁ ପଢ଼ିଲି ଯେ କୁମ୍‌ସି ସହରର ଖୁବ୍ ନିକଟରେ ରାସ୍ତାକଡ଼ରେ ଗୋଟାଏ ବାଘ ଜଣେ ଲୋକକୁ ମାରି ପ୍ରାୟ ଗୋଟାସୁଦ୍ଧା ଖାଇଛି । ଲୋକଟି କାଠ ପୋଡ଼ି ଅଙ୍ଗାର ତିଆରି କରେ ।

 

ମୁଁ ଶିମୋଗାରେ ଅବସ୍ଥାପିତ ଡିସଟ୍ରିକ୍‌ଟ ଫରେଷ୍ଟ ଅଫିସରଙ୍କୁ ଲେଖିଲି–ଭବିଷ୍ୟତରେ ଯେବେ କୌଣସିଠାରେ ବାଘ ମଣିଷମାରେ, ତେବେ ଦୟାକରି ମୋତେ ସଙ୍ଗେସଙ୍ଗେ ଖବର ଦେବେ; ସମ୍ଭବ ହେଲେ ଟେଲିଗ୍ରାମ୍ ଦ୍ଵାରା ଜଣାଇବେ ।

 

ମହୀଶୂର ରାଜ୍ୟର ଦକ୍ଷିଣ ପଶ୍ଚିମ ଅଞ୍ଚଳ ମାନ୍ଦ୍ରାଜ ଓ ଚିତୁର ଜିଲାର ଜଙ୍ଗଲଠାରୁ ଶିମୋଗା ଜିଲାର ଜଙ୍ଗଲ ଅନେକ ଦୃଷ୍ଟିରୁ ଭିନ୍ନ । ଏହି ଜିଲାର ଜଙ୍ଗଲମାନଙ୍କ ଭିତରେ ଅନେକ ଛୋଟ ବଡ଼ ଗାଆଁ ଓ ଚାଷଜମି ଅଛି । ଚାଷଜମି ମଧ୍ୟରେ ଧାନର ଚାଷ ପ୍ରଧାନ । ଏହାର ରାସ୍ତାମାନଙ୍କରେ ବହୁତ ଲୋକ ଯିବାଆସିବା କରନ୍ତି; ଗାଡ଼ି, ଶଗଡ଼, ମୋଟର ପ୍ରଭୃତି ମଧ୍ୟ ଚଳାଚଳ ହୁଏ । ଏହିସବୁ କାରଣରୁ ବାଘମାନେ ଏଠାରେ ପ୍ରାୟ ନଥାନ୍ତି କିମ୍ବା ଥିଲେ ସେମାନଙ୍କ ବାସସ୍ଥାନ ସ୍ଥିରକରିବା କଠିନ ବ୍ୟାପାର । ଶିକାରୀମାନେ ନିଜ ବିଦ୍ୟାବୁଦ୍ଧି ପ୍ରୟୋଗ କରି ଶିକାରର ଅନୁସନ୍ଧାନ କରନ୍ତି । ଭାରତର ଅନ୍ୟାନ୍ୟ ଜଙ୍ଗଲମାନଙ୍କରେ ବନ୍ୟ ଆଦିମଜାତିର ଲୋକେ ବାସ କରୁଥିବାର ଦେଖାଯାଏ; କିନ୍ତୁ ଆଶ୍ଚର୍ଯ୍ୟର କଥା, ଶିମୋଗା ଜିଲାର ଜଙ୍ଗଲମାନଙ୍କରେ କୌଣସି ବନ୍ୟଜାତି ନାହାନ୍ତି । ଯେଉଁମାନେ ବଣଭିତରକୁ ଯାଆନ୍ତି, ସେମାନେ ହେଉଛନ୍ତି କେବଳ ମାଲୟାଲି ଜାତିର କୁଲି । ସେମାନେ ଭାରତର ପଶ୍ଚିମ ଉପକୂଳରୁ ବହୁ ସଂଖ୍ୟାରେ ଆସି ମୂଲ ଲାଗନ୍ତି । ଏମାନଙ୍କଠାରୁ କମ୍ ସଂଖ୍ୟାରେ ଆସନ୍ତି ଲମ୍ବାନି ଜାତିର ଲୋକ । ଲମ୍ବାନିମାନେ ହେଉଛନ୍ତି ଭାରତର ଏକ ଭ୍ରାମ୍ୟମାଣ ଜାତି । ବିସ୍ମୟର କଥା ଏହି ଯେ ଏମାନଙ୍କର ପାଶ୍ଚାତ୍ୟ ଜଗତର ରୋମାନି ଜାତି ସହିତ ବହୁତ ସାମ୍ୟ ଦେଖାଯାଏ; କିନ୍ତୁ ଭାରତର ଲମ୍ବାନି ଜାତୀୟ ସ୍ତ୍ରୀମାନଙ୍କ ଚେହେରାରେ କିଛି ବିଶେଷତ୍ଵ ଦେଖାଯାଏ । ସ୍ଥାନୀୟ ଲୋକମାନଙ୍କର ବର୍ନ କୃଷ୍ଣ; କିନ୍ତୁ ସେମାନଙ୍କର ବର୍ନ ସେତେ କଳାନୁହେଁ । ସେମାନଙ୍କର ପରିଚ୍ଛଦ ବିଚିତ୍ର । ସେମାନେ ଅନେକ ଅଳଙ୍କାର ପିନ୍ଧନ୍ତି–ହାତରେ ଅସ୍ଥି ନିର୍ମିତ ବଡ଼ବଡ଼ ଖଡ଼ୁ, ବେକରେ ନାନା ଆକାର ଓ ରଙ୍ଗର ମାଳି, ନାକରେ ନଥ, କାନରେ ନୋଳି, ହାତ ଓ ପାଦର ଆଙ୍ଗୁଠିରେ ମୁଦି । ସେମାନଙ୍କ ଶାଢ଼ୀକୁ ଭାରତର ଅନ୍ୟାନ୍ୟ ସ୍ତ୍ରୀମାନଙ୍କ ଢଙ୍ଗରେ ପିନ୍ଧନ୍ତିନାହିଁ । ସେମାନେ ଏକ ସ୍ଵତନ୍ତ୍ର ଧରଣର ଓସାରିଆ ଘାଗରାଯୁକ୍ତ ପେଟ୍ଟି କୋଟ ପିନ୍ଧନ୍ତି ଓ ତା ଉପରେ ଏକପ୍ରକାର ଚିପା ଜାକେଟ ପିନ୍ଧନ୍ତି । ଜାକେଟର ପିଠିପାଖ ଖୋଲାଥାଏ । ଏହା ଫଳରେ ଅନେକ ସମୟରେ ଛାତି ଓହଳି ପଡ଼ିଥାଏ । ତାହା ଉପରେ ଶାଲଭଳି ଗୋଟିଏ ଲୁଗା ପଡ଼ି ମୁଣ୍ଡ ଓ କାନ୍ଧକୁ ଘୋଡ଼ାଇ ଦେଇଥାଏ । ଜାକେଟର ଦୁଇପାଖରୁ ଫିତା ଯାଇ ପଛପଟେ ଗଣ୍ଠି ପଡ଼ିଥାଏ ।

 

ଲମ୍ବାନି ଜାତିର ପୁରୁଷମାନେ ସ୍ତ୍ରୀମାନଙ୍କରଠାରୁ ଅଧିକ କଳା; ସେମାନଙ୍କର ପରିଚ୍ଛଦ ଅତି ସାଧାରଣ; ଠିକ୍ ସ୍ଥାନୀୟ ଅଧିବାସୀ କାନାରିଜମାନଙ୍କ ପରିଚ୍ଛଦପରି । ସେମାନଙ୍କ ହୁଗୁଳା ପଗଡ଼ି ବର୍ଣ୍ଣନାକରି ହେବନାହିଁ । ସେମାନେ ସାଧାରଣ, ମଇଳା, ଧଳା କମିଜ ପିନ୍ଧିଥାନ୍ତି ଓ ତାହା ଅଣ୍ଟା ଉପରଯାଏ ଥିବା ହାଫପ୍ୟାଣ୍ଟ ବା ଲୁଙ୍ଗିକୁ ଘୋଡ଼ାଇ ଦେଇଥାଏ । ଗୋଡ଼ର ଆଣ୍ଠୁ ଓ ପେଣ୍ଡା ସାଧାରଣତଃ ଅନାବୃତ ଥାଏ ଓ କଣ୍ଟାରୁ ରକ୍ଷାପାଇବା ପାଇଁ ସେମାନେ ପାଦରେ ଚମଡ଼ାର ଚଟି ବ୍ୟବହାର କରନ୍ତି ।

 

ଏକ ବିଚିତ୍ର କଥା ହେଉଛି–ଦକ୍ଷିଣ ଭାରତର ଭ୍ରାମ୍ୟମାଣ ଜାତିର ପୁରୁଷ ଓ ସ୍ତ୍ରୀମାନଙ୍କ ମୁହଁର ଚେହେରା ଓ ଶରୀରର ଅନ୍ୟାନ୍ୟ ଅଙ୍ଗର ଗଠନରେ ସାମ୍ୟ ଦେଖାଯାଏ ନାହିଁ । ଅଧିକାଂଶ ରମଣୀ ଯେପରି ସୁଶ୍ରୀ ଓ ସୁନ୍ଦରୀ, ଅଧିକାଂଶ ପୁରୁଷ ସେହିପରି ସାଦାସିଧା ଓ ଅସୁନ୍ଦର ।

 

ସେମାନେ ହେଉଛନ୍ତି ଏକ ବିଶିଷ୍ଟ ସମ୍ପ୍ରଦାୟ ଓ ଶତଶତ ବର୍ଷଧରି ନିଜର ବୈଶିଷ୍ଟ୍ୟ ଦୃଢ଼ଭାବରେ ରକ୍ଷାକରି ଆସିଅଛନ୍ତି । ମୁଁ ବିସ୍ମିତ ହୁଏ ଯେ ଏ ସମ୍ପ୍ରଦାୟର ପୁରୁଷମାନେ ଯେଭଳି ଆଳସ୍ୟପରାୟଣ, ସେଥିରେ ଏହାର ଜାତିଗତ ବୈଶିଷ୍ଟ୍ୟ ବହୁପୁରୁଷ ପୂର୍ବରୁ ଲୋପ ପାଇଯିବାର କଥା । ସ୍ତ୍ରୀମାନେ ଜାତୀୟ ପରମ୍ପରା, ବିଚିତ୍ର ବେଶଭୂଷା, ଚେହେରା, ଜାତି ଓ ତାହାର ରୀତିନୀତିକୁ ବର୍ଷ ବର୍ଷ ଧରି ରକ୍ଷାକରି ଆସିଥିବାରୁ ସେମାନେ ପ୍ରଶଂସାର ପାତ୍ର ଅଟନ୍ତି ।

 

ମୋଟଉପରେ ଲମ୍ବାନିମାନେ ଭ୍ରମଣକାରୀ ଜାତି ଓ କୌଣସି ଗୋଟିଏ ସ୍ଥାନରେ ବେଶିଦିନ ରହନ୍ତିନାହିଁ । ସାଧାରଣ ଗ୍ରାମରେ ନରହି ସେମାନେ ଜଙ୍ଗଲ ସଫାକରି ଘାସ କୁଟାରେ ପଲାକରି ରହିବାକୁ ଭଲପାଆନ୍ତି । ସେମାନେ ଅକର୍ମା; ଜଙ୍ଗଲରେ ଚିହ୍ନ ଦେଖି ପଶୁର ସନ୍ଧାନ କରିବାରେ ସେମାନେ ପଟୁ ନୁହନ୍ତି । ତେବେ ଗୋଟାଏ ବିଷୟରେ ସେମାନଙ୍କୁ ପ୍ରଶଂସା କରିବାକୁ ହେବ । ସେମାନେ ସ୍ଥାନୀୟ କାନାରିଜ ଅଧିବାସୀଙ୍କ ଅପେକ୍ଷା ଅଧିକ ସହାୟକ ।

 

ଲମ୍ବାନିମାନେ, କି ପୁରୁଷ କି ସ୍ତ୍ରୀ, ସମସ୍ତେ ଖୁବ୍ ମଦ ପିଅନ୍ତି । ସେମାନେ ବାବୁଲ ଗଛର ଛେଲି, ଅଥବା ଚାଉଳ ବା କଦଳୀ ସହିତ ଗୁଡ଼ ମିଶାଇ ବା ଜାମୁକୋଳିକୁ ଗୁଡ଼ରେ ପଚାଇ ସେଥିରୁ ନିଜର ମଦ ତିଆରି କରନ୍ତି । ଏପରିକି ସେମାନେ ଯେକୌଣସି ପଦାର୍ଥରୁ ମଦକରି ପାରିବେ; ମଦ ତିଆରିର ଉପକରଣ ଆବିଷ୍କାର କରିବାରେ ସେମାନଙ୍କର ବୁଦ୍ଧି ପ୍ରଖର ।

 

ସେମାନେ ପଇସା ଆକାରରେ ମଜୁରିନେବା ଅପେକ୍ଷା ଖାଇବାକୁ ଭୋଜନ ଓ ପିଇବାକୁ ମଦ ପାଇ କାମକରିବାକୁ ବେଶି ଭଲପାଆନ୍ତି । ପଇସା ନେଲେ ନିଜେ ମଦ ତିଆରି ନକରିବା ବେଳେ ମଦକିଣାରେ ଉଡ଼ିଯିବ । ଯାହାହେଉ ଲମ୍ବାନିମାନେ ଗୋଟିଏ ସୁନ୍ଦର ଜାତି ଓ ଭାରତର ଅଭୁତ ଓ ସ୍ଵତନ୍ତ୍ର ଚେହେରାବିଶିଷ୍ଟ ନାନା ଜାତି ଓ ଗୋଷ୍ଠୀ ଭିତରେ ସେମାନେ ଏକ ପ୍ରକୃଷ୍ଟ ନିଦର୍ଶନ ।

 

ମହୀଶୂର ରାଜ୍ୟର ପଶ୍ଚିମାଂଶରେ ଯେଉଁ କଫି ଓ କମଳାଲେମ୍ବୁ ବଗିଚାମାନ ଦେଖାଯାଏ, ସେ ସବୁ ପାଇଁ ଲମ୍ବାନିମାନଙ୍କ ଦାନ ପ୍ରଚୁର । ଏହି ସବୁ ବଗିଚାମାନଙ୍କରେ ଯେଉଁମାନେ କାମ କରନ୍ତି, ସେମାନେ ଭିତରେ ଲମ୍ବାନି ରମଣୀମାନଙ୍କ ସଂଖ୍ୟା ସବୁଠାରୁ ବେଶି । ଅବଶିଷ୍ଟ ଶ୍ରମିକମାନେ ଭାରତର ପଶ୍ଚିମ ଉପକୂଳର ମାଲାୟାଲି ଓ ମୋଫଲା ଜାତିରୁ ଆସିଥାନ୍ତି । ପଶ୍ଚିମ ଉପକୂଳରୁ ଆଗତ ସବୁ ଜାତିଙ୍କର ଗୋଟିଏ ସାଧାରଣ ଲକ୍ଷଣ ଦେଖାଯାଏ । ସେମାନେ ଯେକୌଣସିଠାରେ କାମ କରିବାକୁ ଗଲେ ସୁଦ୍ଧା ନଡ଼ିଆ ତୋଟା ଭିତରେ ଥିବା ଘର, ସମୁଦ୍ର ସଂଲଗ୍ନ ହ୍ରଦ, ନଦୀ, ସମୁଦ୍ରର ଲହରୀ ସହିତ ସେମାନଙ୍କର ଅଚ୍ଛେଦ୍ୟ ବନ୍ଧନ ଥାଏ । ବାସ୍ତବରେ ସେମାନଙ୍କ ଦେଶ ଅତି ସୁନ୍ଦର ଓ ତାହା ପ୍ରତି ସେମାନଙ୍କର ଆକର୍ଷଣ ସ୍ଵାଭାବିକ; କିନ୍ତୁ ସେଠାରେ ଶିଳ୍ପର ଅଭାବ, କାମ ମିଳେନାହିଁ । ତେଣୁ ସେମାନେ ବାଧ୍ୟ ହୋଇ କାମ ଖୋଜିବା ପାଇଁ ଦେଶର ଅଭ୍ୟନ୍ତରକୁ ଆସନ୍ତି । କିଛି ଦିନ ଭିତରେ କିଛି ଟଙ୍କା ସଞ୍ଚିପାରିଲେ ସେମାନେ ନିଜ ଦେଶକୁ ପଳାଇଯାନ୍ତି ଓ ଆଳସ୍ୟରେ କିଛି ଦିନ କଟାଇ ଦିଅନ୍ତି । ଲମ୍ବାନିମାନେ ପଇସା ମଦରେ ଉଡ଼ାଇ ଦିଅନ୍ତି; କିନ୍ତୁ ଏମାନେ ସେମାନଙ୍କର ବିପରୀତ, ସଞ୍ଚୟଶୀଳ । ସେମାନଙ୍କର ନିଜ ଦେଶକୁ ପଳାଇଯିବା ପ୍ରକୃତି ହେତୁ ବଗିଚାକାମରେ ଲଗାଇଲେ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଘରୁ ଫେରିଆସିବା ପାଇଁ ସେମାନଙ୍କ ମଜୁରିରୁ କିଛି ଅଂଶ ବାକୀ ରଖାଯାଏ; କିନ୍ତୁ ବଗିଚାମାଲିକମାନଙ୍କ ପକ୍ଷରେ ଏପରି କରିବା ବେଆଇନ୍ କାର୍ଯ୍ୟ । ପୁଣି ମଜୁରିଆମାନଙ୍କ ଚାଉଳ ଡାଲି ପ୍ରଭୃତି ଦେବା ହେଉଛି ପ୍ରଚଳିତ ରୀତି । ଏଥିରୁ ଅନୁମାନ କରି ହେବ ଯେ ମାଲାୟାଲି କୁଲିମାନେ ଏହି ରୀତିର ସୁଯୋଗ ନେଇ ନିଜର ଦରମା ସାଥିରେ କିଛି ବହିନା (ଅଗ୍ରିମ ଦରମା) ନେଇ ଚୁପ୍ କରି ନିଜ ରାଜ୍ୟକୁ ଚମ୍ପଟ୍ ଦିଅନ୍ତି ।

 

ଏହି କାରଣରୁ ବଗିଚାମାଲିକମାନେ ପ୍ରଧାନତଃ ଏହି ଅଭୁତ ଭ୍ରାମ୍ୟମାନ ଲମ୍ବାନି ଜାତି ଉପରେ ନିର୍ଭର କରିଥାନ୍ତି । କହିବାକୁ ଗଲେ ଏମାନେ ବଗିଚାମାଲିକମାନଙ୍କ ପକ୍ଷରେ ଅପରିହାର୍ଯ୍ୟ ।

 

ଏଭଳି ପରିସ୍ଥିତିରେ ଯଦି କେବେ ମୁଁ ଏହି ବାଘ ଶିକାର କରିବାକୁ ଯାଏଁ, ତେବେ ମୋତେ ପ୍ରଧାନତଃ ନିଜର ଉଦ୍ୟମ ଉପରେ ନିର୍ଭର କରିବାକୁ ହେବ । ଲମ୍ବାନିମାନେ ବଗିଚାକାମ ଭଲରକମ ଜାଣନ୍ତି; କିନ୍ତୁ ଜଙ୍ଗଲରେ ଶିକାରର ସନ୍ଧାନ ନେବା ଓ ଜଙ୍ଗଲର ସାଧାରଣ ଗତିବିଧି ବିଷୟରେ ସେମାନେ ପୂଜାରୀ, ଶୋଲଗା, କରୁମ୍ଭା, ଚେଞ୍ଚୁ ପ୍ରଭୃତି ଆଦିବାସୀ ବନ୍ୟ ଜାତିଙ୍କର ସମକକ୍ଷ ନୁହନ୍ତି । ଏହି ବାଘ ଏ ଅଞ୍ଚଳରେ ନ ଥାଇ ଯେଉଁ ଅଞ୍ଚଳରେ ଅଭିଜ୍ଞ ଓ ସଦିଚ୍ଛାପୂର୍ଣ ସହକାରୀଙ୍କ ଉପରେ ନିର୍ଭର କରାଯାଇ ପାରିବ ସେଭଳି ଅଞ୍ଚଳରେ ଉପଦ୍ରବ କରୁଥିଲେ, କେଡ଼େ ଭଲ ହୋଇଥାନ୍ତା ?

 

ଶିମୋଗାରେ ଥିବା ଡିସଟ୍ରିକ୍‌ଟ ଫରେଷ୍ଟ ଅଫିସରଙ୍କୁ ଚିଠି ଲେଖିବାର ପ୍ରାୟ ମାସକ ପରେ ତାଙ୍କଠାରୁ ଖଣ୍ଡିଏ ପତ୍ର ମିଳିଲା । ସେଥିରେ ସେ ଧନ୍ୟବାଦ ଦେଇ ଲେଖିଥିଲେ–ଜଣେ ସ୍ତ୍ରୀଲୋକ ଶାଗୁଆନ ଜଙ୍ଗଲକୁ ପତ୍ର ସଂଗ୍ରହ କରିବାକୁ ଯାଇଥିଲା । କୁମସି ଓ ଚୋରଦିର ପ୍ରାୟ ମଧ୍ୟସ୍ଥଳରେ ରାସ୍ତାକଡ଼ ଗଛରୁ ପତ୍ର ସଂଗ୍ରହ କରୁଥିବାବେଳେ ତାକୁ ବାଘ ନେଇଯାଇଅଛି ।

 

ଯେଉଁମାନେ ଶାଗୁଆନ ଗଛ କିମ୍ବା ତାର ପତ୍ର ସୁଦ୍ଧା ଦେଖିନାହାନ୍ତି, ସେମାନଙ୍କ ଜାଣିବା ନିମନ୍ତେ କହୁଅଛି ଯେ ଶାଗୁଆନ ପତ୍ର ଆକାରରେ ବଡ଼ ଓ ଖୁବ୍ ଟାଆଁସା । ଏହି ପତ୍ର ସହଜେ ଚିରି ହୋଇଯାଏ ନାହିଁ । ତେଣୁ ଏହି ପତ୍ରରେ ଖାଇବା ପାଇଁ, ବିଶେଷତଃ ଭାତ ଖାଇବା ପାଇଁ ଖଲିପତ୍ର ତିଆରି ହୁଏ । ଭାରତର ହୋଟେଲମାନଙ୍କରେ ସାଧାରଣତଃ ଏହି ଖଲିପତ୍ର ଖାଇବାକୁ ଦିଆଯାଏ । ଗୋଟିଏ ଖଲିପତ୍ର ଚାରି ପାଞ୍ଚୋଟି ଶାଗୁଆନ ପାତ୍ରରେ ତିଆରି ହୋଇଥାଏ-। ପାଶ୍ଚାତ୍ୟ ଦେଶର ଲୋକେ ମନେକରିବେ, ଗୋଟିଏ ଖଲିପତ୍ର ତିଆରି କରିବା ଏକ ବଡ଼ ବ୍ୟାପାର ହୋଇଥିବ । ପତ୍ରଗୁଡ଼ିକର ଧାରକୁ ଧାର ସହିତ ଛୁଞ୍ଚି ସୂତାରେ ବା ଦୁଇ ଇଞ୍ଚ ଲମ୍ବର ଘାସ ଖଡ଼ିକାରେ ଯୋଡ଼ା ଯାଇଥାଏ । ମହୀଶୂର ରାଜ୍ୟର ବହୁସଂଖ୍ୟକ ହୋଟେଲରେ ବ୍ୟବହୃତ ହେବାପାଇଁ ଏହିପରି ହଜାର ହଜାର ଏପରିକି ଲକ୍ଷ ଲକ୍ଷ ଖଲିପତ୍ର ଦରକାର ହୋଇଥାଏ । ତେଣୁ ଯେଉଁସବୁ ଅଞ୍ଚଳ ବହୁ ସଂଖ୍ୟାରେ ଶାଗୁଆନ ଗଛ ଅଛି, ସେଠାରେ ଖଲିପତ୍ର ତିଆରି ଗୋଟାଏ ବଡ଼ ଶିଳ୍ପ । ଫରେଷ୍ଟ ଡିପାର୍ଟମେଣ୍ଟ ଶାଗୁଆନପତ୍ର ସଂଗ୍ରହ ଅଧିକାର ନିଲାମଦ୍ଵାରା ବିକ୍ରୟ କରନ୍ତି । ଯେଉଁ କଣ୍ଟ୍ରାକ୍ଟରମାନେ ନିଲାମରେ ଟଙ୍କା ଦେଇ ଏହି ଅଧିକାର ପାଆନ୍ତି, ସେମାନେ ପତ୍ର ସବୁ ସଂଗ୍ରହ କାମରେ ସ୍ତ୍ରୀମାନଙ୍କୁ ନିଯୁକ୍ତି କରିବାର କାରଣ ହେଉଛି, ପୁରୁଷମାନେ ଯେଉଁ ହାରରେ ପତ୍ର ଯୋଗାଇବାକୁ କହନ୍ତି, ସ୍ତ୍ରୀମାନେ ତାର ପ୍ରାୟ ଅଧା ହାରରେ ଯୋଗାଇଥାଆନ୍ତି ।

 

ଏହିଭଳି ଜଣେ ହତଭାଗିନୀ ପତ୍ର ସଂଗ୍ରହ କରୁଥିଲାବେଳେ ବାଘ ତାକୁ ନେଇଗଲା । ଡିସଟ୍ରିକ୍‌ଟ ଫରେଷ୍ଟ ଅଫିସର ଆହୁରି ଲେଖିଥିଲେ–ସେତେବେଳେ ତା ପାଖରେ ଆଉ କେତେଜଣ ସ୍ତ୍ରୀଲୋକ ମଧ୍ୟ ପତ୍ର ଛିଣ୍ଡାଉଥିଲେ । ବାଘ ଜଙ୍ଗଲ ଭିତରୁ ବାହାରିପଡ଼ି ସ୍ତ୍ରୀଲୋକଟିକୁ ଘେନି ପୁଣି ଜଙ୍ଗଲକୁ ଚାଲିଗଲାବେଳେ ସେମାନେ ଚାହିଁଥିଲେ । ତାର ସାଥିମାନେ ଦଉଡ଼ି ଦଉଡ଼ି କୁମ୍‌ସୀରେ ଖବର ଦେଲେ । ସେଠାରୁ ଦଳେ ଲୋକ ମିଳି ବାଘ ସ୍ତ୍ରୀଲୋକକୁ ନେଇ ଯାଇଥିବା ଜାଗାକୁ ଗଲେ । ଉପରବେଳାକୁ ସେମାନେ ଖୋଜି ଖୋଜି ଶବ ପାଇଲେ । ସେଥିରୁ ଅଧେ ବାଘ ଖାଇ ଯାଇଥିଲା ।

 

ସେହି ଦୀର୍ଘ ଚିଠିର ଶେଷରେ ସେ ଲେଖିଥିଲେ–ମୋର ଆଶା, ଆପଣ ଶୀଘ୍ର କୁମ୍‌ସିକୁ ଆସି ଏହି ମଣିଷଖିଆ ବାଘକୁ ଶିକାର କରିବେ ।

 

ଏକ ବିସ୍ତୃତ ଅଞ୍ଚଳରେ ବାଘ ମଣିଷ ମାରୁଥିଲା । ସେ ଅଞ୍ଚଳର ଅବସ୍ଥା ବିଷୟରେ ମୁଁ ଏକପ୍ରକାର ବିଶଦ ବିବରଣ ଦେଇ ସାରିଛି । ସବୁ କଥା ବିଚାରି ମୁଁ ମନେକଲି ଯେ ବର୍ତ୍ତମାନ ବାଘର ସନ୍ଧାନ କରି ମାରିବା ଏକବାରେ ନିଷ୍ଫଳ ହେବ । ସେଥିରେ ପୁଣି ସେତେବଳେ ମୋତେ ଛୁଟି ମିଳିବା ଏକ ସମସ୍ୟା ଥିଲା । ସେଭଳି ପରିସ୍ଥିତିରେ ବାଘକୁ ଖୋଜି ବାହାର କରିବାରେ କେତେ ମାସ ନ ଲାଗିଲେ ସୁଦ୍ଧା ନିଶ୍ଚୟ କେତେ ସପ୍ତାହ ଲାଗିଯିବ ।

 

ତେଣୁ ମୁଁ ଖୁବ୍ ଗୁରୁତ୍ଵପୂର୍ଣ ଚିଠିଟିଏ ଲେଖିଲି । ଫରେଷ୍ଟ ଅଫିସରଙ୍କୁ ତାଙ୍କର ପତ୍ର ସକାଶେ ପ୍ରଭୂତ ଧନ୍ୟବାଦ ଦେଇ ବାଘଟିକୁ ଖୋଜି ବାହାର କରିବାରେ ଯେ ଦୀର୍ଘ ସମୟ ଲାଗିବ, ତାହା ସ୍ପଷ୍ଟରୂପେ ବୁଝାଇ ଦେଇଥିଲି । ବର୍ତମାନ ଏଠାରୁ ବେଶିଦିନ ପାଇଁ ସେଠାକୁ ଯିବାପାଇଁ ସମୟର ନିତାନ୍ତ ଅଭାବ ବୋଲି ତାଙ୍କୁ ଜଣାଇଦେଇ ପ୍ରସ୍ତାବ କଲି ଯେ ସେ ସବୁ ଫରେଷ୍ଟ ଅଫିସ ଓ ପୁଲିସ ଥାନା ଜରିଆରେ ଲୋକସାଧାରଣଙ୍କୁ ଜଣାଇ ଦିଅନ୍ତୁ ଯେ ସେମାନେ ମଣିଷଖିଆ ବାଘ ପ୍ରତି ସାବଧାନ ହୁଅନ୍ତୁ । ସେମାନେ କେବଳ ଦିନବେଳା ଦଳ ବାନ୍ଧି ଯିବା ଆସିବା କରନ୍ତୁ । ପ୍ରଧାନ ରାସ୍ତା ଛାଡ଼ି ଅନ୍ୟ ରାସ୍ତାରେ ଚଳାଚଳ ହୁଅନ୍ତୁନାହିଁ । ଆଉ ଗୋରୁ ଜଗାଳି ଓ କଣ୍ଟ୍ରାକ୍ଟରଙ୍କ କୁଲିମାନେ କିଛି ଦିନ ପାଇଁ ସେମାନଙ୍କ ବ୍ୟବସାୟ ବନ୍ଦ କରିଦିଅନ୍ତୁ । ଶେଷରେ ମୁଁ ଲେଖିଥିଲି–ଯଦି ଦୈବାତ୍ ଆଉ କେଉଁଠି ମଣିଷ ମାରେ, ତେବେ ଆପଣ ପୁଲିସ ଓ ଆପଣଙ୍କ ଅଧସ୍ତନ କର୍ମଚାରୀମାନଙ୍କ ଦ୍ଵାରା ମୃତ ବ୍ୟକ୍ତିର ବନ୍ଧୁ ବାନ୍ଧବମାନଙ୍କୁ ପ୍ରବର୍ତ୍ତାଇବେ ଯେପରି ସେମାନେ ଶବକୁ ହଲଚଲ କରାଇ ଦେବେନାହିଁ; ବାଘ ଯେପରି ଛାଡ଼ି ଯାଇଥିବ ସେପରି ଥିବ । ଆପଣ ମୋତେ ଟେଲିଗ୍ରାମଦ୍ଵାରା ଜଣାଇଦେବେ । ମୁଁ ଆହୁରି ପ୍ରସ୍ତାବ ଦେଇଥିଲି ଯେ ଫରେଷ୍ଟ ଡିପାର୍ଟମେଣ୍ଟ ଅଧଡ଼ଜନ ମଇଁଷି କିଣି ସେମାନଙ୍କୁ ବାଘ ମାତିଥିବା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ବାନ୍ଧିବାଦ୍ଵାରା ମୋତେ ସାହାଯ୍ୟ କରିପାରନ୍ତି । ଶେଷରେ ମୁଁ ଲେଖିଥିଲି–ଟେଲିଗ୍ରାମ୍ ପାଇଲା ମାତ୍ରେ ମୁଁ ନିଶ୍ଚୟ ଯିବି । କୌଣସି ଜନ୍ତୁ ବା ମଣିଷକୁ ବାଘ ଶିକାର କଲେ ମୁଁ ଯେପରି ଟେଲିଗ୍ରାମ୍ ପାଏ; କିନ୍ତୁ ଶିକାରକୁ ବାଘ ଯେପରି ଅବସ୍ଥାରେ ଛାଡ଼ିଯାଇଥିବ, ତାକୁ ଠିକ୍ ସେଇ ଅବସ୍ଥାରେ ରଖିବାକୁ ହେବ ।

 

ଚିଠି ପଠାଇବାର ତୃତୀୟ ଦିନ ଉତ୍ତର ମିଳିଲା । ସମୟର ଅଭାବରୁ ଆପଣ ଆସି ପାରିଲେନାହିଁ । ସେଥିପାଇଁ ମୁଁ ଦୁଃଖିତ । ଆପଣ ଲୋକଙ୍କୁ ସାବଧାନ ରହିବା ପାଇଁ ଯେଉଁ ପରାମର୍ଶ ଦେଇ ଅଛନ୍ତି, ତାହା ଯେ ଏତେ ବଡ଼ ଅଞ୍ଚଳର ସମସ୍ତେ ମାନି ଚଳିବେ ସେପରି ଆଶା କରାଯାଏ ନାହିଁ । ଆଉ ଗୋଟିଏ କଥା–ବାଘଦ୍ଵାରା ନିହତ ଲୋକର ଶବକୁ ତାର ବନ୍ଧୁ ବାନ୍ଧବମାନେ ନ ଛୁଇଁ ବଣ ଭିତରେ ଛାଡ଼ି ଦେଇଯିବାକୁ କେବେହେଲେ ରାଜି ହେବେନାହିଁ । ଏପରି ଛାଡ଼ିଯିବାର ଅର୍ଥ ହେଉଛି, ଏହାକୁ ଖାଇବା ଲୋଭରେ ବାଘ ପୁଣି ସେଠାକୁ ଆସିଲେ ତାକୁ ମାରିବା; କିନ୍ତୁ ଲୋକେ କହିବେ, ଆମେ ଶବକୁ ନେଇ ଶୀଘ୍ର ସତ୍କାର କରିବୁ । ଶେଷରେ ମୁଁ ଜଣାଇ ଦେବାକୁ ଇଚ୍ଛା କରେ ଯେ ଆମର ଫରେଷ୍ଟ ଆଇନରେ ଏପରି କୌଣସି ବ୍ୟବସ୍ଥା ନାହିଁ, ଯାହା ବଳରେ ଆମେ ବାଘକୁ ଆକର୍ଷଣ କରିବାପାଇଁ ମଇଁଷି କିଣିବାରେ ଟଙ୍କା ଖର୍ଚ୍ଚ କରିପାରିବୁ ।

 

ମୁଁ ଯେଉଁ ଦୁଇଟି ପ୍ରସ୍ତାବ ଦେଇଥିଲି, ତାହାର ଯେ ଏଭଳି ଉତ୍ତର ମିଳିବ, ତାହା ଆଗରୁ ମୋତେ ଜଣାଥିଲା । ବାସ୍ତବରେ ଏଭଳି ପ୍ରସ୍ତାବ ଦେବାରେ ମୁଁ ପ୍ରକାରାନ୍ତରେ ବାଘକୁ ଖୋଜିବାରେ ମୋର ଅସୁବିଧା ଜଣାଇ ଦେଇଥିଲି । ପ୍ରଥମ ଚିଠିରେ ଲେଖାଥିଲା–ଅତି ଶୀଘ୍ର କୁମ୍‌ସୀକୁ ଆସ । ସେଥିରୁ ମୁଁ ବୁଝିଥିଲି ଯେ ପତ୍ରଲେଖକ ଏଥିରେ ଥିବା ଅସୁବିଧାର ଗୁରୁତ୍ଵ ଜାଣିପାରିନାହାନ୍ତି । ତେଣୁ ମୋର ଉତ୍ତରରେ ମୋ ପକ୍ଷର ଅସୁବିଧା ଦର୍ଶାଇଥିଲି ।

 

କେତେକ ସପ୍ତାହ ଯିବା ପରେ ବାଘ ପୁଣି ମଣିଷ ମାରିଲା । ଏଥର ଜଣେ ନୁହେଁ, ଏକାବେଳେ ଦୁଇଜଣ । ଏହା ଘଟିଥିଲା ଚୋରଦି ଓ ତୁପ୍‌ପୁରର ମଧ୍ୟଭାଗରେ । ଡିସଟ୍ରିକ୍‌ଟ ଫରେଷ୍ଟ ଅଫିସର ଟେଲିଗ୍ରାମଦ୍ଵାରା ମୋତେ ଏହି ଖବର ଜଣାଇଦେଲେ । ଟେଲିଗ୍ରାମଟି ଖୁବ୍ ଦୀର୍ଘ ଥିଲା । ସେଥିରେ କୁହାଯାଇଥିଲା ଯେ ବାଘ ଜଣେ କାଠକଟାଳି ଓ ତାର ପୁଅକୁ କରଡ଼ିବେଟ୍ଟା ଅଭୟାରଣ୍ୟର ଠିକ୍ ବିପରୀତ ପାର୍ଶ୍ଵରେ ଥିବା ରାସ୍ତାରେ ମାରିଦେଇଛି । ଲୋକଟିକୁ ମାରି ପକାଇ ଯାଇଅଛି ଓ ତାର ପୁଅକୁ ଟେକିନେଇଅଛି । ସଙ୍ଗେ ସଙ୍ଗେ ଯିବାପାଇଁ ମୋତେ ଅନୁରୋଧ କରାଯାଇଥିଲା ।

 

ଏଠାରେ କରଡ଼ିବେଟ୍ଟା ଅଭୟାରଣ୍ୟର ସୀମା ରାସ୍ତାର ଉତ୍ତର ପାଖକୁ ଲାଗିଛି । ଏହା ଗୋଟିଏ ବିସ୍ତୃତ ଅଞ୍ଚଳ । ଏହା ଶାଗୁଆନ ଗଛ ଏବଂ ଅନ୍ୟାନ୍ୟ ଗଛ ଓ ବୁଦାରେ ପୂର୍ଣ୍ଣ । ରାଜ୍ୟର ଫରେଷ୍ଟ ଡିପାର୍ଟମେଣ୍ଟ ଓ ମହାମହିମ ମହାରାଜାଙ୍କ ଆଦେଶରେ ଏହା ଅଭୟାରଣ୍ୟରୂପେ ଛାଡ଼ି ଦିଆଯାଇଅଛି । ଏଠାରେ ଜୀବ ବଧ ନିଷିଦ୍ଧ ।

 

ମହାରାଜା ଯେପରି ଉଚ୍ଚଶିକ୍ଷିତ ଓ ଦୂରଦ୍ରଷ୍ଟା ତାଙ୍କ ଚିଫ୍ କଞ୍ଜରଭେଟର ମଧ୍ୟ ସେହିପରି ଶିକ୍ଷିତ ଓ ଦୂରଦ୍ରଷ୍ଟା । କଞ୍ଜରଭେଟରଙ୍କ ପରାମର୍ଶକ୍ରମେ ମହାରାଜାଙ୍କ ଆଦେଶରେ ପ୍ରତି ଜିଲାରେ ବନ୍ୟ ଜୀବ ସଂରକ୍ଷଣ ପାଇଁ ଗୋଟିଏ ଅଞ୍ଚଳ ଛାଡ଼ି ଦିଆଯାଇଅଛି । ଏହି ସବୁ ଅଭୟାରଣ୍ୟରେ ଜୀବବଧ ସମ୍ପୂର୍ଣ୍ଣରୂପେ ନିଷିଦ୍ଧ । ମହାରାଜାଙ୍କର ଏହି ଅଗ୍ରଗାମୀ ନୀତିଦ୍ଵାରା ଜଣେ ଦୂରଦର୍ଶୀ ଶାସକ ଓ ତାଙ୍କ ସହକାରୀ କିପରି ଜୀବ ସଂରକ୍ଷଣ କରାଯିବା ଦିଗରେ ଆଦର୍ଶ ହୋଇପାରନ୍ତି, ତାହା ଜଣାଯାଏ । ତାହାଙ୍କର ଏହି ନୀତି ସମଗ୍ର ଭାରତ ଉପମହାଦେଶରେ ଅନୁକରଣୀୟ; କାରଣ ବନ୍ୟ ଜୀବମାନଙ୍କୁ ଶିକାର କରିବା ଫଳରେ ସେମାନଙ୍କ ବଂଶ ଲୋପ ପାଇଆସୁଅଛି ।

 

ଉପଯୁକ୍ତ ଘଟଣାରେ ମନେହୁଏ, ଏହି ମଣିଷଖିଆ ବାଘଟି ଶିକାରର ସ୍ଵାଭାବିକ ନିୟମ ଭଙ୍ଗକରି ଅଭୟାରଣ୍ୟରେ ଆଶ୍ରୟ ନେଇଥିଲା । ଅଭୟାରଣ୍ୟ ହେଉଛି, ସତ୍ ସ୍ଵଭାବର ସାଧାରଣ ବାଘମାନଙ୍କ ରହିବା ପାଇଁ ଉଦ୍ଦିଷ୍ଟ; କିନ୍ତୁ ଏ ବାଘଟିର ସ୍ଵଭାବ ଖରାପ ଥିଲା ।

 

ବାଘର ମଣିଷ ମାରିବା ଘଟନା ମଧ୍ୟରୁ ଅଧିକାଂଶ କୁମ୍‌ସୀ ଓ ଆନନ୍ଦପୁରମ୍ ମଧ୍ୟରେ ଘଟିଥିଲା । ଆଉ କରଡ଼ିବେଟ୍ଟା ଅଭୟାରଣ୍ୟ ହେଉଛି ସେ ଅଞ୍ଚଳର କେନ୍ଦ୍ରସ୍ଥଳ । ମୁଁ ନିଜ ଆଖିରେ ଦେଖିବାକୁ ଘଟଣାସ୍ଥଳକୁ ଯିବାପାଇଁ ସ୍ଥିରକଲି ।

 

ଦଶଦିନ ରହିବା ଉଦ୍ଦେଶ୍ୟରେ ସମସ୍ତ ଉପକରଣ ସଂଗ୍ରହକରି ପରଦିନ ବଡ଼ିସକାଳୁ ମୁଁ ବାଙ୍ଗାଲୋରରୁ ବାହାରିଲି । ତହିଁରୁ ବେଶିଦିନ ସହରରୁ ଅନୁପସ୍ଥିତ ରହିପାରିବା ସେତେବେଳେ ମୋ ପକ୍ଷରେ ସମ୍ଭବ ନଥିଲା । ରାସ୍ତାରେ ଅନେକ ସ୍ଥାନରେ କଂକ୍ରିଟ ବିଛାଯାଇଥିବାରୁ ମୋଟର ଯିବାରେ ବିଳମ୍ବ ହୋଇଥିଲା । ଦିନାଦୁଇଟା ବେଳକୁ ଶିମୋଗାର ଡଷ୍ଟ୍ରିକ୍‌ଟ ଫରେଷ୍ଟ ଅଫିସରଙ୍କ ପାଖରେ ଅଫିସରଙ୍କ ପାଖେ ପହଞ୍ଚି ଟେଲିଗ୍ରାମ ପଠାଇଥିବାରୁ ତାଙ୍କୁ ମୋର ଧନ୍ୟବାଦ ଜଣାଇଲି-

 

ସେ ଆହୁରି ସାହାଯ୍ୟ ଦେବା ଉଦ୍ଦେଶ୍ୟରେ ମୋତେ ଦୁଇଖଣ୍ଡି ଲେଖାଏଁ ଚିଠି ଦେଲେ । ଉକ୍ତ ଚିଠି କୁମ୍‌ସିର ରେଞ୍ଜ ଅଫିସରଙ୍କ ଓ ଚୋରଦି ରେଞ୍ଜ ଅଫିସରଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିଲା; ଅନ୍ୟ ଖଣ୍ଡିକରେ ସେମାନଙ୍କୁ ଆଦେଶ ଦିଆଯାଇଥିଲା ଯେ ମୁଁ ବାଘର ସନ୍ଧାନରେ ଅସ୍ତ୍ରଶସ୍ତ୍ର ନେଇ ଅଭୟାରଣ୍ୟକୁ ଗଲେ, ସେଥିପାଇଁ ମୋତେ ଅନୁମତି ଦେବାକୁ ହେବ-

 

ମୁଁ ଆଉଥରେ ତାଙ୍କୁ ଧନ୍ୟବାଦ ଜଣାଇ ମୋଟର ଯୋଗେ ୧୬ ମାଇଲ ଅତିକ୍ରମ କରି କୁମ୍‌ସିରେ ପହଞ୍ଚିଲି । କୁମ୍‌ସିରେ ରେଞ୍ଜ ଅଫିସର ତାଙ୍କ ଉପରିସ୍ଥ ହାକିମଙ୍କର ଚିଠି ପଢ଼ି ମୋତେ ଯଥାଶକ୍ତି ସାହାଯ୍ୟ କରିବେ ବୋଲି କହିଲେ ଓ ମୋ ସହିତ ଚୋରଦିକୁ ଯାଇ ସେଠାରେ ରେଞ୍ଜ ଅଫିସରଙ୍କ ସଙ୍ଗେ ଦେଖାକରିବାର ଇଚ୍ଛା ପ୍ରକାଶ କଲେ ।

 

ଅଳ୍ପ ସମୟ ମଧ୍ୟରେ ଆମେ ସେ କେତେ ମାଇଲ ପଥ ଅତିକ୍ରମ କରି ଚୋରଦିରେ ପହଞ୍ଚିଲୁ । ସେଠାରେ ରେଞ୍ଜଅଫିସର ଥିଲେ ଜଣେ ମାଙ୍ଗାଲୋର ଖ୍ରୀଷ୍ଟିଆନ, ଅର୍ଥାତ୍‍ ସେ ପଶ୍ଚିମ ଉପକୂଳର ମାଙ୍ଗାଲୋର ସହରରୁ ଆସିଥିଲେ ଓ ସେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଥିଲେ । ସେହି ପଶ୍ଚିମ ଉପକୂଳ ହେଉଛି ଭାରତରେ ଖ୍ରୀଷ୍ଟିଆନ ମାନଙ୍କର ଏକ ଅତି ପ୍ରାଚୀନ ବାସସ୍ଥାନ । ମୋତେ ସାହାଯ୍ୟ କରିବାକୁ ସେ ଅତି ଆଗ୍ରହୀ ଥିଲେ । ନିଜର ଅଧସ୍ତନ କର୍ମଚାରୀମାନଙ୍କୁ ସେ କହିଲେ, ଯେଉଁ କାଠକଟାଳିମାନେ ସ୍ଵଚକ୍ଷୁରେ ଘଟଣା ଦେଖିଥିଲେ, ସେମାନଙ୍କୁ ଡକାଇ ଆଣିବାକୁ ହେବ; ତାହାହେଲେ ମୁଁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା ହେବି ।

 

ଅଳ୍ପ କେତେ ମିନିଟ ଭିତରେ ସେମାନେ ପହଞ୍ଚିଗଲେ । ସେମାନେ ଯାହା କହିଲେ ତାହା ଏହିପରି–

 

ଶିମୋଗାର ଜଣେ କଣ୍ଟ୍ରାକ୍‌ଟର ଅଳ୍ପଦିନ ତଳେ ତୁପ୍‌ପୁରଠାରୁ ମାଇଲିଏ ଦୂରରେ ଅଙ୍ଗାର ତିଆରି କରିବାପାଇଁ ଟଙ୍କା ଦେଇ କାଠ ହାଣିବାର ଅନୁମତି ପାଇଥିଲା । ସେ ଦୁଇଜଣ କାଠମୂଲିଆ ଏବଂ ବାଘ ମରିଥିବା କାଠକଟାଳି ଓ ତାର ସତର ବର୍ଷର ପୁଅକୁ କାମରେ ଲଗାଇଥିଲେ । ଏମାନଙ୍କର ସମସ୍ତଙ୍କର ଘର ହେଉଛି ଶିମୋଗାରେ; କିନ୍ତୁ ଗଛଟା କାମ ଶେଷ ହେବାଯାଏ ସେମାନେ ଅସ୍ଥାୟୀ ଭାବରେ ଚୋରଦି ଗାଆଁରେ ରହୁଥିଲେ ।

 

ଏ ହେଉଛି ଦୁଇଦିନ ଆଗର ଘଟଣା । ସେଦିନ ସକାଳୁ ସେମାନେ ସମସ୍ତେ ଗଛକଟା ହେଉଥିବା ସ୍ଥାନକୁ ଯିବାପାଇଁ ବାହାରିଲେ । ସେଠାକୁ ଯିବାପାଇଁ ତିନିମାଇଲ ବାଟ ଚାଲିବାକୁ ପଡ଼େ । କରଡ଼ିବେଟ୍ଟା ବ୍ଲକ ପାଖରେ ଗଲାବେଳକୁ ପୁଅ ବାପକୁ ଖଣ୍ଡେ ‘ପାନପାତ୍ର’ ମାଗିଲା ।

 

ଏଇଠାରେ ମିନିଟିଏ ଦୁଇମିନିଟ ଅସଲ ଗଳ୍ପ ବନ୍ଦକରି ଯେଉଁମାନେ ‘ପାନପତ୍ର’ କଅଣ ଜାଣନ୍ତିନାହିଁ, ସେମାନଙ୍କୁ ତାହା ବୁଝାଇଦିଏଁ । ପାନ ହେଉଛି ପାନଲଟାର ପତ୍ର । ଏହା ଟିକିଏ ଲମ୍ବା ଓ ଆକାରରେ ହୃତ୍‌ପିଣ୍ଡ ପରି । ଦକ୍ଷିଣ ଭାରତର ସବୁ ଶ୍ରେଣୀର ଲୋକେ ଅତି ଆନନ୍ଦରେ ଏହାକୁ ବ୍ୟବହାର କରନ୍ତି । ଶ୍ରମିକଶ୍ରେଣୀରେ ଏହାର ଆଦର ସର୍ବୋପେକ୍ଷା ଅଧିକ । ଏଥିରେ ପାନଖିଲ ବୋଲି ଏକପ୍ରକାର ଜିନିଷ ତିଆରିହୁଏ । ପାନପତ୍ର ଉପରେ ଟିକିଏ ଚୂନ ବୋଳି ଦିଆଯାଏ ଓ ତା’ ଉପରେ ତିନି ଚାରିଖଣ୍ଡ କଟାଗୁଆ ବା ସୁପାରି ରଖାହୁଏ । କେହି କେହି ଟିକିଏ କଟା ସୁଖିଲାନଡ଼ିଆ ବା ଚିନି ମଧ୍ୟ ଗୁଆ ସହିତ ଦିଅନ୍ତି । ତାହାପରେ ପାନପତ୍ରକୁ ଏହିସବୁ ପଦାର୍ଥ ଉପରେ ମୋଡ଼ି ଖିଆଯାଏ । ଏହାକୁ ଚୋବାଇଲେ ଚୂନ ଓ ସୁପାରି ମିଶିବାରୁ ପାଟିରୁ ବେଶି ଲାଳ ବାହାରେ । ସେହି ଲାଳର ରଙ୍ଗ ରକ୍ତପରି ଲାଲ । ମଜୁରିଆମାନେ ପାନଖିଲ ଚୋବାଇ ଚୋବାଇ ଯାଉଥିବାବେଳେ ଯେଉଁଆଡ଼େ ଇଚ୍ଛା ସେଆଡ଼େ ଲାଲଛେପ ପକାନ୍ତି । ଏହା ଫଳରେ କାନ୍ଥ, ରାସ୍ତାଧାର ପ୍ରଭୃତି ସ୍ଥାନମାନଙ୍କରେ ଲାଲ ଚିହ୍ନ ରହିଯାଏ । ଭାରତକୁ ନୂଆହୋଇ ଆସୁଥିବା ଇଉରୋପୀୟମାନେ ଏହିସବୁ ଚିହ୍ନ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି; କାରଣ ସେମାନେ ମନେକରନ୍ତି ଯେ ଏ ଦେଶରେ ବହୁସଂଖ୍ୟକ ଲୋକ ଯକ୍ଷ୍ମାରୋଗରେ ଆକ୍ରାନ୍ତ ଅଟନ୍ତି ।

 

ଏବେ ଆମର ଗଳ୍ପକୁ ଫେରିଆସିବା । ପୁଅ ହାତକୁ ପାନପତ୍ର ଦେବାପାଇଁ ବାପ ଛିଡ଼ାହେଲା । ପ୍ରଥମେ ସେ ପିନ୍ଧାଲୁଗାର କାନିରେ ଗଣ୍ଠିପଡ଼ି ବନ୍ଧାହୋଇଥିବା ପାନକୁ ଫିଟାଇ ବାହାର କଲା । ଏଥିମଧ୍ୟରେ ଅନ୍ୟଲୋକ ଦୁଇଜଣ କିଛିଦୂର ଆଗେଇଗଲେ ଗୋଟାଏ ଗର୍ଜନ ଶୁଣି ସେମାନେ ବୁଲିପଡ଼ି ପଛକୁ ଚାହିଁଲେ । ଦେଖିଲେ, ପୁଅ ତଳେ ପଡ଼ିଛି; ବାଘ ତା ଉପରେ । ବାପ ବିସ୍ମିତ ହୋଇ ପାଖରେ ଛିଡ଼ାହୋଇ ରହିଛି; ତାର ହାତଟି ପୁଅକୁ ପାନ ଦେବାପାଇଁ ଲମ୍ବେଇ ଦେଇଛି ।

 

ଏହାପରେ ସେମାନେ ଦେଖିଲେ ବାପ ଗୋଟାଏ ଅତି ମହତ କାମକଲା । ସେହି ହେଲା ତାର ଜୀବନର ଶେଷକାର୍ଯ୍ୟ ଓ ଶ୍ରେଷ୍ଠ ସ୍ଵାର୍ଥତ୍ୟାଗର କାର୍ଯ୍ୟ । ବୃଦ୍ଧଲୋକଟି ବାଘକୁ ଭୟ ଦେଖାଇ ତଡ଼ିଦେବାପାଇଁ ଦୁଇହାତ ହଲାଇ ଓ ଚିତ୍କାରକରି ବାଘଆଡ଼କୁ ଆଗେଇଗଲା । ପରବର୍ତ୍ତୀ ଘଟଣା ଅତି ଅଳ୍ପ ସମୟ ମଧ୍ୟରେ ଘଟିଗଲା ।

 

ମୁହୂର୍ତ୍ତକ ପାଇଁ ବାଘ ପୁଅକୁ ଛାଡ଼ିଦେଇ ବାପଆଡ଼କୁ ବୁଲି ପଡ଼ିଲା । ତା ଉପରକୁ କୁଦିପଡ଼ି ବାଘ ଭୟଙ୍କର ଶବ୍ଦ ସହିତ ତାର ଗଳା ଓ ଛତିକୁ ଭୀଷଣଭାବରେ କାମୁଡ଼ିବାରେ ଲାଗିଲା-। ତା ଦେହରୁ ଧାରଧାର ହୋଇ ରକ୍ତବହିଲା । ରାସ୍ତାରେ ପଡ଼ିଥିବା ଅବସ୍ଥାରେ ତାକୁ ଛାଡ଼ିଦେଇ ବାଘ ପୁଣି ପୁଅ ଉପରକୁ ଡେଇଁପଡ଼ିଲା । ସେତେବେଳକୁ ପୁଅ ହତବୁଦ୍ଧି ହୋଇ ବସିପଡ଼ି ବାଘ ତାର ବାପକୁ ମାରୁଥିବାର ଦୃଶ୍ୟ ଦେଖୁଥିଲା ।

 

ଏହି ସମୟରେ ଅନ୍ୟ ଦୁଇଜଣ ଲୋକଙ୍କର ଚୈତନ୍ୟ ଆସିଲା । ସେ ଦୁହେଁ ଭୟରେ ଯଥାଶକ୍ତି ବେଗରେ ଦଉଡ଼ି ଦଉଡ଼ି ତୁପ୍‌ପୁରରେ ପହଞ୍ଚିଲେ । ବାପ ପୁଅଙ୍କର ଅବସ୍ଥା କଅଣ ହେଲା ଦେଖିବାପାଇଁ ସେମାନେ ଥରେ ହେଲେ ପଛକୁ ଚାହିଁ ନଥିଲେ ।

 

ମୁଁ ପୂର୍ବରୁ କହିଛି, ତୁପ୍‌ପୁର ଗୋଟିଏ ଅତି ଛୋଟ ଗାଆଁ; ଲୋକସଂଖ୍ୟା ଅଳ୍ପ । ସେଥିରେ ପୁଣି କାହାରିପାଖେ ବନ୍ଧୁକ ନଥିଲା । ତେଣୁ ଦଶବାର ଜଣ ଲୋକ ପୁଲିସକୁ ସମ୍ବାଦଦେବା ଓ ଜଣେ ବନ୍ଧୁକଧାରୀ ଲୋକ ଆଣିବା ପାଇଁ ଆନନ୍ଦପୁରମକୁ ଚାଲିଲେ ।

 

ଦୈବାତ୍ ବାଟରେ ସେମାନେ ଗୋଟିଏ ଟ୍ରକ୍ ଦେଖିଲେ । ପୋଲତଳେ ଯେଉଁଠାରେ କିଛିଦିନ ତଳେ ବାଘକୁ ସାଇକେଲଚଢ଼ାଳି ଦେଖିଥିଲା, ସେହିଠାରେ ନଈକୂଳରୁ ବାଲି ଆଣିବାପାଇଁ ଟ୍ରକ୍ ଯାଉଥିଲା ।

 

ଲୋକମାନେ ଟ୍ରକ୍‌କୁ ଅଟକାଇ କହିଲେ–“ଗାଡ଼ିବୁଲାଇ ଶୀଘ୍ର ଆମକୁ ଆନନ୍ଦପୁରମକୁ ନେଇଯାଅ । ଯାହା ଯାହା ଘଟିଛି ଆମେ କହୁଛୁ ।” ଡ୍ରାଇଭର ଖୁବ୍ ସାହସୀ ଥିଲା ବା ସେହିପରି ଛଳନା କରୁଥିଲା । ସେ କହିଲା, “ତୁମେ ଯାହା କହୁଛ, ତାହା ପରୀରାଇଜର ଗପ ହୋଇଥିବ । ଆସ, ଯେଉଁଠାରେ ଏହା ଘଟିଛି ବୋଲି କହୁଛ, ମୁଁ ସମସ୍ତଙ୍କୁ ସେଠାକୁ ନେଇଯିବି । ସେଠାରେ ତୁମେ ସମସ୍ତେ ଯାହା ଦେଖିବାର କଥା ଦେଖିବ ।” ଜଣେ କେହି କହିଲା, “ବାଘପାଇଁ କଅଣ କରିବ ? ତୁମ ଗାଡ଼ିର ଉପର ମେଲା । ମନେକର ସେ ଆମ ଭିତରକୁ ଡେଇଁପଡ଼ି ଜଣେ କାହାକୁ ମାରିଦେବ ।” ଡ୍ରାଇଭର ଦୃଢ଼ଭାବରେ ଉତ୍ତର କଲା, “ଆରେ ଭାଇ, ମୁଁ ଏଠି ଅଛି । ତୁମମାନଙ୍କର କୌଣସି ଜନ୍ତୁକୁ କି ମଣିଷକୁ ଭୟ କରିବାର କାରଣ ନାହିଁ । ତୁମେ କଅଣ ଭାବିଛ, ମୁଁ ଚୁପ୍‌କରି ବସିଥିବି, ଆଉ ବାଘ ତୁମ ଉପରକୁ ଡେଇଁପଡ଼ିବ ? ବାଘକୁ ମୁଁ ଟ୍ରକ୍ ତଳେ ଚାପି ଗୁଣ୍ଡ କରିଦେବି-।”

 

ଡ୍ରାଇଭରର ଏହି କଥାରେ ସାହସ ପାଇ ବାରଜଣଯାକ ଟ୍ରକ୍ ଉପରକୁ ଉଠିଲେ । ଅତି ଅଳ୍ପ ସମୟରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଲେ । ବାପ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ରାସ୍ତାରେ ପଡ଼ିଥିବାର ଦେଖି ଡ୍ରାଇଭର ଏକବାରେ ବିସ୍ମୟରେ ସ୍ତମ୍ଭୀଭୂତ ହୋଇଗଲା । ଏଥିପୂର୍ବରୁ ସେ ଏହାକୁ ମୂଳରୁ ଶେଷଯାଏ ଗୋଟାଏ ମନଗଢ଼ା ଗପ ବୋଲି ମନେ କରିଥିଲା । ପୁଅର ଲେଶମାତ୍ର ଚିହ୍ନ ମିଳିଲାନାହିଁ ।

 

ଏଥି ମଧ୍ୟରେ ଡ୍ରାଇଭରର ଆତ୍ମବିଶ୍ଵାସ ଅନେକ କମିଯାଇଥିଲା । ସମସ୍ତେ ସେଠାରେ କିଛି ସମୟ ରହି ବୁଢ଼ା ଗଛକଟାଳିର ଶବକୁ ଟ୍ରକ୍‌ରେ ଥୋଇଲେ । ତାହାପରେ ସେମାନେ ଜୋରରେ ଗାଡ଼ି ଚଳାଇ ଚୋର୍‌ଦିରେ ପହଞ୍ଚିଲେ । ସେଠାରେ ଟିକିଏ ରହି ରେଞ୍ଜ ଅଫିସରଙ୍କୁ ଗାଡ଼ିରେ ବସାଇ ସମସ୍ତେ କୁମ୍‌ସିକୁ ଗଲେ । କୁମ୍‌ସିରେ ରେଞ୍ଜ ଅଫିସର ଓ ପୁଲିସ୍ ସବ୍‌ଇନ୍‌ସ୍ପେକ୍ଟର ସେମାନଙ୍କ ସଙ୍ଗେ ମିଳିଲେ । ଏହିପରି ଏକ ବଡ଼ ଦଳବାନ୍ଧି ସେମାନେ ସେହି ଲରିରେ ଶିମୋଗାକୁ ଗଲେ । ସେଠାରେ ପୁଲିସକୁ ଓ ଫରେଷ୍ଟ ଡିପାର୍ଟମେଣ୍ଟକୁ ଘଟଣାର ବିଶେଷ ବିବରଣ ଦିଆଗଲା । ନିୟମରକ୍ଷା କରିବାପାଇଁ ଗୋଟାଏ ଯଥାତଥା ପୋଷ୍ଟମଟମ ପରୀକ୍ଷା କରାଗଲା ଓ ମୃତଦେହଟିକୁ ସେହି ରାତିରେ ସତ୍କାରପାଇଁ ତାର ବନ୍ଧୁବାନ୍ଧବଙ୍କୁ ଦିଆଗଲା ।

 

ଏହାର ପରଦିନ ଦଳେ ସଶସ୍ତ୍ର ପୁଲିସ ପୁଅର ସନ୍ଧାନ କରିବାକୁ ସେହି ଲରିରେ ଆସିଲେ । ସେମାନେ ରକ୍ତଚିହ୍ନ ପାଇଲେ ଓ ଯେଉଁଠାରେ ବାଘ ତାକୁ ଘୋଷାଡ଼ି ଅଭୟାରଣ୍ୟ ଭିତରକୁ ନେଇଥିଲା, ସେଠାରେ ଘୋଷରା ଚିହ୍ନ ପାଇଲେ । ଜଙ୍ଗଲ ବିଷୟରେ କୌଣସି ଅଭିଜ୍ଞଲୋକ ଆଉ କିଛି ବେଶି ଚିହ୍ନ ପାଇପାରିଲେ ନାହିଁ । ତେଣୁ ପୁଲିସଦଳ ସନ୍ଧ୍ୟାବେଳକୁ ଶିମୋଗାକୁ ଫେରିଆସି ଜଣାଇଲେ ଯେ ସେମାନେ ପୁଅର ମୃତ ଦେହ ଉଦ୍ଧାର କରି ପାରିଲେ ନାହିଁ ।

 

ପ୍ରତ୍ୟକ୍ଷଦର୍ଶୀ ଗଛକଟାଳି ଦୁଇଜଣଙ୍କଠାରୁ ବାଘ ସର୍ବଶେଷ ଅତ୍ୟାଚାର ଓ ତାର ପରବର୍ତ୍ତୀ ଘଟଣା ସମ୍ପର୍କରେ ଏହି ପୂର୍ଣ୍ଣବିବାରଣୀ ସଂଗ୍ରହ କଲି ।

 

ଚୋର୍‌ଦିର ରେଞ୍ଜ ଅଫିସର କଫି ଖାଇବାକୁ ଦେଲେ । ତାହାପରେ ସେ ଆମସହିତ କୁମସିରୁ ଆସିଥିବା ତାଙ୍କର ସହକର୍ମୀ ଓ ଗଛକଟାଳି ଦୁଇଜଣଙ୍କୁ ସଙ୍ଗରେ ନେଇ ମୁଁ କରଡ଼ିବେଟ୍ଟା ଅଭୟାରଣ୍ୟର ବିପରୀତ ପାର୍ଶ୍ଵରେ ରାସ୍ତାକଡ଼ରେ ବାଘ ଆକ୍ରମଣ କରିଥିବା ସ୍ଥାନ ଦେଖିବାକୁ ବାହାରିଲି ।

 

ଏହି ରାସ୍ତାରେ ପୂର୍ବରୁ ମୁଁ ଅନେକଥର ଯିବାଆସିବା କରିଥିଲି । ଅଭୟାରଣ୍ୟକୁ ପଳାଇ ଆଶ୍ରୟ ନେଇଥିବା ବାଘ ପଛରେ ଯିବା କ୍ଷେତ୍ରରେ ଏ ହେଉଛି ମୋର ଦ୍ଵିତୀୟ ଘଟଣା । ପ୍ରଥମ ଘଟଣାରେ ଗୋଟାଏ ଆଘାତପ୍ରାପ୍ତ ବାଘ ଗୌଜାଗ୍ରାମରୁ ପଳାଇଆସି ଅଭୟାରଣ୍ୟରେ ପଶିଯିବାବେଳକୁ ମୁଁ ଠିକ୍‍ ଅଭୟାରଣ୍ୟର ସୀମାରେ ତାକୁ ମାରିଥିଲି । ସେକଥା ମୁଁ ଅନ୍ୟ ଏକ ପୁସ୍ତକରେ ଲିପିବଦ୍ଧ କରିଅଛି (୧) ।

 

ରେଞ୍ଜଅଫିସର ଦୁହେଁ ସେ ସ୍ଥାନ ଆଗରୁ ପରିଦର୍ଶନ କରିଥିଲେ । ବାଘ ଠିକ୍ ଯେଉଁ ସ୍ଥାନରେ ବାପପୁଅ ଦୁହିଁଙ୍କୁ ଆକ୍ରମଣ କରିଥିଲା, ସେମାନେ ମୋତେ ସେହି ସ୍ଥାନଟି ଦେଖାଇ ଦେଲେ । କେତେକ ପରିମାଣରେ ମନୁଷ୍ୟ ଓ ଯାନବାହନର ଚଳାଚଳ ହୋଇଥିବାରୁ ଗତ ତିନିଦିନ ଭିତରେ ବସ, ଟ୍ରକ, ଘରୋଇ ମୋଟର ଓ ବଳଦଗାଡ଼ିର ଚକରେ ରକ୍ତର ଚିହ୍ନ ଲିଭିଯାଇଥିଲା ।

 

ରାସ୍ତାଠାରୁ ଅଳ୍ପ କେତେ ଗଜ ଦୂରରୁ ଏକ ଶାଗୁଆନ ବଗିଚା ଆକାରରେ ଅଭୟାରଣ୍ୟ ଆରମ୍ଭ ହୋଇଅଛି । ଶାଗୁଆନ ଗଛଗୁଡ଼ିକ ୧୦ । ୧୫ ବର୍ଷ ପୂର୍ବରୁ ଲଗାଯାଇଥିଲା ।

 

(୧) ‘ନଅଟି ମଣିଷଖିଆ ବାଘ ଓ ଗୋଟିଏ ପାଗଲା ହାତୀ’ (ଲଣ୍ଡନର ଆଲୋକ ଓ ଅନଉଇନ୍‌ଙ୍କଦ୍ୱାରା ପ୍ରକାଶିତ ।)

 

ସେତେବେଳକୁ ସବୁଗଛର ଉଚ୍ଚତା ପ୍ରାୟ ୨୦ ଫୁଟ ଲେଖାଏଁ ହୋଇଥିଲା ଓ ସେମାନେ ସିଧା ଧାଡ଼ିରେ ଥିଲେ । ଏହି ଶାଗୁଆନ ବଗିଚା ଖୁବ୍ ସାନ୍ଦ୍ର ଭାବରେ ପ୍ରାୟ ଦୁଇ ଫର୍ଲଙ୍ଗଯାଏ ବିସ୍ତୃତହୋଇ ଅଭୟାରଣ୍ୟର ପ୍ରାକୃତିକ ଜଙ୍ଗଲ ସହିତ ମିଶି ଯାଇଥିଲା ।

 

କୌଣସି ଆଘାତପ୍ରାପ୍ତ ଜୀବଦେହରୁ ରକ୍ତପଡ଼ି ସ୍ପଷ୍ଟ ଚିହ୍ନ ରହିନଥିଲେ ଶାଗୁଆନ ଗଛ ଭିତରେ କୌଣସି ଜୀବର ସନ୍ଧାନନେବା ଏକ ଅସମ୍ଭବ ବ୍ୟାପାର । ଭୂମି ଉପରେ ଗଛର ଶୁଖିଲାପତ୍ର ପଡ଼ି ଜମା ହୋଇଥାଏ; ସେଥିରେ ପାଦର ଚିହ୍ନ ରହେନାହିଁ । ଏହି ଘଟଣାରେ ବାଘ ଯେଉଁ ପୁଅକୁ ଟାଣି ନେଇଥିଲା, ତାହା ଦେହରୁ ପ୍ରାୟ ରକ୍ତ ପଡ଼ିନଥିଲା । ଗଛକଟାଳି ଦୁଇଜଣ ବାଘ ଓ ବୁଢ଼ାର ପୁଅ ଲୁଚି ଯାଇଥିବା ସ୍ଥାନଟିକୁ ଦେଖାଇଦେଲେ । ଆମେ ଖୁବ୍ ଯତ୍ନ ସହକାରେ ସେ ସ୍ଥାନକୁ ପରୀକ୍ଷାକରି ଦେଖିଲୁ । କେବଳ ତିନୋଟି ଜାଗାରେ ଶାଗୁଆନ ପତ୍ର ଉପରେ ରକ୍ତ ପଡ଼ିଥିବାର ଦେଖାଗଲା । ଆଉ ଅଧିକ ସନ୍ଧାନ କରିବା କେବଳ ସମୟର ଅପବ୍ୟବହାର ବୋଲି ମନେହେଲା ।

 

ଅଭୟାରଣ୍ୟଟି ଉତ୍ତର ଦିଗରେ ଗୋଟାଏ ଛୋଟ ନଦୀ ଓ ଗୋଟିଏ ଶଗଡ଼ ରାସ୍ତାପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହି ଶଗଡ଼ ରାସ୍ତା ଗଠଜାଗ୍ରାମର ପଶ୍ଚିମପାଖକୁ ପୂର୍ବପାଖର ଅମଲିଗୋଲା ଗ୍ରାମ ସହିତ ସଂଯୁକ୍ତ କରୁଥିଲା । ଏହି ନଦୀ ଓ ଶଗଡ଼ରାସ୍ତା ପ୍ରକୃତ ଅଭୟାରଣ୍ୟର ଉତ୍ତର ସୀମା ହେଲେହେଁ, ଜଙ୍ଗଲ ଆହୁରି ଅନେକ ମାଇଲ ଦୂର ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୁଁ ଭାବିଲି ଅଭୟାରଣ୍ୟର ଚାରି ସୀମାରେ ଚାରୋଟି ଓ କେନ୍ଦ୍ରସ୍ଥଳରେ ଗୋଟିଏ ଜନ୍ତୁ ବାନ୍ଧିରଖିବା ବୁଦ୍ଧିମାନର କାର୍ଯ୍ୟହେବ । ଆବଶ୍ୟକ ପଡ଼ିଲେ ମୁଁ ଅଭୟାରଣ୍ୟ ଭିତରେ ସୁଦ୍ଧା ସେ ମଣିଷଖିଆ ବାଘକୁ ମାରିପାରିବି ବୋଲି ଅନୁମତି ପତ୍ର ପାଇଥିଲି । ତେଣୁ ଏପରି ବ୍ୟବସ୍ଥା କଲେ ଆପତ୍ତିର କୌଣସି କାରଣ ନଥିଲା ।

 

ଏହି ପାଞ୍ଚୋଟି ଜୀବସଂଗ୍ରହ କରିବାରେ ସାହାଯ୍ୟ କରିବାକୁ ମୁଁ ରେଞ୍ଜଅଫିସର ଦୁହିଁଙ୍କୁ ଅନୁରୋଧ କଲି; କାରଣ ଏ ଅଞ୍ଚଳରେ ଲୋକେ ଥୋପ ବସାଇବାପାଇଁ ଗୋମହିଷାଦି ଦେବାକୁ ବିରୋଧ କରନ୍ତି ଓ ପୂର୍ବ ଅଭିଜ୍ଞତାରୁ ପାଞ୍ଚୋଟି ଜନ୍ତୁପାଇବା ବିଷୟରେ ମୁଁ ବିଶେଷ ସନ୍ଦିହାନ ଥିଲି-। ସେ ଦୁହେଁ ମୋତେ ସେ ବିଷୟରେ ଚିନ୍ତିତ ନ ହେବାକୁ ପରାମର୍ଶ ଦେଇ ଆରଦିନ ସକାଳ ନଅଟାବେଳକୁ ପାଞ୍ଚୋଟି ମଇଁଷି ମୋ ପାଖକୁ ପଠାଇଦେବେ ବୋଲି କହିଲେ ।

 

କୁମ୍‌ସିରେ ଫରେଷ୍ଟ ଡିପାର୍ଟମେଣ୍ଟର ଗୋଟିଏ ଛୋଟ ଘର ଅଛି । ରେଭରେଣ୍ଡ ଜର୍ଭିସ ଗୋଟାଏ ବାଘଦ୍ୱାରା ଆଘାତପ୍ରାପ୍ତ ହେବାପରେ ଏଇ ଘରେ ଅପରେସନ କରାଯାଇ ତାଙ୍କ ହାତ କଟାଯାଇଥିଲା । ମୁଁ ସେହି ଘରେ ରହିବାକୁ ସ୍ଥିରକଲି । କୁମ୍‌ସିର ରେଞ୍ଜଅଫିସରଙ୍କୁ କହିଲି–ଆପଣ ଯେଉଁ ମଇଁଷି ଆଣିବେ, ସେମାନଙ୍କୁ ଚୋର୍‌ଦିର ରେଞ୍ଜ ଅଫିସରଙ୍କ ମଇଁଷି ସହିତ ମିଳିବାକୁ ପଠାଇବା ପୂର୍ବରୁ ମୋତେ ଥରେ ଦେଖାଇବେ । ଏପରି କହିବାର କାରଣ ଥିଲା । ମୁଁ ଯେଉଁ ଜୀବଙ୍କୁ ଥୋପରୂପେ ବ୍ୟବହାର କରେ ସେମାନଙ୍କ ବିଷୟରେ ବିଶେଷ ସାବଧାନ ଥାଏ । ସାଧାରଣତଃ ଅତି ବୃଦ୍ଧି, ରୁଗ୍‌ଣ ଓ ମୃତ୍ୟୁର ଦ୍ଵାର ଦେଶରେ ଉପସ୍ଥିତ ମଇଁଷିମାନଙ୍କୁ ଥୋପ ଉଦ୍ଦେଶ୍ୟରେ ସାହେବଙ୍କୁ ଠକି ଦିଆଯାଇଥାଏ । ସାହେବ ବିସ୍ମିତ ହୁଅନ୍ତି–ବାଘ କାହିଁକି ଥୋପକୁ ମାରିବାପାଇଁ ଆସୁନାହିଁ; କିନ୍ତୁ ସାହେବ ଯେପରି ଜଣେ ଭଦ୍ରଲୋକ ଓ ଶିକାରୀ ବାଘ ମଧ୍ୟ ସେହିପରି ଗୋଟିଏ ଭଦ୍ରଜୀବ ଓ ଶିକାରୀ । ସେ ବିଲୁଆ ନୁହେଁ ଯେ ଗୋଟାଏ ରୋଗୀ, ଅସ୍ଥିସାର ଜୀବରେ ସନ୍ତୁଷ୍ଟହେବ ।

 

ମୁଁ ମଇଁଷିମାନଙ୍କ ବିଷୟରେ କଥାବାର୍ତ୍ତା ହେଉଥିବା ସମୟରେ ମୋର ସଙ୍ଗୀମାନେ ଅଧୀରତା ପ୍ରକାଶ କରୁଥିଲେ । ସେତେବେଳକୁ ଛଅଟା ବାଜି ଯାଇଥିଲା ଓ ରାତ୍ରିର ଅନ୍ଧକାର ମାଡ଼ି ଆସୁଥିଲା; କିନ୍ତୁ ମୁଁ ଅଯଥା ଆତଙ୍କିତ ହୋଇନଥିଲି । ମୁଁ ଉତ୍ତମରୂପେ ଜାଣିଥିଲି, ଆମେ ପାଞ୍ଚଜଣ ଲୋକ ଏକାଠି ପାଖାପାଖି ଥିବା ପର୍ଯ୍ୟନ୍ତ ନିରାପଦ ରହିଥିବୁ । ଆମେ ପାଖକୁ ପାଖ ଲାଗିରହି ଶାଗୁଆନ ବଗିଚା ଭିତରେ ଖୁବ୍ ସାବଧାନରେ ଚାଲିଲୁ । ରାସ୍ତା ଉପରେ ମୋଟର ରହିଥିଲା । ଆମେ ମୋଟର ପାଖରେ ପହଞ୍ଚିଲୁ ଓ ଅତି ଅଳ୍ପ ସମୟ ମଧ୍ୟରେ ଆମେ ଚୋରଦିର ରେଞ୍ଜ ଅଫିସରଙ୍କ ବସାରେ ପହଞ୍ଚିଲୁ । ସେଠାରେ ରେଞ୍ଜ ଅଫିସର ଓ ଗଛକଟାଳି ଦୁହେଁ ମୋଟରରୁ ଓହ୍ଲାଇଗଲେ । ପନ୍ଦର ମିନିଟ ଭିତରେ ଆମେ ପୁଣି କୁମ୍‌ସିକୁ ଫେରିଆସିଲୁ ।

 

ସେଦିନ ରାତିରେ ମୁଁ ଫରେଷ୍ଟ ଘରେ ନିଶ୍ଚିନ୍ତରେ ଶୋଇଲି । ଆରଦିନ ସକାଳୁ ରେଞ୍ଜ ଅଫିସର ଥୋପ ଆଣିବା ବିଷୟରେ କଅଣ କଲେ ବୁଝିବାପାଇଁ ତାଙ୍କ ବସାକୁ ଗଲି । ପୂର୍ବଦିନ ସନ୍ଧ୍ୟାରେ ସେ ଖୁବ ଦମ୍ଭ ଦେଖାଇ କହୁଥିଲେ; କିନ୍ତୁ ମୁଁ ଦେଖିଲି ରେଞ୍ଜ ଅଫିସର ଭାବରେ ତାଙ୍କର ସକଳ ପ୍ରଭାବସତ୍ତ୍ୱେ ଥୋପ ସଂଗ୍ରହ କରିବା ଯେ କେଡ଼େ କଠିନ କାର୍ଯ୍ୟ ସେ ତାହା କଳନା କରିପାରି ନଥିଲେ । ମୁଁ ଯିବାଦ୍ଵାରା ଭଲ କାମ କରିଥିଲି; କାରଣ ସେତେବେଳଯାଏ ସେ ଆଦୌ କାମ ଆରମ୍ଭ କରିନଥିଲେ ।

 

ବିସ୍ତୃତ କରି କହିବା ଅନାବଶ୍ୟକ । ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହେବ ଯେ ତିନୋଟି ମଇଁଷି ସେ ଯୋଗାଡ଼ କରି ଆଣିଲାବେଳକୁ ସମୟ ଦଶଟା ଉପରେ । ସେଥିରୁ ଗୋଟିଏ ଥିଲା ମଇଁଷି ପଣ୍ଡା ଓ ଅନ୍ୟ ଦୁଇଟି ହଡ଼ା ବୁଢ଼ା ଅଣ୍ଡିରା ମଇଁଷି । ଏ ଦୁଇଟି ବିଷୟରେ ମୁଁ ଆଦୌ ସନ୍ତୁଷ୍ଟ ନଥିଲି; କିନ୍ତୁ ରେଞ୍ଜ ଅଫିସର କହିଲେ ଯେ ତାଙ୍କର ଯଥାଶକ୍ତି ଚେଷ୍ଟାରେ ଏହାଠାରୁ ଭଲ ମଇଁଷି ମିଳିଲାନାହିଁ । ପୁଣି ଏଇ ତିନୋଟିକୁ କିଣିବାରେ ମୋର ଗୁଡ଼ିଏ ଟଙ୍କା ଖରଚ ହୋଇଗଲା-

 

ଚୋରଦି ପର୍ଯ୍ୟନ୍ତ ଚାରିମାଇଲ ରାସ୍ତାରେ ଏଇ ମଇଁଷିଗୁଡ଼ିକୁ ଚଲାଇ ଚଲାଇ ନେବା ପାଇଁ ତିନିଜଣ ଲୋକଙ୍କୁ ନିଯୁକ୍ତି କରାଗଲା । ତାହା ପରେ ଆମେ ଦିନ ଏଗାରଟା ବେଳେ ବାହାରି ମଇଁଷି ପହଞ୍ଚିବାର ଠିକ୍ ଆଗରୁ ଚୋର୍‌ଦିରେ ପହଞ୍ଚିଲୁ ।

 

ଚୋରଦିର ରେଞ୍ଜ ଅଫିସର ଗୋଟିଏ ମାଧ୍ୟମ ବୟସର ଅଣ୍ଡିରା ମଇଁଷି ଅଣାଇଥିଲେ ଓ ଅନ୍ୟ ମଇଁଷିଟି ଶୀଘ୍ର ପହଞ୍ଚିଯିବ ବୋଲି କହିଲେ । ଯେଉଁ ଅଣ୍ଡିରା ମଇଁଷିଟି ଅଣା ହୋଇଥିଲା, ସେଇଟି ଗୋଟିଏ ବେଶ୍ ସୁନ୍ଦର ଜନ୍ତୁ; ତାର ବର୍ଣ୍ଣ ଧୂସର । ଅନ୍ୟ ମଇଁଷିଟି ଆସିବାରେ ଘଣ୍ଟାଏ ଗଲା ଓ ଦିନ ସାଢ଼େ ବାରଟା ବେଳକୁ ପାଞ୍ଚୋଟିଯାକ ମଇଁଷି ଏକାଠି ହେଲେ । ଏହିପରି ପୂରା ବେଳାଟିଏ ନଷ୍ଟ ହେଲା ।

 

ଏହା ଫଳରେ ସେଦିନ ଆମେ କେବଳ ତୋନୋଟି ମଇଁଷି ଯଥାସ୍ଥାନରେ ବାନ୍ଧିବାକୁ ସକ୍ଷମ ହେଲୁ । ମଧ୍ୟମ ବୟସରେ ଧୂସର ରଙ୍ଗର ଅଣ୍ଡିରା ମଇଁଷିଟି ସେମାନଙ୍କ ଭିତରେ ଉତ୍କୃଷ୍ଟ ଥିଲା । ଅଭୟାରଣ୍ୟର ପ୍ରାୟ କେନ୍ଦ୍ର ସ୍ଥଳରେ ମୁଁ ତାକୁ ବାନ୍ଧିଲି । ଯେଉଁଠାରେ ବାଘ ବାପ ପୁଅ ଦୁହିଁଙ୍କୁ ଆକ୍ରମଣ କରିଥିଲା, ସେହି ସ୍ଥାନ ନିକଟରେ ରାସ୍ତାର ଦକ୍ଷିଣକୁ ଅଳ୍ପ କେତେ ଗଜ ଦୂରରେ ମଇଁଷି ପଣ୍ଡାକୁ ବାନ୍ଧିଲୁ । ଅଭୟାରଣ୍ୟର ପୂର୍ବପାଖେ ଗୋଟିଏ ଧଳା ବୁଢ଼ା ମଇଁଷି ବନ୍ଧାଗଲା । ଏ ସ୍ଥାନଟି ଚୋର୍‌ଦିର ଉତ୍ତରକୁ ପ୍ରାୟ ପାଞ୍ଚ ମାଇଲ ଦୂରରେ ଅବସ୍ଥିତ ।

 

ଏହି କାମ ଶେଷହେଲା ବେଳକୁ ସନ୍ଧ୍ୟା ହୋଇଗଲା । ତେଣୁ ମୁଁ ଅବଶିଷ୍ଟ ମଇଁଷି ଦୁଇଟିକୁ ଚୋର୍‌ଦିରେ ରଖାଇ କହିଗଲି ଯେ କାଲି ବଡ଼ି ସକାଳୁ ଆସି ସେ ଦୁଇଟିଙ୍କୁ ବାନ୍ଧିବାର ସ୍ଥାନ ସ୍ଥିର କରିବି । ଅଭୟାରଣ୍ୟର ଆକାର ପ୍ରାୟ ଗୋଟିଏ ଆୟତକ୍ଷେତ୍ର ପରି । ତାହାର ଉତ୍ତର ଓ ପଶ୍ଚିମ ପାଖରେ ଏ ଦୁଇଟିଙ୍କୁ ବାନ୍ଧିବାର କଥା ।

 

ପରଦିନ ସକାଳ ନ ହେଉଣୁ ମୁଁ ମୋର ବନ୍ଧୁ କୁମ୍‌ସି ରେଞ୍ଜ ଅଫିସରଙ୍କୁ ସଙ୍ଗରେ ବସାଇ ମୋଟରରେ ଚୋର୍‌ଦିରେ ପହଞ୍ଚିଲି । ମୋ ସଙ୍ଗରେ ଆସିବାପାଇଁ ସେ ଆଗରୁ ଉଠି ପ୍ରସ୍ତୁତ ହୋଇ ମୋତେ ଅପେକ୍ଷା କରି ରହିଥିଲେ । ଚୋର୍‌ଦିକୁ ଆସିଲାବେଳେ ପ୍ରାୟ ଅଧବାଟରେ ଗୋଟିଏ ଅଣ୍ଡିରା ଶମ୍ବର ଆମ ଆଗରେ ଚାଲିଗଲା । ମୋର ବନ୍ଧୁ ଏହା ଏକ ଶୁଭଲକ୍ଷଣ ବୋଲି କହିଥିଲେ ।

 

ଚୋର୍‌ଦିରେ ସେଠାରେ ରେଞ୍ଜ ଅଫିସର ମୋ ସଙ୍ଗରେ ଅବଶିଷ୍ଟ ମଇଁଷିଦୁଇଟିକୁ ବାନ୍ଧିବା ସକାଶେ ଯିବାପାଇଁ ଇଚ୍ଛା ପ୍ରକାଶକଲେ । ସେ ନିଜ ଅଧିନସ୍ଥ ଜଣେ ଫରେଷ୍ଟରଙ୍କୁ କହିଲେ–ଦୁଇ ଜଣ ଫରେଷ୍ଟ ଗାର୍ଡ଼ ଓ ଆମ ସାଥିରେ ପୂର୍ବଦିନ ଯାଇଥିବା ଲୋକଙ୍କ ମଧ୍ୟରୁ ଜଣକୁ ନେଇଯାଅ; ଦେଖି ଆସ ଅଭୟାରଣ୍ୟର ଦକ୍ଷିଣ ଓ ପୂର୍ବ ପାଖରେ ବନ୍ଧା ହୋଇଥିବା ମଇଁଷି ଦୁଇଟି ବଞ୍ଚିଛନ୍ତି କି ନା ? ସେ ଲୋକଟି ଜାଣେ କେଉଁଠି ମଇଁଷି ବନ୍ଧାହୋଇଛନ୍ତି । ଅଳ୍ପବାଟ ପଡ଼ିବ ବୋଲି ଆମେ ଅଭୟାରଣ୍ୟ ଭିତରେ ଯିବା ଓ ଗଲାବେଳେ ତା ମଝିରେ ବନ୍ଧା ହୋଇଥିବା ମଇଁଷିକୁ ଦେଖିବା ଓ ତାହା ପରେ ପଶ୍ଚିମ ଓ ଉତ୍ତର ସୀମାକୁ ଯିବା । ଏହା ସ୍ଥିରକରି ଆମେ ସମସ୍ତେ ଏକାଠି ବାହାରିଲୁ ଓ ଦେଢ଼ ଘଣ୍ଟା ପରେ ଅଭୟାରଣ୍ୟ ମଝିରେ ବନ୍ଧା ହୋଇଥିବା ମଇଁଷି ପଣ୍ଡାକୁ ଦେଖିଲୁ-। ସେ ବଞ୍ଚି ରହିଥିଲା ଓ ତାର ଅବସ୍ଥା ଭଲ ଥିଲା ।

 

ଗୋଟିଏ କଥା ସ୍ମରଣ ରଖିବାକୁ ହେବ । ଜୀଅନ୍ତା ମଇଁଷିକୁ ବାଘର ଥୋପପାଇଁ ବାନ୍ଧିଲେ, ତାହାକୁ ପ୍ରତିଦିନ ଖାଇବା ଓ ପିଇବାକୁ ଦେବାର ଉତ୍ତମ ବ୍ୟବସ୍ଥା ଦରକାର । ଖାଇବାକୁ ଦେବା କଠିନ କାମ ନୁହେଁ । ବିଡ଼ାଏ ଘାସ ବା ନଡ଼ା ତାର ଖାଇବା ପାଇଁ ଦିନକେ ଥରେ ପଠାଇ ଦେଲେ ହେଲା; କିନ୍ତୁ ଅନେକ ସମୟରେ ତାକୁ ପାଣି ଯୋଗାଇବା ଗୋଟାଏ ସମସ୍ୟାରୂପେ ଦେଖାଦିଏ । ଅବଶ୍ୟ ଗୋଟାଏ ହାଣ୍ଡି ବା କିରାସିନି ଟିଣରେ ପ୍ରତିଦିନ ପାଣି ଭର୍ତ୍ତିକରି ଦେଲେ ହୁଅନ୍ତା, କିନ୍ତୁ ଏପରି କରିବାରେ କେତେକ ଅସୁବିଧା ଅଛି । ମାଟି ହାଣ୍ଡିରେ ପାଣି ଦେଲେ ସାଧାରଣତଃ ମଇଁଷିର ଗୋଡ଼ ବାଜି ତାହା ଭାଙ୍ଗିଯାଏ; ଆଉ କିରାସିନି ଟିଣରେ ପାଣି ଦେଲେ ତାକୁ ଦେଖି ବାଘ ସନ୍ଦେହ କରେ ଓ ମଇଁଷିକୁ ମାରିବାକୁ ଆସେ ନାହିଁ । ତେଣୁ ଶ୍ରେଷ୍ଠ ଉପାୟ ହେଉଛି, ପ୍ରତିଦିନ ମଇଁଷିକୁ ଫିଟାଇ କୌଣସି ପୋଖରୀ ବା ନଦୀକୁ ନେଇ ପାଣି ପିଆଇବା ଓ ପୁଣି ଫେରାଇ ଆଣି ଯଥାସ୍ଥାନରେ ବାନ୍ଧିବା; କିନ୍ତୁ ନିକଟରେ ଏପରି ପୋଖରୀ ବା ନଦୀ କ୍ଵଚିତ୍ ଦେଖିବାକୁ ମିଳେ । ତେଣୁ ମଇଁଷିକୁ ପ୍ରତିଦିନ ମାଇଲିଏ କି ଦେଢ଼ ମାଇଲ ନେବାକୁ ହୁଏ ଓ ପୁଣି ସେତିକି ବାଟ ଫେରାଇ ଆଣି ବାନ୍ଧିବାକୁ ହୁଏ । ଗାଉଁଲି ଲୋକେ ସାଧାରଣତଃ ଅଳସୁଆ ଓ ଉଦାସୀନ ପ୍ରକୃତିର । ସେମାନେ ମନେକରନ୍ତି, ଏତେ ବାଟ ଯିବା ଓ ଆସିବାରେ କିଛି ଲାଭନାହିଁ । ମଇଁଷି ମାରିବାପାଇଁ ବନ୍ଧା ହୋଇଛି; ଯେ କୌଣସି ମତେ ମଲେ ହେଲା । ତାକୁ ପାଣି ପିଆଇବା ପାଇଁ ଏତେ କଷ୍ଟ କରିବାର କି ଦରକାର ?

 

ଭାରତରେ ଯେଉଁ ଶିକାରୀମାନେ ଜୀଅନ୍ତା ଜନ୍ତୁ ଥୋପରୂପେ ବାନ୍ଧିନ୍ତି, ସେମାନେ ଏହି ବିଷୟ ପ୍ରତି ବିଶେଷ ଦୃଷ୍ଟିଦେବା ଦରକାର, ଯଦି ସେମାନେ ନିଜେ ତାକୁ ପାଣି ପାଖକୁ ନେବା ଆଣିବାର ବ୍ୟବସ୍ଥା ନ ଦେଖନ୍ତି କିମ୍ବା ଅନ୍ତତଃ ସେଥିପାଇଁ ନିର୍ଭରଯୋଗ୍ୟ ଲୋକ ନିଯୁକ୍ତ ନ କରନ୍ତି ଓ ତାକୁ ମାରିବାପାଇଁ ବାଘ ବା ଚିତାବାଘ ନ ଆସେ, ତେବେ ବୁଝିବାକୁ ହେବ, ‘ଥୋପ’ଟି କେତେ ଦିନ ଧରି ପାଣି ପିଇବାକୁ ପାଇନାହିଁ । ଅବଶ୍ୟ ‘ଥୋପ’ ବନ୍ଧା ହୋଇଥିବା ସ୍ଥାନ ନିକଟରେ ପାଣି ଥିଲେ ବା କୌଣସି ପାତ୍ରରେ ପାଣି ନିଆଯାଇଥିଲେ, ସେ କଥା ଭିନ୍ନ ।

 

ଉପସ୍ଥିତ କ୍ଷେତ୍ରରେ ଜନ୍ତୁ ବନ୍ଧା ହୋଇଥିବା ସ୍ଥାନଠାରୁ ଅଧମାଇଲ ଦୂରରେ ଗୋଟିଏ ନଦୀ ଥିଲା । ଆମେ ତାକୁ ସେଠାକୁ ନେଇ ପେଟପୂରା ପାଣି ପିଆଉଥିଲୁ ଓ ପୁଣି ଆଣି ପୂର୍ବସ୍ଥାନରେ ବାନ୍ଧୁଥିଲୁ ।

 

ତୁମେ ମନେ କରିପାର ଏହି ସମସ୍ୟାର ସମାଧାନ ପାଇଁ ଜନ୍ତୁଟିକୁ ପୋଖରୀ ବା ନଦୀ କୂଳରେ ବାନ୍ଧିଦେଲେ ଚଳନ୍ତା । ଅନେକ ସ୍ଥଳରେ ସେପରି କରାଯାଇଥାଏ; କାରଣ ବାଘ ସ୍ଵତଃ ସେପରି ସ୍ଥାନକୁ ପାଣି ପିଇବାପାଇଁ ଆସେ; କିନ୍ତୁ ଏ ସମ୍ପର୍କରେ ଆଉ କେତେକ ବିଷୟ ବିଚାରିବାର କଥା ଅଛି । ନାଳ, ଶିକାରଯୋଗ୍ୟ ଜନ୍ତୁ ଯିବା ଆସିବା ବାଟ, ଫାୟାରଲାଇନ, କେତେକ ଚଲାବାଟ, ଶଗଡ଼ ରାସ୍ତା, ଏପରିକି ରାସ୍ତାର କେତେକ ସ୍ଥାନରେ ଯେଉଁଠାରେ ବାଘ ବାରମ୍ବାର ଯିବାର ଜଣାଥାଏ–ଏସବୁ ସ୍ଥାନ ମଧ୍ୟ ଜନ୍ତୁ ବାନ୍ଧିବା ପାଇଁ ଉପଯୁକ୍ତ ଆଉ ଯଦି ସେଠାରେ ବାରମ୍ବାର ବାଘର ପାଦଚିହ୍ନ ଦେଖାଯାଏ, ତାହାହେଲେ ଏହା ଆହୁରି ଉପଯୁକ୍ତ । ଏହାଠାରୁ ଆହୁରି ସୁବିଧାଜନକ ସ୍ଥାନ ହେଉଛି ଯେଉଁଠାରେ ଏ ପ୍ରକାର ରାସ୍ତା ପରସ୍ପରକୁ ଛେଦ କରିଥାନ୍ତି । ଛୋଟ ନଈକୂଳରେ ବାଘମାନେ ସବୁବେଳେ ବୁଲନ୍ତି ନାହିଁ; ବିଶେଷତଃ ଯେଉଁ ଅଞ୍ଚଳରେ ବେଶି ସଂଖ୍ୟକ ନଦୀ ଥାଏ, ସେ ଅଞ୍ଚଳରେ ଏପରି ଘଟେନାହିଁ । ଏହି ମଇଁଷିଟିକୁ ଆମେ ଯେଉଁଠାରେ ବାନ୍ଧିଥିଲୁ ତାହା ଶିକାର–ଜନ୍ତୁ ସାଧାରଣତଃ ଯିବା ଆସିବାର ବାଟ ପାଖରେ । ପୂର୍ବ ଦିନ ସନ୍ଧ୍ୟାରେ ଗୋଟିଏ ଉପଯୁକ୍ତ ସ୍ଥାନର ସନ୍ଧାନ କଲାବେଳେ ଚୋର୍‌ଦିର ରେଞ୍ଜ ଅଫିସର ମୋତେ ନିର୍ଭର ଦେଇ ଏହା କହିଥିଲେ ।

 

ଆମ ସାଥିରେ ଦୁଇଟି ମଇଁଷିଥିଲେ । ଅଭୟାରଣ୍ୟର ପଶ୍ଚିମ ଓ ଉତ୍ତର ସୀମାରେ ସୁବିଧାଜନକ ସ୍ଥାନ ଦେଖି ଗୋଟାଏ ଲେଖାଏଁ ଗଛରେ ବାନ୍ଧି ଦେଲୁ । ଏହି ସବୁ କାମ ଶେଷ ହେଲା ବେଳକୁ ଦିନ ଦୁଇ ପହର ଗଡ଼ି ଯାଇଥିଲା ।

 

ଏଥିରୁ ଆପଣ କେବେହେଲେ ଭାବନ୍ତୁ ନାହିଁଯେ ଏ ସବୁ କରିବା ଦ୍ଵାରା ଆମେ ବାଘଟିକୁ ଅଭୟାରଣ୍ୟ ଭିତରେ ରଖି ଚାରିଆଡ଼ୁ ଜଗି ଦେଇଥିଲୁ । କଥା ହେଉଛି ଅଭୟାରଣ୍ୟ ଏହି ସୀମାଠାରୁ ମାଇଲ୍ ମାଇଲ୍ ଦୂରକୁ ବିସ୍ତୃତ ଥିଲା । ତେଣୁ ବାଘ ଯେ କୌଣସି ବାଟେ ଆସିଲେ ଆମର କୌଣସି ନା କୌଣସି ମଇଁଷିକୁ ଭେଟିବ, ଏପରି ଭାବିବା ଭୁଲ । ଉପସ୍ଥିତ ପରିସ୍ଥିତିରେ ଯାହା ସମ୍ଭବପର ତାହାହିଁ ମୁଁ କରିଥିଲି । ସେଦିନ ଭାଗ୍ୟ ଆମ ସାଥିରେ ଏକ ବିଚିତ୍ର ଖେଳ ଖେଳିଥିଲା ।

 

ସେତେବେଳକୁ ତିନିଟା ବାଜି ଯାଇଥିଲା । ଆମେ ଫେରି ଆସି ଚୋର୍‌ଦିର ପାଖକୁ ଆସି ଯାଇଥାଉଁ । ଏହି ସମୟରେ କେତେ ଜଣ ଲୋକ ଆମକୁ ଗୋଟାଏ ଖବରଦେଲେ । ସେମାନେ କହିଲେ–ଗାଆଁ ମୁଣ୍ଡରେ ଚାରିପାଖେ ଖୋଲା ପଡ଼ିଆ ଅଛି । ଆମେ ହଳ କରିବାକୁ ସେଠାକୁ ଯାଇଥିଲୁ । ଦୁଇଜଣ ଫରେଷ୍ଟ ଗାର୍ଡ଼ ଆମ ହାତରେ ଖବର ଦେଇଛନ୍ତି ଯେ ମଣିଷଖିଆ ବାଘ ଦୁଇ ଜଣ ଲୋକଙ୍କୁ ମରିଥିବା ସ୍ଥାନରେ ଯେଉଁ ମଇଁଷି ବନ୍ଧା ହୋଇଥିଲା, ଗଲା ରାତିରେ ତାକୁ ବାଘ ମାରିଛି । ଗାର୍ଡ଼ ଦୁହେଁ ନିଜେ ଆପଣଙ୍କୁ ଖବର ଦେବାକୁ ଆସି ପାରିଲେ ନାହିଁ; କାରଣ ଆପଣମାନେ କେଉଁଆଡ଼େ ଯାଇଛନ୍ତି ଓ କେଉଁଆଡ଼େ ଫେରିବେ ସେମାନଙ୍କୁ ଜଣାନାହିଁ, ତେଣୁ ସେମାନେ ଯାହାକୁ ବାଟରେ ଯାଉଥିବାର ଦେଖୁଥିଲେ, ତାକୁ ଏହି ଘଟନା କହୁଥିଲେ ଓ ଆପଣଙ୍କୁ ଜଣାଇବାକୁ ଅନୁରୋଧ କରୁଥିଲେ ।

 

ଏହି ଖବର ପାଇଲା ମାତ୍ରେ ଆମେ ଚୋର୍‌ଦିର ଚାଲିଗଲୁ । ରେଞ୍ଜ ଅଫିସର ଦୁହେଁ ଗାର୍ଡ଼ଙ୍କ ଉଦ୍ଦେଶ୍ୟରେ ଗାଳି ବର୍ଷିଦେଇ ଗଲେ, ସେମାନଙ୍କର ଦୋଷ ହେଲା କାହିଁକି ଖବର ଦେବାକୁ ନିଜେ ଆସିଲେ ନାହିଁ; କିନ୍ତୁ ସେ ବିଚାରଙ୍କର ଆଦୌ ଦୋଷ ନଥିଲା । ଆମେ ତ ଉପରବେଳାଯାକ ଏପାଖ ସେପାଖ ବୁଲୁଛୁ । ସେ ଯେବେ ଆମକୁ ଖବର ଦେବାକୁ ଆସିଥାନ୍ତେ, ଆମକୁ ନ ପାଇବାର ସମ୍ଭାବନା ବେଶି ଥିଲା । ତାହା ଫଳରେ ଖବର ପାଇବାରେ ଆହୁରି ଡେରି ହୋଇଥାନ୍ତା । ମୋ ମତରେ ସେମାନେ ସବୁଠାରୁ ବୁଦ୍ଧିମାନର କାର୍ଯ୍ୟ କରିଥିଲେ । ସେମାନେ ଚୋର୍‌ଦିଠାରେ ଏକ ସ୍ଥାନରେ ରହି ସେବାଟେ ଯାଉଥିବା ସବୁ ଲୋକଙ୍କୁ ଖବରଦେବାକୁ କହିଥିଲେ-। ଯାହାହେଉ ଏକବାରେ ବେଳ ଚାଲି ଯାଇ ନଥିଲା । ଶୀଘ୍ର ଲାଗିପଡ଼ିଲେ ଗୋଟାଏ ମଞ୍ଚାର ବ୍ୟବସ୍ଥା କରିବାକୁ ସମୟ ଥିଲା । ବିଶେଷତଃ ସେମାନେ ମଡ଼ା ଉପରେ ଡାଳପତ୍ର ଘୋଡ଼ାଇ ଶାଗୁଣାଙ୍କ ମୁହଁରୁ ରକ୍ଷାକରିଛନ୍ତି ଶୁଣି ମୁଁ ସେମାନଙ୍କ ସପକ୍ଷରେ ଯୁକ୍ତି ଦେଖାଇଲି ।

 

ଯେଉଁଠାରେ ଆମେ ଶାଗୁଆନ ବଗିଚାରେ ପ୍ରବେଶ କରିବାର କଥା ତାହାର ବିପରୀତ ପାର୍ଶ୍ଵରେ ରାସ୍ତାରେ ଦକ୍ଷିଣରେ ମୋର ଷ୍ଟୁଡ଼ିବେକର ଗାଡ଼ି ପହଞ୍ଚିଲା । ସେଠାରୁ ମଇଁଷିପଣ୍ଡା ବନ୍ଧା ହୋଇଥିବା ଗଛମୂଳ ଯାଏ ଚାଲିଚାଲି ଯିବାକୁ ହେବ । ମୋ ଗାଡ଼ି ପଛରେ ଲଗେଜ କାରିଏରରେ ମୁଁ ମୋର ଚାରପାୟୀ ବାନ୍ଧି ନେଇଥିଲି । ତାକୁ ଫିଟାଇ ବାହାରକଲି । ଏଇଟି ମୋର ପୁରୁଣା ଚାରପାୟୀଠାରୁ ଅଧିକ ସୁବିଧାଜନକ ଥିଲା । ପ୍ରଥମତଃ ଏହାର ଲମ୍ୱ ସାଧାରଣ ଚାରପାୟୀର ଲମ୍ବର ଅଧକରୁ ସାମାନ୍ୟ ବେଶି ହେବ । ତେଣୁ ଏହା ମୋଟରର ଦୁଇ ପାଖକୁ ବାହାରି ନ ପଡ଼ି ଲଗେଜ କାରିଏର ଉପରେ ନେଇ ହେଉଥିଲା । ଦ୍ଵିତୀୟତଃ ମୋର ବସିବା ଆସନ ଖାକିରଙ୍ଗର ଫିତାରେ ବୁଣା ହୋଇଥିବାରୁ ଏଥିରେ ବସିବା ସୁଖକର ଥିଲା ଏବଂ ଏହାର ରଙ୍ଗ କାହାରି ଦୃଷ୍ଟି ଆକର୍ଷଣ କରୁନଥିଲା । ମଶିଣା ବୁଣାହେଲା ପରି ଏହି ଫିତା ଚାରପାୟୀରେ ବୁଣା ହୋଇଥିଲା । ଯେଉଁ ଚାରି ଖଣ୍ଡ ବାଉଁଶରେ ଚାରପାୟୀର ଫର୍ମା ତିଆରି ହୋଇଥିଲା, ସେଥିରେ ଫିତାର ଅଗଗଣ୍ଠି ଦିଆହୋଇ ସ୍ଥାୟୀଭାବରେ ବନ୍ଧା ହୋଇଥିଲା । ଚାରିକଣର ଗୋଡ଼ଚାରିଟି ମାତ୍ର ଫୁଟେ ଲେଖାଏଁ ଲମ୍ବ । ସେଗୁଡ଼ିକ ଠକ ମଝିରେ ସଂଯୁକ୍ତ ହୋଇଥିବାରୁ ଆସନର ଉପରକୁ ଛଅଇଞ୍ଚ ରହିଥିଲା । ଏହି ହେତୁରୁ ଏହାକୁ ସହଜରେ ଗଛରେ ବନ୍ଧାଯାଇ ପାରୁଥିଲା । ମୋଟ ଉପରେ ଏହି ମଞ୍ଚାଟି ଅତି ସାଧାସିଧା, ହାଲୁକା ଓ ନେବା ଆଣିବାର ଉପଯୋଗୀ ଓ ବସିବାପାଇଁ ସୁଖକର ଥିଲା । ସବୁଠାରୁ ବଡ଼କଥା ହେଲା, ଗଛମାନଙ୍କରୁ ଡାଳ କାଟିଆଣି ଯେଉଁ ମଞ୍ଚା କରାଯାଏ, ତାହା ଉପରେ ବସି ଟିକିଏ ଏପାଖ ସେପାଖ ହେଲାକ୍ଷଣି କେଁ କେଁ ଶବ୍ଦହୁଏ, କିନ୍ତୁ ଏଥିରେ ଆଦୌ ସେଭଳି ଶବ୍ଦ ହେଉନଥିଲା ।

 

ଏଠାରେ ଶାଗୁଆନ ଗଛଗୁଡ଼ିକର ବୟସ କମ୍ ହୋଇଥିବାରୁ ସେମାନଙ୍କ ସାଧାରଣ ଉଚ୍ଚତା କୋଡ଼ିଏ ଫୁଟଥିଲା; କିନ୍ତୁ ସେଥି ମଧ୍ୟରେ ଅଳ୍ପ କେତୋଟି ବେଶି ବୟସର ଗଛ ଥିଲା; ତେଣୁ ସେମାନଙ୍କ ଉଚ୍ଚତା ସ୍ଵଭାବତଃ ଅଧିକ ଥିଲା । ମୁଁ ସେଇଭଳି ଏକ ଉଚ୍ଚ ଶାଗୁଆନ ଗଛର ମୂଳରେ ମଇଁଷିକୁ ବାନ୍ଧିଥିଲି । ଆବଶ୍ୟକ ହେଲେ ସେହି ଗଛରେ ମଞ୍ଚାବନ୍ଧା ହେବ, ଏହି ଉଦ୍ଦେଶ୍ୟ ମୋର ଥିଲା । ଏହାଛଡ଼ା ଆମର ଅନ୍ୟ ପନ୍ଥା ନଥିଲା । ବଗିଚାରେ ଶାଗୁଆନ ଛଡ଼ା ଅନ୍ୟ କୌଣସି ଗଛ ନଥିଲା । ଶାଗୁଆନ ଗଛର ଡାଳ ଖୁବ୍ ଉଚ୍ଚରୁ ବାହରିଥାଏ । ତେଣୁ ମୋତେ ତଳୁ ଅନେକ ଉଚ୍ଚରେ ବସିବାକୁ ପଡ଼ିଥିଲା । ଏ ଗଛ ଉପରକୁ ଚଢ଼ିବାପାଇଁ ମୋତେ ଘୋର କଷ୍ଟ ସହିବାକୁ ପଡ଼ିଥିଲା । ଗଛର ମୂଳରୁ ବାରଫୁଟ ଯାଏ ଆଦୌ ଡାଳ ନଥିଲା । ସିଧା ବାଉଁଶ ଉପରକୁ ଚଢ଼ିବା ବିଦ୍ୟା ମୁଁ ଶିଖି ନଥିଲି; କିନ୍ତୁ ଜଣେ ଫରେଷ୍ଟ ଗାର୍ଡ଼ର କାନ୍ଧ ଉପରେ ମୁଁ ଚଢ଼ିଗଲି । ଅନ୍ୟମାନେ ମୋର ଗୋଡ଼କୁ ଧରି ଉପରକୁ ଟିକିଏ ଟେକିବାରେ ସାହାଯ୍ୟ କଲେ । ଶେଷରେ ମୁଁ ଗଛର ପ୍ରଥମ ଡାଳକୁ ଧରି ତା ଉପରକୁ ଉଠିଗଲି । ଶାଗୁଆନ ଗଛର ପତ୍ର ଖୁବ୍ ବଡ଼ବଡ଼ ହୋଇଥିବାରୁ ମଞ୍ଚାଟିକୁ ସଂପୂର୍ଣ୍ଣରୂପେ ଲୁଚାଇଦେବା କଠିନ ବ୍ୟାପାର ହେଲାନାହିଁ । ସେଠାରେ ଶାଗୁଆନ ଛଡ଼ା ଅନ୍ୟ କୌଣସି ଗଛର ପତ୍ର ନଥିବାରୁ ମଞ୍ଚାକୁ ଲୁଚାଇବାର ବ୍ୟବସ୍ଥା ତ୍ରୁଟିଶୂନ୍ୟ ହୋଇଥିଲା । ମଞ୍ଚା ପତ୍ରଗହଳରୁ ଦେଖାଯାଉନଥିଲା ଓ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହିତ ଏକବାରେ ମିଶିଯାଇଥିଲା । ଗଛର ଯେଉଁ ଦୋକାନାରେ ମୁଁ ଚାରପାୟୀ ରଖିଥିଲି, ତାହା ତଳୁ କୋଡ଼ିଏ ଫୁଟ ଉଚ୍ଚରେ ଥିଲା ।

 

ବାଘ ମଇଁଷି ପଣ୍ଡାର ବେକକୁ ମୋଡ଼ି ଭାଙ୍ଗି ଦେଇଥିଲା । ମଡ଼ା ଦେହରୁ ଅଧେହେବ ମାଂସ ଖାଇ ସାରିଥିଲା; କିନ୍ତୁ ଯେତିକି ଅବଶିଷ୍ଟ ଥିଲା, ସେତକ ଖାଇବପାଇଁ ସେ ପୁଣି ମଡ଼ାପାଖକୁ ଆସିବାର ପୂର୍ଣ୍ଣ ସମ୍ଭାବନା ଥିଲା ।

 

ଦୁଇ ଫରେଷ୍ଟ ରେଞ୍ଜର ଓ ଦୁଇ ଫରେଷ୍ଟଗାର୍ଡ଼ଙ୍କ ମଧ୍ୟରୁ କାହାରିକୁ ମୋଟର ଚଳାଇବା ଜଣା ନଥିଲା । ଏମାନଙ୍କ ଛଡ଼ା ଦୁଇଜଣ କାଠକଟାଳି ଆମ ସାଥିରେ ଆସିଥିଲେ । ମୁଁ କହିଲି, “ତୁମେମାନେ ଛଅଜଣ ଯାକ ମୋ ଗାଡ଼ିଟାକୁ ଅନ୍ତତଃ ଅଧମାଇଲ ଦୂରକୁ ନେଇ ରଖିଦେବ ।” ପ୍ରକୃତରେ ଗାଡ଼ିର କାରିଏରରୁ ଚାରପାୟୀ ଫିଟାଇଲାବେଳେ ମୋର ଏହା ମନେ ପଡ଼ିଥିଲା । ଯାହାହେଉ ରାସ୍ତାଟା ପ୍ରାୟ ସମତଳ । ଗାଡ଼ିଟାକୁ ଠେଲିନେବା ଛଅଜଣ ଲୋକଙ୍କ ପକ୍ଷରେ ବିଶେଷ କଷ୍ଟକର ହୋଇନଥିବ ।

 

ଠିକ୍ ପାଞ୍ଚଟାବେଳେ ସେମାନେ ମୋତେ ଛାଡ଼ି ଚାଲିଗଲେ । ମୁଁ ଶାଗୁଆନ ଗଛ ଉପରେ ବସି ରହିଲି । ମୁଁ ହିସାବ କରି ଦେଖିଲି ୨୦ ମିନିଟ୍ ଭିତରେ ତାହାହେଲେ ଯଦି ବାଘ ଆଖପାଖ କେଉଁଠି ରାସ୍ତା ଅତିକ୍ରମ କରି ଆସେ, ତେବେ ଗାଡ଼ିଟାକୁ ଦେଖି ଭୟ କରି ପଳାଇବନାହିଁ । ସେମାନେ ଗାଡ଼ିକୁ ଏତେ ଦୂର ନେଇଯିବେ ଯେ ବାଘ ସେ ଦିଗରୁ ରାସ୍ତା ଡେଇଁ ଆସିଲେ ଗାଡ଼ିକୁ ଦେଖିପାରିବ ନାହିଁ । ହୁଏତ ମୁଁ ଅତ୍ୟଧିକ ଆଶାବାଦୀ ହୋଇପଡ଼ିଥିଲି । ସମ୍ଭବତଃ ସେ ମୋଟେ ଆସିନପାରେ ।

 

ଯାହାହେଉ, ବାଘଟା ଆସିଲା; କିନ୍ତୁ ସେତେବେଳକୁ ରାତି ଆଠଟା ପନ୍ଦର ମିନିଟ; ଖୁବ୍ ଅନ୍ଧାର ହୋଇଯାଇଥିଲା । ସେ ତାର ଶୁଭାଗମନର ସମ୍ବାଦ ବହୁତ ଆଗରୁ ଜଣାଇ ଦେଇଥିଲା–ବରଂ କହିବି, ଦଳଦଳ ହରିଣଙ୍କର ବୋବାଳି, ଗୋଟାଏ ଖୁରଙ୍ଗର ଖରର୍–ଖରର୍–ଖରର୍ ଭାବ ତାର ଆଗମନ ବାର୍ତ୍ତା ଜଣାଇ ଦେଇଥିଲେ । ବାଘର ଯାତ୍ରାପଥର ମାଇଲକ ଭିତରେ ଯେତେ ବନ୍ୟ ଜୀବଜନ୍ତୁ ଥିଲେ, ସମସ୍ତଙ୍କୁ ସେମାନେ ଏହା ଜଣାଇ ଦେଇଥିଲେ । ବାଘ ହେଉଛି ନୀରବ କର୍ମୀ । ବଣର ଅନ୍ୟାନ୍ୟ ଛୋଟ ଜୀବମାନେ ତାକୁ ଏତେ ଦୂର ସମ୍ମାନ ବା ଅସମ୍ମାନ ଦେଖାଇବାଟା ତାକୁ ବିରକ୍ତକର ବୋଧ ହେଉଥିବ । ଏ ଦିନର ଘଟନାରେ ସେ ଆହୁରି ବିରକ୍ତ ହୋଇଥିବ ବୋଲି ମୋର ବିଶ୍ଵାସ ।

 

ସେ ଯଥାଶକ୍ତି ସାବଧାନରେ ଚାଲୁଥାଏ । ମଡ଼ା ଉପରକୁ ସେ ଆସିବା ପୂର୍ବରୁ ମୁଁ ତାର ଦୃଢ଼ ପଦକ୍ଷେପ ଓ ଶୁଖିଲା ଶାଗୁଆନ ପତ୍ରର ମଡ଼ ମଡ଼ ଶବ୍ଦ ଶୁଣିପାରିଥିଲି ।

 

ମୁଁ ଟର୍ଚ୍ଚ ଲାଇଟର ସୁଇଚ ଚିପିଦେଲି; ବାଘ ମୁଣ୍ଡଟେକି ମୋ ମୁହଁକୁ ଚାହିଁଲା । ଦୁଇତିନି ସେକେଣ୍ଡଯାଏ ମୁଁ ତାକୁ ଚାହିଁଥିବି । ତାର ଗଳାରେ ‘କେଶର’ ଥିବାର ଜଣାଗଲା ନାହିଁ; କିନ୍ତୁ ଏପରି ଅବସ୍ଥାରେ ଗୁଳିକରିବା ଛଡ଼ା ମୋର ଗତ୍ୟନ୍ତର ନଥିଲା । ମୋର ଗୁଳିଟି ତାର ଛାତିରେ ବାଜିଲା ଓ ସେ ତଳେ ପଡ଼ିଗଲା ।

 

ବାଘଟା ମରିଛି ବୋଲି ନିଶ୍ଚିତ ହେବାପାଇଁ ମୁଁ ପନ୍ଦରମିନିଟ ସମୟ ଅପେକ୍ଷାକରି ରହିଲି । ଦେଖିଲି, ବାଘଟା ହଲଚଲ ହେଉନାହିଁ । ତାର ମରିବା ବିଷୟରେ ନିଃସନ୍ଦେହ ହେଲି । ମୁଁ ଓହ୍ଲାଇଲି; ଶେଷ ସାତଫୁଟ ମୋତେ ଡେଇଁବାକୁ ହେଲା । ବୋଧହୁଏ, ମୋର ଦେହର ଓଜନ ଏତେ ବେଶି ହେବା ଉଚିତ ନଥିଲା । ଭୂଇଁରେ ପଡ଼ିଲା ବେଳକୁ ଦେହରେ ଯେଉଁ ଧକ୍‌କା ଲାଗିଲା, ସେଥିରୁ ମନେହେଲା, ଗଛର ତଳକୁ ଡେଇଁବା ବିଦ୍ୟା ଆଦୌ ଭଲ ନୁହେଁ ।

 

ମଲା ବାଘପାଖକୁ ଯାଇ ମୁଁ ତାକୁ ଭଲକରି ଦେଖିଲି । ମୁଁ ନିଜକୁ ଭର୍ତ୍ସନା କରିବାକୁ ଲାଗିଲି । ଆଗରୁ ଗୁଳିମାରିବା ବେଳୁ ମୁଁ ଜାଣିଥିଲି, ଏ ସେହି ମଣିଷଖିଆ ବାଘ ନୁହେଁ; କାରଣ ଏହାର ଗଳାରେ ମେଞ୍ଚାମେଞ୍ଚା କେଶର ନଥିଲା । ତାହାହେଲେ ପ୍ରକୃତ ଦୋଷୀ ବାଘ ପୁଣି ଥରେ ଖସିଗଲା ଓ ଗୋଟାଏ ନିର୍ଦୋଷ ବାଘ ତା ପାଇଁ ଦଣ୍ଡ ଭୋଗିଲା । ଏସବୁ ଛଡ଼ା ଶୋମାଗାର ଡଷ୍ଟ୍ରିକଟ ଫରେଷ୍ଟ ଅଫିସରଙ୍କ ପାଖେ ମୋତେ କୈଫିୟତ୍ ଦେବାକୁ ପଡ଼ିବ । କେବଳ ମଣିଷଖିଆ ବାଘକୁ ଅଭୟାରଣ୍ୟର ସୀମା ଭିତରେ ମାରିବାପାଇଁ ସେ ମୋତେ ସ୍ଵତନ୍ତ୍ର ଅନୁମତି ଦେଇଥିଲେ; ଗୋଟାଏ ନିର୍ଦ୍ଦୋଷ ଜୀବକୁ ମାରିବାକୁ ଅନୁମତି ଦେଇ ନଥିଲେ ।

 

ଯାହାହେଉ, ଗୋଟାଏ ବଡ଼ ଖରାପ କାମ ହୋଇଗଲା ।

 

ରାସ୍ତାକୁ ଆସି ମୁଁ ଚୋର୍‌ଦି ଆଡ଼କୁ ଚାଲିଲି । ଲୋକେ ଠେଲିଠେଲି ରାସ୍ତା ଉପରେ ଗାଡ଼ିକୁ ରଖିଥିବାର କଥା; କିନ୍ତୁ ରାସ୍ତା ଉପରେ ଗାଡ଼ିର ଦେଖା ମିଳିଲାନାହିଁ ।

 

ହାୟ ! ସେମାନେ ମୋର ଆଦେଶକୁ ଭୁଲ ବୁଝି ଗାଡ଼ିଟିକୁ ଦୁଇମାଇଲ ବାଟ ଠେଲିଠେଲି ଚୋର୍‌ଦିକୁ ନେଇଯାଇଛନ୍ତି ?

 

ମୁଁ ଚାଲିଚାଳି ଚୋର୍‌ଦିର ରେଞ୍ଜଅଫିସରଙ୍କ ବସାରେ ପହଞ୍ଚିଲି । ସେହିଠାରେ କୁମ୍‌ସିର ରେଞ୍ଜଅଫିସର ମଧ୍ୟ ଥିଲେ । ମୁଁ ସେମାନଙ୍କୁ କହିଲି–ମୁଁ ଗୋଟାଏ ବାଘମାରି ଆସିଛି; କିନ୍ତୁ ତାର ଗଳାରେ କେଶରେ ନାହିଁ । ତେଣୁ ମୋର ବିଶ୍ଵାସ, ମୁଁ ଯାହାକୁ ମାରିଛି, ସେ ପ୍ରକୃତ ମଣିଷଖିଆ ବାଘ ନୁହେଁ ।

 

ରେଞ୍ଜର ଦୁହେଁ ଯୁକ୍ତିକଲେ, “ନା, ସେ ମଣିଷଖିଆ ବାଘ ହୋଇଥିବ । ଗଲା ଦୁଇବର୍ଷ ଭିତରେ ତାର କେଶର ଛିଡ଼ି ପଡ଼ିଥିବ । ହୋଇପାରେ, ମୂଳରୁ ତାର ଆଦୌ କେଶର ନଥିଲା; ଲୋକେ ଗୋଟାଏ ମିଥ୍ୟା ଗଳ୍ପ ସୃଷ୍ଟି କରିଥିଲେ ।” ଏ ଯୁକ୍ତିର ସାରବତ୍ତା ମୁଁ ସ୍ଵୀକାର କଲି; କିନ୍ତୁ ସେ ମଣିଷଖିଆ ବାଘ ବୋଲି ମୋର ବିଶ୍ଵାସ ହେଲାନାହିଁ ।

 

ମୋ ଗାଡ଼ି କେଉଁଠି ରଖିଆସିଛ ବୋଲି ପଚାରିବାରୁ ସେମାନେ କହିଲେ–ଆପଣ ଗାଡ଼ିଟାକୁ ଅଧମାଇଲ ଯାଏ ଚୋର୍‌ଦି ଆଡ଼କୁ ଠେଲି ନେବାକୁ କହିଲେ । ସେତେବେଳେ ଆପଣଙ୍କ ଗାଡ଼ିର ମୁହଁ ଓଲଟା ଦିଗକୁ ଥିଲା, କୁମ୍‌ସି ଆଡ଼କୁ । କିପରି ଗାଡ଼ିର ମୁହଁ ବୁଲାଇବାକୁ ହେବ ଆମକୁ ଜଣାନଥିଲା । ତେଣୁ ଆପଣଙ୍କ ହୁକୁମ ଅନୁସାରେ ଆମେ ଅଧମାଇଲ ଠେଲି ନେଇଛୁ; କିନ୍ତୁ ଚୋର୍‌ଦି ଆଡ଼କୁ ନ ନେଇ ତାର ଓଲଟା ଦିଗକୁ ନେଇଛୁ ।

 

ହାୟ ! ଜୀବନରେ ଏଇପରି ଘଟିଥାଏ । ଜୀବନରେ ଉତ୍‌ଥାନ ପତନ ଲାଗିରହିଛି । ଆଜି ରାତିଟିଯାକ ଉତ୍‌ଥାନର ପ୍ରାଧାନ୍ୟ–ଅଥବା ପତନର ପ୍ରାଧାନ୍ୟ ? ଉତ୍ତର ଖୋଜି ପାଇଲିନାହିଁ-

 

ପୁଣି କିଛି କଫି ଖିଆହେଲା । ବାଘକୁ ଆଣିବାପାଇଁ ଦଳେ ଲୋକ ଲଣ୍ଠନ, ବାଉଁଶ, ଦଉଡ଼ି ପ୍ରଭୂତ ଘେନି ପ୍ରସ୍ତୁତ ହେଲେ । ଆମେ ବାଘପାଖକୁ ଫେରିବାକୁ ଲାଗିଲୁ । ଲୋକେ ବାଘର ଗୋଡ଼କୁ ବାନ୍ଧି ରାସ୍ତାକୁ ବୋହି ଆଣିବାକୁ ପ୍ରସ୍ତୁତ ହେଉଥିଲାବେଳେ ମୁଁ ବିପରୀତ ଦିଗରେ ଚାଲିଚାଲି ମୋର ଗାଡ଼ିକୁ ପ୍ରାୟ ଅଧମାଇଲ ଦୂରରେ ପାଇଲି ।

 

ପ୍ରାୟ ଘଣ୍ଟାପରେ ଆମେ ଆସି କୁମ୍‌ସିରେ ପହଞ୍ଚିଲୁ ।

 

ଆରଦିନ ସକାଳେ ମୁଁ ବାଘର ଚମଡ଼ା ଉତାରିଲି । ତେଣେ ରେଞ୍ଜଅଫିସର ଦୁହେଁ ଶିମୋଗାର ଡଷ୍ଟ୍ରିକଟ ଫରେଷ୍ଟ ଅଫିସରଙ୍କ ନିକଟକୁ ସେମାନଙ୍କ ସରକାରୀ ରିପୋର୍ଟ ଲେଖୁଥାନ୍ତି । ସେମାନେ ଲେଖିଥିଲେ ଯେ ମୁଁ ଗୋଟିଏ ମାଘମାରିଛି; ତାର କେଶର ନାହିଁ । ମୋତେ ଯେଉଁ ସ୍ଵତନ୍ତ୍ର ଅନୁମତି ପତ୍ର ଦିଆଯାଇଥିଲା, ସେଥିରେ ସ୍ପଷ୍ଟ ଆଦେଶ ଥିଲା ଯେ କରଡ଼ିବେଟ୍ଟାର ଅଭୟାରଣ୍ୟର ସୀମା ଭିତରେ ମୁଁ କେବଳ ମଣିଷଖିଆ ବାଘଟିକୁ ମାରିପାରିବି; ଅନ୍ୟ କୌଣସି ଜନ୍ତୁ ମାରିପାରିବି ନାହିଁ । ରିପୋର୍ଟର ଶେଷରେ ସେମାନେ ଲେଖିଥିଲେ–“ଏହାପରେ କି ଆବଶ୍ୟକ କାର୍ଯ୍ୟ ପନ୍ଥା ଅନୁସରଣ କରାଯିବ ତାହା ଶ୍ରୀହଜୁର ସ୍ଥିର କରିବେ ।”

 

ସେମାନେ ଏପରି ଏକ ରିପୋର୍ଟ ଲେଖିଥିବାରୁ ମୋ ପାଖରେ କ୍ଷମା ପ୍ରାର୍ଥନା କଲେ ।

 

ମୋର ଛୁଟି ଶେଷ ହେବାଯାଏ ମୁଁ ସେଠାରେ ରହିଲି; କିନ୍ତୁ ଅନ୍ୟ ଚାରଟି ମଇଁଷିଙ୍କୁ ବାଘ ମାରିଲାନାହିଁ । ଶିମୋଗାର ଡିଷ୍ଟ୍ରିକଟ ଫରେଷ୍ଟ ଅଫିସର ମୋତେ ଗୋଟିଏ ସରକାରୀ ଚିଠି ପଠାଇଲେ । ସେଥିରେ ଲେଖାଥିଲା–ରେଞ୍ଜରମାନଙ୍କ ରିପୋର୍ଟରୁ ପ୍ରକାଶ, ଆପଣ ଅଭୟାରଣ୍ୟର ସୀମା ଭିତରେ ଗୋଟିଏ ବାଘ ମାରିଛନ୍ତି । ସେ ବାଘଟି ମଣିଷଖିଆ ବାଘ ନୁହେଁ ବୋଲି ଜଣାଯାଏ-। ଆପଣଙ୍କୁ ଯେଉଁ ସ୍ଵତନ୍ତ୍ର ଅନୁମତି ପତ୍ର ଦିଆଯାଇଥିଲା, ସେଥିରେ କେବଳ ମଣିଷଖିଆ ବାଘକୁ ମାରିବାପାଇଁ ଲେଖାଥିଲା; ଅନ୍ୟ କୌଣସି ଜୀବ ମାରିବାକୁ ଅନୁମତି ଦିଆଯାଇ ନଥିଲା । ଦୟାକରି ଆପଣଙ୍କର କୈଫିୟତ ପଠାନ୍ତୁ ।

 

ମୋ ସାରାଜୀବନ ଭାରତରେ କଟିଯାଇଛି । ତେଣୁ ସରକାରୀ କାରବାରରେ ନାଲିଫିତାର କରାମତି ମୋତେ ଭଲରୂପେ ଜଣାଥିଲା । ଡିଷ୍ଟ୍ରିକଟ ଫରେଷ୍ଟ ଅଫିସରଙ୍କ ଚିଠିପାଇ ମୁଁ ଆଦୌ ବିଚଳିତ ହୋଇନଥିଲା । ମୁଁ ସରକାରୀ ଭାବରେ ଗୋଟିଏ ଉତ୍ତର ଦେଇ ଲେଖିଲି–ଆପଣ ଭୁଲ ସମ୍ବାଦ ପାଇଛନ୍ତି ଯେ ମୁଁ ଯେଉଁ ବାଘଟିକୁ ମାରିଛି, ସେଇଟା ମଣିଷଖିଆ ବାଘ ନୁହେଁ-। ମୁଁ ଦୃଢ଼ଭାବରେ କହିପାରେ ଏହା ମଣିଷଖିଆ ବାଘ ଛଡ଼ା ଅନ୍ୟ ବାଘ ନୁହେଁ । ମୋତେ ମିଳିଥିବା ଆପଣଙ୍କ ସ୍ଵତନ୍ତ୍ର ଅନୁମତି ବଳରେ ମୁଁ ତାକୁ ଅଭୟାରଣ୍ୟ ଭିତରେ ମାରିଛି ।

 

ତାହାପରେ ଆଉ କଅଣ ? ସମସ୍ତେ ଖୁସି । ସରକାରୀ କାଇଦା ସମସ୍ତଙ୍କ ଆଡ଼ୁ ସୁନ୍ଦର ଭାବରେ ରଖାଯାଇଥିଲା । ଏହି ଘଟନାରେ ସମ୍ପୃକ୍ତ ସମସ୍ତେ ନିଜ କର୍ତ୍ତବ୍ୟ ଯଥାଯଥ ଭାବରେ ପାଳନ କରିଥିଲେ ।

 

ମୋର ବାଙ୍ଗାଲୋରକୁ ଫେରିଯିବାର ସମୟ ହୋଇଗଲା । ରେଞ୍ଜଅଫିସର ଦୁହେଁ ମୋତେ ଯେଉଁ ସାହାଯ୍ୟ କରିଥିଲେ, ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଲି । ମଇଁଷି ଚାରୋଟିଙ୍କୁ ସେମାନଙ୍କ ମାଲିକମାନଙ୍କୁ ଏକଚତୁର୍ଥାଂଶରୁ ମଧ୍ୟ କମ୍ ମୂଲ୍ୟରେ ଫେରାଇଦେଲି । ଘରକୁ ଫେରିଲାବେଳେ ବାଟରେ ଶିମୋଗାଠାରେ ଡିଷ୍ଟ୍ରିକଟ ଫରେଷ୍ଟ ଅଫିସରଙ୍କୁ ସମ୍ମାନ ଦେଖାଇବାପାଇଁ କିଛି ସମୟ ରହିଲି । ସେ ମୋତେ କହିଲେ–“ଆପଣ ବେଶ୍ ଚତୁରତାର ସହିତ କୈଫିୟତଟି ଦେଇଛନ୍ତି । ଏପରି ଚିଠି ଲେଖିଥିବାରୁ ମୁଁ କ୍ଷମାମାଗୁଛି; କିନ୍ତୁ ଦୁଇଜଣ ରେଞ୍ଜଅଫିସରଙ୍କ ରିପୋର୍ଟ ଦୃଷ୍ଟିରୁ ମୋତେ ସେପରି ଲେଖିବାକୁ ହୋଇଥିଲା ।” ମୁଁ ଉତ୍ତରକଲି–“ଆପଣ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଏଭଳି ବିଷୟରେ ମୁଁ ଅଭ୍ୟସ୍ତ । ବାଘ ଦେହରେ କେଶର ନଥିବାର ଦେଖି ମୁଁ ଅନ୍ୟ ଗୋଟାଏ ବାଘମାରିଛି ବୋଲି ରିପୋର୍ଟ କରିବାପାଇଁ ସେ ରେଞ୍ଜଅଫିସର ଦୁହିଁଙ୍କୁ କହିଥିଲି ।” ମୁଁ ଡିଷ୍ଟ୍ରିକଟ ଫରେଷ୍ଟ ଅଫିସରଙ୍କ ପାଖରୁ ବନ୍ଧୁଭାବରେ ବିଦାୟ ନେଲି ।

 

ପୁରା ବର୍ଷଟିଏ ଚାଲିଗଲା । ସେହି ବୁଢ଼ା ତାର ପୁଅକୁ ମରିବାପରେ ବାଘ ଆଉ କାହାରିକୁ ମାରିଥିବାର ଶୁଣାଗଲା ନାହିଁ । ଘଟନା ଘଟିଥିଲା ପୂର୍ବବର୍ଷର ପ୍ରାୟ ଆରମ୍ଭରେ । ହୁଏତ ବର୍ଷ ଆରମ୍ଭର ଅଳ୍ପ କେତେ ମାସପରେ ଘଟିଥିବ । ମୋର ସେକଥା ଠିକ୍ ମନେନାହିଁ । ଲୋକେ ସମସ୍ତେ ମନେକଲେ ଯେ କେଶର ଥିବା ବାଘକଥା ଗୋଟାଏ ମନଗଢ଼ା ଗପ; ମୁଁ ଯେଉଁ ବାଘକୁ ମାରିଥିଲେ, ତାହାହିଁ ପ୍ରକୃତରେ ମଣିଷ ମାରୁଥିଲା । ମୁଁ ମଧ୍ୟ ତାହା ବିଶ୍ଵାସକଲି; କିନ୍ତୁ ମୋର ସେହି ଭ୍ରମଧାରଣା ଦୂର ହୋଇଗଲା ।

 

ଦିନେ ଗୋଟାଏ ବାଘ ସଗର ସହରର ବାହାରେ ଜଣେ ଲୋକକୁ ମାରିଲା । ମୁଁ ଆଗରୁ କହିଛି, କୁସ୍‌ମି ଓ ଆନନ୍ଦପୁରମ୍‌ଠାରୁ ଦୂରରେ ରାସ୍ତାପାଖରେ ସଗର ସହର ଅବସ୍ଥିତ । ସଗରଠାରୁ ସେହି ରାସ୍ତା ଯୋଗ ଜଳପ୍ରପାତ ପର୍ଯ୍ୟନ୍ତ ଯାଇଅଛି । ପନ୍ଦରଦିନ ପରେ ଆନଦପୁରମ୍ ପାଖରେ ବାଘ ଆଉ ଜଣେ ଲୋକକୁ ମାରିଲା । ଏହାପରେ ମାସକ ଭିତରେ ତାଗାର୍ଥି ଗ୍ରାମର ଜଣେ ପୁରୁଷ ଓ ଗୋଆଜା ଗ୍ରାମର ଜଣେ ସ୍ତ୍ରୀଲୋକ ବାଘ ହାତରେ ପ୍ରାଣ ଦେଲେ । ଏ ଦୁଇଟାଯାକ ଗ୍ରାମ ଆନନ୍ଦପୁରମ୍‌ଠାରୁ ଦଶମାଇଲ ମଧ୍ୟରେ ଅବସ୍ଥିତ । ଅଗଷ୍ଟ ମାସର ପ୍ରଥମ ଭାଗରେ ବାଘ ଦିନ ଦୁଇପହରବେଳେ ଗୋଟିଏ ଲମ୍ବାନି ଜାତିର ଟୋକାକୁ ନେଇଗଲା । ସେତେବେଳେ କୁମ୍‌ସି ଗ୍ରାମ ବାହାରେ ସଦର ରାସ୍ତାପାଖରେ ସେ ଗୋରୁ ଚରାଉଥିଲା ।

 

ତାହାହେଲେ ସେ ମଣିଷଖିଆ ବାଘ ଗଛକଟାଳି ଓ ତା ପୁଅକୁ ଅଭୟାରଣ୍ୟ ପାଖରେ ମାରିବାପରେ କୁଆଡ଼େ ଚାଲିଯାଇଥିଲା; ଏବେ ପୁଣି ଫେରିଆସି ମଣିଷ ମାରିବାରେ ଲାଗିଛି; କିମ୍ବା ଏ ସେହି ବାଘ ହୋଇନଥିବ; ତାରି କୁଟୁମ୍ବର କେହି ହୋଇଥିବ ଓ ସେ ପୂର୍ବ ବାଘଠାରୁ ଆହୁରି ବେଶି ମଣିଷମାରୁଛି ।

 

ମୁଁ କଳକୌଶଳ କରି ସପ୍ତାହକର ଛୁଟି ଯୋଗାଡ଼ କଲି । ସେଥିରୁ ବେଶି କରି ହେଲାନାହିଁ । ମୁଁ ମୋଟର ନେଇ କୁମ୍‌ସିରେ ପହଞ୍ଚିଲି । ଏଥିମଧ୍ୟରେ ଶିମୋଗାର ପୂର୍ବତନ ଡିଷ୍ଟ୍ରିକଟ ଫରେଷ୍ଟ ଅଫିସର ବଦଳିହୋଇ ଯାଇଥିଲେ । ତାଙ୍କ ସ୍ଥାନରେ ଅନ୍ୟ ଯିଏ ଥିଲେ ସେ ମୋର ଅପରିଚିତ; କିନ୍ତୁ ସେ ମୋର ସାଫଲ୍ୟ କାମନାକଲେ । ରେଞ୍ଜଅଫିସର ଦୁହିଁଙ୍କର ବଦଳି ହୋଇଛି କିନା ପଚାରିବାରୁ ସେ କହିଲେ ଯେ ସେ ଦୁହିଁଙ୍କ ଭିତରୁ କାହାରି ହେଲେ ବଦଳି ହୋଇନାହିଁ । ଏହା ଶୁଣି ମୁଁ ଆନନ୍ଦିତ ହେଲି ।

 

ମୁଁ କୁମ୍‌ସିର ରେଞ୍ଜରଙ୍କ ସହିତ ତାଙ୍କ ବସାରେ ସାକ୍ଷାତକଲି । ପୁରୁଣା ବନ୍ଧୁଭାବରେ ଆମେ କଥାବାର୍ତ୍ତା ହେଲୁ । କିଛି ସମୟ ପରେ ତାଙ୍କୁ ସଙ୍ଗରେ ନେଇ ଚୋର୍‌ଦିର ରେଞ୍ଜରଙ୍କ ବସାକୁ ଗଲି । ସେ ଦୁହିଁଙ୍କର ମତହେଲା–ବର୍ତ୍ତମାନର ମଣିଷଖିଆ ବାଘ ପୁରୁଣା ବାଘ ନୁହେଁ; ଏ ହେଉଛି ଗୋଟିଏ ଭିନ୍ନ ବାଘ । ପୁରୁଣା ବାଘକୁ ମୁଁ ଗଲାବର୍ଷ ଅଭୟାରଣ୍ୟ ଭିତରେ ମାରିଛି । ସେମାନଙ୍କ ଏହି ମତର କାରଣ ହେଲା, ସେହି ଦିନଠାରୁ ପ୍ରାୟ ଦୁଇମାସ ପୂର୍ବପର୍ଯ୍ୟନ୍ତ ବାଘ କୌଣସିଠାରେ ମଣିଷମାରି ନଥିଲା । ଯିଏ ଥରେ ମଣିଷମାରି ଖାଇଲା, ସେ ବରାବର ମଣିଷ ମାରି ଖାଇବ । କୌଣସି ମଣିଷଖିଆ ବାଘ ତାର ସ୍ଵଭାବ ବଦଳାଇ ଥିବାର ଜଣାଯାଇ ନାହିଁ । ଯଦି ସେ ବାଘ କୁଆଡ଼େ ପଳାଇ ଯାଇଥିଲା, ତେବେ ସେ ଅଞ୍ଚଳରେ ସେ ନିଶ୍ଚୟ କେତେ ଜଣଲୋକ ମାରିଥାନ୍ତା ଓ ସେ ଖବର ଆମେ ଶୁଣିଥାନ୍ତେ ।

 

ସେମାନଙ୍କର ଏହି ମତ ଖୁବ୍ ଯୁକ୍ତିଯୁକ୍ତ ବୋଧହେଲା । ମୋର ସନ୍ଦେହ ସତ୍ତ୍ୱେ ମୁଁ ସେମାନଙ୍କ କଥାକୁ ବିଶ୍ଵାସକଲି ।

 

ଏହାପରେ କର୍ତ୍ତବ୍ୟ ସ୍ଥିର କରିବା ପାଇଁ ଆମେ ଗୋଟିଏ ସଭାକରି ବିଚାରକଲୁ । ଏ ବାଘ ସଗର, ଆନନ୍ଦପୁରମ, ତାଗାର୍ଥୀ ଓ ଗୋଏଜାରେ ମଣିଷ ମାରିଥିଲା; ଏବେ କୁମ୍‌ସିରେ ମାରିଲା । ଅନ୍ୟ ବାଘଟି–ତଥାକଥିତ କେଶରଥିବା ବାଘ ଯେଉଁ ଅଞ୍ଚଳରେ ଦୁଇବର୍ଷ ପୂର୍ବେ ଉପଦ୍ରବ କରୁଥିଲା, ଏହି ଗ୍ରାମଗୁଡ଼ିକ ଠିକ୍ ସେହି ଅଞ୍ଚଳରେ ଅବସ୍ଥିତ । ଏପରି ସ୍ଥଳେ ମୁଁ କେଉଁଠାରେ ‘ଥୋପ’ ବାନ୍ଧିବି ? ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲୁ ନାହିଁ ।

 

ଏହାର ପରଦିନ ଏ ପ୍ରଶ୍ନର ମୀମାଂସା ହୋଇଗଲା । ଭାଗ୍ୟକୁ ସେଦିନ ସଫା ଦିନବେଳା ଆଲୁଅରେ ବାଘ ଅମ୍‌ଲିଗୋଲାର ଗୋଟିଏ ଗୋରୁ ଜଗାଳି ଟୋକାକୁ ନେଇଗଲା । ତୁମମାନଙ୍କର ମନେଥିବ, ଅମ୍‌ଲିଗୋଲା ହେଉଛି କରଡ଼ିବେଟା ଅଭୟାରଣ୍ୟର ଉତ୍ତରସୀମାର ପୂର୍ବ ପ୍ରାନ୍ତରେ । ଅନ୍ୟ ପ୍ରକାରେ କହିବାକୁ ଗଲେ କରଡ଼ିବେଟା ହେଉଛି ପ୍ରାୟ ଗୋଟିଏ ଆୟତକାର କ୍ଷେତ୍ର ଓ ଅମ୍‌ଲିଗୋଲା ହେଉଛି ତାର ଉତ୍ତର–ପୂର୍ବକୋଣ । ସେଠାରେ ଫରେଷ୍ଟ ଗାର୍ଡ଼ମାନେ ଆସି ଚୋରଦିର ରେଞ୍ଜରଙ୍କୁ ଏହି ସମ୍ବାଦଦେଲେ ଓ ଚୋର୍‌ଦିର ରେଞ୍ଜର ମୋତେ ଏହି ଖବର ଜଣାଇବାପାଇଁ କୁମ୍‌ସିରେ ପହଞ୍ଚିଲେ । ସେ କୁମ୍‌ସିରେ ପହଞ୍ଚିଲା ବେଳକୁ ସମୟ ସାଢ଼େତିନିଟା ।

 

ଦୁଇ ରେଞ୍ଜଅଫିସର ଓ ମୁଁ ଅମ୍‌ଲିଗୋଲାକୁ ବାହାରିଲୁ । ଚୋର୍‌ଦିଠାରୁ ଆମକୁ ଗୋଟାଏ ବଙ୍କାବାଟେ ଖାଲଢିପ ଶଗଡ଼ଗୁଳାରେ ଯିବାକୁ ପଡ଼ିଲା । ଅମ୍‌ଲିଗୋଲାରେ ଗୋଟିଏ ଛୋଟ ସୁନ୍ଦର ଡାକବଙ୍ଗଳା ଅଛି । ଡାକବଙ୍ଗଳା ପଛରେ ଗୋଟିଏ ନଦୀ ବହି ଯାଉଅଛି । ଏହି ନଦୀଟି ହେଉଛି କରଡ଼ିବେଟାର ଉତ୍ତରସୀମା । ପ୍ରାୟ ଦୁଇମାଇଲ ଦୂରରେ ଏହାର ଜଳ ଗୋଟିଏ ହ୍ରଦରେ ପଡ଼ୁଅଛି । ବାଘନେଇ ଯାଇଥିବା ଟୋକାଟି ସେହି ହ୍ରଦ କୂଳରେ ଗୋରୁ ଚରାଉଥିଲା । ବାଘ ନଦୀଶର୍ଯ୍ୟାରୁ ଉପରକୁ ଉଠିଆସି ସକାଳ ଦଶଟାବେଳେ ଟୋକାକୁ ନେଇ ଯାଇଥିଲା । ପିଲା ଯେଉଁଠାରେ ଛିଡ଼ା ହୋଇଥିଲା, ତାର ଚାରିପାଖେ ଅନେକ ଗୋରୁ ଚରୁଥିଲେ; କିନ୍ତୁ ବାଘ କୌଣସି ଗୋରୁଗାଈଙ୍କୁ ଛୁଇଁ ନଥିଲା । ପିଲାକୁ ମାରି ତାକୁ କାମୁଡ଼ି ନଈର ଧାରେଧାରେ ବଣ ଭିତରକୁ ଚାଲି ଯାଇଥିଲା ।

 

ପିଲାଆଡ଼କୁ ଆସିଲାବେଳେ ବାଘର ଯେଉଁ ପାଦଚିହ୍ନ ପଡ଼ିଥିଲା, ଫେରିଗଲାବେଳେ ଯେଉଁ ପାଦଚିହ୍ନ ଓ ପିଲାର ଘୋଷରା ଚିହ୍ନ ପଡ଼ିଥିଲା ଓ ପିଲାର ପାଦଚିହ୍ନ ମୁଁ ସ୍ପଷ୍ଟରୂପେ ଦେଖିପାରିଲା । ଯିବା ବାଟରେ ଆଦୌ ରକ୍ତ ପଡ଼ିନଥିଲା ।

 

ଏସବୁ ଦେଖିସାରିଲାବେଳକୁ ସନ୍ଧ୍ୟାହୋଇ ଯାଇଥିଲା । ପିଲାର ଶବ ଖୋଜିବା ପାଇଁ ସୁବିଧା ନଥିଲା; କାରଣ ଅନ୍ଧାର ମାଡ଼ି ଆସିଥିଲା । ଅବଶ୍ୟ ଏହା କ୍ଷୋଭର ବିଷୟ । କୁମ୍‌ସିରେ ଖବର ପାଇବାରେ ଏତେ ଡେରିହୋଇ ଯାଇଥିଲା ବୋଲି ମୁଁ ମନେମନେ ବିରକ୍ତହେଲି । ଆମେ ଆହୁରି ଆଗରୁ ଆସି ପହଞ୍ଚିବାକୁ ଯଥାଶକ୍ତି ଚେଷ୍ଟା କରିଥିଲୁ; କିନ୍ତୁ ଶଗଡ଼ଗୁଳାରେ ଅମ୍‌ଲିଗୋଲାକୁ ଆସିବାରେ ଆମର ବହୁତ ସମୟ ନଷ୍ଟହୋଇ ଯାଇଥିଲା; କିନ୍ତୁ ସିଧାବାଟେ ଆସିବାକୁ ଯାଇ ମୋଟରର ସ୍ପ୍ରିଙ୍ଗ ବା ଆକସ୍‌ସିଲ ଭାଙ୍ଗିବାକୁ ମୁଁ ପ୍ରସ୍ତୁତ ନଥିଲି । ସେହି ସନ୍ଧ୍ୟାରେ ଶବର ଅବଶିଷ୍ଟାଂଶ ଦେଖି ପାରିଥିଲେ ମୁଁ ବାଘ ଆସିବାଯାଏ ସେହିଠାରେ ଜଗି ରହିଥାନ୍ତି; କିନ୍ତୁ ତାହା ହୋଇପାରିଲା ନାହିଁ । ମୁଁ ଭାଗ୍ୟକୁ ନିନ୍ଦାକରି ରହିଲି । ଡାକବଙ୍ଗଳାର ଗୋଟିଏ ବଖରାରେ ରେଞ୍ଜ ଅଫିସର ଦୁହେଁ ଶୋଇଲେ; ମୁଁ ଅନ୍ୟ ବଖରାରେ ଶୋଇଲି । ରୋଷଘରକୁ ଲାଗି ଗୋଟିଏ ଅଲଗା ମାଲଗୋଦାମ ଘରଥିଲା । ଫରେଷ୍ଟ ଗାର୍ଡ଼ମାନେ କବାଟ କିଳି ସେହି ଘରେ ଶୋଇଲେ ।

 

ରାତି ଦୁଇପହର ପରେ ଗୋଟାଏ ବାଘ ବୋବାଇବାକୁ ଲାଗିଲା । ବୋଧହେଲା, ବାଘ ଆମ ପାଖରୁ ମାଇଲିଏ ଦୂରରେ ଥିବ । ମୁଁ କାଳେ ଶୋଇ ପଡ଼ିଥିବି ମନେକରି ସେମାନେ ଆସି ଦୁଇ ବଖରାର ମଝିରେ ଥିବା କବାଟରେ ଠକ୍‌ଠକ୍ ଶବ୍ଦକଲେ । ମୁଁ କବାଟ ଫିଟାଇ ସେ ଦୁହିଁଙ୍କୁ କୋଠରୀ ଭିତରକୁ ଡାକିନେଲି । ମୁଁ ମଧ୍ୟ ବାଘର ବୋବାଳି ଶୁଣିଛି ବୋଲି ସେମାନଙ୍କୁ କହିଲି ।

 

ବଙ୍ଗଳାର ସାମନାପାଖେ ଗୋଟିଏ ସଂକୀର୍ଣ୍ଣ ବାରଣ୍ଡା; ସେଠାକୁ ଯିବାପାଇଁ ବଙ୍ଗଳାଘରେ ଲାଗିଥିବା କବାଟକୁ ଖୋଲିଲି । ଆମ ଚାରିପାଖେ ଜଙ୍ଗଲ ଉପରେ ଚନ୍ଦ୍ରକିରଣ ପଡ଼ିଥିଲା ଓ ବାରଣ୍ଡାର ଗୋଟିଏ ମୁଣ୍ଡକୁ ଚକ୍‌ଚକ୍ କରୁଥିଲା । ଜଙ୍ଗଲରେ ଚନ୍ଦ୍ରାଲୋକିତ ରାଜନୀର ଅପୂର୍ବ ଆନନ୍ଦ କେବଳ ଗ୍ରୀଷ୍ମପ୍ରଧାନ ଦେଶରେ ଅନୁଭବ କରାଯାଇପରେ । ବାହାରକୁ ଚାହିଁ ବିସ୍ମୟରେ ଏହି ଦୃଶ୍ୟ ଉପଭୋଗ କରୁଥିବା ବେଳେ ବାଘ ପୁଣି ବୋବାଇଲା । ଏଥର ଆହୁରି ନିକଟରୁ ଶବ୍ଦ ଆସୁଥିଲା । ହଠାତ୍ ମୋର ମନେହେଲା, ବଙ୍ଗଳା ପଛପଟେ କେତେ ଗଜ ଦୂରରେ ବହୁଥିବା ନଈର କୂଳେକୂଳେ ଜନ୍ତୁଟାଏ ଯାଉଅଛି । ଆଉ ଦଶମିନିଟ୍ ଭିତରେ ହୁଏତ ବଙ୍ଗଳା ପଛବାଟେ ଯିବ । ଏଇଟା କଅଣ ସେହି ମଣିଷଖିଆ ବାଘ ?

 

ଭାଗ୍ୟପରୀକ୍ଷା କରିବାପାଇଁ ମୁଁ ସ୍ଥିରକଲି ।

 

ଦୁଇମିନିଟ ଭିତରେ ମୁଁ ରାଇଫେଲ ବାହାରକରି ସେଥିରେ ମୋର ଟର୍ଚ୍ଚଲାଇଟକୁ ଖଞ୍ଜିଦେଲି । ବଙ୍ଗଳାର ପଛପଟ ଗାଧୁଆଘର କବାଟ ବାଟେ ମୁଁ ବାହାରିପଡ଼ିଲି । ବଙ୍ଗଳା ହତାର ଚାରିପାଖେ ଝାଉଁଗଛ ଲଗାଯାଇଥିଲା । ତାହା ଭିତର ଦେଇ ବଙ୍ଗଳାଘର ପଛଠାରୁ ନଦୀ ପର୍ଯ୍ୟନ୍ତ ଥିବା ଗଡ଼ାଣି ଖୁବ୍ ବେଗରେ ପାର ହୋଇଗଲି ।

 

ଚନ୍ଦ୍ରକିରଣରେ ନଦୀଜଳର ଉପରିଭାଗ ଚକ୍‌ଚକ୍ କରୁଥିଲା; କିନ୍ତୁ ମୁଁ ଯେଉଁ କୂଳରେ ଛିଡ଼ା ହୋଇଥାଏଁ, ସେଥିରେ ଥିବା ଗଛର ଛାଇପଡ଼ି ନଦୀଜଳର କେତେକ ସ୍ଥାନ ଅନ୍ଧକାରମୟ ଦିଶୁଥାଏ । ଏହି ନଦୀ କରଡ଼ିବେଟାର ଉତ୍ତରସୀମା ବୋଲି ମୁଁ ପୂର୍ବରୁ କହିଛି । ନଦୀର ଅପରକୂଳ ଅଭୟାରଣ୍ୟର ସୀମା ବାହାରେ ।

 

ବାଘ ପୁଣିଥରେ ହେଣ୍ଟାଳିଲା । ଏହା ଖୁବ୍ ଶୀଘ୍ର ମୋ ଆଡ଼କୁ ଆସୁଥିବାର ଜଣାଗଲା । ସେତେବେଳେ ସେ ମୋଠାରୁ ଅତି ବେଶି ପାଏମାଇଲ ଦୂରରେ ଥିଲା । ଅତର୍କିତ ଭାବରେ ମଞ୍ଚାକରିବା ପାଇଁ ମୋର ଗୋଟିଏ ଗୋପନ ସ୍ଥାନ ଶୀଘ୍ର ସ୍ଥିର କରିବାକୁ ହେବ ।

 

ମୋ ପକ୍ଷରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନହେଲା–ବାଘ ନଈର କେଉଁ କୂଳବାଟେ ଆସୁଛି ? ଯଦି ସେ ଅନ୍ୟ କୂଳ ଅର୍ଥାତ୍ କରଡ଼ିବେଟା ସଂଲଗ୍ନ କୂଳବାଟେ ଆସୁଥାଏ, ତେବେ ତାକୁ ଜହ୍ନ ଆଲୁଅରେ ଦେଖି ଗୁଳି କରିବାକୁ ହେଲେ ମୋତେ ନଈର ପାଣିଧାର ପାଖକୁ ଯିବାକୁ ହେବ । ଅପର ପକ୍ଷରେ ମୁଁ ଯେଉଁ କୂଳରେ ଛିଡ଼ାହୋଇଛି, ବାଘ ଯଦି ସେହି କୂଳବାଟେ ଆସୁଥାଏ, ତେବେ ମୁଁ ପାଣିଧାର ପାଖକୁ ଚାଲିଗଲେ ବାଘ ଏଠାକୁ ଆସିଲାକ୍ଷଣି ପାଣି ଉପରେ ମୋର କଳାରଙ୍ଗର ଛାଇକୁ ଦେଖିପାରିବ ଓ ସେ ରହିବ ମୋଠାରୁ ଉଚ୍ଚରେ । ଏ ଦିଓଟିଯାକ ବାଘପକ୍ଷରେ ବିପଦଜନକ ହେବ ।

 

ବାଘ ପୁଣି ହେଣ୍ଟାଳିଲା । ଏଥରର ଶବ୍ଦ ପ୍ରାୟ ଏକ ଫର୍ଲଙ୍ଗ ଦୂରରୁ ଆସିଲା । ଆଉ ସମୟ ନଥିଲା । ଦୈବ ଉପରେ ନିର୍ଭରକରି କାମ କରିବାକୁ ସ୍ଥିରକଲି । ଖୁବ୍ ସମ୍ଭବ ବାଘଟା ବର୍ତ୍ତମାନ ନଦୀର ଅପର ତଟରେ ଅଭୟାରଣ୍ୟର ସୀମା ଭିତରେ ।

 

ଲୁଚିଯିବା ପାଇଁ ଗୋଟାଏ ଉପଯୁକ୍ତ ସ୍ଥାନ ପାଇବାକୁ ମୁଁ ବ୍ୟାକୁଳ ଭାବରେ ଚାରିଆଡ଼କୁ ଚାହୁଁଥିଲି । ମୋପାଖ ନଈକୂଳ ଠାରୁ ମାତ୍ର ଦୁଇଫୁଟ ଦୂରରେ ଗୋଟିଏ ବଡ଼ ବେଣାବୁଦା (red grass) ଥିଲା । ବୁଦା ଚାରିପାଖ ପାଣି ବେଢ଼ିଥିଲା । ନଈ ଗଭୀରନୁହେଁ ବୋଲି ମୋତେ ଜଣାଥିଲା । ମୁଁ ନଈକୂଳରୁ ତଳକୁ ଖସି ଆସିଲି ଓ ଦୁଇଫୁଟ ପାଣି ପାରହୋଇ ବେଣାବୁଦା ଭିତରେ ବସିପଡ଼ିଲି । ପାଣିରେ ଆସିଲାବେଳେ ଯେପରି ଚବ୍‌ଚବ୍ ଶବ୍ଦ ନହୁଏ, ସେଥିପ୍ରତି ଦୃଷ୍ଟି ଦେଇଥିଲି । ନୀରବରେ ଦୁଇ ତିନି ମିନିଟ କଟିଗଲା । ବଡ଼ବଡ଼ ଗଛମାନଙ୍କର ଛାଇ ନଈର ଦୁଇକୂଳରୁ ପାଣି ଉପରେ ପଡ଼ିଥିବାରୁ ମୁଁ ଅନ୍ୟ କିଛି ଦେଖିପାରୁ ନଥିଲି ।

 

ବାଘ ପୁଣି ଥରେ ବୋବାଇଲା । ଏଥର ଠିକ୍ ମୋ ସିଧାରେ; କୂଳର ଯେଉଁଠାରେ ମୁହୂର୍ତ୍ତକ ଆଗେ ମୁଁ ଛିଡ଼ା ହୋଇଥିଲି ଠିକ୍ ସେହି ସ୍ଥାନରେ । ସେ ଉକ୍ତ ସ୍ଥାନ ଅତିକ୍ରମ କରିବାକୁ ଯାଉଥିଲା ।

 

ମୁଁ ଏକ–ଦୁଇ–ତିନି–ଚାରି–ପାଞ୍ଚ ଗଣିଲି । ଏହି ସମୟ ଭିତରେ ବାଘ ଠିକ୍ ମୋ ସିଧାରେ ନଥିବ କି ସତେ ଉଚ୍ଚରେ ନଥିବ । ମୁଁ ହଠାତ୍ ଟର୍ଚ୍ଚଲାଇଟ ଟିପିଦେଲି, ଦେଖିଲି ମୋପାଖରୁ ପନ୍ଦରଗଜରୁ କମ୍ ଦୂରରେ ବାଘ ଦେହର ପଟାପଟା ଦାଗ ଦିଶୁଛି ।

 

ବାଘ ଅଟକିଯାଇ ମୋ ଆଡ଼କୁ ମୁହଁ ବୁଲାଇ । ତାହାର ମୁହଁର ଡାହାଣ ପାଖ ମୋ ଆଡ଼କୁ ଥିଲା । ତେଣୁ ମୁଁ ତାର ଡାହାଣ କାନ୍ଧକୁ ଲକ୍ଷ୍ୟକରି ଗୁଳିମାରିଲି । ସେ ଉପରକୁ ଡେଇଁପଡ଼ି ପଛକୁ ଓଲଟି ପଡ଼ିଲା । ମୁଁ ଗୋଟିକ ପରେ ଗୋଟିଏ ଏହିପରି ଆଉ ଦୁଇଥର ଗୁଳିକଲି ।

 

ଏତେବେଳେ ମୁଁ କେଉଁଠାରେ ଅଛି, ବାଘ ଜାଣିପାରିଲା । ମୋ ଉପରେ ଆକ୍ରମଣ କରିବାପାଇଁ ସେ ଗଡ଼ାଣିଆ ନଈକୂଳ ଉପରୁ ଖସିଖସି ଗଡ଼ିଗଡ଼ି ତଳେ ପଡ଼ିଗଲା । ସେତେବେଳକୁ ସେ ମୋଠାରୁ ମାତ୍ର ପାଞ୍ଚଗଜ ଦୂରରେ । ମୁଁ ଆଉ ଗୋଟିଏ ଗୁଳିମାରିଲି । ଏହି ଚତୁର୍ଥ ଗୁଳିଟି ତାର ମଥାଫୁଟାଇ ବାହାରିଗଲା ।

 

ପରେ ମୁଁ ଏହାକୁ ପରୀକ୍ଷାକରି ଦେଖିଲି । ତାର ଗଳାର ଚାରିପାଖେ କେଶର ଦେଖି ମୁଁ ବିସ୍ମୟାନ୍ୱିତ ହୋଇଗଲି । ଠିକ୍ ରୀତିମତ କେଶର । ବାଘ ଗଳାରେ କେଶର ଏକ ଅସାଧାରଣ ବ୍ୟାପାର ।

 

ଜଙ୍ଗଲରାଜ୍ୟର କେତେକ ରହସ୍ୟ ଦୁର୍ବୋଧ୍ୟ; ସେ ସବୁର ସମାଧାନ ଅସମ୍ଭବ । ଏ ବାଘ ଗଳାରେ କେଶର ରହିଥିବା ସେହିପରି ଗୋଟିଏ ରହସ୍ୟ ।

Image

 

Unknown

ନବମ ଅଧ୍ୟାୟ

ପେଗେପାଲିୟାମର ମଣିଷଖିଆବାଘ

 

ଏହା କୌଣସି ମଣିଷଖିଆ ବାଘର ଉପଦ୍ରବ ଓ ତାର ମରଣର ପୂର୍ଣ୍ଣ ଗଳ୍ପ ନୁହେଁ । ଯେଉଁ ବାଘ ବିଷୟ ଏଠାରେ କୁହାଯାଉଅଛି, ମୋର ଏହି ଲେଖିବା ସମୟରେ ମଧ୍ୟ ସେ ବଞ୍ଚିରହିଛି । ସରକାରୀ କାଗଜପତ୍ରରେ ଲେଖାଅଛି ଯେ ଏହି ବାଘଟି ଚଉଦ ଜଣଙ୍କୁ ମାରି ଖାଇଛି; କିନ୍ତୁ ବେସରକାରୀ ସୂତ୍ରରୁ ଜଣାଯାଏ, ଏହି ବାଘ ପୁରୁଷ, ସ୍ତ୍ରୀ, ଶିଶୁ ସମସ୍ତଙ୍କୁ ମିଶାଇ ୩୭ ଜଣଙ୍କର ମୃତ୍ୟୁପାଇଁ ଦାୟୀ । ବେସରକାରୀ ହିସାବରେ ଯେତେ ଲୋକ କୁହାଯାଉଛି, ସେଥିମଧ୍ୟରୁ ପ୍ରାୟ ଅଧଙ୍କୁ ବାଘ ପୂରା ବା ଅଧା ଖାଇଛି; ଅନ୍ୟମାନଙ୍କୁ କେବଳ ନଖରେ ଚିରି ବିଦାରି ପକାଇଛି-। ସରକାରଙ୍କ ହିସାବଠାରୁ ବେସରକାରୀ ହିସାବ ପୃଥକ୍ ହେବାର ଏହାହିଁ ହେଉଛି କାରଣ ।

 

ମୁଁ ଯେଉଁ ବାଘ ବିଷୟରେ କହିବାକୁ ଯାଉଅଛି, ତାହା ସମ୍ବନ୍ଧରେ ଗୋଟିଏ ବିଶେଷ ଉଲ୍ଲେଖଯୋଗ୍ୟ କଥା ହେଉଛି, ମୁଁ ଅନ୍ୟ ଏକ ପୁସ୍ତକରେ ‘ରାଜନଗରର ନଖରେ ଚିରୁଥିବା ବାଘ’ ନାମକ ଯେଉଁ ଗଳ୍ପ ଦେଇଅଛି, ଏ ସେହି ବାଘ ବୋଲି ମୋର ବିଶ୍ଵାସ । ସେହି ଗଳ୍ପଟି ଲେଖିଲା ବେଳେ ଦିମ୍‌ବୁମ୍ ପାହାଡ଼ଟି ହେଉଛି ଉତ୍ତର କୋଇମ୍ବାଟୁର ଜିଲ୍ଲାରେ । ପାହାଡ଼ିଆ ଉପତ୍ୟକାକୁ ଲାଗି ବୁଦୁବୁଦୁକିଆ ଜଙ୍ଗଲ । ଉତ୍ତର ଦିଗରେ ତିଖ ଶିଖରଦେଶକୁ ଯାଇଥିବା ଘାଟରାସ୍ତାରେ ମଝି ଦିମ୍‌ବୁମ୍ ଓ ଦକ୍ଷିଣ ଦିଗରେ ଶୁଷ୍କ ସମଭୂମିରେ ଅବସ୍ଥିତ ସତ୍ୟମଙ୍ଗଳମ୍ ମଧ୍ୟରେ ସହର ଏହି ବାଘ ରହୁଥିଲା ।

 

ପାହାଡ଼ର ପାଦଦେଶରେ ଥିବା ବୁଦୁବୁଦୁକିଆ ଜଙ୍ଗଲର ନିକଟତମ ଗ୍ରାମର ନାମ ହେଉଛି ରାଜନଗର । ବାଘଟି ମନୁଷ୍ୟ ଜାତି ବିରୁଦ୍ଧରେ ତାହାର ଯୁଦ୍ଧ ଘୋଷଣା କରି ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଉଥିବା ଏହି ଗ୍ରାମର ଗୋରୁ ଜଗାଳିମାନଙ୍କ ଉପରେ ଦୌରାତ୍ମ୍ୟ ଆରମ୍ଭ କରିଥିଲା । ତେଣୁ ସେ ରାଜନଗରର ବାଘ ନାମରେ ପରିଚିତ ହୋଇ ଯାଇଥିଲା । ମନୁଷ୍ୟକୁ ଆକ୍ରମଣ କରିବାରେ ତାର ଗୋଟିଏ ବିଶେଷତ୍ଵ ଥିବାରୁ ସେ ସୁପରିଚିତ ହୋଇ ଯାଇଥିଲା । ଅନ୍ତତଃ ମୁଁ ସେ ଗଳ୍ପଟି ଲେଖିଲାବେଳେ ତାର ସେହି ବିଶେଷତ୍ଵ ଥିଲା । ସେହି ବିଶେଷତ୍ଵଟି ହେଲା: ସେ ଲୁଚିଥିବା ସ୍ଥାନରୁ ହଠାତ୍ ବାହାରି ପଡ଼ି ଜଣେ ଗୋରୁ ଜଗାଳିକୁ ତାର ତୀକ୍ଷ୍‌ଣ ନଖରେ ଚିରି ବିଦାରି ପକାଉଥିଲା ଓ ତାହାପରେ ଗୋରୁପଲ ଭିତରୁ ଯେଉଁଟିକୁ ଇଚ୍ଛା ସେଇଟିକୁ ନେଇ ଯାଉଥିଲା; କିନ୍ତୁ ସେତେବେଳେ ସେ କୌଣସି ମନୁଷ୍ୟକୁ କାମୁଡ଼ି ମାରି ଥିବାର ବା ଖାଇଥିବାର ନିର୍ଭରଯୋଗ୍ୟ ଘଟଣା ଜଣାଯାଇନଥିଲା । ଜଣେ ଦୁଇ ଜଣ ମନୁଷ୍ୟ ହଜି ଯାଇଥିବାର ଖବର ମିଳିଥିବା ସତ ଓ ଲୋକେ ଅନୁମାନ କରିଥିଲେ ଯେ ବାଘ ସେମାନଙ୍କୁ ମାରିଖାଇଛି; କିନ୍ତୁ ଏହି ଅନୁମାନକୁ ସମର୍ଥନ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରମାଣ ମିଳି ନଥିଲା । ଏହି ବାଘ ସମ୍ବନ୍ଧରେ ଏତିକି ମାତ୍ର ଜଣା ପଡ଼ିଥିଲା ଯେ ସେ ସର୍ବଦା ତାର ଶିକାରକୁ ନଖରେ ବିଦାରି ପକାଉଥିଲା; କେବେହେଲେ ଦାନ୍ତରେ କାମୁଡ଼ି ଧରୁନଥିଲା ।

 

ତାର ଏହି ବିଚିତ୍ର ଧରଣର ଆକ୍ରମଣକୁ ଲକ୍ଷ୍ୟକରି ଲୋକସାଧାରଣଙ୍କର ବିଶ୍ଵାସ ହୋଇ ଯାଇଥିଲା ଯେ ବାଘଟା କେବେ ମୁହଁ ବା ପାଟିରେ ଆଘାତ ପାଇଥିବାରୁ ଶିକାରକୁ କାମୁଡ଼ିବାରେ ଅକ୍ଷମ ହୋଇ ପଡ଼ିଛି । କିନ୍ତୁ ଗୋରୁ ଜଗାଳିକୁ ନଖରେ ବିଦାରି ପକାଇ ଦେବା ପରେ ସେ ଯେଉଁ ଗୋରୁକୁ ଧରିନେଉଥିଲା, ତାକୁ ମାରି ଦାନ୍ତରେ କାମୁଡ଼ି ନିଶ୍ଚିତରେ ଖାଉଥିଲା । ତେଣୁ ଲୋକଙ୍କର ବିଶ୍ଵାସ ଅମୂଳକ ବୋଲି ପ୍ରମାଣିତ ହୋଇଥିଲା । ମୋଟଉପରେ ଏ ବାଘଟାର ଆଚରଣ ଥିଲା ଅଦ୍ଭୁତ । ତାର ଏପ୍ରକାର ଆଚରଣର କାରଣ ସନ୍ତୋଷଜନକ ଭାବରେ ଜଣାଯାଇ ପାରିନାହିଁ ।

 

ଉକ୍ତ ‘ରାଜନଗରର ନଖରେ ଚିରୁଥିବା ବାଘ’ ଗଳ୍ପରେ ମୁଁ କିପରି ତାକୁ ମାରିବାପାଇଁ ଚେଷ୍ଟାକରି ବିଫଳ ହୋଇଥିଲି, ତାହା ବର୍ଣ୍ଣନା କରିଥିଲି । କୌଶଳରେ ଖସିଯିବା ବିଷୟରେ ସେ ଥିଲା ଅଦ୍ଵିତୀୟ । ତା ସହିତ ଏହି ପ୍ରଥମ ଯୁଦ୍ଧରେ ସେ ବିଜୟ ଲାଭକଲା ଓ ମୁଁ ପରାଜିତ ହୋଇ ବାଙ୍ଗାଲୋରକୁ ଫେରିଆସିଲି; କିନ୍ତୁ ମୋର ଦୃଢ଼ ବିଶ୍ଵାସ ଥିଲା ଯେ ଦ୍ଵିତୀୟବାର ଯୁଦ୍ଧରେ ସୁଯୋଗ ଘଟିବ ଓ ସେଥିରେ ମୁଁ ବିଜୟୀ ହେବି ।

 

ମୋର କେତେକ ଶୁଭାକାଙ୍‌କ୍ଷୀ ବନ୍ଧୁ ଏଥିମଧ୍ୟରେ ମୋତେ ପତ୍ରଲେଖି ଜାଣିବାକୁ ଚାହୁଁଛନ୍ତି–ସେ ଗଳ୍ପର ପରବର୍ତ୍ତୀ ଘଟଣା କଅଣ ହେଲା ? ଜୋ କ୍ୟାରେନି ବୋଲି ମୋର ଜଣେ ପରିଚିତ ଭଦ୍ରବ୍ୟକ୍ତି ଏତେ ଆଗ୍ରହୀ ହୋଇଗଲେ ଯେ ସେ କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲସ୍‌ରୁ ଏ ବିଷୟରେ ମୋ ପାଖକୁ ଗୋଟିଏ କେବ୍‌ଲଗ୍ରାମ୍ (ସାମୁଦ୍ରିକ ତାରବାର୍ତ୍ତା) ପଠାଇଥିଲେ ।

 

କିନ୍ତୁ ଗଭୀର ଦୁଃଖର ବିଷୟ ଏହି ଯେ ମୁଁ ଏହି ବନ୍ଧୁମାନଙ୍କ ମଧ୍ୟରୁ କାହାରି କୌତୁହଳ ଦୂର କରିପାରିନାହିଁ; କାରଣ ପ୍ରଥମବାର ମୋର ପରାଜୟପରେ ‘ରାଜନଗରର ନଖରେ ଚିରୁଥିବା ବାଘ’ ନଖରେ ବିଦାରିବା ବନ୍ଦ କରି ଦେଇ କେଉଁଆଡ଼େ ଉଭେଇଗଲା । ଆମେମାନେ ମନେକଲୁ, ବାଘ ତାର ସ୍ଵଭାବ ବଦଳାଇ ଦେଇଛି ଓ ନବ ବର୍ଷରେ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଅଛି; କିମ୍ବା ସେ କୌଣସି ସୁଦୂର ଅରଣ୍ୟକୁ ଚାଲିଯାଇଅଛି, ଅଥବା ସ୍ଵାଭାବିକ ଭାବରେ ମୃତ୍ୟୁ ମୁଖରେ ପଡ଼ିଅଛି । ସମୟକ୍ରମେ ରାଜନଗରର ଗୋରୁ ଜଗାଳିମାନେ ବୁଦୁବୁଦୁକିଆ ଜଙ୍ଗଲରେ ପୂର୍ବପରି ଗୋରୁ ଚରାଇବାକୁ ଗଲେ ଓ ସନ୍ଧ୍ୟାବେଳକୁ ଗୋରୁପଲ ଘେନି କ୍ଳାନ୍ତ ଅଥଚ ଅକ୍ଷତ ଶରୀରରେ ଘରକୁ ଫେରି ଆସିବାକୁ ଲାଗିଲେ ।

 

ଏହିପରି ନଅ ମାସ ଅତିକ୍ରାନ୍ତ ହୋଇଗଲା । ଦିନେ ସନ୍ଧ୍ୟାସମୟରେ ସୂର୍ଯ୍ୟ ଦେବତା ବିଲିଗିରିରଙ୍ଗିନ୍ ପାହାଡ଼ଶ୍ରେଣୀ ପଛରେ ବୁଡ଼ି ଯାଉଥିଲେ । ଏହି ପାହାଡ଼ ଶ୍ରେଣୀ ରାଜନଗରଠାରୁ ପ୍ରାୟ ପଚାଶ ମାଇଲ ଦୂରରେ ପଶ୍ଚିମଦିଗରେ ଅବସ୍ଥିତ । ସୂର୍ଯ୍ୟଙ୍କର ତିର୍ଯ୍ୟକ୍ କିରଣରେ ପୂର୍ବ ଦିଗରେ ଥିବା କ୍ଷୁଦ୍ର ପେଗେପାଲିୟାମ୍ ପଲ୍ଲୀଗ୍ରାମରେ ଦୀର୍ଘ ଛାୟା ପଡ଼ୁଥିଲା । ଏହି କ୍ଷୁଦ୍ର ଗ୍ରାମଟି ଜଙ୍ଗଲ ସଫାକରି ପ୍ରତିଷ୍ଠିତ ହୋଇଥିଲା; ଏହାର ପଶ୍ଚିମରେ ଥିଲା ପର୍ବତଶ୍ରେଣୀ ଓ ପୂର୍ବରେ ଥିଲା ଦିମ୍‌ବୁମ୍‌ଠାରୁ କୋଲେଗାଲକୁ ଯାଇଥିବା ରାସ୍ତା । ରାସ୍ତାଟି ଗ୍ରାମଠାରୁ ଦୁଇମାଇଲରୁ କମ୍ ଦୂରବର୍ତ୍ତୀ ଥିଲା । ଏଇଟା ହେଉଛି ଗୋରୁପଲ ଗ୍ରାମକୁ ଫେରିବାର ସମୟ । ଗ୍ରାମଠାରୁ ଅଳ୍ପ କେତେ ଫର୍ଲଙ୍ଗ ଦୂରରେ ଗୋରୁପଲ ଜଙ୍ଗଲର ଚଲାବାଟରେ ଗ୍ରାମଆଡ଼କୁ ଆସୁଥିଲେ । ସେମାନଙ୍କ ପଛରେ ଥିଲେ ଦୁଇଜଣ ଗୋରୁ ଜଗାଳି । ଦୁହିଁଙ୍କ ଭିତରୁ ଜଣେ ବୟସ୍କ ଲୋକ ଓ ଅନ୍ୟ ଜଣକ ଗୋଟିଏ ବାଳକ ।

 

ଘନଜଙ୍ଗଲରେ ଆଚ୍ଛାଦିତ ସଂକୀର୍ଣ୍ଣ ଗିରିପଥସମୂହ ଏ ଅଞ୍ଚଳରେ ଛନ୍ଦାଛନ୍ଦି ହୋଇ ରହିଥିଲା । ବର୍ଷା ଋତୁରେ ବୃଷ୍ଟିଜଳ ପ୍ରବଳ ସ୍ରୋତ ଆକାରରେ ସେହି ଗିରିପଥବାଟେ ଆସି ପଶ୍ଚିମଦିଗର ପର୍ବତମାଳରେ ପ୍ରପାତମାଳାରେ ପ୍ରପାତମାନ ସୃଷ୍ଟିକରି ପୂର୍ବଦିଗକୁ ବହିଯାଉଥିଲା; କିନ୍ତୁ ଯେଉଁ ସନ୍ଧ୍ୟା ସମୟ ଏଠାରେ କୁହାଯାଉଅଛି, ସେ ସମୟରେ ଏସବୁ ସ୍ଥାନ ଏକଦାରେ ଶୁଷ୍କଥିଲା । କେବଳ ବୁଲବୁଲ ଓ ଅନ୍ୟ କେତେକ (Seven sisters birds) ପକ୍ଷୀଙ୍କର କାକଳୀ ଗୋଟାଏ ଶାନ୍ତ ପରିବେଶ ସୃଷ୍ଟି କରିଥିଲା ।

 

ଗୋରୁପଲ ସଂକୀର୍ଣ୍ଣ ଗିରିପଥର ଏକ ନିମ୍ନ ଅଂଶ ପାର ହୋଇଗଲେ । ବୟସ୍କ ଲୋକଟି ସେହି ପଥର ମଧ୍ୟ ଭାଗରେ ଥିଲା ଓ ବାଳକଟି ସେହି ପଥକୁ ଗଡ଼ୁଥିଲା । ତା ଆଗରେ ଥିଲା ଗୋଟିଏ ବାଉଁଶବୁଦା ଓ ସେହି ବୁଦାକୁ ବେଢ଼ି ରହିଥିଲା ଲମ୍ବ ଲମ୍ବ ଘାସର ବୁଦା । ଆଗରୁ ଯାଇଥିବା ଗୋରୁ ପଲର ଖୁରାରେ ଧୂଳି ଉଡ଼ୁଥିଲା । ବାଳକଟି ନିଜ ଚିନ୍ତାରେ ବୁଡ଼ି ରହି ଧୀରେ ଧୀରେ ଚାଲୁଥିଲା ।

 

ବୟସ୍କ ଲୋକଟି ପ୍ରଥମେ ଗୋଟିଏ ଫମ୍ପା ଶବ୍ଦ ଓ ତାପରେ ସଁ ସଁ ଶବ୍ଦ ଶୁଣି ପାରିଲା । କି ଶବ୍ଦ ଜାଣିବାପାଇଁ ସେ ବୁଲିପଡ଼ି ପଛକୁ ଚାହିଁଲା; କିନ୍ତୁ ସେ କିଛି ଦେଖି ପାରିଲାନାହିଁ । ବାଉଁଶ ବୁଦା ଆଡ଼କୁ ପଡ଼ିଥିବା ରାସ୍ତାରେ ମଧ୍ୟ କେହି ନ ଥିଲେ । ସେ ଗୋରୁପଲ ପଛେ ପଛେ ଚଳିବାକୁ ଲାଗିଲା । ତାର ବିଶ୍ଵାସ, ଟୋକା ନିଶ୍ଚୟ ତା ପଛେ ପଛେ ଆସିବ ।

 

ଶେଷରେ ଲୋକଟି ଗୋରୁପଲ ସହିତ ପେଗେପାଲିୟାମ ଗାଁ ପାଖରେ ପହଞ୍ଚିଲା । ସେ ପଛକୁ ପୁଣିଥରେ ଚାହିଁଲା; କିନ୍ତୁ ପିଲାଟାର ଦେଖା ପାଇଲାନାହିଁ । ସେ ପିଲାର ନାଁ ଧରି ଡାକ ପକାଇଲା–ଭେଙ୍କଟ, ହେ ଭେଙ୍କଟ । ଏହି ଡାକରେ ସେ କୌଣସି ଉତ୍ତର ପାଇଲା ନାହିଁ; କିନ୍ତୁ କିଛି ସମୟ ଅପେକ୍ଷା କଲାପରେ ସେ ପୁଣି ଡାକିଲା–ଭେଙ୍କଟ, ହେ ଭେଙ୍କଟ । ତଥାପି କୌଣସି ଉତ୍ତର ଉତ୍ତର ମିଳିଲାନାହିଁ । ଏଣେ ଗୋରୁଗୁଡ଼ାକ ଗାଆଁ ଆଡ଼କୁ ଚାଲି ଯାଉଥିଲେ । ସେମାନଙ୍କ ସଙ୍ଗେ ଯିବା ଦରକାର । ତେଣୁ ସେ ଆଉ ଅପେକ୍ଷା ନକରି ଗୋରୁପଲ ପଛେ ପଛେ ଗାଁକୁ ଗଲା । ଏତେବେଳକୁ ତାର ପୁଣି ମନେ ପଡ଼ିଲା, ପିଲାଟି ଏବେ ସୁଦ୍ଧା ଆସିଲା ନାହିଁ କାହିଁକି ?

 

ପିଲାଟାର ଆସିବାରେ ଡେରିହେବାର ଅନେକ କାରଣ ଥାଇପାରେ । ତେଣୁ ଏ ବିଷୟ ପ୍ରତି କେହି ବିଶେଷ ଗୁରୁତ୍ଵ ଦେଲେନାହିଁ; କିନ୍ତୁ ଘଣ୍ଟାଏ ଖଣ୍ଡେ ପରେ ମଧ୍ୟ ସେ ନ ଆସିବାରୁ ଲୋକଟିର ମନେ ପଡ଼ିଲା ଯେ ସେ ବାଉଁଶବୁଦା ପାଖ ରାସ୍ତାଠାରୁ ପିଲାକୁ ଆଉ ଦେଖିନାହିଁ । ଆହୁରି ମଧ୍ୟ ସେହିଠାରେ ସେ ଗୋଟାଏ ଫମ୍ପାଶବ୍ଦ ଶୁଣିଥିବାର ମନେ ପଡ଼ିଲା । ତାର ସନ୍ଦେହ ହେଲା, ପିଲାଟି ଉପରେ ନିଶ୍ଚୟ କିଛି ବିପତ୍ତି ପଡ଼ିଛି । ହୁଏତ ତାକୁ ସାପ କାମୁଡ଼ିଛି । ବାଘ କି ଚିତାବାଘ କଥା ତା ମୁଣ୍ଡକୁ ଆଦୌ ଆସିଲାନାହିଁ; କାରଣ ପେଗେପାଲିୟାମର ଆଖପାଖରେ ଅନେକ ଦିନ ହେଲା ବାଘ ଚିତାବାଘର ଉତ୍ପାତ ବିଷୟରେ କିଛି ଶୁଣାଯାଇନଥିଲା ।

 

ସେ ବ୍ୟାକୁଳହୋଇ ଦୌଡ଼ି ଦୌଡ଼ି ବାଉଁଶବୁଦା ପାଖରେ ପହଞ୍ଚିଲା । ସେ ରାସ୍ତା ପରୀକ୍ଷା କରି ଦେଖିଲା, ଗୋରୁମାନଙ୍କ ଖୁରା ଚିହ୍ନ ଓ ତାର ନିଜ ପାଦଚିହ୍ନ ଉପରେ ଗୋଟାଏ ବାଘର ସ୍ପଷ୍ଟ ପାଦଚିହ୍ନ ପଡ଼ିଅଛି । ସାମାନ୍ୟ ଟଣାଓଟରା ଓ ଘୋଷଡ଼ା ଚିହ୍ନ ମଧ୍ୟ ଦେଖିବାକୁ ମିଳିଲା-। ସେହିଠାରୁ ବାଘ ପିଲାଟାକୁ ଟେକି ନେଇଥିବାର ଜଣାଗଲା ।

 

ଏହିପରି ପେଗେପାଲିୟାମର ମଣିଷଖିଆ ବାଘ କଥା ଲୋକସାଧାରଣ ଜାଣିପାରିଲେ-

 

ସମୟ ଗଡ଼ିଚାଲିଲା । ଦକ୍ଷିଣ–ପଶ୍ଚିମରେ ତାଳବାଦି ଓ ତଲାଇମଲାଇ ପର୍ଯ୍ୟନ୍ତ ପ୍ରାୟ ୩୦ ମାଇଲ ଓ ପୂର୍ବରେ ପାନ୍ନାଚିମଲାଇ ପାହାଡ଼ର ପାଦ ଦେଶ ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ କାଁ ଭାଁ ବାଘ ମଣିଷ ମାରିବାର ଖବର ମିଳିଲା । ଚାଳିଶ ମାଇଲ ଦୂରରେ କାବେରୀ–ନଦୀକୂଳସ୍ଥ ଆଲାମବାଦିରେ ଜଣେ ଲୋକକୁ ବାଘ ଖାଇଗଲା । କୋଲେଗାଲ ସହରଠାରୁ ମାତ୍ର ଛଅ ମାଇଲ ଦୂରରେ ଉତ୍ତର ଦିଗରେ ଆଉ ଜଣେ ଲୋକ ବାଘ ହାତରେ ମରିଥିଲା । ଶେଷୋକ୍ତ ଘଟଣାଟି ସର୍ବଶେଷ ଘଟଣା ଓ ଏଥିରେ ଗୋଟିଏ ପନ୍ଦର ବର୍ଷର ବାଳକ ପ୍ରାଣ ହରାଇଥିଲା । ବାଳକଟି ଦିନ ସାଢ଼େ ଦଶଟାବେଳେ କ୍ଷେତରେ କାମ କରୁଥିବା ସମୟରେ ସଫା ଦିନ ଆଲୁଅରେ ବାଘ ତାକୁ ଟାଣି ନେଇଥିଲା ।

 

ପ୍ରଥମ ଥର ସେ ବାଘ ବାଘ ଯେଉଁଠାରୁ ଗୋରୁ ଜଗାଳି ଟୋକାକୁ ଖାଇଥିଲା, ସେଠାରୁ ପ୍ରାୟ ତିନି ମାଇଲି ଦୂରରେ ଆଉ ଗୋଟିଏ ବାଘଖିଆ ଘଟନା ଘଟିଲା । ଏହି ଘଟନା ସମ୍ବନ୍ଧରେ ଗୋଟିଏ ବିଶେଷ ସମ୍ବାଦ ମିଳିଥିଲା । ତିନି ଜଣ ଲୋକ ଗୋଟିଏ ଶଗଡ଼ଚଲା ବାଟରେ ଯାଉଥିଲେ । ଏହି ବାଟଟି ଜଙ୍ଗଲକୁ ପଡ଼ିଥିଲା ଓ ଜଙ୍ଗଲରେ କଟାହୋଇ ପଡ଼ିଥିବା ବାଉଁଶକୁ ଏହିବାଟେ ଶଗଡ଼ରେ ନିଆଯାଉଥିଲା । ମଣିଷଖିଆ ବାଘର ଦୌରାତ୍ମ୍ୟରୁ ବାଉଁଶ କଟା କାମ ପ୍ରାୟ ବନ୍ଦ ହୋଇଯାଇଥିଲା । ନିତାନ୍ତ ଦରକାର ନ ପଡ଼ିରେ ଲୋକେ ଜଙ୍ଗଲକୁ ଯାଉନଥିଲେ । ଯେତେବେଳେ ଏପରି ଯିବାକୁ ପଡ଼ୁଥିଲା, ସେତେବେଳେ କେବଳ ଦିନ ଦୁଇଟା ଯାଆସ କରୁଥିଲେ-। ଉକ୍ତ ତିନି ଜଣ ଲୋକଙ୍କର ଜରୁରି କାମ ଥିବାରୁ ସେମାନେ ଦିନ ଦୁଇଟା ପୂର୍ବରୁ ସେହି ରାସ୍ତାରେ ଯାଇଥିଲେ । ପେଗେପାଲିୟାମଠାରେ ସେମାନେ ଦ୍ଵିପ୍ରହର ଭୋଜନ ସାରି ଆସିଥିଲେ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ଖୁବ୍ ନିକଟରେ ପହଞ୍ଚିଯାଇଥିଲେ । ସାଢ଼େ ତିନିଟାବେଳକୁ ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବେ ବୋଲି ଆଶା କରିଥିଲେ ।

 

ହଠାତ୍ କୌଣସି ସୂଚନା ନ ଦେଇ ଗୋଟାଏ ବାଘ ରାସ୍ତା ଉପରକୁ ଡେଇଁପଡ଼ିଲା । ତିନି ଜଣଯାକ ଭୟରେ କାଠ ହୋଇଗଲେ; ସେମାନଙ୍କ ପାଦ ଚାଲିଲା ନାହିଁ । ବାଘଟା ପଛ ଦୁଇ ଗୋଡ଼ରେ ଛିଡ଼ାହୋଇ ଆଗ ଦୁଇଗୋଡ଼ ଟେକି ସବା ଆଗରେ ଥିବା ଲୋକଟିକୁ ଆକ୍ରମଣ କଲା । ସେ ଲୋକଟିର ମୁହଁକୁ ତା ନଖରେ ବିଦାରି ପକାଇଲା । ତାର ସଙ୍ଗୀ ଦୁଇଜଣ ସୌଭାଗ୍ୟକ୍ରମେ ପାଖରେ ଗୋଟିଏ ଗଛ ଦେଖି ତାହା ଉପରକୁ ଚଢ଼ିଗଲେ । ପ୍ରଥମ ଲୋକଟିର ହାତରେ ଗୋଟିଏ ଛୁରୀ ଥିଲା । ଶୋଲେମା ଜାତିର ଲୋକେ ଗଲାବେଳେ କାଠ କାଟିବା ବା ବାଟ ସଫା କରିବାପାଇଁ ସବୁବେଳେ ଏହିପରି ଗୋଟିଏ ଛୁରୀ ନେଇଥାନ୍ତି । ଲୋକଟିକୁ ହଠାତ୍ ଗୋଟିଏ ବୁଦ୍ଧି ଦେଖାଗଲା-। ସେ ସାହସ ବାନ୍ଧି ବାଘର ମୁଣ୍ଡର ସେହି ଛୁରୀରେ ଆଘାତ କରିବାକୁ ଲାଗିଲା । ମୁଣ୍ଡର ଦୁଇ ପାଖରେ ଛୁରୀର ଆଘାତ ପାଇ ବାଘଟା ବ୍ୟସ୍ତ ହୋଇପଡ଼ିଲା । ସେ ଏଭଳି ପ୍ରତିଆକ୍ରମଣର ଆଶଙ୍କା କରିନଥିଲା । ତେଣୁ ସେ ଯନ୍ତ୍ରଣାରେ ଗର୍ଜନ କରିବାକୁ ଲାଗିଲା । ମଣିଷଖିଆ ବାଘ ମାତ୍ରେ ସ୍ଵାଭାବତଃ ଭୟାଳୁ । ସେ ଭୟରେ ଲୋକଟାକୁ ଛାଡ଼ି ଦେଇ ଜଙ୍ଗଲ ଭିତରକୁ ଚାଲିଗଲା ।

 

ଏଣେ ତାର ସଙ୍ଗୀ ଦୁହେଁ ଗଛର ଉଚ୍ଚତମ ଡାଳରେ ବସି ଏହି ଭୀଷଣ ଦୃଶ୍ୟ ଦେଖୁଥିଲେ । ଲୋକଟିର ମୁହଁ ଓ ଛାତିରୁ ଧାର ଧାର ହୋଇ ରକ୍ତ ବହିଯାଉଥିବା । ସେ କୌଣସିମତେ ତଳୁ ଉଠି ବସିଲା । ଗଛ ଉପରୁ ତାର ସାଥୀ ଦୁହେଁ ଡାକି କହିଲେ–“ଭାଇ, ଶୀଘ୍ର ଗଛ ଉପରକୁ ଉଠିଆସ । ତଳେ ବସି ରହିଲେ ବିପଦ ଅଛି । ବାଘଟା ଚାଲି ଯାଇଛି ସିନା, ପୁଣି ଆସି ତୋତେ ମାରିପାରେ ।”

 

ସେମାନଙ୍କ ଡାକ ଶୁଣି ଲୋକଟି ଉଠି ଛିଡ଼ାହେଲା । ମୁଣ୍ଡରୁ ପଗଡ଼ିଟା କାଢ଼ିଆଣି ସେଥିରେ ଦେହରୁ ରକ୍ତ ପୋଛିହେଲା । ଗଛ ଉପରୁ ଲୋକ ଦୁଇଜଣ ପୁଣି ଡାକଦେଲେ, “ଭାଇ, ଶୀଘ୍ର ଗଛ ଉପରକୁ ଚଢ଼ିଆସ ।” ଲୋକଟି ଗଛକୁ ଉଠିଯିବା ଅଭିପ୍ରାୟରେ ଗଛ ମୂଳ ଆଡ଼କୁ ଚଳିବାକୁ ଆରମ୍ଭ କଲା; କିନ୍ତୁ ଭାଗ୍ୟ ତାର ପ୍ରତିକୂଳ ଥିଲା । ତାର ଆୟୁଷ ସରି ଆସିଥିଲା । ବାଘର ସାମୟିକ ଭୀରୁତା ପରିବର୍ତ୍ତେ ତାର କ୍ରୋଧ ଜାଗ୍ରତ ହେଲା । ବୋଧହୁଏ ଲୋକଟି ଛୁରୀରେ ଯେଉଁ ଆଘାତ କରିଥିଲା, ତାହାର ଯନ୍ତ୍ରଣା କ୍ରୋଧର ଉଦ୍ରେକ କରିଥିଲା । ବାଘଟା ପୁଣି ଚମକି ଆସି ଲୋକଟାକୁ ମାଡ଼ି ବସିଲା ଓ ଆଗ ପାଦର ଏକ ଭୀଷଣ ପ୍ରହାରରେ ତାର ବେକକୁ ଭାଙ୍ଗି ଦେଲା । ଲୋକଟା ତଳେ ପଡ଼ୁ ପଡ଼ୁ ବାଘ ତାକୁ ଦାନ୍ତରେ କାମୁଡ଼ି ଧରି ବଣ ଭିତରକୁ ଚାଲିଗଲା । ଗଛଉପରେ ବସିଥିବା ଲୋକଦୁହେଁ ଅସହାୟ ଭାବରେ ଏହି ଦୃଶ୍ୟ ଦେଖୁଥିଲେ ।

 

ଏହି ଘଟଣାର ଠିକ୍ ପରେ ପରେ ମୁଁ କୋଲାଗାଲ ଓ ପେଗେପାଲିୟାମ୍‌କୁ ଯାଇ ସେହି ଲୋକ ଦୁହିଁଙ୍କ ସଙ୍ଗେ ଦେଖାକଲି । ସେ ଦୁହେଁ ଯେଉଁ ଯେଉଁ ବର୍ଣ୍ଣନା ଦେଲେ, ସେଥିରେ ସମ୍ପୂର୍ଣ୍ଣ ସାମ୍ୟଥିଲା ଓ ପ୍ରତ୍ୟେକ ବିବରଣୀ ସୁସ୍ପଷ୍ଟ ଥିଲା । ବାଘଟି ଦୁଇଥରଯାକ ଆକ୍ରମଣ କଲାବେଳେ ପ୍ରଧାନତଃ ତାର ନଖକୁ ହିଁ ବ୍ୟବହାର କରିଥିଲା, ଦାନ୍ତକୁ ବ୍ୟବହାର କରିନଥିଲା ।

 

ଗତକଥା ମୋର ମନେପଡ଼ିଗଲା । ଏ ବାଘଟି କଅଣ ରାଜନଗରର ସେହି ନଖରେ ଚିରୁଥିବା ବାଘ ? ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ ମୋତେ ପରାସ୍ତ କରିଥିବାରୁ ସମୟକ୍ରମେ ତାର ସାହସ ବଢ଼ିଯାଇଛି ଓ ଗୋଟିଏ ଜଣାଶୁଣା ମଣିଷଖିଆ ବାଘରେ ପରିଣତ ହୋଇ ‘ପେଗେପାଲିୟାମର ମଣିଷଖିଆ ବାଘ’ ଆକାରରେ ଦେଖାଦେଇଅଛି କି ? ଲୋକ ଦୁଇଟି ଯେଉଁ ବର୍ଣ୍ଣନା ଦେଲେ ସେଥିରୁ ‘ଏ ବାଘଟି ଯେ ସେହି’ ଏହାର ଯଥେଷ୍ଟ ପ୍ରମାଣ ମିଳେ ।

 

କେବଳ ପେଗେପାଲିୟାମରେ ନୁହେଁ, ଆଖପାଖର କେତୋଟି ଗାଆଁରେ ଯେଉଁଠାରେ ବାଘ ମଣିଷ ମରିଥିଲା ସେଠାରେ ମଧ୍ୟ ମୋର ଅନୁସନ୍ଧାନ ଚଳାଇଲି । କୋଲାଗାଲର ଫରେଷ୍ଟ ଡିପାର୍ଟମେଣ୍ଟରେ ମଧ୍ୟ ସନ୍ଧାନ ନେଲି । ଏ ଦୁଇ ବାଘ ଯେ ପ୍ରକୃତରେ ଗୋଟିଏ, ଏହାର ପ୍ରମାଣ ସଂଗ୍ରହ କରିବା ନିମନ୍ତେ ମୁଁ ଯଥେଷ୍ଟ ଶ୍ରମ ସ୍ଵୀକାର କଲି । ବାଘ ମାରିଥିବା କେତେକ ପୂରା ଖାଇବା ପୂର୍ବରୁ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ସେ ସବୁରେ ନଖର ଚିରା ଚିହ୍ନ ସହିତ ଦାନ୍ତରେ କାମୁଡ଼ିବା ଚିହ୍ନ ଦେଖାଯାଇଥାଏ । ତେଣୁ ଏ ବାଘ ଯେ କେବଳ ନଖରେ ଚିରି ଚିରିବା ହିଁ ଥିଲା ନଖରେ ଚିରୁଥିବା ବାଘର ଆକ୍ରମଣ ପଦ୍ଧତି ।

 

ପ୍ରଥମଥର ମୁଁ ପେଗେପାଲିୟାମରେ ସପ୍ତାହେ ମାତ୍ର ରହିଥିଲି । ଏହି ସମୟରେ ମୁଁ ତିନୋଟି ଜୀଅନ୍ତା ଜନ୍ତୁ ଥୋପ ବସାଇଥିଲି; କିନ୍ତୁ ସେଥିମଧ୍ୟରୁ ବାଘ କାହାରିକୁ ଛୁଇଁ ନଥିଲା । ଏହି ସମୟ ଭିତରେ ବାଘ କାହାରିକୁ ଆକ୍ରମଣ କରିଥିବାର ସମ୍ବାଦ ମଧ୍ୟ ମିଳିନଥିଲା । ଛୁଟି ବଢ଼ାଇବାର କୌଣସି କାରଣ ନଥିଲା । ଅଗତ୍ୟା କର୍ତ୍ତବ୍ୟର ଅନୁରୋଧରେ ମୁଁ ବାଙ୍ଗାଲୋରକୁ ଫେରି ଆସିଥିଲି ।

 

ମୁଁ ଉଲ୍ଲେଖ କରିଅଛି ଯେ ତାହାପରେ ସେହି ମଣିଷଖିଆ ବାଘ ଦିନର ସଫା ଆଲୁଅରେ ଖୋଲା ପଡ଼ିଆରୁ ଗୋଟିଏ ପନ୍ଦର ବର୍ଷର ଟୋକାକୁ ମାରିଥିଲା । ସେ ସ୍ଥାନଟି ପୁଣି କୋଲେଗାଲ ସହରଠାରୁ ମୋଟେ ଛଅ ମାଇଲ ଦୂର । ଏବେ ମୋର ପୁଅ ଡୋନାଲ୍‌ଡ଼ ତା ପଛରେ ଲାଗିଛି; ତାର ଆଶା, ସେ ମୋଠାରୁ ଅଧିକ ସଫଳ ହେବ ।

 

ଆମେ ଉଭୟ–ମୁଁ ଓ ମୋର ପୁଅ–ଜାଣିବାକୁ ଚାହୁଁ–ଏହି ମଣିଷଖିଆ ବାଘଟି ମୁଁ ପୂର୍ବରୁ କହିଥିବା ‘ନଖରେ ଚିରୁଥିବା ବାଘ’ କି ? ଯଦି ଡୋନାଲ୍‌ଡ଼ କୌଣସି ପ୍ରକାରେ ବାଘଟି ଦାନ୍ତରେ ଶିକାରକୁ ନ କାମୁଡ଼ି ନଖରେ ଚିରୁଥିବାର କାରଣ ଆବିଷ୍କାର କରିପାରେ, ତେବେ ମୋର ସନ୍ଦେହ ଦୂର ହେବ ଓ ସେ ଜଙ୍ଗଲରାଜ୍ୟର ଗୋଟିଏ ଜଟିଳ ରହସ୍ୟ ସମାଧାନ କରିହେବ ।

 

ଏହି ସବୁ କଥା ଚିନ୍ତାକଲା ବେଳକୁ ମୋର କାଗଜର ପୃଷ୍ଠା ଓ ତହିଁରେ ମୋର ଲେଖା ଉଭେଇ ଯାଉଅଛି ଓ କଳ୍ପନା ଚକ୍ଷୁରେ ମୁଁ ସମ୍ମୁଖରେ ଦେଖିପାରୁଛି ଗୋଟିଏ ବିରାଟ (Campfire) ଅଗ୍ନିଶିଖା । ସେଥିରୁ ଶତ ଶତ ଅଗ୍ନିକଣା ବାହାରି ଅନ୍ଧକାରରେ ଲୀନ ହୋଇଯାଉଅଛନ୍ତି ଓ ଗୋଟିଏ ଧୂମଶିଖା କୁଣ୍ଡଳୀ ଆକାରରେ ଆକାଶକୁ ଉଠିଯାଉଅଛି ।

 

ଏହି ପରିଷ୍କାର ରଜନୀରେ ଆକାଶର ଲକ୍ଷ ଲକ୍ଷ ତାରାମାନଙ୍କ ମଧ୍ୟରୁ ଅଳ୍ପ କେତୋଟି ମାତ୍ର କ୍ୟାମ୍ପ ଫାୟାରର ଉଜ୍ଜ୍ଵଳ ଆଲୋକ ହେତୁରୁ ଦେଖାଯାଉ ଅଛନ୍ତି ।

 

ସ୍ତିମିତ ଆଲୋକ ତାହାର ସମସ୍ତ ଉଜ୍ଜ୍ଵଳତା ସତ୍ତ୍ୱେ ମୋର ଚାରିପାଖରେ ପ୍ରାୟ ପନ୍ଦରଗଜ ପର୍ଯ୍ୟନ୍ତ ସ୍ଥାନର ଅନ୍ଧକାର ଦୂର କରିପାରୁଅଛି । ତାହାପରେ ଅଛି ଅନ୍ଧକାର–ଘୋର ଅନ୍ଧକାର–ନିସ୍ତବ୍‌ଧ ଓ ଘନ ଅନ୍ଧକାର । ସେହି ଅନ୍ଧକାର ସମସ୍ତଙ୍କୁ ଆବୃତ କରି ଦେଇଛି–ଜଙ୍ଗଲର ରାତ୍ରିର ଘନ କୃଷ୍ଣ ଅନ୍ଧକାର–ସତେ ଅବା ସ୍ନିଗ୍‌ଧ ଅନ୍ଧକାରର ଗୋଟାଏ ଆସ୍ତରଣ ।

 

ମୁଁ ଶାନ୍ତଭାବରେ ପାଇପ୍ ଟାଣୁଛି । ପାଇପ୍‌ର ଅଭ୍ୟନ୍ତରରୁ ଧୂଆଁର କୁଣ୍ଡଳୀ ଉପରକୁ ଉଠିଯାଉଅଛି । ସେ ଧୂଆଁ Campfire ଧୂଆଁ ସହିତ ମିଶି ଯାଇ ଶେଷରେ ନିଆଁର କମ୍ପମାନ ଆଲୋକ ମଧ୍ୟରେ ଲୋପ ପାଇଯାଉଅଛି । ଏହି ନିଆଁ ସାମାନ୍ୟ ଦୁଃଖଦାୟକ ହେଲେହେଁ ଶାନ୍ତିପ୍ରଦ ।

 

ମୋର ଚାରିପାଖେ ନୀରବତାର ରାଜତ୍ଵ । କେବେ କେବେ Campfireର ଟକ୍‌ଟକ୍ ବା ସୁ ସୁ ଶବ୍ଦ ସେହି ନୀରବତାକୁ ଭଙ୍ଗ କରୁଅଛି ।

 

ଏହି ସମୟରେ ମୁଁ ସେହି ଶବ୍ଦ ଶୁଣିବାକୁ ପାଉଛି । କେଉଁ ସୁଦୂର ପାହାଡ଼ରୁ ଶବ୍ଦ ମୋ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଉଛି–ହା–ଉଁ–ଉଁ, ହା–ଉଁ–ଉଁ–ଉଁ–ହୁଃ, ଉଁ–ହୁଃ । ଏ ହେଉଛି ବାଘର ଗର୍ଜନ ।

 

ଏଥି ପୂର୍ବରୁ ମୁଁ ଏହି ଶବ୍ଦ ଅନେକ ବାର ଶୁଣିଛି । ମୁଁ ଯେତିକି ଏହି ଶବ୍ଦ ଶୁଣେ ସେତିକି ଉଲ୍ଲସିତ ହୋଇଉଠେ । ସେ ଶବ୍ଦ ଭୀଷଣ ତଥାପି ଏହାର ସ୍ଵରରେ ଗୋଟିଏ ମାଧୁରି ଅଛି ।

 

ଏଇ ପୁଣି ଶୁଣାଯାଉଛି–ଉଁ–ହୁଃ, ଉଁ–ହୁଃ, ହା–ଉଁ–ଉଁ, ହା–ଉଁ–ଉଁ । ହଁ, ବାଘ ମୋର ନିକଟରୁ ନିକଟତର ହେଉଛି ।

 

ମୁଁ କଳ୍ପନା କରୁଛି, ଏହି ଗର୍ଜନ ପେଗେପାଲିୟାମ୍‌ର ମଣିଷଖିଆ ବାଘର ଗର୍ଜନ ହୋଇଥିବ !

Image